Unknown

 

 

 

 

 

 

 

 

 

ଶନିସପ୍ତା

ଚିନ୍ତାମଣି ମହାନ୍ତି

 

ପ୍ରଥମ ପରିଚ୍ଛେଦ

 

ସାରଥି ନନ୍ଦେ କାଲି ପାଞ୍ଚକୋଶ ଦୂରବର୍ତ୍ତୀ ଯଜମାନ ଘରେ ଗଣେଶପୂଜା ସାରି ଘରେ ଆସି ପହୁଞ୍ଚିଲା ବେଳକୁ ରାତି ପାହାନ୍ତା ହୋଇଯାଇଥିଲା । ତେଣୁ ଆଜି ସକାଳୁ ଉଠିପାରିଲେ ନାହିଁ-। ତାଙ୍କର ନିଦ ଭାଙ୍ଗିବାବେଳକୁ ତିନିଘଡ଼ି ବେଳ ହୋଇଯାଇଥିଲା । ନିକଟବର୍ତ୍ତୀ ଦେବାଳୟର ଭୋଗ–ବାଦ୍ୟ କୋଳାହଳରେ ହଠାତ୍ ତାଙ୍କର ନିଦ ଭାଙ୍ଗିଗଲା । ନଚେତ୍ ନିଦ ପାକଳ ହେବାକୁ ଆହୁରି କିଛିକ୍ଷଣ ଲାଗି ଥାଆନ୍ତା । ସେ ଧଡ଼ପଡ଼ ହୋଇ ଉଠି ବସି, ‘‘ପ୍ରାତଃ ସମୁତ୍‌ଥାୟ ବିଶୁଦ୍ଧଚେତା ନାସାଗ୍ରମାଲୋକ୍ୟ ସମାଧିଯୁକ୍ତଃ ସ୍ମରେତ ଯଃ ଶମ୍ଭୋ ପଦାବଜଯୁଗ୍ମଂ ତନ୍ମାମ ସଂକୀର୍ତ୍ତନ ଯୋଗପୁକ୍ତଃ’’ ‘‘ପ୍ରଭାତେ ଯଃ ସ୍ମରେନ୍ନିତ୍ୟଂ ଦୁର୍ଗା ଦୁର୍ଗାକ୍ଷରଦ୍ୱୟଂ’’ ଇତ୍ୟାଦି ଯେତେ ପ୍ରାତଃସ୍ମରଣ ବାକ୍ୟ ଅଛି, ଅତ୍ୟନ୍ତ ଭକ୍ତି ଭାବରେ ସବୁ ଆବୃତ୍ତି କରିଗଲେ । ତାଙ୍କର ଅପକ୍ୱନିଦ୍ରୋତ୍‌ଥିତ ମନର ଅବସ୍ଥା ବାକ୍ୟର ଆଦେଶ ପାଳନର ଅନୁକୂଳ ନୁହେଁ; ସୁତରାଂ ତାଙ୍କ ମୁଖ ବା ଚକ୍ଷୁରେ ବିଶୁଦ୍ଧଚିତ୍ତତା ବା ନାସାଗ୍ରମାଲୋକ୍ୟର କୌଣସି ଲକ୍ଷଣ ଦେଖାଗଲା ନାହିଁ । ସେ କେବଳ ବାକ୍ୟାବୃତ୍ତିଦ୍ୱାରା ଆଦେଶର ପ୍ରତିଧ୍ୱନି କରି ସଂକ୍ଷେପରେ ବିଧିରକ୍ଷା କଲେ । କଳିକାଳ ତ, ସଂକ୍ଷେପର ଜୟଗୁଣ, ନନ୍ଦେ ବା ସଂକ୍ଷେପ ପ୍ରିୟ ନ ହେବେ କାହିଁକି ? ସତ୍ୟଯୁଗରେ ମନୁଷ୍ୟର ଉଚ୍ଚତା ଏକୋଇଶ ହାତ ଥିଲା, ତାହା ଆସି ସାଢ଼େ ତିନି ହାତରେ ରହିଲାଣି; ତଥା ପରମାୟୁର ପରିମାଣ ଷାଠିଏ ବର୍ଷକୁ ଖସି ଆସିଲାଣି । କେବଳ ପ୍ରକୃତି ରାଜ୍ୟରେ ନୁହେଁ– କୃତ୍ରିମ ରାଜ୍ୟରେ ସୁଦ୍ଧା ସଂକ୍ଷେପର ଏକାଧିପତ୍ୟ । ରେଲଗାଡ଼ି, ଟେଲିଗ୍ରାଫ୍ ଓ ଟେଲିଫୋନ୍‌ଦ୍ୱାରା ପଥର ସଂକ୍ଷେପ ଘଟିଅଛି । କାନ୍ଥଟଙ୍ଗା ଘଡ଼ି ହସ୍ତ ଭୂଷଣ ବଳୟ ହେଲାଣି । ତାହାର ‘‘ଠଙ୍ଗ୍ ଠଙ୍ଗ୍’’ ଶବ୍ଦ ଆସି ‘‘ଟୁକ୍ ଟୁକ୍’’ରେ ରହିଲାଣି । ଏଣିକି ପୁଣି ସାହିତ୍ୟ ରାଜ୍ୟରେ ସଂକ୍ଷେପ ପ୍ରବେଶ କଲାଣି । କେହି କେହି ‘‘ସଂକ୍ଷିପ୍ତ ସମାଲୋଚନା’’ କରନ୍ତି, ଯେପରି ଅସୀମ ଅନନ୍ତ । ସେମାନେ କିଛିଦିନ ପରର ସମାଲୋଚନା ଛାଡ଼ି ନିଜର ସମାଲୋଚନ କଲେ ଆତ୍ମତ୍ରୁଟି ବୁଝିପାରନ୍ତେ; ମାତ୍ର ତତ୍‍ପୂର୍ବରୁ ନୁହେଁ-। ଯାହାହେଉ ନିଜ ଦୋଷ ଛାଡ଼ି ଯେ ପର ଦୋଷ ସୁଧାରିବାକୁ ଯାଏ, ତାହାର ବଡ଼ ଦୟାର ଶରୀର-। ବୋଧହୁଏ ଦୋଷ ଦୂରୀକରଣରେ ଉତ୍କଟ ଦୁରାକାଙ୍‌କ୍ଷାର କଳା ଘେନି ସେମାନେ ପୃଥିବୀରେ ଅବତୀର୍ଣ୍ଣ ହୋଇଅଛନ୍ତି । ଏହି ଦୁରାକାଙ୍‌କ୍ଷା ସେମାନଙ୍କର ବିଧାତୃଦତ୍ତ ଅମୂଲ୍ୟ ବିଭବ-। ସେହି ମହାବିଭବର ଅଧିକାର ହେତୁ ସେମାନେ ମହାତ୍ମା ମହାପୁରୁଷ କିମ୍ବା ଅବତାର ବିଶେଷ । ଦୁଃଖର ବିଷୟ, ଏପରି ଅବତାର ବିଧାତା ସବୁସମୟରେ ପୃଥିବୀକୁ ପ୍ରେରଣ କରନ୍ତି ନାହିଁ । ଉଦ୍‌ଭ୍ରାନ୍ତ ମନ କେଉଁଠି ଥିଲା, ଆସି କେଉଁଠି ଉଠିଲାଣି । ଗୋଟିଏ ବିଷୟରେ ବହୁକ୍ଷଣ ନିଯୁକ୍ତ ରହିବା ତାହାର ସ୍ୱଭାବ ବିରୁଦ୍ଧ । ସୁତରାଂ ସେ ଏଣେତେଣେ ପକାଇ ଯାଇଅଛି । ସେ ଯାହାହେଉ ନନ୍ଦେ ପ୍ରାତଃସ୍ମରଣ ବାକ୍ୟ ଆବୃତ୍ତି ପରେ ଭୂମିରେ ମୁଣ୍ଡ ଲଗାଇ କାହା ଉଦ୍ଦେଶ୍ୟରେ କେଜାଣି ଗୋଟାଏ ଦଣ୍ଡବତ କରି ବିଛଣାରୁ ଉଠିଗଲେ । ଲୋଟାଏ ପାଣିରେ ଖଣ୍ଡେ ଦାନ୍ତକାଠି ପଡ଼ି ପିଣ୍ଡାରେ ଥୁଆ ହୋଇଥିଲା । ନନ୍ଦେ ତାହାକୁ ବାମହସ୍ତରେ ଉଠାଇ ନେଇ ଏବଂ ବାମେତର ହସ୍ତର ମଧ୍ୟମା ବୃଦ୍ଧାଙ୍ଗୁଳି ସଂପୃକ୍ତ ଟିପରେ ନାସକୁଣ୍ଡିରୁ ଟିପେ ନାସ ଧରି ବାଡ଼ି ଆଡ଼କୁ ଚାଲିଗଲେ-। ଘର ପଛଆଡ଼େ ପ୍ରଶସ୍ତ ବାଡ଼ି । ସେଥିରେ ଶାକସବଜିର କ୍ଷେତ୍ର ଏବଂ କେତୋଟି ଫଳବୃକ୍ଷ ଅଛି । ମଧ୍ୟସ୍ଥଳରେ ଖଣ୍ଡିଏ ପକ୍‌କା ବେଦୀ ବିଦ୍ୟାମାନ । ବେଦୀଟି ନନ୍ଦଙ୍କର କର୍ମ କ୍ଷେତ୍ର-। ଦାନ୍ତଘଷା, ନାସ ଘୁଣ୍ଟା ଏବଂ ପୋଥିଲେଖାଠାରୁ ଯଜମାନ ଘରୁ ଆନୀତ ମଣ୍ଡଳ ଗୁଆଚାଉଳ ବଛା ପର୍ଯ୍ୟନ୍ତ ଅନେକ କାର୍ଯ୍ୟରେ ବେଦୀଟି ନନ୍ଦଙ୍କର ଆଶ୍ରୟ । ନନ୍ଦେ ବେଦୀ ପାଖରେ ଠିଆହୋଇ ସଲୋଟା ସନସ୍ୟ ଉଭୟ ହସ୍ତ ଏକତ୍ର କରି ସୂର୍ଯ୍ୟଙ୍କୁ ଗୋଟାଏ ନମସ୍କାର କଲେ । ଅନନ୍ତର ଲୋଟାଟି ବେଦୀ ଉପରେ ରଖିଦେଇ ନାସିକା ଏବଂ କପାଳର ତ୍ରିବଳି କୁଞ୍ଚନ ପୂର୍ବକ ଏକ ପ୍ରକାଣ୍ଡ ସଟକାରେ ନାସଟିପକ ନାସାଗହ୍ୱର ପଥରେ ମସ୍ତିଷ୍କକୁ ପ୍ରେରଣ କଲେ । ମସ୍ତିଷ୍କ ତରୁମୂଳରେ ସେ ପ୍ରତ୍ୟହ ଏହିପରି ନସ୍ୟ–ସାର ପ୍ରୟୋଗ କରନ୍ତି, ତାହା ପରା ଖୁବ୍ ଉର୍ବର ସାର । ଯେଉଁଦିନ ଭ୍ରମବଶତଃ ତାହା ପ୍ରୟୋଗ ନ କରନ୍ତି, ସେ ଦିନ ଅର୍ଜନ ପଇସା ଗଣୁ ଗଣୁ ନ ପାଞ୍ଚ ଏଗାର ହୋଇଯାଏ । ନନ୍ଦେ ଦାନ୍ତ ଘଷିସାରି କୂଅରୁ ଲୋଟାଏ ପାଣି ନେଇ ବହିର୍ଭୁମି ଗଲେ-। ସେଠାରୁ ଫେରି ଆସି ଏକବଂଶତି ଥର ହାତ ଏବଂ ଗୋଡ଼ ତଳିପାରେ ମାଟି ଘଷିଲେ । ତହିଁ ପରେ ହାତ ଗୋଡ଼ମୁହଁ ଧୋଇସାରି କାନରୁ ପଇତା ଖସାଇ ଧୋଇଲେ । ଏତେ ଧୁଆ ଧୋଇ; ମାତ୍ର ସବୁ ଲୋଟାଏ ପାଣିରେ ଶେଷହେଲା; ବରଂ କିଛି ବଳି ପଡ଼ିଲା । ଲୋଟାରେ ଯେଉଁ ପାଣି ଟିକକ ଅବଶିଷ୍ଟ ଥିଲା, ସେଥିରେ ମନ୍ତ୍ର ସ୍ନାନ କରି ନନ୍ଦେ ପବିତ୍ର ହୋଇ ବେଦୀ ଉପରେ ବିଶ୍ରାମ କଲେ । ଆନ୍ଧ୍ରମାନଙ୍କ ପରି ନନ୍ଦେ ଜଳର ବିଲକ୍ଷଣ ସଦ୍‌ବ୍ୟବହାର କରନ୍ତି । ଆନ୍ଧ୍ରମାନ କୁମ୍ପା ପରି ଗୋଟାଏ ଲୋଟାରେ ପାଣି ନେଇ ଜଳଶୌଚ ଦାନ୍ତଘଷା, ଗୋଡ଼ଧୂଆ ପ୍ରଭୃତି ଶେଷ କରି କିଛି ପାଣି ଘରକୁ ଫରାଇ ଆଣନ୍ତି । ପ୍ରକୃତିଦତ୍ତ ଜଳର ଅପବ୍ୟବହାର ଯେ ଘୋର ପାପଜନକ, ଏହା ସେମାନଙ୍କ ବ୍ୟତୀତ ଭାରତର ଅନ୍ୟ କୌଣସି ଜାତି ପ୍ରାୟ ଜାଣନ୍ତି କି ନାହିଁ ସନ୍ଦେହ ।

 

ନନ୍ଦଙ୍କର ମନ ଆଜି ଭାରି ଖୁସି । ତାଙ୍କର ଯଜମାନ ଜଣେ ସମ୍ପନ୍ନ ଜମିଦାର ଏବଂ ନିଷ୍ଠାପର ହିନ୍ଦୁ । ତାଙ୍କଘରେ ପୂଜା ପାର୍ବଣାଦି ଠିକ ଶାସ୍ତ୍ରୀୟ ରୀତିରେ ହୁଏ । ‘‘ଖଇ, ଖଇଞ୍ଚଡ଼ା, ବାଉଳି ଉଖୁଡ଼ା ମା ସରସ୍ୱତୀ ଖା ଗୋ, ଗୁଡ଼ିଆଣୀ ଘରେ ଥାଅ ଗୋ’’ ଏ ଭାବରେ ପୂଜା ନ କରି ସେ ସାତ୍ତ୍ୱିକ ଭାବରେ ପୂଜା କରନ୍ତି । ଖର୍ଚ୍ଚ ମଧ୍ୟ ଯଥେଷ୍ଟ ହୁଏ । କାଲି ପୁରୋହିତେ ଲୁଗାପଟା, ଚାଉଳପତ୍ର, ଦକ୍ଷିଣା, ବିଦାକି ପ୍ରଭୃତି ଯାହା ଯାହା ପାଇଅଛନ୍ତି, ତାହା କୋଡ଼ିଏ ଟଙ୍କାରୁ ଊଣା ନୁହେଁ-। ଦିନକରେ କୋଡ଼ିଏ ଟଙ୍କା ଉପାର୍ଜନ ସାମାନ୍ୟ ଆନନ୍ଦର କଥା ନୁହେଁ । ତହିଁ ଉପରେ ଦକ୍ଷତା ସହିତ ପୂଜା କରିଥିବାରୁ ଯଜମାନ ସନ୍ତୁଷ୍ଟ ହୋଇ ନନ୍ଦଙ୍କୁ ଯୋଡ଼ାଏ କୁଣ୍ଡଳ ଦେବାକୁ ପ୍ରତିଶ୍ରୁତ ହୋଇଅଛନ୍ତି । ସୁତରାଂ ଆନନ୍ଦ ଏବଂ ବର୍ଗ ନନ୍ଦଙ୍କ ହୃଦୟରେ ଉଦ୍‌ବେଳିତ ହୋଇ ଉଠୁଅଛି । ବୋଧହୁଏ ସମଗ୍ର ଇଉରୋପଖଣ୍ଡ ଜୟ କରି ମହାବୀରଚୂଡ଼ା ନେପୋଲିଅନ ସେ ଭଳି ଆନନ୍ଦିତ ହୋଇ ନ ଥିବେ କିମ୍ବା ଏତେ ଗର୍ବ କରି ନ ଥିବେ । ନନ୍ଦେ ସତେ ଯେପରି ଆନନ୍ଦସାଗରରେ ସ୍ନାନ କରି ସଦ୍ୟ ଉଠି ଆସିଅଛନ୍ତି । ଆନନ୍ଦର ଆତିଶଯ୍ୟରେ ସେ ବେଳେ ବେଳେ ହସି ଉଠୁଅଛନ୍ତି । ବେଦୀ ଉପରେ ବସି ଏହିପରି ଅତୁଳ ଆନନ୍ଦ ଉପଭୋଗ କରୁଁ କରୁଁ ସେ ହଠାତ୍ କଲମୀ ଆମ୍ବଗଛକୁ ଚାହିଁ ଦେଇ ନିର୍ବାକ ବିସ୍ମୟରେ ସ୍ତବ୍‌ଧ ହୋଇ ରହିଲେ । ହୃଦୟର ଆନନ୍ଦ ଜ୍ୟୋତ୍ସ୍ନା ବିଷାଦ–ମେଘରେ ଢାଙ୍କି ହୋଇଗଲା । ସେ ଦେଖିଲେ– ‘ଗଛରେ ଆମ୍ବଗୁଡ଼ିକ ନାହିଁ ।’ ତହୁଁ କ୍ରୋଧ, ଦୁଃଖ ଏବଂ ବିସ୍ମୟରେ ତାଙ୍କର ହୃଦୟ ପୂର୍ଣ୍ଣ ହୋଇଗଲା । ଲଲାଟରେ କୁଞ୍ଚିତ ତ୍ରିବଳିରେଖା ଫୁଲି ଉଠିଲା । କ୍ରୁଦ୍ଧ ଅବଧାନର ଆକସ୍ମିକ ପ୍ରହାର ଖାଇ ବାଳକର ମୁଖ ଯେପରି କଳା ପଡ଼ିଯାଏ, ତାଙ୍କର ମୁଖ ସେହିପରି ମଳିନ ହୋଇଗଲା । ମୁଖର ବାକ୍ୟସ୍ଫୁର୍ତ୍ତି ହେଲା ନାହିଁ । ହୃଦୟ କ୍ରୋଧରେ ପୂର୍ଣ୍ଣ, ବାକ୍ୟ ନିମନ୍ତେ ଆଉ ସେଠାରେ ସ୍ଥାନ ନାହିଁ । କିନ୍ତୁ କ୍ଷଣକେ ଏ ଭାବ କଟିଗଲା । ସେ ଆଶ୍ଚର୍ଯ୍ୟ ହୋଇ କହିଲେ– ‘‘ଏଁ, ଆମ୍ବଗୁଡ଼ାକ କିଏ ନେଲା ।’’ ଏହି ସମୟରେ କଖାରୁ ମଞ୍ଚା ଉପରେ ଦୃଷ୍ଟି ପଡ଼ିଗଲା । ସେଥିରେ ଦୁଇପୁଞ୍ଜା କଖାରୁ ଓହଳି ଥିଲା, ତାହା ସୁଦ୍ଧା ନାହିଁ । ତେଣେ କାନ୍ଥରେ ଲେଖା ହୋଇଅଛି– ‘‘ସାରଥି ନନ୍ଦେ ମହୁମାଛି ।’’ ଏସବୁ କାଣ୍ଡ କିଏ କଲା, ଏହା ଭାବି ତାଙ୍କର କ୍ରୋଧ ସୀମା ଲଙ୍ଘି ଅପରିସୀମ ହେବାକୁ ଲାଗିଲା, ଶରୀରର ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲା । ସ୍ୱୀମାନେ ଶିଳରେ ହଳଦୀ ବାଟିଲା ପରି ତାଙ୍କର ହୃତ୍‍ପିଣ୍ଡ କିଏ ଯେପରି କାଟିଦେଲା, ଯେମନ୍ତ କି ଗୋଟାଏ ଜୀବନ୍ତ ବଜ୍ରଶଳାକା ତାଙ୍କ ଗୋଡ଼ରେ ଫୁଟି ବ୍ରହ୍ମତାଳୁ ଭେଦକରି ଚାଲିଗଲା । କ୍ରୋଧରେ ନେତ୍ର ଘୂର୍ଣ୍ଣିତ ହେବାକୁ ଲାଗିଲା । ବୋଧହେଲା, ସେ ନେତ୍ରରେ ଯଦି ଅଗ୍ନି ଥାଆନ୍ତା, ତେବେ ତାହା ବାହାରିପଡ଼ି ଦାହ୍ୟବସ୍ତୁ ଅଭାବରେ ଆକାଶକୁ ଜାଳିଦେଇଥାଆନ୍ତା । ନନ୍ଦେ ଆଉ ଆପଣାକୁ ସମ୍ଭାଳି ପାରିଲେ ନାହିଁ । କେତେବେଳେ ପୁତ୍ରସମ୍ପର୍କ ସ୍ଥାପନ କରି, କେତେବେଳେ ବା ସହଧର୍ମିଣୀଙ୍କ ସହୋଦର ସମ୍ପର୍କ ସ୍ଥାପନ କରି ଅକଥ୍ୟ, ଅଶ୍ରାବ୍ୟ ସାଧୁଭାଷାରେ ଚୋରକୁ ଅଭ୍ୟର୍ଥନା କଲେ । କିନ୍ତୁ କି ତୀବ୍ର ଅଭିଶାପ ଦେବେ, ଖୋଜି ପାଇଲେ ନାହିଁ । କେବଳ ଗାଳିରେ ଆରିମାନ ତୁଟାଇବାକୁ ହେଲା । ନନ୍ଦେ ନିର୍ଲଜ୍ଜତାର ଅନାବୃତ ମୂର୍ତ୍ତି ଧରିଲେ ଏବଂ ତାଙ୍କର ଉକ୍ତି ବୀଭତ୍ସତାର ନଗ୍ନମୂର୍ତ୍ତି ଧାରଣକଲା । ଚୋର ସଙ୍ଗରେ ନନ୍ଦେ ଯେଉଁ ସମ୍ପର୍କ ସ୍ଥାପନ କଲେ, ଅଜ୍ଞାତକୁଳଶୀଳ ସଙ୍ଗରେ ଛତିଶ–ବର୍ଣ୍ଣର ରାଜା ବ୍ରାହ୍ମଣର ସେଭଳି ସମ୍ପର୍କ କେବଳ ଅସଙ୍ଗତ ନୁହେଁ– ଅସମ୍ଭବ । କିନ୍ତୁ ଚୋର ଗାଳି ଖାଇ ନାହିଁ– ତାହାର ମାତା ଭଗିନୀ ପ୍ରଭୃତି ଗାଳି ଖାଇଲେ । ତାହା ସେମାନଙ୍କର ପ୍ରାପ୍ୟ । ସେମାନେ ଏଭଳି ଗୋଟିଏ କୁତ୍ସିତ ଜଘନ୍ୟ ଚୋରର ମା–ଭଉଣୀ ହେଲେ କାହିଁକି ? ଚୋରକୁ ହାତରେ ପାଇଥିଲେ ସେ କଅଣ କରିଥାଆନ୍ତେ, ସେଥିର ଗୋଟାଏ ତାଲିକା ମୁହେଁ ମୁହେଁ ନନ୍ଦେ ପ୍ରକାଶ କରିଗଲେ । ସେଥିରେ ଏପରି ଦଣ୍ଡବିଧାନ ଥିଲା ଯେ, ସାମାନ୍ୟ ଚୌର୍ଯ୍ୟାପରାଧରେ ସେରୂପ ଦଣ୍ଡବିଧାନର ଅଧିକାର ଆଇନ ଶାସ୍ତ୍ରରେ ସୁଦ୍ଧା ନାହିଁ । ଯାହା ହେଉ ନନ୍ଦେ ଆସ୍ଫାଳନରେ ତ୍ରୁଟି କରି ନାହାନ୍ତି । କ୍ରୋଧରେ ସେ ହିତାହିତଜ୍ଞାନ ଭୁଲି ଯାଆନ୍ତି । ଅନେକ ଅପ୍ରାସଙ୍ଗିକ ଅସଲଗ୍ନ କଥା ମଧ୍ୟ କହିପକାନ୍ତି ।

 

କ୍ରମେ ବେଳ ଅଧିକ ହେଲା । ଭାଦ୍ରମାସର ଖରା ଦୁର୍ମୁଖର ବାକ୍ୟବାଣ ପରି ତୀକ୍ଷ୍‌ଣ । ସୂର୍ଯ୍ୟର ପ୍ରଖର ତେଜରେ ନନ୍ଦଙ୍କର ଶରୀର ଜଳିଗଲା । କ୍ରୋଧରେ ଅନ୍ତଃକରଣ ତତୋଽଧିକ ଜଳିଗଲା । ନନ୍ଦେ ଏହିପରି ଭିତର ବାହାର ଉଭୟ ଉତ୍ତାପରେ ଜଳିପୋଡ଼ି ଦରମରା ହେଲେ; ମାତ୍ର ମୌଖିକ କୁସ୍ତିରୁ ବିରତ ହେଲେ ନାହିଁ । ସେ ଗର୍ଜନ କରି ବାରମ୍ବାର କହିବାକୁ ଲାଗିଲେ– ‘‘ଯେ ଚୋରିକଲା, ତାକୁ ଅକାଳ ମହୁତ ଠେକୁ, ତାହା ଦେହରେ ବଡ଼ ରୋଗ ବାହାରୁ ।’’ ତାଙ୍କର ସ୍ତ୍ରୀ ସେଫାଳିକା ଗୃହ ମଧ୍ୟରେ ଥାଇ ସ୍ୱାମୀଙ୍କର ତିକ୍ତ କଟୁ ଉଚ୍ଚ କଣ୍ଠସ୍ୱରରେ କଳହର ଆଭାସ ପାଇଥିଲେ । ବର୍ତ୍ତମାନ ଏହି ଅତ୍ୟନ୍ତ ରୁଚିକର ସାଧୁଶବ୍ଦଗୁଡ଼ାକ ତାଙ୍କ କର୍ଣ୍ଣରନ୍ଧ୍ରରେ ପହଞ୍ଚିବା ମାତ୍ରେ ସେ ଘରୁ ବାହାରି ଆସି ଦେଖିଲେ– ସ୍ୱାମୀଙ୍କ ଚକ୍ଷୁରେ କ୍ରୂଦ୍ଧ ଶାର୍ଦ୍ଦୂଳର ଭୀଷଣ ଦୃଷ୍ଟି ବିଦ୍ୟାମାନ । ସ୍ୱାମୀଙ୍କ ଚକ୍ଷୁ ମୁଖରେ ମୁଦ୍ରିତ ମନୋଭାବ ସେ ମୁହୂର୍ତ୍ତକେ ପଢ଼ିନେଇ ଟିକିଏ ଚୋରା ହସ ହସିଦେଇ କହିଲେ– ‘‘କାହାକୁ ଏତେ ଗାଳି ଦେଉଛ ?’’ ତାଙ୍କ ଚକ୍ଷୁରେ ପରିହାସର ଦୃଷ୍ଟି ଲୁକ୍‌କାୟିତ ଥିଲା । କ୍ରୁଦ୍ଧ ନନ୍ଦେ ଅପୂର୍ବ ଭଙ୍ଗୀରେ ନାଚିଉଠି ଗ୍ରାମକମ୍ପୀ ସୁଲଳିତ ସ୍ୱରରେ ହାୟ ହାୟ କରିଉଠିଲେ । ସେ ନୃତ୍ୟଭଙ୍ଗୀ ଏରୂପ ବିଚିତ୍ର ଯେ, ତାହା ନ ଦେଖିଲେ ଲେଖା ମାତ୍ର ପଢ଼ି ବୁଝିହେବ ନାହିଁ । କଥାଗୁଡ଼ାକ ମଧ୍ୟ ଫଟା ମୃଦଙ୍ଗର ସ୍ୱର ପରି ଖଣ୍ ଖଣ୍ ଶୁଭିଲା । ସ୍ୱାମୀଙ୍କର ଏହି ନିରର୍ଥକ ଦୁଃଖର ନିଷ୍ଫଳ ହାହାକାରରେ ଶେଫାଳିକାଙ୍କର ହୃଦୟ ଅବ୍ୟକ୍ତ ବିତୃଷ୍ପାରେ ପୂର୍ଣ୍ଣ ହୋଇଉଠିଲା । ସେ ଟିକିଏ କୃତ୍ରିମ ରୋଷ ପ୍ରକାଶପୂର୍ବକ କହିଲେ– ‘‘କଥା କଅଣ କହୁନାହଁ କାହିଁକି ?’’ ନନ୍ଦେ କମ୍ପିତ ସ୍ୱରରେ କହିଲେ– ‘‘କାଲି ମୁଁ ଘରେ ଥିଲି ନାହିଁ ବୋଲି ଜାଣି କେଉଁ ଠାଉରିଆ ଆମ୍ବ, କଖାରୁ ସବୁ ନେଇଯାଇଛି । ତାହାର ଝାଡ଼ାବାନ୍ତି ହେଉ, ତାହା ବଂଶ ବୁଡ଼ୁ ।’’ ଶେଫାଳିକା କହିଲେ– ‘‘ହେଉ ନେଲା ନେଲା ପଛକେ ତୁମେ ଆଉ ଗାଳି ଦିଅନାହିଁ । କାଲି ହାଡ଼ିଆଣୀ ଚଉଠି ଗଲା, ଚୋରି କରିବାର ଦିନ । ଗାଳିଦେଲେ ଚୋରର ଆୟୁଷ ବଢ଼େ । ଆଜି ଯେ ଗାଳିଦିଏ ସେ ଗାଳି ତାହାରି ଘରକୁ ଫେରିଆସେ । ନନ୍ଦେ ଆଉ ଥରେ ନାଚି ଉଠି କହିଲେ– ‘‘କଅଣ, ଗାଳି ଦେବି ନାହିଁ ? ହଁ ଗାଳିଦେବି, ନିଶ୍ଚୟ ଗାଳିଦେବି, ହଜାରେ ଥର ଗାଳିଦେବ । ସେ ଭସ୍ମାର ଆୟୁସ ବଢ଼ୁ ପଛକେ ମୁଁ ନିଶ୍ଚୟ ଗାଳିଦେବି । ଯେ ଏଡ଼େ ବଡ଼ ଅନିଷ୍ଟକଲା ତାକୁ ଗାଳି ନ ଦେଇ ଆଉ କଣ କଲ୍ୟାଣ କରିବି ? କହିବିରେ ଚୋର, ତୁ ମାର୍କଣ୍ଡେୟ ପରମାୟୁ ଘେନି ବଞ୍ଚିଥାରେ ବାପା, ଧନେ ଜନେ ସୁଖୀ ହ । ଶେଫାଳିକା ସ୍ୱାମୀଙ୍କର ଏ ବିଦ୍ରୂପ ବାଣୀ ଶୁଣି ଫିକ୍‌କରି ହସିଦେଇ କହିଲେ– ‘‘କଲ୍ୟାଣ ନ କର ପଛେ; ମାତ୍ର ଗାଳିଟା କଲ୍ୟାଣ ହେବ । ଚୋରର ତାହା ଶାପରେ ବର ହେବ । ଗାଳି ଖାଇବା ପାଇଁ ଲୋକେ ହାଡ଼ିଆଣୀ ଚଉଠିରେ ଚୋରି କରନ୍ତି । ରଞ୍ଜାଳିଆ ବେଳ ହେଲାଣି, କାଲି ଦିନସାରା ଉପବାସ; ଏବେ ଚାଲ ଗାଧୋଇ ଖାଇବ । ନନ୍ଦେ କହିଲେ, ‘‘ନା ନା, ମୁଁ ଗାଧୋଇବି ନାହିଁ କି ଖାଇବି ନାହିଁ, ଆଗେ ଜମିଦାର ପାଖରେ ନାଲିସ କରି ପଛେ ସବୁ କରିବି ? ମୋ ଦେହ ଜଳୁଛି, ମୁଁ ଯଦି ସେ ନିରଂଶିଆ ଚୋରକୁ ନାକେଦମ୍‌ ନ କଲେ ମୋର ନାମ ସାରଥି ନନ୍ଦ ନୁହେଁ ।’’ ଶେଫାଳିକା କହିଲେ– ‘‘କିଏ ଚୋରିକଲା, ତମେ କାହାକୁ ଦେଖିଚ, କାହା ନାଁ’ରେ ଜମିଦାର ପାଖରେ ଫେରାଦ ହେବ ? ଶୁଣିଲେ ଲୋକେ ହସିବେ । କାଲି ରାତିରେ ଗାଁଯାକ ସମସ୍ତଙ୍କ ବାଡ଼ିରୁ ଫଳକନ୍ଦଳ ଚୋରି ଯାଇଛି, ଏକା ତମର ନୁହେଁ । ଜମିଦାର ସେଥିକି କଅଣ କରିବ ? ନନ୍ଦେ କ୍ରୋଧରେ ନିଶ୍ଚେତନ ହୋଇଥିଲେ । ସ୍ତ୍ରୀଙ୍କର କୋମଳ ଭର୍ତ୍ସନାରେ ତାଙ୍କର ଚେତନା ଫେରି ଆସିଲା । ସେ ମନରେ ଭାବିଲେ– ‘ଠିକ୍‌ କଥା, କାହାକୁତ ଦେଖି ନାହିଁ, ତେବେ କାହା ନାମରେ ନାଲିସ୍‌ କରିବି । ଏହା ଭାବି ମନେ ମନେ ସ୍ତ୍ରୀଙ୍କ ବୁଦ୍ଧିର ପ୍ରଶଂସା କରିବାକୁ ଲାଗିଲେ । ସ୍ୱାମୀଙ୍କୁ ନୀରବ ଦେଖି ଶେଫାଳିକା ପୁନଶ୍ଚ କହିଲେ– ‘‘ତୁମ୍ଭେ ବ୍ରାହ୍ମଣ, ଛାର ଫଳ ଦୁଇଟା ପାଇଁ ତୁମ୍ଭର ଏପରି ରାଗିବା ଭଲ ନୁହେଁ । ତୁମ୍ଭଙ୍କୁ ଯେମାନେ ଭକ୍ତି କରନ୍ତି, ସେମାନେ ତୁମ୍ଭଙ୍କୁ ଏ ଅବସ୍ଥାରେ ଦେଖିଲେ କଅଣ ମନରେ କରିବେ । ସଂଯମ ତୁମ୍ଭର ଧର୍ମ, ଏହା ଭୁଲିଗଲେ ଚଳିବ କିପରି ? ଦୋଷୀକୁ କ୍ଷମା କରିବା ମହତ୍ତ୍ୱର ଲକ୍ଷଣ । କ୍ଷମାର ଅମୃତ ଫଳ ଏକା ଅପରାଧୀ ଭୋଗ କରେ ନାହିଁ, ଯେ କ୍ଷମା କରେ ସେ ସୁଦ୍ଧା ଭୋଗ କରେ । ମନେକର ତୁମ୍ଭେ ସେ ଫଳ ଦୁଇଟା ବାଣ୍ଟିଦେଇଛ । ଫଳ ଭୋଗଠାରୁ ଫଳଦାନର ପୁଣ୍ୟଭୋଗ କି ବାଞ୍ଛନୀୟ ନୁହେ ? ସ୍ତ୍ରୀଙ୍କ ମୁଖରୁ ଏରୂପ ହିତୋପଦେଶ ଶୁଣି ନନ୍ଦେ ସ୍ତମ୍ଭୀଭୂତ ହୋଇ ରହିଲେ । ତାଙ୍କ ମୁଖରେ ଆନନ୍ଦର ବିଦ୍ୟୁଦ୍ଦୀପ୍ତି ଖେଳିଗଲା ଏବଂ ନେତ୍ରଦ୍ୱୟ ବିସ୍ମୟରେ ବୁଡ଼ିଗଲା । ମୁହୂର୍ତ୍ତକ ମଧ୍ୟରେ ତାଙ୍କ ଦେହରୁ ସମସ୍ତ କ୍ରୋଧ ଝଡ଼ିପଡ଼ିଲା– ସତେଜ ଆସ୍ଫାଳନ ଅଚିରାତ୍‌ ପାଣି ହୋଇଗଲା ଏବଂ ଉଚ୍ଛୃଙ୍ଖଳତା ଆପେ ଆପେ ଲଜ୍ଜାରେ ମୁଣ୍ଡ ପୋତିଲା । କାର୍ବଲିକ ଏସିଡ଼୍‌ର ମାରାତ୍ମକ ଗନ୍ଧରେ ସର୍ପ ଯେପରି ସ୍ଥାନ ଛାଡ଼ି ପଳାଇଯାଏ, ସ୍ତ୍ରୀଙ୍କ ଉପଦେଶରେ ନନ୍ଦଙ୍କ ମନର କ୍ରୋଧ ସେହିପରି ଅନ୍ତର୍ହିତ ହେଲା । ନନ୍ଦେ ଘଡ଼ିକ ପୂର୍ବର ସ୍ୱୀୟ ଅସଂଯମ ରୁଢ଼ତା ସ୍ମରଣକରି ଲଜ୍ଜାରେ ମାଟିରେ ମିଶିଯିବାକୁ ଇଚ୍ଛା କଲେ, ଯେମନ୍ତ କି ସେ କିଛି କରିନାହାନ୍ତି, କେଉଁଠୁ ଗୋଟାଏ ଅଦ୍ଭୁତ ଶକ୍ତ ଆସି ସବୁ କରିଦେଇ ପୁଣି କୁଆଡ଼େ ଉଭେଇଗଲା । ସେ ନିଜକୁ ନିଜେ ଧିକ୍‌କାର କଲେ, ବିଜାତୀୟ ଘୃଣା ମଧ୍ୟ କଲେ; ମାତ୍ର ସେ ଭାବଗୋପନ କରି ବଳାତ୍କାରରେ ଗୋଟାଏ ଶୁଷ୍କ ହାସ୍ୟରେଖା ମୁହଁକୁ ଟାଣିଆଣି କଣ୍ଠସ୍ୱର ଖୁବ୍ ଲଘୁକରି କହିଲେ– ‘‘ତୁମ୍ଭର କଥା ସତ୍ୟ, କ୍ରୋଧରେ ମୁଁ ନିଜକୁ ଭୁଲି ଯାଇଥିଲି । ବାସ୍ତବରେ ମୁଁ ଏ କି ହାସ୍ୟାସ୍ପଦ ଅଭିନୟ କରୁଥିଲି । ମୁଁ ଉପନୟନାଦି ସଂସ୍କାରପୂତ ବ୍ରାହ୍ମଣ । ମୋର କି କ୍ରୋଧର ବଶୀଭୂତ ହେବା ଉଚିତ ? ଉପନୟନକୁ ‘ବ୍ରତ’ କହନ୍ତି-। ତାହା ବ୍ରତହିଁ ଯଥାର୍ଥ । ମୁଁ ସେହି ତ୍ୟାଗବତ ଧାରଣ କରିଥିଲି; ମାତ୍ର ସେହି ପବିତ୍ର ବ୍ରତର ଗୌରବ ରକ୍ଷା କରିପାରି ନାହିଁ । ସେହି ମହାବ୍ରତର ଚିହ୍ନ ଉପବୀତ ମୋର ପାପସ୍ପର୍ଶରେ ବ୍ୟର୍ଥ ସୂତ୍ରଗୁଚ୍ଛର ଭାର ମାତ୍ର ହୋଇଅଛି । ସାମାନ୍ୟ କଥାରେ ମୁଁ ବିଚଳିତ ହୋଇପଡ଼ିଲି, ତେବେ ମୋର ସଂଯମ କେଉଁଠାରେ ? ଏତେଦିନ ଶାସ୍ତ୍ରପାଠ କରି ଜ୍ଞାନ କଅଣ ହେଲା ? ମୋର ସେ ଶାସ୍ତ୍ରପାଠ ପ୍ରକୃତ ଶାସ୍ତ୍ରପାଠ ନୁହେଁ– ଶାସ୍ତ୍ରକୁ ଦର୍ଶନୀୟ ପଦାର୍ଥରୂପେ କେବଳ ପୃଷ୍ଠା ଓଲଟାଇ ଦେଖିଅଛି ସିନା ! ଆଖୁ କେହ୍ଲୁଆର ବଳଦ ପରି ଖାଲି ଭାର ଟାଣିଅଛି; ମାତ୍ର ରସର ଆସ୍ୱାଦନ ପାଇନାହିଁ । ମୁଁ ନିଜକୁ ନିଜେ ପ୍ରତାରଣା କରିଅଛି, ଦୋଷ କାହାରି ନୁହେଁ– ମୋର । ଶାନ୍ତିର ଅବତାର ବ୍ରାହ୍ମଣକୁଳରେ ଜନ୍ମଗ୍ରହଣ କରି କ୍ରୋଧ–ରାକ୍ଷସକୁ ହୃଦୟରେ ପୋଷଣଦ୍ୱାରା ମୁଁ ସେହି ପୂଜ୍ୟପାବନ କୁଳକୁ ଅପବିତ୍ର କରିଅଛି । କ୍ରୋଧ, ଲୋଭାଦି ରିପୁକୁ ଦମନ ନ କରି କେବେ କେହି ବ୍ରାହ୍ମଣ ହୋଇପାରେ ନାହିଁ । ହେ ଭଗବାନ୍, ଏ ଅଧମକୁ କ୍ଷମାକର । ସାଧନାପଥରୁ ଆଉ ଯେପରି ସ୍ଖଳନ ନ ଘଟେ, ଏହି ଆଶୀର୍ବାଦ କର ।’’ ନନ୍ଦେ ଏହିପରି ଅନୁତାପ କରି ଦୁଇ ହାତ ଯୋଡ଼ି ମସ୍ତକରେ ଲଗାଇ ଭଗବାନଙ୍କ ଉଦ୍ଦେଶ୍ୟରେ ଦଣ୍ଡବତ କଲେ । କିଛିକ୍ଷଣ ନୀରବ ରହି ପୁନଶ୍ଚ ସ୍ତ୍ରୀଙ୍କୁ କହିଲେ– ‘‘ଆଗ କହିଲ, ଆଜି କାହିଁକି ମୋର ଏପରି ଘଟିଲା । ମୋର ଘୃଣିତ ବ୍ୟବହାରରେ ମୁଁ ନିଜେ ଲଜ୍ଜିତ । ତୁମ୍ଭେ କି ଏପରି ବ୍ୟବହାର ମୋର କେବେ ଦେଖିଥିଲ ? ମୁଁ ଭାବୁଛି ସବୁ ଦୁର୍ଗ୍ରହର ଫଳ– ସବୁ ସେହି ଶନିସପ୍ତାର ଫଳ ।’’ ଶେଫାଳିକା ସ୍ୱାମୀଙ୍କର ଏହି ଅଦ୍ଭୁତ ଧାରଣାର କଥା ଶୁଣି କହିଲେ– ‘‘ସବୁବେଳେ ଯେ ତୁମ୍ଭେ ଶନିସପ୍ତା ଶନିସପ୍ତା ଭଜି ହେଉଛ, ଶନିସପ୍ତା କି ଆଉ କାହାକୁ ହୁଏ ନାହିଁ । ଏକା ତମକୁ ହୋଇଛି ? ସବୁ କଥାରେ ତମେ ଗ୍ରହର ଦୋଷ ଦିଅ କାହିଁକି ? ଗ୍ରହଗୁଡ଼ାକୁ ନିରାଶ ଦେଖୁଛ ନା କଅଣ ? ଗୋଡ଼ରେ କଣ୍ଟା ଭୁକିଲେ ଶନିସପ୍ତାର ଦୋଷ, ଲୁଗା ଚିରିଗଲେ ଶନିସପ୍ତାର ଦୋଷ, କୋଷ୍ଠ ପରିଷ୍କାର ନ ହେଲେ ବି ଶନିସପ୍ତାର ଦୋଷ, ସବୁ କଥାରେ ଶନିସପ୍ତାହ ଦୋଷ, ତମେ ଏକା ନିର୍ଦ୍ଦୋଷ । କଥାରେ କହନ୍ତି– ଚିତ୍ତ ଦର୍ପଣ, ମନରେ ଯାହା ଭାବିବ ତାହା ଘଟିବ । ଶନିସପ୍ତାକୁ ଅମଙ୍ଗଳ ଭାବିଲେ ଅମଙ୍ଗଳ ହେବ । ତମେ ବୃଥା ନିଜର ଅମଙ୍ଗଳ ଚିନ୍ତା କର କାହିଁକି ?’’ ନନ୍ଦେ ଟିକିଏ ଅପ୍ରତିଭ ହୋଇ କହିଲେ– ‘‘ଆ, ତମେ କଅଣ ବୁଝିବ, ଶନିରେ ଶୁକ୍ର ଅନ୍ତର– କୁଜା କଣା ଯୋଗ, ଏହାଠାରୁ ଆପଦ ଅଛି ? କହନ୍ତି ପରା– ‘‘କାଲ, କଣା, କୁଜା– ଏ ତିନିହେଁ ଅବୁଝା ।’’ ଶେଫାଳିକା କିଞ୍ଚିତ୍ ବିରକ୍ତ ହୋଇ କହିଲେ– ‘‘ଛଟା ଢଗ ଏବେ ତେତିକି ଥାଉ, ବେଳ ଆସି ମୁଣ୍ଡ ଉପରେ ହେଲାଣି, ଗାଧୋଇ ଯାଅ, ଭାତଗଣ୍ଡାକ ଶୁଖିଯାଉଛି ।’’ ଏହା କହି ସ୍ୱାମୀଙ୍କୁ ତେଲ ଆଣି ଦେଲେ । ନନ୍ଦେ ତେଲ ଲଗାଇ ଗାଧୋଇବାକୁ ଗଲେ ।

 

ନନ୍ଦେ ପୂଜା କରିସାରି ଭାତ ଖାଇବସିଲେ । ଶେଫାଳିକା ଖଣ୍ଡେ ପଙ୍ଖା ଧରି ମାଛି ତଡ଼ିବାକୁ ଲାଗିଲେ । ଖାଉଁ ଖାଉଁ ନନ୍ଦଙ୍କର ଦୃଷ୍ଟି ଭାଡ଼ି ଉପରେ ପଡ଼ିଗଲା । ଦେଖିଲେ, ସେଠାରେ ଅପହୃତ କଖାରୁ ଏବଂ ଆମ୍ବ ଥୁଆ ହୋଇଛି । ନନ୍ଦେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ– ‘‘ଏହି ଯେ ଆମ୍ବ, କଖାରୁ ଥୁଆ ହୋଇଛି, ଏଠିକି କିଏ ଆଣିଲା ?’’ ଶେଫାଳିକା କହିଲେ– ‘‘ଚୋର ଆଣି ଦେଇ ଗଲାଣି ।’’ ନନ୍ଦେ ମୃଦୁ ହସି କହିଲେ– ‘‘ତମେ ତୋଳି ଆଣି ରଖିଛ ।’’ ଶେଫାଳିକା କହିଲେ– ‘‘ନା, ମୁଁ ତୋଳି ନାହିଁ । ରାତିରେ ଚୋର ତୋଳି ବେଦୀ ଉପରେ ରଖିଯାଇଥିଲା । ମୁଁ ସକାଳେ ଦେଖି ଘେନି ଆସିଲି । ତାହା ଚୋରର କାମ ନୁହେଁ, ହାଡ଼ିଆଣୀ ଚଉଠୀ ଦିନ ଗାଳି ଖାଇବା ଲାଗି ଅନେକ ଲୋକ ଏହିପରି କରନ୍ତି । ସେଦିନ ଗାଳି ଖାଇଲେ ପରମାୟୁ ବଢ଼େ । ନନ୍ଦେ କହିଲେ– ‘‘ଆଛା ତାହା ଜାଣି ହେଲା, ଆଉ କାନ୍ଥରେ ମୋତେ ‘‘ମହୁମାଛି’’ ବୋଲି ଲେଖିବାର କାରଣ କଅଣ ? ଶେଫାଳିକା କହିଲେ– ‘‘ତାହା ତୁମ୍ଭଙ୍କୁ ଚଳେଇବା ପାଇଁ । ତୁମ୍ଭେ କାହାରିକୁ ଗାଳି ଦିଅ ନାହିଁ ବୋଲି ସମସ୍ତେ ଜାଣନ୍ତି । ତୁମ୍ଭଠାରୁ କୌଶଳରେ ଗାଳି ଆଦାୟ କରିବା ସକାଶେ କିଏ ଥଟାରେ ପଦେ ଜିଗରଜଳା କଥା ଲେଖିଦେଇଛି । ତାହା ମନୁଷ୍ୟର କାର୍ଯ୍ୟ– ଶନିସପ୍ତାର କାର୍ଯ୍ୟ ନୁହେଁ ।’’ ଏହା ଶୁଣି ନନ୍ଦେ ହୋ ହୋ କରି ହସିଉଠିଲେ । ଶେଫାଳିକା ସୁଦ୍ଧା ସ୍ୱାମୀଙ୍କ ହାସ୍ୟରେ ଯୋଗ ଦେଲେ । ତୃପ୍ତି ଏବଂ ଉଲ୍ଲାସରେ ବାସନ୍ତି ବାୟୁ ଉଭୟ ହୃଦୟରେ ବହିଗଲା । ନନ୍ଦେ କୃତ୍ରିମ ଅଭିମାନ ପ୍ରକାଶ ପୂର୍ବକ ସ୍ତ୍ରୀଙ୍କୁ କହିଲେ– ‘‘ତମେ ଆଜି ମୋତେ ବଡ଼ ଅପ୍ରସ୍ତୁତ କଲ ।’’ ଶେଫାଳିକା କହିଲେ– ‘‘ନା, ଅପ୍ରସ୍ତୁତ କରିନାହିଁ– କେଉଁ କାଳେ କରିବାର ଇଚ୍ଛା ମଧ୍ୟ ନାହିଁ, ତେବେ ତୁମ୍ଭର ଧୈର୍ଯ୍ୟ ପରୀକ୍ଷା କରୁଥିଲି ମାତ୍ର ।’’ ପୁନଶ୍ଚ ହାସ୍ୟରେ ତୁମୂଳଧ୍ୱନି ଉଠିଲା, ନନ୍ଦଙ୍କର ଭୋଜନ ଶେଷ ହେଲା । ସେ ସ୍ତ୍ରୀଙ୍କୁ ଚାହିଁ କହିଲେ– ‘‘ଏ ଆମ୍ବଗୁଡ଼ିକ ଜମିଦାର ବାବୁଙ୍କୁ ଦେବି, ସେ ଆମ୍ବକୁ ବଡ଼ ଭଲ ପାଆନ୍ତି । ଖୁସି ହୋଇ ଆମ୍ଭକୁ ମାଣେ କଣେ ଜମି ଦେଇପାରନ୍ତି, ତାଙ୍କ ପାଖରେ ଅନେକ ଦିନରୁ ମୋର ଏହି ପ୍ରାର୍ଥନା ଅଛି ।’’ ଶେଫାଳିକା ପଚାରିଲେ– ‘‘କେଉଁ ଦିନ ଆମ୍ବ ନେଇ ଜମିଦାର ଘରକୁ ଯିବ ?’’ ନନ୍ଦେ କହିଲେ– ‘‘କାଲି କିମ୍ବା ପହରିଦିନ, ନଚେତ୍ ତହିଁପରଦିନ ନିଶ୍ଚୟ; ଏଥିରେ ସନ୍ଦେହ ନାହିଁ ।’’ ଶେଫାଳିକା କହିଲେ– ‘‘ଆମ୍ବ ପଛେ ଦେଇ ଆସ ଆଉ ଜମି କଅଣ ହେବ ? ଜମି ନାହିଁ ବୋଲି ଆମେ କଅଣ ଉପାସ ରହୁଛେଁ-? ଗଛମୂଳିଆ କାଣ୍ଡିଆଳମାନେ ଯେପରି ନିତି ଆଣି ନିତି ଖାଆନ୍ତି, ରବିବାର ଦିନ ଉପାସ ରହନ୍ତି, ଈଶ୍ୱର ତ ଆମ୍ଭକୁ ସେପରି କରିନାହାନ୍ତି । ଆଉ ଜମି ଚାଷ ଅବା କରିବ କିଏ ?’’ ନନ୍ଦେ କହିଲେ– ‘‘ଜମି ବଖରା ଦିଆଯିବ, ଧାନ ଛଣ ଅଧେ ମିଳିବ । ପାଞ୍ଚବର୍ଷର ଧାନ ଜମିଲେ ଗୋଟାଏ ଅମାର କରି ରଖିବା, କାଳକାନ୍ତାର ପଡ଼ିଲେ ଆଉ ବାଧିବ ନାହିଁ ।’’ ଭାବୀ ସୌଭାଗ୍ୟ ଗଠନର ଏଡ଼େବଡ଼ ବୃଦ୍ଧି ସ୍ୱାମୀଙ୍କ କ୍ଷୁଦ୍ର ମସ୍ତକରେ କିପରି ଧରିଲା, ଶେଫାଳିକା ତାହା ବୁଝିବାକୁ ଅକ୍ଷମ । ସୁତରାଂ ସେ ନୀରବ ରହିଲେ; ମାତ୍ର କାହିଁକି କେଜାଣି ସ୍ୱାମୀଙ୍କର ଏ ଉର୍ବର ବୁଦ୍ଧିରେ ତାଙ୍କର ମନ ପୂତ ହେଲା ନାହିଁ ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ଏ ପରିଚ୍ଛେଦରେ ନନ୍ଦ ଦମ୍ପତିଙ୍କର କିଞ୍ଛିତ୍ ପରିଚୟ ଦେବା ଆବଶ୍ୟକ । ପ୍ରତାପପୁର ଶାସନରେ ପ୍ରାୟ ପଚିଶ ଘର ଦାନୀୟ ବ୍ରାହ୍ମଣ ବାସ କରନ୍ତି । ଉତ୍କଳ-ସମ୍ରାଟ୍ ପ୍ରତାପରୁଦ୍ର ଦେବ ଏହି ଶାସନ ବସାଇଥିବାରୁ ତାଙ୍କର ନାମାନୁସାରେ ଶାସନର ନାମକରଣ ହୋଇଛି । ଏହା ନିବିଡ଼ ସନ୍ନିବିଷ୍ଟ ଜନପଦ ନୁହେଁ– ବିରଳବସତି ପଲ୍ଲୀଗ୍ରାମ । ଗୃହଗୁଡ଼ିକ ଶ୍ରେଣୀବଦ୍ଧ ନୁହେଁ, ଇତସ୍ତତଃ ଅବସ୍ଥିତ । ଶାସନଟି ବିଶୃଙ୍ଖଳ ଭାବରେ ଅବସ୍ଥିତ ହେଲେହେଁ ଅସୁନ୍ଦର ନୁହେଁ । ଗୁବାକ, ନାରିକେଳ ଶ୍ୟାମଳ, ଘନଚ୍ଛାୟାଚ୍ଛନ୍ନ ଉଦ୍ୟାନମଧ୍ୟସ୍ଥ ଗୃହଗୁଡ଼ିକ ଋଷ୍ୟାଶ୍ରମ ପରି ରମଣୀୟ ଦିଶେ । ପ୍ରତି ଗୃହସମ୍ମୁଖରେ ଖଣ୍ଡିଏ ଖଣ୍ଡିଏ ଛାୟାମଣ୍ଡପ ଅଛି । ସେଥିରେ ବିବାହ ବ୍ରତାଦି କ୍ରିୟା ସମ୍ପନ୍ନ ହୁଏ ଏବଂ ଅନ୍ୟ ସମୟରେ ବ୍ରାହ୍ମଣ ବାଳକମାନେ ବିଦ୍ୟାଭ୍ୟାସ କରନ୍ତି । ପୂର୍ବରୁ ବୋଲା ଯାଇଅଛି– ଶାସନଟି ବିଶୃଙ୍ଖଳ ଭାବରେ ଅବସ୍ଥିତ; ମାତ୍ର ସେହି ବିଶୃଙ୍ଖଳତା ମଧ୍ୟରେ ଗୋଟାଏ ମଧୁର ଶାନ୍ତି ଏବଂ ବିଚିତ୍ର ଶୋଭା ଫୁଟି ଉଠୁଅଛି । ଶୃଙ୍ଖଳିତ ଶୋଭା ସୀମାବଦ୍ଧ; ମାତ୍ର ବିଶୃଙ୍ଖଳିତ ଶୋଭା ଅସୀମର । ସେହିହେତୁ ସିନା ଉଦ୍ୟାନଠାରୁ ଅରଣ୍ୟ ସୁନ୍ଦର । ବିଶୃଙ୍ଖଳତା ଶୋଭାର ଗୌରବ ବୃଦ୍ଧିକରେ । ତାରକାରାଜି ଶୃଙ୍ଖଳିତ ହୋଇଥିଲେ ନୈଶ ଗଗନ ଏତେ ସୁନ୍ଦର ଦିଶନ୍ତା ନାହିଁ । ପୁଷ୍କରିଣୀରେ ଧାଡ଼ି ଧାଡ଼ି ହୋଇପଦ୍ମ ଫୁଟିଥିଲେ ସୌନ୍ଦର୍ଯ୍ୟର ଗଭୀରତା ନିଶ୍ଚୟ ଊଣା ହୋଇଥାନ୍ତା ।

 

ସାରଥି ନନ୍ଦ ପ୍ରତାପପୁର ଶାସନର ଜନୈକ ଅଧିବାସୀ । ବର୍ଣ୍ଣ ଉଜ୍ଜ୍ୱଳ ଗୌର, ବୟସ ପ୍ରାୟ ଅର୍ଦ୍ଧଶତାବ୍ଦୀରୁ କିଛି ଅଧିକ । ନ ଯୁବା, ନ ପ୍ରୌଢ଼; କିନ୍ତୁ ହୃଷ୍ଟପୃଷ୍ଟ ଏବଂ ବଳିଷ୍ଠ । ମସ୍ତକର ଗଠନରେ ଟିକିଏ ବୈଚିତ୍ର ଅଛି । ଗୋଟାଏ ନଡ଼ିଆର କତା ଛଡ଼ାଇ ଟିକିଏ ଚୁଳ ରଖିଦେଲେ ଯେଉଁପରି ଦିଶେ, ନନ୍ଦଙ୍କର ସଚୁରକି ମସ୍ତକର ଶୋଭା ଠିକ୍ ସେହିପରି । ଚୂରକି କେରାକ ଅଯତ୍ନବିନ୍ୟସ୍ତ, ତାହା ଚୂରକି ନୁହେଁ କି ପେଣ୍ଡାବାଳ ନୁହେଁ– ଏହି ଦୁଇଶ୍ରେଣୀର ମଧ୍ୟବର୍ତ୍ତୀ ନାସିକା ସ୍ଥୂଳ, ଲମ୍ବ ଏବଂ ପକ୍ଷିଚଞ୍ଚୁ ପରି ଈଷତ୍‍ ବକ୍ର । ନନ୍ଦେ ପୌରୋହିତ୍ୟଦ୍ୱାରା ଜୀବିକା ନିର୍ବାହ କରନ୍ତି । ଏହାଛଡ଼ା ବିଦେଶରୁ କିଛି ଆୟ ମଧ୍ୟ ହୁଏ । ତାନ୍ତ୍ରିକ ପୂଜା ପଦ୍ଧତିରେ ତାଙ୍କର ବିଶେଷ ଦକ୍ଷତା ଅଛି-। ତାଙ୍କ ପୂଜାରେ ଫଳ ମଧ୍ୟ ହୁଏ । ତାଙ୍କଦ୍ୱାରା ଦେବୀପୂଜା କରାଇ ରୋଗୀ ରୋଗମୁକ୍ତ ହୋଇଅଛି, ବନ୍ଧ୍ୟା ପୁତ୍ରବତୀ ହୋଇଅଛି ଏବଂ ମାମଲାବାଜ ମାମଲାଜୟୀ ହୋଇଅଛି । ଲୋକେ କହନ୍ତି– ଦେବୀ ତାଙ୍କର ବଚସ୍କରା । ତାଙ୍କର ପୂଜା ସମ୍ବନ୍ଧରେ ଅନେକ ଜନଶ୍ରୁତି ଅଛି । ଥରେ ଜଣେ ବଡ଼ଜମିଦାର ସଙ୍କଟ ପୀଡ଼ାରେ ଆକ୍ରନ୍ତ ହେଲେ । ନାନା ଚିକିତ୍ସାରେ କିଛି ଫଳ ହେଲା ନାହିଁ, ପ୍ରତ୍ୟୁତଃ ପୀଡ଼ା ଉତ୍ତରୋତ୍ତର ବୃଦ୍ଧି ଲାଭ କଲା । ପରିଶେଷରେ ଜମିଦାର ପରିବାର ଅନନ୍ୟୋପାୟ ହୋଇ ଶିବଙ୍କର ଶରଣାପନ୍ନ ହେଲେ । ନନ୍ଦଙ୍କଦ୍ୱାରା ଶିବପୂଜା ଆରମ୍ଭ ହେଲା । ନନ୍ଦେ ଶିବାଳୟ ମଧ୍ୟରେ ଏକାସନରେ ତିନିଦିନ ତିନିରାତି ବସି ଜପ କଲେ; ମାତ୍ର ଶିବଙ୍କର ଆଦେଶ ମିଳିଲା ନାହିଁ । କିନ୍ତୁ ନନ୍ଦେ ଛାଡ଼ିବାର ପାତ୍ର ନୁହନ୍ତି । ସେ କ୍ରମେ ଗଭୀର କଠୋର ଜପରେ ନିଯୁକ୍ତ ରହିଲେ । ପାଞ୍ଚଦିନ ପରେ ଦେଖାଗଲା– ଶିବଙ୍କ ଶକ୍ତି ଫାଟି ଖଣ୍ଡ ଖଣ୍ଡ ହୋଇ ଯାଇଅଛି । ତହିଁପରଦିନ ଜମିଦାରଟି ବିଶ୍ୱଜମିଦାରଙ୍କ ଓ୍ୟାରଣ୍ଟରେ ଧରା ହୋଇ ମହାବିଚାରାଳୟକୁ ନୀତ ହେଲେ । ଶିବ ତ ଆଉ ଅମଙ୍ଗଳ ବାର୍ତ୍ତା ମୁହଁରେ କହି ପାରିବେ ନାହିଁ; ସୁତରାଂ ସଙ୍କେତରେ ଦେଖାଇ ଦେଲେ । ଏ ଘଟଣା ଅନେକେ ସ୍ୱଚକ୍ଷୁରେ ଦେଖିଥିଲେ; ମାତ୍ର ସେମାନେ ବର୍ତ୍ତମାନ ଇହଲୋକରେ ନାହାନ୍ତି । ଏବେ ଜନଶ୍ରୁତି ଏ ଘଟଣାର ପ୍ରବଳ ସାକ୍ଷୀ ହୋଇ ରହିଅଛି ।

 

ଏହିପରି ଆଉ ଗୋଟିଏ ଜନଶ୍ରୁତି ଅଛି । ଜଣକର କିରୋଗ ହେଲା, ତାହା କୌଣସି ବୈଦ୍ୟ ଚିହ୍ନି ପାରିଲେ ନାହିଁ । ନନ୍ଦଙ୍କୁ ପଚାରିବାରୁ ସେ କହିଲେ– ‘‘ମହାବୀର ପୂଜାକଲେ ନିଶ୍ଚୟ ରୋଗର ନାମ ଜଣାଯିବ ।’’ ଯଥା ସମୟରେ ପୂଜାରେ ଆୟୋଜନ ହେଲା । ଏକ ନିଃଶ୍ୱାସରେ କୂଅରୁ ଲୋଟାଏ ପାଣି କାଢ଼ି ଆଣିବା ସକାଶେ ନନ୍ଦେ ରୋଗୀକୁ ଆଦେଶ ଦେଲେ । ଆଦେଶ ପ୍ରତିପାଳିତ ହେଲା । ଲେଖନ, ତାଳପତ୍ର, ଘିଅଦୀପ, ସିନ୍ଦୂର ପ୍ରଭୃତି ପୂଜାରେ କେତେକ ଉପକରଣ ଆନୀତ ହେଲା । ନନ୍ଦେ ଲେଖନ ତାଳପତ୍ରରେ ମହାବୀର ମନ୍ତ୍ର ରୋଗୀହାତରୁ ଲେଖାଇ ନେଇ ପୂଜାରେ ବସିଲେ । ପୂଜା ଶେଷରେ ସେହି ମନ୍ତ୍ର ଲେଖା ତାଳପତ୍ରରେ ସିନ୍ଦୂର ବୋଳି ତାକୁ ପୋଡ଼ି ଦେଲେ । ତହିଁପରେ ସେହି ପାଉଁଶକୁ ହାତରେ ଘଷି ରୋଗୀକୁ ପାଣି ଢାଳିବାକୁ କହିଲେ । ପାଣିରେ ପାଉଁଶ ହାତରୁ ଧୋଇଗଲା ପରେ ଦେଖାଗଲା, ହାତ ଚକିରେ ଲେଖା ହୋଇଅଛି– ‘‘ଏ ଦେବ ଉନ୍ମାଦ ବାତ ।’’ ଉନ୍ମାଦ ରୋଗର ଚିକିତ୍ସା କରିବାରୁ ରୋଗୀ ଭଲ ହୋଇଗଲା । ନନ୍ଦଙ୍କ ସମ୍ବନ୍ଧରେ ଏହିପରି ଅଦ୍ଭୁତ ଜନଶ୍ରୁତି ଶୁଣାଯାଏ । ସେ ଗ୍ରାମରେ ନିଜର ବିଦ୍ୟାବଳ ଦେଖାନ୍ତି ନାହିଁ । ଦୁଷ୍ଟ ମୁର୍ଖ ଲୋକେ ତାଙ୍କୁ ମିଥ୍ୟା ଦୁର୍ଚ୍ଛନା ଦିଅନ୍ତି । କାହାର ଗାଈ ଦୁଧ ନ ଦେଲେ କହନ୍ତି– ନନ୍ଦ ହରିନେଇ ଗଲା । କେହି ଜ୍ୱରରେ କିମ୍ବା ଅନ୍ୟ କାରଣବଶତଃ ବାଉଳି ହେଲେ କହନ୍ତି– ସାରଥି ନନ୍ଦ ବାଉଳି ପେଶିଛି । ସ୍ୱଦେଶରେ ନନ୍ଦଙ୍କ ବିଦ୍ୟା ଗୋପନର ଏହାହିଁ କାରଣ ।

 

ନନ୍ଦଙ୍କ ଗୃହ ଗୋଟାଏ ବିରାଟ ପୁସ୍ତକାଗାର । ସେ ପ୍ରାୟ ବିଭିନ୍ନ ବିଷୟର ପାଞ୍ଚ ହଜାର ତାଳପତ୍ର ପୋଥି ସଂଗ୍ରହ କରି ରଖିଅଛନ୍ତି । କେଉଁଠାରେ ଖଣ୍ଡିଏ ପୁରୁଣା ପୋଥି ପାଇଲେ ସେ ଯେଉଁ ବିଷୟକ ହେଉପଛେ ତାହାକୁ ଉତ୍ତାରି ରଖନ୍ତି । ସେ ଜଣେ ନିୟମିତ ଲେଖକ । ଭାଗବତ, ରାମାୟଣ, ମହାଭାରତ, ହରିବଂଶ ପ୍ରଭୃତି ପୁରୁଣାଗ୍ରନ୍ଥ ସ୍ୱହସ୍ତରେ ଲେଖି ସେ ବିତରଣ କରନ୍ତି । ତାଙ୍କର ଏହି ବୟସ ମଧ୍ୟରେ ସେ ପ୍ରାୟ ପଚିଶ ଛାଞ୍ଚ ପୋଥି ଲେଖି ବିତରଣ କରିଅଛନ୍ତି । ମାତୃଭାଷାର ସମୃଦ୍ଧି ବିଷୟରେ ତାଙ୍କର ଅସାଧରଣ ଆଗ୍ରହ ପରିଲକ୍ଷିତ ହୁଏ । ସେ ଅନ୍ୟ ଭାଷାରୁ ଆଣି ନିଜ ଭାଷାର ଅଭାବ ପୂରଣ କରନ୍ତି । ଉତ୍କଳ ରାମାୟଣରେ ମହୀରାବଣ ଯୁଦ୍ଧ ନାହିଁ । ସେ ବଙ୍ଗଳା ପୁସ୍ତକରୁ ସେ ପ୍ରସଙ୍ଗର ଉତ୍କଳାନୁବାଦ କରି ଉତ୍କଳରାମାୟଣରେ ଯୋଗ କରିଅଛନ୍ତି । ସେ ‘‘କଳିଙ୍ଗ ରାମାୟଣ ନାମ ଦେଇ ସପ୍ତକାଣ୍ଡ ବିଶିଷ୍ଟ ଏକ ପ୍ରକାଣ୍ଡ ପୁସ୍ତକ ରଚନା କରିଅଛନ୍ତି । ତାଙ୍କ ମତରେ ଭାଷା ଯେତେ ବିଭବିନୀ ହେବ, ଭାବ ବିନିମୟ ଏବଂ ଅର୍ଥପ୍ରକାଶ ତେତେ ସହଜ ହେବ । ଏ ହେତୁ ସେ ବ୍ୟାକରଣର ଅତିରିକ୍ତ ଚାପଦେଇ ଭାଷାକୁ ପଙ୍ଗୁ କରିବାକୁ ଇଚ୍ଛା କରନ୍ତି ନାହିଁ । ଭାଷାର ଅଭିବୃଦ୍ଧିରେ ବ୍ୟାକରଣର ଅଭିବୃଦ୍ଧି ଏକାନ୍ତ ବାଞ୍ଛନୀୟ ବୋଲି ସେ ସ୍ୱୀକାର କରନ୍ତି । ନନ୍ଦେ ଜଣେ କ୍ରିୟାନିଷ୍ଠ ବ୍ରାହ୍ମଣ; ମାତ୍ର ରକ୍ଷଣଶୀଳ ପଣ୍ଡିତଦଳଭୁକ୍ତ ନୁହନ୍ତି । ମାଛ ମାଂସର କଥା ଦୂରେଥାଉ, ପଞ୍ଜିକା ଲିଖିତ ତିଥି ବିଶେଷର ନିଷିଦ୍ଧ ପଦାର୍ଥ ସୁଦ୍ଧା ଭୋଜନ କରନ୍ତି ନାହିଁ । ସେ ଯେପରି ଶାନ୍ତ, ସେହିପରି ସଂଯତ ଏବଂ ସଚରିତ୍ର; ମାତ୍ର କ୍ରୋଧ ସମୟରେ ଆତ୍ମସମ୍ବରଣ କରିପାରନ୍ତି ନାହିଁ । ତେତେବେଳେ ସେ ପାଗଳ ପରି ଅସଂବଦ୍ଧ ପ୍ରଳାପ କରନ୍ତି ଏବଂ ହିତାହିତ ଜ୍ଞାନବର୍ଜିତ ହୁଅନ୍ତି; କିନ୍ତୁ ତାହା କ୍ଷଣିକ । କୋପଶାନ୍ତି ପରେ ଅନୁଶୋଚନାରେ ତାଙ୍କରି ହୃଦୟ ଦଗ୍‌ଧ ହୋଇଯାଏ । ସେ ନିଜକୁ ଧିକ୍‌କାର କରନ୍ତି । ପକ୍ଷାନ୍ତରେ ସେ ଦୁର୍ବାସାଙ୍କ ପରି କ୍ଷଣକୋପୀ ନୁହନ୍ତି । ଆକାଶରେ ଧୂମକେତୁର ଉଦୟ ପରି ପାଞ୍ଚବର୍ଷ ତିନିବର୍ଷ ପରେ କ୍ୱଚିତ ତାଙ୍କର କ୍ରୋଧୋଦ୍ରେକ ହୁଏ । ତେତେବେଳେ ସେ ଅସମ୍ଭାଳ । ତାଙ୍କର କ୍ରୁଦ୍ଧମୂର୍ତ୍ତି ପାଠକ ପୂର୍ବ ପରିଚ୍ଛଦରେ ଦେଖିଅଛନ୍ତି । ଏହି କ୍ରୋଧ ଟିକକ ତାଙ୍କ ସ୍ୱଚ୍ଛ ସ୍ୱଭାବର ମସୀବିନ୍ଦୁ । ନନ୍ଦେ ଖୁବ୍ ପରିହାସ ପ୍ରିୟ । ସେ ଯେପରି ନକଲିଆ କଥା କହନ୍ତି, କୌଣସି ହାସ୍ୟନିପୁଣ ବିଦୂଷକ ବାପର ଗୁରୁଦେବ ସୁଦ୍ଧା ସେପରି କହିପାରିବ ନାହିଁ ।

 

ଶେଫାଳିକା ନନ୍ଦଙ୍କର ଉପଯୁକ୍ତ ସହଧର୍ମିଣୀ । ଦମ୍ପତି ଯୁଗଳର କେବଳ ଦେହଭିନ୍ନ; ମାତ୍ର ଆଉକିଛି ଭିନ୍ନ ନୁହେଁ । ଉଭୟେ ଯେମନ୍ତ ଉଭୟର ପ୍ରତିଧ୍ୱନି । ଶେଫାଳିକା ଉପନ୍ୟାସ ବର୍ଣ୍ଣିତ ଅପ୍‌ସରୀ ଗଞ୍ଜିତ ରାଜକନ୍ୟା ପରି ଅତୁଳ ଦେହ ସୌନ୍ଦର୍ଯ୍ୟର ଅପ୍ରତିଦ୍ୱନ୍ଦ୍ୱୀ ଅଧିକାରିଣୀ ନ ହେଲେହେଁ ଅସୁନ୍ଦରୀ ନୁହନ୍ତି କିମ୍ବା ତାଙ୍କୁ ସୁନ୍ଦରୀ ବୋଲି କହିଲେ କୌଣସି ସୁନ୍ଦରୀର ମାନହାନିର ଆଶଙ୍କା ନାହିଁ । ଶେଫାଳିକା ବିଦୂଷୀ ଏବଂ ସ୍ୱାମୀ ସୋହାଗିନୀ । ତାଙ୍କର ପିତା ସାର୍ବଭୌମ ଉପାଧିଧାରୀ ମହାପଣ୍ଡିତ । ଏହି କନ୍ୟାଟି ବ୍ୟତୀତ ତାଙ୍କର ଅନ୍ୟ ସନ୍ତତି ନାହିଁ । ଶେଫାଳିକାର ଜନ୍ମ ସମୟରେ ସେ ନବଜାତ କନ୍ୟାର ସୁକୁମାର ରୂପମାଧୁରୀ ଦେଖି ଅତି ଆନନ୍ଦରେ କହିଥିଲେ– ‘‘ଏ ଶୁଭ୍ର ସୌରଭମୟ ପବିତ୍ର ଶେଫାଳିକା ଫୁଲଟି ଦେବପୂଜାର ଉପଯୁକ୍ତ ।’’ ସେହି କନ୍ୟାର ନାମ ଶେଫାଳିକା ରଖାଯାଇଅଛି । ଶେଫାଳିକାର ପିତୃଗୃହ ମହାନଦୀର ତୀରବର୍ତ୍ତୀ କୌଣସି ଗ୍ରାମରେ ଥିଲା । ମହାନଦୀର ପ୍ରଚଣ୍ଡ କ୍ଷୁଧା ବହୁଦିନରୁ ଗ୍ରାମଟିକୁ ଗ୍ରାସ କରିଅଛି ତଥା ଗ୍ରାମର ନାମଟି ସୁଦ୍ଧା ସର୍ବଧ୍ୱଂସୀ କାଳର କରାଳ ଉଦରରେ ସମାଧିସ୍ଥ ହୋଇଅଛି । ସାର୍ବଭୌମ ମହାଶୟ ପୁତ୍ରସନ୍ତାନ ଅଭାବରେ କନ୍ୟାଟିକୁ ସଂସ୍କୃତ ଶିକ୍ଷା ଦେଇଥିଲେ । ଶେଫାଳିକା ସଂସ୍କୃତ କାବ୍ୟ ନାଟକାଦିର ବ୍ୟାଖ୍ୟା ଏବଂ ଅର୍ଥ ସୁନ୍ଦରରୂପେ କରିପାରୁଥିଲେ । ସେ ରୂପବତୀ, ଗୁଣବତୀ ଏବଂ ଭାଗ୍ୟବତୀ । ନନ୍ଦେ ଏ ଭଳି ସାଧ୍ୱୀ, ସଚରିତ୍ରା ସ୍ୱୀରତ୍ନ ପାଇ ନିଜକୁ ଭାଗ୍ୟବାନ୍ ମଣିଥିଲେ । କିନ୍ତୁ ଶେଫାଳିକା ସର୍ବଦା ନିରାନନ୍ଦା, ଯେମନ୍ତ କି, କି ଗୋଟାଏ ଦାରୁଣ ଚିନ୍ତାର ଉତ୍ତାପ ତାଙ୍କ ସୌମ୍ୟ ମୁଖର ମାଧୁରୀ ଶୋଷି ନେଇଥିଲା । ତାଙ୍କର ଦୁଃଖ ଏତିକି ଯେ, ସେ ବନ୍ଧ୍ୟା । ସ୍ତ୍ରୀମାନଙ୍କର ବନ୍ଧ୍ୟା ହେବାଠାରୁ ବଳି ଦୁଃଖ ନାହିଁ ତଥା ଜନନୀ ହେବାଠାରୁ ବଳି ସୁଖ ନାହିଁ । ମାତା ହେବାକୁ କେଉଁ ସ୍ତ୍ରୀର ଅଭିଳାଷ ନୁହେଁ ? ଜନନୀତ୍ୱରେ ନାରୀର ପୂର୍ଣ୍ଣ ବିକାଶ । ମାତୃତ୍ୱ ନାରୀର ଗୌରବ ସମ୍ପଦ । ତାହା ବିନା କୋଟିକୁବେର ସମ୍ପତ୍ତି ତାହା ନେତ୍ରରେ ତୁଚ୍ଛ । ବନ୍ଧ୍ୟାରେ ଜୀବନ ଚିର ହାହାମୟ । ସନ୍ତାନହୀନ ନାରୀ ନିଜର ଜୀବନକୁ ବିଫଳ ଏବଂ ଦୁର୍ବହ ମଣେ । ତାହାର ପ୍ରାଣରେ ଆନନ୍ଦ, ହୃଦୟରେ ଶାନ୍ତି ବା ମନରେ ସୁଖ, କିଛି ନ ଥାଏ । ସଂସାର ତାହା ପକ୍ଷରେ ବିଷମୟ ଏବଂ ଗୃହ ଅରଣ୍ୟ ତୁଲ୍ୟ । ଦଗ୍‌ଧ ମରୁଭୂମିରେ ମୃଗିଣୀ ପ୍ରାୟ ସେ ଖାଲି ଛଟପଟ ହୁଏ ଏବଂ ଜୀବନକୁ ଜୀବନ୍ତ ମରଣ ଜ୍ଞାନ କରେ । ଶେଫାଳିକାର ଏ ମନୋବେଦନା ଦୂର କରିବ କିଏ, ତାହାର ପ୍ରାଣର ଭାର ଉଶ୍ୱାସ କରିବ କିଏ, ତାହାର ଅଶ୍ରୁମଗ୍ନନେତ୍ରରେ ତୃପ୍ତିର ବିଦ୍ୟୁଦ୍ଦୀପ୍ତି ଆଣିବ କିଏ– ପୁତ୍ର ନା ଯମ ?

 

ନନ୍ଦଙ୍କର ଘରକୁ ଗୃହସ୍ଥ ଭାର୍ଯ୍ୟା ଦୁଇ ପ୍ରାଣୀ । ଶେଫାଳିକା ନିପୃଣା ଗୃହିଣୀ । ତାଙ୍କର ମଙ୍ଗଳ ହସ୍ତ ସ୍ପର୍ଶରେ ଗୃହଶ୍ରୀ ଉଜ୍ଜ୍ୱଳତର । ତାଙ୍କର ହସ୍ତ ପତିସେବାରେ ପବିତ୍ର । ବ୍ରତ, ଉପବାସଦିରେ ଅଧେଦିନ ତାଙ୍କର ଅନାହାରରେ କଟେ । ସବୁ ଦେବଦେବୀଙ୍କ ନିକଟରେ ତାଙ୍କର ଏକ ଭିକ୍ଷା, ବ୍ରତ ଉପବାସର ସୁଦ୍ଧା ଲକ୍ଷ୍ୟ ଏକା ତାଙ୍କର କାତର ଭିକ୍ଷା, ତାଙ୍କ ପ୍ରାଣର ବ୍ୟାକୁଳ ବାସନା ଦେବତାଙ୍କ ସିଂହାସନ ଟଳାଇ ପାରେନାହିଁ । କିନ୍ତୁ ବନ୍ଧ୍ୟା ନାରୀ ଆଶାରୁ ବଞ୍ଚିତ ହୁଏ ନାହିଁ-। ଦେବତା ଦୁଖୀର ଗୁହାରି ଶୁଣନ୍ତି, ଏହା ହିନ୍ଦୁରମଣୀର ବହୁଯୁଗର ବହୁ ଜନ୍ମର ସଂସ୍କାର । ସୁତରାଂ ଆଶା ପୋଷଣରୁ ବଞ୍ଚିତ ହେବ କାହିଁକି ? ଦେବତା ପ୍ରତି ଅଟଳ ବିଶ୍ୱାସ ଏବଂ ପତି ଦେବତାଙ୍କ ସେବାକୁ ଶେଫାଳିକା ସାଫଲ୍ୟ ଲାଭର ସୁବର୍ଣ୍ଣ ସୋପାନସ୍ୱରୂପ ଜ୍ଞାନ କରନ୍ତି । ସେ ନିଜକୁ ପତିଙ୍କର ସଙ୍ଗିନୀ ନ ମଣି ସେବାଦାସୀ ମଣନ୍ତି । ଏ ପବିତ୍ର ଭାବ ଆର୍ଯ୍ୟନାରୀ ବ୍ୟତୀତ ଅନ୍ୟ ଜାତୀୟା ନାରୀର ସ୍ୱଭାବସୁଲଭ ନୁହେଁ । ଆର୍ଯ୍ୟନାରୀ ପ୍ରାଣରେ ଏହି ପୁଣ୍ୟ ଦେବୀଭାବ ଅଛି ବୋଲି ଆର୍ଯ୍ୟସମାଜ ଜଗତରେ ଆଦର୍ଶ ଏବଂ ଗୌରବିତ । ପିତେଇ ଗଉଡ଼ୁଣୀ ନନ୍ଦଙ୍କ ଘରେ ଅନେକ କାମ କରେ । ବାସନ ମଜା, ବାସିପାଇଟି, ଗୋରୁ ସେବା, ପାଣି ଅଣା ପ୍ରକୃତିରେ ପିତେଇର ଏକାଧିତ୍ୟ । ସେ ଦୁଇ ଓଳି ନନ୍ଦଙ୍କ ଘରେ ଖାଏ; ମାତ୍ର ରାତିରେ ଯାଇଁ ତା ନିଜ ଘରେ ଶୁଏ । ଶେଫାଳିକା ତାକୁ ପ୍ରାଣର ସହିତ ଭଲ ପାଆନ୍ତି । ସେ ମଧ୍ୟ ପ୍ରଭୁ ଏବଂ ପ୍ରଭୁପତ୍ନୀଙ୍କ ମନ ଯୋଗାଇ କାମ କରେ ।

 

ପିତେଇର କେହି ନାହିଁ, ସେ ବାଳବିଧବା । ନନ୍ଦଙ୍କ ଘରେ ଦୁଃଖଧନ୍ଦା କରି ଖାଏ । ବର୍ତ୍ତମାନ ସେ ପୂର୍ଣ୍ଣ ଯୁବତୀ । ବର୍ଣ୍ଣ କୃଷ୍ଣ, କେବଳ କୃଷ୍ଣ ନୁହେଁ– ଗାଢ଼, ଗାଢ଼ତର, ଗାଢ଼ତମ କୃଷ୍ଣ । ବୋଧହୁଏ ବିଧାତା ଜଗତର ସବୁ କଳ ପଦର୍ଥରୁ ସାର କଳା ଆଣି ଶ୍ରୀମତୀ ପିତେଇ କଳାବତୀଙ୍କ ଶ୍ରୀଅଙ୍ଗ ନିର୍ମାଣ କରିଛନ୍ତି । ଯାହାହେଉ ଏବେ ସେ ଯୌବନ ରାଜାଙ୍କର ଖଣ୍ଡିଏ କୃଷ୍ଣ ଶିଳବେଦୀ । ଶରୀରରେ ସୌନ୍ଦର୍ଯ୍ୟର ଛାୟାପାତ ସୁଦ୍ଧା ନାହିଁ; ତଥାପି ସେ କଳି କରିବାବେଳେ ପ୍ରତିଯୋଗିନୀକୁ କହେ– ‘‘ତୁ କଅଣ ମୋଠଉଁ ବେଶୀ ସୁନ୍ଦରୀ ? ମୁହଁଟି ଅନେକ ପରିମାଣରେ ଶୂକର ମୁଖାକୃତି । ନାକ ତଳେ ଗଜା ନିଶ ଭଳି ଗୋଟାଏ ଲୋମରେଖା ଅଛି । ପିତେଇ ଗ୍ରହଣଖଣ୍ଡୀ, ତାହା ଓଷ୍ଠର ବାମପାର୍ଶ୍ୱ ନାକ ପର୍ଯ୍ୟନ୍ତ ଚିରିଯାଇ ଲେଉଟି ପଡ଼ିଅଛି । ଠିକ୍ ସେହି ସ୍ଥାନରେ ଗୋଟାଏ ଦାନ୍ତ ଉପରକୁ ଠିଆ ହୋଇଅଛି । କେହି କେହି କହନ୍ତି– ‘‘ପିତେଇ ତ୍ରେତାଯୁଗର ଲଙ୍କାବାସିନୀଙ୍କ ବଂଶଧାରିଣୀ ନ ହେଲେହେଁ ସେହି ଜାତୀୟ ।’’ କେହି କହେ– ‘‘ସେ ପ୍ରେତରାଜ୍ୟର ସୁନ୍ଦରୀ ।’’ ମାତ୍ର ଅନେକେ ତାକୁ ‘‘ଅଡ଼ଚିଣା କାଠ’’ ବୋଲି କହନ୍ତି । ଯେ ଯାହା କହୁ; କିନ୍ତୁ ସେହି ଅସୁନ୍ଦର ଦେହ ଭିତରେ ପ୍ରଚ୍ଛନ୍ନରେ ଯେଉଁ ସୁନ୍ଦରର ସ୍ରୋତ ବହୁଥିଲା, ସେହି ଅଡ଼ଚିଣା କାଠ ମଧ୍ୟରେ ସ୍ନେହ, ପ୍ରେମର ଯେଉଁ ବିମଳ ପବିତ୍ର ଅମୃତଧାରା ପ୍ରବାହିତ ହେଉଥିଲା, ତାହା ଅତୁଳନୀୟ । ଶିଳା ଅନ୍ତରାଳରେ ଶୀତଳ ନିର୍ଝର ଲୁକ୍‌କାୟିତ ଥିଲାପରି ନାରୀସୁଲଭ କୋମଳବୃତ୍ତି ତାହା ପ୍ରାଣ ମଧ୍ୟରେ ଉଚ୍ଛ୍ୱସିତ ହେଉଥିଲା । ଦେହସୌନ୍ଦର୍ଯ୍ୟ ନେତ୍ରର ପ୍ରୀତି ସମ୍ପାଦନ କରିପାରେ; ମାତ୍ର ପ୍ରାଣର ପୁଲକ ସଞ୍ଚାର କରିପାରେ ନାହିଁ; ସୁତରାଂ ଯାହାର ଶରୀର ସୁନ୍ଦର ସେ ସୁନ୍ଦର ନୁହେଁ । ଯାହାର ସ୍ୱଭାବ ସୁନ୍ଦର, ସେହି ଏକା ବାସ୍ତବରେ ସୁନ୍ଦର । ପିତେଇ କଳି କରେ; ମାତ୍ର ଇତର ସୁନ୍ଦରୀରସନାସୁଲଭ ତୀବ୍ର ବିଷ ତାହା ରସନାରୁ ନିଃସୃତ ହୁଏ ନାହିଁ । ଗ୍ରାମର ପ୍ରତ୍ୟେକ ନରନାରୀଙ୍କୁ ସେ ଗୋଟାଏ ଗୋଟାଏ ସମ୍ପର୍କ ଧରି ଡାକେ । ସୁତରାଂ ତାହାର କେହି ନ ଥିଲେ ସୁଦ୍ଧା ଗ୍ରାମରେ ତାହାର ବାପ, ଭାଇ, ମଉସା, ପିଉସା, ମାମୁ, ଅଜା, ମା, ଅପା, ମାଉସୀ, ଖୁଡ଼ୀ ପ୍ରଭୃତିର ଅଭାବ ନ ଥିଲା । ସେ ବିନା ଆହ୍ୱାନରେ ପ୍ରତିବେଶୀମାନଙ୍କର କାମ କରିଦିଏ, ପୀଡ଼ିତର ଶୁଶ୍ରୁଷା କରେ; ମାତ୍ର ପାରିଶ୍ରମିକ ଯାଚିଲେ ଜିହ୍ନା ଦଂଶନପୂର୍ବକ କହେ– ‘‘ଏଁ, ଟିକିଏ ଉପକାର କଲି ବୋଲି ପଇସା ନେବି । ଉପକାରକୁ ବିକି ଖାଇଲେ ଅଧର୍ମ ହେବ ନାହିଁ ?’’ ପଲ୍ଲୀରମଣୀମାନେ ଲେଖାପଢ଼ା ନ ଜାଣିଲେ ସୁଦ୍ଧା ଅଶିକ୍ଷିତା ନୁଅନ୍ତି । ବହୁ ଅତୀତ ଯୁଗର ପ୍ରାଚୀନ ସଭ୍ୟତା ସେମାନଙ୍କ ରକ୍ତମାଂସରେ ମିଶି ରହିଛି । ସତ୍ୟ, ନ୍ୟାୟ ଏବଂ ଧର୍ମର ସ୍ଥୂଳମର୍ମ ସେମାନେ ଜାଣନ୍ତି । ପିତେଇ ନନ୍ଦଙ୍କୁ ‘‘ଗୋସାଇଁ ଠାକୁରେ’’ ଏବଂ ଶେଫାଳିକାଙ୍କୁ ‘‘ମା ଠାକୁରାଣୀ’’ ବୋଲି ଡାକେ । ପିତେଇ ଦେହରେ ସାମାନ୍ୟ କେତେଖଣ୍ଡ ଅଳଙ୍କାର ଅଛି । ସୌନ୍ଦର୍ଯ୍ୟବୃଦ୍ଧି ସକାଶେ ଦୁହେଁ– ବିପଦ ବା ଅଭାବବେଳେ କାର୍ଯ୍ୟରେ ଆସିବ ବୋଲି ସେ ତାହା ଧାରଣ କରିଅଛି । କିନ୍ତୁ ଅଳଙ୍କାରଗୁଡ଼ିକ ବଡ଼ ଅପ୍ରସନ୍ନ । ସେମାନେ ଅଳଙ୍କାରଧାରିଣୀର ସୌନ୍ଦର୍ଯ୍ୟ ବଢ଼ାଇବେ କଅଣ, ନିଜର ସୌନ୍ଦର୍ଯ୍ୟ ହରାଇ ବସିଅଛନ୍ତି । ପିତେଇ ବେଳେ ବେଳେ ବର ବର ହୁଏ; ମାତ୍ର ଶେଫାଳିକା ହାତରୁ ଛଡ଼ାଇ ପାଇଟି କରେ ବୋଲି ସେ କିଛି କହନ୍ତି ନାହିଁ । ମନେ ମନେ ଭାବନ୍ତି– ‘‘ଗାଈ ଦୁଧ ଦେଲେ ନାତମରା ବାଧେ ନାହିଁ ।’’

 

ନନ୍ଦନଙ୍କର ଗୋଏ ଗଳଗ୍ରହ ଥିଲା; ମାତ୍ର କିଛିଦିନ ହେଲା ସେ ଆପଦ ଦୂର ହୋଇଅଛି-। ସେ ନନ୍ଦଙ୍କର ମାଉସୀପୁଅ ଭାଇ କପିଳ ଦୀକ୍ଷିତ । କପିଳ ପଢ଼ିବା ସକାଶେ ନନ୍ଦଙ୍କ ଘରେ ଥିଲା; ମାତ୍ର ସାତବର୍ଷ କାଳ ପରୀକ୍ଷା ଦେଇ ପ୍ରଥମ ବ୍ୟାକରଣରେ ପାସ୍‍ କରିପାରିଲା ନାହିଁ-। ସେ ନିରାଲମ୍ବ ଭାବରେ ଜୀବନ ଅତିବାହନ ଛଡ଼ା ଆଉ କିଛି କରେ ନାହିଁ । ଏକାବେଳକେ ଯେ କିଛି କରେନାହିଁ, କେବଳ ହାତ ଗୋଡ଼ ଯୋଡ଼ି ବସିଥାଏ, ତାହା ନୁହେଁ । ସେ ଖୁବ୍ ମଉଜ କରେ, ପଢ଼ାଶୁଣାରେ ଅବହେଳା କରେ, ପ୍ରତିବର୍ଷ ପରୀକ୍ଷାରେ ନିଜକୁ ଫେଲ କରେ, ପଶା ଖେଳେ, ଭାଙ୍ଗ ଖାଏ, ଖବରକାଗଜରେ ଅଦ୍ଭୁତ ସମ୍ବାଦ ଲେଖି ଦେଶୋଦ୍ଧାର କରେ, ଏହିପରି କେତେକ ଆତ୍ମୋନ୍ନତିକର କାର୍ଯ୍ୟ କରେ; କିନ୍ତୁ ପରୀକ୍ଷକଗୁଡ଼ାକ ଏଡ଼େ ହିଂସକୁ ଯେ, ନମ୍ବରେ ଦୁଇ ନମ୍ବର ପାଇଁ ଏଭଳି କର୍ମପ୍ରାଣ ଛାତ୍ରକୁ ଫେଲ କରିଦିଅନ୍ତି । ଯାହାହେଉ ମା ସରସ୍ୱତୀଙ୍କ ସଙ୍ଗରେ ତାହାର ଅପଡ଼ ହେବାରୁ ସେ ତାଙ୍କ ଆରାଧନା ଛାଡ଼ି ଘରଠାରେ ପରାଶର ଋଷି ପ୍ରଣୀତ ଶାସ୍ତ୍ର ଅଧ୍ୟୟନ କରୁଅଛି । ଏଣିକି ସେ ପୋଥିପତ୍ର ଅଗ୍ନି ଦେବଙ୍କୁ ସମର୍ପଣପୂର୍ବକ କୋଡ଼ି କାନ୍ଧରେ ପକାଇ ବିଲକୁ ଯିବ । ତାହାର ଯାହା ହେଉ; ମାତ୍ର ନନ୍ଦେ ତାହା ଦାୟିତ୍ୱ ବୋଝ ବୋହିବାରୁ ନିଷ୍କୃତି ପାଇଲେ । ତଥାଚ ବେଳେ ବେଳେ ଦୁଃଖ କରି କହନ୍ତି– ‘‘ଟୋକାଟା ଏତେ ପାଠ ପଇଟାଇ ପଇଟାଇ ଫେଲ ହୋଇଗଲା । ଏତେ ଖୋଇଲି ପେଇଲି; ମାତ୍ର ଯଶ ପୌରୁଷ କଡ଼ାକର ବି ମିଳିଲା ନାହିଁ । ଏସବୁ ଶନିସପ୍ତାର ଫେର, ଆଉ କିଛି ନୁହେଁ ।’’

Image

 

ତୃତୀୟ ପରିଚ୍ଛେଦ

 

ନନ୍ଦେ ଭୋଜନାନ୍ତେ ଖଟ ଉପରେ ଚିତ୍‍ ହୋଇପଡ଼ି ବିଶ୍ରାମ କରୁଅଛନ୍ତି । ଶୋଫାଳିକା ପାଖରେ ବସି ଖଣ୍ତେ ପଙ୍ଖା ଧରି ସ୍ୱାମୀଙ୍କୁ ବିଞ୍ଚି ଦେଉଅଛନ୍ତି । ନାନା ବିଷୟର କଥାବାର୍ତ୍ତା ବିଶୃଙ୍ଖଳ ଭାବରେ ଚାଲିଅଛି; ମାତ୍ର ଚୋରର କରଣୀ ନନ୍ଦଙ୍କ ମନରୁ ପାଶୋରି ଯାଇନାହିଁ । ସେ ହସିଉଠି କହିଲେ– ‘‘ଚୋରକଥା ମତେ ତାଟଙ୍କା ଲାଗିଛି । ଚୋର ଭିତରେ କି ଆହୁରି ଏଭଳି ଭଦ୍ରଲୋକ ଅଛନ୍ତି ?’’ ଶୋଫାଳିକା କହିଲେ– ‘‘ହଁ, ସେ ସାଧୁଚୋର ।’’ ନନ୍ଦେ ଉଚ୍ଚହାସ୍ୟରେ ଗୃହ କମ୍ପିତ କରି କହିଲେ– ‘‘ଠିକ୍‌ ଠିକ୍‌, ସେ ସାଧୁଚୋର । ସେ ଧାର୍ମିକ, ନିର୍ଲୋଭ ଓ ପରୋପକାରୀ । ସେଭଳି ଚୋର ହାତରେ ସର୍ବସ୍ୱ ସଅଁପି ଦେଇ ନିଶ୍ଚିନ୍ତ ରହିବାକୁ କାହାର ଇଚ୍ଛା ନ ହେବ ? ସେପରି ଚୋର ସଂଖ୍ୟା ଗ୍ରାମରେ ଯେତେ ବଢ଼ିବ, ତେତେ ମଙ୍ଗଳ । ସେ ବାହାଦୂର ଚୋରକୁ ସର୍କାରରୁ ‘‘ଚୋର ବାହାଦୂର’’ ଉପାଧି ମିଳିବା ଉଚିତ ।’’ ଶୋଫାଳିକା ସେ କଥାରେ ମନ ନ ଦେଇ ସ୍ୱାମୀଙ୍କୁ କହିଲେ– ‘‘ଆଛା, ତମେ ଯେ ଜମି କରିବାକୁ କହୁଛ, ଜମି କିଏ ଭୋଗ କରିବ ? ନନ୍ଦେ ଦେଖିଲେ, ବନ୍ଧ୍ୟାନାରୀର ନେତ୍ରଦ୍ୱୟ ବ୍ୟଥାରେ ଛଳଛଳ ଏବଂ ତାହାର ଦୃଷ୍ଟି ଉଦାସ ଓ ଅର୍ଥହୀନ । ସ୍ତ୍ରୀଙ୍କର ଏହି କ୍ଷୁଦ୍ର ପ୍ରଶ୍ନଟି ଭିତରେ କେଡ଼େ ମର୍ମପୀଡ଼ା, କେଡ଼େ ଯନ୍ତ୍ରଣା ଲୁଚି ରହିଅଛି, ତାହା ଜାଣିବାକୁ ଅଧିକ ବିଳମ୍ବ ହେଲା ନାହିଁ । ସହଧର୍ମିଣୀଙ୍କ ମନର ଭାବ ତାଙ୍କ ମୁଖ ଏବଂ ଚକ୍ଷୁରେ ପ୍ରକାଶ ପାଇଲା । ସେ ଭାବ ଗୋପନ କରି କହିଲେ– ‘‘କଅଣ କହିଲ, ଜମି କିଏ ଭୋଗ କରିବ ? ନିଜ ପାଇଁ ତ ସଞ୍ଚୟ କରିବା ଦରକାର । କହନ୍ତି ପରା, ଯେତେ କ୍ଷଣ ଶ୍ୱାସ, କେତେ କ୍ଷଣ ଆଶ୍‌ । ପେଟଲାଗି ସବୁ କରିବାକୁ ହେବ । ପେଟ ତ ଆଉ ଫିଙ୍ଗିଦେବା ପଦାର୍ଥ ନୁହେଁ ।’’ ଶେଫାଳିକା କହିଲେ– ‘ନା, ପେଟ ଫିଙ୍ଗିଦେବାକୁ ମୁଁ କହୁନାହିଁ, ଖାଲି ଏତିକି କହୁଛି ଯେ, ‘‘ଯଦି ଛୋଟା ଲେଙ୍ଗଡ଼ା ହୋଇ ଖଣ୍ତେ ଥାଆନ୍ତା !’’ କହୁଁ କହୁଁ ତାଙ୍କର ଆଖିଯୋଡ଼ିକ ଅଶ୍ରୁରେ ବୁଡ଼ିଗଲା । କଣ୍ଠସ୍ୱର ଆର୍ଦ୍ର ହୋଇ ଭାରି ହୋଇ ଉଠିଲା । ଦୁଃଖ ଯେପରି ତାଙ୍କର ସର୍ବାଙ୍ଗ ଫୁଟି ବାହାରି ପଡ଼ିଲା । ସେ ଖାଲି ଧକେଇ ହେଲେ; ମାତ୍ର କାନ୍ଦି ପାରିଲେ ନାହିଁ । ସେ କାନ୍ଦି ପାରିଲେ ନାହିଁ; କିନ୍ତୁ ତାଙ୍କର ହୃଦୟ କାନ୍ଦିଉଠିଲା, ଅଣୁ ପରମାଣୁ ସୁଦ୍ଧା କାନ୍ଦି ଉଠିଲେ । ଦେହ ଘନ ଘନ ଝାଳେଇ ଉଠିଲା । କି ଏକ ଗୁପ୍ତ ଗଭୀର ରହସ୍ୟ ଶେଫାଳିକାଙ୍କୁ ଘେରି ରହିଛନ୍ତି । ତାଙ୍କର ଅଭାବ କଅଣ, ବ୍ୟଥା କେଉଁଠାରେ, ନନ୍ଦେ ତାହା ଜାଣନ୍ତି । ସେ ଭାବିଲେ – ‘‘ବନ୍ଧ୍ୟାନାରୀର ହୃଦୟରେ ମାତୃତ୍ୱର ଯେଉଁ ଉଦ୍ଦାମବାସନା ସ୍ରୋତ ପ୍ରବଳ ବେଗରେ ଧାଇଁଅଛି, ତାହାର ପରିସମାପ୍ତି କେଉଁଠାରେ, ତାହା ସର୍ବଜାଣ ବିଧାତା ବିନା ଆଉ କିଏ ଜାଣିପାରିବ ?’’ ନନ୍ଦେ ଗୋଟାଏ ନିରାଶା ନିଃଶ୍ୱାସ ତ୍ୟାଗ କରି କହିଲେ– ‘‘ସନ୍ତାନସୁଖ ତ ଆମ୍ଭ କପାଳରେ ନାହିଁ, ମନସ୍ତାପ କଲେ କଅଣ ହେବ ? ଈଶ୍ୱରଙ୍କ କୃପା ସନ୍ତାନ ରୂପ ଧରି ଜନ୍ମଗ୍ରହଣ କରେ । ଆମେ ପାପୀ, ସେ କୃପା ଆମ୍ଭ ଦୁର୍ଭାଗ୍ୟରେ କାହୁଁ ମିଳିବ ?’’ ଶେଫାଳିକା ସ୍ୱାମୀଙ୍କ ମୁଖକୁ ଦୀନନେତ୍ରରେ ଚାହିଁ ରହି କହିଲେ–‘‘ଈଶ୍ୱରଙ୍କ କୃପା କି ଖାଲି ଧାର୍ମିକ ଭାଗ୍ୟରେ ଘଟେ ନାହିଁ । ଗଙ୍ଗାଜଳରେ ସୂର୍ଯ୍ୟର ପ୍ରତିବିମ୍ବ ପଡ଼େ, ଆଉ ଚର୍ମନାସା ଜଳରେ ପଡ଼େନାହିଁ ? ଈଶ୍ୱର ସମଦର୍ଶୀ, ତାଙ୍କ ପ୍ରତି ପକ୍ଷପାତିତା ଦୋଷାରୋପ କରିବା କେବଳ ଅନ୍ୟାୟ ନୁହେଁ – ପାପ !’’ ନନ୍ଦେ ସେ କଥାର କିଛି ଉତ୍ତର ଦେଇ ସନ୍ତାପିତା ସ୍ତ୍ରୀଙ୍କୁ ଅନ୍ୟମନସ୍କ କରାଇବା ଉଦ୍ଦେଶ୍ୟରେ ଏଣୁ ତେଣୁ ନାନା କଥା କହିବାକୁ ଲାଗିଲେ । କିନ୍ତୁ ଶେଫାଳିକା ତାହା ଗ୍ରହଣ କଲେ ନାହିଁ । ଶିଶୁର ପ୍ରିୟ କଣ୍ଢେଇଟି ଲୁଚାଇ ରଖି ଅନ୍ୟ ଯେତେ ନମ୍ବର କଣ୍ଢେଇ ଦେଲେ ସୁଦ୍ଧା ସେ ତାହାସବୁ ଫିଙ୍ଗିଦିଏ । କିଛିକ୍ଷଣ ପରେ ଶେଫାଳିକା କହିଲେ– ‘‘କେତେ ଅପୁତ୍ରିକ ତୁମ୍ଭଦ୍ୱାରା ପୂଜା କରାଇ ପୁତ୍ରବାନ୍‌ ହେଉଅଛନ୍ତି, ତେବେ ତୁମ୍ଭେ ନିଜେପାଇଁ ପୂଜା କରୁନାହଁ କାହିଁକି-?’’ ନନ୍ଦେ ମୃଦୁ ହସି କହିଲେ– ‘‘ନିଜ ମନ୍ତ୍ର ନିଜକୁ କାଟେ ନାହିଁ । ସେ ଯାହା ଦେଉ, ମୋର ସୂତ ସ୍ଥାନରେ ଦୋଷ ଅଛି, ପୂଜାପୂଜିରେ କିଛି ଫଳ ହେବାର ଆଶା ନାହିଁ । କିଏ ପୁଅ କାହାର, ସବୁ ତୁଛା ମାୟାର କୁହୁକ, କି ମିଳିବ ସେଥିରୁ ।’’ ଶେଫାଳିକା କହିଲେ– ‘‘ସମସ୍ତେ ତୁମ୍ଭରି ପରି ନିର୍ମାୟ ନିଷ୍କାମ ହେଲେ ସୃଷ୍ଟିରକ୍ଷା କିପରି ହେବ ?’’ ନନ୍ଦେ ହୋ ହୋ ହସି ଉଠି କହିଲେ– ‘‘ସୃଷ୍ଟି ରକ୍ଷା ଦୁରାକାଙ୍‌କ୍ଷା ମୋତେ କରିବାକୁ ହେବ ନାହିଁ । ସମସ୍ତେ ମୋ ପରି ନୁହନ୍ତି । ମୋତେ ଛାଡ଼ି ଆଉ ଯେତେ ଅଛନ୍ତି, ସେମାନେ ସୃଷ୍ଟି ରକ୍ଷା କରିବେ । ବିଧାତା ମୋତେ ଏକା ଯୋଗ୍ୟପାତ୍ର ମଣି ମୋ ମୁଣ୍ଡରେ ପାଟଶାଢ଼ୀ ବାନ୍ଧି ମୋ ଉପରେ ସୃଷ୍ଟି ରକ୍ଷାର ଭାର ଦେଇ ନାହାନ୍ତି । ତୁମ୍ଭର ସ୍ୱାମୀ ଏଡ଼େ ବଡ଼ ଶକ୍ତିଧରି ବୋଲି ଜ୍ଞାନ କରନାହିଁ । ସେପରି ମହାପୁରୁଷ ଲକ୍ଷଣ ମୋ ଦେହରେ ନାହିଁ-।’’ ସ୍ୱାମୀଙ୍କର ଏ ବକ୍ରୋକ୍ତି ଶୁଣି ଶେଫାଳିକା ଟିକିଏ ଅପ୍ରତିଭ ହେଲେ; ମାତ୍ର ତାହା ତାଙ୍କର ବାହାରୁ ପ୍ରକାଶ ପାଇଲା ନାହିଁ । କିୟତ୍‌କ୍ଷଣ ପରେ କହିଲେ– ‘‘ଆଛା, ସେ କଥା ନ ହେଲା ତ ନାହିଁ, ତେବେ ଆଉ ଗୋଟିଏ କଥା କହିବି ରଖିବ ନା ? ନନ୍ଦେ ଟିକିଏ ଦୁଷ୍ଟାମି କରି ଦାମ୍ପତ୍ୟ କୌତୁକରେ କହିଲେ– ‘‘ନା, ମୁଁ ତୁମ କଥା ତ କେବେ ରଖେ ନାହିଁ ।’’ ଶେଫାଳିକା କହିଲେ– ‘‘ନା, ମୁଁ ତାହା କହୁନାହିଁ । ଆଛା, ସତ କୁହନି ରଖିବ ?’’ ନନ୍ଦେ କହିଲେ– ‘‘ଯଦି ସତ ମିଛ ମିଶାଇ କହେଁ ?’’ ଶେଫାଳିକା କୃତ୍ରିମ ରୋଷ ପ୍ରକାଶପୂର୍ବକ କହିଲେ– ‘‘ଯାଃ,ସବୁ କଥାରେ ଖାଲି ଥଟା ଟାପରା ?’’ ନନ୍ଦେ କହିଲେ– ‘‘ନା, ଆଉ ଥଟା କରିବି ନାହିଁ, ସତ କହିବି; କଅଣ କୁହ ?

 

ଶେଫାଳିକା– ସତ କହୁଛ, ନିଶ୍ଚୟ କରିବ ?

ନନ୍ଦେ– ଏ ତୁମ୍ଭର ଅନୁରୋଧ, ନା କଠୋର ଉତ୍ପୀଡ଼ନ ?

ଶେଫାଳିକା– ଉତ୍ପୀଡ଼ନ ନୁହେଁ, କି ନିର୍ଯାତନା ନୁହେଁ – କାକର ଅନୁରୋଧ ।

ନନ୍ଦେ– ଆଛା, କଅଣ କୁହ ?

ଶେଫାଳିକା– ତୁମ୍ଭେ ବିବାହ କର ।

 

ଶେଫାଳିକାଙ୍କର କଣ୍ଠସ୍ୱର କମ୍ପିତ ହୋଇଗଲା । ସେ ସ୍ୱରରେ ବେଦନା ଅଛି, ପ୍ରାର୍ଥନା ଅଛି ଏବଂ ଅଭିମାନ ଅଛି । ଏହି ପ୍ରାର୍ଥନା ଭିତରେ କେଡ଼େ ଗଭୀର ବେଦନା ଲୁଚି ରହିଅଛି, ନନ୍ଦେ ତାହା ବୁଝିଲେ ଏବଂ ପୁନଶ୍ଚ ଉଚ୍ଚହାସ୍ୟର ହାଟ ବସାଇ ଦେଇ କହିଲେ– ‘‘ବିବାହ ? ହଁ ବିବାହ କରିବି । ଛଖଣ୍ଡିଆ ପାଲଙ୍କିରେ ଚଢ଼ି ଶଶୁର ଘରକୁ ଯିବି, ହରିବୋଲ ପଡ଼ିବ, ଝାଞ୍ଜ କରିତାଳ ବାଜିବ । ଆଃ, କି ମଜା ! କନ୍ୟା କିଏ ଜାଣ ନା ? କନ୍ୟାର ନାମ ଅଗ୍ନିଶିଖା । ଏ ଶୁଭ ବିବାହ ଶ୍ମଶାନ ବେଦୀରେ ହେବ ।’’ ଶେଫାଳିକା ସ୍ୱାମୀଙ୍କର ଏ ରସିକତାରେ ବିରକ୍ତ ହୋଇ କହିଲେ– ‘‘ଛି, ସେପରି ଅମଙ୍ଗଳ କଥା ମୁହଁରେ ଧରନ୍ତି ନାହିଁ ।’’ ଏହାକହି ସେ କୌଣସି ପ୍ରକାରରେ ଉଛ୍ୱସିତ କ୍ରନ୍ଦନର ବେଗ ସମ୍ଭାଳି ପାରିଲେ ନାହିଁ । ସ୍ୱାମୀଙ୍କ ପାଦ ଉପରେ ପଡ଼ି ଅନର୍ଗଳ କାନ୍ଦିବାକୁ ଲାଗିଲେ । ନନ୍ଦେ ଉଠିପଡ଼ି ସ୍ତ୍ରୀଙ୍କୁ ଉଠାଇ ବସାଇଲେ ଏବଂ କୁଞ୍ଚକାନିରେ ତାଙ୍କର ଲୁହ ପୋଛି ଦେଉଁ କହିଲେ– ‘‘ଛି ପିଲାଙ୍କ ପରି ତମେ ଏଡ଼େ ଅଧୈର୍ଯ୍ୟ । ତମେ କଣ ପାଗଳ ହେଲ, ବିବାହ କରିବାକୁ ମୋର ଆଉ ବୟସ ଅଛି ?’’ ଶେଫାଳିକା ଅଶ୍ରୁ ସମ୍ବରଣ କରି ଶାନ୍ତ ସ୍ୱରରେ କହିଲେ– ‘‘କି, ତମେ କଅଣ ବୁଢ଼ା ହୋଇଗଲଣି ? ବୟସ ବୋଲି ଏଇ ତ ଦିକୋଡ଼ି ଏଗାର । ଏ ବୟସରେ କି ଲୋକେ ବିବାହ କରୁନାହାନ୍ତି ? ମୋ ବାପଘର ଗାଁର ନିମୁ ଖାଡ଼ଙ୍ଗା ଯେତେବେଳେ ବିବାହ କଲା, ତେତେବେଳକୁ ତାହର ବୟସ ତିନି କୋଡ଼ିରୁ ଚାରିବର୍ଷ ଉଣା । ଉଛୁଣି ତାହାର ତିନି ପୁଅ, ଦୁଇ ଝିଅ । ଏହି ତମର ଗାଁ ମୂଳି ପାଣି ତ ତମଠାରୁ ବଡ଼ । ଶାହାଡ଼ା ଗଛକୁ ଲଗାଇ ସେ ଚାରିଟା ବିବାହ କଲା । ଶେଷ ବିବାହତ ବର୍ଷେ କି ହୋଇ ନାହିଁ, ଆଉ ଚାରିମାସ ପରେ ସେ ପୁଅ ଝିଅର ବାପ ହୋଇ ବସିବ ।’’ ନନ୍ଦେ ଟିକିଏ ଅବଜ୍ଞା ମିଶ୍ରିତ ସ୍ୱରରେ କହିଲେ– ‘‘ହେଉ, ଯେ କଲା କରୁ ପଛକେ, ମୋତେ ସେ ଜଞ୍ଜାଳରୁ ରକ୍ଷାକର । ମୁଁ ବିବାହ କରିପାରିବି ନାହିଁ, ପାରିବି ନାହିଁ, ପାରିବି ନାହିଁ ।’’ ସ୍ୱାମୀଙ୍କର ଏହି କଠୋର ବାଣୀ ଶୁଣି ଶେଫାଳିକାଙ୍କର ହୃଦୟ ନୈରାଶ୍ୟର ଦାରୁଣ ଆଘାତରେ ଚୁର୍ଣ୍ଣ ହୋଇଗଲା । ସନ୍ତାପର ଗଭୀର ବେଦନା ଏବଂ ଭୀଷଣ ଜ୍ୱାଳାରେ ତାଙ୍କର ନାରୀସୁଲଭ କୋମଳ ପ୍ରାଣ ଦଗ୍‌ଧୀଭୂତ ହେବାକୁ ଲାଗିଲା । ବାକ୍ୟର ସୂତ୍ର ଛିନ୍ନ ହୋଇଗଲା । ସେ କରୁଣ ଦୃଷ୍ଟିରେ ସ୍ୱାମୀଙ୍କ ମୁଖକୁ ଚାହିଁ ରହିଲେ । ତାଙ୍କର ମୁଖ ଏବଂ ଚାହାଁଣି ଭଙ୍ଗୀରୁ ବୋଧହେଲା– ଯେମନ୍ତ କି ତାଙ୍କର ଅଶ୍ରୁନିର୍ଝର କିଏ ଅବରୁଦ୍ଧ କରି ରଖିଅଛି, ମୁକ୍ତ ହେଲେ ବିଶ୍ୱ ବ୍ରହ୍ମାଣ୍ଡ ଭସାଇ ଦେବ । ଶେଫାଳିକା ନିର୍ବାକ ଚିତ୍ରପ୍ରତିମା ପରି ସ୍ତବ୍‌ଧ ହୋଇ ବସିଅଛନ୍ତି, ଯେପରି କି କହିବାକୁ ଅନେକ ଅଛି; ମାତ୍ର କହିପାରୁ ନାହାନ୍ତି । କଥାଗୁଡ଼ାକ କଣ୍ଠନାଳୀରେ ଠେସି ହୋଇ ରହିଅଛି, ବାହାରିବାକୁ ବାଟ ପାଉନାହିଁ । କଣ୍ଠନାଳୀ ଚିଡ଼୍‍ଚିଡ଼୍‍ ହୋଇ ଫାଟି ଯାଉଅଛି । ଏହିପରି ଭାବରେ କିଛିକ୍ଷଣ ଅତିବାହିତ ହେଲା । ସର୍ବଂସହା ବସୁନ୍ଧରା ନୀରବରେ ଅନ୍ତରସ୍ଥ ଅଗ୍ନିଜ୍ୱାଳା ସହିଲା ପରି ବନ୍ଧ୍ୟାନାରୀ ସନ୍ତାନ ଅଭାବର ଜ୍ୱାଳା ସହିଥିଲା; କିନ୍ତୁ ଆଉ ସମ୍ଭାଳି ପାରିଲା ନାହିଁ । ପୃଥିବୀର ବକ୍ଷ ବିଦାରି ଆନ୍ତର୍ଭୌମାଗ୍ନି ବାହାରି ଆସିଲା ପରି ତାଙ୍କର ହୃଦୟରୁ ଦୁର୍ବହ ବ୍ୟଥା ବାହାରି ପଡ଼ିଲା । ସେ କଇଁ କଇଁ ହୋଇ କାନ୍ଦିଉଠି ଭଙ୍ଗା ଭଙ୍ଗା ସ୍ୱରରେ କହିଲେ– ‘‘ତେବେ କଅଣ ପାଣି ଆଞ୍ଜୁଳାକର ଭରସା ମୋର ରହିବ ନାହିଁ ? ହାୟ, ମୁଁ ଏପରି ପାପୀୟସୀ ଯେ, ମୋହରି ଦୋଷରୁ ମୋର ତପସ୍ୱୀ ତୁଲ୍ୟ ଶଶୁରଙ୍କ ପବିତ୍ର ଆଶ୍ରମରେ ସନ୍ଧ୍ୟାବତି ବୁଡ଼ିବ । ଏ ପବିତ୍ର ବଂଶ ମୋହରିଠାରୁ ଲୋପ ପାଇବ, ଏ କଳଙ୍କ ମୁଁ ଏକା ମୁଣ୍ଡାଇବାକୁ ଜନ୍ମ ଲଭିଥିଲି । ଧିକ୍‌ ମୋର ଜନ୍ମ, ଧିକ୍‌ ଜୀବନ, ଆଉ ଧିକ୍‍ ମୋର ଅଦୃଷ୍ଟ । ହାୟ, ଯେଉଁ ବଂଶପ୍ରବାହ ଜାହ୍ନବୀର ପୂଣ୍ୟଧାରା ପରି କେଉଁ ସୁଦୂର ଅତୀତରୁ ଚାଲି ଆସୁଥିଲା, ତାହା କି ଏହିଠାରୁ ଶୁଷ୍କ ହୋଇଯିବ ? ଏ ଦୁଃଖ ମୁଁ ମଲେ ସୁଦ୍ଧା ଭୁଲି ପାରିବି ନାହିଁ । ସେ ଦୃଶ୍ୟ ମୋର ପ୍ରେତଶରୀରରେ ସୁଦ୍ଧା ଅସହ୍ୟ । ହା ବିଧାତା, ମାତୃଗର୍ଭରୁ ମୋତେ ନ ମାରି ରଖିଲୁ କାହିଁକି ? ମୁଁ ରାକ୍ଷସୀ ଗୋଟାଏ ବ୍ରାହ୍ମଣବଂଶକୁ ନିର୍ବଂଶ କରିଦେଲି, ମୋର ଏ ବ୍ରହ୍ମହତ୍ୟା ପାପର ପ୍ରାୟଶ୍ଚିତ ନାହିଁ । ମୋର ଅନ୍ତିମ ଗତି କଣ ହେବ-?’’ ଶେଫାଳିକା ଏହିପରି ବିଳାପ କରିବାକୁ ଲାଗିଲେ । ବନ୍ଧ୍ୟା ନାରୀର ଏହି ମର୍ମାନ୍ତିକ ଆକ୍ଷେପ ବାଣୀ ଶୁଣି ନନ୍ଦଙ୍କ ହୃଦୟରେ ଗୋଟାଏ ତୁମଳ ତୋଫାନ ବହିଗଲା । ସେ କିଛିକ୍ଷଣ ନିସ୍ତବ୍‌ଧ ରହି ଆଖିରୁ ଦୁଇଟୋପା ଲୁହ ଗଡ଼ାଇ ପକାଇଲେ ଏବଂ କହିଲେ– ‘‘କପାଳରେ ତ ନାହିଁ, ଦୂଃଖ କଲେ କଅଣ ହେବ ?’’ ଶେଫାଳିକା କହିଲେ– ‘‘ସନ୍ତାନ ଲାଭ ତୁମ୍ଭ କପାଳରେ ଥାଇପାରେ – ଏହା ତ ଅସମ୍ଭବ ନୁହେଁ ।’’ ନନ୍ଦେ କିଛିକ୍ଷଣ ଚିନ୍ତାକରି କହିଲେ– ‘‘ଆଛା, ଗୋଟିଏ ପୋଷ୍ୟପୁତ୍ର କଲେ କି ହେବ ନାହିଁ ?’’ ଶେଫାଳିକା ଶୁଷ୍କ ହାସ୍ୟରେଖା ବିମର୍ଷ ମୁଖକୁ ଟାଣି ଆଣି କହିଲେ– ‘‘ପୋଷାପୁଅ ଖୁଞ୍ଚାରୂଅ କି କାମରେ ଆସେ ? ଯାହା ଦେହରେ ତୁମ୍ଭର ରକ୍ତ ନାହିଁ, ସେ କି ମୋତେ ପିଣ୍ତଦାନର ଅଧିକାରୀ ହେବ ? ତାହାହେଲେ ଲୋକ ଯେ ମହାପ୍ରସାଦ ଦେଇ ଧର୍ମପୁଅ କରନ୍ତି, ତାହାଦ୍ୱାରା ତ ପୁତ୍ରର ଅଭାବ ମୋଚନ ହେଉଥାଆନ୍ତା । ତୁମ୍ଭେ ତ ଅନେକ ଥର କହିଅଛ, ଯେ ପୁତ ନରକରୁ ଉଦ୍ଧାର କରେ, ସେ ପୁତ୍ର । ଯାହାର ପୁତ୍ର, ତାକୁ ସିନା ଉଦ୍ଧାର କରିବ, ଅନ୍ୟକୁ ଉଦ୍ଧାର କରିବ କିପରି ? ପର କି କେବେ ଆପଣାର ହେବ । ଯାହାର ଘୋଡ଼ା ନାହିଁ, ସେ ଅଧାକାନ୍ଥିରେ ଚଢ଼ି ଘୋଡ଼ାଚଢ଼ା ଆର୍‌ମାନ ମେଣ୍ଟାଇ ନିଏ, ପୋଷ୍ୟପୁତ୍ର ଠିକ୍‌ ସେହିପରି । ତାହାଠାରୁ ପିତୃସମ୍ବୋଧନ ମାତୃସମ୍ବୋଧନ ମିଳେ; ମାତ୍ର ପ୍ରକୃତ ଅଭାବ ପୂର୍ଣ୍ଣ ହୁଏ ନାହିଁ କିମ୍ବା ହୋଇପାରେ ନାହିଁ । ପିଠୋଉ ପାଣିରେ ଦୁଧର ସ୍ୱାଦୁ କାହୁଁ ମିଳିବ ? ସେ ଯାହାହେଉ ମୁଁ ତୁମ୍ଭର ଗୋଡ଼ତଳେ ପଡ଼ୁଛି, ତୁମ୍ଭେ ବିବାହ କର ।’’ ନନ୍ଦେ ପତ୍ନୀଙ୍କର ଏ ଦୃଢ଼ ଅନୁରୋଧ ଶୁଣି ହସି ହସି କହିଲେ– ‘‘ହେଉ, ତାଆ ଜାଣି ହେବ; ମାତ୍ର ତୁମ୍ଭେ ସଉତୁଣୀ ଜ୍ୱାଳା ସହିପାରିବ ତ ।’’ ଏହା ଶୁଣି ସେଫାଳିକାଙ୍କ ଛାତିରୁ ଚିନ୍ତାର ଗୋଟାଏ ଗୁରୁ ଭାର ପଥର ଖସିଗଲା ଏବଂ କି ଗୋଟାଏ ବୈଦ୍ୟୁତିକ ଦୀପ୍ତି ତାଙ୍କ ମୁହଁ ଉପରେ ପଡ଼ି ମିଳାଇଗଲା । ସେ ଉତ୍ସାହିତ ହୋଇ କହିଲେ– ‘‘ହଁ ଗୋ ହଁ, ତାହା ମୁଁ ସହିପାରିବି । ଆମେ ନାରୀଜାତି ସବୁ କରିପାରୁ, ଆଉ ସଉତୁଣୀକି ନେଇ ଘର ବି କରିପାରୁ ।’’ ନନ୍ଦେ ଟିକିଏ ଦୁଷ୍ଟାମି କରି କହିଲେ– ‘‘କାଳେ ତୁମ୍ଭମାନେ ଉଗ୍ରଚଣ୍ଡୀମୂର୍ତ୍ତି ଧରି ସଂମାର୍ଜନୀ ଯୁଦ୍ଧରେ ନିଯୁକ୍ତ ହୁଅ, ମୋର ସେହି ଭୟ । ଶେଷରେ ଯେପରି ତୁମ୍ଭମାନଙ୍କ ହାତରୁ ମୁଁ କିଛି ପୁରସ୍କାର ନ ପାଏ ।’’ ଶେଫାଳିକା ସ୍ୱାମୀଙ୍କି ଆଉ ଅଧିକ କହିବାକୁ ଅବସର ନ ଦେଇ କହିଲେ– ‘‘ନା ନା, ତାହା କିଛି ହେବ ନାହିଁ, ତୁମ୍ଭର କୌଣସି ଭୟ ନାହିଁ । ଏ ଘରକୁ ମୋର ସଉତୁଣୀ ହୋଇ କେହି ଆସିବ ନାହିଁ-। ଯେ ଆସିବ, ତାକୁ ମୁଁ କନ୍ୟା କିମ୍ବା ସାନଭଉଣୀ ପରି ଯତ୍ନ ଏବଂ ପ୍ରତିପାଳନ କରିବି ।’ ନନ୍ଦେ କହିଲେ– ‘‘ତୁମ୍ଭ ଭାବୀ ସପତ୍ନୀ ଯଦି ତୁମ୍ଭର ମନୋମତ ନ ହୁଏ-?’’ ଶେଫାଳିକା ଉତ୍ତେଜିତ ହୋଇ କହିଲେ, ‘‘ହାୟ, ମୋର ପୋଡ଼ାକପାଳ, ସେ ମୋର ମନୋମତ ହେବ କିପରି ? ମୋ ଘରକୁ ଆସିଲେ ମୁଁ ତାକୁ ମନୋମତ କରି ତିଆରି କରିନେବି; ସେ ବିଦ୍ୟା ମୋତେ ଜଣା । ସେଥିଲାଗି ତୁମ୍ଭର ମୁଣ୍ଡବ୍ୟଥା ନୁହେ, ମୁଣ୍ଡର ଚୁଟି କେରାକରୁ ତ ଅଧେ ସତେଇ ଖାଇଲାଣି, ବାକୀ ଯେଉଁ ଖଣ୍ଡିଆ କେରାକ ଅଛି, ତାହା ଯେପରି ଉପୁଡ଼ି ନ ଯାଏ, ଏହାହଁ ଭାବୁଛି । ଆଛା, ତୁମ୍ଭ ସପତ୍ନୀର ଯଦି ସନ୍ତାନ ନ ହୁଏ ?’’ ଶେଫାଳିକା କହିଲେ– ‘‘ନ ହେଲେ ନାହିଁ, ସେଥିପାଇଁ ଚିନ୍ତା କଅଣ ? ଜାଣିବା ଆମ କପାଳରେ ନାହିଁ, ତେଣିକି ଭାଗ୍ୟ ଆଦରି ରହିବା । ପୁଅ ନ ହେଲେ ଝିଅଟିଏ ହେଲେ ହେବ, ଆମର ଆଣ୍ଠୁକୁଡ଼ା ଦୋଷ ଯିବ । ଆଣ୍ଠୁକୁଡ଼ା ଆଣ୍ଠକୁଡ଼ୀର ମୁହଁ ଚାହିଁଲେ ଯଶ ନାହିଁ ବୋଲି ତ ଆଉ ଲୋକେ କହିପାରିବେ ନାହିଁ ।’’ ନନ୍ଦେ କହିଲେ– ‘‘ଆଉ ଗୋଟିଏ କଥା ଏହି ଯେ, ବିବାହର ଅଧେ ଉପାଦାନ କନ୍ୟା, ସେ କେଉଁଠାରୁ ଆସିବ ? ଏ ଶ୍ମଶାନଯାତ୍ରୀକୁ କିଏ ବା ଯାଚି କନ୍ୟା ଦେବ ?’’ ଶେଫାଳିକା ରାଗି ଉଠି କହିଲେ– ‘‘ଏ କି ଅଲକ୍ଷଣା କଥା ? ଫେର ସେପରି କହିଲେ ମୁଣ୍ଡ ପିଟିହୋଇ ମରିଯିବି । କନ୍ୟା ପାଇଁ ତୁମ୍ଭଙ୍କୁ ଚିନ୍ତା କରିବାକୁ ହେବନାହିଁ, ସେ କଥା ମୁଁ ଜାଣେ । ତମେ ଖାଲି ବିବାହରେ ମତ ଦିଅ, ଆଉ ସବୁ ଭାର ମୋର ।’’ ନନ୍ଦେ କହିଲେ– ‘‘ଆଛା, ହେଉ ମୁଁ ବିଚାର କରି କହିବି ।’’ ଏହା କହି ନନ୍ଦେ କଡ଼ ଲେଉଟାଇ କାନ୍ଥ ଆଡ଼କୁ ମୁହଁ କରି ଶୋଇଲେ ଏବଂ ଶେଫାଳିକା ଉଠି ଗୃହକାର୍ଯ୍ୟ କରିବାକୁ ଅନ୍ୟତ୍ର ଚାଲି ଗଲେ ।

 

ଫୁଲର ବାସପରି କଥା ଲୁଛି ରହେ ନାହିଁ । ଶୀଘ୍ର ହେଉ ବା ବିଳମ୍ବରେ ହେଉ ସେ ଆତ୍ମପ୍ରକାଶ କରେ । ନନ୍ଦଙ୍କ ବିବାହ କଥା ଗ୍ରାମରେ ବିସ୍ତୃତ ହୋଇ ପଡ଼ିଲା । ହାଟରେ, ବାଟରେ, କୃଷିକ୍ଷେତ୍ରରେ ସେହି ଚର୍ଚ୍ଚା ଲାଗିଲା । ଅନେକଦିନ ପରେ ସ୍ତ୍ରୀମାନଙ୍କ ଗୋଟାଏ ମୁଖ ରୋଚକ ସୁଖାଦ୍ୟ ମିଳିଗଲା । ସେମାନେ ନଈତୁଠରେ, ଢେଙ୍କିଶାଳରେ, ସଖୀମେଳରେ ନନ୍ଦଙ୍କ ଘର କଥା ପକାଇଲେ । କେହି କହିଲା– ‘‘ନନ୍ଦ ଭାର୍ଯାଟା କଅଣ ଏଡ଼େ ଅଲାଗୀ, ଜାଣୁ ଜାଣୁ ନିଜେ ତୁଣ୍ଡରେ ନିଜେ ବିଷ ଭରୁଛି ।’’ ଆଉ ଜଣେ କହିଲା– ‘ସେ ତ କହେ ମୁଁ ସବା ପାଠେଈ, ଅଲାଗୀ ହେବ କାହିଁକି ? ଅଂ ମଂ କଅଣ ଦିଅକ୍ଷର ପଢ଼ିଛିପରା ?’ ତୃତୀୟା କହିଲା, ‘‘ତାହା ପଢ଼ିବା ମୁହଁରେ ନିଆଁ, ତା ମୁହଁରେ ଧୂଆଁ । ମାଇପ ଘଇତାର ଗୋଡ଼ଧରି କାନ୍ଦି ଆଉ ଗୋଟାଏ ବିଭା ହେବା ପାଇଁ ଅଳିକରିବାର କେହି କେବେ ଶୁଣିଛି ? ଛି, କଳସୀ ଦଉଡ଼ି ମିଳିଲା ନାହିଁ ।’’ ଘଟଣା ଏହିପରି କର୍ଣ୍ଣରୁ କର୍ଣ୍ଣାନ୍ତର ହୋଇ କୁନ୍ଦୀ ମାଉସୀ କାନରେ ପଡ଼ିଲା । କୁନ୍ଦି ମାଉସୀ ଗାଁ ସାରା ଆବାଳ– ବୃଦ୍ଧ ସମସ୍ତଙ୍କର କୁନ୍ଦୀ ମାଉସୀ । କିଏ କେବେ କି ସୁତ୍ରରେ ଏହି ଗୌରବମୟ ଉପାଧିର ଚିରସ୍ଥାୟୀ ସନନ୍ଦ ତାକୁ ପ୍ରଦାନ କରି ଧନ୍ୟ ହୋଇଥିଲେ, ଇତିହାସ ସେ ବିଷୟରେ ନୀରବ । କୁନ୍ଦୀ ମାଉସୀ ପ୍ରୌଢ଼ା, ତାହାର ଆକୃତି ଗଠନ ଦେଖିଲେ ବୋଧହୁଏ, ଯୌବନରେ ସେ ସୁନ୍ଦରୀ ଥିଲା । ଦୈହିକ ବଳ ତାହାର ଅବଳା ନାମର ଅସାର୍ଥକତା ସମ୍ପାଦନ କରୁଅଛି । ସ୍ୱଭାବ ଦୋଷରୁ ହେଉ ବା ନକ୍ଷତ୍ର ଦୋଷରୁ ହେଉ ସେ ଖୁବ୍‌ ମୁଖରା । ସ୍ତ୍ରୀସୁଲଭ କୋମଳତା ତାହାଠାରେ ନାହିଁ । ପ୍ରକୃତି ବଡ଼ କଠୋର । ସ୍ଥୁଳତଃ ସେ ପୁରୁଷପ୍ରକୃତିକା ନାରୀ । ସେ ଗଛ ଚଢ଼ିପାରେ । ଦୈହିକ ଶକ୍ତିର ଅନେକ ପୁରୁଷ ତାହାର ଅନେକ ତଳରେ । ତାହାର ଅନେକ କୀର୍ତ୍ତି ଅଛି । ସେହି କୀର୍ତ୍ତି ତାହାର ମୃତ୍ୟୁପରେ ସୁଦ୍ଧା ତାହାକୁ ଅମର କରି ରଖିବ । ବାଟ ପାଖରେ କୁନ୍ଦୀ ମାଉସୀର ଗୋଟାଏ ବଡ଼ ଆମ୍ବଗଛ ଥିଲା । ଦିନେ ସେ ସେହି ଆମ୍ବ ଗଛର ଅଗରେ ଚଢ଼ି ଆମ୍ବ ତୋଳୁଥିଲା । ସେହି ବାଟରେ ଦୁଇଜଣ ପଥିକ ଯାଉଥିଲେ । କୁନ୍ଦୀ ମାଉସୀକୁ ଗଛ ଉପରେ ଦେଖି ଜଣେ ଅପରକୁ କହିଲା– ‘‘ଏଟା ଅଣ୍ଡିରା ନା ମାଇକିନିଆ ?’’ ଦ୍ୱିତୀୟ ବ୍ୟକ୍ତି ହସିଉଠି କହିଲା– ‘‘ନା ନା, ଅଣ୍ଡିରା ନୁହେଁ କି ମାଇକିନା । ଯାହାକୁ କହନ୍ତି ଅଣ୍ଡିରାଚଣ୍ଡୀ, ସେହି, ବୁଝିପାରିଲୁ ?’’ ଶ୍ରୀମତୀ କୁନ୍ଦୀ ମାଉସୀ ଏକଥା ଶୁଣିଲେ ସୁଦ୍ଧା ପାଠକମାନଙ୍କର କିଛିମାତ୍ର କ୍ଷତି ନାହିଁ । କିଛିକ୍ଷଣ ପରେ ପଥିକଦ୍ୱୟ ଭୂମିଶଯ୍ୟାରୁ ଉଠି ଦେହରୁ ଧୂଳି ଝାଡ଼ିଝୁଡ଼ି ହୋଇ ସୁନାପୁଅ ପରି ନୀରବରେ ବାଟ ଧରିଲେ; ମାତ୍ର ଖଣ୍ତେଦୂର ଯାଇ ଜଣେ ଆର ଜଣକୁ ଲଘୁ ସ୍ୱରରେ କହିଲା– ‘‘ଓଃ, ଏ ମାଇକିନିଆଟା ତ ମର୍ଦ୍ଦଙ୍କର ବାପ ।’’ ଆଉଥରେ ଜମିଦାରର ପଠାଣ ପିଆଦା ଗାଁକୁ ଆସିଥିଲା । ମଫସଲକୁ ଆସିଲେ ପିଆଦାମାନେ ନିଜର ପ୍ରାଧାନ୍ୟ ଦେଖାନ୍ତି । ପିଆଦା କୁନ୍ଦି ମାଉସୀକୁ ଦେଖି ଟିକିଏ ରସିକତା ପ୍ରକାଶ କରି କହିଲା– ‘‘ଏ ବିବୀଜାନ, ଭରତ୍‌ ସୁଇଁକା ଘର କିଧର ?’’ ରକ୍ତଦୀପ୍ତନେତ୍ରା କ୍ରୁଦ୍ଧା ବାଘୁଣୀ ବୋଦା ଛେଳିର ତଣ୍ଟି ଚିପି ଧରିଲା ପରି ମୁହୂର୍ତ୍ତକ ମଧ୍ୟରେ କୁନ୍ଦୀ ମାଉସୀ ଏକ ଲମ୍ଫରେ ପିଆଦା ଉପରେ ପଡ଼ି ତାହାର ଦାଢ଼ିକୁ ଖୁବ୍‌ ଜୋରରେ ଟାଣିଧରି ଗର୍ଜିଉଠି କହିଲା– ‘‘ତୋର ବିବୀ କିଏରେ ପୋଡ଼ାମୁହାଁ ପଠାଣ ? ଡାକ ମା ବୋଲି, ନ ହେଲେ ତୋ ଦାଢ଼ି ଉପାଡ଼ି ଚୁଲିରେ ଜାଳିଦେବି ।’’ ପିଆଦା ବିଚରା ଯନ୍ତ୍ରଣାରେ ଅସ୍ଥିର ହୋଇ ତୋବା ତୋବା କହି ‘‘ଛୋଡ଼ୋ ମା ଜୀ’’ ବୋଲି କହିବାରୁ କୁନ୍ଦୀ ମାଉସୀ ହସି ହସି ତାହା ଗାଲରେ ଗୋଟାଏ ଚବିଶ ପଳିଆ ଚାପଡ଼ ବସାଇଦେଇ କହିଲା– ‘‘ଯା ଡାକୁଣୀଖିଆ ଯା ଆଉଦିନେ ଏପରି କାହାକୁ କହିବୁ ନାହିଁ । କିଏ କାଳେ ଏ ଘଟଣା ଦେଖିବ, ଏହି ଲଜ୍ଜାରେ ଜମିଦାର ପିଆଦା ଚାରିଆଡ଼କୁ ଚାହିଁ ଗାଲ ଆଉଁଷି ଆଉଁଷି ଶୀଘ୍ର ପୃଷ୍ଠଭଙ୍ଗ ଦେଇ ପଳେଇଗଲେ; ମାତ୍ର ତାହାର ‘‘ଖୋଦାକା ନୁର ’’ ଅଧାଅଧି କୁନ୍ଦୀ ମାଉସୀ ହାତରେ ରହିଗଲା । କୁନ୍ଦୀ ମାଉସୀର ଆଉ ଗୋଟାଏ ମହତ୍ ଗୁଣ ଥିଲା । ଗାଁର କାହାରି ଝିଅ ବୋହୂର ଦେହକୁ ଲାଗିଲେ ସେ ଅନାହୁତ ଭାବରେ ଯାଇ ସୁଖପ୍ରସବ କରାଇ ଦିଏ । କେହି ରୁଷିଥିଲେ ତାକୁ ନାନା କଥା କହି ବେଉଷି ଭାତ ଖୁଆଏ । ସେ ଖୁବ୍‌ ବକ୍ତୃତା ମଧ୍ୟ କରିପାରେ । ଏଥିଉତ୍ତାରୁ ତାହାର ଅଧିକ ଗୁଣ ବର୍ଣ୍ଣନା ଶୁଣିବାକୁ ପାଠକମାନେ ନିଶ୍ଚୟ ଇଚ୍ଚା କରିବେ ନାହିଁ ।

 

ଶେଫାଳିକା ଘରଭିତରେ କି କାର୍ଯରେ ବ୍ୟସ୍ତ ଥିଲେ । ବାହାରେ ଶବ୍ଦ ଶୁଭିଲା– ‘‘କିଲୋ ଝିଅ, କଅଣ କରୁଛୁ ?’’ ସେ ଘରୁ ବାହାରି ଆସି କୁନ୍ଦୀ ମାଉସୀକୁ ଦେଖି ସହାସ୍ୟ ମୁଖରେ କହିଲେ, ‘‘କି ମାଉସୀ, ଅପୂର୍ବ ଯେ, ଢେରଦିନ ପରେ ଦେଖା, ଆସ ଆସ ।’’ ଆଗନ୍ତୁକ ଆସି ପିଣ୍ତାରେ ବସିଲା । ଶେଫାଳିକା ତାହା ପାଖରେ ବସି ପଚାରିଲେ– ‘‘ସବୁ ଭଲ ତ ମାଉସୀ, ଆଜି କିମିତି ଟିକିଏ ଏଣିକି ଚାଲିଆସିଲ ?’’ କୁନ୍ଦୀ ମାଉସୀ ଗମ୍ଭୀର ହୋଇ କହିଲା– ‘‘ଭଲମନ୍ଦ ତ ଲାଗିଛି, ତୋତେ ଦେଖିବାକୁ ଆସିଲି ଲୋ ମା’’ । ଶେଫାଳିକା କହିଲେ– ‘‘ମୋତେ ଦେଖିବାକୁ ? ମୁଁ କଅଣ ଗୋଟାଏ ଦେଖିବା ପଦାର୍ଥ ? ତେବେ ମୋତେ ନେଇ ଯାଦୁଘରେ ରଖିଲେ ହୁଅନ୍ତା ?’’ କୁନ୍ଦୀ– ହଁ ଲୋ ମା, ତୁ ଏବେ ଗୋଟାଏ ଦେଖିବା ପଦାର୍ଥ ହୋଇଛି ପରା ?’’

 

ଶେଫାଳିକା– କିମିତି !

କୁନ୍ଦୀ– କିମିତି କଅଣ ଲୋ ବାୟାଣି, ତୁ ପରା ନନ୍ଦପୁଅଙ୍କ ବିବାହରେ ମତ ଦେଇଛୁ ?

ଶେଫାଳିକା– ଖାଲି ମତ ଦେଇନାହିଁ, ମୁଁ ସବୁ କରୁଛି ।

 

କୁନ୍ଦୀ– ମରଣ ଆଉ କାହାକୁ କହନ୍ତି, ପଛକୁ ଚାହିଁ ନିଜର ଅବସ୍ଥାଟା ଦେଖିଛୁ କି ? ଏବେ ସ୍ୱାମୀସୁଆଗୀ ହୋଇଛୁ, ପୁରୁଷ ଲୋକଙ୍କ ମତି ଘଡ଼ିକେ ଫାଟିଯାଏ, ଜାଣୁ ତ ? କେଞ୍ଚୁଆ ସାପ ହୋଇ ଫଣା ଟେକିଲେ କଅଣ କରିବୁ ? ସଉତୁଣୀ ଘେନି ଘର କରିବା ଥଟା କଥା ପରା ? ଯା ଯା ନିର୍ବୁଦ୍ଧିଆଣି, ଏବେ ଯାଇ କହ, ମୁଁ ତମ ମନ ବିଡ଼ିବା ପାଇଁ କୌତୁକରେ ବିବାହ କରିବାକୁ କହିଥିଲି, ତାହା ମୋର ହୃଦୟର କଥା ନୁହେଁ । ତାହାହେଲେ ସବୁ ଛିଡ଼ିଯିବ । ଯେଉଁ ପରି ଅଛୁ ସେହିପରି ରହିବୁ ।

 

ଶେଫାଳିକା– ପୁରୁଷ ଲୋକଙ୍କ ମନ ଫାଟିଗଲେ କଅଣ ହେବ, ମୋତେ କଅଣ ମୁଠାଏ ଖାଇବାକୁ ଦେବେ ନାହିଁ ?

 

କୁନ୍ଦୀ– ତେବେ ସ୍ୱାମୀ ପାଖରୁ ସ୍ତ୍ରୀର ପ୍ରାପ୍ୟ କି କେବଳ ଖାଦ୍ୟମୁଠାକ ଛଡ଼ା ଆଉକିଛି ନାହିଁ ?

 

ଶେଫାଳିକା– ହଁ, ଅଛି – ସ୍ୱାମୀସେବା । ମୁଁ ତେତିକି ପାଇଲେ ଅନ୍ୟ ଅଧିକାର ଚାହେଁ ନାହିଁ ।

 

କୁନ୍ଦୀ– ସଉତୁଣୀ ଘେନି ତ କେହି ସୁଖରେ ଘର କରିପାରି ନାହାନ୍ତି, ତୁ କିମିତି ପାରିବୁ-?

 

ଶେଫାଳିକା ଆଉ କେହି ପାରେ କି ନା ଜାଣେ ନାହିଁ; ମାତ୍ର ମୁଁ ପାରିବି । ସ୍ୱାମୀ ମୋର ଖେଳ କଣ୍ଢେଇ ନୁହନ୍ତି – ପୂଜାର ଦେବତା । ତାଙ୍କ ସେବାର ସୌଭାଗ୍ୟ ପାଇଲେ ମୁଁ ଦୁଃଖକୁ ସୁଖ ତୁଲ୍ୟ ମଣିବି ।

 

କୁନ୍ଦୀ– ଏ ଭାବ ରକ୍ଷା କରିପାରିବୁ ତ ?

 

ଶେଫାଳିକା– କାହିଁକି ନ ପାରିବି ? ଦୁର୍ଗା, ଲକ୍ଷ୍ମୀଙ୍କର ସଉତୁଣୀ ଅଛନ୍ତି, ଦ୍ରୌପଦୀଙ୍କର ସଉତୁଣୀ ଥିଲେ, ସେମାନେ ଆମ୍ଭର ଆରାଧ୍ୟା ଦେବୀ । ଆରାଧ୍ୟା ଦେବୀ ଯାହା ପାରିଛନ୍ତି, ତାଙ୍କର ସେବିକା ତାହା ନ ପାରିବେ କାହିଁକି ? ମୁଁ ଯେଉଁ ବ୍ରତ ଧାରଣ କରିଅଛି, ସେଥିରେ ଭଗବାନ ମୋର ସହାୟ ହେବେ । ତାଙ୍କର କଲ୍ୟାଣର ଉଜ୍ୱଳ ହସ୍ତ ମୋ କାର୍ଯ୍ୟ ଉପରେ ନିଶ୍ଚୟ ଅମୃତ ବୃଷ୍ଟି କରିବ । ସଉତୁଣୀ ମୋତେ ପୀଡ଼ା ଦେଲେ ମୁଁ ତାକୁ ପ୍ରତିଦାନରେ ପ୍ରେମ ଦେବି । ମୋତେ ଦୁଃଖ ଦେଇ ସେ ଯଦି ସୁଖ ଭୋଗକରେ, ତେବେ ତାହା ତ ମୋର ପରମ ପୁଣ୍ୟ । ଆଖୁ ନିଜ ଦେହରୁ ରସ ବାହାର କରି ନିଜେ ଜାଳ ହୋଇ ତାକୁ ପକ୍ୱକରି ପରକୁ ଦିଏ । ମୋର ସୁଖ ନେଇ ଯଦି କେହି ସୁଖୀ ହୁଏ, ତେବେ ତାହାଠାରୁ ଆନନ୍ଦ କଅଣ ଅଛି ? ତ୍ୟାଗରେ ଯେ ରୂପ ଆନନ୍ଦ ମିଳେ, ଭୋଗରେ ସେ ରୂପ ମିଳେ ନାହିଁ । ଉତ୍କଳ-ଲଳନା ତ୍ୟାଗର ମାହାତ୍ମ୍ୟ ଜାଣନ୍ତି । ମୁଁ ତାଙ୍କର ବଂଶୀୟା, ମୁଁ ତ୍ୟାଗ କରିବି, ତାହା ମୋ ପକ୍ଷରେ ଦୁଷ୍କର ନୁହେଁ ।

 

କୁନ୍ଦୀ– ସମସ୍ତେ ଏହିପରି ମୁହଁରେ କହନ୍ତି, ମୁଁ ଜାଣେ । କୁନ୍ଦୀ ବ୍ରାହ୍ମଣୀ ଏହି ବୟସରେ ଢେର ଦେଖିଲାଣି । କୁବୁଦ୍ଧି ଯେତେବେଳେ ଘୋଟେ, ଏହିପରି ଘୋଟେ ।

 

କୁନ୍ଦୀ ମାଉସୀ ଯୁକ୍ତିରେ ପରାସ୍ତ ହୋଇ ଏତିକି ମାତ୍ର କହି ମୁହଁଟାକୁ ଭାରି କରି ଉଠିଗଲା ।

Image

 

Unknown

ଚତୁର୍ଥ ପରିଚ୍ଛେଦ

 

ପ୍ରତାପପୁର ଶାସନର ଦୁଇକ୍ରୋଶ ଉତ୍ତରରେ ପ୍ରତି ବୁଧବାରରେ ଗୋଟାଏ ହାଟ ବସେ-। ହାଟର ଖୁବ୍‌ ନାମଡାକ୍‌ । ଦିନକର ବାଟରୁ ଦୋକାନୀ ପଶାରିମାନେ ଆସନ୍ତି । ହାଟରେ ସୁତାଠାରୁ ମୁକ୍ତା ପର୍ଯ୍ୟନ୍ତ ଯାହା ଖୋଜିଲେ ତାହା ମିଳେ । ଏହି ହେତୁରୁ ବହୁଦୂରରୁ କ୍ରେତାମାନେ ଆସନ୍ତି । ହାଟଟି ସାଧାରଣରେ ‘‘ବୁଧବାର ହାଟ’’ ନାମରେ ପରିଚିତ । ଲୋକେ କହନ୍ତି– ‘‘ବୁଧବାର ହାଟରେ ବାପ ମା ଛଡ଼ା ସବୁ ମିଳେ । ପ୍ରତାପପୁର ଶାସନର ଅନେକ ବ୍ରାହ୍ମଣ ନଡ଼ିଆଜାଲି ମୁଣ୍ଡାଇ ହାଟକୁ ଯାଆନ୍ତି । ନଡ଼ିଆ ବିକିସାରି ଲୁଣ ତେଲ ପାନ, ଗୁଆ, ଦୁକୁତା ପ୍ରଭୃତି ଆବଶ୍ୟକ ଦ୍ରବ୍ୟ କିଣି ଆଣନ୍ତି । ସହରବାସୀଙ୍କ ପରି ପଲ୍ଲୀବାସୀଏ ନିତି ଖାଆନ୍ତି ନାହିଁ । ସେମାନେ ସପ୍ତାହର ଉପଯୁକ୍ତ ଦ୍ରବ୍ୟ ହାଟରୁ କ୍ରୟ କରି ରଖନ୍ତି । ଅଧିକ ହେଲେ ବଳି ପଡ଼େ, ଉଣା ହେଲେ ସେହିଥିରୁ ତୁଲାଇ ନିଅନ୍ତି । ଏହି ହାଟଟି ସେ ଅଞ୍ଚଳର ଅନ୍ତର୍ବାଣିଜ୍ୟକୁ ବଞ୍ଚାଇ ରଖିଅଛି ।

ଦିନେ ପଞ୍ଚୁ ରଥ ଏବଂ ଶୁକୁଟି ପତ୍ରୀ ହାଟ ସଉଦା ସାରି ଫେରି ଆସୁଥିଲେ । ଏଦୁହେଁ ପ୍ରତାପପୁର ଶାସନ ନିବାସୀ; ସୁତରାଂ ସାରଥି ନନ୍ଦଙ୍କର ପ୍ରତିବେଶୀ । ସେମାନଙ୍କ ସଙ୍ଗରେ ଶୁକୁଟି ପତ୍ରୀର ମାଉସୀପୁଅ ଭାଇ ଭୂତେଇ ମିଶ୍ର ଥିଲେ । ମିଶ୍ର ହାଟକୁ ଆସିଥିଲେ; ଶୁକୁଟି ପତ୍ରୀ ତାଙ୍କୁ ଦେଖି ସାଙ୍ଗରେ ଡାକି ଆଣିଥିଲା । ସାରଥି ନନ୍ଦେ ମଧ୍ୟ ସେଦିନ ହାଟକୁ ଯାଇଥିଲେ । ଉକ୍ତ ତିନିଜଣଙ୍କ ପଛେ ପଛେ ସେ ଆସୁଥିଲେ; ମାତ୍ର ତାହା କେହି ଲକ୍ଷ୍ୟ କରି ନାହାନ୍ତି । ଅନ୍ଧକାର ରାତ୍ରି, କେତେ ହାଟୁଆ ଚାଲୁଛନ୍ତି, କିଏ କାହାକୁ ଚିହ୍ନିବ କାହଁକି ? ସବୁ ଥକାଠାରୁ ହାଟ ଥକା ବେଶି ବାଧେ । ସମସ୍ତଙ୍କ ମନ ନିଜ ନିଜ ଘରର ତୋରାଣି କଂସା ପାଖରେ, ଏପରି ଅବସ୍ଥାରେ କିଏ କାହାକୁ ଚାହେଁ । ଉପରୋକ୍ତ ତିନିଜଣ ନାନା କଥା କହି କହି ଚାଲିଅଛନ୍ତି । ଏ ବର୍ଷର ପାଳକ କଥା, ଗ୍ରାମର କଥା, ନିଜ ସୁଖ ଦୁଃଖର କଥା, ଏହିପରି ନାନା କଥାର ଆଲୋଚନା ହେଉଅଛି । ଭୂତେଇ ମିଶ୍ର ନିଜର ଅବସ୍ଥା ପ୍ରସଙ୍ଗରେ କହିଲେ– ‘‘ଏଥର ଆଷାଢ଼ ମାସରୁ ଘରୁ ଧାନ ସରିଯିବ, ତେଣିକି କଅଣ ହେବ ଆଜହୁଁ ମୋତେ ଏହି ଚିନ୍ତା ଘାରିଲାଣି । ଗଲାବର୍ଷ ଧୂଳିହାତ ପାଣିହାତ କରି ମାରି ନେଇଗଲି, ହେଲେ ଏ ସନ କିଛି ଭରସା ଦିଶୁନାହିଁ । ଚାକରୀରୁ ମିଳିବ ଚାରିଟଙ୍କା, ସେ ପୁଣି ସ୍କୁଲ ଚାକିରୀ, ତିନି ଚାରିମାସରେ ଥରେ ବର୍ତ୍ତନ ମିଳିବ । ତାହାରି ଉପରେ ଭାର ଦେଇ କି ଦଶ ପ୍ରାଣୀ କୁଟୁମ୍ବ ପୋଷି ହେବ ? ଚାକିରୀ ଖଣ୍ଡ ସୁଦ୍ଧା ଟଳମଳ । ନୂଆ ମାଷ୍ଟରଟା ସଙ୍ଗରେ ମୋର ପଡ଼ୁନାହିଁ, ସେ ମୋତେ କିପରି ବାହାର କରିବ ଏହି ଖଞ୍ଜରେ ଅଛି । ମୁଁ ତାକୁ ଡରେ ନାହିଁ ଯେ, ଖୁବ୍‌କରି ବେଳେ ବେଳେ ବତାଇ ଦିଏଁ । ଥରେ କହିଲେ– ‘‘ତୁମ୍ଭେ ମୋର ଭଲା କଅଣ କରିପାରିବ, ଚାକିରୀ ଖଣ୍ଡ ଗଲେ ମୁଁ ଉପାସ ରହିବ ନାହିଁ । ସ୍ୱବୃତ୍ତି, ପାରିବୃତ୍ତି, କବିରାଜୀ, ଢୋଲକ ବାଜି, ମୋର ଏ ଚାରି ବିଦ୍ୟା ଅଛି । ପୁରୋହିତ ମୋର ସ୍ୱବୃତ୍ତି, ଅପର-ପ୍ରାଇମେରୀ ପାସ୍‍ କରି ଟ୍ରେନିଂ ପଡ଼ିଛି– ତାହା ମୋର ପାରିବୃତ୍ତି, କିଛି କବିରାଜୀ ମଧ୍ୟ ଜାଣେ, ତହିଁ ଉପରେ ଗାଇବା ବଜାଇବା ଅଛି । ଏଥି ମଧ୍ୟରୁ କୌଣସି ଗୋଟାକୁ ଆଶ୍ରା କଲେ ମୁଁ ବଞ୍ଚିଯିବି; ମାତ୍ର ତୁମ୍ଭେ କରଣ ଜାତି ହଳ କରିବ ନାହିଁ, କି ମୂଲ ଲାଗିବ ନାହିଁ । ଆଉ କଥା ଥାଉ, ଭିକ ବି ମାଗିପାରିବ ନାହିଁ । ଚାକିରୀଖଣ୍ଡ ଗଲେ ତୁମ୍ଭେ ଦିନ ଦିପହରେ ଗଡ଼ିଯାଇ ମରିବ ।’’ ସେହିଦିନୁ ଆଉ କିଛି ସେ କହୁନାହିଁ । ନିଜେ ତ ଯେଉଁ ପଣ୍ଡିତ, ସେଥିରେ ପୁଣି ମୋତେ ବାଛିବ । ପ୍ରଥମ ଶିକ୍ଷକ, ଦ୍ୱିତୀୟ ଶିକ୍ଷକ ନ ଲେଖି ଏକମ ଶିକ୍ଷକ, ଦୁଇୟ ଶିକ୍ଷକ ବୋଲି ଲେଖେ, ଏହା କଅଣ ତାହାର ଭୁଲ ନୁହେଁ-। ଭୂତେଇ ଉତ୍ତେଜିତ ହୋଇ ଏହିପରି କେତେକଥା ବକି ବକି ଚାଲି ଥାଆନ୍ତି; ମାତ୍ର ସେ ଉଚ୍ଛୃଙ୍ଖଳତା ତାଙ୍କ ସ୍ୱଭାବର ଗୁଣ ନୁହେଁ– ଗୋଟାଏ କୃଷ୍ଣବର୍ଣ୍ଣ ପଦାର୍ଥ ବିଶେଷର ଗୁଣ, ଏହା ବୋଲିବା ବାହୁଲ୍ୟ । ହାଟରୁ ବାହାରିବାବେଳେ ସେ ସେହି ପଦାର୍ଥ ଦୁଇପଇସାର କିଣି ପାଣିଚଳାକ ସଙ୍ଗରେ ଗିଳି ପକାଇ ଥିଲେ ।

ଶୁକୁଟି ପତ୍ରୀ କହିଲା, ‘‘ଘରକରଣା କଥା କାହିଁକି କହୁଛ ନନା, ଛାଡ଼ିଦିଅ ସେ କଥା । ଯାହା କହନ୍ତି – ଘରର ଝକ୍‌ ମାରଣା, ତାହା ଠିକ୍‌ । ଜମି ବନ୍ଧା ପକାଇ ଟୋକାଟାକୁ ପଇତା ଖିଏ ଦେଲି; ମାତ୍ର ତିନି ବର୍ଷ ହେଲା ସେ ଜମି ଆଉ ମୁକୁଳାଇ ପାରିଲି ନାହିଁ । ଅର୍ଜନ ପାତିତ ନାହିଁ, ଯାହା ଭଲା ହୁଅନ୍ତା, ତାହା ଭସ୍ମା ସାରଥିଆ ତ କରାଇ ଦେଲାନାହିଁ ।

ଭୂତେଇ– ସାରଥିଆ କିଏ ?

ଶୁକୁଟି– ସେହି ଯେ ଆମ ଶାସନର ସାରଥି ନନ୍ଦ ।

ଭୂତେଇ– ମୁଁ ତ ଶୁଣିଛି ସେ ଜଣେ ଭଲ ପଣ୍ଡିତ । ସେ କଅଣ କଲେ ?

 

ଶୁକୁଟି– ତା ମୁଣ୍ଡ ଗଣ୍ଡି ପଣ୍ଡିତ ! ସ୍ୱଜାତିର ଅନ୍ନରେ ଧୂଳି ପକାଇବ, ଏହି ପଣ୍ଡିତପଣ ନା ଆଉ କିଛି ?

 

ପଞ୍ଚୁ ରଥେ ଏ ପର୍ଯ୍ୟନ୍ତ ସବୁ ନୀରବରେ ଶୁଣୁ ଥିଲେ । ନନ୍ଦଙ୍କର ନିନ୍ଦା ଶୁଣି ସେ ଆଉ ସହି ପାରିଲେ ନାହିଁ । କହିଲେ– ‘‘କିରେ ଶୁକୁଟା ତୁ ସାରଥି ନନ୍ଦକୁ ନିନ୍ଦା କରୁଛୁ କାହିଁକି ? ତାହାପରି ଜଣେ ବ୍ରାହ୍ମଣ ଆମ ଶାସନରେ ଅଛିନା ? ତାହାରି ଲାଗି ଶାସନର ମର୍ଯ୍ୟାଦା ଅଛି ।’’

 

ଶୁକୁଟି– ମୁଁ କଣ ତାହା ମନାକରୁଛି ? ତାହାପରି ଜାଣିବାର ଆଉ କିଏ ? ସେ ଯେତେବେଳେ ବେଦ ପୁରାଣରୁ ଆଣି ଦାଇକା ଦେଖାଏ, ତେତେବେଳେ ତା ମୁହଁରେ କଥା କହିବ କିଏ ? ଶାସନରୁ ତ ବିଦ୍ୟା ସରିଗଲା, ଖାଲି ସେହି ଅଛି ବୋଲି ଯାହାକିଛି ଅଛି । ତାହାପରେ ଶାସନ ଅନ୍ଧାର ହୋଇଯିବ । ହେଲେ ଆମେ ଚାରିପଇସା ଖାଇଲେ ତାହା ଦେହ ସହେ ନାହିଁ କାହିଁକି ? ସେଦିନ ସେ ବିଲାତ ଫେରାନ୍ତା ଟୋକାଏ ବିଧାନ ନେବାକୁ ଆସିଥିଲା, ଆମେ ସବୁ ଶାସନ ମର୍ଯ୍ୟାଦା ଅଢ଼େଇଶ ଟଙ୍କା ମାଗିଲୁ, ସେ ଦେବାକୁ ମଙ୍ଗିଥିଲା । ତାହାହେଲେ ଘରପିଛା ଦଶଟଙ୍କା ଲେଖାଏଁ ମିଳିଥାଆନ୍ତା; ମାତ୍ର ସାରଥି ନନ୍ଦ ଯାଇ ପାଞ୍ଚଟଙ୍କାରେ ରଫା କରିଦେଲା । ଘରକା ସୁଉକେ ବି ମିଳିଲା ନାହିଁ । ସ୍ୱଜାତିର ତଣ୍ଟି ଚିପିଲେ ବିଧାତା କଅଣ ମଙ୍ଗଳ କରିବେ ? ଆଉ କଅଣ ଅଛି, ମୂଳରୁତ ଆଣ୍ଠକୁଡ଼ା, ସକାଳୁ ଉଠି ମୁହଁ ଚାହିଁଲେ ବି ଯଶ ନାହିଁ ।

 

ପଞ୍ଚୁ ରଥେ– ରାମ ରାମ, ଏହା କି ମନୁଷ୍ୟ କହେ । ନିଃସନ୍ତାନ ହେବା ତ ଅଦୃଷ୍ଟର କଥା, ସେଥିରେ ମନୁଷ୍ୟର କି ଚାରା ଅଛି । ବ୍ୟବସ୍ଥା ପଇସାସବୁ ତୁମ୍ଭେମାନେ ନିଅ, ସେ କଅଣ ତାହା ଛୁଏଁ ?

 

ଭୂତେଇ– (ଆଶ୍ଚର୍ଯ୍ୟ ହୋଇ) କଅଣ, ସେ ପଇସା ସେ ନିଅନ୍ତି ନାହିଁ ?

ପଞ୍ଚୁ– ନା, ସେ କହନ୍ତି– ‘‘ବ୍ୟବସ୍ଥା ବିକି ଖାଇବା ବ୍ରାହ୍ମଣର ଧର୍ମ ନୁହେଁ ।’’

 

ଭୂତେଇ– ତାହାହେଲେ ତ ସେ ଜଣେ ପ୍ରକୃତ ଆଦର୍ଶ ବ୍ରାହ୍ମଣ । ସେପରି ଲୋକର ପାଦୋଦକ ପାନ କରିବା ଉଚିତ । ଧନ୍ୟ ଏ ସଂସାର, ଏପରି ସାଧୁ ସଚ୍ଚରିତ୍ର ନ୍ୟାୟନିଷ୍ଠ ନିର୍ଲୋଭ ବ୍ରାହ୍ମଣ ନାମରେ ବି ନିନ୍ଦା ରଟନା ହୁଏ ।

 

ଏ ମନ୍ତବ୍ୟ ଶୁଣି ଶୁକୁଟି ପତ୍ରୀର ଉଚ୍ଛ୍ରିତ ମସ୍ତକ ଲଜ୍ଜାରେ ଆନତ ହୋଇଗଲା । ସେ ଆଉକିଛି କହିପାରିଲା ନାହିଁ । କଥା ଶେଷ ହେବାବେଳକୁ ବାଟ ମଧ୍ୟ ସରି ଆସିଥିଲା । ଗ୍ରାମରେ ପହଞ୍ଚି ସମସ୍ତେ ନିଜ ନିଜ ଘରକୁ ଗଲେ ।

 

ଶୁକୁଟି ପତ୍ରୀର କଠୋର କୁତ୍ସା ରଟନାରେ ନନ୍ଦେ ବିଚଳିତ ହେଲେନାହିଁ । ଜଣକ ମୁହଁରୁ ଗୁଣର ପ୍ରଶଂସା ଏବଂ ବ୍ୟବହାରର ନିନ୍ଦା ଯୁଗବତ୍‌ ବାହାର ହେବାର ଦେଖି ବରଂ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ସେ ମନେ ମନେ ଭାବିଲେ – ‘‘ଶେଫାଳିକା କହିଥିଲେ – ‘ଲୋକେ କହିବେ ସକାଳୁ ଉଠି ଆଣ୍ଠୁ କୁଡ଼ାର ମୁହଁ ଚାହିଁଲେ ଯଶ ନାହିଁ ’ ଏହା ସତ କଥା । ଲୋକେ କହିବେ କାହିଁକି, କହି ସାରିଲେଣି । ଏହି ତ ଶୁକୁଟି ପତ୍ନୀର ପ୍ରକାଶ୍ୟରେ କହିବାକୁ ସୁଦ୍ଧା ସଙ୍କୁଚିତ ହେଲା ନାହିଁ । ତେବେ ମୁଁ ବିବାହରେ ମତ ଦେଇ ଭୁଲ କରିନାହିଁ । ଯଦି ବା ଭୁଲ ହୋଇଥାଏ, ତେବେ ଥରେ ଅଧେ ଭୁଲଭ୍ରାନ୍ତି ଘଟିଲେ ଯେ ସାରା ଜୀବନଟା ବ୍ୟର୍ଥ ହୋଇଯିବ, ଏପରି ତ କୌଣସି ବିଧି ନାହିଁ । ଏ ବୟସରେ ବିବାହ ନ କରି ବନକୁ ଯିବା ଉଚିତ, ଏହା ଶାସ୍ତ୍ରାଦେଶ; ମାତ୍ର ସେହି ଶାସ୍ତ୍ର କହୁଛି, ‘ପୁତ୍ରାର୍ଥେ କ୍ରିୟତେ ଭାର୍ଜ୍ୟା, ପୁତ୍ରଃ ପିଣ୍ଡପ୍ରୟୋଜନମ୍‌।’ ପୁତ୍ର ଅଭାବରେ ପିଣ୍ଡ କିଏ ଦେବ ? ଏହା ମୁଁ ଭୁଲି ଯାଇଥିଲି; କିନ୍ତୁ ଶେଫାଳିକା ଭୁଲି ନାହାନ୍ତି । ସେ ଖୁବ୍‌ ବୁଦ୍ଧିମତୀ, ଏପରି ବୁଦ୍ଧିମତୀ ସ୍ତ୍ରୀ ମୋ କପାଳକୁ ବଞ୍ଚିଲେ ହୁଏ । ହାୟ, ଯାହାର ସ୍ତ୍ରୀ ଏପରି ଗୁଣବତୀ ତାହାର ପୁଣି ଦ୍ୱିତୀୟ ବିବାହ-। କିନ୍ତୁ କଅଣ କରିବି ଗୋଟାଏ ଅଭାବ ଲାଗି ସ୍ୱୀକାର କରିବାକୁ ହେଲା ।’’ ସତେ ତ ତାଙ୍କର ପୁତ୍ର ନାହିଁ, ପୁତ୍ର ଅଭାବରେ ଯେ ତାଙ୍କର ଛପନ–ପୁରୁଷ ଜଳପିଣ୍ଡ ବିନା ଶୁଷ୍କକଣ୍ଠରେ ଛଟପଟ ହେବେ । ବାସ୍ତବରେ ପୁତ୍ରର ଜଳଧାର ବିନା ପିତୃପୁରୁଷରୂପ ଚାତକ ମୁହଁରେ ଜଳ ଦେବ କିଏ । ପିତୃପୁରୁଷଙ୍କ ତୀବ୍ର ଶାପାନଳରେ ନନ୍ଦେ ଯେ ଜଳି ଭସ୍ମ ହୋଇଯିବେ । ଏହିପରି ଚାରିଆଡ଼କୁ ବିଚାର କରି ସେ ବିବାହରେ ମତ ଦେଇଅଛନ୍ତି । ସ୍ୱାମୀଙ୍କର ସମ୍ମତି ପାଇ ଶେଫାଳିକାଙ୍କ ମନ ଉଲ୍ଲାସରେ ନାଚି ଉଠି ଉତ୍ସାହରେ ମାତି ଉଠିଅଛି । ସେ ନା ନା ସ୍ଥାନକୁ ଲୋକ ପଠାଇ ପାତ୍ରୀର ଅନୁସନ୍ଧାନ କରୁଅଛନ୍ତି । ସେ ଆଉ ବିଳମ୍ବ ସହିପାରୁ ନାହାନ୍ତି, ରାତିରେ ଶୋଇପାରୁ ନାହାନ୍ତି । ଅଧୀର ଉତ୍କଣ୍ଠା ଏତେ ବଢ଼ୁଅଛି ଯେ, ଶଯ୍ୟା ତାହାକୁ କଣ୍ଟକିତ ବୋଧ ହେଉଅଛି ।

 

ତ୍ରିପୁରା ଗ୍ରାମରେ ସପ୍ତା ବସିଅଛି । ଲୋକରଞ୍ଜନ ସକାଶେ ବାରୁଆଳ ମୁର୍ତ୍ତି ତୟାରି ହୋଇଅଛି । ସ୍ୱୟଂ ଶ୍ରୀମତୀ ବାରୁଆଳୀ କ୍ରୋଧରକ୍ତ ନେତ୍ରରେ ଦଣ୍ଡାୟମାନ । କେଶପାଶ ମୁକୁଳିତ ହୋଇ ପୃଷ୍ଠ ହେଶରେ ବିଲୁଣ୍ଠିତ । ଶ୍ରୀମତୀ ବାମ ଶ୍ରୀହସ୍ତରେ ଦଗ୍‌ଧଭାଗ୍ୟ ସ୍ୱାମୀର ଚୈତନ୍ୟ ଚିହ୍ନ ଦୃଢ଼ ମୁଷ୍ଟିରେ ଧାରଣପୂର୍ବକ ଦକ୍ଷିଣ ଶ୍ରୀହସ୍ତରେ ସଂମାର୍ଜନୀ ଚାଳନା କରୁଅଛି । ସେ ଦୃଶ୍ୟ ଯାତ୍ରାକାଳି ସ୍ତ୍ରୀ ଲୋକମାନଙ୍କର ବଡ଼ ଲୋଭନୀୟ । ସୁତାରାଂ ସମସ୍ତେ ସେହିଠାରେ ରୁଣ୍ତ ହୋଇଅଛନ୍ତି । ପିମ୍ପୁଡ଼ିମାଳ ପରି ଦର୍ଶକର ଯାତାୟତ ଲାଗିଅଛି । ଦିନେ ପ୍ରତାପପୁର ଶାସନରୁ ପଞ୍ଝାଏ ସ୍ତ୍ରୀଲୋକ ଯାତ୍ରା ଦେଖିବାକୁ ବାହାରିଲେ । ଶେଫାଳିକା ମଧ୍ୟ ସେମାନଙ୍କ ସଙ୍ଗରେ ଗଲେ । ଯାତ୍ରାରେ ପହଞ୍ଚି ଜଣେ ଦୁଇଜଣ ଅରସିକା ବୃଦ୍ଧା ସପ୍ତା ଭାଗବତ ଶୁଣିବାକୁ ବସିଲେ, ଆଉ ସମସ୍ତେ ବାରୁଆଳି ଦେଖା ଏବଂ ସଉଦା କିଣାରେ ଲାଗିଲେ । କେହି ଗୋଡ଼ ହାତର ଆଙ୍ଗୁଳିକି କିଛି ମୁଦି କିଣିଲା, କେହି ରଙ୍ଗଢଙ୍ଗିଆ ପୁତିମାଳ କିଣିଲା, କେହି ହାଣ୍ଡୀ, କେହି ବଢ଼ା, କେହି ଶାଗଧୂଆ ଜାଲି କିଣିଲା, କେହି ବା ଚୂଡ଼ାଗୁଡ଼ କିଣି ଉଦର ଦେବତାକୁ ପିଣ୍ଡ ଅର୍ପଣ କଲା । ଯେଉଁମାନେ ପୁଅ ଝିଅର ମା, ସେମାନେ ପୁଅ ଝିଅଙ୍କ ପାଇଁ କଣ୍ଢେଇ କିଣିଲେ, କେହି ପୁଅ ପାଇଁ ରେଶମୀ ଅଣ୍ଟାଡୋର କିଣିଲେ, କେହି ଝିଅ ଲାଗି କଉଡ଼ି ଥୋପାଯୁକ୍ତ ହାତଫୁଲି କିଣିଲା, କେହି ତାହାର ସ୍ନେହପାଳିତ କୁନି ବିରାଡ଼ି ପାଇଁ ଘୁଂଗୁରୁମାଳ କିଣିଲା; ମାତ୍ର ଶେଫାଳିକା କିଛି କିଣିଲେ ନାହିଁ । ତାଙ୍କର କିଏ ଅଛି, ସେ କାହା ଲାଗି କିଣିବେ ? ତାଙ୍କର ମନଟା ତିକ୍ତ ହୋଇ ଉଠିଲା । ବନ୍ଧ୍ୟା ନାରୀର ଦୁଇ ଆଖିରୁ ସାତ ସମୁଦ୍ରର ଜଳ ବାହାରି ଆସିଲା । ସେ ଯାତ୍ରାରୁ ଚାଲିଆସିଲେ । ଅଳ୍ପ ଦୂରରେ ଗୋଟାଏ ଘର ଥିଲା, ସେ ଯାଇ ସେହି ଘର ପିଣ୍ଡାରେ ବସିପଡ଼ିଲେ ।

 

କିଛିକ୍ଷଣ ପରେ ଶେଫାଳିକା ଉଠି ଦ୍ୱାର ମୁହଁରେ ଠିଆହୋଇ ଡାକିଲେ– ‘‘ଘରେ କିଏ ଅଛିଲୋ ମା, ଏ ବ୍ରାହ୍ମଣ ଘର ନା କି ଘର, ଲୋଟାଏ ପାଣି ମିଳିବ ?’’ ଗୃହ ମଧ୍ୟରୁ କ୍ଷୀଣ କମ୍ପିତ ସ୍ୱରରେ ଉତ୍ତର ଆସିଲା – ‘‘କିଏ ଲୋ ମା, ଭିତରକୁ ଆସ ।’’ ଶେଫାଳିକା ଘର ଭିତରକୁ ଯାଇ ଦେଖିଲେ– ଜଣେ ରୋଗଶୀର୍ଣ୍ଣା ବୃଦ୍ଧା ମଳିନ ଶଯ୍ୟାରେ ଶୟନ କରିଅଛି । ବୃଦ୍ଧା ଶେଫାଳିକାକୁ କହି ପଚାରିଲା– ‘‘ତମ ଘର କଉଁଠି ଲୋ ମା ?’’ ଶେଫାଳିକା କହିଲେ– ‘‘ଆମ ଘର ପ୍ରତାପପୁର । ସପ୍ତା ଦେଖିବାକୁ ଆସିଥିଲି । ଶୋଷ କଲା ଯେ ପାଣି ପିଇବାକୁ ଆସିଲି ।’’ ବୃଦ୍ଧା, ଏହା ଶୁଣି ଡାକିଲେ, ଲୋ ସଉଦି, ଲୋ ଚୁଲିପଶି, ଲୋ ପୋଡ଼ାମୁହିଁ, କାନରେ ନିଆଁ ଲାଗିଛି କି ? ଲୋଟାଏ ପାଣି ଆଣ ।’’ ଅଳ୍ପକ୍ଷଣ ପରେ ଗୋଟାଏ ଚତୁର୍ଦ୍ଦଶବର୍ଷୀୟା ଜଳକୁମ୍ଭ ହସ୍ତରେ ଉପସ୍ଥିତ ହେଲା । କିଶୋରୀ ଗୌରବର୍ଣ୍ଣା, ଅପୂର୍ବ ସୁନ୍ଦରୀ; ମାତ୍ର ତାହାର ସୌମ୍ୟସୁନ୍ଦର ବଦନମଣ୍ଡଳ ଚନ୍ଦ୍ର ପରି ମଳିନ । ପରିଧେୟ ଖଣ୍ତିଏ ଜୀର୍ଣ୍ଣ ମଳିନ ଲାଲ କିନାରି ଖଦି; ମାତ୍ର ସେହି ମଳିନ ବସ୍ତ୍ରାନ୍ତରାଳରୁ ସୁନ୍ଦରୀର ଅଲୌକିକ ସୌନ୍ଦର୍ଯ୍ୟ ଫୁଟି ବାହାରୁଅଛି । କିଶୋରୀ ପାଣି ଲୋଟା ଥୋଇ ଦେଇ ଅପରଚିତା ଆଗନ୍ତୁକାର ମୁହଁକୁ ଚାହିଁ ଠିଆ ହୋଇ ରହିଲା । ଶେଫାଳିକା ଜଳପାନ କରିସାରି ମୃଦୁ ମଧୁର ସ୍ୱରରେ ବୃଦ୍ଧାକୁ ପଚାରିଲେ, ‘‘ଜର ହୋଇଛି କି ମାଉସୀ ?’’

 

ବୃଦ୍ଧା– ହଁ, ଜର ହୋଇଛି, ମରିଯିବି । ପୋଡ଼ାମୁହାଁ ଯମ ବି ମୋତେ ପାଶୋରିଲାଣି ?

 

ଶେଫାଳିକା– ନା ଲୋ ମାଉସୀ, ଯମ ପାଶୋରିବା ଲୋକ ନୁହେଁ । ତେତେ ସେ କାହାର ଜାଗିରିଖିଆ ଚାକର ନୁହେଁ ଯେ, ଡାକିଲାକ୍ଷଣି ଆଜ୍ଞାପ୍ରମାଣେ ଆସି ହାଜର ହେବ । ନଗାହାରି ପୁରିଲେ, ସଂସାରରୁ ଦାନାପାଣି ସରିଲେ ସେ ବଳେ ବଳେ ଆସି ନେଇଯିବ । ଏଟି କଅଣ ତମର ଝିଅ ?

 

ସଂସାର, ସମାଜ ଏବଂ ରୋଗର ଦାରୁଣ ଆଘାତରେ ବୃଦ୍ଧାର ସ୍ୱଭାବ ଅସ୍ୱାଭାବିକ କଡ଼ା ହୋଇଯାଇ ଥିଲା । ସେ କର୍କଶ ସ୍ୱରରେ କହିଲା– ‘‘ହଁ ମୋର ଝିଅ ମୋର ଗାତ, ମୋର ଚୁଲି । ସବାଖାଇ, ଅସୁରୁଣୀ, ବାପକୁ ଖାଇଲା, ଜାତି ଧର୍ମ ଖାଇଲା, ଆଉ ମୋତେ ଖାଇଲେ ଯାଇ ତା ପେଟ ପୂରିବ । ଝିଅ ନୁହେଁ ଯେ, ମୋର ଭଗାରୀ ମୋ ପେଟରୁ ଜନ୍ମ ହୋଇଥିଲା ।’’ ଶେଫାଳିକା ମୃଦୁ ମୃଦୁ ହସି ମନେ ମନେ କହିଲେ– ଯାହା କହନ୍ତି ମଳୁ ଚଳୁ, ତାହା ସତ । ରୋଗୀର ସ୍ୱଭାବ ସେ କଥା କଥାକେ ଚଳିଉଠେ । ଶେଫାଳିକା ସ୍ୱଭାବମଧୁର ଜିହ୍ୱାରେ ଆଉ ଟିକିଏ ମଧୁ ବୋଳି ଦେଇ ସହାନୁଭୂତିବ୍ୟଞ୍ଜକ ଅତ୍ୟନ୍ତ କୋମଳ ସ୍ୱରରେ କହିଲେ– ‘‘ପିଲାଟା ଉପରେ କାହିଁକି ଏତେ ବେକାର ହେଉଛୁ ମାଉସୀ ? ମୁଁ ଜାଣୁଛି– ତୋ ମନରେ ଖୁବ୍‌ ଦୁଃଖ ହୋଇଛି । ଆଚ୍ଛା କହନି ମାଉସୀ, କି ଦୁଃଖ ?’’ ବୃଦ୍ଧା ଉଦାସସ୍ୱରରେ କହିଲା– ‘‘କଅଣ କହିବି ଲୋ ମା, କହିଲେ କିଏ ଦୁଃଖ ହରିନେବ ନା ବୋଝ ଭାର ହୋଇଛି ଯେ, ଓହ୍ଲାଇ ପକାଇବ ।’’ ଶେଫାଳିକା କହିଲେ– ‘‘ନା, ଦୁଃଖ କେହି ହରିନେଇପାରେ ନାହିଁ, ତେବେ ଦୁଃଖୀ ପାଖରେ ଦୁଃଖ କହିଲେ ଦୁଃଖର ଭାର ଅଧେ ଉଣା ହୋଇଯାଏ । ସଂସାରରେ ଦୁଃଖୀ କିଏ ନୁହେଁ ଲୋ ମାଉସୀ, ତୁ ଦୁଃଖୀ, ମୁଁ ଦୁଃଖୀ, ସମସ୍ତେ ଦୁଃଖୀ । ତେବେ କାହାର ଦୁଃଖ ଅଳ୍ପ ଆଉ କାହାର ବା ଅଧିକ ।’’ ବୃଦ୍ଧା ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ ଅପେକ୍ଷାକୃତ ନରମ ସ୍ୱରରେ କହିଲା, ‘‘ତେବେ ଶୁଣିବୁ ମା ମୋର ଦୁଃଖ, ଆଚ୍ଛା କହୁଛି ଶୁଣ ।’’ ବୃଦ୍ଧା ଏହା କହି ଶଯ୍ୟାରୁ ଉଠି କାନ୍ଥକୁ ଆଉଜି ବସିଲା । ରୋଗରାଜ୍ୟର ପ୍ରଜାପରି ତାହାର ଦେହ ଶୀର୍ଣ୍ଣ, ପଞ୍ଜରାସ୍ଥି ଗଣି ହେଉଅଛି । ମୁଖ ପାଣ୍ଡୁର, ନୟନ ଦୀପ୍ତିହୀନ, ଯେମନ୍ତ କି, କି ଗୋଟାଏ ନିଦାରୁଣ ବେଦନା ତାହାର ନୟନରୁ ଜ୍ୟୋତି ଶୋଷି ନେଇଅଛି । ବୃଦ୍ଧା ଧୀରେ ଧୀରେ କହିଲା– ‘‘ଏ ଗ୍ରାମରେ ସାତ ପୁରୁଷ ହେଲା ଆମର ବାସ । ସମ୍ପତ୍ତି ଯାହା ଥିଲା, ତାହା ମୋର ଶଶୁରଙ୍କଠାରୁ ଶେଷ ହୋଇଅଛି ସେ ନିଶା ପାଣିରେ ସବୁ ଉଡ଼ାଇ ଦେଇ ଯାଇ ଅଛନ୍ତି । ଅର୍ଥାଭାବରୁ ନିଜର ଏକମାତ୍ର ପୁତ୍ରକୁ ଚାରି ଅକ୍ଷର ପାଠ ପଢ଼ାଇ ଯାଇ ପାରି ନାହାନ୍ତି । ବ୍ରାହ୍ମଣ ମୂର୍ଖ ହେଲେ ଭିକ୍ଷା ବୃତ୍ତି ଛଡ଼ା ଆଉ ତାହାର ଆଶ୍ରୟ କଣ ଅଛି; ଯାହାହେଉ ଦୁଃଖେ ଦୁଃଖେ ଦିନ କଟିଯାଉଥିଲା । ଦେଖୁଁ ଦେଖୁଁ ଏ ପୋଡ଼ାକପାଳୀର ବୟସ ଏଗାର ବର୍ଷ ହୋଇ ଗଲା । ତାକୁ ପାଣି ଠେକିଏ ଢାଳି ଦେଇ ପାତ୍ରସ୍ଥ କରି ପାରିଲୁ ନାହିଁ । ଆମ ବଂଶରେ ଝିଅ ବିକା ନାହିଁ । ଖାଲି ହାତରେ ତ ଆଉ ବିଭାଘର ହୁଏ ନାହିଁ । ତେବେ ମାଗିମୁଗି ଧୂଳି ହାତ ପାଣି ହାତ ପାଣି କରି କାମଟା ଚଳାଇ ଦେବାକୁ ହୋଇଥାଆନ୍ତା । ବରପାତ୍ର ବି ଠିକ୍‌ ହୋଇଥିଲା । ହେଲେ ସେ ସୁଖ ଏ ହୀନକପାଳୀ ଭାଗ୍ୟରେ କାହିଁ ? ବାର ବର୍ଷରେ ଗୋଡ଼ ଦେଲାକ୍ଷଣି ଏ ବଅଁଶଖାଇ ବାପକୁ ଖାଇଦେଇ ବସିଲା । ବିଧାତା ଯାକୁ ଦୁଃଖ ଦିଏ, ତାକୁ ଦୁଃଖ ଉପରେ ଦୁଃଖ ଦିଏ । ବାପ ମରିବାର ଚାରିମାସ ଯାଇନାହିଁ, ଅଲକ୍ଷଣୀ ଘରଯୋଗା ହୋଇ ବସିଲା-। ଏବେ ଜାତି ଗଲା, ଧର୍ମ ଗଲା, ସବୁ ଗଲା । ବ୍ରାହ୍ମଣ ଘରେ ପାରିଲା କନ୍ୟା କିଏ ବିଭା କରିବ । ପିତୃପୁରୁଷଙ୍କ ଜଳପିଣ୍ଡ ବୁଡ଼ିଲା, ସେମାନେ ନରକରେ ପଡ଼ିଲେ, ଏହାଠଉଁ ବଳି ଆଉ କି ଦୁଃଖ ଅଛି କହ ଲୋ ମା ? କୁଳକଳଙ୍କିନୀ ମରିଗଲେ ଶଲ ଯାଆନ୍ତା । ଏ, ହଟହଟା ଜୀବକୁ ଯମ ଖାଇ କେଉଁ ତୁଠରେ ମୁହଁ ଧୋଇବ ? ଏହାରି ଲାଗି ଦୁଇବର୍ଷ ହେଲା ମୁଁ ଗାଁରେ ଏକଘରିଆ ହୋଇ ରହିଅଛି, ଲାଜରେ ମୁଣ୍ଡ ଟେକିପାରୁ ନାହିଁ । ମୁଁ ମଲେ ମୋତେ କେହି ଛୁଇଁବେ ନାହିଁ, ପାଣହାଡ଼ି ଘୋଷାରି ନେଇ ମଶାଣି ଭୂଇଁରେ ଗଡ଼େଇ ଦେଇ ଆସିବେ ।’’ ବୃଦ୍ଧାର ଜୀର୍ଣ୍ଣ ଜୀବନରେ କରୁଣ ଇତିହାସ ଶୁଣି ଶେଫାଳିକା କହିଲେ– ‘‘ତାହାତ କପାଳର ଦୋଷ ଲୋ ମାଉସୀ, ସେଥିରେ ଝିଅର କି ଚାରା ଅଛି । ଆହା, ଚାନ୍ଦମୁହଁଟି ଶୁଖିଯାଇଛି । ଜଣେ ଜଣେ ରାଶିମନ୍ତ ବଢ଼ିଆଳ ଥାଆନ୍ତି, ଏଗାର ବାର ବର୍ଷରେ ଘରଯୋଗୀ ହୁଅନ୍ତି, ସେଥିକି ସେ କଅଣ କରିବ । ତାହାର ହାବର କଥା ତ ନୁହେଁ । ଝିଅଟିର ନା କଅଣ ମାଉସୀ ?

 

ବୃଦ୍ଧା– ଅତି ସରାଗରେ ବାପ ସୌଦାମିନୀ ନା ଦେଇଥିଲେ ।

 

ଶେଫାଳିକା– ନା ଟି ଆଚ୍ଛା ସୁନ୍ଦର । କିଛି ଚିନ୍ତା କରନା ମାଉସୀ । ଝିଅଟି ସୁଲକ୍ଷଣୀ, ତାହା କପାଳରେ ଖୁବ୍‌ ସୁଖ ଅଛି ।

 

ବୃଦ୍ଧ– ସୁଖ ଅଛି ନା ପାଉଁଶ ଅଛି । ସମାଜରେ ଯାହାର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ, ତାହାର ସ୍ୱପ୍ନରେ ବି ସୁଖ ନାହିଁ ।

 

ଏହି କଥାବାର୍ତ୍ତା ଶୁଣି ସୌଦାମିନୀ ଲଜ୍ଜାରେ ସଙ୍କୋଚିତ ହୋଇ ସେଠାରୁ ପଳାଇ ଯାଇଥିଲା । ଶେଫାଳିକା କିଛିକ୍ଷଣ ମନେ ମନେ କଅଣ ଭାବି ସଙ୍କୋଚ କମ୍ପିତ କଣ୍ଠରେ କହିଲେ–‘‘ମାଉସୀ, ମୁଁ ଗୋଟାଏ କଥା କହିବି, ମନରେ କିଛି ବିଚାରିବୁ ନାହିଁ ତ ?’’

 

ବୃଦ୍ଧା– ନା, ମା, କାହିଁକି କଅଣ ବିଚାରିବି ? କଅଣ କହିବୁ କୁହ ।

ଶେଫାଳିକା– ଝିଅଟିକି ମୋତେ ଦେ ।

 

ବୃଦ୍ଧ ବିସ୍ମୟବିହ୍ୱଳ ଦୃଷ୍ଟିରେ ଶେଫାଳିକାଙ୍କ ମୁହଁଙ୍କୁ ଚାହିଁ ରହି କେତେକ୍ଷଣ ପରେ କହିଲା–‘‘ତୁ ନେବୁ, ନେଇ କଅଣ କରିବୁ ?’’

 

ଶେଫାଳିକା– ମୋ ସ୍ୱାମୀଙ୍କ ସଙ୍ଗରେ ବିବାହ ଦେବି ।

 

ବୃଦ୍ଧାର ବିସ୍ମୟ ଆହୁରି ବୃଦ୍ଧି ଲାଭ କଲା । ସେ କହିଲା–‘‘ସମାଜ ପତିତ କରିବ ନାହିଁ-?’’

 

ଶେଫାଳିକା– ସେ କଥାର ଭାର ମୋ ଉପରେ ।

 

ବୃଦ୍ଧା– ତୁ କାହିଁକି ନିଜ ଗଳାରେ କାଳଫାଶ ବାନ୍ଧିବୁ ? ପରୋପକାର ଲାଗି ବୋଲି କହିବୁ ? ପରୋପକାର ତ ସବୁ ସମୟରେ ସବୁ ଅବସ୍ଥାରେ ଧର୍ମ ନୁହେ ମା ।

 

ଶେଫାଳିକା– କାଳଫାଶରେ ଭୟ ମୋର ନାହିଁ ମାଉସୀ । ମୁଁ ପରୋପକାର କରିବାକୁ ଯାଉନାହିଁ, ସେ ସୌଭାଗ୍ୟ ମୋର ନାହିଁ । ନିଜର ଉପକାର ପାଇଁ ମୁଁ ଏହା କରିବି ।

 

ଏ ମହିମାମୟୀ ରମଣୀର ସ୍ଥିର ନିଶ୍ଚଳ ଉକ୍ତି ଶୁଣି ବୃଦ୍ଧା ନିର୍ବାକ ବିସ୍ମୟରେ ଅଭିଭୂତ ହୋଇପଡ଼ିଲା । ଶେଫାଳିକା ତାହାର ଏ ଭାବ ଲକ୍ଷ୍ୟ କରି ମୃଦୁ ମୃଦୁ ହସିବାକୁ ଲାଗିଲେ । ବୃଦ୍ଧା ଚକିତ କଣ୍ଠରେ କହିଲା– ‘‘ମା, ତୁ କେଉଁ ଦେବୀ, ମନୁଷ୍ୟ ରୂପ ଧରି ଏ ପତିତାକୁ ଉଦ୍ଧାର କରିବାକୁ ଆସିଛୁ ? ଏ ପାପିଷ୍ଠାର ବିକଳ କ୍ରନ୍ଦନରେ ତୋର ସଂହାସନ କି ଟଳିଛି ମା !’’ ବୃଦ୍ଧାର କଣ୍ଠ ବାଷ୍ପରୁଦ୍ଧ ହୋଇଆସିଲା– ନେତ୍ରଦ୍ୱୟରୁ ଶ୍ରାବଣର ବୃଷ୍ଟିଧାରା ବାହାରି ଆସିଲା । ସେ ବିହ୍ୱଳ ହୋଇ ଶେଫାଳିକାଙ୍କୁ କୁଣ୍ଢାଇ ପକାଇଲା । ଶେଫାଳିକା ବୃଦ୍ଧାର ହସ୍ତଧରି କହିଲେ– ‘‘ନା, ମାଉସୀ, ମୁଁ ଦେବୀ ନୁହେ, ତୋହିରି ଝିଅ, ତୋହରି ପରି ମନୁଷ୍ୟ । ମୋର ପୁଅ ଝିଅ କିଛି ନାହିଁ । ମୋର ଶ୍ୱଶୂରଙ୍କ ବଂଶ ରକ୍ଷା ଲାଗି ମୁଁ ସ୍ୱାମୀଙ୍କୁ ବିଭା କରାଇବି । ସେଥିପାଇଁ ତୋ ପାଖରେ କନ୍ୟା ଭିକ୍ଷା କରୁଛି ।’’ ବୃଦ୍ଧା ଏହା ଶୁଣି ମନେ ମନେ ଶେଫାଳିକା ପ୍ରତି ସମ୍ମାନର ପୁଷ୍ପାଞ୍ଜଳି ଢାଳି ଦେଲା– କୃତଜ୍ଞତାର ଅର୍ଘ୍ୟସ୍ୱରୂପ ଅଶ୍ରୁ ପ୍ରବାହରେ ବକ୍ଷ ଭସାଇଦେଲା । ଆନନ୍ଦରେ ଗୋଟାଏ ଉନ୍ମତ୍ତ ବାୟୁ ପ୍ରଚଣ୍ଡ ବେଗରେ ତାହା ହୃଦୟ ମଧ୍ୟରେ ବହିଗଲା । ମନରୂପ ଶୁଖିଲା କାଠରେ ଆଶାର ଫୁଲ ଫୁଟି ଉଠିଲା, ତହିଁ ସଙ୍ଗେ ସଙ୍ଗେ ତାହାର ନିରାନନ୍ଦ ପାଣ୍ଡୁର ଶୁଷ୍କ ଅଧର କୋଣରେ କ୍ଷୀଣ ହାସ୍ୟରେଖା ଦେଖାଗଲା । କ୍ରନ୍ଦନ ମୁଖରେ ହାସ୍ୟ ରୌଦ୍ର ବୃଷ୍ଟିରେ ଅପୂର୍ବ ସମ୍ମିଳନ ପରି ବୋଧ ହେଲା । ବୃଦ୍ଧା ଶେଫାଳିକା ମସ୍ତକରେ ରୋଗଶୀର୍ଣ୍ଣ କମ୍ପିତ ହସ୍ତ ସ୍ଥାପନ କରି ଅଶ୍ରୁ ଗଦ୍‍ଗଦ୍‍ କଣ୍ଠରେ କହିଲା– ‘‘ମୁଁ କଲ୍ୟାଣ କରୁଛି, ତୁ ଚିରକାଳ ସ୍ୱାମୀ-ସୌଭାଗ୍ୟବତୀ ହୋଇଥା, ପାକଲା ବାଳରେ ସିନ୍ଦୂର ପିନ୍ଧ, ତୋର କାଚପଟି ଅକ୍ଷୟ ହେଉ । ପୂର୍ବ ଜନ୍ମରେ ତୁ ମୋର ମା ଥିଲୁ, ଏ ଜନ୍ମରେ ମୋତେ ଏ ଦୁର୍ଭାଗ୍ୟର ସଙ୍କଟରୁ ଉଦ୍ଧାର କଲୁ । ମୁଁ ଏବେ ଆନନ୍ଦରେ ମରିବି । ତୋର ଏ ଦୟାର ଋଣ ମୁଁ ସାତ ଜନ୍ମରେ ଶୁଝିପାରିବ ନାହିଁ । ସଉଦୀ ତୋର ସାନ ଭଉଣୀ, ତାକୁ ତୋ ହାତରେ ଦେଇ ମୁଁ ନିଶ୍ଚିନ୍ତ ହେଲି । ତାହାର ଭବିଷ୍ୟତ ମଙ୍ଗତ ତୋହରି ହାତରେ ଅଛି । ଏହା ମୋର ଆତ୍ମାପୁରୁଷ ହୃଦୟ ଭିତରୁ ମୋତେ କହି ଦେଉଛି ।’’ ସୌଦାମିନୀ ବହୁକାଳ ପରେ ମାତାଙ୍କ ସ୍ନେହ ସ୍ୱର ଶୁଣି କିଞ୍ଚିତ୍‌ ଆଶ୍ଚର୍ଯ୍ୟାନ୍ୱିତ ହେଲା ଏବଂ ଧୀରେ ଧୀରେ ଆସି ମାତାଙ୍କ ରୋଗଶଯ୍ୟା ପାଖରେ ବସି ପଡ଼ିଲା । ବୃଦ୍ଧା ତାହାର ହାତକୁ ଶେଫାଳିକାଙ୍କ ହାତ ଉପରେ ରଖି କହିଲା– ‘‘ମା, ଏହି ତୋର ସାନ ଭଉଣୀ କି ନେ, ମୁଁ ଏବେ ଖଲାସ । ସଉଦି, ତୋରି ବଡ଼ ନାନୀକୁ ଜୁହାର ହୋ ।’’ ସୌଦାମିନୀ ମାତୃ ଆଦେଶମତେ ଶେଫାଳିକାଙ୍କ ପାଦତଳରେ ଲୁଠି କରି ଜୁହାରଟିଏ ହେଲା । ଶେଫାଳିକା ତାହାକୁ କୋଳକୁ ଟାଣିନେଇ ତାହାର ଚିବୁକ ଟେକିଧରି ସ୍ନେହାର୍ଦ୍ର ସ୍ୱରରେ କହିଲେ– ‘‘ସୌଦାମିନି, ମୁଁ କିଏ କହନି ? ମୁଁ ତୋ ମାର ବଡ଼ ଝିଅ, ମୋତେ ନାନୀ ବୋଲି ଡାକିବୁ ।’’ ସୌଦାମିନୀ ଲଜ୍ଜାରେ ମୁଖ ଅବନତ କଲା, ଶେଫାଳିକା ସ୍ୱହସ୍ତରୁ ସ୍ୱର୍ଣ୍ଣ ମୁଦ୍ରିକା ବାହାର କରି ହସି ହସି ତାହା ଅଙ୍ଗୁଳିରେ ପିନ୍ଧାଇ ଦେଲେ । ସବୁ ହେଲା; ମାତ୍ର ବର କିଏ ଏବଂ ବରର ବୟସ କେତେ, ବୃଦ୍ଧା ତାହା ଜାଣିପାରିଲା ନାହିଁ କିମ୍ବା ଶେଫାଳିକାଙ୍କୁ ପଚାରିବାକୁ ସାହସ ଖଟିଲା ନାହିଁ । ପଚାରିବି ଅବା କିପରି ? ହିନ୍ଦୁ ରମଣୀ କି ସ୍ୱାମୀର ନାମ କହିବ, ତାହା ପଚାରିବା ତ ଅବିଧି; ମାତ୍ର ବୃଦ୍ଧାର ଏ ସନ୍ଦେହ ଅଧିକ କ୍ଷଣ ସ୍ଥାୟୀ ହେଲା ନାହିଁ । ଶେଫାଳିକା ଉଠିବାକୁ ଉନ୍ମୁଖ ହେଉଅଛନ୍ତି ଏହି ସମୟରେ ପିତେଇ ଡାକି ଡାକି ଆସିଲା– ‘‘ମା ଠାକୁରାଣୀ, ଆସ, ସମସ୍ତେ ବାହାରିଲେଣି ।’’ ବୃଦ୍ଧା ପିତେଇକୁ ଦେଖି ତାହାକୁ ଶେଫାଳିକାଙ୍କ ଦାସୀ ମନେକରି ପଚାରିଲା– ‘‘କିଏ କାହା ଘର ବୋହୂ ଲୋ ଝିଅ ?’’ ପିତେଇ କହିଲା– ‘‘ପ୍ରତାପପୁର ଶାସନର ନନ୍ଦଙ୍କ ଘର ବୋହୂ ।’’ ବୃଦ୍ଧା ହସି ହସି କହିଲା– ‘‘ଏବେ ଚିହ୍ନିଲି ସାରଥି ନନ୍ଦ ବୋହୂ । ସାରଥିର କେତେ ବୟସ ହେବ କି, କାଲି ମୋ ଆଗରେ ପିଲା, ମୋ ସଉଦୀର କପାଳ ଭଲ ।’’ ଅନନ୍ତର ଶେଫାଳିକା ଉଠି ଠିଆହୋଇ କହିଲେ– ‘‘ମା ମୁଁ ଯାଉଛି, କାଲି ଲୋକ ପଠାଇ ସବୁ ଠିକ କରିବି । ବିବାହ ଏହି ଆସନ୍ତା ବୈଶାଖ ମାସରେ ହେବ, ତୁ କିଛି ଚିନ୍ତା କରିବୁ ନାହିଁ । ସବୁ ଭାର ମୋ ଉପରେ ।’’ ଏହା କହି ବୃଦ୍ଧାର ପଦ ପ୍ରାନ୍ତରେ ନମସ୍କାର କଲେ । ବୃଦ୍ଧା ସସ୍ନେହେ ଆଶୀର୍ବାଦପୂର୍ବକ ଦାଣ୍ଡଦ୍ୱାର ପର୍ଯ୍ୟନ୍ତ ଯାଇ ଶେଫାଳିକାଙ୍କୁ ବାଟୋଇ ଦେଇ ଆସିଲା ।

 

ବୃଦ୍ଧାର ଆଜି କି ଆନନ୍ଦ ! ସେ ଆନନ୍ଦ-ସ୍ୱର୍ଗର ଆନନ୍ଦାମୃତ ପାନ ସୁଖ ଉପଭୋଗ କରୁଅଛି । କି ଗୋଟାଏ ବୈଦ୍ୟୁତିକ ଶକ୍ତି ତାହାର ପ୍ରତି ଶିରା ସନ୍ଧିରୁ ପ୍ରତି ରକ୍ତ କଣିକାରୁ ରୋଗ ବାର୍ଦ୍ଧକ୍ୟର ଦୁର୍ବଳତା ହରି ନେଇଅଛି । ଯେଉଁ କନ୍ୟା ପ୍ରତି ଘୃଣାରେ ହୃଦୟ ଦଗ୍‌ଧ ହେଉଥିଲା, ସେହି କନ୍ୟା ପ୍ରତି ଆଜି ସ୍ନେହାଦରର ସୀମା ନାହିଁ । ଦୁଃଖଭାରାକ୍ରାନ୍ତ ଦିନ ଆଜି ସୁଖରେ ଲଘୁ ବୋଧ ହେଉଅଛି । ଆଜି ଦିନଟି କି ମଧୁର ଆକାଶ ବତାସ ମଧୁର, ସୃଷ୍ଟି ମଧୁମୟ । ବୃଦ୍ଧା କନ୍ୟାକୁ କୋଳକୁ ଟାଣିନେଇ ତାହା ମସ୍ତକରେ ମାତୃସ୍ନେହର ଶୀତଳ ହସ୍ତ ବୁଲାଉ ଦେଉଁ ଦେଉଁ କହିଲା– ‘‘ମା, ଏ ଦୁଃଖିନୀ ମା’ଟା ଉପରେ ରାଗିବୁ ନାହିଁ । ଢେର କଟୁ କଥା କହିଛି, ଢେର ଗଞ୍ଜଣା ଦେଇଛି, ଗର୍ଭଧାରିଣୀ ହୋଇ ବିମାତାଠାରୁ ନିଷ୍ଠୁର ହୋଇଅଛି; ସବୁ ଭୁଲି ଯିବୁ । ଦାରିଦ୍ର୍ୟ କଷ୍ଟ ଆଉ କନ୍ୟାଦାୟ କଷ୍ଟ ବଡ଼ କଷ୍ଟ ମା । ସେ ଜ୍ଞାନୀକୁ ବି ପାଗଳ କରିଦିଏ । ମୋ ମା, ମୋ ରାଣୀ, ମୋ ଲକ୍ଷ୍ମୀ, ସବୁ ଭୁଲିଯା ।’’ ବୃଦ୍ଧା କନ୍ୟାକୁ ଏହିପରି ପ୍ରବୋଧ ଦେଇ ଉପସ୍ଥିତ ଯେତେ ଦେବଦବୀଙ୍କ ନାମ ମନରେ ପଡ଼ିଲା ସମସ୍ତଙ୍କୁ ଅତ୍ୟନ୍ତ ଭକ୍ତିର ସହିତ ହାତ ଯୋଡ଼ି ଦଣ୍ଡବତ କରିବାକୁ ଲାଗିଲା ।

Image

 

ପଞ୍ଚମ ପରିଚ୍ଛେଦ

 

ପିତେଇର ଗୋଟାଏ ସୁମହତ୍‌ ଗୁଣ ଏହି ଯେ, ସେ ଯାହା ଶୁଣେ ଏବଂ ସେହି ଶୁଣିବାରୁ ଯେଉଁ ଜ୍ଞାନାର୍ଜନ କରେ ତାହାକୁ ସେ ପେଟରେ ଲୁଚାଇ ରଖେ ନାହିଁ । ଜଗତର ହିତ ଅର୍ଥରେ ତାହା ପ୍ରଚାର କରିଦିଏ । ଏକା ପିତେଇ ନୁହେ – ପ୍ରାୟ ପ୍ରତ୍ୟେକ ସ୍ତ୍ରୀ ଏହି ବିଶିଷ୍ଟ ଗୁଣର ଅଳ୍ପାଧିକ ଅଧିକାରିଣୀ । ସେଟା ତାଙ୍କ ପକ୍ଷରେ ବିଧାତାଙ୍କର ଅତିରିକ୍ତ ଦୟାର ଦାନ । ଏହି ବିଶିଷ୍ଟ ଗୁଣ ଯୋଗୁଁ ସେମାନେ ବିଶିଷ୍ଟା । ମଫସଲ ଗ୍ରାମରେ ତ ଟେଲିଫୋନ୍‌ ନାହିଁ; ସୁତରାଂ ପିତେଇ ପରି ଜଣେ ଜଣେ ନାରୀଦ୍ୱାରା ବିନା ବ୍ୟୟରେ ତ୍ୱରିତ ବାର୍ତ୍ତା ପ୍ରଚାରର ଖୁବ୍‌ ସୁବିଧା । ସେଥି ସକାଶେ ବିଧାତା ଏହିପରି ନାରୀରତ୍ନରୁ କୌଣସି ଗ୍ରାମକୁ ବଞ୍ଚିତ କରିନାହାନ୍ତି । ଯେଉଁ ଗ୍ରାମରେ ଖୋଜ ଏହିପରି ଗୁଣନିପୁଣା ଅନ୍ତତଃ ଅର୍ଦ୍ଧପଣରୁ ଉଣା ମିଳିବେ ନାହିଁ । ପିତେଇ ମାଛି ଅନ୍ଧାରରୁ ଉଠି ନନ୍ଦଙ୍କ ବିବାହପ୍ରସଙ୍ଗ ପ୍ରଚାର କରିବାକୁ ଶୁଭଯାତ୍ରା କଲା । ଘଡ଼ିକ ମଧ୍ୟରେ ଗ୍ରାମସାରା ରସନା ନାଗରା ପିଟିଦେଇ ଫେରି ଆସିଲା । ସ୍ଥାନେ ସ୍ଥାନେ ଆଲୋଚନା ସଭା ବସିଗଲା । ଅନେକଙ୍କୁ ପରିହାସର ଗୋଟାଏ ପୃଷ୍ଟିକର ଖାଦ୍ୟ ମିଳିଗଲା । କେହି କହିଲା– ‘‘ବ୍ରାହ୍ମଣ ମରିବାବେଳକୁ ପରିବା କାଟି ବସିଲା ।’’ କେହି କହିଲା– ‘‘ବିଭା ବନ୍ଦାପନା ଏକ ସଙ୍ଗରେ ହେବ ।’’ କେତେକ କହିଲେ– ‘‘ବିଭା, ବନ୍ଦାପନା, କାର୍ଯ୍ୟଘର ତିନିକାମ ଏକା ଥରକେ ଛିଡ଼ିଯିବ ।’’ କେହି ଅସାଧାରଣ ଶାସ୍ତ୍ର ବିଶାରଦ ବ୍ୟକ୍ତି ଦାରୁଣ କ୍ଷୋଭ ପ୍ରକାଶପୂର୍ବକ କହିଲା ‘‘ଜାତି ଗଲା, ଧର୍ମ ଗଲା, ସବୁ ଗଲା । ଏ କଳିକାଳରେ ଆଉ କିଛି ରହିବ ନାହିଁ । ଭାଗବତରେ କହିଛି ପରା – ‘ସର୍ବେ ହୋଇବେ ଏକକାର, ନ ଥିବେ ବେଦର ବିଚାର ।’ ଏଥିରେ ପୁଣି ଲୋକେ କହନ୍ତି– ‘‘ଇନ୍ଦ୍ର ପାଣି ଦେଲା ନାହିଁ, ବସୁମତୀ ଶସ୍ୟ ହରଣ କଲା ।’’ କିରେ ବାବୁ, ଦେବତାଙ୍କୁ ନିନ୍ଦା କିଆଁ ? ନିଜ କରଣି ତ ନିଜେ ଭୋଗୁଥାଇଁ । ବ୍ରାହ୍ମଣର ଯୁବତୀ ବିବାହ ମହାପାପ । ଯେଉଁ ଦେଶରେ ତାହା ହୁଏ, ସେ ଦେଶରେ ପୁଣି ବର୍ଷା ହେବ, ଧାନ ଫଳିବ ! ଏତେ ଦୁର୍ଭିକ୍ଷ କାହିଁକି ହେଉଛି, ଏତେ ଉପଦ୍ରବ କାହିଁକି ଘଟୁଛି ! ଘୋର ପାପ ଘୋର ପାପ ! ପୃଥିବୀ ଆଉ ଏ ପାପର ଭାର ସହିପାରିବ ନାହିଁ, ପାତାଳକୁ ଧସିଯିବ-।’’ କେତେ ଏହିପରି କହି ନିଜର ଶାସ୍ତ୍ର ଜ୍ଞାନରେ ଅପରକୁ ଚକିତ ସ୍ତମ୍ଭିତ କରିବାକୁ ପ୍ରୟାସୀ ହେଲେ । ଥୋକେ ଶିରଶ୍ଚାଳନାଦ୍ୱାରା ଏ ମତର ଅନୁମୋଦନ କରି ଗଭୀର ପାଣ୍ଡିତ୍ୟ ପ୍ରଦର୍ଶନରେ ଅଣୁମାତ୍ର ଅବହେଳା କଲେ ନାହିଁ ।

 

ବିବାହର ଲଗ୍ନ ସ୍ଥିର ହେଲା । ନନ୍ଦେ ଆୟୋଜନରେ ଲାଗିଲେ । ଶେଫାଳିକାଙ୍କୁ କେତେବେଳେ ତର ନାହିଁ ଘରଲିପା, ଧାନକୁଟା, ଝୁଟିଦିଆ, ଜାଇ ମଙ୍ଗଳା ପ୍ରଭୃତିରେ ସେ ସର୍ବଦା ବ୍ୟସ୍ତ । ସବୁ ଠିକ୍‌ହେଲା; ମାତ୍ର ଶାସନର ବ୍ରାହ୍ମଣମାନେ ଅଡ଼ି ବସିଲେ । ସେମାନଙ୍କର ସମସ୍ତ ଆପତ୍ତି ନନ୍ଦଙ୍କ ଯୁକ୍ତିତର୍କରେ ନଈ ବଢ଼ିରେ ଆବର୍ଜନା ପରି ଭାସିଗଲେ ସୁଦ୍ଧା ସେମାନେ ନିଜର ଜିଦ୍‌ ଛାଡ଼ିଲେ ନାହିଁ । ନନ୍ଦେ ସେମାନଙ୍କୁ ବୁଝାଇ କହିଲେ– ‘‘ବ୍ରାହ୍ମଣର ଯୁବତୀ ବିବାହ ଅଶାସ୍ତ୍ରୀୟ ନୁହେଁ । ପୂର୍ବେ ବ୍ରାହ୍ମଣ ସମାଜରେ ଯୁବତୀ ବିବାହ ପ୍ରଚଳିତ ଥିଲା । ଶାସ୍ତ୍ରରେ ସେଥିର ଭୁରି ଭୁରି ପ୍ରମାର ରହିଅଛି । କେବଳ ମଧ୍ୟରେ କେତେକାଳ ମୁସଲମାନ ରାଜତ୍ୱର ଦୌରାତ୍ମ୍ୟ ହେତୁ ତାହା ବନ୍ଦ ହୋଇ ଯାଇଥିଲା । ସେ ବିଧି ପୁନଶ୍ଚ ଚଳାଇଲେ ବେଦ ଅପବିତ୍ର ହୋଇଯିବ ନାହିଁ । ଉପସ୍ଥିତ କ୍ଷେତ୍ରରେ ଚଞ୍ଚଳ ନାରୀଧର୍ମ ପ୍ରାପ୍ତ ହେବା ତ ବାଳିକାର ଦୋଷ ନୁହେଁ କିମ୍ବା ତାହାର ପିତାମାତାର ଦୋଷ ସୁଦ୍ଧା ନୁହେ । ତେବେ ସେଥିପାଇଁ ସେମାନେ ପତିତ ହେବେ କାହିଁକି ? ଏହା ବିଚାର ନୁହେଁ ଅଖଣ୍ଡ ସ୍ୱାର୍ଥପରତାର ଉତ୍କଟ ପ୍ରମାଣ । ଯଦିଚ ତୁମ୍ଭମାନଙ୍କ ବିଚାରରେ ସେମାନେ ପତିତ ହୁଅନ୍ତି, ତେବେ ପତିତକୁ ଚିରକାଳ ପତିତ କରି ରଖିବା ଧର୍ମ ନୁହେଁ । ପତିତକୁ ଉଦ୍ଧାର କରିବାହିଁ ଧର୍ମ । ଗୋଟିଏ ନିର୍ଦ୍ଦୋଷ ବାଳିକାର ଜୀବନ ମାଟିକରି ଦେବାଠାରୁ ଅନ୍ୟାୟ ଅଧର୍ମ ଆଉ କଅଣ ଅଛି । କେହି ଚଞ୍ଚଳ, କେହି ବା ବିଳମ୍ବରେ ନାରୀତ୍ୱ ପ୍ରାପ୍ତ ହୁଏ, ତାହା ତ କାହାର ଆୟତ୍ତାଧିନ ନୁହେଁ । ପ୍ରକୃତିର କାର୍ଯ୍ୟରେ କିଏ ବାଧା ଦେଇପାରିବ ? ବାଳିକାଟା ବାରବର୍ଷରେ ରଜୋବତୀ ହେଲା ବୋଲି ତାହାର ଜାତି, ଧର୍ମ କେଉଁବାଟେ କେଉଁଆଡ଼େ ପଳାଇ ଗଲା ।’’ ନନ୍ଦେ ଏହିପରି ଅନେକ ବୁଝାଇଲେ; ମାତ୍ର ସବୁ ଅରଣ୍ୟ ରୋଦନରେ ପରିଣତ ହେଲା । ବ୍ରାହ୍ମଣମାନେ ନିଜର ଟାଣ ଛାଡ଼ିଲେ ନାହିଁ । ସେମାନେ ସ୍ପଷ୍ଟଭାବରେ କହିଲେ–‘‘ ଯହା ବେଦପୁରାଣରେ ନାହିଁ, ତାହା ସମର୍ଥନ କରି ଆମ୍ଭେମାନେ ପାପର ଭାଗୀ ହୋଇପାରିବୁ ନାହିଁତୁମ୍ଭେ ଯୁବତୀ ବିବାହ କଲେ ଶାସନରେ ଏକଘରିଆ ହୋଇ ରହିବ । ନନ୍ଦେ ବିରକ୍ତ ହୋଇ କହିଲେ–‘‘ବେଦର ଉଦାହରଣ ତ ସମସ୍ତେ ଦେଉଛ; ମାତ୍ର ବେଦ କାଠ କି ପଥର ଏବଂ ସେଥିରେ କଅଣ ଥାଏ, କେହି ଜାଣ କି ? ଏ ବିବାହ ମୁଁ ନିଶ୍ଚୟ ନିଶ୍ଚୟ କରିବି, ତୁମ୍ଭେମାନେ ଯାହା କରିବାର କର । ନନ୍ଦେ ଏହା କହି ଆଉ କେହି କିଛି କହିବା ପୂର୍ବରୁ ତ୍ୱରିତଗତିରେ ସେଠାରୁ ପ୍ରସ୍ଥାନ କଲେ । ବ୍ରାହ୍ମଣମାନେ ସୁଦ୍ଧା ରାଗରେ ଗର୍‌ ଗର୍‌ ହୋଇ ଉଠି ଚାଲିଗଲେ ।

 

ଦୁଇ ପକ୍ଷର ବିବାଦ ତୃତୀୟ ପକ୍ଷଦ୍ୱାରା ମୀମାଂସିତ ହୁଏ, ସବୁ ଗ୍ରାମରେ ଏହା ଦେଖାଯାଏ । ଭଜୁ ଆଚାର୍ଯ୍ୟ ଶାସନର ଜଣେ ପ୍ରାଚୀନ ଲୋକ । ତାଙ୍କର ପଢ଼ାଶୁଣା ଅଧିକ ନ ଥିଲେ ହେଁ ସେ ବୟୋଽଧିକ; ସୁତରାଂ ବ୍ୟବହାର ନିପୁଣ । ପଣ୍ଡିତ ନ ହେଲେ ସୁଦ୍ଧା ‘‘ସର୍ବନାଶେ ସମୁତ୍‌ପନ୍ନେ ଅର୍ଦ୍ଧଂ ତ୍ୟଜିତ ପଣ୍ଡିତଃ’’, ଏହି ନୀତିର ମର୍ମ ସେ ଭଲ ବୁଝନ୍ତି । ସେ ଶାସନର ବ୍ରାହ୍ମଣମାନଙ୍କୁ କହିଲେ, ‘‘ସାରଥି ନନ୍ଦଙ୍କୁ ଏକଘରିଆ କରି ଆମ୍ଭେମାନେ ଚଳି ପାରିବାତ ? ଶାସନରେ ସେ ଶିବରାତ୍ରିର ଶଳିତା, ସେ ନିଭିଲେ ଶାସନ ଅନ୍ଧକାର । ସେ ଅଛନ୍ତି ବୋଲି ଲୋକେ ବିଧିବ୍ୟବସ୍ଥା ନେବା ପାଇଁ ଆମ ଶାସନକୁ ଆସୁଛନ୍ତି । ସେଥିରେ ସମସ୍ତଙ୍କୁ ଦି ପଇସା ମିଳୁଛି । ତାଙ୍କ ସଙ୍ଗରେ କଳି କଲେ ଆପଣାର କ୍ଷତି ସିନା । ରାନ୍ଧୁଣୀ ସଙ୍ଗରେ ବିବାଦ କଲେ କି ତୁଣର ସ୍ୱାଦୁ ମିଳେ ? ଆଉ ତାଙ୍କର ବା ଆମ୍ଭେମାନେ କଅଣ କରିପାରିବା ? ସେ ଜମିଦାର ଘର ପୁରୋହିତ ଜମିଦାର ତାଙ୍କର ସପକ୍ଷ । ଆମ୍ଭେମାନେ ତାଙ୍କୁ ନ ଚଳାଇଲେ ଅନ୍ୟ ବ୍ରାହ୍ମଣ ଆସି ଚଳାଇବେ, ତେତେବେଳେ ଆମ୍ଭେମାନେ ହଟହଟାରେ ପଡ଼ିବା । ତାହାଛଡ଼ା ଯହିଁରେ ସାପ ନ ମରିବ, ବାଡ଼ି ନ ଭାଙ୍ଗିବ, ସେହିପରି ବ୍ୟବସ୍ଥା କରିବା ଉଚିତ । ସେ ଗୋଟାଏ ପ୍ରାୟଶ୍ଚିତ୍ତ କରନ୍ତୁ, ତାହାହେଲେ ତାଙ୍କ କଥା ରହିବ ଆଉ ଆମ କଥା ବି ରହିବ । ସେଥିରେ ଉଭୟ ପକ୍ଷର ମଙ୍ଗଳ । ଏ ପ୍ରସ୍ତାବରେ ସମସ୍ତେ ସମ୍ମତ ହେବାରୁ ଭଜୁ ଆଚାର୍ଯ୍ୟ ଯାଇଁ ନନ୍ଦଙ୍କୁ କହିଲେ– ‘‘ବିବାହ ପରେ ତୁମ୍ଭେ ତିଳସୁବର୍ଣ୍ଣ ପ୍ରାୟଶ୍ଚିତ୍ତ କର, ତାହା ହେଲେ ସବୁ ଗୋଳ ଛିଡ଼ିଯିବ ।’’ ଏହା ଶୁଣି ନନ୍ଦେ ହୋ ହୋ କରି ହସଉଠି କହିଲେ– ‘‘ଆଚାର୍ଯ୍ୟ ଆପଣେ ଏ କଥା ତୁମ୍ଭର କହିବା ପଣ୍ଡଶ୍ରମ ମାତ୍ର । ତୁମ୍ଭେ ନ କହି ଥିଲେ ବି ମୁଁ ପ୍ରାୟଶ୍ଚିତ୍ତ କରିଥାଆନ୍ତି । ପ୍ରାୟଶ୍ଚିତ୍ତ ମୁଁ ପ୍ରତ୍ୟହ କରେ, ତାହା ବ୍ରାହ୍ମଣର ଧର୍ମ । ମୁଁ ପ୍ରାୟଶ୍ଚିତ୍ତର ବିରୋଧୀ ନୁହେଁ । ନିତ୍ୟ ପ୍ରାୟଶ୍ଚିତ୍ତଦ୍ୱାରା ବ୍ରାହ୍ମଣଦ୍ୱାରା ବ୍ରାହ୍ମଣ ଆଚାରନିଷ୍ଠ ଏବଂ ପବିତ୍ର ହୁଏ । ଜାଣିତ ବା ଅଜାଣିତ ଦୋଷର କ୍ଷାଳନ ନିମନ୍ତେ ବ୍ରାହ୍ମଣ ତ୍ରିସନ୍ଧ୍ୟା, ତର୍ପଣ ଏବଂ ଗାୟତ୍ରୀ ଜପ କରେ; ତାହାହିଁ ତାହାରି ପ୍ରାୟଶ୍ଚିତ୍ତ । ସମାଜଶାସନ ବ୍ରାହ୍ମଣହାତରେ ଅଛି ବୋଲି ତାହାର ଯଦୃଚ୍ଛା ବ୍ୟବହାର କି ନ୍ୟାୟାନୁମୋଦିତ । ତୁମ୍ଭେମାନେ ଯଦି ବାଳିକାଟିକୁ ବିବାହ କରାଇ ନ ଦିଅ ଏବଂ ସେଥିପାଇଁ ସେ ଯଦି ବିପଥଗାମିନୀ ହୁଏ ବା ଭ୍ରୂଣହତ୍ୟା କରେ, ତେବେ ସେ ପାପ କାହାର ହେବ ? ତାହାର ଅନଳ ନିଃଶ୍ୱାସରେ କି ସମାଜ ପୋଡ଼ି ଭସ୍ମୀଭୂତ ହେବ ନାହିଁ । ସମାଜର ଏହିପରି କଠୋର ଶାସନ ହେତୁ ଲୋକମାନେ ଧର୍ମାନ୍ତର ଗ୍ରହଣ କରୁଅଛନ୍ତି । ସେଥିପାଇଁ ହିନ୍ଦୁ ସମାଜ କ୍ରମଶଃ ଦୁର୍ବଳ ଏବଂ ହିନ୍ଦୁ ସଂଖ୍ୟା ହ୍ରାସ ହୋଇ ଯାଉଅଛି । ତୁମ୍ଭେମାନେ ଯାହାକୁ ସମାଜରୁ ତଡ଼ିଦେଉଅଛ, ଅନ୍ୟ ଧର୍ମର ସମାଜ ତାହାକୁ ସମାଦରରେ ଗ୍ରହଣ କରି ପରିପୁଷ୍ଟ ହେଉଅଛି । ତେବେ ଉଦାରତା କାହାର – ତୁମ୍ଭର, ନା ଅନ୍ୟ ଧର୍ମାବଲମ୍ବୀମାନଙ୍କର ? ଦୋଷୀକୁ ତ୍ୟାଗ କରିବା ଧର୍ମ ନା, ତାହା ପ୍ରତି ଉଦାରତା ପ୍ରଦର୍ଶନ କରିବା ଧର୍ମ ? ଯେଉଁ ଧର୍ମରେ ଉଦାରତା ନାହିଁ, ତାହା ଧର୍ମପଦବାଚ୍ୟ ନୁହେଁ । ଉଦାରତା ଧର୍ମର ମହାର୍ହ ଅଳଙ୍କାର । ତୁମ୍ଭରି ଅଯୋଗ୍ୟତାରୁ ନାନା ପ୍ରକାର ଉପଧର୍ମ ଓ ଅପଧର୍ମ ସୃଷ୍ଟି ହେଉଅଛି । ସେଥିରେ ହିନ୍ଦୁସମାଜ ଏବଂ ହିନ୍ଦୁଧର୍ମ କେବଳ କଳୁଷିତ ହେଉନାହିଁ, କ୍ଷତ ବିକ୍ଷତ ଏବଂ ବିଶୃଙ୍ଖଳ ହେଉଅଛି । ମନୁଷ୍ୟର ସର୍ବଦା ଗୋଟାଏ ଅବଲମ୍ବନ ଛାଡ଼ିଲେ ତାହାର ଆଉ ଗୋଟାଏ ଅବଲମ୍ବନ ଦରକାର ସୁତରାଂ ସ୍ୱଧର୍ମ ଛାଡ଼ିଲେ ସେ ଅନନ୍ୟୋପାୟ ହୋଇ ପରଧର୍ମ ଗ୍ରହଣ କରିବ । ଜଳମଗ୍ନ ବ୍ୟକ୍ତି ଯାହାକୁ ପାଖରେ ପାଏ, ତାହାର ଗୁଣ ବା ଶକ୍ତି ବିଚାର ନ କରି ଦୃଢ଼ଭାବରେ ତାହାକୁ ଧରି ପକାଏ । ଉଦାରତା ହେତୁ ହିନ୍ଦୁ ଧର୍ମ ଜଗତରେ ଏଡ଼େ ଉପାଦେୟ ଏବଂ ମହମିତ । କିନ୍ତୁ ଦୁଃଖର ବିଷୟ, ହିନ୍ଦୁ ଧର୍ମର ଉଦାରତା କ୍ରମଶଃ ଲୋପ ପାଇଆସୁଅଛି । ଏ କାଳରେ କଥା କଥାକେ ହିନ୍ଦୁମାନଙ୍କର ଯେପରି ଜାତି, ଧର୍ମ ଧ୍ୱଂସ ହୁଏ, ଅନ୍ୟ କୌଣସି ଧର୍ମାବଲମ୍ବୀଙ୍କର ସେପରି ହୁଏ ନାହିଁ । ଧର୍ମ, ନ୍ୟାୟ ଏବଂ ସତ୍ୟର ଦୃଢ଼ଭିତ୍ତି ଉପରେ ସମାଜ ପ୍ରତିଷ୍ଠିତ । ସେଥିରୁ ସ୍ଖଳିତ ହେଲେ ସମାଜର ଅସ୍ତିତ୍ୱ ସୁଦ୍ଧା ରହିବ ନାହିଁ । ସମାଜପତିମାନେ ଏ କଥା ନ ବୁଝିବା ଗଭୀର କ୍ଷୋଭର ବିଷୟ ।

 

ବ୍ରାହ୍ମଣ ସମାଜର ଯେତେ ଅଧୋଗତିର କାରଣ ଅଛି, ସେଥି ମଧ୍ୟରେ ବାଲ୍ୟବିବାହ ପ୍ରଧାନ । ବାଲ୍ୟବିବାହର ମାରାତ୍ମକତା ସମାଜ ପ୍ରାଣେ ପ୍ରାଣେ ଭୋଗ କରି ସୁଦ୍ଧା ନୀରବ ରହିଅଛି-। କୌତୁକ ଦେଖି ଆମୋଦ ଉପଭୋଗ କଲା ପ୍ରାୟ ସମାଜ ଏହି କ୍ଷତିକର ଅଭିନୟ ବସି ଦେଖୁଅଛି । ଗୌରୀ ଦାନର ପୁଣ୍ୟ ଅଛି, ଯୁବତୀଦାନର ପୁଣ୍ୟ ନାହିଁ, ଏହା ଗୋଟାଏ ଅନ୍ଧବିଶ୍ୱାସ । ବାଲ୍ୟ ବିବାହରେ ପୁଣ୍ୟ ଯାହା ହେଉ; ମାତ୍ର ସମାଜର ଯଥେଷ୍ଟ ପାପ ପ୍ରବେଶ କରେ । ବାଲ୍ୟବିବାହ ହେତୁ ପିଲାମାନେ ବ୍ରହ୍ମଚର୍ଯ୍ୟ ରକ୍ଷା କରିପାରୁ ନାହାନ୍ତି । ଏ ଯୁଗରେ ଚଉଦ ପନ୍ଦର ବର୍ଷର ବାଳକ ସୁଦ୍ଧା ପିତା ହୋଇ ବସୁଅଛି । ଫଳରେ ରୁଗ୍‌ଣ ଦୁର୍ବଳ; ଖର୍ବକାୟ ହୋଇ କ୍ଷୀଣାୟୁ ହେଉଅଛି ଏବଂ ଅକାଳରେ ମୃତ୍ୟୁରେ କରାଳ କବଳରେ ନିପତିତ ହେଉଅଛି । ବ୍ରହ୍ମଚର୍ଯ୍ୟ ମାନବର ଦ୍ୱିତୀୟ ଜୀବନ । ବ୍ରହ୍ମଚର୍ଯ୍ୟ ପାଳନ କରି ମୁନିଋଷିମାନେ ଯୁଗଜୀବି ହେଉଥିଲେ । ଆମ୍ଭେମାନେ ସେମାନଙ୍କର ବଂଶଧର ହୋଇ ସୁଦ୍ଧା କର୍ମଦୋଷରୁ ପଶୁପକ୍ଷୀଠାରୁ ସ୍ୱଳ୍ପାୟୁ । ଗାର୍ଗୀ, ଆତ୍ରେୟ, ଶର୍ମିଷ୍ଠା, ଶକୁନ୍ତଳା ପ୍ରଭୃତି ମହମିତା ଋଷି କନ୍ୟାମାନେ ଦୁଧନାନ୍ତ ନ ପଡ଼ୁଣୁ ବିବାହିତା ହୋଇ ନ ଥିଲେ । ତେବେ ସେମାନଙ୍କର ଜାତି ଧର୍ମ ରହିଥିଲା କିପରି । ଖାଲି ଏହି ଯୁଗଟା କି ଜାତି, ଧର୍ମ ପାଳିବାର ଯୁଗ ? ବାଲ୍ୟବିବାହଦ୍ୱାରା ସମାଜରେ ବାଳବିଧବାର ସଂଖ୍ୟା ବଢ଼ି ଉଠୁଅଛି-। ସେଥିର ଫଳରେ ବ୍ୟଭିଚାର, ଗୁପ୍ତପାପ ଘୁଣ ରୂପରେ ସମାଜର ପଶି ତାହାକୁ ଅନ୍ତଃସାରଶୂନ୍ୟ କରିଦେଉଅଛି । ସମାଜର ଏହି ମହାପାପ ସକାଶେ କିଏ ଦାୟୀ ସମାଜର କର୍ଣ୍ଣଧାରମାନେ ନୁହନ୍ତି କି ? ଖାଲି ଗତାନୁଗତିକ ନ୍ୟାୟରେ ସମାଜପତି ବୋଲାଇଲେ ଚଳିବ ନାହିଁ । ସମାଜପତିମାନେ ସମାଜର ଚିକିତ୍ସିକ । ସମାଜର କେଉଁ ଅଙ୍ଗରେ କି ରୋଗ ଜାତ ହେଲା, ତାହା ଚିହ୍ନି ଚିକିତ୍ସା କରିବାକୁ ହେବ । ଆଚାର୍ଯ୍ୟ ଆପଣେ, ବାଲ୍ୟବିବାହ ପାଇଁ ପ୍ରାୟଶ୍ଚିତ୍ତ କରିବା ଉଚିତ, କି ଯୁବତୀ ବିବାହ ସକାଶେ ପ୍ରାୟଶ୍ଚିତ୍ତ କରିବା ଉଚିତ କର୍ଣ୍ଣଧାରମାନଙ୍କର କର୍ଣ୍ଣ ଧରି ଏହା ତୁମ୍ଭେ ବୁଝାଇ ଦେବ । ଆଉ ଅଧିକ କିଛି କହିବାକୁ ମୋର ସମୟ ନାହିଁ । କାହାରିକୁ ବିପନ୍ନ କରି ଆତ୍ମପ୍ରାଧାନ୍ୟ ଉପଭୋଗ କରିବା ବ୍ରାହ୍ମଣର କାର୍ଯ୍ୟ ନୁହେଁ । ତଦ୍ଦ୍ୱାରା ପଶୁତ୍ୱ ଆଡ଼କୁ ଗତି ହୁଏ ।’’

 

ନନ୍ଦଙ୍କ କଥାରେ ଆଚାର୍ଯ୍ୟ ଲଜ୍ଜିତ ହୋଇ କହିଲେ– ‘‘ନନ୍ଦ ଆପଣେ, ମୋର ଭୁଲ, ତୁମ୍ଭେ ପ୍ରକୃତ ବ୍ରାହ୍ମଣ । ମୁଁ ତୁମ୍ଭଙ୍କୁ ଅକାରଣ ପ୍ରାୟଶ୍ଚିତ୍ତ କରାଇବାକୁ ଯାଉଥିଲି । ମୋର ଅପରାଧ କ୍ଷମା କରିବ । ତୁମ୍ଭର ପ୍ରାୟଶ୍ଚିତ୍ତ କରିବାର ଦରକାର ନାହିଁ । ଆଉ କେହି ଖାଉ ବା ନ ଖାଉ ମୁଁ ତୁମ୍ଭ ଘରେ ଖାଇବି । ମୁଁ ଜାଣିଲି – ବ୍ରହ୍ମତେଜ ତୁମ୍ଭ ଦେହରେ ଅଛି । ଧର୍ମର ଆଲୋକରେ ତୁମ୍ଭର ହୃଦୟ ଆଲୋକିତ, ଶରୀର ଦେବାତୟ ପରି ପବିତ୍ର, ମନ ଗଙ୍ଗାଜଳ ପରି ସ୍ୱଚ୍ଛ ଏବଂ ଜ୍ଞାନ ପ୍ରଭାତୀ ତାରକା ପରି ଉଜ୍ଜ୍ୱଳ ଓ ନିର୍ମଳ । ତୁମ୍ଭେ ଆଜି ମୋର ଜ୍ଞାନଚକ୍ଷୁ ଉନ୍ମୀଳନ କରିଦେଲ, ସେଥିଲାଗି ମୁଁ ତୁମ୍ଭ ନିକଟରେ ଋଣୀ ଏବଂ କୃତଜ୍ଞ ।’’ ଏହା କହି ଆଚାର୍ଯ୍ୟେ ପ୍ରସ୍ଥାନ କଲେ । ଶାସନର ବ୍ରାହ୍ମଣମାନେ ତାଙ୍କଠାରୁ ସମସ୍ତ ଶୁଣି ଆଉ କୌଣସି ଉଚ୍ଛୃଙ୍ଖଳତା ପ୍ରକାଶ କଲେ ନାହିଁ ।

 

ନନ୍ଦେ ଉପସ୍ଥିତ ସଙ୍କଟରୁ ପାର ହେଲେ, ମାତ୍ର କାଳେ ଏ ଉତ୍ତାରୁ ଆଉ କିଛି ବାଧା ବିଘ୍ନ ଘଟେ ଏହି ଆଶଙ୍କାରେ ତାଙ୍କର ଛାତି ଦୁକୁ ଦୁକୁ ହେଉଥାଏ । ସେ ଥରେ ଅତୀତ, ଥରେ ଭବିଷ୍ୟତ ଆଡ଼କୁ ଚାହିଁ ଦେଇ ମନେ ମନେ ଭାବିଲେ– ‘‘ମୋର କିଛି ଭୁଲ ହେଉନାହିଁତ ? ଯାହା ମୋର ଇଚ୍ଛା ନୁହେଁ, ତାହା କରିବାକୁ ପଡ଼ୁଛି, ଏହା ଶନିସପ୍ତାର ଫଳ ନୁହେଁତ ? ସବୁ ଦଶାର ଫେର, ଶନିସପ୍ତା ଦଶା ତ ସାମାନ୍ୟ ନୁହେ । ଯାହାର ଦାଉ ବଡ଼ ବଡ଼ ଲୋକେ ସମ୍ଭାଳି ପାରିନାହାନ୍ତି, ମୋ ପରି କ୍ଷୁଦ୍ର ଜୀବର ତ କଥାହିଁ ନାହିଁ ।’’ ନନ୍ଦେ ସବୁବେଳେ ନିଜକୁ ସାନ ମଣନ୍ତି । ଜ୍ଞାନିମାନଙ୍କର ସ୍ୱଭାବ, ସେମାନେ ସମସ୍ତଙ୍କ ତଳେ ନିଜର ଆସନ ନିରୂପଣ କରନ୍ତି । ନିଜକୁ ସାନ ମଣନ୍ତି ବୋଲି ସେମାନେ ଏଡ଼େ ବଡ଼ । ନନ୍ଦେ ପୁନଶ୍ଚ ଭାବିଲେ– ‘‘ସ୍ତ୍ରୀ ବୁଦ୍ଧିରେ ମୁଁ ଭୁଲିଛି, ସ୍ତ୍ରୀବୁଦ୍ଧି ପ୍ରଳୟଂକରୀ ଲୋକେ ଦାୟିକାଦେଇ କହନ୍ତି, ‘ସ୍ତ୍ରୀ ବୁଦ୍ଧିରେ ଜଗନ୍ନାଥ ମହାପ୍ରଭୁ ଖଣ୍ଡିଆ ।’ ତେବେ ସତେ କଅଣ ମୁଁ ନାରୀମାୟାରେ ଆଚ୍ଛନ୍ନ ହୋଇଅଛି । ନା, ନା, ତାହା କି ହୁଏ । ଆଉ ସ୍ତ୍ରୀ ବୁଦ୍ଧି ବା ହେୟ କାହିଁକି ? ସ୍ତ୍ରୀର ବୁଦ୍ଧି ପୁରୁଷର ଶକ୍ତି ଉଭୟର ମିଳନର ସଂସାର ଯାତ୍ରା ସହଜ ହୁଏ । ବିଶେଷତଃ ଶେଫାଳିକା ପରି ସ୍ତ୍ରୀ ପ୍ରତି ଅବିଶ୍ୱାସ କରିବା ଆତ୍ମଦ୍ରୋହ ଛଡ଼ା ଆଉ କିଛି ନୁହେଁ । ଯାହାର ତ୍ୟାଗ ଅସାଧାରଣ, ଯେ ହସି ହସି ନିଜର ଅଧିକାର ପରକୁ ଦେଇପାରେ, ସେ ସାମାନ୍ୟ ସ୍ତ୍ରୀ ନୁହେଁ । ସ୍ତ୍ରୀମାନେ ଦାନପ୍ରିୟା ସତ୍ୟ, ସେମାନେ ଧନ, ମାନ, ସୁଖ ନିର୍ବିକାର ଚିତ୍ତରେ ଦାନ କରିପାରନ୍ତି; ମାତ୍ର ନିଜର ସ୍ୱାମୀକୁ ଅପରକୁ ଦାନ କରିପାରନ୍ତି ନାହିଁ । ସ୍ୱାମୀ ଯେ ସେମାନଙ୍କର ଆରାଧ୍ୟ ଦେବତା । ଆରାଧ୍ୟ ଦେବତାକୁ କି କେହି ଦାନ କରିପାରେ ? କିନ୍ତୁ ଶେଫାଳିକା ସେହି ସ୍ୱାମୀ ଦାନ କରିବାକୁ ବସିଅଛି । କିଏ କେବେ ଏଭଳି ମହାଦାନ କରି ଦାନର ମାହତ୍ମ୍ୟ ବଢ଼ାଇ ପାରିଛି ? ତାହାର ତ୍ୟାଗ ଯେପରି ଆନ୍ତରିକ, ଦାନ ସେହିପରି ଉଦାର । ସେ ଏଥିରେ କି ଭବିଷ୍ୟତ ମଙ୍ଗଳ ଦେଖୁଛି ତାହା ସେହି ଜାଣେ; ମାତ୍ର ତାହାର ମଙ୍ଗଳ ହସ୍ତରେ ଯେ ମୋର ସୌଭାଗ୍ୟ ଗଠିତ ହେବ, ଏଥିରେ ସନ୍ଦେହର ଲେଶମାତ୍ର ଅବକାଶ ନାହିଁ । ଛି ଛି, ଏଭଳି ଦେବୀକଳ୍ପା ସ୍ତ୍ରୀ ପ୍ରତି ମୁଁ ଅବିଶ୍ୱାସ କରୁଛି । ଧିକ୍‌ ଶତ ଧିକ ମୋତେ । କିନ୍ତୁ ମୋର କି ଚାରା; ସବୁ ଶନିସପ୍ତା କରୁଛି ଏ ବିବାହର ଯଦି ବଂଶରକ୍ଷା ନ ହୁଏ, ତେବେ ନ ହେଲା ତ ନାହିଁ, ପତିତକୁ ଉଦ୍ଧାର କରିବାର ତ ସାମାନ୍ୟ ଆନନ୍ଦ ନୁହେଁ । ସେ ଆନନ୍ଦ ସଙ୍ଗେ ସଙ୍ଗେ ସମାଜସଂସ୍କାରର ଗୋଟାଏ ଆଦର୍ଶ ପ୍ରଦର୍ଶନ ମଧ୍ୟ ହେବ । ତାହାହିଁ ଯଥେଷ୍ଟ ଲାଭ । ସମାଜ ସେବାର ସୌଭାଗ୍ୟ କି ସାମାନ୍ୟ ସୌଭାଗ୍ୟ ।

 

ବିବାହର ଦିନ ଯେତେ ନିକଟବର୍ତ୍ତୀ ହେଉଅଛି, ନନ୍ଦଙ୍କ ଘରେ କର୍ମଚାଞ୍ଚଲ୍ୟ ତେତେ ବୃଦ୍ଧି ଲାଭ କରୁଅଛି । ଶେଫାଳିକାଙ୍କର ଆନନ୍ଦ ସୀମାଲଙ୍ଘନ କରିଅଛି । ତାଙ୍କର ଉଦାସ ବିଷର୍ଣ୍ଣ ମୂର୍ତ୍ତି ଆଉ ନାହିଁ । ସେ ଏବେ ହାସ୍ୟମୟୀ ଏବଂ କର୍ମତତ୍ପରା । ଆଶା କଅଣ ନ କରିପାରେ– ଶୁଖିଲା କାଠରେ ବି ଫୁଲ ଫୁଟାଏ । ଶେଫାଳିକା ନାନା କାର୍ଯ୍ୟରେ ବ୍ୟସ୍ତ । ଟିକିଏ ଅବସର ପାଇଲେ ସ୍ୱାମୀଙ୍କ ପାଖକୁ ଧାଇଁ ଆସି, ଏଟା ହେଲାନାହିଁ ସେଟା ହେଲା ନାହିଁ, ଅମୁକ ପଦାର୍ଥ ଆସିନାହିଁ ଅମୁକ ପଦାର୍ଥ ନ ହେଲେ ଚଳିବ ନାହିଁ, ଏହିପରି ବରାଦ କରି ସ୍ୱାମୀଙ୍କୁ ଉତ୍ତ୍ୟକ୍ତ କରୁଅଛନ୍ତି । ଆଜି ପୁଣି ଅଳଙ୍କାର ପାଇଁ ନୂତନ ଫରମାସ । ସେ ସ୍ୱାମୀଙ୍କୁ କହିଲେ– ‘‘ମୋର, ଅଳଙ୍କାର ଭାଙ୍ଗି ନୂତନ ଅଳଙ୍କାର ଗଢ଼ାଇ ଆଣ ।’’ ନନ୍ଦେ କହିଲେ– ‘‘କି, ତୁମ୍ଭର ଅଳଙ୍କାର ଲୋଡ଼ା ନାହିଁ ?’’

 

ଶେଫାଳିକା– ନା ମୋର ଅଳଙ୍କାର ଅଛି ।

ନନ୍ଦେ– କି ଅଳଙ୍କାର ଅଛି ?

 

ଶେଫାଳିକା– ଅଛି ଗୋ ଅଛି । ଆର୍ଯ୍ୟରମଣୀର ଯାହା ଶ୍ରେଷ୍ଠ ଅଳଙ୍କାର, ତାହା ମୋର ଅଛି । ସେ ବିଷୟରେ ମୁଁ ଭାଗ୍ୟବତୀ ।

 

ଶେଫାଳିକା ସ୍ତ୍ରୀର ଅଳଙ୍କାର ସ୍ୱାମୀ ବୋଲି ଲକ୍ଷ୍ୟ କରୁଛନ୍ତି ଜାଣି ନନ୍ଦେ ମୃଦୁ ହସି କହିଲେ– ‘‘ତାହା ଜାଣିହେଲା; ମାତ୍ର ଏତେ ଅଳଙ୍କାର କାହିଁକି ?’’

 

ଶେଫାଳିକା– ତାକୁ ଯେ ମୋର ସାନ ଭଉଣୀ ପରି ସାଜ୍ଜସଜ୍ଜା କରି ଏ ଘରକୁ ଆଣିବାକୁ ହେବ, ଅଧିକ ଅଳଙ୍କାର ନ ହେଲେ ଚଳିବ କିପରି ?

 

ନନ୍ଦେ– ଏଥି ମଧ୍ୟରେ ସମ୍ବନ୍ଧ ପାତିସାରିଲାଣି ? ଭଉଣୀ ନା ସଉତୁଣୀ ?

ଶେଫାଳିକା– ଭଉଣୀ, ସଉତୁଣୀ ।

 

ନନ୍ଦେ– ତାହାହେଲେ ସର୍ବନାଶ । ତୁମ୍ଭରି ଜାତି ବିରାଦରମାନେ ତ କହନ୍ତି– ‘‘ଆନ ସୁତୁଣୀ ପାଳେ ଲାଳେ, ଭଉଣୀ ସଉତୁଣୀ ବିଷ ଦେଇ ମାରେ ।’’

 

ଶେଫାଳିକା– ସେ ତାହା ପାରିବ ନାହିଁ ।

ନନ୍ଦେ– କାହିଁକି ?

 

ଶେଫାଳିକା– ତାହାର ଜନ୍ମ ପବିତ୍ର ଆର୍ଯ୍ୟନାରୀ ବଂଶରେ । ଆଉ ଯେ ପାରୁ ପଛେ, ସେ ତାହା ପାରିବ ନାହିଁ ।

 

ନନ୍ଦେ– ଓଃ, କର୍ପୁର ଗଲାଣି କନା ଅଛି ।

ଶେଫାଳିକା– କର୍ପୁର ସେହି କନାରେ ସୁବାସ ରଖି ଯାଇଛି ।

ନନ୍ଦେ– ଆଚ୍ଛା, ସେ କଥା ଯାଉ; ଏ ଅଳଙ୍କାରଗୁଡ଼ିକ ଦାନର ଦକ୍ଷିଣା, ନା ଯୌତୁକ ?

ଶେଫାଳିକା– କି ଦାନ ?

 

ନନ୍ଦେ– ତୁମ୍ଭେ ପରା ସ୍ୱାମୀଦାନ କରୁଛି ? ଲୋକେ କନ୍ୟାଦାନ କରନ୍ତି, ତୁମ୍ଭେ ସ୍ୱାମୀଦାନ କଲ; କାହିଁରେ ପୁଣ୍ୟ ଅଧିକ ? ଛି ଶେଫାଳିକା, ମୋତେ ଆଉ ଜଣକ ହାତରେ ଟେକି ଦେବାରେ ତୁମର କି ଟିକିଏ ମମତା ହେଲା ନାହିଁ ?

 

ଶେଫାଳିକା– ମୋର ପଦାର୍ଥ ଯାହାକୁ ଇଚ୍ଛା ବାଣ୍ଟି ଦେଲି, ତୁମର ସେଥିରେ କଥା କହିବା ଅନଧିକାର ।

 

ନନ୍ଦେ– ତେବେ ମୋର ପରାଜୟ । ଆଚ୍ଛା ତୁମେ ହୁଳହୁଳି ଦେଇ ବରକନ୍ୟା ବରଣ କରି ଘରକୁ ଆଣିବାବେଳେ ହସିବ ନାହିଁ ତ ? କିନ୍ତୁ ମୋତେ ବଡ଼ ହସ ମାଡ଼ିବ । ଆଉ ଗୋଟାଏ କଥା ଆଗରୁ କହି ରଖୁଛି– ମୁଁ ହଳଦି ଲଗାଇବି ନାହିଁ, ସେଥିପାଇଁ ମୋତେ ବିରକ୍ତ କରିବ ନାହିଁ ।

 

ଶେଫାଳିକା– ଏ କି ଅଘନ କଥା, ବିବାହ ମଙ୍ଗଳ କାର୍ଯ୍ୟରେ ହଳଦୀ ପୁଣି କିଏ ନ ଲଗାଏ ?

 

ନନ୍ଦେ– ନା, ମୁଁ ତାହା ପାରିବି ନାହିଁ ।

 

ଶେଫାଳିକା– ହେଉ, ନ ପାରିବ ତ ନାହିଁ, ତେବେ ଟିକିଏ ହଳଦି ମୁଣ୍ଡରେ ଛୁଇଁ ଦେବ; ଏହା ପାରିବ ତ ?

 

ନନ୍ଦେ– ହଁ, ତାହା ପାରିବି । ଆଚ୍ଛା କହିଲ ଭଲା ମୋତେ ବରବେଶ କିପରି ମାନିବ ?

ଶେଫାଳିକା– କିପରି ?

 

ନନ୍ଦେ– ବରଟି ଦିଶିବ ଠିକ୍‌ ଯେପରି ଗୋଟିଏ କିସ୍କିନ୍ଧ୍ୟାବାସୀ ବୃଦ୍ଧ ଶାଖାଚର ଜୀବବିଶେଷ । ଖାଲି ଗୋଟାଏ ଲାଙ୍ଗୁଡ଼ର ଅଭାବ ।

 

ଶେଫାଳିକା– ଛି, ନିଜକୁ ନିଜେ ଟାହୁଲି କରୁଛ, ଲାଜମାଡ଼ୁ ନାହିଁ ।

 

ନନ୍ଦେ– ଟାହୁଲି କଲି କାହିଁ ? ଆଚ୍ଛା ମୋ ପାଖରେ କନ୍ୟାଟି ବସିଲେ କିପରି ସୁନ୍ଦର ଦିଶିବ ଜାଣ ନା ?

 

ଶେଫାଳିକା– କିପରି ?

 

ନନ୍ଦେ– ଠିକ୍‌ ଯେପରି ପ୍ରେତ ପାଖରେ ପରୀ କିମ୍ବା ଡାମରାକୁଆ ପାଖରେ ହଳଦୀବସନ୍ତ ଅଥବା କୁଜା କାଶିଆ ପାଖରେ କାଶିଆମା ଘର କନିଆ ବୋହୂ ।

 

ଶେଫାଳିକା– ଫକ୍‌କରି ହସିଦେଇ କହିଲ– ‘‘କବି ପରି ତ ଖୁବ୍‌ ଉପମା ଯୋଖି ଯାଉଚ, ତେବେ ଖଣ୍ଡେ କାବ୍ୟ ଲେଖୁନାହଁ?’’

 

ନନ୍ଦେ– ହଁ, ଲେଖନ୍ତି ଯେ, କିନ୍ତୁ–

ଶେଫାଳିକା– ଆଉ ଫେର୍‌ କିନ୍ତୁ କଅଣ ?

ନନ୍ଦେ– କିନ୍ତୁ କଅଣ କି, ସମାଲୋଚକଗୁଡ଼ାକ ଲେଖାଇ ଦିଅନ୍ତି ନାହିଁ ।

ଶେଫାଳିକା– କାହିଁକି ?

ନନ୍ଦେ– ଭୁଲ ଧରନ୍ତି ।

ଶେଫାଳିକା– ଆଉ କଅଣ ବିଜୟମାଲ୍ୟ କଣ୍ଠରେ ଲମ୍ବାଇ ଦିଅନ୍ତେ ?

ନନ୍ଦେ– ତାହା ନ ଲମ୍ବାନ୍ତି ପଛେ; ମାତ୍ର ଭୂଲ ନ ଧରନ୍ତେ କି ?

 

ଶେଫାଳିକା– ହେଉ ଭୁଲ ଧରନ୍ତୁ ପଛେ, ତୁମେ ଲେଖ । ଭୁଲ ଅବା କାହିଁରେ ନାହିଁ । ସମାଲୋଚକମାନେ କି ଭୁଲ କରନ୍ତି ନାହି ।

 

ନନ୍ଦେ– ହଁ ଢେର୍‌ ଭୁଲ କରନ୍ତି– ଶହକରେ ପାଞ୍ଚକୋଡ଼ି ।

ଶେଫାଳିକା– ତେବେ ତୁମ୍ଭଙ୍କୁ ବାଛନ୍ତି କାହିଁକି ?

 

ନନ୍ଦେ– ଆରେ ଆଚ୍ଛା କଥା କହୁଛ । ସେ ଯେ ସମାଲୋଚକ, ଭୁଲ ଧରିବାପାଇଁ ତାଙ୍କର ଜନ୍ମ । ନିଜେ ଭୁଲ ନ କରିବେ ବୋଲି ତ ଏପରି କିଛି ଆଇନ ନାହିଁ ।

 

ଶେଫାଳିକା କର୍‌ କର୍‌ ହୋଇ ହସି ଉଠି କହିଲେ–‘‘ଆଚ୍ଛା ତୁମେ ଆଗେ ଲେଖ, ଭୁଲକୁ ଭୟ କାହିଁକି ? ସଂସାରରେ ନିର୍ଭୁଲ ବା ନିର୍ଦ୍ଦୋଷ କିଛି ନାହିଁ ।’’

 

ନନ୍ଦେ– ତୁମ୍ଭଠାରୁ ଅଭୟ ପାଇଲି, ଏଣିକି ଲେଖିବି । କାବ୍ୟରେ ନାୟକ ନାୟିକା ଦରକାର । ମୁଁ ସିନା ନାୟକ; ମାତ୍ର ନାୟିକାର ଅଭାବ ଥିଲା । ତୁମେ ସେ ଅଭାବ ପୂରଣ କରି ନବ ନାୟିକାଟିଏ ଯୋଟାଇ ଦେଲଣି, ଏବେ କାବ୍ୟାରମ୍ଭ ହେବ ।

 

ଶେଫାଳିକା ଉଠି ଠିଆହୋଇ କହିଲେ– ‘‘ତୁମ ସାଙ୍ଗରେ ରଙ୍ଗ କୌତୁକ କରିବାକୁ ମୋତେ ତର ନାହିଁ । ମୋର ଢେର କାମ ଅଛି, ମୁଁ ଯାଉଛି ।’’ ଏହା କହି ସେଠାରୁ ଚାଲିଗଲେ ।

Image

 

ଷଷ୍ଠ ପରିଚ୍ଛେଦ

 

ବିବାହ ଶେଷ ହୋଇଗଲା, ତହିଁ ସଙ୍ଗେ ସଙ୍ଗେ ତିଳ ସୂବର୍ଣ୍ଣ ପ୍ରାୟଶ୍ଚିତ୍ତ ମଧ୍ୟ ହୋଇଗଲା । ବିବାହରେ କେତେ ଆଡ଼ମ୍ବର ହୋଇ ନାହିଁ; ମାତ୍ର ବିବାହ ଭୋଜୀ ଖୁବ୍‌ ଆଡ଼ମ୍ବରରେ ହୋଇଥିଲା । ଶାସନର ବ୍ରାହ୍ମଣମାନେ ଉତ୍ସବରେ ଯୋଗ ଦେଇଥିଲେ ଏବଂ ଭୋଜୀ ଖାଇ ସନ୍ତୋଷ ଲାଭ ମଧ୍ୟ କରିଥିଲେ । ସୁଖର ବିଷୟ, ଜାତି ଧର୍ମ ନଷ୍ଟହେବାର ଦୁଃସ୍ୱପ୍ନ ସେମାନେ ଆଉ ଦେଖି ନାହାନ୍ତି । କେହି ଅତି ରକ୍ଷଣଶୀଳ ଦଳଭୁକ୍ତ ଲୋକେ କହିଲେ– ‘‘ନନ୍ଦେ ବ୍ରାହ୍ମଣ କୁଳରେ ଗୋଟାଏ ନୂଆ ବାଟ ଫିଟାଇଲେ ସତ; କିନ୍ତୁ ସେ ବାଟରେ କିଏ ଚାଲିବ ? କେହି ନ ଚାଲିଲେ ବାଟ ଆପେ ମରିଯିବ । ଉଦାରନୈତିକଦଳ କହିଲେ–‘‘ବାଟ ମରିଗଲେ ସୁଦ୍ଧା ତାହାର ଚିହ୍ନଟା ଥିବ-। ଜଣେ ଯେଉଁ ବାଟରେ ଯାଇଛି, କେବେ ହେଲେ ଆଉ ଜଣେ ସେହି ବାଟର ଚିହ୍ନ ଧରି ଚାଲିବ । କୌଣସି ବୃହତ୍‌ ଅନୁଷ୍ଠାନର ସାଫଲ୍ୟ ଦିନେ ଦୁଇଦିନର ମିଳେ ନାହିଁ । ଅନୁଷ୍ଠାନ ଯେତେ ବଡ଼ ହୁଏ, ତାହାର ବିଘ୍ନ ମଧ୍ୟ ତେତେ ବଡ଼ ହୁଏ ଏବଂ ସାଫଲ୍ୟରେ ବି ତେତେ ବିଳମ୍ବ ଘଟେ ।’’ ଏହିପରି କେତେ କଳ୍ପନା ଜଳ୍ପନା ଲାଗିଲା । ଯେ ଯାହା କହୁ ବା କାର୍ଯ୍ୟ ଗତିରେ ଯାହା ଘଟୁ; ମାତ୍ର ନନ୍ଦେ ଯେଉଁ ନୈତିକ ସାହସର ଆଦର୍ଶ ଦେଖାଇଲେ, ତାହା ଅତୁଳନୀୟ । ସମାଜର ଏରୂପ ବଳ କେତେ ଜଣ ଦେଖାଇ ପାରନ୍ତି ? ଯେ ପାରେ, ସେ ଏକା ପ୍ରକୃତ ସଂସ୍କାରବୀର ।

ଗ୍ରାମର କାହାରି ଘରକୁ ନୂଆବୋହୂ ଆସିଲେ ସ୍ତ୍ରୀ ସମାଜର ଗୋଟିଏ ଉତ୍ସବ ଲାଗିଯାଏ । ସେମାନେ ଦଳ ଦଳ ହୋଇ ନବ ବଧୂକୁ ଦେଖିବାକୁ ଆସନ୍ତି । ନୂଆବୋହୂ ଯେପରି ଗୋଟାଏ ଦର୍ଶନୀୟ ପଦାର୍ଥ କିମ୍ବା କିମ୍ଭୁତ କିମ୍ଭାକାର ଅପୂର୍ବ ଜୀବ କେଉଁ ଭିନ୍ନ ସୃଷ୍ଟିରୁ ଆସିଅଛି । ଗାଁ ମାଇପେ ଯେ ଖାଲି ରୂପ ଦେଖିବାକୁ ଆସନ୍ତି, ତାହା ନୁହେଁ । ନୂଆବୋହୂର ହାତ, ଗୋଡ଼ କଟି, କଣ୍ଠ, ନାକ, କାନ ଅଣ୍ଡାଳି ଅଳଙ୍କାରର ବହରଟା ବି ଦେଖି ନିଅନ୍ତି ଏବଂ ଫେରିବାବେଳେ ବାଟରେ ନୂଆବୋହୂର ରୂପଗୁଣର ସମାଲୋଚନା କରି କରି ଯାଆନ୍ତି । ଏତେ ଲୋକଙ୍କର କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାଟିଫିକେଟ ହାସଲ କରିବା ସହଜ କଥା ନୁହେଁ; ସୁତରାଂ ଅଧିକାଂଶ ନୂଆବୋହୂ ଫେଲ ହୋଇ ଯାଆନ୍ତି । ପ୍ରତି ଗ୍ରାମରେ ପ୍ରବୀଣା ସମାଲୋଚିକା ଅଛନ୍ତି । ସେମାନେ ପ୍ରଥମେ ମତ ପ୍ରକାଶ କରନ୍ତି । ପରେ ତାହା ସାଳଙ୍କୃତ, ପଲ୍ଲବିତ ହୋଇ ଅନ୍ୟମାନଙ୍କଦ୍ୱାରା ପ୍ରଚାରିତ ହୁଏ । କଥାକୁ ଯେ ଯେତେ ଫେଣାଇ ଫୁଲାଇ ସ୍ଥୁଳ କରିପାରେ, ସେ ତେତେ ପଣ୍ଡିତା ଏବଂ ଚତୁରୀ ବୋଲି ଖ୍ୟାତି ଲାଭ କରେ । କେହି କହେ–‘‘ବୋହୂର ମୁହଁଟା ଚେକା ନ ହୋଇ ଟିକିଏ ଲମ୍ବଆସିଆ ହୋଇଥିଲେ ଖୁବ୍‌ ସୁନ୍ଦର ହୋଇଥାଆନ୍ତା । ଚେକାମୁହଁଟା କାଳ ପେଚାମୁହିଁପରି ଦିଶେ ।’’ କେହି କହେ–‘‘ମଣିପଙ୍କ ପରି ଚାଲିଟା ଧସ୍‌ ଧସ୍‌ ।’’ କେହି କହେ–‘‘ହସଟା ଫସ୍‌ ଫସ୍‌ ।’’ କେହି ଅଦ୍ଭୁତ ସୌନ୍ଦର୍ଯ୍ୟତତ୍ତ୍ୱବିଶାରଦା ବିଚିତ୍ର ରୁଚିମତୀ ରମଣୀ କହେ–‘‘କଙ୍କାଳଟା ଭାରି ସରୁ, ଆଉ ଟିକିଏ ମୋଟ ହେଇ ଥାଆନ୍ତା କି ?’’ କେହି କହେ ବୋହୂଟା ଖୁବ୍‌ ଡଉଲ ଡାଉଲ ସୁନ୍ଦର ଯେ, ଖାଲି ଟିକଏ ଉଞ୍ଚ କପାଳୀ।’’ ପ୍ରତିବାଦସ୍ୱରୂପ ଅନ୍ୟକେହି ତାହାର ମତ ସଂଶୋଧନ କରି କହେ– ‘‘ଖାଲି ଉଞ୍ଚ କପାଳୀ ନୁହେଁ– ନଳ ଗୋଡ଼ୀ ।’’ କେହି କହେ– ‘‘ବୋହୂଟାର ପହରା ଭଲ ନୁହେଁ, ଘରେ ଆସି ଗୋଡ଼ ଦେଲା କି ନ ଦେଲା, ଶାଶୂ ଜ୍ୱରରେ ପଡ଼ିଲା-। କାଲି ଆସିଲା, ଆଜି ସମସ୍ତଙ୍କ ମୁହଁଙ୍କୁ ଫଲ ଫଲ କରି ଚାହିଁ କଥା କହୁଛି । ଏ କି କଳଙ୍କ ଲୋ ମା, ମାଇକିନିଆ ଝିଅ ହୋଇ ଯାହାର ଲାଜ ସରମ ନାହିଁ, ତାହା ମୁହଁରେ ନିଆଁ, ତା ଜୀବନକୁ ଧିକ୍‌-।’’ ଏହିପରି ଯାହା ମନକୁ ଆସେ, ସେ ତାହା କହେ । ସେମାନଙ୍କ ମନୋମତ ସୁଲକ୍ଷଣ ବା ସୌନ୍ଦର୍ଯକୁ ଏକତ୍ର ମିଶାଇ ପ୍ରତିମା ଗଢ଼ିଲେ କିପରି ଅଦ୍ଭୁତ ସୁଷମା ଫୁଟି ଉଠିବ, ତାହା ପାଠକେ ଅନୁମାନ କରନ୍ତୁ ।

ଗାଁ ମାଇକିନିଆମାନେ ସୌଦାମିନୀକୁ ଦେଖିବାକୁ ଧାଡ଼ି ଛୁଟିଲେ । ତାହାର ଦେହଯାକ ଅଣ୍ଡଳାଅଣ୍ଡଳି କରି ତାକୁ ଅର୍ଦ୍ଧମୃତ କରି ପକାଇଲେ । କିନ୍ତୁ ବାଛିବାକୁ କିଛି ପାଇଲେ ନାହିଁ । ବରଂ ନବବଧୂର ସୌନ୍ଦର୍ଯ୍ୟର ଭୂୟସୀ ପ୍ରଶଂସା କଲେ– କେହି କହିଲା– ‘’ଦରିଦ୍ର ଘରେ କି ଏଭଳି ରତ୍ନ ଥିଲା, ବିଧାତା ଗୋବର ଗଦାରେ ପଦ୍ମ ଫୁଟାଇ ଥିଲା । ବୋହୂ ନୁହେଁ ଯେ. ଗୋଟାଏ ସ୍ୱର୍ଣ୍ଣପ୍ରତିମା-। ବିଧାତା ଗୋଟିଏ ଚାଉଳରେ ଗଢ଼ିଛି । ଆହା, ତିଳ ଫୁଲ ପରି କି ସୁନ୍ଦର ନାକ, ଆଖି ଦୁଇଟି ଯେପରି ଯୋଡ଼ିଏ ଖଞ୍ଜନ ପକ୍ଷୀ ।’’ କେହି ପରିହାସରସିକା ଉଚ୍ଚ କଳ୍ପନା କରି କହିଲା–‘‘ଏହାକୁ ଦେଖିଲେ ମୁନିମାନଙ୍କ ତପୋଭଙ୍ଗ ହେବ, ନନ୍ଦ ବୁଢ଼ା ବା ବାଇ ନ ହେବ କିଆଁ-? ନନ୍ଦର ତପସ୍ୟା ଭାଙ୍ଗିବା ପାଇଁ ସ୍ୱର୍ଗର ଦେବତାମାନେ ଉର୍ବଶୀକୁ ପଠାଇଛନ୍ତି । ଏ ମାନବୀ ନୁହେଁ, ନିଶ୍ଚେ ଡେଣା କଟାପରୀ । ନନ୍ଦ ଏ କନ୍ୟାଲାଖି ବର ନୁହେଁ । ବୁଢ଼ାଟା ତାହାର ଅଜା ପରି ଦିଶୁଛି । ମୋ ଚଣ୍ଡାଳୁଣୀର କଅଣ ଆଖି ଫୁଟି ଯାଇଥିଲା ଯେ, ଏଭଳି ଚିତ୍ରପ୍ରତିମାକୁ ପାଣିରେ ପକାଇ ଦେଲା ।’’ କେହି ବା କଥାର ପ୍ରତିବାଦ କରି କହିଲା– ‘‘ସେ ତ ବିଧାତାନିର୍ବଦ୍ଧ, ମା କଅଣ କରିବ । ମା ଜନ୍ମ ଦେଇଛି ବୋଲି କଅଣ କର୍ମ ଦେଇଛି ? ଯାହା ହାଣ୍ଡିରେ ଯେ ଚାଉଳ ଦେଇଛି, ସେ ତାହା ଘର କରିବ । କପାଳ ଲେଖାକୁ ଆନ କରିବ କିଏ ? କପାଳରେ ଥିଲେ ସେହି କାଲି ସୁଅମା ହୋଇ ବସିବ । ସବୁ କପାଳ ଲୋ ଭଉଣୀ, କପାଳ ଛଡ଼ା ଗତି ନାହିଁ । ବ୍ରାହ୍ମଣ ଘରେ ପାରିଲ କନ୍ୟା, ହାତଛନ୍ଦା ଯାହା ହୋଇଗଲା, ସେହିଟା ବଡ଼ କଥା ।’’

ସାରଥୀ ନନ୍ଦେ ଖୁବ୍‌ ନକଲିଆ ଲୋକ । ଯାତ୍ରାର ବିଦୂଷକ ପରି ସେ ଖୁବ୍‌ ରଙ୍ଗ ରହସ୍ୟ କରିପାରନ୍ତି । ତାଙ୍କର କଥା ଶ୍ରୋତାର କର୍ଣ୍ଣଲୋଭନୀୟ । ତାଙ୍କର ସରସ ରହସ୍ୟରେ ଅନେକ ସଂସାର–ଜଞ୍ଜାଳ ଦଗ୍‌ଧ ଅନ୍ତଃକରଣ କ୍ଷଣକ ପାଇଁ ଶୀତଳ ହୁଏ । ସୁତରାଂ ତାଙ୍କ କଥା ଶୁଣିବାକୁ ସମସ୍ତେ ଲାଳାୟିତ । ଅଷ୍ଟମଙ୍ଗଳା ପରେ ଦିନେ ବାଟରେ ତାଙ୍କ ସହିତ ପୂର୍ବୋକ୍ତ ଭଜୁ ଆଚାର୍ଯ୍ୟଙ୍କର ଭେଟ ହେଲା । ଆଚାର୍ଯ୍ୟେ ସହାନୁଭୂତି ଦେଖାଇ କହିଲେ–‘‘ନନ୍ଦ ଆପଣ, ବିବାହଟି ସୁରୁଖରୁରେ ଚଳିଗଲା, ଏହା ବଡ଼ ଆନନ୍ଦର କଥା । ଆଉ ବୋହୂ ଭାତ ଦିନ କାକରା, ଆରିସା ପିଠା ନ ହେଲେ ହେବ ନାହିଁ, ଏହା ମୁଁ ଆଗରୁ କହିଦେଉଛି ।’’ ନନ୍ଦେ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲେ– ‘‘ହଁ, କାକରା ପୁଣି ଆରିସା ପିଠା, ଏତିକିରେ ତ ନାକେଦମ ହୋଇଗଲାଣି । ସବୁ ଦଶାର ଫେର୍‌ ଭାଇ, ସବୁ ଦଶାର ଫେର୍‌ । ମୋର କଅଣ ବିବାହ କରିବାର ଇଚ୍ଛା ଥିଲା, ଶନିସପ୍ତାର କାଣ୍ଡ, କଅଣ କରିବି । ନା ବୋଲି ତ କହିପାରିଲି ନାହିଁ, ଯେପରି କିଏ ମୋ ତଣ୍ଟି ଚିପି ଧରିଲା । ଯେତେବେଳକୁ ଯେଉଁ ଯୋଗ ଅଛି, ତାହା କିଏ ଖଣ୍ଡନ କରିବ ? ଶନିସପ୍ତା ସାତବର୍ଷ ମଧ୍ୟରୁ ବର୍ଷେ କଟିଗଲା, ଆହୁରି ଛବର୍ଷ ଅଛି । ବର୍ଷକ ମଧ୍ୟରେ ତ ଏ ଦୁର୍ଯୋଗ ଏହାପରେ ଆଉ କଅଣ ଅଛି କିଏ କହିପାରେ ।’’ ଆଚାର୍ଯ୍ୟେ ହୋ ହୋ ଶବ୍ଦରେ ହସିଉଠି କହିଲେ– ‘‘ଶନିସପ୍ତା ହେତୁ ପରା ତୁମ୍ଭର ବିବାହ ଦୁର୍ଭାଗ୍ୟ ଘଟିଲା ? ତେବେ ତ ଶନିସପ୍ତା ତୁମ୍ଭ ପକ୍ଷରେ ମଙ୍ଗଳ ! ସମସ୍ତେ କୁହନ୍ତି–‘‘ବିବାହେ ଶୁଭକାର୍ଯ୍ୟ; କିନ୍ତୁ ତୁମ୍ଭର ଠିକ୍‌ ଓଲଟା ।’’ ନନ୍ଦେ କିଛିକ୍ଷଣ ନୀରବ ରହି ଲଘୁସ୍ୱରରେ କହିଲେ– ‘‘ଆଚ୍ଛା କହିଲ ଭଲା, ଜଣେ, କର୍ମଚାରୀ କି ଦୁଇଜଣ ହାକିମର ମନ ଯୋଗାଇ ପାରେ ?’’ ଆଚାର୍ଯ୍ୟେ ହାସ୍ୟର ମାତ୍ରା ଚତୁର୍ଗୁଣ ବଢ଼ାଇ ଦେଇ କହିଲେ– ‘‘ତେବେ ଏଥି ମଧ୍ୟରେ ତୁମ୍ଭେ ହାକିମର କର୍ମଚାରୀ ହୋଇ ପଡ଼ିଲାଣି ।’’

ନନ୍ଦେ– ଏକା ମୁଁ ନୁହେଁ, ସମସ୍ତେ । ତୁମ୍ଭେ ଟିକିଏ ନିଜକୁ ଚାହିଁଲେ ନିଜେ କେଉଁ ଶ୍ରେଣୀୟ, ତାହା ବୁଝିପାରନ୍ତ । ଉଚ୍ଚଜାତିର ସ୍ତ୍ରୀମାନେ ସମସ୍ତେ ଧର୍ମାବତାର ହାକିମ ଆଉ ପୁରୁଷମାନେ କର୍ମଚାରୀ । କର୍ମଚାରୀ ସିରସ୍ତାର କାମ ସବୁ କରେ, ହାକିମ ଖାଲି ଗୋଟାଏ ଦସ୍ତଖତ ସହି କରିଦିଏ । ସେହିପରି ପୁରୁଷମାନେ ସବୁ ଆଣି ଗୋଡ଼ କତିରେ ହାଜର କଲେ ସ୍ତ୍ରୀମାନେ ମୁଠାଏ ଫୁଟାଇ ଦିଅନ୍ତି; ମାତ୍ର ଏଣିକି ଶିକ୍ଷା ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ତେତକ ସୁଦ୍ଧା ବୁଡ଼ିବାକୁ ବସିଲାଣି । ହାଣ୍ଡିଶାଳର ଧୂଆଁ ଲାଗିଲେ ଅନେକ ନୀରଜନେତ୍ରାଙ୍କ ନେତ୍ରଯୁଗଳରୁ ନୀର ଝର ଝର ହୋଇ ଝରିପଡ଼େ । ଏ ଦାରୁଣ କରୁଣ ଦୃଶ୍ୟ ଅନେକ ପୁରୁଷନାମା ଭଦ୍ରଜୀବଙ୍କ ନେତ୍ରରେ ଏକାନ୍ତ ଅସହ୍ୟ । ହାକିମୀ ସମ୍ବନ୍ଧଟା ଖାଲି ଦସ୍ତଖତରେ ଶେଷ ହୁଏ ନାହିଁ– ତାହା ଉପରେ ନାନା ହୁକୁମ ଆଉ ବାର ଫରମାସ । ଆଜି ଲୁଣ ନାହିଁ, କାଲି ତୁଣ ନାହିଁ, ଏହାତ ନିତ୍ୟନୈମିତ୍ତିକ ଗାର୍ହସ୍ଥ୍ୟ ଅଭାବ, ଏହାଛଡ଼ା ପୁଣି ଆବୁ ଉପରେ ବଥ । ସେହି ଯେ କି ଯମରାଜ ନା କବିରାଜ କି ଗନ୍ଧତେଲ ବାହାର କରିଛି, ସେ ପୁଣି ଟଙ୍କାକୁ ଟାଙ୍କିଏ– ତାହା ଫରମାସ୍‍, ପାଣି ଅଳତା ଫରମାସ୍‍, ଏହିପରି ଆହୁରି କେତେ କଣ । ସବୁ ଫରମାସ୍‌ ନ ଯୋଗାଇଲେ ମାନିନୀଙ୍କର ମାନଭଙ୍ଗ ହେବ ନାହିଁ । ପୂର୍ବ ଝୁମ୍ପା ଚଉଁରୀରେ ଖୋଷା ବନ୍ଧା ହେଉଥିଲା; ମାତ୍ର ଏଣିକି ଲୁହାର କଣ୍ଟା, ଖୁଞ୍ଚ ନ ହେଲେ ଚଳୁ ନାହିଁ । ଆଉ କିଛିଦିନ ଗଲେ ବୋଧହୁଏ କବ୍‌ଜା ଭିଡ଼ା ହୋଇ ସ୍କୃ ଅଣ୍ଟାଯିବ । ଆଜିଯାଏ କେହି ଯେ ଗାଉନ୍‌, ବୁଟ୍‌ଜୋତା, ସେଇକେଲ ପ୍ରଭୃତି ବିଳାସର କୁବେର ସଦା ଫରମାସ୍‌ କରିନାହାନ୍ତି, ଏତିକି ରକ୍ଷା ।

ଆଚାର୍ଯ୍ୟେ– ଏହି କେତେଟା ଦିନ ଭିତରେ ତୁମ୍ଭ ଉପରେ ଏତେ ଫରମାସ୍‍ ହୋଇ ସାରିଲାଣି ?

ନନ୍ଦେ– ନା, ମୋର ‘ସିଦ୍ଧରସ୍ତୁ’ ଆରମ୍ଭ ହୋଇ ନାହିଁ, ତେବେ ହେବା କେତେ ମାତ୍ର । ଅନେକଙ୍କର ଯେତେବେଳେ ହେଲାଣି, ତେବେ ମୋର ନ ହେବ କାହିଁକି ?

ଆଚାର୍ଯ୍ୟେ– ଆଚ୍ଛା, ତାହା ଜାଣି ହେଲା; ମାତ୍ର ତୁମ୍ଭର ବର୍ତ୍ତମାନ କଅଣ ଲେଖା ଲାଗିଛି-?

ନନ୍ଦେ– ‘‘କଳିବେଦ’’ ଆଉ ‘‘କଳିଅଭିଧାନ’’ ନାମରେ ଦୁଇଖଣ୍ଡ ଆରମ୍ଭ ହୋଇଅଛି । ସେସବୁ ଆଧ୍ୟାତ୍ମିକ ତତ୍ତ୍ୱ । କଳିକାଳର ଚାରିବେଦର ନାମ ଶୁଣିବ ? ମିଥ୍ୟା, ପ୍ରତାରଣା, ଜାଲ ଏବଂ ଜୁଆଚୋରି । ଅନ୍ୟ ଯୁଗରେ ଲୋକେ ଋକ୍‌, ସାମ, ଯର୍ଜୁ ଏବଂ ଅଥର୍ବ ବେଦକୁ ଆଶ୍ରୟ କରି ବଞ୍ଚିରହିଥିଲେ; ମାତ୍ର କଳି କାଳରେ ମିଥ୍ୟା, ପ୍ରତାରଣା, ଜାଲ ଆଉ ଜୁଆଚୋରି ଏହି ଚାରିବେଦକୁ ଆଶ୍ରୟ ନ କଲେ କେହି ବଞ୍ଚି ପାରିବେ ନାହିଁ । ସେ କାଳରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏହି ତିନି ଦେବତାଙ୍କର ପୂଜା ହେଉଥିଲା, କଳିକାଳରେ ହାକିମ, ନାରୀ, ଉଦର ଏହି ତ୍ରିଦେବତା ପୂଜିତ ହେବେ, ଆଉ ତାରକ ବ୍ରହ୍ମର ନାମ ହେବ ‘‘ଗୌରଚନ୍ଦ୍ର’’ ଅର୍ଥାତ୍‌ ଟଙ୍କା । ଏହି ମୁକ୍ତି ମନ୍ତ୍ର ଜପ କରି କଳିଯୁଗରେ ଲୋକେ ତପ୍ତବୈତରଣୀ ପାର ହେବେ । ମନ୍ତ୍ର ଯଥା :–

‘‘ଗୌରଚନ୍ଦ୍ର, ଗୌରଚନ୍ଦ୍ର, ଭଜ ଗୌରଚନ୍ଦ୍ର ହେ, ମାଂ ଅକ୍ଷମ, ମାଂ ଅରକ୍ଷ, ରକ୍ଷଃ ଗୌରଚନ୍ଦ୍ର ହେ ।’’

ଆଚାର୍ଯ୍ୟ– ବାଃ, ଆଛା ଆଧ୍ୟତ୍ମିକ ତତ୍ତ୍ୱ ଉଦ୍ଭାବନ କରିଛ । ହେଉ, ଏବେ ଅଭିଧାନର ଟିକିଏ ନମୁନା ଶୁଣାଅ, ମୁଁ କୃତାର୍ଥ ହୋଇଯାଏ ।

ନନ୍ଦେ– ଅଭିଧାନର ନାମ ହେଉଛି– ‘‘କଳି ଅଭିଧାନ ବା ସାରଥିକୋଷ ।’’ ତାହା ବର୍ଗବିଶିଷ୍ଟ ନୁହେଁ– ଅବର୍ଗ । ଅଭିଧାନର ମଙ୍ଗଳାଚରଣ ମୂଳ ଶ୍ଳୋକ ଏହି :–

‘‘ଯସ୍ୟ ଜ୍ଞାନ ଦୟାସିନ୍ଧୋ,

ରଘୁଆ ମା ନାକରେ ଗୁଣା ।

ସେବ୍ୟତାମକ୍ଷୟୋ ଧୀରଃ,

ଶଙ୍ଖୀ ବିରାଡ଼ି ପିତେଇ ନାନୀ ।।’’

 

ଆଚାର୍ଯ୍ୟେ– ନନ୍ଦ ଆପଣେ, ସଂସ୍କୃତ ବିଦ୍ୟାରେ ତ ତମର ଅଗାଧ ଜ୍ଞାନ, ଅର୍ଥାତ୍‌ ଏକାବେଳକେ ଅଜ୍ଞାନ । ସେହିପରି ତୁମ୍ଭ ପ୍ରତିଭା କି ଅମୂଲ୍ୟ । ତୁମ୍ଭ ପ୍ରତିଭା ତେଜରେ ଗାଁସାରା ଦିନେ ଆଲୋକିତ ହେବ, ଗରିବ ଲୋକେ ତେଲ ଖର୍ଚ୍ଚରୁ ବଞ୍ଚିଯିବେ । ଧନ୍ୟ ତୁମ୍ଭେ, ତୁମ୍ଭର ମସ୍ତିଷ୍କ, ଧନ୍ୟ ତୁମ୍ଭର ହାତଗୋଡ଼, ଧନ୍ୟ ଏକା ଏ ଯମକତୁରୀ ଯୋଗରୁ ତୁମ୍ଭେ ବଞ୍ଚି ରହିବ କି । ଆଉ କଳି ରାମାୟଣରୁ ଦୁଇ ଚାରିପଦ କହ ।

 

ନନ୍ଦେ– ନା, ଭାଇ, ଆଜି ବେଳ ନାହିଁ, ପାଠକମାନେ ମଧ୍ୟ ବିରକ୍ତ ହୋଇ ଆସିଲେଣି । ତାହା ଆଉ ଦିନେ ଶୁଣିବ। ଯମକତୁରୀ ଯୋଗକୁ ମୋର ଭୟ ନାହିଁ, ଭୟ ଏକା ସେହି ଶନିସପ୍ତାକୁ-

 

ଆଚାର୍ଯ୍ୟେ– ଶନିସପ୍ତା ତ ତୁମ୍ଭର ମଙ୍ଗଳ ।

 

ନନ୍ଦେ– ସେହି ମଙ୍ଗଳଟା ତୁମ୍ଭେ ବିନା ପଇସାରେ ନିଅ । ତୁମ୍ଭପରି ପ୍ରିୟବନ୍ଧୁଙ୍କୁ ମୁଁ ତାହା ଦେବାକୁ ଅଣୁମାତ୍ର କୁଣ୍ଠିତ ନୁହେଁ । ବରଂ ତୁମ୍ଭ ଦେହ ଛୁଇଁ ନିୟମ କରି କହୁଛି– ‘ମୁଁ ସେଥିରେ ଆନନ୍ଦିତ ।’

 

ଆଚାର୍ଯ୍ୟେ– ଆଚ୍ଛା, ସେ କଥା ପରେ ଦେଖାଯିବ, କେବେ ମୋତେ ରାମାୟଣ ଶୁଣାଇବ ଆଗେ ତାହା କହ ।

 

ନନ୍ଦେ– ତୁମ୍ଭ ପରମାୟୁ ମୋତେ ଦେଇ ତୁମ୍ଭେ ଦୀର୍ଘଜୀବୀ ହୋଇଥାଅ । ରାମାୟଣର ରଚନା ଶେଷ ହେଲେ ତୁମ୍ଭଙ୍କୁ ଶୁଣାଇବି । ନନ୍ଦେ ଏହା କହି ହସି ହସି ସେଠାରୁ ପ୍ରସ୍ଥାନ କଲେ ।

 

ଆଉ ଗୋଟିଏ କଥା ଭୁଲରେ ରହି ଯାଇଅଛି । ସୌଦାମିନୀର ବିବାହ ସମୟରେ ତାହାର ବୃଦ୍ଧା ରୁଗ୍‌ଣା ଜନନୀର ଅଦ୍ଭୁତ ପରିବର୍ତ୍ତନ ଘଟିଥିଲା । ଯେପରି ଯାଦୁ ମନ୍ତ୍ରବଳରେ କିଏ ତାହାର ରୋଗ ହରି ନେଇଗଲା । ସେ ନିଜର ଦୈନ୍ୟ, ପୀଡ଼ା ଏବଂ ସମସ୍ତ ଚିନ୍ତା ଏକାବେଳକେ ଭୁଲିଯାଇ ଏକ ଅପୂର୍ବ ଆନନ୍ଦରେ ବିଭୋଳ ହୋଇଥିଲା । ଯାହା ମନରୁ ଆଶା ଏକାବେଳକେ ଧୋଇ ପୋଛି ହୋଇ ଯାଇଥିଲା, ତାହା ପକ୍ଷରେ ଏ ଆକସ୍ମିକ ଘଟଣା ଅସ୍ୱପ୍ନସୁଲଭ ନୁହେଁ କି ? ଆଶା ମାନବକୁ କେତେବେଳେ କି ଭଙ୍ଗୀରେ ନଚାଏ, ହସାଏ, କନ୍ଦାଏ, ତାହା ସେହି ଏକା ଜାଣେ । ଯେଉଁ ଆଶା-ଲତା ନୈରାଶଦାବାନଳରେ ପୋତି ଭସ୍ମ ହୋଇଯାଇଥିଲା, ସେହି ଭସ୍ମସ୍ତୁପରୁ ପୁଣି ସେ ଆଶାଲତା କଞ୍ଚାଇ ଉଠି ଏତେଶୀଘ୍ର ଫଳ ଧାରଣ କରିବ, ବାସ୍ତବରେ ମହାବିସ୍ମୟକର ନୁହେଁ କି ? ବୃଦ୍ଧା ଜାମାତାର ମସ୍ତକରେ ଶୀର୍ଣ୍ଣ, କମ୍ପିତ ହସ୍ତ ସ୍ଥାପନପୂର୍ବକ ଆଶୀର୍ବାଦ କରି କହିଲା, ‘‘ବାବା, ମୁଁ କନ୍ୟାବଦଳରେ ତୁମ୍ଭଙ୍କୁ ପୁତ୍ରରୂପରେ ପାଇଲି, ଏହା ମୋର କେଡ଼େ ସୌଭାଗ୍ୟ, ତାହା କହି ହେବାର ନୁହେଁ । ଆଜିର ଏହି ଆନନ୍ଦୋତ୍ସବ ତୁମ୍ଭ ଜୀବନରେ ଅକ୍ଷୟ ହେଉ, ମୁଁ ଏହି ଆଶୀର୍ବାଦ କରୁଅଛି ।’’ ତହିଁପରେ କନ୍ୟାମସ୍ତକରେ ହସ୍ତ ଦେଇ ଆନନ୍ଦ ଗଦ୍‍ଗଦ୍‍ କଣ୍ଠରେ କହିଲା– ‘‘ମା, ତୁ ସୀତା ସାବିତ୍ରୀ ପରି ପତିପ୍ରାଣା ହୋଇ ପତିଦେବତାଙ୍କ ସେବାରେ ପ୍ରାଣ ଉତ୍ସର୍ଗ କର, ତୋର ହାତର ଶଙ୍ଖା ଏବଂ କପାଳର ସିନ୍ଦୂର ଅକ୍ଷୟ ହେଉ, ଧର୍ମରେ ମତି ଅଟଳ ହେଉ, ତୁ ପୁତ୍ରବତୀ ହ, ସୁଜନନୀ ହ, ଏହା ମୋର ଶେଷ ଆଶୀର୍ବାଦ ।’’ କନ୍ୟା ଜାମାତକୁ ଦେଖି ବୃଦ୍ଧାର ଆନନ୍ଦର ସୀମା ନାହିଁ, ସେ ଯେପରି ଆଉ ମର୍ତ୍ତ୍ୟରେ ନାହିଁ, କେଉଁ ଆନନ୍ଦମୟ ସ୍ୱର୍ଗଧାମରେ ନିବାସ କରୁଅଛି । ଜାତି ରକ୍ଷା ହେଲା, ଧର୍ମ ରକ୍ଷା ହେଲା, କୁଳ ରକ୍ଷା ହେଲା, ଏହି ଆନନ୍ଦ ତାହା ହୃଦୟରେ ଏତେ ବୃଦ୍ଧିଲାଭ କଲା ଯେ, ସେହି ଆନନ୍ଦର ବେଦନା ତାହା ପକ୍ଷରେ ଦୁଃସହ ହୋଇଉଠିଲା । ଦୁଃଖର ଯନ୍ତ୍ରଣା ପରି ଆନନ୍ଦର ଯନ୍ତ୍ରଣା ମଧ୍ୟ ସମୟ ବିଶେଷରେ ଦୁର୍ବହ ହୁଏ । ବୁଦ୍ଧା ଆଉ କହିପାରିଲା ନାହିଁ, ଅତି ଆନନ୍ଦରେ ତାହାର ଦମ୍‌ ଅଟକି ଗଲା । ସେ ବେଳେବେଳେ ମୂର୍ଚ୍ଛିତ ହୋଇପଡ଼ିଲା । କେବେ କେବେ ଅଚେତନ ଅବସ୍ଥାରେ ସ୍ୱର୍ଗୀୟ ସ୍ୱାମୀଙ୍କର ଉଦ୍ଦେଶ୍ୟରେ କହେ– ‘‘ମୋ ସଉଦୀର କେଡ଼େ ସୌଭାଗ୍ୟ, କେଡ଼େ ସୁଖ, କେଡ଼େ ଆନନ୍ଦ, ତୁମ୍ଭେ ଯାହା ଦେଖିପାରିଲ ନାହିଁ; ମୁଁ ଆଖିରେ ଦେଖିଲି, ମୋ ଆଖି ଧନ୍ୟ ହେଲା । ଥରେ ସ୍ୱର୍ଗରୁ ଆସି ଦେଖି ଯାଅ, ତୁମ୍ଭର ଦୁଃଖିନୀ କନ୍ୟା କିପରି ରାଜରାଣୀ ହୋଇଛି ।’’ ବୃଦ୍ଧା ଏହିପରି ଆନନ୍ଦରେ ପାଗଳ ହୋଇ ବିବାହ ବାସୀଦିନ ପ୍ରାଣତ୍ୟାଗ କଲା । ବୃଦ୍ଧାର ଏ ମରଣ ଦୁଃଖର ମରଣ ନୁହେଁ ସୁଖର ମରଣ । ସେ ଆଜୀବନ ଦୁଃଖରେ ଦହି ହୋଇ ଅନ୍ତିମକାଳରେ ହସି ହସି ମୃତ୍ୟୁର ସୁଖ ଶଯ୍ୟାରେ ଶୟନ କଲା । ତାହାର ମୁଖରେ ମୃତ୍ୟୁର କରାଳ ପାଣ୍ଡୁର ଛାୟା ନାହିଁ, ତୃପ୍ତି ଏବଂ ଆନନ୍ଦର ଦୀପ୍ତି ବିଦ୍ୟମାନ । ଯେମନ୍ତ କି ମୃତ୍ୟୁ ତାକୁ ଛୁଇଁନାହିଁ, ସେ ହସି ହସି ଆପେ ଦେହ ଛାଡ଼ି ଚାଲି ଯାଇଅଛି-। ସେ ଆନ୍ଦମୟ ପୁଣ୍ୟ ଶରୀର ସ୍ପର୍ଶ କରିବା ଭଳି ସାହସ ମୃତ୍ୟୁର ନାହିଁ । ନନ୍ଦେ ଯଥାରୀତି ଶାଶୁଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପନ କଲେ । ମାତୃଶୋକର ପ୍ରଚଣ୍ଡ ଆଘାତରେ ସୌଦାମିନୀର କୋମଳ ହୃଦୟପଞ୍ଜର ଭାଙ୍ଗିପଡ଼ିଲା । ମାତୃଶୋକଠାରୁ ବଳି ଶୋକ ନାହିଁ । ଯାହାର ମା ନାହିଁ; ସେ କୁଟୁମ୍ୱ ଗହଳରେ ଥାଇ ସୁଦ୍ଧା ଏକୁଟିଆ ଏବଂ ଅନାଥ । ଲୋକେ କହନ୍ତି, ‘ଯାହାର ମା ନାହିଁ ତାହାର ସାହା ନାହିଁ ।’ ଅସ୍ଥାୟୀ ଜଗତରେ କିଛିହିଁ ସ୍ଥାୟୀ ନୁହେଁ, ଶୋକ ଦୁଃଖ ସ୍ଥାୟୀ ହେବ କାହିଁକି-? ଶେଫାଳିକାଙ୍କର ସ୍ନେହ ସାନ୍ତ୍ୱନାରେ ସୌଦାମିନୀର ଶୋକ କ୍ରମଶଃ ଊଣା ହୋଇଆସିଲା । ଶୋକ ପଛେ ପଛେ ବିସ୍ମୃତି ଥାଏ । ଶୋକ ଯେଡ଼େ ଗୁରୁତର ହେଉ ପଛେ, ପ୍ରକୃତିର ଅଲଙ୍ଘ୍ୟ ନିୟରେ ତାହା କ୍ରମେ କ୍ରମେ ମିଳାଇ ଯାଏ । ମନୁଷ୍ୟ ଦେହରେ ସବୁ ସହ୍ୟ ହୁଏ– ଶୋକ ବି ସହ୍ୟ ହୁଏ । ତାହା ହେଉ ନ ଥିଲେ ଶୋକାଗ୍ନିର ପ୍ରଖର ତେଜରେ ମାନବସୃଷ୍ଟି କେଉଁ କାଳରୁ ଧ୍ୱଂସପ୍ରାପ୍ତ ହୋଇସାରନ୍ତାଣି ।

 

ଶେଫାଳିକା ସୌଦାମିନୀକୁ ପ୍ରାଣଠାରୁ ବଳି ସ୍ନେହ କରନ୍ତି । ସେରୂପ ସ୍ନେହ ଜନନୀ ସୁଦ୍ଧା କନ୍ୟାକୁ କରିପାରେନାହିଁ । ବାଳିକାର ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ତାଙ୍କର ସବୁବେଳେ ସତର୍କ ଦୃଷ୍ଟି ଥାଏ । ସୌଦାମିନୀକୁ ସେ କୁଟାକେରାଏ ଦିଖଣ୍ଡ କରାଇ ଦିଅନ୍ତି ନାହିଁ । ସୌଦାମିନୀ କାମପାଇଟି କରିବାକୁ କହିଲେ ଶେଫାଳିକା କହନ୍ତି– ‘‘ଦୂର ବାୟାଣି, ତୁ ଅଣ୍ଡା ଖଣ୍ଡକ, କି ପାଇଟି କରିବୁ ? ମୁଁ ଯାହା କରୁଛି ତୁ ବସି କରି ତାହା ଦେଖ୍‌, ଶିଖ୍‌, ପଛକୁ କରିବୁ ନାହିଁକି ? ମୋତେ କଅଣ ସବୁଦିନେ ଘେନିକରି ବସିଥିବୁ ? ମୁଁ ମରିଗଲେ କଅଣ କରିବୁ ?’’ ଶେଷ କଥାଟା ସୌଦାମିନୀକୁ ବଡ଼ ବାଧେ, ସେ କାନ୍ଦୁଣୁ ମାନ୍ଦୁଣୁ ହୋଇ କହେ– ‘‘‘ସେମିତି କଥା କହିଲେ ମୁଁ ମୁଣ୍ଡ ଫଟାଇ ଦେବି ।’’ ଶେଫାଳିକା ହସି ହସି ସ୍ନେହସିକ୍ତ କୋମଳକଣ୍ଠରେ କହନ୍ତି– ‘‘ନା ଲୋ, ମୁଁ ମରିବି ନାହିଁ, ତୋତେ ଛାଡ଼ି ମୁଁ କୁଆଡ଼େ ଯିବି ? ତୋତେ ଛାଡ଼ି ବୈକୁଣ୍ଠକୁ ଗଲେ ସୁଦ୍ଧା ମୋର ସୁଖ ନାହିଁ-। ମୁଁ କଅଣ କହିଲି ବୋଲି ସତେ ମରିଯାଉଛି ଯେ, ତୁ କାନ୍ଦୁଛୁ ?’’ ଏହା କହି ବାଳିକା ସପତ୍ନୀକୁ କୋଳକୁ ଟାଣି ନେଇ ତାହା ମୁଣ୍ଡରେ ସ୍ନେହାଦରରେ ସ୍ନିଗ୍‌ଧ କୋମଳ ହସ୍ତ ବୁଲାଇ ଦିଅନ୍ତି ଏବଂ ମନେ ମନେ କହନ୍ତି– ହାୟ, ମୁଗ୍‌ଧ ସରଳା ଅଲେଳ ବାଳିକା । ତୋର କୋମଳ ହୃଦୟ ପାର୍ଥିବ ପାପ ଉପାଦାନରେ ଗଠିତ ନୁହେଁ । ସେ ହୃଦୟରେ ଦ୍ୱେଷ ନାହିଁ, ଈର୍ଷା ନାହିଁ, ଛଳ ନାହିଁ, ମାୟା ନାହିଁ, କପଟତା ନାହିଁ; ଅଛି ଖାଲି ପ୍ରାଣର ଅଗାଧ ପ୍ରେମ, ଅସୀମ ମମତା, ଆଉ ଅତୁଳ ଆତ୍ମୀୟତା-। ଯେଉଁ ପ୍ରେମରେ ପର ଆପଣା ହୁଏ, ଶତ୍ରୁ ମିତ୍ର ହୁଏ, ବନର ପଶୁପକ୍ଷୀ ବଶୀଭୂତ ହୁଏ, ସେହି ଅନାବିଳ ସ୍ୱର୍ଗୀୟ ପ୍ରେମରେ ତୋର ହୃଦୟ ପବିତ୍ର । ତୋପରି ସପତ୍ନୀ ହସ୍ତରେ ସ୍ୱାମୀଙ୍କୁ ସମ୍ପୂର୍ଣ୍ଣ ଛାଡ଼ିଦେଲେ ସୁଦ୍ଧା ଦୁଃଖ ବା ଅନୁତାପ ଲେଶମାତ୍ର ନାହିଁ– ବରଞ୍ଚ ସୁଖ ଏବଂ ଆନନ୍ଦ ଯଥେଷ୍ଟ ଅଛି-। ତୋତେ ସପତ୍ନୀ ରୂପରେ ପାଇ ମୁଁ ସୌଭାଗ୍ୟବତୀ ।

 

ଦିନେ ସୌଦାମିନୀ ଶେଫାଳିକାଙ୍କ ବେକରେ ଓହଳି ପଡ଼ି ସହାସ୍ୟ ବଦନରେ ତାଙ୍କ ମୁଖକୁ ଚାହିଁ, ପଚାରିଲା– ‘‘ତୁମେ କଅଣ ମୋର ସଉତୁଣୀ ?’’

 

ଶେଫାଳିକା– ନା, ତୋର ନାନୀ ।

ସୌଦାମିନୀ– ତେବେ ତୁମକୁ ବଡ଼ ନାନୀ ବୋଲି ଡାକିବି ?

 

ଶେଫାଳିକା– ନା, ଖାଲି ନାନୀ ବୋଲି ଡାକିବୁ, ଆଉ ମୁଁ ତୋତେ ‘ସଦୂ’ ବୋଲି ଡାକିବି-। ସୌଦାମିନୀ ନାମଟି ବଡ଼ ମଧୁର; କିନ୍ତୁ ବଡ଼, ମୁଁ ସେ ନା ଧରି ଡାକି ପାରିବି ନାହିଁ ।

 

ସୌଦାମିନୀ– ହଁ ନାନୀ, ତମେ ‘ସଦୂ’ ବୋଲି ଡାକିବ । ତମ ପରି ସ୍ନେହମୟୀ ଭଉଣୀ ମୋତେ ଜନ୍ମେ ଜନ୍ମେ ମିଳୁଥାଉ ।

 

ଶେଫାଳିକା– ମୋ ପରି ତୋତେ ମିଳୁଥାଉ ବୋଲି କହିଲୁ ଆଉ ତୋ ପରି ମୋତେ ମିଳିଥାଉ ବୋଲି ତ କହିଲୁ ନାହିଁ ? ତେବେ ତୋର ପ୍ରାର୍ଥନା ବିଧାତାଙ୍କ କର୍ଣ୍ଣ ଛୁଇବ ନାହିଁ ।

 

ସୌଦାମିନୀ– ମୋପରି ଲୋକ ତମ ଦାସୀ ହେବାର ଯୋଗ୍ୟ ନୁହେଁ ନାନୀ । ଆଛା ତମେ ମୋତେ କାହିଁକି କାମ ଦାମ କରାଇ ଦେଉନା ଭଲା କହିଲା ? ତମେ ରାନ୍ଧିବାଢ଼ି ପରଶିବ, ଆଉ ମୁଁ ଚୌଧୁରୀ ପରି ଚକାମାଡ଼ି ବସି ଖାଇବି, ଏହା କି ଭଲ କଥା ? ସତ କହୁଛି ନାନୀ, ମୋତେ ଭାରି ମାଡ଼ିପଡ଼େ ।

 

ଶେଫାଳିକା– ସେଥିରେ ତୋର ଲଜ୍ଜା କଅଣ ସଦୂ ? ମୁଁ ଯେତେବେଳେ ନ ପାରିବି, ତେତେବେଳେ ତୁ ରାନ୍ଧିବାଢ଼ି ମୋତେ ପରଶିବୁ ନାହିଁକି ? ଦୁହେଁଯାକ ତ ଏକ ଦେବତାର ସେବିକା, ତୁ କଲେ କଅଣ ଆଉ ମୁଁ କଲେ ବା କଅଣ ।

 

ଶେଫାଳିକା ସୌଦାମିନୀକୁ ପ୍ରାଣର ସହିତ ଭଲ ପାଆନ୍ତି । ଦୁଇ ସଉତୁଣୀ ଏକସଙ୍ଗରେ ଖାଆନ୍ତି, ଏକ ସଙ୍ଗରେ ବସନ୍ତି, ଏକ ସଙ୍ଗରେ ଗଳ୍ପ କରନ୍ତି । ଗୋଟିକୁ ଯେଉଠିଁ ଦେଖିବ, ଅପରଟି ସେହିଠି । ଯେପରି ଗୋଟିଏ ଅପରଟିର ଛାୟା ବା ପ୍ରତିବିମ୍ୱ କିମ୍ୱା ଏକ ବୃନ୍ତରେ ସଜ ବାସୀ ଦୁଇଟି ଫୁଲ । ଅଥବା ଗୋଟିଏ ସଙ୍ଗୀତର ରାଗିଣୀ, ଅନ୍ୟଟି ମୂର୍ଚ୍ଚନା । ଶେଫାଳିକା ସୌଦାମିନୀକୁ ଯେପରି ସ୍ନେହ କରନ୍ତି, ସୌଦାମିନୀ ପ୍ରବୀଣା ସପତ୍ନୀ ଶେଫାଳିକାକୁ ସେହିପରି ଭକ୍ତିକରେ । ସେରୂପ ହେବା ମଧ୍ୟ ସ୍ୱାଭାବିକ । ତୁମ୍ଭେ ଯାହାକୁ ଯେପରି ଭାବିବ, ସେ ତୁମ୍ଭଙ୍କୁ ଠିକ୍‌ ସେହିପରି ଭାବିବ । ତୁମ୍ଭେ ଜଣକୁ ମିତ୍ର ଭାବିଲେ ସେ ତୁମ୍ଭଙ୍କୁ ମିତ୍ର ଭାବିବ ଆଉ ଶତ୍ରୁ ଭାବିଲେ ସେ ତୁମ୍ଭଙ୍କୁ ଶତ୍ରୁ ଭାବିବ । ଶତ୍ରୁକୁ ଯଦି ତୁମ୍ଭେ ମିତ୍ର ଭାବ, ତେବେ ଶତ୍ରୁ ବି ତୁମ୍ଭଙ୍କୁ ମିତ୍ର ଭାବିବ । ତୁମ୍ଭର ମନୋମତ ଭାବ ତାହା ହୃୟରେ ପ୍ରତିଫଳିତ ହେବ । ଏଥିପାଇଁ ‘‘ଚିତ୍ତଦର୍ପଣ’’ ବୋଲି କହନ୍ତି । ମାନବର ଚିତ୍ତ ମଧ୍ୟରେ ଏହିପରି ଆଶ୍ଚର୍ଯ୍ୟ ସଂଯୋଗ ଅଛି । ସେହି ବୈଦ୍ୟୁତିକ ସଂଯୋଗ ହେତୁ ଜଣକର ଚିତ୍ତଭାବ ଅନ୍ୟର ଚିତ୍ତରେ ପ୍ରତିଫଳିତ ହୁଏ । ବିଧାତାଙ୍କ ସୃଷ୍ଟିର ଏହା ବିଚିତ୍ର କୌଶଳ । ଯେତେବେଳେ କଳ୍ପନାରେ ଏତେଦୂର ହୋଇପାରେ, ତେତେବେଳେ ପ୍ରତ୍ୟକ୍ଷୀଭୂତ କାର୍ଯ୍ୟରେ କଅଣ ନ ହେବ ? ତୁମ୍ଭେ ଜଣକୁ ସ୍ନେହରେ ରାଜସିଂହାସନରେ ବସାଇଥିବ, ସେ କି ତୁମ୍ଭଙ୍କୁ ଭକ୍ତି ନ କରି ରହିପାରିବ ? ସ୍ନେହ ଆଉ ଭକ୍ତି ଏ ଉଭୟ ପରସ୍ପର ବିନିମୟ ସାପେକ୍ଷ । ଦୁଇ ସପତ୍ନୀଙ୍କର ସୌହାର୍ଦ୍ୟ ଗ୍ରାମର ସ୍ତ୍ରୀ ସମାଜରେ ଗୋଟିଏ ଅଭିନୟ ଦୃଶ୍ୟହୋଇଉଠିଲା । ଦିନେହେଲେ ମନାନ୍ତର ନାହିଁ କଳହ ନାହିଁ, ଜିହ୍ୱାରେ ବିଷବୋଳା କିମ୍ୱା ଶାଣଦିଆ ନାହିଁ । କଳି କଅଣ ସତ୍ୟଯୁଗ ହେଲା । କେହି କହିଲା, ‘‘ନନ୍ଦଘର ବଡ଼ବୋହୂ ଗୋଟାଏ ଦେବୀ ।’’ କେହି କହିଲା– ‘‘ଦେବୀ ହେଉ ବା ଯାହାହେଉ, ସଉତୁଣୀକୁ ବଶ କରି ରଖିବାର ଟୁଣା–ଟାମୁଣା ଖୁବ୍‌ ଜାଣେ ।’’ କେହି କହିଲା– ‘‘ସାନବୋହୂଟା ବି ସୁନାମୁଣ୍ଡେ ।’’ କଥାରେ କହନ୍ତି– ‘‘କନିଆଁ ଭାର୍ଯ୍ୟା ନିଆଁ, ସେ ଉଛୁଣି ନିଆଁ ବିଞ୍ଚୁରୁ ଥାଆନ୍ତା; ମାତ୍ର ସରଗ ପଥର ପରି ଶୀତଳ ହୋଇ ରହିଛି । ସାପୁଆଣୀ ହାତରେ ନାଗୁଣୀ କୁଚିଆ ହୋଇ ରହିଲା ପରି ରହିଛି ।’’ ଏହିପରି କିଏ ଶେଫାଳିକାର, କିଏ ସୌଦାମିନୀର ଏବଂ କିଏ ବା ଉଭୟର ପ୍ରଶଂସା କଲେ; ମାତ୍ର ସେମାନଙ୍କ ଚରିତ୍ରରୁ କିଛି ଶିକ୍ଷା କଲେ କି ନାହିଁ, ତାହା ଅଦ୍ୟାବିଧି ପ୍ରକାଶ ପାଇନାହିଁ ।

Image

 

ସପ୍ତମ ପରିଚ୍ଛେଦ

 

ସୁଖ, ଶାନ୍ତି ଏବଂ ଆନନ୍ଦରେ ବ୍ରାହ୍ମଣ ପରିବାରର ଦିନ ପାଣିପରି ବହିଯାଉଅଛି । ଦେଖୁଁ ଦେଖୁଁ ବର୍ଷେ କାଳ ଅତିବାହିତ ହୋଇଗଲା । ଦିନ ଯେତେ ଯାଉଥିଲା, ସୌଦାମିନୀ ପ୍ରତି ଶେଫାଳିକାର ସ୍ନେହ ତେତେ ଗାଢ଼ ହୋଇ ଆସୁଥିଲା । ସୌଦାମିନୀ ଶେଫାଳିକାଙ୍କର ସମ୍ପୂର୍ଣ୍ଣ ବଶୀଭୂତ । ଦୁଇ ସଉତୁଣୀ ମଧ୍ୟରେ ଅତୁଳ ସଦ୍‌ଭାବ ଦେଖି ନନ୍ଦଙ୍କ ମନରୁ ଗୋଟିଏ ଦାରୁଣ ଆଶଙ୍କାର ଗୁରୁ ଭାର ଓହ୍ଲାଇ ଗଲା । ମୁସଲମାନମାନେ କହନ୍ତି– ‘‘ଜାମିନ୍‌, ଜୋରୁ, ଜହର (ରତ୍ନ) ଏ ତିନୋ କଜିଆକା ଘର ।’’ ନନ୍ଦେ କଳହ ବୃକ୍ଷ ରୋପଣ କରିଅଛନ୍ତି ସେଥିରେ ବିଷାକ୍ତ ଫଳ ଫଳିବ ଏହା ସେ ଜାଣନ୍ତି । ସୁତରାଂ ଆଶାଙ୍କା ପୋଷଣ ତାଙ୍କ ପକ୍ଷରେ ସ୍ୱାଭାବିକ । କିନ୍ତୁ ତାଙ୍କର ସେ ଭାବ ବାହାରକୁ ଜଣାଯାଉନଥିଲା । ଅନ୍ତଃସଲିଳା ଫଲ୍‌ଗୁନଦୀର ସ୍ରୋତପରି ତାଙ୍କର ଚିନ୍ତାଧାରା ଏକାବେଳକେ ଶୁଖି ମରିଗଲା– ‘‘ସଉତୁଣୀ ହିଂସା’’ ବୋଲି ସମସ୍ତେ ଦାୟିକା ଦେଇ କହନ୍ତି । ହିଂସ୍ରପଶୁ ହିଂସା ଛାଡ଼ିପାରେ; ମାତ୍ର ସଉତୁଣୀ କେବେ ହିଂସା ଛାଡ଼ିପାରେ ନାହିଁ । ନାଗୁଣୀ କି ବିଷ ତ୍ୟାଗ କରିପାରେ ? ଅଗ୍ନିଶାଖା କି ଉତ୍ତାପ ବର୍ଜନ କରିପାରେ । ପକ୍ଷାନ୍ତରେ ସଉତୁଣୀ ମାତ୍ର ଯେ ଈର୍ଷାନ୍ୱିତା, ତାହା ନୁହେଁ । ବନରେ କେବଳ କଣ୍ଟା ଗଛ ଥାଏ ନାହିଁ, ଚନ୍ଦନ ମଧ୍ୟ ଥାଏ । ନନ୍ଦଙ୍କ ଭାଗ୍ୟକୁ ତାଙ୍କର ଦୁଇଟିଯାକ ସ୍ତ୍ରୀ ଦୁଇଟି ଚନ୍ଦନ ଗଛ । ସେ ନୂତନ ପତ୍ନୀର ଗୁଣରେ ମୁଗ୍‌ଧ-। ସେହି ଗୁଣ ଯେ ପ୍ରଥମାଦତ୍ତ ସୁଶିକ୍ଷାର ଶୁଭଫଳ, ତାହା ମଧ୍ୟ ତାଙ୍କର ଅପରିଜ୍ଞାତ ନୁହେଁ-। ସେ ଏବେ ବୁଝିପାରିଲେ ଯେ, ‘‘ଶେଫାଳିକା ମନୁଷ୍ୟ ଗଢ଼ି ଜାଣେ ।’’

 

ଦିନେ ଶେଫାଳିକା ମୁହଁ ଅନ୍ଧାରରୁ ଉଠି ପହଁରା ମୁଠାଏ ଧରି ବାହାର ଖରକୁ ଥିଲେ । ଚରାଚର ଶବ୍ଦରେ ସୌଦାମିନୀର ନିଦ ଭାଙ୍ଗିଗଲା । ସେ, ଘରୁ ଉଠିଆସି ଶେଫାଳିକାଙ୍କ ହାତରୁ ପହଁରା ଛଡ଼ାଇନେଇ କହିଲା– ‘‘କାଲି ତମକୁ ଜ୍ୱର ହୋଇଥିଲା, ରାତିରେ କିଛି ଖାଇ ନାହଁ, ଆଜି ସକାଳୁ ଉଠି ବାସିପାଇଟି ନ କଲେ କଅଣ ଚଳିବ ନାହିଁ ? ଥାଉ, ମୁଁ କରିବି ।’’ ଶେଫାଳିକା ମୃଦୁ ହସି କହିଲେ– ନା ଲୋ, ଆଜି ଗୁରୁବାର ଯେ, ବାହାରଟା ଖରକି ଦେଉଥିଲି, ବାସି ଅଳିଆ ପଡ଼ିରହିଲେ ଲକ୍ଷ୍ମୀ ଛାଡ଼ିଯିବେ ।

 

ସୌଦାମିନୀ– ଦେହ ବଡ଼, ନା ଗୁରୁବାର ବଡ଼ ? ନା, ଆଜି ମୁଁ ସବୁ କରିବି, ତମକୁ କିଛି କରାଇ ଦେବି ନାହିଁ ।

 

ଶେଫାଳିକା– ମୋତେ ଜର ଛାଡ଼ିଗଲାଣି, ମାଇକିନିଆ ଜନ୍ମ ପାଇ ଟିକିଏ ଜରକୁ କି ଟିକିଏ ପେଟଟଣା ଡରିଲେ ଚଳିବ କିମିତି ? ତୁ କାହିଁକି କାକରଟାରେ ଏତେବେଳୁ ଉଠିପଡ଼ିଲୁ ସଦୂ ? ପିଲା ଲୋକ, ଦେହ ଖରାପ ହେବ ।

 

ସୌଦାମିନୀ– ମୁଁ କଅଣ ମାଇକିନିଆ ଜନ୍ମ ପାଇନାହିଁ, ମରଦଜନ୍ମ ପାଇଛି ? ମୋ ଦେହ କଅଣ ଲହୁଣୀରେ ଗଢ଼ା ହୋଇଛି ଯେ, ତରଳିଯିବ ଆଉ ତମ ଦେହ ପଥରରେ ଗଢ଼ାହୋଇଛି ପରା, ତମର କିଛି ହେବ ନାହିଁ ? ମୁଁ ପିଲା; ମୋର ନାହି ଲାଖିଛି, ଆଉ ତମେ ବୁଢ଼ୀ-

 

ଶେଫାଳିକା– ଦୂର ପାଗଳୀ, ତୋତେ କଥାରେ କିଏ ପାରିବ ? ତୁ ତାଙ୍କୁ ଜୁହାର ହୋଇ ଆସିଛୁଁ ନା ଉଠି ଏଣିକି ପଳାଇ ଆସିଲୁ ?

 

ସୌଦାମିନୀ– ଲଜ୍ଜାରେ ମୁହଁପୋତି ଠିଆହୋଇ ରହିଲା; ମାତ୍ର କିଛି କହିଲା ନାହିଁ । ତାହାକୁ ନୀରବ ଦେଖି ଶେଫାଳିକା ଟିକିଏ ଉତ୍‍କଣ୍ଠରେ କହିଲେ– ‘‘ତୋତେ ଆଉ କେତେଥର କାନେ କାନେ କହିବି ? ସ୍ୱାମୀ ଦେବତା, ତାଙ୍କୁ ଗୋଟାଏ ଜୁହାର ହେବାକୁ ପରା ତୋତେ ଏତେ ଲାଜ ମାଡ଼ୁଛି ?

 

ସୌଦାମିନୀ– ମୁଁ ଅନ୍ୟ ଦେବତା ଜାଣେନାହିଁ ନାନୀ, ଯେଉଁ ଦେବୀ ପ୍ରତିମାଠାରୁ ମାତୃସ୍ନେହର ଅମୃତଧାରା ପାନ କରୁଛି, ସେହି ଏକା ମୋର ଆରାଧ୍ୟା ଇଷ୍ଟଦେବୀ ।

 

ଶେଫାଳିକା– କୃତ୍ରିମ କ୍ରୋଧ ପ୍ରକାଶପୂର୍ବକ ଈଷତ ରୂଢ଼ସ୍ୱରରେ କହିଲେ– ‘‘ସଦୂ !’’

ସୌଦାମିନୀ– କଅଣ, ନାନୀ ?

ଶେଫାଳିକା– ତୁ ମୋର କିଏ ?

ସୌଦାମିନୀ– ତମର ସାନ ଭଉଣୀ, ନା ନା, ଦାସୀ ।

 

ଶେଫାଳିକା– ଫେର କହୁଛୁ ଦାସୀ ମୋର, ଉପଯୁକ୍ତ ସାନ ଭଉଣୀ ହେବାକୁ ହେଲେ ମୋର ଆଦେଶ ପାଳନ କରିବାକୁ ହେବ, ତାହା ପାରିବୁ !

 

ସୌଦାମିନୀ– କାହିଁକି ନ ପାରିବି ? ଅଗ୍ରଜା ଅନୁଜାକୁ ଉପଦେଶ ଦିଏ ନାହିଁ, ଆଦେଶ ଦିଏ । ତୁମ୍ଭର ଆଦେଶ ଏ ସେବିକା ପକ୍ଷରେ ସୌଭାଗ୍ୟ ଦେବତାର ଶୁଭାଶୀର୍ବାଦ ।

 

ଶେଫାଳିକା– ତେବେ ଶୁଣ ଅଭାଗି । ସ୍ତ୍ରୀ ସ୍ୱାମୀର ବିଳାସସଙ୍ଗିନୀ ନୁହେଁ, ସେବ ଦାସୀ-। ସ୍ୱାମୀସେବା ନାରୀର ସର୍ବଶ୍ରେଷ୍ଠ ଧର୍ମ । ସ୍ୱାମୀ ଦରିଦ୍ର ହେଉ, ରୋଗୀ ହେଉ, କ୍ରୋଧୀ ହେଉ, ନିଶାଖୋର ହେଉ ବା ଦୁଶ୍ଚରିତ୍ର ହେଉ; ମାତ୍ର ସେ ସ୍ତ୍ରୀର ପୂଜାର ଦେବତା । ସ୍ୱାମୀସେବା ନାରୀର ତପସ୍ୟା । ସ୍ୱାମୀ ଦେବତା ଏବଂ ପରମ ଗୁରୁ । ସ୍ୱାମୀ ସ୍ୱର୍ଗ, ସ୍ୱାମୀ ତୀର୍ଥ, ସ୍ୱାମୀ ତପ, ସ୍ୱାମୀ ଜପ, ସ୍ୱାମୀ ଧ୍ୟାନ, ସ୍ୱାମୀ ଗତି, ସ୍ୱାମୀ ମୁକ୍ତି, ସ୍ୱାମୀ ଇହକାଳ, ସ୍ୱାମୀ ପରକାଳ ଏବଂ ସ୍ୱାମୀ ନାରୀର ଜୀବନର ଜୀବନ । ସ୍ୱାମୀ ଆଜ୍ଞା ଲଙ୍ଘନ କରିବା ମହାପାପ । ତୁ କାୟମନଃପ୍ରାଣରେ ସ୍ୱାମୀଙ୍କର ମନସ୍ତୁଷ୍ଟି କରିବୁ, ସ୍ୱାମୀଙ୍କ ପ୍ରତି ଅପ୍ରିୟ ବାକ୍ୟ ପ୍ରୟୋଗ କରିବୁ ନାହିଁ । ସକାଳୁ ଉଠି ତାଙ୍କର ଚରଣରେଣୁ ମସ୍ତକରେ ଧାରଣ କରିବୁ । ସ୍ୱାମୀଙ୍କ ପାଦୋଦକ ସେବନ ନ କରି ଜଳସ୍ପର୍ଶ କରିବୁ ନାହିଁ । ଦୋଷରେ ହେଉ ବା ଅଦୋଷରେ ହେଉ ସ୍ୱାମୀ ଭର୍ତ୍ସନା କଲେ ବିରକ୍ତ ହେବୁ ନାହିଁ କିମ୍ୱା ପ୍ରତିବାଦ କରିବୁ ନାହିଁ । ନତମସ୍ତକରେ ତାଙ୍କର ଅତ୍ୟାଚାର ସହ୍ୟ କରିବୁ । ସ୍ୱାମୀ କୁପଥଗାମୀ ହେଲେ ତାଙ୍କ ଚରିତ୍ର ସଂଶୋଧନ ସକାଶେ ପ୍ରାଣପଣେ ଯତ୍ନ କରିବୁ । ସ୍ତ୍ରୀ ସ୍ୱାମୀର ଶରୀରର ପ୍ରହରୀ ଏବଂ ଚରିତ୍ରର ପ୍ରହରୀ । ସ୍ୱାମୀଙ୍କ ସୁଖରେ ସୁଖୀ ଏବଂ ଦୁଃଖରେ ଦୁଃଖୀ ହୋଇ ସହଧର୍ମିଣୀ ନାମ ସାର୍ଥକ କରିବୁ । ଭ୍ରମରେ ବା କୌତୁକରେ ସ୍ୱାମୀ ନିନ୍ଦା କରିବୁ ନାହିଁ, ସେଥିରେ ଜିହ୍ୱା କଳୁଷିତ ଏବଂ ଅପବିତ୍ର ହୋଇ ଛିଡ଼ିପଡ଼େ । ସ୍ୱାମୀ ସେବାରେ ଲଜ୍ଜା ବା ସଙ୍କୋଚ କରିବୁ ନାହିଁ । ତାହାକୁ ଗୌରବର କଥା ବୋଲି ମଣିବୁ । ତାହାହେଲେ ମୃତ୍ୟୁ ପରେ ପବିତ୍ର ସତୀସ୍ୱର୍ଗର ସ୍ୱର୍ଣ୍ଣ ସିଂହାସନରେ ବସି ଅକ୍ଷୟ ସୁଖାନନ୍ଦ ଉପଭୋଗ କରିବୁ; ଏଥିରେ କିଛିମାତ୍ର ସଂଶୟ ନାହିଁ।

 

ସୌଦାମିନୀ– ନାନୀ, ତୁମ୍ଭଠାରୁ ଧର୍ମୋପଦେଶ ଶୁଣି ମୁଁ ପବିତ୍ର ହେଲି, ମୋର ଜନ୍ମ ସାର୍ଥକ ହେଲା । ମୁଁ ଅନ୍ୟ ଧର୍ମ ଜାଣେ ନାହିଁ । ତୁମ୍ଭରି ଆଦର୍ଶ ମୋର ପରମଧର୍ମ । ମୁଁ ସେହି ଆଦର୍ଶ ଅନୁକରଣ କରି ଧନ୍ୟ ହେବି । ମୁଁ ତୁମ୍ଭର ଉପଯୁକ୍ତ ଭଉଣୀ ହୁଏଁ, ମୋତେ ଏହି ଆଶୀର୍ବାଦଦ୍ୱାରା ମୋର ନାରୀତ୍ୱ ପୂର୍ଣ୍ଣତା ପ୍ରାପ୍ତ ହେବ ।

 

ସୌଦାମିନୀ ଏବେ ସୁଗୃହିଣୀ, ସପତ୍ନୀର ସଦୂପଦେଶ ତାହା ଉପରେ ଯଥେଷ୍ଟ ପ୍ରଭାବ ବିସ୍ତାର କରିଅଛି । ସେ ଯେଉଁ କାର୍ଯ୍ୟ କରେ, ତାହା ଅତ୍ୟନ୍ତ ନିପୁଣତାର ସହିତ ସମ୍ପାଦନ କରେ । ଦରିଦ୍ର ପିତୃଗୃହରେ ସେ ମା ସରସ୍ୱତୀଙ୍କ ଆରାଧନାରେ ସୁବିଧା ପାଇ ନ ଥିଲା । ସଙ୍ଗିମାନଙ୍କ ସାହାଯ୍ୟରେ ଯାହା ଟିକିଏ ବିଦ୍ୟାର୍ଜନ କରିଥିଲା, ତେତିକି ବିଦ୍ୟା ତାହାର ଗୁରୁବାର ଦିନ ଲକ୍ଷ୍ମୀପୁରାଣ ପାଠକୁ ନିଅଣ୍ଟ । ଜଟିଳ ଯୁକ୍ତକ୍ଷରଗୁଡ଼ାକ ତାହାର ଗନ୍ତବ୍ୟ ପଥର ଦୁର୍ଲଙ୍ଘ୍ୟ ଲୌହ ପ୍ରାଚୀର ସଦୃଶ । ସେଗୁଡ଼ାକ କୌଣସି ବାଗେ ତାହାର ଆୟତ୍ତ ହେଲେ ନାହିଁ । ତାଙ୍କରି ଦୌରାତ୍ମ୍ୟ ଏବଂ ଅବାଧ୍ୟତାରେ ବିଚାରୀ ଜଳିପୋଡ଼ି ମରେ । ଯୁକ୍ତାକ୍ଷରଗୁଡ଼ାକର ଏରୂପ ବ୍ୟବହାର ନିଶ୍ଚୟ ଭଦ୍ରଜନୋଚିତ ନୁହେଁ । ସୌଦାମିନୀ ପଢ଼ୁ ପଢ଼ୁ ଯୁକ୍ତାକ୍ଷର ପାଖରେ ହାବୁଡ଼ି ପଡ଼ି ଅଟକିଯାଏ । ଯୁକ୍ତାକ୍ଷରକୁ ଛାଡ଼ିଦେଇ ପଢ଼ିଲେ ଅର୍ଥ ବୁଝାଯାଏ ନାହିଁ । ଯୁକ୍ତାକ୍ଷରକୁ ପଢ଼ିପାରେ ନାହିଁ, କି ଛାଡ଼ିପାରେ ନାହିଁ; ସୁତରାଂ ଏଭଳି ଉଭୟ ସଙ୍କଟରେ ପଡ଼ି ଅତି ବିଜ୍ଞ ପାଠକମାନେ ଯେଉଁ ତୃତୀୟ ପନ୍ଥା ଅବଲମ୍ୱନ କରନ୍ତି, ସୌଦାମିନୀ ତାହାହିଁ କରେ । ଅର୍ଥାତ୍‌ ଗୋଳାଇ ଦେଇ ପଢ଼ିଯାଏ । ଖାଲି ପାଠ ଗୋଳାଇ ଦେଇ ଚାଲିଯାଏ ନାହିଁ, ସଙ୍ଗେ ସଙ୍ଗେ ଯୁକ୍ତାକ୍ଷରଗୁଡ଼ାକୁ ବଂଶ ନିପାତର କଠୋର ଅଭିସମ୍ପାତ ଦିଏ, ଆଉ ଯୁକ୍ତକ୍ଷର ସ୍ରଷ୍ଟାର ଚତୁର୍ଦ୍ଦିଶ ପୁରୁଷଙ୍କୁ ବୁଦ୍ଧିହୀନତାର ଉଚ୍ଚସାର୍ଟିଫିକେଟ ପ୍ରଦାନ କରିବାକୁ ଭୁଲେ ନାହିଁ; କିନ୍ତୁ ବର୍ତ୍ତମାନ ସୌଦାମିନୀର ଆଉ ପୂର୍ବ ଅବସ୍ଥା ନାହିଁ, ଶେଫାଳିକାଙ୍କ ସାହାରେ ସେ ବିଦ୍ରୋହୀ ଯୁକ୍ତାକ୍ଷରଗୁଡ଼ାକୁ ନଜରବନ୍ଦୀ କରି ରଖିଅଛି । ଏବେ ଆଉ ସେଗୁଡ଼ାକ ତାକୁ ଭୂତ ପ୍ରେତ ବା ଡାହାଣୀ ଚିରକୁଣୀ ପରି ଭୟଙ୍କର ଦିଶନ୍ତି ନାହିଁ; ବରଂ ସେମାନଙ୍କ ସହିତ ଆଳାପ–ସଦ୍‌ଭାବ ଘନିଷ୍ଠତର । ସୌଦାମିନୀକୁ ପ୍ରତ୍ୟହ ଖରାବେଳେ ଶେଫାଳିକା ପଢ଼ାନ୍ତି । ତାହାର ଶିକ୍ଷାର କ୍ଷୁଦ୍ର ପରିଧି ଯଥେଷ୍ଟ ବିସ୍ତାର ପ୍ରାପ୍ତ ହୋଇଅଛି । ସୌଦାମିନୀର ସ୍ମୃତିଶକ୍ତି ଖୁବ୍‌ ପ୍ରଖର, ସେ ଯାହା ଥରେ ଶିଖେ, ତାହା ଆଉ ଭୁଲିଯାଏ ନାହିଁ । ଶିଷ୍ୟର ବିଦ୍ୟା ଦେଖି ଗୁରୁ ମୁଗ୍‌ଧ ଏବଂ ସ୍ତମ୍ଭିତ ହୁଅନ୍ତି । ସୌଦାମିନୀ ରାମାୟଣ, ମହାଭାରତ ପ୍ରଭୃତି ଭଲ ପଢ଼ିପାରେ ଏବଂ ଅର୍ଥ ମଧ୍ୟ ବୁଝିପାରେ । ଶେଫାଳିକା ସପତ୍ନୀକୁ ଠିକ୍‌ ନିଜପରି ଗଢ଼ିନେଇ ଅଛନ୍ତି । ସପତ୍ନୀ ତାଙ୍କର ଦ୍ୱିତୀୟ ସଂସ୍କରଣ । ଦୁହିଙ୍କର ସ୍ୱଭାବ ଏକ ଛାଞ୍ଚରେ ଢଳା ହେଲାପରି ବୋଧହୁଏ ।

 

ପ୍ରତ୍ୟହ ଖିଆପିଆ, କାମ ପାଇଟି ଶେଷରେ ଖରାବେଳେ ଉଭୟ ସପତ୍ନୀ ଭକ୍ତି ପ୍ରୀତି ପରି ଏକତ୍ର ବସି ଧର୍ମଗ୍ରନ୍ଥ ପାଠ କରନ୍ତି । ରମଣୀକଣ୍ଠର ମଧୁର ସ୍ୱର ଶ୍ରୋତାର କର୍ଣ୍ଣରେ ଅମୃତ ବର୍ଷଣ କରେ । ସମୟ ସମୟରେ ଗ୍ରାମର ସ୍ତ୍ରୀଲୋକମାନେ ଆସି ଶୁଣନ୍ତି । ବଳିଆ ମା ତେଲୁଣୀ ସେଥି ମଧ୍ୟରେ ନିୟମିତ ଶ୍ରୋତ୍ରୀ । ସେ ଦିନେ ସୁଦ୍ଧା କମେଇ କରେ ନାହିଁ, ପ୍ରତ୍ୟହ ଆସି ଶୁଣେ । ବଳିଆ ମା ବିଧବା, ବୟସ ଚାଳିଶିର ପାଖାପାଖି । ବର୍ଣ୍ଣ ଗୌର; ମାତ୍ର ଉଜ୍ଜ୍ୱଳ ଗୌର ନୁହେଁ– ଶ୍ୟାମଳ ବର୍ଣ୍ଣକୁ ଖୁବ୍‌ ରଗଡ଼ି ମାଜିଦେଲେ ଯେଉଁ ପରି ଦିଶେ, ଠିକ୍‌ ସେହିପରି । ପୋଥି ଶୁଣିବାକୁ ତାହାର ଭାରି ଆଗ୍ରହ । ତାହାର ବିଶ୍ୱାସ, ସେଥିରେ ତାହାର ‘‘ଅକାୟା ପିଣ୍ଡ କାୟା’’ ହୁଏ । ବଳିଆ ମା ଟିକିଏ ଅଲଗା, ଛନ୍ଦଫନ୍ଦ ଜାଣେ ନାହିଁ, କଥା କହିବାବେଳେ ଖାଲ ଠିକର ନ ଭାବି ଯାହା ମନକୁ ଆସେ ତାହା କହି ପକାଏ । ଏ ହେତୁ ସମୟ ସମୟରେ ତାକୁ ଟିକଏ ସଂଘର୍ଷଣର ଯନ୍ତ୍ରଣା ମଧ୍ୟ ସହିବାକୁ ପଡ଼େ; ମାତ୍ର ‘‘ପ୍ରକୃତିର୍ନୈବ ମୁଚ୍ୟତେ’’; ତଥାପି ସେ ପ୍ରକୃତି ଛାଡ଼େ ନାହିଁ । ଦିନେ ଦିନେ ପୋଥି ପଢ଼ା ସ୍ଥାନରେ ଧୂମକେତୁ ପରି ପିତେଇର ଆବିର୍ଭାବ ହୁଏ । ଉଦ୍ଦେଶ୍ୟ ଧର୍ମାର୍ଜନ ନୁହେଁ– ଶୟନ ସୁଖ ଭୋଗ । ସେ କାନି ବିଛାଇ ଶୋଇ ନିଶ୍ଚିନ୍ତ ମନରେ ନାସିକା–ଖଙ୍ଖ ବାଦନରେ ବିଭୋଳ ହୁଏ । କେବେ ଅବା ତଳେ କହୁଣୀ ଭରା ଦେଇ, ହାତ ଚକି ଉପରେ ମସ୍ତକ ରଖି ସାପ ଫେଣା ଟେକି ରହିଲା ପରି ଅର୍ଦ୍ଧଶାୟିତ ଅର୍ଦ୍ଧ ଉତ୍‌ଥିତ ଅବସ୍ଥାରେ କାନ ଡେରି ପୋଥି ଶୁଣେ; ମାତ୍ର କିଛି ବୁଝେ କି ନାହିଁ, ତାହା ଅନ୍ତର୍ଯ୍ୟାମୀ ଜାଣନ୍ତି । କେହି ପଚାରିଲେ ଖୁବ୍‌ ବୁଝିଛି ବୋଲି କହେ । ଦିନେ ସୌଦାମିନୀ ପଚାରିଲା– ‘‘ପିତେଇ ରାମାୟଣରେ କି କଥା ପଡ଼େ ଜାଣୁନା?’’ ପିତେଇ କହିଲା, ‘ଜାଣେ ଗୋ ଜାଣେ, ପିତେଇ ଗଉଡ଼ୁଣୀ ନ ଜାଣି ଶାସ୍ତ୍ର ନାହିଁ । ‘ରାମାୟଣ’ରେ କି ହକେତ ପଡ଼େ ଶୁଣିବୁ ? ସେହି ଯେ କଅଣ କହନ୍ତି– ପାଞ୍ଚରଥ ନା ଦଶରଥ ତା ନା, ସେହି ରଜା ଅଯୋଧ୍ୟା ରାଣୀର ପୁଅ ପର୍ଶୁରାମକୁ ବଣକୁ ପଠାଇ ଆପେ ବିଷ ଖାଇ ମଲା, ‘‘ରାମାୟଣ’ରେ ତାହାରି ଚରିତ ପଡ଼େ ।’’ ସୌଦାମିନୀ ଏହା ଶୁଣି ହୋ ହୋ କରି ହସିଉଠି କହିଲା, ‘‘ଖୁବ୍‌ ଶାସ୍ତ୍ର ତୁ ଜାଣୁ, ବାଃ ତୁ ନ ମରି ବଞ୍ଚିଥା । ଦଶରଥ ତ ପୁତ୍ରଶୋକରେ ମଲେ ଆଉ ବିଷ ଖାଇ କିଏ ମଲା ଲୋ ?’’ ପିତେଇ କହିଲା– ‘ହଁ ଗୋ ହଁ, କେତେ ବହଲଉଛ, ମୁଁ ସବୁ ଜାଣେ । ଯାହାର ପୁଅ ମରିଯାଉଛି , ସେ ତ ମରୁ ନାହିଁ, ଆଉ ପୁଅ ବଣକୁ ଗଲା ବୋଲି ବାପ ମରିଗଲା । କନିଆଁ ମାଇପ ବୁଦ୍ଧିରେ ବିନା ଦୋଷରେ ପୁଅଟାକୁ ଘରୁ କାଢ଼ିଦେଇ ଏଡ଼େ ବଡ଼ ରାଜାଟା ଲୋକନିନ୍ଦା ହେବ ବୋଲି ବିଷ ଖାଇ ମରିଗଲା । ଏହା ତ ଅନ୍ଧକୁ ଗୋହରୀ ବାଟ, କି, ନ ଜାଣେ ଯେ, ହାତୀ ମଲା କୁଲା ଢାକୁଣୀ ପଡ଼ିଚି-। ଶାଗ ଢାଙ୍କି ମାଛ ଲୁଚାଇଲା ପରି କଅଣ ନା, ପୁଅ ଦୁଃଖରେ ମରି ଗଲା । ଇମିତି ଭଲା କେତେଟା ମଲେଣି ? ଲୋକେ ଛି ଛି କରିବେ ବୋଲି ତ ମାଇପ ସୁଆଗିଆ ବୁଢ଼ାଟା ଲାଜରେ ବିଷ ଖାଇ ମରିଗଲା, ଆଉ ତମେ କଅଣ ଜାଣ ? ଆଭୀର ସୁନ୍ଦରୀର ଏ ଅସାଧାରଣ ଶାସ୍ତ୍ରଜ୍ଞାନ ଦେଖି ସୌଦାମିନୀ ଆଉ ତର୍କ ନ କରି ନୀରବ ରହିଲା । ସେଫାଳିକା ଟିକିଏ ମୁରୁକି ହସା ଦେଲେ; ମାତ୍ର କିଛି କହିଲେ ନାହିଁ । ଅନନ୍ତର ରାମାୟଣ ପାଠ ଆରମ୍ଭ ହେଲା । ସୀତାଙ୍କର ଅଶୋକ ବନରେ ଅବସ୍ଥାନ ବୃତ୍ତାନ୍ତ ପଡ଼ିଲା । ତାଙ୍କୁ ଯେଉଁ ରାକ୍ଷସୀମାନେ ଜଗିଥିଲେ, ସେମାନଙ୍କର ଅଦ୍ଭୁତ ରୂପ ବର୍ଣ୍ଣନା ହେଲା । କାହାର ଦାନ୍ତ ମଳାପରି କାହାର ମୁଣ୍ଡର ବାଳ ତାଳଗଛ ପରି, ନାକ ଦିପଖାକା ଚୁଲି ପରି, କାନ କୁଲାପରି, କାହାର ହାତଗୋଡ଼ ଖଜୁର ଗଛପରି ପାଣ୍ଡୁର ଏବଂ ବନ୍ଧୁର-। ଏହିପରି ଅପୂର୍ବ ରୂପ ବର୍ଣ୍ଣନା ପଢ଼ୁ ପଢ଼ୁ ସୌଦାମିନୀ ଶେଫାଳିକାଙ୍କୁ କହିଲା– ‘ନାନୀ, ଅସୁରୁଣୀଗୁଡ଼ାକ ଖୁବ୍‌ ସୁନ୍ଦରୀ । ଶେଫାଳିକା ହସିଲେ,; ମାତ୍ର ବଳିଆ ମା କହିଲା– ‘‘ହଁ ଲୋ ଝିଅ, ପିତେଇ ପରି ସୁନ୍ଦରୀ ।’’ ପିତେଇ ଏହା ଶୁଣି କ୍ରୋଧରେ କମ୍ପିଉଠିଲା, ତାହାର ହୃଦୟରେ ଖାଣ୍ଡବ ଦାହନ ଆରମ୍ଭ ହେଲା । ସେ ଗୋଟାଏ ଗର୍ଜନ ଛାଡ଼ି କହିଲା– ‘‘ଦେଖ ଦେଖ ମା ଠାକୁରାଣୀ, ସକଳଖାଇ ରାଣ୍ଡ ତେଲୁଣୀର ଉଗୁରି ଦେଖ, ମୋତେ ଟାହୁଲି କରୁଛି, କହୁଛି ସୁନ୍ଦରୀ । କିଲୋ ହାତ ଗୋଡ଼ ଖାଇ, ଅଁଶ ବଅଁଶ ଖାଇ, ତୁ ସୁନ୍ଦରୀ ହ, ତୋର ଝିଅ ରାଣ୍ଡ ସୁନ୍ଦରୀ ହେଉ, ତୋ ବୋହୂ ଆଣ୍ଠୁକୁଡ଼ୀ ସୁନ୍ଦରୀ ହେଉନ୍ତୁ ।’’ ଏହିପରି ଯାହା ମନକୁ ଆସିଲା ଅନର୍ଗଳ ବକିବାକୁ ଲାଗିଲା-। ଘଟଣା ଗୁରୁତର ଦେଖି ଶେଫାଳିକା ପୋଥି ବାନ୍ଧି ଦେଇ ପିତେଇକୁ ସାନ୍ତ୍ୱନା ଦେବାକୁ ଲାଗିଲେ; ମାତ୍ର ତାହା ଶୁଣୁଛି କିଏ ? ପିତେଇର ମନ କଅଣ ତାହା ଦେହରେ ଅଛି ? ତାହାର ମନ ତ ଯାଇ ଦୂର୍ବାର କ୍ରୋଧରେ କୋଟି ଯୋଜନ ଉର୍ଦ୍ଧ୍ୱରେ ଉଡ଼ି ବୁଲୁଛି । ସାନ୍ତ୍ୱନା କ୍ରୋଧ ବ୍ୟାଧିର ପ୍ରଧାନ ଔଷଦ; ମାତ୍ର ବ୍ୟାଧି ପ୍ରବଳ ହେଲେ ଔଷଧ ମାନେ ନାହିଁ । କିଛିକ୍ଷଣ ପରେ ଶେଫାଳିକାଙ୍କ ମୁଖରେ ଘୃଣା ଏବଂ ବିରକ୍ତିର ଚିହ୍ନ ଦେଖି ପିତେଇ ଟିକିଏ ନରମ ହୋଇ କହିଲା– ‘ଆଚ୍ଛା ମା ଠାକୁରାଣୀ, ତମେ ଭଲା ବିଚାର କରନି– ତୁଚ୍ଛାଟାରେ ସେ ମୋତେ କାହିଁକି ଏତେ ବେଉନ୍ତିଲା, ମୁଁ ତାହାର ଖାଏଁ ନା ଧାରେ ? ଏ ଗଞ୍ଜଣା ଖାଇ ମୋର ମରିଯିବାକୁ ଇଚ୍ଛା ହେଉଛି ।’’ ଶେଫାଳିକା କିଛି ନ କହୁଣୁ ବଳିଆ ମା ଲଘୁ ସ୍ୱରରେ କହିଲା– ‘ମରିଯା, ତୁ ମରିଗଲେ ଏ ଗାଁରେ କାହାର କଅଣ ଊଣା ହୋଇଯିବ ?’’ ଏ କଥାଟା ପିତେଇର କ୍ରୋଧାନଳରେ ଆହୁତି ତୁଲ୍ୟ ହେଲା, ସେ ଜିହ୍ୱାରେ ଆଉ ଟିକିଏ ବିଷ ବୋଳି ଦେଇ ଆହତା ତମ୍ପୁଣୀ ପରି ଫୁଲିଉଠି କହିଲା– ‘‘ତୁ ଟା ମୋତେ କହିଁକି ବାଛିବୁ ଲୋ ? ତୁ କଅଣ ମୋଠଉଁ ବେଶୀ ଶୋଭାକାର ? ମୋର ଯେତେବେଳେ ବଳ ବୟସ ଥିଲା, ରଜାପୁଅ ବି ଘଡ଼ିଏ ଠିଆହୋଇ ଚାହୁଁଥିଲା । ମୋର ଶଶୁର କହନ୍ତି– ମୋ ବୋହୂ ଖଣ୍ଡେ ଛବି ପରି ସୁନ୍ଦରୀ, ସେ ମୋ ଘରର ଲକ୍ଷ୍ମୀଠାକୁରାଣୀ ।’’ ବଳିଆ ମା ଅପୂର୍ବ ଭଙ୍ଗୀରେ ହାତ ମୁହଁ ହଲାଇ ପୂର୍ବପରି ଲଘୁ ସ୍ୱରରେ କହିଲା– ‘‘ଆହା ତୁ ଯେଉଁ ଶ୍ରୀମତୀ, ଘରେ ଗୋଡ଼ ଦେଇ ଲକ୍ଷ୍ମୀଠାକୁରାଣୀଙ୍କୁ ତଣ୍ଟିଆ ମାରି ଘଉଡ଼ି ଦେଲୁ ।’’ ସୌଭାଗ୍ୟବଶତଃ ଏ କଥା ପିତେଇର କର୍ଣ୍ଣଗୋଚର ହୋଇ ନାହିଁ, ନଚେତ୍‌ ଉପଦ୍ରବର ମାତ୍ରା ସୀମା ଅତିକ୍ରମ କରିଥାନ୍ତା । ଶେଫାଳିକା କହିଲେ– ‘‘ବଳିଆ ମା ତୋତେ କଅଣ କହିଲା ଯେ, ତୁ ଏତେ ଚଳି ହେଉଛୁ ପିତେଇ-? ତୋର ନବରଙ୍ଗ ଦେଖି ହସି ହସି କାନ୍ଦ ମାଡ଼ୁଛି । ସୁନ୍ଦରୀ ବୋଲି କହିବା କି ଦୋଷର କଥା ?’’ ପିତେଇ କହିଲା– ‘‘କି ସେ ମୋତେ କାହିଁକି ଟିକଲ କରିବ । ସେ କହିବ, ଆଉ ମୁଁ କହିବି ନାହିଁ, ଛାଡ଼ି ଦେବି ?’’ ଏହା କହି କ୍ରନ୍ଦନ ସ୍ୱରରେ ପୁନଶ୍ଚ କହିଲା– ‘‘ତମେ ବି ତାହାର ପଟ ଧରିଲ ମା ଠାକୁରାଣୀ ! ମୁଁ ଦୁଃଖୀ ରଙ୍କୀ ହେଲିବୋଲି ମୋ ଦେହରେ କଣ ରକ୍ତ ନାହିଁ ? ହାୟ, ମୋ ବାପ ମୋତେ କେତେ ଗେହ୍ଲା କରିଥିଲା ।’’ ଅନନ୍ତର ପିତେଇ ଭୋ ଭୋ ହୋଇ ରଡ଼ି ଛାଡ଼ି ଆଖିରେ ଦୁଇ ମେଞ୍ଚା ଲୁଗା ଚାପି ଧରି କହିଲା, ‘‘ହାୟ, ମୋ ବାପ ଲୋ, କୁଆଡ଼େ ଛାଡ଼ିଗଲୁ ଲୋ, ତୋର ଗେହ୍ଳା ଝିଅର ଦୁଃଖ ଆସି ଦେଖି ଯା ଲୋ ।’’ ତାହା ଆଖିରୁ ଲୁହ ବୋହୁଥିଲା କି ନାହିଁ, ତାହା ଅନ୍ତର୍ଯ୍ୟାମୀ ଠାକୁରେ ଜାଣନ୍ତି; ମାତ୍ର ଲୁଗା କାନିରେ ଲୁହ ପୋଛିବା ସମସ୍ତେ ଦେଖିଅଛନ୍ତି । ଆଉ ତାହାର ସେହି ଆତୁର ଡାକ ତାହାର ସ୍ୱର୍ଗତଃ ପିତୃଚରଣ ତଳେ ପହଞ୍ଚିଲା କି ନାହିଁ କିମ୍ୱା ପିତୃଦେବଙ୍କ ପ୍ରେତାତ୍ମା ଆସି ଅଲକ୍ଷ୍ୟରେ ପ୍ରିୟ ଦୁଲଣାର ଦୁଃଖ ଦେଖିଗଲେ କି ନାହିଁ, ତାହା ଜାଣିବାର ଉପାୟ ନାହିଁ । ପିତେଇର କାଣ୍ଡ ଦେଖି ସମସ୍ତେ ତାଟଙ୍କା ହୋଇ ରହିଲେ– କାହାରି ମୁହଁରୁ ଆଉ ଭାଷା ବାହାରିଲା ନାହିଁ । ଏହିପରି କିଛିକ୍ଷଣ ଅତିବାହିତ ହେଲା ପରେ ପିତେଇ ଆଖିରୁ ଲୁଗା କାଢ଼ିଦେଇ ଫକ୍‌କରି ହସିଦେଇ କହିଲା, ‘‘ମା ଠାକୁରାଣୀ, ମନଊଣା କଲ କି ?’’ ନା ଲୋ, ମୁଁ ଗେଲ ହେଉଥିଲି।’’ ଏହା ଶୁଣି ସମସ୍ତେ ହସି ଉଠିଲେ । ହାସ୍ୟର ଗୋଟାଏ ବିପୁଳ ତରଙ୍ଗ ସେଠାରେ ଖେଳିଗଲା । ଶେଫାଳିକା ହାସ୍ୟମୁଖରେ କୃତ୍ରିମ କ୍ରୋଧର ଛାୟାପାତ କରି ବିସ୍ମୟବୋଳା ସ୍ୱରରେ କହିଲେ– ‘‘ତୁ ଏତେ ଛଟକ ଜାଣୁ ନା ଛଟକି ? ଚଳିହୋଇ କାନ୍ଦୁଥିଲୁ ପରା ଲୋ ?’’ ପିତେଇ କହିଲା– ‘‘ଚଳିହେବି କାହିଁକି ମା ? ଯେ ଯାହା, ତାକୁ ତାହା କହିଲେ କଅଣ ସେ ଚଳେ ? ତୁମେ ସୁନ୍ଦରୀ, ତୁମକୁ ସୁନ୍ଦରୀ ବୋଲି କହିଲେ କଅଣ ତୁମେ ଚଳିବ ? ସେହିପରି ମୁଁ ଅସୁନ୍ଦରୀ ମୋତେ ଅସୁନ୍ଦରୀ କହିଲେ ମୁଁ ମୁଣ୍ଡ ବାଡ଼େଇ ହେବି କାହିଁକି ? ଏଥିରେ ଚଳ ନାହିଁ କି ଛଳ ନାହିଁ । ତୁମ ମନ ଖୁସି କରିବା ପାଇଁ ଟିକିଏ କୌତୁକ କରୁଥିଲି । ହେଉ, ଏବେ ପୋଥି ପଢ଼-।’’

 

ଶେପାଳିକା– କି, ତୁ ଶୁଣିବୁ କି ?

ପିତେଇ– ମୁଁ ପାପୀ ଲୋକ, କଅଣ ଶୁଣିବି ?

ଶେପାଳିକା– ଶୁଣ୍, ପାପ ଛାଡ଼ିଯିବ ।

 

ପିତେଇ– ପାପ କି କେବେ ଛାଡ଼ିଯାଏ ? ଧର୍ମ ଯୁଧିଷ୍ଠିଙ୍କ ପରି ଲୋକ, ସେତ ପାପ ଭୋଗ କଲେ, ଆଉ କିଏ ବା କି ଛାର ! ପାପ ଛାଡ଼ିଲେ କି ମଣିଷ ବଞ୍ଚିବ ?

 

ଶେପାଳିକା– ନା, ପାପ କଲେ ମଣିଷ ବଞ୍ଚନ୍ତି ?

 

ପିତେଇ– ତାହା ନୁହେଁ କଅଣ ? ମଣିଷ ଗଛରୁ ଫଳ ତୋଳେ, ଦାନ୍ତକାଠି ଭାଙ୍ଗେ, ମାଛ ଧରେ , ଧାନ ଗଛ କାଟିଆଣେ, କେତେ ଜୀବଜନ୍ତୁ ମାରି ଚାଷ କରେ ଏ ସବୁ କଅଣ ପାପ ନୁହେଁ ? ଆଉ ଏହା ନ କଲେ ସେ ବଞ୍ଚିବ କିପରି?

 

ଶେପାଳିକା– ତୁ ତ ଭାରି ପଣ୍ଡିତ ହୋଇ ଗଲୁଣି ଲୋ ପିତେଇ ? ହେଉ, ତାହା ହେଲେ ତୁ ବେଶୀ ପାପ କର, ଖୁବ୍‌ ବେଶି ଦିନ ବଞ୍ଚିବୁ ?

 

ଅନନ୍ତର ଶେପାଳିକା ପୁନଶ୍ଚ ପୁସ୍ତକ ପାଠରେ ମନୋନିବେଶ କଲେ । ପିତେଇ ତଳେ କାନି ବିଛାଇ ଶୋଇ ନିଦ୍ରାଦେବୀଙ୍କ ଆରାଧନାରେ ଆତ୍ମନିୟୋଗ କଲା ।

 

ନନ୍ଦଙ୍କ ଘରେ ଆନନ୍ଦ ଉଛୁଳି ପଡ଼ୁଅଛି । ଘରେ କେତେଜଣ ନୂତନ ଲୋକ ଦେଖା ଯାଉଅଛନ୍ତି । ବୋଧ ହୁଏ ସେମାନେ ପ୍ରତିବେଶୀ କିମ୍ୱା ଦୂରାଗତ ବନ୍ଧୁ ଅଥବା ଏହିପରି କିଛି ହେବେ । ପିତେଇର ଆଜି ସ୍ଫୂର୍ତ୍ତିର ସୀମା ନାହିଁ । ସେ ନାନା କାର୍ଯ୍ୟରେ ବ୍ୟସ୍ତ । ମଧ୍ୟରେ ଅବସର ସମୟରେ ଟିକିଏ ହସି ନେଉଅଛି । ବୋଧହୁଏ ସେ ଗୋଟାଏ ଉପାଦେୟ ପଦାର୍ଥର ଭାବୀ ଆସ୍ୱାଦ କଳ୍ପନାରେ ଆନନ୍ଦିତ । ତାହାର ହସ ଏକ ଅପୂର୍ବ ଧରଣର । ସେ ମାତୃଗର୍ଭରେ ଥିବାବେଳେ ଗ୍ରହଣ ସମୟରେ ତାହାର ମା ଗୋଟାଏ ପାନ ଚିରିଥିଲା । ଏହି ଅପରାଧରେ ବିଧତା ଗର୍ଭସ୍ଥ କନ୍ୟାର ଉପର ଓଠ ଚିରି ଦେଇଥିଲେ । ହସିବାବେଳେ ହାସ୍ୟଧାରା ସେଆଡ଼କୁ କେତେକ ବହିଯାଏ । ଶେପାଳିକାଙ୍କର ଗୋଡ଼ ଆଜି ତଳେ ପଡ଼ୁନାହିଁ । ତାଙ୍କର ମୁଖମଣ୍ଡଳ ଆନନ୍ଦର ମଧୁର ଜ୍ୟୋତ୍ସ୍ନାରେ ଆଲୋକିତ ଏବଂ ଶିର ଭାବୀ ସୌଭାଗ୍ୟର ଗର୍ବଭାରରେ ଆନମିତ । ସୌଦାମିନୀ ଅନ୍ତଃସତ୍ତ୍ୱା । ତିନିମାସରେ ଚିତଉ ଖାଇବାର ବିଧି ଅଛି । ଆଜି ତାହାର ସେହି ଚିତଉଖିଆ ଦିନ । ଏହିହେତୁ ଶେଫାଳିକା ଆନନ୍ଦିତା । ତାଙ୍କର ଚିରଶୁଷ୍କ ନିରାନନ୍ଦ ବନ୍ଧ୍ୟାଜୀବନରେ ମାତୃତ୍ୱର ଆଶା ଜାଗି ଉଠିଅଛି । ସେ ଦେବତାଙ୍କୁ ଶକ୍ତିର ଅତୀତ ଐଶ୍ୱର୍ଯ୍ୟରାଶି ମାନସିକ କରି କହୁଅଛନ୍ତି, ‘‘ହେ ଜଗନ୍ନାଥ, ହେ କାଳିଆ ସାମନ୍ତ, ତୁମ୍ଭେ ଦିନର ଆଲୁଅରେ, ରାତିର ଅନ୍ଧାରରେ, ନକ୍ଷେତ୍ରର ଜ୍ୟୋତିରେ, ଗଗନରେ, ପବନରେ ସବୁଠାରେ ଅଛ, ଏ ସେବକୀର କାତର ଗୁହାରି ଶୁଣ ପ୍ରଭୋ ! ମୋର ଶଶୁରକୁଳର ବଂଶରକ୍ଷା ହେଉ, ଏହାଛଡ଼ା ମୁଁ ଆଉକିଛି ଅଳି କରୁନାହିଁ ଦୟାମୟ । ତୁମ୍ଭ ବଡ଼ଦେଉଳର ନୀଳଚକ୍ରରେ ଷାଠିଏ ହାତ ନେତ ବାନ୍ଧିବି ପ୍ରଭୋ ମୋର ମନୋବାଞ୍ଛା ପୂର୍ଣ୍ଣକର ।’’ ଏହିପରି କାହାକୁ ରୂପାଆଖି, ପାଟଶାଢ଼ୀ, ବଳା, ବାଜୁ ଇତ୍ୟାଦି ନାନା ଦେବଦେବୀଙ୍କୁ ମାନସିକ କରିସାରିଲେଣି । ସେ ଆଶାରେ ଏତେଦୂର ଆଚ୍ଛନ୍ନ ହୋଇପଡ଼ି ଅଛନ୍ତି ଯେ, ଭବିଷ୍ୟତକୁ ଆଣି ବର୍ତ୍ତମାନର ଆସନରେ ବସାଇ ଦେଉଅଛନ୍ତି । ଭାବୁଛନ୍ତି– ଯେପରି ପୁତ୍ର ଜନ୍ମଲାଭର ପରକ୍ଷଣରେ ପଶୁଶାବକ ପରି ଚାଲିବୁଲି ତାଙ୍କୁ ମା, ମା, ବୋଲି ଡାକୁଅଛି, ଆଉ ସେ କି ବାବା, କି ବାବା କହି ପୁତ୍ରକୁ କୋଳକୁ ଟାଣି ନେଉଅଛନ୍ତି । ଏହି ସମୟରେ କିଏ କେଉଁଠି ଥାଇ ହସିଉଠି କହିଲା– ‘‘ବେଶ୍‌ ବେଶ୍‌, ଏତେ ଖାସା ଯାତ୍ରା ସୁଆଙ୍ଗ ଲାଗିଛି । ଶେଫାଳିକା ଚମକି ଉଠିଲେ, ତାଙ୍କର ଜାଗ୍ରତସ୍ୱପ୍ନ ଭାଙ୍ଗିଗଲା । କିଛିକ୍ଷଣ ପରେ ଗୋଟାଏ ପଞ୍ଜରଭଙ୍ଗା ଦୀର୍ଘ ନିଃଶ୍ୱାସ ତ୍ୟାଗକରି କହିଲେ– ‘‘ଏ କିଏ, ଆଶା ନାନୀ ନା ? ଆ ଆ ଭଉଣି, ଆ । ତୋ କାନଟା ମୋ ପାଖକୁ ବଢ଼ାଇ ଦେବୁଟି, ମୁଁ ବାଁହାତରେ ମୋଡ଼ିଦିଏଁ । ଏସବୁ କାମ କାହାର, ଆଉ ମୋତେ ବା ଏଥିରେ ମତେଇଛି କିଏ, ତୁ, ନା ଆଉ କେହି ? ନିର୍ଲ୍ଲଜ୍ଜା, ଫେର ଆସି ଟାପରା କରୁଛୁ ? ମୋର ନୈରାଶ୍ୟର ସ୍ମୃତି ଭସ୍ମସ୍ତୁପରେ ଫୁତ୍କାର ଦେଇ ନିର୍ବାଣ ପ୍ରାୟ ଅଗ୍ନିକୁ ଦାଉ ଦାଉ କଲା କିଏ ? ମୋର ଛନ୍ନ ପ୍ରାୟ ଜୀବନ ସୂତ୍ରରେ ଗଣ୍ଠି ପକାଇଲା କିଏ ? ଯା ଯା, ମୋ ସାଙ୍ଗରେ କଥା କହନା । ତୁ ଯେଉଁ ଭାବରେ ମତେଇଛୁ, ମୁଁ ସେହିଭାବରେ ମାତିଛି, ସେହି ମାତିବାରେ ମୋର ସୁଖ ଅଛି ।’’ ଆଶା ହସି ହସି କହିଲା– ‘‘ଆଲୋ ନିନ୍ଦୁକି, ମୁଁ ପରା ଦୂର୍‌ ହେବି, ତୋତେ କଥା କହିବି, ନାହିଁ ? ତେବେ ତୋତେ ବଞ୍ଚେଇ ରଖିବ କିଏ, ଆଉ ଏତେକାଳ ବା ବଞ୍ଚେଇ ରଖିଛି କିଏ ? ମୁଁ ଛାଡ଼ିଗଲେ ଯେ, ତୋର ଅସ୍ତିତ୍ୱ ରହିବ ନାହିଁ, ଏହା କି ଭୁଲିଗଲୁ ପାଗଳି ? କୃତଜ୍ଞତା ପ୍ରକାଶ କରନ୍ତୁ କଅଣ, ଆହୁରି ମୋତେ ଦୂର୍‌ ଦୂର୍‌ କରୁଛୁ । ଛି, ତମ ମନୁଷ୍ୟ ଜାତିଟା ଏଡ଼େ ବେମାନ ।’’ ଶେଫାଳିକା କହିଲା– ‘‘ଆହା, ବଞ୍ଚେଇ ରଖିବାଲାଗି ତୋ ଗୋଡ଼ଧରି ପ୍ରାର୍ଥନା କରୁଥିଲି । ତୋର ଯେଉଁ ଦାନ ଏ ହାତରେ ଦେଇ ସେ ହାତରେ ଛଡ଼ାଇନେଉ ।’’ ‘‘ନା ନା, ଏଥର ଆଉ ଛଡ଼ାଇନେବି ନାହିଁ, ତୁ ନିଶ୍ଚିନ୍ତ ରହ’’ ଏହା କହି ଆଶା ପ୍ରସ୍ଥାନ କଲା ଏବଂ ଶେଫାଳିକା ପୂର୍ବପରି ମନ ସଙ୍ଗରେ ଖେଲିବାକୁ ଲାଗିଲେ ।

 

ଆଉଦିନେ ଶେଫାଳିକା ଶୟନାବସ୍ଥାରେ ସ୍ୱପ୍ନ ଦେଖିଲେ– ସେ ପୁତ୍ରକୁ କୋଳରେ ଧରି ଶୋଇଅଛନ୍ତି ପୁଅ ମା–ମା ବୋଲି ଡାକିଲା– ‘‘ହଁରେ ବାପ, ମୁଁ ତୋ ପାଖରେ ଶୋଇଛି’’ ବୋଲି କହି ଶେଫାଳିକା ଉଠି ବସିଲେ । ନନ୍ଦେ ତାହା ଶୁଣି ପଚାରିଲେ, ‘କଅଣ କାହାକୁ କହୁଛ ?’ ଶେଫାଳିକା ଲଜ୍ଜିତ ହୋଇ କହିଲେ, ‘‘ନା, କିଛି ତ କହି ନାହିଁ, ସ୍ୱପ୍ନ ଦେଖିଥିବି ।’’ କି ସ୍ୱପ୍ନ ତାହା ନନ୍ଦେ ବୁଝିପାରିଲେ ଏବଂ ବନ୍ଧ୍ୟା ନାରୀର ହୃଦୟରେ କି ଅଧୀର ଆକାଙ୍‌କ୍ଷାର ହୁତାଶନ ସର୍ବଦା ଜଳୁଅଛି, ତାହା ମଧ୍ୟ ଜାଣିପାରି ମନେ ମନେ କହିଲେ– ‘‘ହେ ଗୋଲୋକ–ଆଲୋକ, ହେ ତ୍ରିଲୋକପାଳକ, ହେ ଗୋକୁଳବାଳକ, ବନ୍ଧ୍ୟାନାରୀର ଆତୁର ହୃଦୟରେ ଶାନ୍ତି–ସୁଖାମୃତଧାରା ସେଚନ କର ପ୍ରଭୋ ।’’ ଏହିପରି ଉଦ୍‌ବେଗରେ ପୁତ୍ରାର୍ଥିନୀ ଶେଫାଳିକାଙ୍କର ଦିନ କ୍ରମଶଃ କଟିବାକୁ ଲାଗିଲା ।

Image

 

ଅଷ୍ଟମ ପରିଚ୍ଛେଦ

 

ମନୁଷ୍ୟର ସକଳ ଆକାଙ୍‌କ୍ଷା ସଫଳ ହୁଏ ନାହିଁ । ତଥା ସକଳ ଆକାଙ୍‌କ୍ଷା ବିଫଳ ମଧ୍ୟ ହୁଏ ନାହିଁ । ଅନେକ ଆକାଙ୍‌କ୍ଷା ବିଫଳ ମଧ୍ୟ ହୁଏ । ଦୁରାକାଙ୍‌କ୍ଷା ମଧ୍ୟ ଅନେକ ସ୍ଥଳରେ ସଫଳ ହେବାର ଦେଖାଯାଏ । ଆକାଙ୍‌କ୍ଷା ଖାଲି ବିଫଳ ହେଉଥିଲେ ମାନବସୃଷ୍ଟି ଏତେକାଳଯାଏ ଥାଆନ୍ତା ନାହିଁ । ମନୁଷ୍ୟ ଆକାଙ୍‌କ୍ଷାର ଭୃତ୍ୟ, ସେ ଆକାଙ୍‌କ୍ଷାର ସେବା କରେ । ଆକାଙ୍‌କ୍ଷା ସଫଳ ହୁଏ– ବିଫଳ ମଧ୍ୟ ହୁଏ । ଶେଫାଳିକାଙ୍କର ଆକାଙ୍‌କ୍ଷା ସଫଳ ହୋଇଅଛି । ତାହାଙ୍କର ସୌଭାଗ୍ୟବର୍ତ୍ତିକା ଦାଉ ଦାଉ ହୋଇ ଜଳିଉଠିଅଛି । ମୁଖ ମନର ଦର୍ପଣ ସ୍ୱରୂପ, ସେଥିରେ ମନୋଭାବ ପ୍ରତିଭିମ୍ବିତ ହୁଏ । ଶେଫାଳିକାଙ୍କର ମୁଖ ଦେଖିଲେ ସେ ମୁଖରେ ତାଙ୍କର ଉଜ୍ଜ୍ୱଳ ଆନନ୍ଦ ପଙ୍‍କ୍ତି ପଢ଼ି ହୁଏ । ସେ ମୁଖ ସାଫଲ୍ୟର ମଧୁର ମୟୁଖରେ ସମ୍ମାର୍ଜିତ । ନେତ୍ରରେ ମାତୃଗୌରବର ଦୀପ୍ତି ଆଭାସ ଉଠୁଅଛି । ସୌଦାମିନୀ ପୁତ୍ରବତୀ ହୋଇଅଛି । ସେ ପୁତ୍ରବତୀ ହୋଇ ଯେଉଁ ପରିମାଣରେ ଆନନ୍ଦିତା, ଶେଫାଳିକା ସେଥିର ବହୁଗୁଣ ଆନନ୍ଦିତା । ତାଙ୍କ ଶଶୁରର ବଂଶ ରକ୍ଷା ହୋଇଅଛି, ତାଙ୍କର ମଧ୍ୟ ପାଣିମନ୍ଦାକର ଭରସା ରହିଲା; ସୁତରାଂ ଆନନ୍ଦିତ ନ ହେବେ କାହିଁକି ? ରଙ୍କ ନିଧି ପାଇଲେ ଯେପରି ଆନନ୍ଦିତ ହୁଏ, ଅନ୍ଧ ଚକ୍ଷୁ ପାଇଲେ ଯେପରି ଆନନ୍ଦିତ ହୁଏ ଇତ୍ୟାଦି ପ୍ରୟୋଗ ପରମ୍ପରା ଚଳି ଆସୁଅଛି, ଟିକିଏ ନୂତନ ଭାବରେ କହିଲେ– ମାନବ ସ୍ୱାଧୀନତା ପାଇଲେ ଯେରୂପ ଆନନ୍ଦ ଲାଭ କରେ, ଶେଫାଳିକା ଠିକ୍ ସେହିପରି ଆନନ୍ଦ ଲାଭ କଲେ । କେବଳ ଆନନ୍ଦ ନୁହେଁ, ଶାନ୍ତି, ତୃପ୍ତି ଏବଂ ଆନନ୍ଦର ତ୍ରିବେଣୀଧାରା ତାଙ୍କ ହୃଦୟରେ ତରଙ୍ଗଭଙ୍ଗୀରେ ଖେଳି ଯାଉଅଛି । ଶେଫାଳିକାଙ୍କର ଆଶା ପୂର୍ଣ୍ଣ ହୋଇଅଛି । ଏ, ଆଶା କି ପୂର୍ଣ୍ଣ ହୁଏ ? ଅଗ୍ନିର କି ପେଟ ପୂରେ, ଏହା ଅତି ଅସମ୍ଭବ । ମନୁଷ୍ୟର ଦୃଷ୍ଟିଶକ୍ତି ମରିଯାଏ, ଶ୍ରୁତିଶକ୍ତି ମରିଯାଏ, ରୂପ ଯୌବନ ମରିଯାଏ; ମାତ୍ର ଆଶା ମରେ ନାହିଁ । ଯେହେତୁ ତାହାର ପୂର୍ଣ୍ଣତା ନାହିଁ । ପୂର୍ଣ୍ଣତା ପରେ ଧ୍ୱଂସ ଆସେ, ଏହା ସୃଷ୍ଟିର ସାଧାରଣ ନିୟମ । ଆଶା ଶୁଷ୍କ ହୋଇପଡ଼ିଥାଏ, ଅଦୃଷ୍ଟର ଅମୃତ ବାରିସେକରେ ପଲ୍ଲବିତ ହୋଇ ଫଳ ଧାରଣ କରେ । ଆସନ–ମୃତ ବ୍ୟକ୍ତି ସୁଦ୍ଧା ଆଶା ପରିଶୂନ୍ୟ ନୁହେଁ । ମୃତ୍ୟୁର ଦଣ୍ଡକ ପୂର୍ବରେ ଜଣେ ମୁମୂର୍ଷୁର ଆତ୍ମୀୟମାନେ ତାହାକୁ ହରିନାମ ଜପ କରିବାକୁ କହିବାରୁ ସେ କହିଲା– ପାଞ୍ଚ ହଜାର ତିନିଶ । ଆତ୍ମୀୟମାନେ କହନ୍ତି– ‘‘କହ ହରେ କୃଷ୍ଣ’’, ମୁମୂର୍ଷୁ କହେ, ‘ପାଞ୍ଚହଜାର ତିନିଶ ।’’ କେହି କହେ– ‘‘ହରେ ରାମ କହ,’’ ମୁମୂର୍ଷୁ ପୂର୍ବପରି କହେ– ‘‘ପାଞ୍ଚହଜାର ତିନିଶ ।’’ ଏହିପରି ପାଞ୍ଚହଜାର ତିନିଶ ଜପି ଜପି ସେ ମରିଗଲା । ଯାହାକୁ ଆତ୍ମୀୟ ସ୍ୱଜନ ପରିତ୍ୟାଗ କଲେଣି, ସଂସାର ଯାହାକୁ ତ୍ୟାଗ କରିବାକୁ ବସିଲାଣି, ଆଶା ତାହାକୁ ତ୍ୟାଗ କରିନାହିଁ । ତେବେ ଆଶାର ପୂର୍ଣ୍ଣତା କାହିଁ ? ସେ ଯାହା ହେଉ, ଶେଫାଳିକାଙ୍କର ଆଶା ସଫଳ ହୋଇଅଛି, ତାଙ୍କର ଆନନ୍ଦର ସୀମା ନାହିଁ । ପିତେଇ ମଧ୍ୟ ଆନନ୍ଦରେ ଭାସୁଅଛି । ସେ ଖଣ୍ଡିଏ ଧୋବଛାୟା ଲୁଗା ପୁରସ୍କାର ପାଇଅଛି, ଏହାହିଁ ତାହାର ଆନନ୍ଦର ମୁଖ୍ୟ କାରଣ । ଏହାଛଡ଼ା ଉଠିଆରି ଏକୋଇଶା ପ୍ରଭୃତିରେ ପିଠାପଣାର ସ୍ୱାଦୁ ଅନୁଭବ ପ୍ରଭୃତି ପ୍ରଚ୍ଛନ୍ନ କାରଣ ମଧ୍ୟ ଅଛି । ପ୍ରଥମତଃ ଲୁଗାଖଣ୍ଡି ତାହାର ମନକୁ ଆସିଲା ନାହିଁ । ସେ କହିଲା– ‘‘ଲୁଗାଖଣ୍ଡ ରଙ୍ଗଢଙ୍ଗିଆ ସିନା, ହେଲେ ବୁଣା କିଛି ନୁହେଁ, ତରଡ଼ି ଜାଲ ପରି ଜଳ ଜଳ ଦିଶୁଛି, ମୋଡ଼ି ଦେଲେ ଛୁଞ୍ଚକନା ପରି ମେଞ୍ଚେ ହୋଇଯିବ । ଏ କଅଣ ଆଉ ସୂତାଲୁଗା ପରି ବଇଁନ୍ତିରି ଯିବ ନା ?’’ ଶେଫାଳିକା ତାକୁ ବୁଝାଇ କହିଲେ– ‘‘ନା ଲୋ ପିତେଇ, ଏ ଚୌତାରୀ ବୁଣା, ଧୋଇଲେ ବହଳ ହୋଇଯିବ, ଆଉ ଢେରଦିନ ବି ବଇଁନ୍ତିରି ଯିବ । ପାଟମଠା ପରି ଏ ଲୁଗା ମାରୁ ହୁଏ ନାହିଁ, ଏ ଖୁବ୍ ଦାମିକା ଲୁଗା, ଏହାର ଦାମ ତିନି ଟଙ୍କା ।’’ ଲୁଗାର ମୂଲ୍ୟ ତିନି ଟଙ୍କା ପିତେଇ ହୃଦୟରେ ଆନନ୍ଦ ଉଛୁଳି ପଡ଼ିଲା । ସେ ଆଉ କିଛି ଓଜର ଆପତ୍ତି ନ କରି ଲୁଗାଖଣ୍ଡି ଗ୍ରହଣ କଲା । ମାତ୍ର ଗୋଟାଏ ସନ୍ଦେହ ତାହା ମନରେ ଉପସ୍ଥିତ ହେଲା । ସେ ଭାବିଲା, ମା ଠାକୁରାଣୀ କହିଲେ– ‘‘ପାଟମଠା ପରି ଏ ଲୁଗା ମାରୁ ହୁଏ ନାହିଁ । ତେବେ ପାଟମଠା କଅଣ ମାରୁ ହୁଏ ନାହିଁ ? କି, କାହିଁକି ମାରୁ ହୁଏ ନାହିଁ ?’ ଏହା ଭାବି ପିତେଇ ଶେଫାଳିକାକୁ ପଚାରିଲା, ପାଟମଠା କାହିଁକି ମାରୁ ହୁଏ ନାହିଁ ମା ?

 

ଶେଫାଳିକା– ପାଟମଠା ଶୁଦ୍ଧ, ସେ ମାରୁ ହୁଏ ନାହିଁ ।

 

ପିତେଇ– ଗଛରେ କପା ଫଳେ, କପା ଲୁଗା ଶୁଦ୍ଧ ନୁହେଁ, ଆଉ ପାଟମଠା ପୋକର ଲାଳରେ ହୁଏ, ସେ ଶୁଦ୍ଧ ।

 

ଶେଫାଳିକା– ହଁ, ପୋକର ଲାଳରେ ହେଉ ପଛେ ସେ ଶୁଦ୍ଧ । କପା ଲୁଗା ତ ରୋଜ ଧୁଆଯାଏ ଆଉ ପାଟମଠା କିଏ ରୋଜ୍ ଧୁଏ ?

 

ପିତେଇ– ତାକୁ ରୋଜ ଧୋଇଲେ ସେ କେତେଦିନ ରହିବ ? ଜଲଦି ଚିରିଯିବ ବୋଲି ଧୁଅନ୍ତି ନାହିଁ ଗୋ– ଶୁଦ୍ଧ ବୋଲି ନୁହେଁ ।

 

ଶେଫାଳିକା ବିରକ୍ତ ହୋଇ କହିଲେ– ‘‘ହେଉ ନ ହେଲା ତ ନାହିଁ, ଯା, ତୁ ତ ଚିତଉ ଖାଇବା ଲୋକ ବିନ୍ଧ ଗଣୁଛୁ କାହିଁକି ?’’ ପିତେଇ ଆଉ କିଛି କହିଲା ନାହିଁ ।

 

ନବଜାତ ଶିଶୁଟି ପିତାଙ୍କର ଅଣି ଆଣିଅଛି । ସେହି ନାକ, ସେହି କାନ, ସେହି ମୁହଁ, ସେହି ଆଖି, ଠାଣିମାଣି ସବୁ ଠିକ୍ ସେହିପରି । ସ୍ଥୂଳତଃ କହିବାକୁ ଗଲେ ଶିଶୁଟି ପିତାଙ୍କର କ୍ଷୁଦ୍ର ସଂସ୍କରଣ– ଆଧୁନିକ ଭାଷାରେ ପକେଟ ସଂସ୍କରଣ । ପୁତ୍ର ରୂପରେ ପୁରୁଷ ସ୍ତ୍ରୀ ଗର୍ଭରୁ ଜାତ ହୁଏ ବୋଲି ସ୍ତ୍ରୀକୁ ଜାୟା କହନ୍ତି । ପୁତ୍ର ପିତା ପରି ଆକୃତି ପ୍ରକୃତିବନ୍ତ ହେବା ସ୍ୱାଭାବିକ । ଶେଫାଳିକା ଗୋଡ଼ ଲମ୍ବାଇ କାନ୍ଥକୁ ଆଉଜି ପିଣ୍ଡାରେ ବସି ଅଛନ୍ତି– ଶିଶୁଟି ତାଙ୍କ କୋଳରେ ଉତ୍ତାନ ଭାବରେ ଶୋଇ କ୍ଷୁଦ୍ର, ସୁନ୍ଦର ହସ୍ତପଦ ଆନ୍ଦୋଳନ ପୂର୍ବକ କ୍ରୀଡ଼ା କରୁଅଛି କି ବ୍ୟାୟାମ କରୁଅଛି, ତାହା ସେହି ଜାଣେ । ବେଳେ ବେଳେ ଓଷ୍ଠାଧର ଥରାଇ କାନ୍ଦି ଉଠୁଅଛି। ଶେଫାଳିକା ଗୁଣୁଗୁଣୁ ସ୍ୱରରେ ନାନା ପ୍ରକାକୁ ସ୍ନେହ ସୁଆଗ ସଙ୍ଗୀତ ଆବୃତ୍ତି କରି ତାହାକୁ ଶାନ୍ତ କରିବାକୁ ଚେଷ୍ଟା କରୁଅଛନ୍ତି । ତାଙ୍କ ବାମ ପାର୍ଶ୍ୱରେ ଗୋଟାଏ ବିରାଡ଼ି ବସି ନୟନମୟ ହୋଇ ଅଳସ ବିସ୍ମୟ ଦୃଷ୍ଟିରେ ଶିଶୁକୁ ଚାହିଁ ରହିଅଛି । ବିରାଡ଼ିଟା କିଛିଦିନ ହେଲା ଏହିପିରି ଆଚରଣ କରି ଆସୁଅଛି । ବୋଧହୁଏ ଯେପରି ଭାବୁଅଛି–‘‘ଏ ନବାଗନ୍ତୁକ କିଏ, ମୋତେ ବେଦଖଲ କରି ମୋର ସ୍ଥାନ ଅଧିକାର କରିଅଛି । ମନୁଷ୍ୟ ଜାତିଟା ବଡ଼ ଅ-ବଡ଼ ଜାତି– ବଡ଼ ସାର୍ଥ୍ୱପର, ମୁଁ ମତ୍ସ୍ୟ ପୁଚ୍ଛ ଧରି ନିୟମ କରି କହିପାରେ, ଆମ ଜାତି ସେପରି ହୀନ ନୁହେଁ ।’’ ଏହା ଭାବି ଘୃଣାରେ ଆଖିବୁଜି ଯାକିଯୁକି ହୋଇ ମୀନବତାରର ଚରଣ କମଳ ଧ୍ୟାନରେ ନିଯୁକ୍ତ ହେଲା । ବିରାଡ଼ିଟି ଶେଫାଳିକା ପୋଷି ଅଛନ୍ତି । ଏତେଦିନ ପର୍ଯ୍ୟନ୍ତ ସେ ତାଙ୍କର ସନ୍ତତିର ସ୍ଥାନ ଅଧିକାର ପୂର୍ବକ ମାତୃସ୍ନେହର ବିମଳ ଅମୃତଧାରା ପାନ କରୁଥିଲା । ଶେଫାଳିକା ତାକୁ ଖୁବ୍ ସ୍ନେହ କରନ୍ତି । ଅତି ଆଦରରେ ତାହାର ନାମ ଦେଇଅଛନ୍ତି– ରାଣୀ । ରାଣୀର ରାଣୀ ପରି ଭାଗ୍ୟ । ଖଟ ଉପରେ ଶେଫାଳିକାଙ୍କ କୋଳ ବ୍ୟତୀତ ଅନ୍ୟତ୍ର ତାକୁ ନିଦ ମାଡ଼େ ନାହିଁ । ସେ ଗଳାରେ ମାଳେ ରୁପା ଘୁଙ୍ଗୁର ପିନ୍ଧି ଗର୍ବରେ ବାଟଚାଲେ । ଚାଲିବା ବେଳେ ବଡ଼ ସୁନ୍ଦର ଝୁମୁ ଝୁମୁ ଶବ୍ଦ ହୁଏ । ରାଣୀ ଦୁଗ୍‌ଧାନ୍ନଭୋଜୀ, କ୍ୱଚିତ୍ ମତ୍ସ୍ୟାନ୍ନ ଭୋଜନ କରେ । ଶେଫାଳିକା ରାଣୀକୁ ଅନେକ କଥା କହନ୍ତି । ସେ ଏତେଦିନ ଯାଏ ତାଙ୍କର ଦୁଃଖ ସୁଖର ସଙ୍ଗୀ ଥିଲା । ବନ୍ଧ୍ୟା ରମଣୀ ତାହାରି ଉପରେ ମାତୃସ୍ନେହ ଅଜାଡ଼ି ଦେଇ ଦୁର୍ବହ ହୃଦୟଭାର କିଞ୍ଚିତ୍ ଲଘୁ କରିଥିଲେ। ଶେଫାଳିକା ସୋହାଗ ଶୀତଳ ସ୍ୱରରେ କହିଲେ– ‘‘ରାଣୀ, ମୋ ବାୟା ସଙ୍ଗରେ ଖେଳିବୁ, ବାୟା ସଙ୍ଗରେ ଦୁଧ ପିଇବୁ, ତୋ କାନରେ ସୁନା ଫାଶିଆ ଦେବି ।’’ ଶ୍ରୋତା ବକ୍ତା ମୁହଁକୁ ଚାହିଁ ଉତ୍କର୍ଣ୍ଣ ହୋଇ ହାକିମ ଓକିଲର ସୁଆଲ ଶୁଣିଲା ପରି ନୀରବରେ ବସି ସବୁ କଥା ଶୁଣିଲା । ଶେଫାଳିକା ତାହା ପିଠିରେ ହାତ ବୁଲାଇ ଦେଇ କହିଲେ– ‘‘ଖେଳିବୁ ନା, କହ ।’’ ରାଣୀ ଏହି ଆଦର ସୁଆଗରେ ଆଠଖଣ୍ଡ ହୋଇ ଯାଇ ମାର୍ଜାରୀୟ ଭାଷାରେ ସମ୍ମତି ଜଣାଇ କହିଲା– ‘‘ମ୍ୟାଓଁ ।’’ ଅନନ୍ତର ଆନନ୍ଦରେ ଝାମ୍ପମାରି ଲାଙ୍ଗୁଳ ହଲାଇ ଖେଳିବାକୁ ଲାଗିଲା । ବେଳେବେଳେ ଗେଲରେ ଶେଫାଳିକାଙ୍କ ଗୋଡ଼ର ବୃଦ୍ଧାଙ୍ଗୁଳିଟି ଭୋଜନ କରିବାକୁ ଉଦ୍ୟତ ହେଉଥାଏ– ପର ମୁହୁର୍ତ୍ତରେ ଡିଆମାରି ପଛକୁ ଘୁଞ୍ଚି ଯାଉଥାଏ ।

 

ସୌଦାମିନୀ କେବଳ ପୁଅ ଜନ୍ମକରି ଖଲାସ । ଲାଳନ ପାଳନର ଭାର ଶେଫାଳିକାଙ୍କ ଉପରେ ନ୍ୟସ୍ତ । ସେ ମଧ୍ୟ ତାହାହିଁ ଖୋଜୁଥିଲେ । ସ୍ନେହରେ ଭାଗ ବସାଇବା ତାଙ୍କର ଇଚ୍ଛା ନୁହେଁ-। ତାଙ୍କର ସ୍ନେହ ଏବଂ ଯତ୍ନରେ ଶିଶୁଟି କ୍ରମଶଃ ବଢ଼ିବାକୁ ଲାଗିଲା-। ଶିଶୁର ବୃଦ୍ଧି ସଙ୍ଗେ ତାହା ପ୍ରତି ଶେଫାଳିକାଙ୍କର ସ୍ନେହ ମମତା ମଧ୍ୟ ବୃଦ୍ଧିଲାଭ କରିବାକୁ ଲାଗିଲା । ଚନ୍ଦ୍ରର କଳାବୃଦ୍ଧିରେ ସମୁଦ୍ରର ଜୁଆର ବଢ଼ିଲା ପ୍ରାୟ ଶେଫାଳିକାଙ୍କର ହୃଦୟରେ ଆନନ୍ଦ ଉଛୁଳି ଉଠୁଥାଏ-। ଶିଶୁକୁ କୋଳରେ ଘେନି ବସିଥିବା ସମୟରେ ତାଙ୍କର ମାତୃମୂର୍ତ୍ତି ତ୍ରିଲୋକପାଳିନୀ ଗଣେଶଜନନୀଙ୍କ ପରି ମହିମିତ ଦିଶୁଥାଏ । ସୌଦାମିନୀ ପୁତ୍ର ଜନ୍ମ କରି ଆନନ୍ଦିତା, ଶେଫାଳିକା ତତୋଽଧିକ ଆନନ୍ଦିତା; ମାତ୍ର ପୁତ୍ରର ଜନକ ନନ୍ଦେ ନିରାନନ୍ଦ । ସେ ପୁତ୍ରର ଦୀର୍ଘାୟୁ ସମ୍ୱଦ୍ଧରେ ସନ୍ଦିହାନ । ତାଙ୍କର ଶନ୍ତିସପ୍ତା ଦଶାରେ ପୁତ୍ରର ଜନ୍ମ, ତାହା ପୁଣି ଶନିବାର ଦିନ ଶନି ବେଳାରେ । ଏରୂପ ତ୍ରିଶନିବାର ସଂଯୋଗ ଦେଖି କେଉଁ ପିତା ଅବା ପୁତ୍ରର ଜୀବନ ପ୍ରତି ଆଶଙ୍କାପ୍ରବଣ ନ ହେବ ? ଏହି ହେତୁ ଆଜିଯାଏ ପୁତ୍ରର ନାମକରଣ ହୋଇ ନାହିଁ । ଶେଫାଳିକା କହିଲେ– ‘‘ଯମଧର୍ମ ବଞ୍ଚେଇ ରଖିଥାଉ, ନା ଦିଆଯିବ, ଏତେ ତରତର କାହିଁକି ?’’ ଯାହାହେଉ ଡାକିବାର ସୁବିଧା ସକାଶେ କିଛି ଗୋଟାଏ ନାମ ଦେବା ଆବଶ୍ୟକ । ସେ ଭାବିଲେ, ଯେଉଁ ନାମଟା ଯମ ନାକକୁ ଗନ୍ଧାଇବା, ଏହିପରି ଗୋଟାଏ କୁତ୍ସିତ କଦର୍ଯ୍ୟ, ଭୀବତ୍ସ ନାମ ଦେବା ଦରକାର । ତାହାହେଲେ ଯମ ଆଉ ତାହାର ପାଖ ସ୍ପର୍ଶ କରିବ ନାହିଁ । ଏହା ଭାବି ସେ ପୁତ୍ରକୁ ବାୟା ବୋଲି ଡାକନ୍ତି । ବାୟା ନାମ ଶୁଣିଲେ ଯମ ଅବଶ୍ୟ ଘୃଣା କରିବ । ପୁଅ ନାମ କଅଣ ଦେଲ ବୋଲି କେହି ପଚାରିଲେ, ନନ୍ଦେ କହନ୍ତି, ‘ଶନିସପ୍ତା ।’ ଏହା ଶୁଣି ଶ୍ରୋତା ହସିଲେ ନନ୍ଦେ କହନ୍ତି, ‘ହସିବା କଥା ନୁହେଁରେ ଭାଇ, ଶନିସପ୍ତା ଦଶାରେ ଯାହାର ଜନ୍ମ, ତାହାର ନାମ ଶନ୍ତିସପ୍ତା ନ ଦେଇ ଆଉ କଅଣ ଦେବି ? ଶନିସପ୍ତା ପୁଅ ରୂପ ଧରି ମୋତେ କଷ୍ଟ ଦେବାକୁ ଆସିଛି । ସବୁ ଦଶାର ଫେର୍‍ରେ ଭାଇ, ସବୁ ଦଶାର ଫେର ।’ ଯଦି କେହି କହେ– ‘‘ପୁଅ ହେବା କି କଅଣ ଦଶାର ଫେର’’, ତେବେ ନନ୍ଦେ କୃତ୍ରିମ ଉତ୍ତେଜନାରେ ଉତ୍ତର ଦିଅନ୍ତି–‘‘ଦଶାର ଫେର ନୁହେଁ କଅଣ ? ସାତରଜାର ଧନ ଖୋଇ ବଢ଼େଇବି, ଶେଷରେ ତା ମୁଣ୍ଡକୁ ହାତ ପାଇଲେ ମୋତେ ତଣ୍ଟିଆ ମାରି ଘରୁ ଘଉଡ଼ି ଦେବ ।’’ ସମୟ ସମୟରେ ଗେଲରେ ଅନେକ ବଡ଼ ବଡ଼ କଥା ହୋଇଯାଏ । ନନ୍ଦେ ଗେହ୍ଲାରେ ଏହିପରି କହୁଁ କହୁଁ ପୁଅଟିର ଶନିସପ୍ତା ନାମ ସ୍ଥାୟୀ ହୋଇଗଲା । ତାକୁ କେହି କେହି ଶନିସପ୍ତା ବୋଲି ଡାକିଲେ, କେହି ବା ତାହାକୁ ସଂକ୍ଷେପ କରି କେବଳ ଶନି ବୋଲି ଡାକିଲା ।’ ମାତ୍ର ପଛକୁ ଶନି ସନାତନରେ ପରିଣତ ହୋଇଥିଲା । ଏହିପରି ଶୁକୁଟା ଶୁକଦେବ, ଗୋବରା ଗୋବର୍ଦ୍ଧନ, ହାଡ଼ିଆ ହରିବନ୍ଧୁ, ଶଙ୍କରା ଶଙ୍କର୍ଷଣ ଏବଂ ମୁତୁରା ମୋତିଲାଲ ହୁଏ ।

 

ବର୍ଷାକାଳ ଆରମ୍ଭ ହେଲା । ଆଷାଢ଼ ମାସର ଘୋର ଘନଘଟା ଘୋଟି ଆସିଲା । କୁଟଜ, କଦମ୍ବ କୁସୁମ ପ୍ରଭୃତିର ସୌରଭରେ ସ୍ନାନ କରି ଶୀତଳ ପବନ ପ୍ରବାହିତ ହେଲା । ପବନର ଗତି କେବେ ପ୍ରଖର, କେବେ ବା ଧୀର । ମୂଷଳଧାରାରେ ବାରିପାତ ହେଲା । ବକ ଚତୁର୍ମାସ୍ୟା ବ୍ରତ ଧାରଣ କରି ଜଳାଶୟ ବର୍ଜ୍ଜନପୂର୍ବକ ବସାରେ ବସିରହିଲା । ବକୀ ମାଛ ଧରି ଆଣି ସ୍ୱାମୀର ଆହାର ଯୋଗାଇଲା । ଭେକର ନହବତରେ ଅବନୀ, ଆକାଶ ପ୍ରକମ୍ପିତ ହେଲା । ନବ ବର୍ଷାର ବାରିସେକରେ ଶୁଷ୍କ ତରୁଲତା ପଲ୍ଲବିତ ହେଲେ । ଅରଣ୍ୟରେ ଅନନ୍ତ ଐଶ୍ୱର୍ଯ୍ୟ ମୂର୍ତ୍ତି ଧାରଣ କରି ଉଠିଲା । କାନନ– କମଳାର ଖୋଷାଭୂଷା ଟଗର କୁସୁମ ପୂର୍ଣ୍ଣ ଯୌବନା ଲାବଣ୍ୟ ଶ୍ରୀରେ ପରିପ୍ଲାବିତ ହୋଇ ମୃଦୁ ମୃଦୁ ହସିବାକୁ ଲାଗିଲା । ନାନାବିଧ ଅଗଛାରେ ପଥ ପ୍ରାନ୍ତର ସମାଚ୍ଛନ୍ନ ହୋଇ ଉଠିଲା । ପଲ୍ଲୀଗ୍ରାମମାନ ଅରଣ୍ୟ ପରିକୀର୍ଣ୍ଣ ହୋଇ ଋଷି ଆଶ୍ରମ ପ୍ରାୟ ପ୍ରତୀୟମାନ ହେଲା । ମେଘ ଦର୍ଶନରେ ମେଘବାନ୍ଧବୀ ମୟୁର ଉଲ୍ଲାସରେ ଅଧୀର ହୋଇ ଉଠିଲା, ତାହାର ନିଃସଙ୍ଗ ଜୀବନ ସୁଖମୟ ହେଲା । କୃଷ୍ଣକାୟା କାଦମ୍ବିନୀ ରଜନୀର ଅନ୍ଧକାରକୁ ଗାଢ଼ତମ କଲା । ଆକାଶ ଅନ୍ଧକାର, ପୃଥିବୀ ଅନ୍ଧକାର, ଅନ୍ଧକାରରେ ଅନ୍ଧକାର ମିଶି ବହଳ ହୋଇ ଉଠିଲା-। ପ୍ରକୃତି କରାଳ ମହାକାଳୀ ରୂପ ଧାରଣ କଲା; ବିଦ୍ୟୁତ୍ ତାହାର ଲେଲିହାନ ଅନଳ ଜିହ୍ନା, ବଜ୍ରନାଦ ରୁଦ୍ରଭୈରବ ଗର୍ଜନ, ବୃଷ୍ଟିଧାରା ତାହାର କଟିକଣ୍ଠଲମ୍ବୀ ସଦ୍ୟଚ୍ଛିନ୍ନ ନର କରଶିର ନିଃସୃତ ରୁଧିରଧାରା ଏବଂ ପ୍ରଭଞ୍ଜନ ତାହାର ବିକଟ ଅଟ୍ଟହାସ୍ୟ । ପ୍ରକୃତିର ଏହା ବିରାଟ ଭୀଷଣ ରୂପ ଦେଖି ଚନ୍ଦ୍ର ତାରାବୃନ୍ଦ ମହାଭୟରେ ଆଖି ବୁଜି ମେଘ ଉହାଡ଼ରେ ଲୁଚି ରହିଲେ । ପ୍ରକୃତିର ଏହା ନିଜ ରୂପ । ଏହା ଅସ୍ଥୟୀ ହେଲେହେଁ ସତ୍ୟ, ଅଶିବ ଉଲଗ୍ନ ହେଲେହେଁ ଶିବ ଏବଂ ରୁଦ୍ର ହେଲେହେଁ ସୁନ୍ଦର । ଏହି ମୂର୍ତ୍ତି ମାତୃତ୍ୱର ଜୀବନ୍ତ ମୂର୍ତ୍ତି । ଏହି ମୂର୍ତ୍ତି ଭକ୍ତର ବାଞ୍ଛିତ, ଧ୍ୟେୟ ଏବଂ ପ୍ରେୟ । ଏହି ମୂର୍ତ୍ତି ଭକ୍ତ ନେତ୍ରରେ ସୁନ୍ଦର । ମାତୃ ମୂର୍ତ୍ତି କୁରୂପ କୁତ୍ସିତ ହେଲେ ସୁଦ୍ଧା ପୁତ୍ର ନେତ୍ରରେ ଅନିନ୍ଦ୍ୟସୁନ୍ଦର । ଭକ୍ତ ଏହି ରୂପ ଦେଖି ଆନନ୍ଦରେ ପାଗଳ ହୁଏ, ଭାବରେ ଆତ୍ମ ବିସ୍ମୃତ ହୁଏ, ପ୍ରେମରେ ଅଧୀର ହୁଏ । ସେ କେତେବେଳେ ଅନର୍ଗଳ କାନ୍ଦେ; କେତେବେଳେ ହସି ହସି ଅସ୍ଥିର ହୁଏ, କେତେବେଳେ ଉନ୍ମତ୍ତ ହୋଇ ନାଚେ ଏବଂ କେତେବେଳେ ବା ମନଗଢ଼ା ଗୀତ ଗାଏ । ଏ ମହାମୂର୍ତ୍ତି ଦର୍ଶନ ଭାଗ୍ୟରେ ଘଟେ । ପୂଣ୍ୟପ୍ରାଣ ମହାପୁରୁଷ ରାମକୃଷ୍ଣ ପରମହଂସ ଦେବ ଏ ମହାମୂର୍ତ୍ତି ଦେଖିଥିଲେ; ସୁତରାଂ ମହାଭାବରେ ତନ୍ମୟ ହୋଇଥିଲେ ।

 

ଯେଉଁଦିନ ଝଡ଼ିବର୍ଷା ଅଧିକ ହୋଇ ଦୁର୍ଯୋଗର ପରିଣତ ହୁଏ, ସେ ଦିନ ରାତିରେ ପିତେଇ ତାହା ଘରକୁ ଯାଇପାରେ ନାହିଁ । ନନ୍ଦଙ୍କ ହାଣ୍ଡିଶାଳ ସଂଲଗ୍ନ କୋଠରୀରେ ସେ ଏବଂ ଶେଫାଳିକା ଶୟନ କରନ୍ତି । ସ୍ତ୍ରୀମାନେ ସବୁ ସହି ପାରନ୍ତି; ମାତ୍ର ନୀରବତାର ସୁଚିଭେଦ ଯନ୍ତ୍ରଣା ସହିପାରନ୍ତି ନାହିଁ । ସେଥିରେ ସେମାନଙ୍କର ଶ୍ୱାସରୁଦ୍ଧ ହୋଇଯାଏ । ଭୃତ୍ୟା, ଭର୍ତ୍ତ୍ରିଣୀ, ଅନେକ ବେଳଯାଏ ଗଳ୍ପ କରନ୍ତି । ବର୍ଷାକାଳର ରାତିରେ ଗୀତ କିମ୍ବା ଗଳ୍ପ ଶୁଣିବାକୁ ବେଶ ସୁଖ ଲାଗେ । ଅନେକ ଗଳ୍ପ ହୁଏ, ତାହା ସେ କାଳର ଠାକୁରମାନଙ୍କ ମୁଖଶ୍ରୂତ ରଜାପୁଅ, ମନ୍ତ୍ରୀ ପୁଅ, ସାଧବ ପୁଅ ଆଉ କଟୁଆଳ ପୁଅର ଗଳ୍ପ ନୁହେଁ କିମ୍ବା ରଜା ପୁଅଝିଅର ସୁନା କୁଲେଇ, ରୂପା କୁଲେଇ କଥା ନୁହେଁ । ଏବେ ସେ ରୂପ କଥା ପ୍ରାୟ ଉଠିଗଲାଣି । ସେ ବକ୍ତା ନାହିଁ କି ସେ ଶ୍ରୋତା ନାହିଁ । ଥିଲେ ବକ୍ତାର ଅନୁରାଗ ନାହିଁ କି ଶ୍ରୋତାର ଆଗ୍ରହ ନାହିଁ । ପିତେଇ ଅନେକ ଗପ ଜାଣେ, ସେ ଖଣ୍ଡିଏ ଜୀବନ୍ତ ଆରବ୍ୟୋପନ୍ୟାସ । ଭୂତ, ପ୍ରେତ, ଡାଆଣୀ, ଚିରଗୁଣୀ ପ୍ରଭୃତିର ଅଦ୍ଭୁତ ଚମତ୍କାର କାହାଣୀ ନିପୁଣତାର ସହିତ ସାଳଙ୍କାରରେ ବର୍ଣ୍ଣନା କରିପାରେ । ସେ ରସିକା, ତାହାର ରସଜ୍ଞାନ ଅଛି; ମାତ୍ର ସେ ରୌଦ୍ର ଭୟାନକ ରସର ସମ୍ୟକ୍ ପକ୍ଷପାତିନୀ । ସେ କହେ– ‘‘ଏ ପୃଥିବିଟା କେବଳ ଡାଆଣୀ ଭୂତରେ ପୂରି ରହିଅଛି । ସେମାନେ ଅଦୃଶ୍ୟରେ ଅଛନ୍ତି ବୋଲି ସେମାନଙ୍କୁ କେହି ଦେଖିପାରେ ନାହିଁ । ପିଲାମାନଙ୍କ ପ୍ରତି ତାଙ୍କର ଭାରି ଅହନ୍ତା । ବୟସ୍କମାନଙ୍କ ପ୍ରତି ଯେ ଅନ୍ତରଙ୍ଗ ବନ୍ଧୁ ବ୍ୟବହାର, ତାହା ନୁହେଁ । ତେବେ କୋମଳ ମାଂସ ସେମାନଙ୍କର ଉପାଦେୟ ପ୍ରିୟ ଖାଦ୍ୟ । ପିତେଇ ଡାଆଣୀଗୁଡ଼ାକୁ ତିନି ଶ୍ରେଣୀରେ ବିଭକ୍ତ କରେ । ପ୍ରଥମ ସାଧାରଣ ଡାଆଣୀ ଅର୍ଥାତ୍ ମନୁଷ୍ୟ ମାରି ଯାହା ହୁଏ । ଏ ଡାଆଣୀ ପେଟ ଭିତରେ ପଶି ପିଲାଏ ଯାହା ଖାଇଥାନ୍ତି ତାହାକୁ ଖାଇଯାଏ । ଖାଦ୍ୟାଭାବରେ ଶୁଖି ଶୁଖି ମରିଗଲେ ବାଳକଟି ତାହାର ବାଳଭୋଗ ହୁଏ । ଦ୍ୱିତୀୟ କଞ୍ଚା ଡାଆଣୀ । ସେ ଦୂରରୁ ନଜର ପକାଇଦେଇ ପିଲା ଦେହରୁ ରକ୍ତ ଶୋଷିନିଏ । ତୃତୀୟ ଚରା ଡାଆଣୀ । ତାହାର ପ୍ରତାପ ଭାରି ଉଗ୍ର । ସେ ରାତି ଅଧରେ ଉଲଗ୍ନ ହୋଇ ମୁହଁ ତଳକୁ ଏବଂ ଗୋଡ଼ ଉପରକୁ କରି ଘୁଷୁରି ପରି ଘଡ଼ ଘଡ଼ ହୋଇ ଚାରିଆଡ଼େ ଚରେ । ସେହି ସମୟରେ ତାହା ହାବୁଡ଼ରେ ପଡ଼ିଗଲେ ମଣିଷଟାକୁ ସେ ଅଫିମ ଟେଳାକ ପରି ଗିଳିଦିଏ । ପିତେଇ ଡାଆଣୀ ଭୂତ ସମ୍ବନ୍ଧରେ ନିଜର ଅନୁଭୂତ କଥା ଅନେକ କହେ । ସେ ପିଲାଦିନେ ଖୁବ୍ ସୁନ୍ଦର ଥିଲା, ତାହାର ଦେହ ଚମ୍ପାଫୁଲ ପରି ଗୋରା ଥିଲା; କିନ୍ତୁ ବର୍ତ୍ତମାନ ଜହ୍ନିମଞ୍ଜି ପରି । ତାହାର ସୌନ୍ଦର୍ଯ୍ୟରେ ମୁଗଧ ହୋଇ ଭୂତ ପ୍ରେତ ତାହା ଉପରେ କେତେଥର ଦୃଷ୍ଟି ପକାଇ ଅଛନ୍ତି-। ସେଥିପାଇଁ ତାହାର ବାପ ଗୌଣିଏ ଟଙ୍କା ଖର୍ଚ୍ଚ କରି ଢେର ଟାଣୁଆ ଟାଣୁଆ ଗୁଣିଆ ଅଣାଇ ସ୍ନେହର ଦୁଲାଳୀଟିକୁ ସେହି ସବୁ ଅପଦେବତା ଆକ୍ରମଣରୁ ବହୁକଷ୍ଟରେ ରକ୍ଷା କରିଅଛି । ତାହା ବାପଘର ଗାଁ ପଛରେ ଖୁବ ବଡ଼ ବରଗଛ ଅଛି । ତାହାକୁ ମଶାଣି ବର କହନ୍ତି । ଦୁନିଆଯାକର ଭୂତ ଆସି ସେଥିରେ ବସା ବାନ୍ଧି ଅଛନ୍ତି । ଖରାଦିନେ ଦୁମଦୁମିଆ ଦ୍ୱିପହରେବେଳେ ଭୂତଗୁଡ଼ାକ ଡାଳମାଙ୍କୁଡ଼ି ଖେଳୁଥିବାର ଅନେକେ ଦେଖିଅଛନ୍ତି । ଦିନେ ସ୍ୱୟଂ ଶ୍ରୀମତୀ ପିତେଇ ସେହି ଗଛ ପାଖରେ ଭୂତ ହାବୁଡ଼ରେ ପଡ଼ିଥିଲା । ଗୋଟାଏ ଭୂତ ଆଖି ତରାଟି ତାହାକୁ ଖତାଇ ହେଲା । ସେ ମୂର୍ଚ୍ଛିତ ହୋଇ ପଡ଼ିଗଲା, ତାହାର ଦାନ୍ତ କବାଟି ପଡ଼ିଗଲା । ଲଙ୍ଗଳର ଫାଳରେ ଦାନ୍ତକୁ ତାଡ଼ି ତାକୁ ପାଣି ପିଆଇବାକୁ ହୋଇଥିଲା । ଏହିପରି ବହୁ ଉପଚାରରେ ବହୁ କଷ୍ଟରେ ସେ ସାଷ୍ଟମ ହୋଇଥିଲା । ଭୂତର ଆକୃତି ବର୍ଣ୍ଣନାରେ ସୁଦ୍ଧା ପିତେଇ ସିଦ୍ଧହସ୍ତା । ସେ କହେ, ‘ଭୂତ ତାଳଗଛ ପରି ଡେଙ୍ଗା, ତାହାର ମୁହଁ ଗୋଜିଆ, ନାକଟା ମାଛଧରା ବାଙ୍କୀ ପରି ବଙ୍କା । ଭୂତର ତାଳୁ ଉପରେ ଚାରିଟା ଆଖି, ଦେହରେ ମାଂସ ନାହିଁ– ଖାଲି ହାଡ଼ ଉତ୍ୟାଦି ଇତ୍ୟାଦି ।’

 

ଦିନେ ଶେଫାଳିକା ପଚାରିଲେ– ‘‘ପିତେଇ, ଚରାଡ଼ାଆଣୀ କଅଣ, ଜୀଅନ୍ତା ମଣିଷ ନା-?’ ପିତେଇ କହିଲା– ‘‘ହଁ ମା, ଜୀଅନ୍ତା ମଣିଷ । ଗୋଟା ଗୋଟାକାର ନକ୍ଷତ୍ର ଦୋଷଥାଏ, ସେ ଚରାଡ଼ାଆଣୀ ହୁଅନ୍ତି । ଚରାଡ଼ାଆଣୀ କଥା କହିବି, ଶୁଣିବ ? ପିଲାଦିନେ ମୁଁ ମାମୁଘରକୁ ଯାଇଥିଲି-। ମାମୁଘର ଗାଁରେ ବନା ବୋଲି ଗୋଟାଏ ଗୁଣିଆ ଅଛି । ତାହା ପରି ଗୁଣିଆ ମହୀମଣ୍ଡଳରେ ନାହିଁ । ସେ ଏପାରି ଗଛ ସେପାରି କରିପାରେ । ସମସ୍ତେ କହନ୍ତି, ‘ରାଉତ ଘର ମଝିଆଁ ବୋହୂ ରାତି ଅଧରେ ଉଠି ଚରିବାକୁ ଯାଏ, ସେ ଯିବାବେଳେ ନିଦ ମାଟି ପକାଇ ଦେଇଯାଏ । ଘରର ସମସ୍ତେ ଘନ ନିଦରେ ମଲା ପରି ପଡ଼ିଯାଆନ୍ତି, କେହି ତାହାର ଯିବାଆସିବା ଜାଣି ପାରନ୍ତି ନାହିଁ । ଦିନେ ରାତିରେ ବନା ଦେଖିଲା ପୋଖରୀ ହୁଡ଼ା ଉପରେ ଗୋଠେ ଚରାଡ଼ାଆଣୀ ଲଙ୍ଗଳା ହୋଇ ଚରୁଚନ୍ତି । ସମସ୍ତେ ପୋଖରୀ ଘାଟ ପାହାଚ ଉପରେ ଲୁଗା ରଖି ଯାଇଅଛନ୍ତି । ବନା ସେହି ଲୁଗା ଉପରେ ପିଙ୍କାଗୁଳ ଝାଡ଼ିଦେଇ କେତେ ଜାଗା ପୋଡ଼ିଦେଲା । ତହି ପରେ ଘରକୁ ଯାଇ ଗୋଟାଏ ଡମ୍ବରୁ ଘେନି ଆସିଲା । ପୋଖରୀର ଖଣ୍ଡେ ଛଡ଼ାରେ ମଶାଣିପଦା । ବନା ସେହି ମଶାଣି ଭୂଇଁରେ ବସି ଡମ୍ବରୁ ବଜାଇଲା । ଇମିତି ମନ୍ତ୍ର କରିଦେଲା ଯେ, ପଲକଯାକ ଚରାଡ଼ାଆଣୀ ଯାଇ ତାହା ଆଗରେ ନାଚିଲେ । ସେ ସମସ୍ତଙ୍କୁ ଚିହ୍ନିଲା ରାଉତ ଘର ମଝିଆଁ ବୋହୂ ବି ତାଙ୍କ ଭିତରେ ଥିଲା । ସମସ୍ତେ ବନାକୁ ଜୁହାର ନେହୁରା ହେଲେ, ବନା ସେମାନଙ୍କୁ ଛାଡ଼ିଦେଲା । ବନା ସିନା ଛାଡ଼ିଦେଲା, ତାଙ୍କ ଲୁଗାରେ ଯେଉଁ ପିଙ୍କାଗୁଳର ପୋଡ଼ା ଚିହ୍ନ ଥିଲା, ସେହି ଚିହ୍ନ ସମସ୍ତଙ୍କୁ ସକାଳୁ ଧରାଇ ଦେଲା । ଗାଁରେ ସମସ୍ତେ ଜାଣିପାରି ସେମାନଙ୍କୁ ନାନା ହଟହଟା କରି ଶେଷରେ ଜଳକା ବାଣ ମାରି ଅନ୍ଧ କରିଦେଲେ । ତମେ ବିଶ୍ୱାସ କର ବା ନ କର ମୁଁ ଏହା ଆଖିରେ ଦେଖିଛି । ମା । ଯଦି ମିଛ କହୁଥିବି, ତେବେ ମୋର ଦି ଆଖି ଫୁଟିଯିବ ।

 

ବାସୂଳୀପଦା ଗ୍ରାମରେ ପିତେଇର ମାମୁଘର । ସେ ଗ୍ରାମରେ ବନାଶିଅଳ ନାମରେ ଗୋଟାଏ ଚମାର ଟୋକା ନିଜକୁ ଅଦ୍ୱିତୀୟ ଗୁଣିଆ ବୋଲି ପ୍ରଚାର କରିବୁଲେ; ମାତ୍ର ଗୁଣିବିଦ୍ୟାର ଗ ଅକ୍ଷର ସଙ୍ଗରେ ସୁଦ୍ଧା ତାହାର ପରିଚୟ ନାହିଁ । କେବଳ ପ୍ରତାରଣା । ଭଣ୍ଡପଣ ତାହାର ବ୍ୟବସାୟ । ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ସେ ଅନେକ ସମୟରେ ଶ୍ମଶାନରେ ବୁଲେ ଏବଂ ନିଜକୁ ଖୁବ୍ ବଢ଼ାଇ କଥା କହେ । ସରଳପ୍ରାଣ ନିରକ୍ଷର ପଲ୍ଲୀବାସୀଏ ତାହାକୁ ଗୋଟାଏ ଯୋଗଜନ୍ମା ମଣି ତାହା କଥାରେ କେହି କେହି ବିଶ୍ୱାସ ସ୍ଥାପନ କରନ୍ତି; ମାତ୍ର ଯେଉଁମାନେ ଟିକିଏ ଚେଙ୍ଗାଚତୁର ଧରଣର ଲୋକ, ସେମାନେ ଆଦୌ ତାହା କଥା ପତ୍ରରେ ପକାନ୍ତି ନାହିଁ । ବନା ସୁଦ୍ଧା ସେମାନଙ୍କ ପାଖରେ ବିଫଳ ଆସ୍ଫାଳନ କରେ ନାହିଁ । ସେ ଘାଟ ଚିହ୍ନି ପାଣି ପିଏ । ସେ କହେ– ‘‘ତାହାର ଅସାଧ୍ୟ କିଛି ନାହିଁ, ଯେମନ୍ତ କି ଆରବ୍ୟ ଉପନ୍ୟାସ ବର୍ଣ୍ଣିତ ଆଲାଉଦ୍ଦିନର ଆଶ୍ଚର୍ଯ୍ୟ ପ୍ରଦୀପ ତାହା ହାତରେ ଅଛି । ଦିନେ ରାତିରେ ରାଉତଘର ମଝିଆଁ ବୋହୂ, ତୁଳସୀର ପେଟ କାଟିଲା । ସେ ତର ତର ହୋଇ ଉଠି ପୋଖରୀପାଣି ଗଲା । ଲୁଗା ଖଣ୍ଡି ପାଇଟି ଆଡ଼ି ଉପରେ ରଖି ଯାଇଥିଲା । ଦୁର୍ବୁତ୍ତ ବନା ତାହାକୁ କଳଙ୍କିତ କରିବା ଉଦ୍ଦେଶ୍ୟରେ ତାହା ଲୁଗାରେ ପିଙ୍କାଗୁଳ ଝାଡ଼ି ଦେଇଥିଲା । ତହିଁ ଆରଦିନ ସକାଳେ ତୁଳସୀ ନାମରେ ଚରାଡ଼ାଆଣୀର ଅପବାଦ ଉଠିଲା । ମାତ୍ର ସତ୍ୟ କେବେ ଲୁଚି ରହେ ନାହିଁ, ଅଗ୍ନିପରି ବହୁ ଆବରଣ ଭସ୍ମ କରି ଆତ୍ମପ୍ରକାଶ କରେ । ଅଳ୍ପ ଦିନ ମଧ୍ୟରେ ପ୍ରକୃତ ଘଟଣା ଜଣାପଡ଼ିଗଲା । ରାମବାରିକ ନାମରେ ଜଣେ ବୃଦ୍ଧ ଗଛ ଉହାଡ଼ରେ ପୋଖରୀପାଣି ବସି କୀର୍ତ୍ତିଚନ୍ଦ୍ର ବନମାଳୀର କୀର୍ତ୍ତି ଦେଖିଥିଲା । ଯଥାସମୟରେ ସେ ସବୁ ପ୍ରକାଶ କରିଦେଲା । ଜଣେ ଅନ୍ତଃପୁରସ୍ଥା ସ୍ତ୍ରୀ ଲୋକ ନାମରେ ଅକାରଣ କଳଙ୍କ ରଚନା କରିଥିବାରୁ ବନା ଗ୍ରାମବାସୀଙ୍କଠାରୁ ଉତ୍ତମ ମଧ୍ୟମ ପୁରସ୍କାର ଲାଭ କଲା । କଥାରେ କହନ୍ତି, ‘ମାଡ଼ ଭୟରେ ଦେବତା ଛାଡ଼ି ପଳାନ୍ତି ।’ ସେହିଦିନଠାରୁ ବନା ନିରୁଦ୍ଦେଶ । ବହୁ ଅନୁସନ୍ଧାନରେ, ବହୁ ଅର୍ଥବ୍ୟୟରେ ଆମ୍ଭେମାନେ ଏ ଘଟଣାର ପ୍ରକୃତ ତଥ୍ୟ ଅବଗତ ହୋଇଅଛୁଁ । ଏଥିରେ ଅ–ମିଥ୍ୟାର ଗନ୍ଧ ଥାଉ ବା ନ ଥାଉ ମାତ୍ର ମିଥ୍ୟା ନୁହେଁ, ଏହା ହଲପ କରି କୁହାଯାଇପାରେ । ଆମ୍ଭମାନଙ୍କର ଏହି ପ୍ରାମାଣିକ କଥା ସଙ୍ଗରେ ପିତେଇର ବର୍ଣ୍ଣନା ମିଳାଇ ଦେଖିଲେ ପିତେଇ ଶତକରା କେତେ କୋଡ଼ି ମିଥ୍ୟା କହେ, ତାହା ପାଠକମାନେ ସହଜରେ ହୃଦୟଙ୍ଗମ କରିପାରିବେ, ମାତ୍ର ଆମ୍ଭେମାନେ ନିରୁତ୍ତର ।

 

ସ୍ତ୍ରୀମାନେ ଯେତେ ଶିକ୍ଷିତା, ପଣ୍ଡିତା ହେଉନ୍ତୁ ପଛେ ଏବଂ ମୁହଁରେ ଯାହା କହନ୍ତୁ ପଛେ, ଭୂତ ପ୍ରେତ ଭୟ ସେମାନଙ୍କର ଜନ୍ମଗତ ସଂସ୍କାର । ଅନେକ ସ୍ତ୍ରୀଙ୍କ ଡାଆଣୀ ମାଡ଼ିବସେ । ଡାଆଣୀ ଛଡ଼ାଇ ଅନେକ ମନ୍ତ୍ର ଯନ୍ତ୍ର ଅଛି । ପଲ୍ଲୀଗ୍ରାମରେ ସେଥିର ଚିତ୍ର ପ୍ରକଟ । ସହରର କଥା ସ୍ୱତନ୍ତ୍ର, ସେଠାରେ ବାବୁ ଭୟାଙ୍କର ବାସ । ସେମାନେ ମଲେ ବି ଭୂତ ହୁଅନ୍ତି; ମାତ୍ର ସଭ୍ୟ ଶିକ୍ଷିତ ବାବୁଭୟା ଭୂତ । ସେମାନଙ୍କର ପଲ୍ଲୀଭୂତସୁଲଭ ଉପଦ୍ରବ ବା ଅତ୍ୟାଚାର ନାହିଁ । ସେମାନଙ୍କର ବ୍ୟବହାର ଶିଷ୍ଟାଚାରସମ୍ମତ । ସେହି ଭଦ୍ର ଭୂତମାନଙ୍କର ଆଖ୍ୟାନ ସଚିତ୍ର ଭାବରେ ସଭ୍ୟ ସ୍ୱାଧୀନ ଦେଶମାନଙ୍କରେ ସାମୟିକ ପତ୍ରିକାକାରରେ ପ୍ରକାଶିତ ହେଉଅଛି । ସୁତରାଂ ଏଠାରେ ଲେଖିବା ବାହୁଲ୍ୟ ମାତ୍ର ।

 

ଶେଫାଳିକା ସ୍ୱଭାବତଃ ଅତି ଭୀରୁପ୍ରକୃତିକା । ପିତେଇର ବର୍ଣ୍ଣନା ସେ ଭୟକୁ ଆହୁରି ପ୍ରବଳ କରିଦେଲା । ସେ ମନେ ମନେ ଭାବିଲେ– ‘‘ସତେ ତ, ଡାଆଣୀ ଭୂତଙ୍କ ଦୃଷ୍ଟି ନଜରକୁ ପିଲାମାନଙ୍କୁ ରକ୍ଷା କରିବା ତ ପ୍ରଧାନ କଥା ।’’ ଏହା ଭାବି ସେ ଅନେକ ଗୁଣିଆଙ୍କ ପାଖରୁ ଅନେକ ଚେର ମୂଳ ସଂଗ୍ରହ କଲେ । ଗ୍ରହଣ ସମୟରେ ଅଷ୍ଟ ଧାତୁରେ ଡେଉଁରିଆ ତୟାର କରାଇ ତାହା ଭିତରେ ଉପରୋକ୍ତ ଭୂତ ପ୍ରେତର ଅବ୍ୟର୍ଥ ପ୍ରତିଷେଧକ ଔଷଧ ରଖି ଶିଶୁକୁ ପିନ୍ଧାଇଦେଲେ-। ଏହିପରି ଡେଉଁରିଆ ମାଳାରେ କିଛିଦିନ ପରେ ଶିଶୁର କଟି କଷ୍ଠ ଏବଂ ବାହୁ ଆଚ୍ଛାଦିତ ହେଲା । ଶିଶୁର ମୁଣ୍ଡରେ ତିନିଟା ଜଟା ରହିଲା । ମାନସିକ ରହିଲା– ‘‘ପିଲା ବଢ଼ିଲେ ତିନୋଟି ସୁନାମଧନ୍ୟ ଦେବତାବିଶେଷଙ୍କ ପୀଠରେ ତାହାର ବାଳ ପଡ଼ିବ । ଏତଦ୍ୱାରା ଦେବତାଙ୍କୁ ନଖ ବାଳ ଦେବା ଉଦ୍ଦେଶ୍ୟ ନୁହେଁ, ତାହା ଦେବଋଣର ଗୋଟାଏ ଚିହ୍ନ । ମନୁଷ୍ୟ ମାୟା ମୋହର ଭୋକ, ଦୁଃଖବେଳେ ସେ ଦେବତାଙ୍କୁ ଡାକେ, ଭୋଗପୂଜା ମାନସ କରେ, ମାତ୍ର ସୁଖବେଳେ ସବୁ ଭୁଲିଯାଏ । ନିଜର ପ୍ରତିଶ୍ରୁତି କାଳେ ଭୁଲିଯିବ, ସେଥିସକାଶେ ଗୋଟାଏ ସ୍ମାରକ ଚିହ୍ନ ରଖିବାକୁ ହୁଏ । ଦେବଋଣ ପରିଶୋଧ ସଙ୍ଗେ ସଙ୍ଗେ ସେ ଚିହ୍ନ ମଧ୍ୟ ପରିତ୍ୟାଗ କରାଯାଏ । ଶେଫାଳିକାଙ୍କ ସଯତ୍ନ ଲାଳନ ପାଳନରେ ଶିଶୁ କ୍ରମଶଃ ବର୍ଦ୍ଧିତ ହେବାକୁ ଲାଗିଲା । ଶେଫାଳିକା ତାହାକୁ ଦଣ୍ଡେ ତଳେ ପକାଇ ଦିଅନ୍ତି ନାହିଁ– ସବୁବେଳେ କାଖରେ କୋଳରେ ଧରି ଥାଆନ୍ତି । ଶିଶୁ କେତେବେଳେ ଟିକିଏ କାନ୍ଦିଉଠିଲେ ତାଙ୍କ ସର୍ବଶରୀରରେ ବେଦନାର ଗୋଟାଏ ବିଦ୍ୟୁଜ୍ଜ୍ୱାଳା ବହିଯାଏ । ସେ ନାନା କୌଶଳରେ ସ୍ନେହ ଗଗନର ସେହି ଧ୍ରୁବ ନକ୍ଷତ୍ରଟିକୁ ତୁନି କରାନ୍ତି । ଏହିପରି ଭାବନାରେ ଦିନ ପରେ ଦିନ, ମାସ ପରେ ମାସ ଅତୀତ ହେବାକୁ ଲାଗିଲା ।

Image

 

Unknown

ନବମ ପରିଚ୍ଛେଦ

 

କୁସୁମ କୋଳରେ ସୌରଭ, ଚନ୍ଦ୍ର କୋଳରେ ଚନ୍ଦ୍ରକା କିମ୍ବା ସରସୀ କୋଳରେ କମଳ କଳିକା ବଢ଼ିଲା ପ୍ରାୟ ଶେଫାଳିକାଙ୍କର ସ୍ନେହମୟ ଶୀତଳ କୋଳରେ ଶିଶୁଟି ବଢ଼ିବାକୁ ଲେଗିଲା । କେଉଁଠୁ ଏ ସୌମ୍ୟସୁନ୍ଦର ଶିଶୁଟି ଆସି ତାଙ୍କ ବନ୍ଧ୍ୟାଜୀବନର ଶୂନ୍ୟ ସିଂହାସନରେ ରାଜା ହୋଇ ବସିଲା– ତାଙ୍କର ଅସୁନ୍ଦର ଗୃହ ପ୍ରାଙ୍ଗଣକୁ ମଧୁର ମନୋହର ସ୍ୱର୍ଗୀୟ ବାସନ୍ତୀ ଶ୍ରୀରେ ମଣ୍ଡିତ କରିଦେଲା– ତାଙ୍କର ଶୂନ୍ୟ ନିରାନନ୍ଦ ଗୃହରେ ପୂର୍ଣ୍ଣତାର ଆନନ୍ଦ କଳଧ୍ୱନି ଉତ୍‌ଥିତ କଲା । ଭୁଲୁଣ୍ଠିତା ଲତା ଗୋଟିଏ କ୍ଷୁଦ୍ର ଆଶ୍ରୟ ପାଇଲେ ତାହାକୁ ଯେପରି ଆକଟି ଧରେ, ଶେଫାଳିକା ସେହିପରି ହୃଦୟରେ ସମସ୍ତ ସ୍ନେହଦ୍ୱାରା ଶିଶୁଟିକୁ ଆକଟି ଧରିଲେ । ବନ୍ଧ୍ୟାନାରୀର ଚିର ହାହାମୟ ଶୁଷ୍କ ହୃଦୟ ଏବେ ସ୍ନେହ, ମମତା ଏବଂ ଆନନ୍ଦର ତ୍ରିବେଣୀ ପ୍ରବାହରେ ପରିସ୍ନାତ । ଶିଶୁଟି ଦେବନିର୍ମାଲ୍ୟ ତୁଲ୍ୟ ପବିତ୍ର ଏବଂ ପୁଷ୍ପ ପରି ସୁନ୍ଦର । ତାହାର ହୁଷ୍ଟପୁଷ୍ଟ ସୁକୁମାର ଅବୟବ ଏବଂ ମୁଖର ସୁନ୍ଦର ମଧୁର ହାସ୍ୟ ଦେଖି ମନେହୁଏ, ସେ ଏ ଜଗତର ନୁହେଁ । କେଉଁ ସୁନ୍ଦର ଜଗତର ସୁନ୍ଦର ଶେଫାଳିକାଟିଏ ଶେଫାଳିକାଙ୍କ କୋଳରେ ଝରିପଡ଼ିଅଛି । ଅଥବା ସୁନ୍ଦର ସ୍ୱର୍ଗର ସୌନ୍ଦର୍ଯ୍ୟର ସମୁଜ୍ଜ୍ୱଳ ଶିଖା ପଥଭ୍ରାନ୍ତ ହୋଇ ଏ ମର୍ତ୍ତ୍ୟଧାମକୁ ଚାଲି ଆସିଅଛି । ଶେଫାଳିକା ଅଙ୍କସ୍ଥ ଶିଶୁର ମୁହଁକୁ ଚାହିଁ ସମୟ ସମୟରେ ଭାବନ୍ତି, ‘‘ଏ ମାୟାବନ୍ଧନ କାହୁଁ ଆସି ମୋର ହୃଦୟକୁ ଓଲଟ ପାଲଟ କରିଦେଲା, ମୋର ଜୀବନର ସ୍ରୋତକୁ ଅନେକ ପଛକୁ ଘୁଞ୍ଚାଇଦେଲା ? ଏ ଶିଶୁ ନୁହେଁ– ଅଦ୍ଭୁତ ଖଣ୍ଟ, ଅଲକ୍ଷ୍ୟରେ ମୋର ମନକୁ ଚୋରି କରିନେଲା । ମୋର ସ୍ନେହର ଏ ସତର୍କ ପ୍ରହରୀ, ସେଥିରେ ଅନ୍ୟର ଭାଗ ବସାଇଦେବ ନାହିଁ । ମୁଁ ମୁକ୍ତ ଥିଲି, ଏ ମୋତେ ବନ୍ଧନରେ ପକାଇଲା । ସେହି ବନ୍ଧନ ମୋର ସୁଖ । କର୍ମହୀନ ନିରାଲମ୍ବ ଜୀବନ ଯଦି ନାମରେ ଅଭିହିତ ହୁଏ, ତେବେ ମୁକ୍ତି ମୋର ଲୋଡ଼ା ନାହିଁ । କର୍ମତ୍ୟାଗରେ ଆନନ୍ଦ ନାହିଁ– କର୍ମରେ ଆନନ୍ଦ-। ବାରମ୍ବାର ମରି ବାରମ୍ବାର ଜନ୍ମି କର୍ମ କରିବାହିଁ ଆନନ୍ଦ । କର୍ମରେ ଦୁଃଖ ଅଛି; ମାତ୍ର ସେହି ଦୁଃଖଭୋଗହିଁ ସୁଖ । ଯେ ଜୀବନରେ କେବେ ଦୁଃଖଭୋଗ କରିନାହିଁ, ସେ ସଂସାରର ଗୋଟାଏ ପ୍ରଧାନ ସୁଖରୁ ବଞ୍ଚିତ । ଯହିଁରେ କର୍ମ ନାହିଁ, ତହିଁରେ ସୁଖ ନାହିଁ । ମୁକ୍ତିରେ କର୍ମ ନାହିଁ ସୁତରାଂ ତାହା ସୁଖମୟ ନୁହେଁ । ମୁକ୍ତ ଜୀବନ ବନ୍ଧ ଜଳାଶୟ ପରି ସ୍ଥିର ଏବଂ ନିଷ୍ପନ୍ଦ, ଆଉ କର୍ମଜୀବନ ଖରସ୍ରୋତା ସ୍ରୋତସ୍ୱତୀ ପରି ନିୟତ ଚଞ୍ଚଳ । କର୍ମ ବାଞ୍ଛନୀୟ; ମାତ୍ର ସ୍ଥିରତା ବାଞ୍ଛନୀୟ ନୁହେଁ । ମନୁଷ୍ୟ ସ୍ୱଭାବ ବିଚିତ୍ର, କେତେବେଳେ ତାହା ହୃଦୟରେ ଦୁଷ୍ଟା ସରସ୍ୱତୀ ପ୍ରଭାବ ବିସ୍ତାର କରେ, ଆଉ କେତେବେଳେ ବା ଶିଷ୍ଟା ସରସ୍ୱତୀଙ୍କର ଆବିର୍ଭାବ ହୁଏ । ବେଳେବେଳେ ଶେଫାଳିକା ଦୁଷ୍ଟା ସରସ୍ୱତୀଦ୍ୱାରା ଆକ୍ରାନ୍ତ ହୋଇ ଭାବନ୍ତି– ଏ ଶିଶୁ ମୋର କିଏ । ଏହା ସଙ୍ଗରେ ମୋର ସମ୍ପର୍କ କଅଣ ? ଏ ଜଗତ ନିଃସଙ୍ଗ ପ୍ରବାସ, ଏଠାରେ କେହି କାହାର ନୁହେଁ-। ତେବେ ଏ ଶିଶୁ ଉପରେ ମୁଁ ସ୍ନେହ ଢାଳୁଛି କାହିଁକି ? ଆଉ ଏହାପାଇଁ ଏତେକଷ୍ଟ ସ୍ୱୀକାର ବା କାହିଁକି ? ଏ ସବୁ କଅଣ ବୃଥା, ସବୁ କଅଣ ଭ୍ରାନ୍ତି, ସବୁ କଅଣ ମିଥ୍ୟା ?’’ ଅନନ୍ତର ଶିଷ୍ଟା ସରସ୍ୱତୀ ହୃଦୟ ଅଧିକାର କରି ବସିଲେ ଶେଫାଳିକାଙ୍କ ଦେହ ଶୀତେଇ ଉଠେ, ରୋମ ଟାଙ୍କୁରି ଉଠେ । ସେ ମନେ ମନେ ଲଜ୍ଜିତ ଏବଂ ଅପ୍ରତିଭ ହୋଇ କହନ୍ତି– ‘‘ନା ନା, ସବୁ ସତ, ସବୁ ସତ-। ଏହା ଭ୍ରାନ୍ତି ନୁହେଁ କି ବୃଥା ନୁହେଁ । ଏ ଶିଶୁ ଦେହରେ ମୋର ସ୍ୱାମୀଙ୍କର ରକ୍ତ ଅଛି, ଶ୍ୱଶୁର କୁଳର ଅଂଶ ଅଛି । ଏ ମୋର ପୁତ୍ର, ମୋତେ ପୁତ ନରକରୁ ଉଦ୍ଧାର କରିବ; ସୁତରାଂ ଏ ଶିଶୁ କାହାର ନୁହେଁ ମୋର, ସମ୍ପୂର୍ଣ୍ଣ ମୋର । ଏ ମୋର ସଉତୁଣୀର ପୁଅ ନୁହେଁ । ସଦୂ କି ମୋର ସଉତୁଣୀ ? ସେ ମୋତେ ମାତୃତୁଲ୍ୟ ଭକ୍ତି କରେ । ସେଦିନ ଡାକିଲି ସଦୂ, ଆ ମୋ ସାଙ୍ଗରେ ଖାଇବୁ । ସଦୂ ସ୍ନେହଶୀତଳ ସ୍ୱରରେ କହିଲା– ‘ତୁମେ ଖାଇସାର ନାନୀ, ମୁଁ ତମ ‘ପରସାଦ’ ପାଇବି । ମୁଁ ହସି ଉଠି କହିଲି, ‘ମୁଁ କଅଣ ଦିଅ ନା ଦେବତା ଲୋ, ମୋ ପରସାଦ ପାଇବୁ; ଖାଇବୁ ନାହିଁ ପୁଣି ପାଇବୁ ?’ ମୁଁ ଏତିକି କହିଛି, ସଦୂ ଆଖିଦୁଇଟି ଅଶ୍ରୁରେ ଛଳ ଛଳ କରି କି ଦୀନଭାବରେ କହିଲା– ‘କଅଣ କେଜାଣି; ଦେବତା କି କଅଣ ଜାଣେ ନାହିଁ ନାନୀ; ତେବେ ଏଣିକି ଜାଣେ ଯେ, ଦେବତାମାନେ ଯେଉଁଠାରେ ଥାଆନ୍ତି, ତମର ଆସନ ତାର ଢେର ଉପରେ । ଆହା, ସ୍ନେହମୁଗ୍‌ଧା ସରଳା ବାଳିକା ହୃଦୟର କି ଉଚ୍ଚଭାବ-? ସଦୂ, ମୁଁ ଆଶୀର୍ବାଦ କରୁଛି– ଧର୍ମରେ ତୋର ମତି ଅଚଳା ହେଉ, ଆଉ ସ୍ୱାମୀଦେବତାଙ୍କ ପଦସେବା ତୋର ଧର୍ମ ହେଉ । ଆହା, କି ହାସ୍ୟମୟୀ ମୂର୍ତ୍ତି, ସ୍ନାନାନ୍ତେ ସଦ୍ୟ ସମ୍ମାର୍ଜ୍ଜିତ ରୂପପ୍ରଭା ଆର୍ଦ୍ରବସ୍ତ୍ର ଭେଦି ବାହାରୁଥିବାବେଳେ ଠିକ୍ ଲକ୍ଷ୍ମୀପ୍ରତିମା ପରି ସୁନ୍ଦର ଦିଶେ । ଯେଉଁଘରେ ସଉତୁଣୀ ବାସକରେ, ସେ ଘରର କାନ୍ଥବାଡ଼ ପର୍ଯ୍ୟନ୍ତ ବିଦ୍ୱେଷ–ବିଷରେ ବୋଳା; ମାତ୍ର ସଦୂର ବ୍ୟବହାରରେ ମୋର ଘରର ମୃର୍ତ୍ତିକା ପବନରୁ ଅମୃତ ଝରିପଡ଼ୁଛି । ସ୍ନେହ, ପ୍ରେମ, ଭକ୍ତି, ପ୍ରୀତି ପ୍ରଭୃତିର ପବିତ୍ର ସୌରଭରେ ମୋର କ୍ଷୁଦ୍ର ଗୃହଖଣ୍ଡି ସ୍ୱର୍ଗରେ ପରିଣତ ହୋଇଛି । ଶେଫାଳିକା ଏହିପରି ଅନେକ କଥା ଭାବନ୍ତି । ଶିଶୁ ଦେବତାଟି କେତେବେଳେ ମାତୃଅଙ୍କ ସିଂହାସନରୁ ବିଦ୍ୟୁତ ହୁଅନ୍ତି ନାହିଁ । ଖାଇବାବେଳେ ସୁଦ୍ଧା ଶେଫାଳିକା ଶିଶୁକୁ କୋଳରେ ଯାକି ଭାତ ଖାଆନ୍ତି । ଏଥିରେ ତାଙ୍କର ଯଥେଷ୍ଟ ଅସୁବିଧା ହୁଏ; ମାତ୍ର ସେ ତାହା ଗ୍ରାହ୍ୟସୁଦ୍ଧା କରନ୍ତି ନାହିଁ । ସୌଦାମିନୀ ଏହି ଅସୁବିଧାର କଥା କହିଲେ ତାହା ଆଡ଼କୁ ତୀବ୍ର ଶାସନପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହନ୍ତି । ସୌଦାମିନୀ ସେହି କୃତ୍ରିମ ନୀରବ ଭର୍ତ୍ସନାରେ ନୀରବ ରହେ– କିଛି କହିବାକୁ ତାହାର ସାହସ କୁଳାଏ ନାହିଁ । ଏପରି ଜଣେ ଜଣେ ଆସନ ଭାରିଲୋକ ଥାଆନ୍ତି ଯେ, ଅତି ସାହସୀ ସୁଦ୍ଧା ସେମାନଙ୍କ ସଙ୍ଗରେ ଅଧିକ କଥା କହିବାକୁ ସାହସ କରନ୍ତି ନାହିଁ । ଶେଫାଳିକା ଠିକ୍ ସେହି ଶ୍ରେଣୀୟ ।

ବର୍ଷ ପରେ ବର୍ଷ ଅତିବାହିତ ହେବାକୁ ଲାଗିଲା । ପିଲାଟି ତିନିବର୍ଷ ଅତିକ୍ରମ କରି ଚତୁର୍ଥ ବର୍ଷରେ ପଦାର୍ପଣ କଲା । ପିଲାଟିର ବୟୋବୃଦ୍ଧି ସଙ୍ଗେ ସଙ୍ଗେ ନନ୍ଦଙ୍କର ଗୋଟାଏ ବିରାଟ ଆଶଙ୍କା ଅପସୃତ ହୋଇଗଲା । ସେ ପୁତ୍ରର ଜୀବନ ସମ୍ବନ୍ଧରେ ସନ୍ଦିହାନ ଥିଲେ । ଦୈବାନୁକୂଲ୍ୟରୁ ହେଉ ତା ଶେଫାଳିକାଙ୍କର ସଯତ୍ନ ସତର୍କ ପାଳନରୁ ହେଉ, ଚାରିବର୍ଷ ମଧ୍ୟରେ ଯେତେବେଳେ ଶିଶୁଟି ଗୋଟାଏ କ୍ଷୁଦ୍ର ରୋଗରେ ସୁଦ୍ଧା ଆକ୍ରାନ୍ତି ହେଲା ନାହିଁ, ତେତେବେଳେ ନନ୍ଦଙ୍କର ଆଶଙ୍କା କେଉଁଆଡ଼େ ଭାସିଗଲା । ସେ ମନେ ମନେ ଭାବିଲେ– ‘ଶନିବାର, ଶନିବେଳା, ଶନିସପ୍ତା ଦଶାରେ ଜନ୍ମ, ଏହା ତ ଶୁଭଲକ୍ଷଣ ନୁହେଁ । ତେବେ କଅଣ ବୁଝିବାକୁ ହେବ ଯେ– ଅତି ଅମଙ୍ଗଳରେ ମଙ୍ଗଳ ହୁଏ । ପ୍ରଭୁ ଲୀଳାମୟ, ଅପାର ତୁମ୍ଭର ଲୀଳା, ବିଚିତ୍ର ତୁମ୍ଭର ମହିମା । ତୁମ୍ଭେ ବିଷ ମଧ୍ୟରେ ଅମୃତ ରଖିଅଛ, ଅମଙ୍ଗଳ ମଧ୍ୟରେ ମଙ୍ଗଳ ରଖିଅଛ । ଧନ୍ୟ ତୁମ୍ଭ ଦୟାମୟ । ନନ୍ଦେ ଏହି ଆଶଙ୍କାରେ ଅଭିଭୂତ ହୋଇ ଏତେଦିନଯାଏ ପୁତ୍ରଟିକୁ ପିତୃସ୍ନେହରୁ ବଞ୍ଚିତ କରିଥିଲେ । ଏମନ୍ତ କି ସ୍ନେହ କରିବେ ନାହିଁ ବୋଲି ପ୍ରତିଜ୍ଞାବଦ୍ଧ ମଧ୍ୟ ହୋଇଥିଲେ; ମାତ୍ର ସ୍ନେହ ନିକଟରେ ପ୍ରତିଜ୍ଞା ସର୍ବଦା ପରାସ୍ତ । ବାଳକର ମଧୁର ହାସ୍ୟରେ କି ସମ୍ମୋହନ ମନ୍ତ୍ରଶକ୍ତି ନିହିତ ଅଛି କେଜାଣି, ସେଥିରେ ନନ୍ଦଙ୍କର ଉତ୍ତରକୁମାର ପ୍ରତିଜ୍ଞା କୁଆଡ଼େ ଉଡ଼ିଗଲା । ବାଳକର ଅର୍ଦ୍ଧସ୍ଫୁଟ ସୁଧାବର୍ଷିଣୀ ବାଣୀ ଶୁଣି, ତାହାର କ୍ଷଦ୍ର ସୁନ୍ଦର ହସ୍ତପଦର ସକୌତୁକ ସଞ୍ଚାଳନ ଏବଂ ମଧୁର ମନୋହର ନୃତ୍ୟ ଦେଖି ସେ ଆଉ ଆପଣାକୁ ସମ୍ଭାଳି ପାରିଲେ ନାହିଁ । ତାଙ୍କର ହୃଦୟରୁ ପିତୃସ୍ନେହ ଅନାୟତ୍ତରେ ବାହାରି ପଡ଼ି ଶତବାହୁ ବିସ୍ତାରପୂର୍ବକ ଶିଶୁକୁ ଆକଟି ଧରିବାକୁ ଉଦ୍ୟତ ହେଲା । ସେ ଏଣିକି ଶିଶୁପୁତ୍ରପାଇଁ ନାନା ପ୍ରକାର ଖେଳିବା ପଦାର୍ଥ, ନାନା ରଙ୍ଗର ଲୁଗା, ଜାମା, ମିଷ୍ଟାନ, ଫଳ, ମୂଳ ପ୍ରଭୃତି ଯେଉଁଠାରେ ଯେଉଁ ଭଲ ପଦାର୍ଥ ଦେଖନ୍ତି, ତାହା କିଣିଆଣନ୍ତି । ପୁତ୍ରକୁ କୋଳରେ ଧରି ଗେହ୍ଲା କରନ୍ତି । ଚତୁରା ଶେଫାଳିକା ଏହା ଲକ୍ଷ୍ୟକରି ମନେ ମନେ ଆନନ୍ଦିତା ହୋଇ ଭାବନ୍ତି– ‘‘ଏତେଦିନେ ପିତୃ ସ୍ନେହର ରୁଦ୍ଧ ପ୍ରବାହ ବିନିର୍ମୁକ୍ତ ହେଲା । ଯାହା ଦେହରେ ଯାହାର ରକ୍ତ ଅଛି, ଦିନେ ହେଲେ ତାକୁ ସେ ଆକର୍ଷଣ କରିବ, ଏହା ପ୍ରାକୃତିକ ଆକର୍ଷଣ ।’’ ଦିନେ ଶେଫାଳିକା ହସି ହସି ସ୍ୱାମୀଙ୍କୁ କହିଲେ– ‘‘ଏତେ ଦିନେ ପୁଅ ବୋଲି ସ୍ନେହ ମମତା ହେଲା କି ?’’ ନନ୍ଦେ ନିଜର ପୂର୍ବ ବ୍ୟବହାର ସ୍ମରଣ କରି ଟିକିଏ ଅପ୍ରତିଭ ହେଲେ; ମାତ୍ର କିଛିକ୍ଷଣ ପରେ ସେ ଭାବ ଗୋପନପୂର୍ବକ ଗୋଟାଏ ଦୀର୍ଘ ନିଃଶ୍ୱାସରେ ପ୍ରାଣର ବେଦନା ବ୍ୟକ୍ତ କରି ସ୍ନେହସକଳ କଣ୍ଠରେ କହିଲେ– ‘‘ମୋର ସ୍ନେହତ୍ସୀନ ହେବାର କାରଣ ତୁମ୍ଭେ ଜାଣ । ସେହି ଭାବନାରେ ମୋର ହୃଦୟ କିପରି ଭସ୍ମୀଭୂତ ହୋଇଯାଇଅଛି, ତାହା ଦେଖାଇବାର ସାଧ୍ୟ ଥିଲେ ଦେଖାଇପାରନ୍ତି ।’’

ଶେଫାଳିକା– ତୁମ୍ଭେ କିଛି ଅମଙ୍ଗଳ ଆଶଙ୍କା କର ନାହିଁ, ଯେ ଜନ୍ମଦାତା, ସେହି ରକ୍ଷାକର୍ତ୍ତା । ତୁମ୍ଭେ ଅନନ୍ତ ମଙ୍ଗଳମୟଙ୍କ ସନ୍ତାନ । ଅମଙ୍ଗଳ, ଅମଙ୍ଗଳ ତୁମର କଅଣ କରିପାରିବ-? ଗୋଟାଏ ବ୍ୟର୍ଥ ଆଶାଙ୍କା ପୋଷଣ କରି ସନ୍ତାନକୁ ସ୍ନେହରୁ ବଞ୍ଚିତ କରିବା ପିତାର କର୍ତ୍ତବ୍ୟ ନୁହେଁ–ତାହା ଦୁର୍ବଳତା ।

ନନ୍ଦେ–ତୁମପରି ସ୍ନେହ ମୁଁ କରିପାରିବି ନାହିଁ, ତାହା ମୋର ଶକ୍ତିର ଅତୀତ । ଆଉ ତୁମର ଅକାତ ସ୍ନେହ–ସମୁଦ୍ରରେ ଯେ ଭାସୁଛି, ଅନ୍ୟର ସ୍ନେହ ତାହାର କି ଲୋଡ଼ା ?

ଶେଫାଳିକା– ସନ୍ତାନର ଜୀବନ ଗଠନ ପକ୍ଷରେ ପିତାମାତା ଉଭୟର ସ୍ନେହ ଲୋଡ଼ା । କ୍ଷୁଦ୍ର ଗଛଟିକୁ ବଢ଼ାଇବାକୁ ହେଲେ ଜଳ ସେଚନ ଏବଂ ସାର ପ୍ରୟୋଗ ଉଭୟ ଆବଶ୍ୟକ । ଏମନ୍ତ କି ଗୋଟିକର ଅଭାବରେ ଅପରଟି ପଙ୍ଗୁ । ଏକ ପକ୍ଷର ସ୍ନେହ ସେହିପରି ପଙ୍ଗୁ ହୋଇଯାଏ ।

ନନ୍ଦେ– ଆଉ ତୁମପରି ଗୁଣବତୀ ବୃଦ୍ଧିମତୀ, ସାଧ୍ୱୀ ସହଧର୍ମିଣଦ୍ୱାରା ଯାହାର ଗୃହ ଅଳଙ୍କୃତ ନୁହେଁ, ସେ ବି ପଙ୍ଗୁ ହୋଇଯାଏ ।

ବୋମ୍ୱାଇ ଅଞ୍ଚଳରେ ଗୋଟିଏ ଜ୍ୟୋତିର୍ବେଦ ସମାଜ ଅଛି । ଭାରତର ପ୍ରାଚୀନ ଏବଂ ଆଧୁନିକ ଜ୍ୟୋତିଷଗ୍ରନ୍ଥ ସଂଗ୍ରହ କରି ପ୍ରକାଶ କିରିବା ମସାଜର ଉଦ୍ଦେଶ୍ୟ । ବଡ଼ ବଡ଼ ଜ୍ୟୋତିର୍ବିଦ ପଣ୍ଡିତମାନେ ସମାଜର ସଭ୍ୟ ସିଦ୍ଧାନ୍ତୀ ଭାସ୍କରାଚାର୍ଯ୍ୟ ସମାଜର ଅଧିନାୟକ । ସିଦ୍ଧାନ୍ତୀ ମହାଶୟ ଜଣେ ଏମ. ଏ. ଉପାଧିଧାରୀ ପ୍ରଧାନ ବୈଜ୍ଞାନିକ । ଜ୍ୟୋତିଃଶାସ୍ତ୍ରରେ ସୁଦ୍ଧା ତାଙ୍କର ଅସାଧାରଣ ଜ୍ଞାନ ଅଛି । ସେ କୋଷ୍ଠୀ ନ ପଢ଼ି କେବଳ କୋଷ୍ଠୀଖଣ୍ଡି ହାତରେ ଧରି ବୟସ କହିଦେଇ ପାରନ୍ତି । ଜଣେ ରାଜା ତାଙ୍କୁ ପରୀକ୍ଷା କରିବା ସକାଶେ ଗୋଟିଏ ବ୍ରାହ୍ମଣ ବାଳକ ହସ୍ତରେ ରାଜକୁମାରଙ୍କ କୋଷ୍ଠୀ ଦେଇ ତାଙ୍କ ପାଖକୁ ପଠାଇଥିଲେ । ସିଦ୍ଧାନ୍ତୀ ମହାଶୟ କୋଷ୍ଠୀର ଗ୍ରହସ୍ଥାନ ଦେଖି କୋଷ୍ଠୀଖଣ୍ଡ ଫେରାଇ ଦେଇ କହିଲେ– ‘‘ଏ କୋଷ୍ଠୀ ଜଣେ ଦରିଦ୍ର ବ୍ରାହ୍ମଣ ବାଳକର ନୁହେଁ, ଏହା କୌଣସି ଭାଗ୍ୟଧରି ରାଜକୁମାରଙ୍କ କୋଷ୍ଠୀ ।’’ ରାଜା ସନ୍ତୁଷ୍ଠ ହୋଇ ତାଙ୍କୁ ବିସ୍ତୃତ ଭୂସମ୍ପତ୍ତି ପୁରସ୍କାର ଦେଇଥିଲେ । ଏହିପରି ଅନେକ କଥା ତାଙ୍କ ସମ୍ୱନ୍ଧରେ ଶୁଣାଯାଏ । ସିଦ୍ଧାନ୍ତୀ ମହାଶୟ ମୋଫସଲର ଗ୍ରାମେ ଗ୍ରାମେ ବୁଲି ଜ୍ୟୋତିର୍ଗ୍ରନ୍ଥ ସଂଗ୍ରହ କରନ୍ତି । ଦିନେ ସେ ପ୍ରତାପପୁର ଗ୍ରାମରେ ଆସି ଉପସ୍ଥିତ ହେଲେ । କର, କୋଷ୍ଠୀ ଗଣାଇବା ସକାଶେ ଅନେକ ଲୋକ ଆସି ତାଙ୍କ ପାଖରେ ରୁଣ୍ଡ ହେଲେ । ଗଣକ ଯଥାଯଥ ଫଳ କହି ସେମାନଙ୍କୁ ପରିତୃପ୍ତ କଲେ । ନନ୍ଦଙ୍କ ଶିଶୁ ପୁତ୍ରଟିର ହସ୍ତ ଦେଖି ସସ୍ମିତ ମୁଖରେ କହିଲେ, ‘‘ଏ ବାଳକଟି ରାଜା ହେବ । ବିଷୟ ଜଗତର ରାଜା ନୁହେଁ, ବୈରାଗ୍ୟ ଜଗତର ରାଜା । କାମନାରେ ଏହାର ମତି କଳୁଷିତ ହେବ ନାହିଁ । ଏ ନିଜେ ଉଦ୍ଧାର ହେବ, ଆଉ ବଂଶକୁ ଉଦ୍ଧାର କରିବ । ବାଳକଟି ଖୁବ୍‌ ଲକ୍ଷଣବନ୍ତ, ଏ ଦୀର୍ଘଜୀବୀ ହୋଇ ଧର୍ମରାଜ୍ୟରେ ଅକ୍ଷୟ କୀର୍ତ୍ତି ସ୍ଥାପନ କରିବ ।’’ ଏହାଶୁଣି ପିତାମାତାଙ୍କର ଆହ୍ଲାଦର ସୀମା ରହିଲା ନାହିଁ । ସନ୍ତାନର ଭାବୀଶୁଭାଦୃଷ୍ଟର ମଙ୍ଗଳବାର୍ତ୍ତା ଶୁଣି କେଉଁ ପିତାମାତାର ହୃଦୟ ଉଲ୍ଲସିତ ନ ହୁଏ-? ତାହା ମିଥ୍ୟା ବା ଅମୂଳକ ହେଲେ ମଧ୍ୟ ବଡ଼ ଉପାଦେୟ । ଯେଉଁ ପୁତ୍ର ବଂଶୋଦ୍ଧାର କରିବ, ସେମାନେ ତାହାରି ଜନକଜନନୀ, ଏହାଠାରୁ କଳି ଗୌରବର କଥା କଅଣ ଅଛି ? ଶେଫାଳିକା ଆଉ କଅଣ ଚାହାନ୍ତି ? ପୁଅ ଉପାର୍ଜନ କରିବ, ସେ ଗୋଡ଼ ଉପରେ ଗୋଡ଼ ପକାଇ ଖାଇପିଇ ଯାତ୍ରା ଦେଖି ମଉଜ କରିବେ, ଏହା ତ ତାଙ୍କର ଲକ୍ଷ୍ୟ ନୁହେଁ । ସେ ଚାହାନ୍ତି– ଶଶୁରର ବଂଶରକ୍ଷା ଏବଂ ନିଜର ପାରଲୌକିକ ଜଳପିଣ୍ଡ । ପୁଅ ଦୀର୍ଘଜୀବୀ ହୋଇ ଧର୍ମ ଜଗତର ରାଜା ହେବ ପୁଣି ବଂଶୋଦ୍ଧାର କରିବ, ଏହା ତ ତାଙ୍କ ଇଚ୍ଛାର ପ୍ରତିଧ୍ୱନି ମାତ୍ର । ରୋଗୀର ମନୋମତ ପଥ୍ୟ ବୈଦ୍ୟ ବ୍ୟବସ୍ଥା କଲେ ରୋଗୀର ଯେ ଆନନ୍ଦ, ତାହା ଭୁକ୍ତଭୋଗୀ ବିନା କିଏ ବୁଝିବ ? ତୁଳସୀ ଦୁଇ ପତ୍ରରୁ ବାସେ, ପିଲାଟିର ଭବିଷ୍ୟତ ଯେ ଉଜ୍ଜ୍ୱଳ, ଏହା ତାହାର ବାଲ୍ୟକାଳର କ୍ରିୟା କଳାପରୁ ଜଣାଯାଉଥିଲା । ସେ ଯେଉଁପରି ଶାନ୍ତ ସେହିପରି ସୁବୋଧ । ବାଲ୍ୟସୁଲଭ ଚପଳତା ବା ଅବାଧ୍ୟତା ତାକୁ ସ୍ପର୍ଶ କରି ନ ଥିଲା । ତାହାର ବାଲ୍ୟଖେଳ ଦେବାରାଧନା । ଧୂଳିରେ ଘରତୋଳି ତାହା ମଧ୍ୟରେ ଦୁଇଟି କୁଣ୍ଢାଇ ରାଧାକୃଷ୍ଣ ରୂପରେ ବସାଇ ପୂଜା କରେ । ଫୁଲ ତୋଳି ଆଣି କଣ୍ଢାଇ ଦୁଇଟିକୁ ସଜାଏ । ଧୂଳିରେ ଅନ୍ନବ୍ୟଞ୍ଜନ ପିଷ୍ଟକାଦି ପ୍ରସ୍ତୁତ କରି ଭୋଗ ଲଗାଏ, ଆଳତି କରେ ହାତ ତାଳିମାରି ନାଚେ । ପିତାମାତା ଶିଶୁର ପୂଜାର ଆଡ଼ମ୍ୱର ଦେଖି ସ୍ୱର୍ଗୀୟ ଆନନ୍ଦ ଅନୁଭବ କରନ୍ତି । ବାସ୍ତବରେ ଅନାବିଳ ପ୍ରେମଭକ୍ତିର ପବିତ୍ରଧାରା ଶିଶୁ ପ୍ରାଣରେହଁ ସୁଲଭ-। ଭଗବତ୍‌ମାହାତ୍ସ୍ୟ ସେ ଯେପରି ବୁଝେ, ଅନେକ ଜ୍ଞାନୀ ଭକ୍ତ ସେପରି ବୁଝନ୍ତି ନାହିଁ । ଶିଶୁ ଧ୍ରୁବ ପ୍ରାଣରେ ଭଗବତ୍‌ପ୍ରାପ୍ତି ଯେପରି ବ୍ୟାକୁଳତା ଜନ୍ମିଥିଲା, ସେପରି ବ୍ୟାକୁଳତା କେତେଜଣ ତପସ୍ୱୀଙ୍କ ପ୍ରାଣରେ ଫୁଟିଥିଲା । ସାରଳା ଯେଉଁଠାରେ ଅଧିଷ୍ଠାନ କରନ୍ତି । ଶିଶୁମାନଙ୍କର ସ୍ୱଭାବ ସରଳ, ବିଶ୍ୱାସ ସରଳ, ହୃଦୟ ସରଳ; ସୁତରାଂ ଭଗବାନ ସେହିମାନଙ୍କର ।

ପିଲାଟି ପଞ୍ଚମ ବର୍ଷରେ ପଦାର୍ପଣ କଲା । ସେ ଶେଫାଳିକାଙ୍କୁ ବଡ଼ମା ଏବଂ ସୌଦାମିନୀଙ୍କୁ ସାନମା ବୋଲି ଡାକେ । ବଡ଼ମାଙ୍କୁ ସେ ଦଣ୍ଡେ ଛାଡ଼େ ନାହିଁ । ତାହାର ଅଳି ଅଜଟ ସବୁ ବଡ଼ମା ପାଖରେ ଆସି ନାଲିସ କରେ । ସୌଦାମିନୀ ମଧ୍ୟ ପୁଅର ଦୁଷ୍ଟାମି ସମ୍ୱନ୍ଧରେ ଶେଫାଳିକାଙ୍କ ନିକଟରେ ଗୁହାରି କରେ । ବାଳିକା ମାତା ଏବଂ ଶିଶୁପୁତ୍ରର ଏ ଅଭିନୟ ଦେଖି ଶେଫାଳିକା ଆମୋଦ ଅନୁଭବ କରନ୍ତି ଏବଂ ହସି ହସି ବିଚାରରେ ପ୍ରବୃତ୍ତ ହୁଅନ୍ତି । ସ୍ନେହର ଜୟ ସର୍ବତ୍ର; ସୁରତାଂ ବିଚାରକିତ୍ତ୍ରୀ ଶିଶୁଟିକୁ ଜୟଶ୍ରୀରେ ମଣ୍ଡିତ କରନ୍ତି । ସୌଦାମିନୀ ପରାଜିତ ହୋଇ କୃତ୍ରିମ ରୋଷ ପ୍ରକାଶପୂର୍ବକ ବିଚାର ସ୍ଥାନ ପରିତ୍ୟାଗ କରି ଚାଲିଯାଏ । ସେ ଅଭିଯୋଗ ଯେଉଁ ପରି ମଧୁର, ସେ ବିଚାର ସେହିପରି ମଧୁର ଏବଂ ବାଳିକା ଜନନୀର ଆନନ୍ଦବୋଳା ଛଦ୍ମବେଷ ତତୋଽଧିକ ମଧୁର । ଶେଫାଳିକାଙ୍କ ଗୃହରେ ଏବଂ ଅନ୍ତଃକରଣରେ ଏହିପରି ସ୍ନେହ, ପ୍ରେମ, ଆନନ୍ଦ, ଉଲ୍ଲାସର ମଧୁମୟ ପବିତ୍ର ଅଭିନୟ ସବୁବେଳେ ଲାଗିଥାଏ । ଯେଉଁ ଘରେ ଏହିପରି ପୁଣ୍ୟାଭିନୟ ସୁଲଭ ସେ ଘର ବାସ୍ତବରେ ଉତ୍ସବିତ ସ୍ୱର୍ଗ ।

ପିଲାଟିର ବିଦ୍ୟାରମ୍ଭ କାଳ ଉପସ୍ଥିତ ହେଲା । ପିତାମାତା ପରାମର୍ଶ କରି ଶୁଭଦିନରେ ବାଳକକୁ ପାଠଶାଳାକୁ ପଠାଇବାର ସ୍ଥିର କଲେ । ଶୁଭଦିନ ଧାର୍ଯ୍ୟ ହେଲା; ମାତ୍ର ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଗୋଟାଏ ଆକସ୍ମିକ ଘଟଣା ସେମାନଙ୍କର ସେହି ସଂକଳ୍ପକୁ ବିପର୍ଯ୍ୟସ୍ତ କରିଦେଲା । ଦିନେ ପିତେଇ ପୋଖରୀରୁ ପାଣି ଗରାଏ ଘେନି ଆସୁଥିଲା । ସଙ୍ଗରେ କେହି ଶ୍ରୋତା ନ ଥିଲେ ସୁଦ୍ଧା ସେ ସ୍ନାନ ପ୍ରତ୍ୟାବୃତ୍ତ ବିଶୁ ପୁରୋହିତଙ୍କ ସ୍ତୃତି ଆବୃତ୍ତି ପରି କଅଣ ଗୁଡ଼ାଏ ବର୍‌ ବର୍‌ ହେଉଥାଏ । ସେ କାଖରୁ ପାଣି ଗରାଟା ଓହ୍ଲାଇଇ ପିଣ୍ଡାରେ ଦୁମ କରି ରଖିଦେଇ କହିଲା– ‘‘ଏ କି ମାଡ଼ ଲୋ ମା ରାଣୀ, ଜୁହାର ସେ ପାଠକୁ । ପିଲା, ପାଠ ନ ପଢ଼ୁ ପଛେ, ବଞ୍ଚିଥିଲେ ପର କିଆରିରେ ଲାଗି ଖାଇବ । ଅଳ୍ପାଇଷିଆ ପିଲାଟାକୁ ପିଟିଛି ଯେ, ପିଠିରେ ଦି ଦି ଆଙ୍ଗୁଳି ଓସାରରେ ନୁଳା ବସିଯାଇ ଫାଟି ଯାଇଛି । ସେଥିରୁ ଧାର ଧାର ଲହୁ ଗଡ଼ି ପଡ଼ୁଛି । ଆହା, ପିଲାଟାର ପ୍ରାଣ କି କଲବଲ ହେଉ ନ ଥିବ ? ରାଢ଼ ଅସୁରଟା ଦେହରେ କି ଟିକିଏ ହେଲେ ଦୟା ମାୟା ନାହିଁ ?’’ ଶେଫାଳିକା ଏ କଥାରୁ କିଛି ବୁଝି ନ ପାରି ପଚାରିଲେ– ‘‘କଅଣ ଲୋ ପିତେଇ, କିଏ କାହାକୁ ମାଇଲା ?’’ ପିତେଇ କହିଲା– ‘‘କଅଣ କହିବି ମା ଠାକୁରାଣୀ, ସେ କଥା ମନରେ ପଡ଼ିବାବେଳକୁ ମୋର ଦେହ ଭିତରଟା ଥରିଉଠି ରୋମ ଟାଙ୍କୁରି ଉଠୁଛି । ଓଃ, କି ମାଡ଼, ମାଡ଼ ପରି ମାଡ଼ ନା– ‘କୁଛତ୍ର’ ମାଡ଼ । ପିଠି ସିଝି ଯାଇ ମାଂସ ଫାଟି ଯାଇଛି ।’’ ଶେଫାଳିକାଙ୍କ ପାଖରେ ସୌଦାମିନୀ ଠିଆ ହୋଇଥିଲା । ସେ ପିତେଇକୁ ଆଉ କହିବାକୁ ଅବସର ନ ଦେଇ ଈଷତ୍‌ କ୍ରୁଦ୍ଧସ୍ୱରରେ କହିଲା– ‘‘କଥା କଅଣ କହ ଭଲା । ଢେର ବନ୍ଦନା ଗାଇଲୁଣି, ଏବେ ମୂଳ ପାଲା ଗୀତ ଗାଇ ଯା । କିଏ କାହାକୁ ମାଇଲା, ଆଗେ ସେ କଥା କହ ।’’

ପିତେଇ– ଆଉ ଫେର୍‌ କିଏ, ସେହି ପୋଡ଼ା ମୁହାଁ ଘୁଷୁରି ଦାନ୍ତିଆ ଅବଧାନଟା । ରଥଘର ପୁଅ ରଘୁଆକୁ କଅଣ ନିଆଁ ଦରପୋଡ଼ା ପାଠ ଆସିଲା ନାହିଁ ବୋଲି ଯାଉଁଳି ବେତରେ ପିଟିଛି ଯେ, ଦେଖିଲେ କାନ୍ଦ ମାଡ଼ିବ । ପିଲାଟା କାନ୍ଦି କାନ୍ଦି ଗଡ଼ିଯାଉଛି, ମଣିଷ ଥାଟପଟାଙ୍ଗ ଭାଙ୍ଗୁଛନ୍ତି । କହିଲେ ତୁମେ ପରତେ ଯିବ ନାହିଁ ସାନବୋହୂ । ଏତେ ମଣିଷ ଜମିଛନ୍ତି ଯେ, ସୋରିଷ ମୁଠାଏ ଛାଟିଦେଲେ ଗୋଟାଏ ବି ତଳେ ପଡ଼ିବ ନାହିଁ । ମୁଁ ତ କହୁଛି ଲକ୍ଷେ ଲୋକରୁ ଊଣା ହେବେ ନାହିଁ ।

ସୌଦାମିନୀ– ଅବଧାନ ତ ପିଲାକୁ ମାଇଲା, ଆଉ ତୁ କାହିଁକି ମାଇଲା ପିଟିଲା ପରି ଧଇଁସଇଁ ହୋଇ ଧାଇଁଥିଲୁ ? ଅବଧାନ ତୋତେ ଧରିନେଇ ପାଠ ପଢ଼ାଇବ ବୋଲି ତୋ ପଛରେ ବେତ ଧରି ଗୋଡ଼ାଇ ଥିଲା କି ?

ପିତେଇ– ହଁ, ସେହି ଧୁମ୍‌ସା ଭୂତଟା ମୋତେ ପାଠ ପଢ଼େଇବ । ମୁଁ ମନ କଲେ ତାହାର ଚୌଦପୁରୁଷକୁ ପଢ଼େଇପାରେଁ । ବୁଢ଼ାଟା ଅବଧାନ ନା ଯମଦୂତ ।

ସୌଦାମିନୀ– ସେ ଯାହା ହେଉ, ଆଚ୍ଛା କହନି, ତୁ ଯେ ଲକ୍ଷେ ଲୋକ ଜମିଛନ୍ତି ବୋଲି କହିଲୁ କେତେ ହେଲେ ଲକ୍ଷେ ହୁଏ ଜାଣୁନା ?

ପିତେଇ– ଓଃ, ତା ଆଉ ଜାଣେ ନାହିଁ ? ଆମ ଗାଁ ଯାକର ଲୋକେ କଅଣ ଲକ୍ଷେ ହେବ ନାହିଁ ? ପିତେଇ ଗଉଡ଼ୁଣୀ କଅଣ ଏତକ ବି ଜାଣେ ନାହିଁ ? ହାୟ, ମୋ କପାଳ ପୋଡ଼ିଗଲା ବୋଲି ବୁଦ୍ଧି ବି ପୋଡ଼ିଗଲା । ପିତେଇ ରାଣ୍ଡକୁ ହିସାବରେ ଜିଣିଯିବ, ଇମିତି ପାଠୁଆ ଏତଲାଟରେ କେହି ନାହିଁ । ନାଗୁଆ ଦୁଧ କଉଡ଼ି ହିସାବ କରିବାବେଳେ ମୋ ଶଶୁର କହନ୍ତି–‘‘ମାହାକୁଡ଼ ଝିଅ, ତୁ ହିସାବ କରି ପଇସା ଗଣିନେ ମା, ମୁଁ ସେ ଅଡ଼ୁଆ ବୁଝିପାରିବି ନାହିଁ-।’’ ମୁଁ ଠିକ୍‌ ହିସାବ କରିଦିଏଁ ଯେ, କଡ଼େ କଉଡ଼ି ବି ହୁଡ଼ ହୁଏ ନାହିଁ ।

ସୌଦାମିନୀ– ହଁ, ତୁ ବୃଦ୍ଧିରେ ମର୍ଦ୍ଦଙ୍କ କାନ କାଟି ଦେଇପାରୁ– ସବୁ କରିପାରୁ, ସେ ଯା ହେଉ କେତେ ହେଲେ ଲକ୍ଷେ ହୁଏ, ଏହା ଆଗେ କହ ।

ପିତେଇ– ଦଶକୋଡ଼ି କି ବାରକୋଡ଼ି ହୋଇଥିବ, ଆଉ କେତେ ? ହାତୀ ନା ଘୋଡ଼ା ।

ସୌଦାମିନୀ ହୋ ହୋ କରି ହସିଉଠିଲା; ମାତ୍ର ଶେଫାଳିକା ସେ ହାସ୍ୟରେ ଯୋଗ ଦେଲେ ନାହିଁ । ତାଙ୍କର ମନ ଭିନ୍ନ ଚିନ୍ତାରେ ନିମଗ୍ନ ଥିଲା । ପିତେଇର କଥା ଶୁଣି ସେ ମନେ ମନେ ଭାବୁଥିଲେ– ‘‘ସତେ ତ ଅବଧାନଗୁଡ଼ାକ ବଡ଼ ନିର୍ଘାତିଆ ମାଡ଼ ମାରନ୍ତି । ପାଠଶାଳାରେ ପଢ଼ିଲେ ମୋ ବାୟାକୁ ତ ଏହିପରି ମାରିବ । ନା ନା, ମୁଁ ତାକୁ କେଭେଁ ପାଠଶାଳାକୁ ପଠାଇବି ନାହିଁ । ମୁଁ ତାକୁ ଫଳାଫଳି ଶିଖାଏଁ, ଆହୁରି ଦୁଇବର୍ଷ ଯାଉ ପାଠଶାଳାକୁ ଯିବ ତ ଯିବ । ଅଣ୍ଡାଖଣ୍ଡକ, ଉଛୁଣି ଏତେ ତରତର କାହିଁକି ?’’ ଶେଫାଳିକା ଏହିପରି ଭାବି ପୁତ୍ରର ପ୍ରାଥମିକ ଶିକ୍ଷାର ଭାର ସ୍ୱୟଂ ଗ୍ରହଣ କଲେ । ନନ୍ଦଙ୍କର ମଧ୍ୟ ଏହି ପ୍ରସ୍ତାବ ମନୋମତ ହେଲା ।

ପାଠ ବଡ଼ ଗରିଷ୍ଠ ପଦାର୍ଥ, ଶିଶୁର କୋମଳ ପାକସ୍ଥଳୀରେ ତାହା ଜୀର୍ଣ୍ଣ ହୁଏ ନାହିଁ । ଶିଶୁ ତୁଣ୍ଡରେ ପାଠର ଆସ୍ୱାଦ ଆମ୍ୱ ପଣସ ବା ଖଜା ମିଠେଇ ପରି ମଧୁର ଲାଗେ ନାହିଁ । ତହିଁ ଉପରେ ଭପଯମରୂପୀ ଗୁରୁଦେବଙ୍କ ବେତ୍ରାଘାତର ସ୍ୱାଦୁ ଆହୁରି କଟୁ, ଆହୁରି ଅସହ୍ୟ । ତିକ୍ତ ଔଷଧ ପରି ବାଳକମାନେ ବିଦ୍ୟାକୁ ବଡ଼ ବିସ୍ୱାଦ ମଣନ୍ତି; ମାତ୍ର ଶନିସପ୍ତାର କଥା ସ୍ୱତନ୍ତ୍ର । ସେ ମୋ ପାଖରେ ପାଠ ପଢ଼ିବାକୁ ଖୁବ୍‌ ସୁଖ ପାଏ । ଏବଂ ଆନନ୍ଦ ମଧ୍ୟ ଅନୁଭବ କରେ । ପ୍ରଥମତଃ ମାତାଠାରୁ ମାତୃଭାଷା ଶିକ୍ଷା କରିବା ଉଚିତ । ମାତୃଦତ୍ତ ଶିକ୍ଷାର ମୂଳଭିତ୍ତି ଦୃଢ଼ ଏବଂ ଅଟଳ ହୁଏ । ‘‘ମା’’ ଏହି ମଧୁମୟ ଅକ୍ଷରଟିର କି ଅଦ୍ଭୁତ ମହିମା ? ବାଳକ ଅନ୍ୟଠାରୁ ପ୍ରାପ୍ତଶିକ୍ଷା ବାରମ୍ୱାର ଭୁଲିଯାଏ; ମାତ୍ର ମାତୃଦତ୍ତ ଶିକ୍ଷା ସହଜରେ ଭୁଲେ ନାହିଁ । ସେ ମାଠାରୁ ଯାହା ଶୁଣେ ତାହାର କୋମଳ ହୃଦୟରେ ତାହା ଦୃଢ଼ ଭାବରେ ଅଙ୍କିତ ହୋଇଯାଏ । ଗୁରୁଦତ୍ତ ଶିକ୍ଷା ମୂଳରେ କଠୋରତା ଏବଂ ମାତୃଦତ୍ତଶିକ୍ଷା ମୂଳରେ ସ୍ନେହ ବିଦ୍ୟମାନ । କଠୋରତା ଅପେକ୍ଷା ସ୍ନେହର ମୂଲ୍ୟ ଅଧିକ । ଯାହା କଠୋରତାର ଅସାଧ୍ୟ, ତାହା ସ୍ନେହ ବା କୋମଳତାର ସୁସାଧ୍ୟ । ମାରା ପିଟା ପ୍ରଦର୍ଶନରେ ଅଧିକ ଫଳ ହୁଏ, ଏହା ସୁଶିକ୍ଷକ ମାତ୍ରେ ସ୍ୱୀକାର କରିବେ । କଠୋରତାଦ୍ୱାରା ଯଦି କ୍ୱଚିତ୍‌ ଫଳଲାଭ ହୁଏ, ତେବେ ତାହା ଜଳ ଉପରେ ରେଖାଙ୍କନ ତୁଲ୍ୟ ସ୍ଥାୟୀ ହୁଏ ନାହିଁ । ମାରି ପିଟି ଯେଉଁ ଶିକ୍ଷା ଦିଆଯାଏ, ବାଳକ ତାହା ଶୀଘ୍ର ଭୁଲିଯାଏ; ମାତ୍ର ବୁଝାଇ ଶୁଝାଇ ଯେଉଁ ଶିକ୍ଷା ବାଳକର ହୃଦୟଙ୍ଗମ କରାଯାଏ, ଦର୍ପଣରେ ପ୍ରତିବିମ୍ୱ ତୁଲ୍ୟ ଚିରକାଳ ତାହା ହୃଦୟରେ ତାହା ଝଟକୁ ଥାଏ । ମାତୃନାମ ଯେପରି ମଧୁର, ମାତୃସ୍ନେହ ସେପରି ମଧୁର ଏବଂ ମାତୃଦତ୍ତ ଶିକ୍ଷା ସେହିପରି ମଧୁର । ମାତାଠାରୁ ଯେଉଁ ଶିକ୍ଷା କରାଯାଏ, ତାହାର ନାମ ମାତୃଭାଷା । ସାଧାରଣତଃ ମାତାଠାରୁ ସନ୍ତାନ ଯେତେ ଶିକ୍ଷା କରେ, ସଂସାରରେ ଆଉ କାହାଠାରୁ ତେତେ କରେ ନାହିଁ । ବାଳକ ସ୍ୱଭାବତଃ ଅନୁକରଣପ୍ରିୟ, ସେ ମୋର କାର୍ଯ୍ୟକଳାପ ଏବଂ କଥାବାର୍ତ୍ତା ସର୍ବାପେକ୍ଷା ଅଧିକ ଅନୁକରଣ କରେ । ସେହି– ଅନୁକରଣରେ ତାହାର ଆନନ୍ଦ ଏବଂ ତୃପ୍ତି ସ୍ୱାଭାବିକ ।

Image

 

ଦଶମ ପରିଚ୍ଛେଦ

 

ବାଳକର ବିଦ୍ୟାରମ୍ଭ ହେଲା । ପିଣ୍ଡାର ଏକାଶଂରେ ବନମାଟି ଘଷି ଲେଖିବାର ଜାଗା ପ୍ରସ୍ତୁତ କରାଗଲା । ଶେଫାଳିକା ଶିଶୁର ହାତ ଧରି ନୂଆ ଖଡ଼ିରେ ମଙ୍ଗଳସୂଚକ, ‘‘ସିଦ୍ଧରସ୍ତୁ’’ ଲେଖିଦେଲେ । ଶିଶୁଟି ସିଦ୍ଧରସ୍ତୁ ଉଚ୍ଚାରଣ କରି ବିଦ୍ୟାଦେବୀ ସରସ୍ୱତୀଙ୍କ ଉଦ୍ଦେଶ୍ୟରେ ଭୂମିରେ ପ୍ରଣାମ କଲା । ଏ ଅନ୍ତେ ପାଠାରମ୍ଭ । ଶେଫାଳିକା ଗୋଟାଏ ମୁଣ୍ଡଳା କାଟିଦେଲେ । ବାଳକଟି ଖଡ଼ିରେ ତାହା ଉପରେ ମଡ଼ାଇବାକୁ ଲାଗିଲା । ଓଡ଼ିଆ ଅକ୍ଷରର ଆକୃତି ଗୋଲ, ପ୍ରଥମତଃ ମୁଣ୍ଡଳା କଟାରେ ଅଭ୍ୟସ୍ତ ହେଲେ ଅକ୍ଷର ଲେଖିବାବେଳେ ସହଜରେ ହାତ ବୁଲେ । ଏହି ହେତୁ ଏ ଦେଶରେ ପ୍ରଥମ ବିଦ୍ୟାର୍ଥୀର ମୁଣ୍ଡଳା କାଟିବାର ଧାରା କେଉଁ କାଳରୁ ଚଳିଆସୁଛି । ମୁଣ୍ତଳା ମଡ଼ାଇବେବେଳେ ଶିଶୁର ଅଧିକ ମନୋଯୋଗ ଆକର୍ଷଣ ଉଦ୍ଦେଶ୍ୟରେ ଶେଫାଳିକା ସ୍ନେହ–ଶୀତଳ କଣ୍ଠରେ କହନ୍ତି– ‘‘ବାବୁ ଆମର ଡାଲି ଘୁଣ୍ଟୁଛି ।’’ ସ୍ନେହାଧିକ ବଶତଃ ଶେଫାଳିକା ପୁତ୍ରକୁ କେବେ ବାବୁ, କେବେ ବାୟା, କେବେ ବନ ଏହିପରି କେତେବେଳେ କଅଣ ଡାକି ପକାନ୍ତି ସେଥିରେ ସ୍ଥିରତା ନାହିଁ । ଶିଶୁ ଡାଲି ଘୁଣ୍ଟା କଥା ଶୁଣି ମା ମୁହଁକୁ ଚାହିଁ ଦେଇ ଫକ୍‌କରି ହସିଉଠି ସ୍ୱଭାବମଧୁର ସ୍ୱରରେ କହେ– ‘‘ଦାଲି ଘୁନ୍ତିମି ।’’ ଅନନ୍ତର ଦ୍ୱିଗୁଣ ଉତ୍ସାହରେ ଏବଂ ମହା ଆମୋଦରେ ମୁଣ୍ଡଳା କାଟିବାରେ ନିଯୁକ୍ତ ହୁଏ; ଏହିପରି ମୁଣ୍ଡଳାକଟାରେ କେତେଦିନ ଅତିବାହିତ ହେଲା । ତହିଁପରେ ସ୍ୱର, ବ୍ୟଞ୍ଜନ ଶିକ୍ଷା ଧୀର ଗତିରେ ଚାଲିଲା । ବର୍ଣ୍ଣଶିକ୍ଷା ଶେଷ ହେବାକୁ ପ୍ରାୟେ ବର୍ଷେ କାଳ ଲାଗିଲା । ତେଣିକି ବନାନ ଶିକ୍ଷା ଆରମ୍ଭ ହେଲା । ସେ କାଳରେ ବଡ଼ ସୁନ୍ଦର କୌଶଳରେ ବନାନ ଶିକ୍ଷା ଦିଆଯାଉଥିଲା । ନିତ୍ୟ ଦ୍ରଷ୍ଟବ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ନାମ ସଂଯୁକ୍ତ ଥିବାରୁ ପିଲାମାନେ ବନାନ ଶିକ୍ଷାରେ ଆମୋଦ ଅନୁଭବ କରୁଥିଲେ ଏବଂ ସହଜରେ ବନାନ ମନେରଖି ପାରୁଥିଲେ । ଆକାରକୁ ବାଡ଼ି, ହ୍ରସ୍ୱଇକାରକୁ ଚିତା, ଦୀର୍ଘ ଈକାରକୁ ଅଙ୍କୁଶୀ, ହ୍ରସ୍ୱ ଉକାରକୁ ଚାରିଅଙ୍କ, ଦୀର୍ଘ ଊକାରକୁ କ ପୁଡ଼ିଆ, ଏକାରକୁ ଓଡ଼ା, ଐକାରକୁ ଓଡ଼ାଛଟଣୀ, ଓକାରକୁ ଓଡ଼ାବାଡ଼ି ଏବଂ ଔକାରକୁ ବାଳ ବାନ୍ଧିଆ କହୁଥିଲେ । ଯ ଫଳାକୁ ଆଠପଣ, ମଫଳାକୁ କାନମୋଡ଼ି, ରେଫ୍‌କୁ ଆଠଅଙ୍କ, ଏହିପରି ଅନ୍ୟାନ୍ୟ ଯୁକ୍ତ ବର୍ଣ୍ଣର ସ୍ୱତନ୍ତ୍ର ନାମ ଅଛି । ସୁକୁମାରମତି ବାଳକମାନଙ୍କର ମନେରଖିବା ଭଳି ଏଡ଼େ ସହଜ କୌଶଳ ଯେ ସୃଷ୍ଟି କରିଥିଲେ, ବାସ୍ତବରେ ସେ ଜଣେ ଆଦର୍ଶ ଭାବୁକ ଏବଂ ଅସୀମ ବୁଦ୍ଧିମାନ୍‌, ଏହା ଦ୍ୱିରୁକ୍ତ ନୁହେଁ । ତାଙ୍କର ମହୀୟସୀ ଚିନ୍ତା ଅତଳ ଗଭୀର ପ୍ରଦେଶକୁ ପ୍ରବେଶ କରିପାରୁଥିଲା । ଅନ୍ୟ କୌଣସି ଭାଷାରେ ଏରୂପ ସହଜ ସୁନ୍ଦରଧାରା କେହି ଆବିଷ୍କାର କରିଥିବାର ପ୍ରମାଣ ପ୍ରାୟଶଃ ମିଳେ ନାହିଁ ।

 

ପିଲାଟି ବନାନ ଶେଷ କରି ନାନା ପ୍ରକାର ବୃକ୍ଷ, ଲତା, ଫୁଲ, ଫଳ, ପଶୁ, ପକ୍ଷୀ, ପ୍ରଭୃତିର ନାମ ଲେଖି ଶିଖିଲା । ତହିଁ ଉତ୍ତାରୁ ପୋଥିଧରି ଅକ୍ଷର ଚିହ୍ନି ରାସ ଗାଇଲା । ପିତାମାତାଙ୍କର ଆନନ୍ଦ ଆଉ କହିଲେ ନ ସରେ । ସନ୍ତାନର ବିନ୍ଦୁଏ ଗୁଣ ଦେଖିଲେ ପିତୃମାତୃ ହୃଦୟରେ ସିନ୍ଧୁଏ ଆନନ୍ଦ ଉଛୁଳି ପଡ଼େ । ସୁତରାଂ ନନ୍ଦ ଦମ୍ପତିର ଆନନ୍ଦ ଅସୀମ ଅତିକ୍ରମ କରିଗଲା । ପ୍ରତ୍ୟହ ସନ୍ଧ୍ୟା ସମୟରେ ଶେଫାଳିକା ପୁଅକୁ ପାଖରେ ବସାଇ ପାଠ ଡକାନ୍ତି, ଦେବଦେବୀଙ୍କର ସ୍ତୁତି ଶିଖାନ୍ତି ଏବଂ ଚାଣକ୍ୟର ଶ୍ଳୋକ ମୁଖସ୍ଥ କରାନ୍ତି । ପୁଅର ଚିତ୍ତ ବିନୋଦନ ଏବଂ ସ୍ମୃତି ଶକ୍ତିର ବିକାଶ ସକାଶେ ନାନା ପ୍ରକାର ଗଳ୍ପ କରନ୍ତି । ସେ ଗଳ୍ପ ବ୍ୟର୍ଥ ଶୂନ୍ୟଗର୍ଭ ବା ଅସାର ନୁହେଁ । ଯହିଁରେ ବାଳକର ଚରିତ୍ର ଗଠନ ହେବ, ଧର୍ମଶିକ୍ଷା, ନୀତିଶିକ୍ଷା ଏବଂ ବ୍ୟବହାର ଶିକ୍ଷା ହେବ, ପାପ ପୁଣ୍ୟର ଜ୍ଞାନ ଜନ୍ମିବ, ସେହିପରି ଗଳ୍ପ କହନ୍ତି । ଗଳ୍ପ ଛଳରେ ସ୍ୱାସ୍ଥ୍ୟ–ତତ୍ତ୍ୱ ମଧ୍ୟ ଶିକ୍ଷା ଦିଅନ୍ତି । କଥାକୁ ଯେଉଁପରି ଭାବରେ ନଚାଇ ଖେଳାଇ ହାସ୍ୟରସ ମିଶାଇ କହିଲେ ପିଲାମାନେ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି, ଶେଫାଳିକା ସେହିପରି ଭାବରେ ଶ୍ରୁତି ରସାୟନ ଗଳ୍ପ ରଚନା କରି କହନ୍ତି । ସ୍ଥୂଳତଃ ବାଳକର ନୈତିକ ଜୀବନ ଗଠନ ସକାଶେ ଯେଉଁପରି ଶିକ୍ଷା ଆବଶ୍ୟକ, ଶେଫାଳିକା ପୁତ୍ରକୁ ସେହିପରି ଶିକ୍ଷା ଦିଅନ୍ତି । ସୁଜନୀମାନେ ଏହିପରି ସତ୍‌ଶିକ୍ଷା ଓ ସଦୂପଦେଶଦ୍ୱାରା ସନ୍ତାର ନିର୍ଦ୍ଦୋଷ, ନିଷ୍କଳଙ୍କ, ଉଜ୍ଜ୍ୱଳ, ପବିତ୍ର ଜୀବନ ଗଠନ କରନ୍ତି ।

 

ଦେଖୁଁ ଦେଖୁଁ ପିଲାଟି ନବମ ବର୍ଷରେ ପଦାର୍ପଣ କଲା । ସେହି ବର୍ଷ ତାହାର ଉପନୟନ କ୍ରିୟା ସମାହିତ ହେଲା । ଦିନେ ଶେଫଳିକା ସ୍ୱାମୀଙ୍କୁ କହିଲେ, ‘‘ପୁଅର ଅଙ୍କ ପାଠ କିଛି ହେଲା ନାହିଁ । ସେ ବିଦ୍ୟାରେ ତ ତୁମେ ମୁଁ ଦୁହେଁ ଶୁଭଙ୍କରଙ୍କର ପଣଗୋସବାପ ପଣଗୋସ ମା, ପିଲାଟି କାହାଠାରୁ ଅବା ଶଖିବ ? ଏବେ ସେ ଟିକିଏ ବଡ଼ ହୋଇ ଆସିଲାଣି, ଏଣିକି ପାଠଶାଳାକୁ ଯାଉ । କାଲି ତୁମେ ତାକୁ ନେଇ ପାଠ ଶାଳାରେ ଛାଡ଼ି ଆସ । ଅବଧାନକୁ କହିଆସିବ, ସେ ତାକୁ ମାରିବ ନାହିଁ, ତାକୁ ଦରମା ଅଧିକା ଚାରିଅଣା ଦିଆଯିବ । ଏ ପ୍ରସ୍ତାବ ନନ୍ଦଙ୍କର ମନୋନୀତ ହେଲା-। ସେ ତହିଁଆରଦିନ ପୁଅକୁ ଘେନି ପାଠଶାଳାକୁ ଗଲେ । ରେଜେଷ୍ଟେରୀ ବହି ପୂରଣ କରିବା ସକାଶେ ଅବଧାନ ପିଲାର ନାମ ପଚାରିଲା । ନନ୍ଦେ କିଛି ନ କହୁଣୁ ଗୋଟିଏ ଚାଟପିଲା ହଠାତ୍‌ କହି ପକାଇଲା– ‘‘ଅବାଧାନେ, ତାହା ନା ଶନିସପ୍ତା, ସମସ୍ତେ ତାକୁ ଶନି ବୋଲି ଡାକନ୍ତି ।’’ ଶନିସପ୍ତା ନାମ ଶୁଣି ଅବଧାନ ମୁଖରେ ଟିକିଏ ଚୋରା ହାସ୍ୟ ଫୁଟିଉଠିଲା । ନନ୍ଦେ ତାହା ଦେଖି ପ୍ରତ୍ୟୁତ୍ପନ୍ନମତି ବଳରେ କହିଲେ– ‘‘ନା ଅବଧାନେ ତାହା ନୁହେଁ, ତାହାର ନାମ ସନାତନ, ଗାଉଁଲି କଥାରେ ସନିଆ ବୋଲି ଡକନ୍ତି; ମାତ୍ର ସ୍ନେହରେ ଶନି ବୋଲି ଡାକନ୍ତି ।’’ ଅବଧାନେ ରେଜେଷ୍ଟରୀ ବହିରେ ସନାତନ ବୋଲି ଲେଖିଲା । ସେହିଦିନୁଁ ଶନିସପ୍ତା ସନାତନରେ ପରିଣତ ହେଲା । ପାଠକ ଅବଧାନ, ଏଣିକି ଆମ୍ଭେମାନେ ମଧ୍ୟ ତାହାକୁ ଶନିସପ୍ତା ପରିବର୍ତ୍ତରେ ସନାତନ ନାମରେ ଅଭିହିତ କରିବୁଁ । ଆଶାକରୁ, ଏ ସାମାନ୍ୟ ପରିବର୍ତ୍ତନକୁ କେହି ଅସହ୍ୟ ମଣିବେ ନାହିଁ ।

 

ସନାତନ ପାଠଶାଳାରେ ଭର୍ତ୍ତି ହେଲା ଦିନଠାରୁ ଅବଧାନର ଏକାଦଶ ବୃହସ୍ପତି ଯୋଗ-। କେବେ ଭାତ ଖାଇବା ସକାଶେ, କେବେ ବା ଜଳଖିଆ ଖାଇବା ନିମନ୍ତେ, ଅନେକ ସମୟରେ ନନ୍ଦଙ୍କ ଘରୁ ନିମନ୍ତ୍ରଣ ଆସେ । ଅବଧାନ ଭୁରିଭୋଜନରେ ସନ୍ତୁଷ୍ଟ ହୋଇ ସନାତନର ପ୍ରଶଂସାରେ ସହସ୍ରଜିହ୍ୱ ହୁଏ । ବେଳେବେଳେ ଶେଫାଳିକା ତାକୁ ଡକାଇ ନେଇ ଷୋଡ଼ଶୋପଚାରରେ ପୂଜା କରି ପାନ ଖାଇବା ସକାଶେ ଗୋପନରେ ଶୁକ୍ଳବର୍ଣ୍ଣ ବିଶିଷ୍ଟ କି ପଦାର୍ଥ ଦକ୍ଷିଣା ଦିଅନ୍ତି । ବନ୍ଧ୍ୟା ହୃଦୟ ଏତିକିରେ ତୃପ୍ତ ନୁହେଁ । ଦିନେ ଶେଫାଳିକା ଅବଧାନ ହାତରେ ମୂର୍ତ୍ତିଏ ମହାପ୍ରସାଦ ଗୁଞ୍ଜିଦେଇ କହିଲେ– ‘‘ବାପ, ତୁ ମୋର ଧର୍ମର ପୁଅ, ମୋ ବାୟା ତୋର ସାନ ଭାଇ, ତା ଦେହରେ ଆଙ୍ଗୁଳି ଟିପ ଛୁଇଁବୁ ନାହିଁ– ମୋ ରାଣତି, ମୋ ମୁଣ୍ଡ ଖାଇବୁ ।’’ ସେଦିନ ଅବଧାନକୁ ଗୋଟାଏ ମାଣିଆବନ୍ଦୀ ଯଥା ମିଳିଲା । ଏତେ କରି ସୁଦ୍ଧା ମାତୃପ୍ରାଣ ସନ୍ତୁଷ୍ଟ ନୁହେଁ । ପିଲାଟି ପାଠଶାଳାରେ ଥିବାଯାଏ ଶେଫାଳିକାଙ୍କ ମନ ଛନ ଛନ ହେଉଥାଏ । କାଳେ ପାଠ ନ ଆସିଲା ବୋଲି ଅବଧାନ ତାକୁ ମାରୁଥିବ, ସେ ବିକଳ ହୋଇ କାନ୍ଦୁଥିବ, କାଳେ କେହି ଦୁଷ୍ଟ ପିଲା ତାହା ସାଙ୍ଗରେ କଳି କରି ଓଲଟି ଅବଧାନ ପାଖରେ ସତ ମିଛ କହି ତାକୁ ମାଡ଼ ଖୁଆଉଥିବ, କାଳେ ସେ ଭୋକରେ ଆଉଟି ହୋଇ ଡରେ ଅବଧାନକୁ କହୁ ନ ଥିବ, ଏହିପରି ନାନାଚିନ୍ତାରେ ସେ ଭାରାକ୍ରାନ୍ତ ହୁଅନ୍ତି । ହାୟ ସ୍ନେହ, ତୋର ବଡ଼ କଠୋର ଯନ୍ତ୍ରଣା, ତୁ ମାତୃହୃଦୟରେ ସକୁଟୁମ୍ୱରେ ବାସକରୁ । ଦିନେ ଦିନେ ଶେଫାଳିକା ପିତେଇକୁ ପଠାଇ ଦିଅନ୍ତି । ସନାତନ ହସି ଖୁସି ହୋଇ ପଢ଼ୁଛି କି ମୁହଁ ଶୁଖାଇ ବସିଛି, ସେ ଯାଇ ଦେଖି ଆସେ । ସବୁବେଳେ ପିତେଇ କଥା ମଧ୍ୟ ବିଶ୍ୱାସ କରନ୍ତି ନାହିଁ ନିଜେ ଯାଇ ଉହାଡ଼ରେ ଥାଇ ଦେଖି ଆସନ୍ତି । ବିଧାତା ମାତୃହୃଦୟକୁ ଛିନ୍ନଭିନ୍ନ କରିବାପାଇଁ ସେ ହୃଦୟରେ ସ୍ନେହ ଦେଇଥାଏ । ସେ ସ୍ନେହ ଆଉ କିଛି ଦେଖେ ନାହିଁ, ଶୟନରେ ସ୍ୱପନରେ ବା ଜାଗ୍ରତରେ ଖାଲି ଆଶଙ୍କା ଦେଖେ । ମାତା ସନ୍ତାନର ଯେତିକି ମଙ୍ଗଳ ବାଞ୍ଛା କରେ, ତାହାର ଜୀବନ ତେତିକି ଆଶଙ୍କାମୟ ମଣେ । ସ୍ନେହ ଆଗେ ଅମଙ୍ଗଳକୁ ଡାକି ପଛେ ମଙ୍ଗଳକୁ ଡାକେ । ସେ ଏହିପରି ଅନ୍ଧ ଏହିପରି ନିରାଟ, ଅବିବେକ ।

 

ସନାତନ ପାଠଶାଳାରେ ପଢ଼ିବାକୁ ଲାଗିଲା । ପିଲାଟି ଯେପିରି ଶାନ୍ତ ସୁଶୀଳ, ଅଧ୍ୟୟନରେ ସେହିପରି ମନୋଯୋଗୀ । ସେ କେବେ ଅନୁପସ୍ଥିତ ହୁଏ ନାହିଁ କିମ୍ୱା ବୃଥା ପୀଡ଼ାର ଛଳନା କରି ପାଠ କମେଇ କରେ ନାହିଁ । ଦୁଷ୍ଟ ପିଲାମାନଙ୍କ ସଙ୍ଗରେ ମିଶିବା ତାହାର ସ୍ୱଭାବବିରୁଦ୍ଧ । ସେ କାହାରି ସଙ୍ଗରେ କଳହ କରେ ନାହିଁ, କି କାହାରିକୁ କୁବାକ୍ୟ କହେ ନାହିଁ । ସରଳ ମଧୁର, ସାଧୁ ବ୍ୟବହାରଦ୍ୱାରା ସେ ଅଳ୍ପ ସମୟ ମଧ୍ୟରେ ସହପାଠୀମାନଙ୍କର ପ୍ରିୟପାତ୍ର ହୋଇ ଉଠିଲା । ଅବଧାନେ ମଧ୍ୟ ତାହାକୁ ଖୁବ୍‌ ଭଲପାଏ । ଯାହା ଲାଗି ପଣେ ଉପାର୍ଜନ ହୁଏ, କିଏ ବା ତାହାକୁ ଭଲ ନ ପାଏ ? ସନାତନ ସମସ୍ତଙ୍କ ଆଗରୁ ପାଠଶାଳାକୁ ଯାଇ ପ୍ରତ୍ୟୟ ଶୂନ୍ୟ ହୁଏ । ସେ ଏରୂପ ଶ୍ରୁତିଧର ଯେ, ଅନ୍ୟ ପିଲାଙ୍କ ପରି ତାକୁ କୌଣସି ବିଷୟ ଅଧିକ ଥର କହିବାକୁ ହୁଏ ନାହିଁ, ଥରେ ଦୁଇଥର କହିଦେଲେ ଶିଖିପକାଏ । ଅଳ୍ପଦିନ ମଧ୍ୟରେ ସେ ପଣକିଆ ଶେଷ କରି ଶୋଧି ପଢ଼ିଲାଣି । ସନ୍ଧ୍ୟାବେଳେ ପିତାଙ୍କ ପାଖରେ ବସି ସନ୍ଧ୍ୟା ଗାୟତ୍ରୀ ଅଭ୍ୟାସ କରେ । ତହିଁପରେ ବଡ଼ମାଙ୍କ ପାଖରେ ଶୋଇ ଗଳ୍ପ ଶୁଣେ । ପାଠଶାଳାର ଦୈନନ୍ଦିନ ଘଟନା ବଡ଼ମାଙ୍କ ପାଖରେ ବର୍ଣ୍ଣନା କରେ । କେବେ କହେ, ‘‘ଶଙ୍କରା ଆଜି ଢେର ମାଡ଼ ଖାଇଛି, ପାଠ ଆସିଲା ନାହିଁ ବୋଲି ଅବଧାନେ ତାକୁ ପିଟି ଶୋଇ ଦେଇଗଲେ ।’’ କେବେ କହେ– ‘‘ବଡ଼ମା, ନବୀନା ଆଜି ଗଛରେ ଚଢ଼ି ଲୁଚିଥିଲା, ଚାରିଟା ପିଲା ଯାଇ ତାକୁ ଧରି ଆଣିଲେ । ସେ ଆଜି ସକାଳ ଓଳିଟା ଯାକ ମଢ଼ୁଆଶାଙ୍କୋଳୀରେ ବନ୍ଧା ହୋଇ ଧାନକୁଟା, ହେଟାଗୁଡ଼ି ପଡ଼ିଥିଲା । ଢିଙ୍କିଆ ହେଟାଗୁଡ଼ିଟା ଭାରି କଷ୍ଟ । ତନ୍ତୀ ଘର ଦୀନୁ କାଲି ଢିଙ୍କିଆ ହେଟାଗୁଡ଼ି ପଡ଼ି ଗୋଟାଯାକ ଖାଲି ବରଡ଼ା ପତ୍ରପରି ଥରିଲା । ଯେ ଲୁଚେ ସେ ଢେର ମାଡ଼ ଖାଏ, ମୁଁ କେଭେ ଲୁଚିବି ନାହିଁ ବଡ଼ମା ।’’ ଶେଫାଳିକା ସ୍ନେହରେ, ଆଦରରେ ପୁଅକୁ କୋଳକୁ ଟାଣିନେଇ ମୁଖ ଚୁମ୍ୱନ କରି କହନ୍ତି, –‘‘ନା, ବାପ, ତୁ ମୋର ସୁନାପୁଅ, କାହିଁକି ଲୁଚିବୁ ? ତୁ କଅଣ ପାଠଚୋର କି । ଯେ ପାଠଚୋର ସେ ସିନା ଗଛରେ ଚଢ଼ିଲୁଚେ, ହାଣ୍ଡିଶାଳରେ ଭାତହାଣ୍ଡି ଧରି ଲୁଚେ, ଆଉ ମାଡ଼ ଖାଏ ।’’ ବାଳକମାନେ ବଡ଼ ସ୍ନେହକାଙ୍ଗାଳୀ, ସେମାନେ ଯେତେ ସ୍ନେହ ପାଆନ୍ତି, ତେତେ ଅଧିକ ଖୋଜନ୍ତି । ସନାତନ ମାତୃପ୍ରଶଂସାରେ ସ୍ଫୀତ ହୋଇ ଅଧିକ ସ୍ନେହ ଆକର୍ଷଣ ଆଶାରେ କହେ, ‘‘ବଡ଼ମା, ମୋତେ ଆଜି ନୂଆପାଠ ଆସିଲା । ଆମେ ଚାରିଜଣ ଏକା ସାଙ୍ଗରେ ନୂଆପାଠ ଲେଖୁଥିଲୁଁ, ଆଉ କାହାରିକି ଆସିନାହିଁ, ମୋତେ ଆଗେ ଆସିଲା । ଅବଧାନେ କହିଛନ୍ତି– ‘‘କାଲି ପୂଜାନେଇଗଲେ, ଆଉ ଗୋଟେ ନୂଆପାଠ ଲେଖିଦେବେ । ନରିଆ କାଲି ପୂଜାଥାଳୀ ଘେନି ଆସୁ ଆସୁ ବାଟରେ ଅଧେ ଅହ୍ମଣିଆ ଲୁଚେଇ ଖାଇଦେଇଥିଲା । ସେଟା ଭାରି ଟାଉକା । ସେ ଠାକୁର ଅହ୍ମଣିଆ ଅଇଣ୍ଠା କରେ, ତାହାର କଅଣ ପାଠ ହୁଏ ନା ବଡ଼ମା ? ଆଉ ଗୋଟେ କଥା ଶୁଣିବୁ ନା, ଶୁଣିଲେ ତୁ ହସି ହସି ‘‘ନାକରା କାତରା’’ ହୋଇଯିବୁ । ପାଧିଆଘର ଭୋଳାକୁ ମୂଳରୁ କଥା କହି ଆସେ ନାହିଁ, କଠିଣ ଶବ୍ଦ ଉଚାରଣ କରିବାକୁ ତାହା ତୁଣ୍ଡ ଲେଉଟେ ନାହିଁ । ସେ ସାନ୍ତ୍ୱନାକୁ କହେ ସନ୍ତାନ, ଇଂରାଜିକୁ କହେ ଇଞ୍ଜିମିଞ୍ଜି, ଇନ୍‌ସପେକ୍‌ଟରକୁ କହେ ଇନିଶପେକ୍‌ଟର, ନିଷ୍କ୍ରାଣକୁ କହେ ନିଶୁଆପାଣ, ଅଭ୍ରଂକଷକୁ କହେ ଅଭିରକଷ । ଅବଧାନେ ତାକୁ ଭାରି ପିଟନ୍ତି ।’’ ଶେଫାଳିକା ଯଦି ପଚାରନ୍ତି– ‘‘ଅବଧାନ ତୋତେ ମାରେ ନା ?’’ ତେବେ ସନାତନ ସତେଜ କଣ୍ଠରେ କହେ, ‘‘କି ମୋତେ କାହିଁକି ? ମୁଁ କଅଣ ଲୁଚେ, ନା ମୋତେ ପାଠ ଆସେ ନାହିଁ ।’’ ମାତାପୁତ୍ର ମଧ୍ୟରେ ପାଠଶାଳା ସମ୍ୱନ୍ଧରେ ଏହିପରି ନାନାକଥା ହୁଏ । ତାହା ସବୁ ବିସ୍ତୃତଭାବରେ ଲେଖି ପୋଥି ବଢ଼ାଇବା ନିଷ୍ପ୍ରୟୋନ ।

 

ଶ୍ରୀପଞ୍ଚମୀ ସମୟରେ ପିଲାମାନେ ବନ୍ଧbବାନ୍ଧବମାନଙ୍କ ଘରେ ବୁଲି ବୁଲି ଗୀତ ଗାଇ ଚାଟ ଭିକ୍ଷା କରନ୍ତି । ସେ ସମୟଟା ଅବଧାନମାନଙ୍କର ଲାଟବନ୍ଦୀସ୍ୱରୂପ । ଶ୍ରୀପଞ୍ଚମୀ ପରଦିନ ପ୍ରତ୍ୟୁଷରେ ଅବଧାନେ ନଡ଼ିଆ, ଖଡ଼ୀ, ଗୁଆ, ବେତ ଏବଂ ଫୁଲ ଏହି ଦ୍ରବ୍ୟ ନେଇ ନଦୀ ବା ପୁଷ୍କରିଣୀର ଜଳ ମଧ୍ୟରେ ପୋତି ଦେଇ ଆସନ୍ତି । ପରେ ପିଲାମାନଙ୍କୁ ସେହି ସ୍ଥାନ ଦେଖାଇ ଦେଇ ଖୋଜିବାକୁ କହନ୍ତି । ତହୁଁ ପିଲାମାନେ ପାଣିରେ ପଶି କାଦୁଅ ବାଲି ଚିପି ଅଣ୍ଡାଳନ୍ତି । ଯେଉଁମାନେ ବଡ଼ ଲୋକ କିମ୍ବା ଯେଉଁମାନଙ୍କ ପାଖରୁ ଅବଧାନଙ୍କର ଲୁଗା ବା ରୌପ୍ୟଚକି ପାଇବାର ଭରସା ଥାଏ, ସେମାନଙ୍କର ପୁତ୍ରମାନେ ଭାଗ୍ୟଦେବୀଙ୍କ ଏକ ଚାଟିଆ ନିୟମରେ ଏବଂ ଅବଧାନଙ୍କ ସାହାଯ୍ୟରେ ଉପରୋକ୍ତ ପଦାର୍ଥମାନ ପ୍ରାପ୍ତ ହୁଅନ୍ତି । ଅନ୍ୟ ପିଲାମାନଙ୍କର ତାହା ପାଇବା ଆଇନ ବିରୁଦ୍ଧ । ଯେହେତୁ ସେମାନଙ୍କର ଅଭିଭାବକମାନେ ଦରିଦ୍ର; ନଚେତ୍‌ କୃପଣ । ଏହି ଉଭୟ ଅପରାଧରେ ଭାଗ୍ୟଦେବୀ ସେମାନଙ୍କୁ ଛାଡ଼ପତ୍ର ଦିଅନ୍ତି । ଉକ୍ତ ପଞ୍ଚପଦାର୍ଥ ଲାଭରୁ ଭବିଷ୍ୟତରେ ଅଗାଧ ବିଦ୍ୟାର୍ଜନର ସୂଚନା ମିଳେ । ସେହି ଶୁଭସୂଚକ ପଦାର୍ଥ ପରି ବାଳକମାନେ ଗ୍ରାମ ଗ୍ରାମ ବୁଲି ଭିକ୍ଷା କରନ୍ତି । ଦିନେ ପିଲାମାନେ ଭିକ୍ଷା କରିବାକୁ ବାହାରିଲେ । ସନାତନ ମଧ୍ୟ ସେମାନଙ୍କର ସହଗାମୀ ହେଲା । ସେମାନେ ଦିନସାରା ଭିକ୍ଷା କରି ସନ୍ଧ୍ୟାରେ ଫେରିବେ । ସେଦିନ ଶେଫାଳିକାଙ୍କର କୌଣସି କାର୍ଯ୍ୟରେ ମନ ଲାଗିଲା ନାହିଁ । ସେ ନବଧୃତ ପକ୍ଷୀ ପରି ଛଟପଟ ହେବାକୁ ଲାଗିଲେ । ଦେକୁଁ ଦେଖୁଁ ଦୁଇପ୍ରହର ଗଡ଼ିଗଲା । ସୌଦାମିନୀ ଭାତ ବାଢ଼ି ‘‘ନାନୀ, ଖାଇବ ଆସ’’ ବୋଲି ବାରମ୍ୱାର ଡାକିବାରୁ ଶେଫାଳିକା ଯାଇ ଭାତ ପାଖରେ ବସିଲେ; ମାତ୍ର ଭାତଗୁଣ୍ଡା ପାଟି ଭିତରକୁ ନେଇପାରିଲେ ନାହିଁ– କିଏ ଯେପରି କଣ୍ଠ ଭିତରକୁ ଠେଲି ବାହାର କରିଦେଲା । ସେ ଭାତବେଲାରେ ହାତ ରଖି ଉଦାସ ଦୃଷ୍ଟିରେ ବସିରହିଲେ । ଏଥିମଧ୍ୟରେ ସୌଦାମିନୀ କେତେଥର ଆସି ‘‘ନାନୀ, ଖାଉ ନାହଁ କାହିଁକି’’ ବୋଲି କହି ଗଲାଣି, ମାତ୍ର ଶେଫାଳିକାଙ୍କର ସେ କଥାକୁ ଲକ୍ଷ୍ୟ ନାହିଁ । ସେ ନୀରବ, ନିଷ୍ପନ୍ଦ ହୋଇ ବସିଅଛନ୍ତି, ଯେପରିକି ଏକ ଦୂରୁହ ଚିନ୍ତାରେ ତାଙ୍କ ମନ ସଂଯୁକ୍ତ ଅଛି, ତାହାକୁ ଛାଡ଼ି ଫେରି ଆସିପାରୁ ନାହିଁ । ଏହି ସମୟରେ ପିତେଇ ଆସି କହିଲା– ‘‘କି ମା ଠାକୁରାଣୀ, ଖାଉ ନାହଁ, ବସିଛ କାହିଁକି ?’’ ସୁପ୍ତ ବ୍ୟକ୍ତି ଅନ୍ୟର କରସ୍ପର୍ଶରେ ଚମକି ପଡ଼ିଲା ପରି ଶେଫାଳିକା ପିତେଇ କଥାରେ ଚମକି ପଡ଼ି ଧୀର ଗମ୍ଭୀର ସ୍ୱରରେ କହିଲେ– ‘‘କଅଣ ଖାଇବି ଲୋ, ମୋ ବାୟା କଅଣ କରୁଥିବ, ସେ ଖାଇଥିବ କି ନାହିଁ କେଜାଣି । ମୋ ପେଟଟା ଖାଲି ମହଣ୍ଡେଇ ହେଉଛି ।’’ ପିତେଇ କର୍‌ କର୍‌ ହୋଇ ହସିଉଠି କହିଲା– ‘‘ଏକା ତୁମର ପୁଅ ଅଛି, ନା ଆଉ କାହାର ଦୁନିଆରେ ଅଛି । ଅବଧାନ ସାଙ୍ଗରେ ଅଛି, ସେ ପୋଡ଼ାମୁହାଁ କଅଣ ଦୁଇ ତିନି ପଇସାର ଜଳପାନ କିଣି ପିଲାଙ୍କୁ ଖୁଆଇବ ନାହିଁ ? ତାଙ୍କ ଲାଗି ମୁଠାମୁଠା ଅର୍ଜିବ, ପୁଣି ତାଙ୍କୁ ଅଖିଆ ରଖି ଉପାସେ ମାରିବ ? ଆଚ୍ଛା, ଆସୁନି ଭଲା, ଯେବେ ପିଲାଙ୍କୁ ନ ଖୁଆଇଥିବ, ତେବେ ଆଜି ତାର ଅଷ୍ଟମଚନ୍ଦ୍ର । ତା ମହତ ଦିକଡ଼ାର କରିଦେବି ନାହିଁ ?’’ ପିତେଇ ଆଉ କଅଣ କହିବାକୁ ଯାଉଥିଲା; ମାତ୍ର ତା କହିବା ପୂର୍ବରୁ ସୌଦାମିନୀ କହିଲା– ‘‘ହଁ ଲୋ ପିତେଇ, ଗୁହାଳେ ପିଲା ଯାଇଚନ୍ତି, ଦି ପଇସାର ଜଳଖିଆ ଢେର ହେବ । ନ ଖାଇଲେ ଆହୁରି ବଳିପଡ଼ିବ, ଏତେ କଅଣ ହେବ କି ? ତୁ ଯେପରି ତେନ୍ତୁଳିପତ୍ରରେ ଭାତ ଖାଉ-।’’ ମାତ୍ର ପିତେଇ ଏ ଶ୍ଳେଷୋକ୍ତିରେ ଅପ୍ରତିଭ ହେବାର ପାତ୍ର ନୁହେଁ । ସେ ହସ୍ତମୁଖ ସଞ୍ଚାଳନ ପୂର୍ବକ ଅପୂର୍ବ ନୃତ୍ୟଭଙ୍ଗୀରେ କହିଲା, ‘‘ନା ଗୋ ନା, ତେନ୍ତୁଳି ପତ୍ରରେ କାହିଁକି ଖାଇବି, ମୁଁ ପଟଲାଡଙ୍ଗାରେ ଭାତ ଖାଏଁ । ଦି ପଇସାର ନ ହେଉ, ଦିଅଣାର କିଣି ଖୁଆଇଲେ କି ତାର ବାପର ମାଲ ସରିଯିବ ? ଯାଉ, ସେ କଥା କାହିଁକି, ତୁମକୁ ଜୁହାର ହେଉଛି ମା ଠାକୁରାଣୀ, ମୋରାଣ ତି, ତମ ବାପା ମା ରାଣ ତି, ତମେ ଖାଅ, କିଛି ଭାବନା କର ନାହିଁ । ଆଉ ଦିଘଡ଼ି ଗଲେ ଅବଧାନ ପିଲାଙ୍କୁ ଘେନି ଆସି ପହଞ୍ଚିବ ।’’ ସୌଦାମିନୀ ମଧ୍ୟ ଖାଇବା ପାଇଁ ନାନୀଙ୍କୁ ବାରମ୍ୱାର ସକଳର ପ୍ରାର୍ଥନା କଲେ । ଶେଫାଳିକା ତାହା ଏଡ଼ି ନ ପାରି ଯତ୍‌କିଞ୍ଚିତ୍‌ ଆହାର କରି ଉଠିଗଲେ । ପୁଅକୁ ଦଣ୍ଡେ ନ ଦେଖିଲେ ସେ ଏହିପରି ଆତ୍ମବିସ୍ମୃତ ହୋଇ ଚାରିଦିଗ ଅନ୍ଧକାର ଦେଖନ୍ତି । ବନ୍ଧ୍ୟାର ଚିର ନୀରସ ପ୍ରାଣରେ ସ୍ନେହ, ମାୟା, ମମତାର ଅମୃତଧାରା କିଏ ପ୍ରବାହିତ କଲା ? ମରୁଭୂମିରେ ଅପତ୍ୟସ୍ନେହର ବାସନ୍ତୀ ସୁଷମା କିଏ ଫୁଟାଇଲା ? ବନ୍ଧ୍ୟା ଜୀବନ ରୂପ ବଦ୍ଧ ଜଳାଶୟରେ କିଏ ସ୍ରୋତସଞ୍ଚାର କଲା ? ଏ ଲୀଳା କାହାର ? ଏ ଲୀଳା ଏଇ ଇନ୍ଦ୍ରଜାଲ ମୋହ ଲୀଳାମୟୀ ନିୟତିର-। ନିୟତି ଅସାଧ୍ୟ ସାଧନ କରେ, ଅସମ୍ଭବ ସମ୍ଭବ କରେ । ତାହାର କ୍ଷମତା ଅଶେଷ, ମହିମା ଅଶେଷ । ତାହାର ଅଜ୍ଞେୟ ଅନନ୍ତ ରହସ୍ୟ ଭେଦକରିବା ମାନବ ଶକ୍ତି ନିୟତିର ମହାଶକ୍ତି ନିକଟରେ ନତଶିର ।

 

ନଦୀସ୍ରୋତ ଏବଂ କାଳସ୍ରୋତ ମଧ୍ୟରେ ଯଥେଷ୍ଟ ପ୍ରଭେଦ ପରିଲିକ୍ଷିତ ହୁଏ । ନଦୀସ୍ରୋତ ଗତିର ହ୍ରାସ ବୃଦ୍ଧି ଅଛି ଏବଂ ସମୟ ବିଶେଷରେ ନଦୀସ୍ରୋତ ମରିଯାଏ; ମାତ୍ର କାଳସ୍ରୋତର ଗତି ସମାନ ଏବଂ ସେ ସ୍ରୋତ ମରେ ନାହିଁ । ବର୍ଷା ଋତୁରେ ନଦୀସ୍ରୋତର ବେଗ ଯେପରି ପ୍ରବଳ ଥାଏ, ଅନ୍ୟ ସମୟରେ ସେପରି ଥାଏ ନାହିଁ । ଅଧିକନ୍ତୁ ଗ୍ରୀଷ୍ ଋତୁରେ ସ୍ରୋତ ଏକାବେଳକେ ଶୁଖିଯାଏ । ସମୟ ସ୍ରୋତେ କେବେ ଧୀର ବା କେବେ ପ୍ରଖର ହୁଏ ନାହିଁ । ତାହାର ଗତି ଶୃଙ୍ଖଳିତ ଏବଂ ସମପରିମିତ । ବାୟୁସ୍ରୋତ ସଙ୍ଗରେ ମଧ୍ୟ କାଳ ବହେ, କେବେ ବା ପ୍ରବଳରୁ ପ୍ରବଳତର ବେଗରେ ପ୍ରବାହିତ ହୁଏ । ବାୟୁସ୍ରୋତ ସର୍ବତୋମୁଖୀ ଏବଂ କାଳସ୍ରୋତ ଏକଦିଗମୁଖୀ-। ସୃଷ୍ଟିର ଧ୍ୱଂସ ସଙ୍ଗେ ସଙ୍ଗେ ବାୟୁ ପ୍ରବାହ ମରିଯାଏ; ମାତ୍ର କାଳପ୍ରବାହର ଧ୍ୱଂସ ନାହିଁ କି ସୃଷ୍ଟି ନହିଁ– ଅଛି କେବଳ ସ୍ଥିତି । ଯାହାର ଉତ୍ପତ୍ତି ନାହିଁ, ତାହାର ଧ୍ୱଂସ କାହୁଁ ଆସିବ ? ପ୍ରଳୟରେ ସବୁ ଧ୍ୱଂସ ପ୍ରାପ୍ତ ହୁଏ, ଥାଏ କେବଳ ଅନାଦି–ଅନନ୍ତ ମୃତ୍ୟୁଞ୍ଜୟ ମହାକାଳ ସେହି କାଳଗର୍ଭରୁ ପୁଣି ନବସୃଷ୍ଟିର ଉଦ୍ଭବ ହୁଏ । ପୃଥିବୀ, ବାୟୁ, ଅଗ୍ନି ପ୍ରଭୃତି ଏହି ମହାକାଳ ଗର୍ଭସମ୍ଭୁତ-। କାଳର ସ୍ୱଭାବ ରୁକ୍ଷ; ମାତ୍ର ସେହି ରୁକ୍ଷତା ମଧ୍ୟରେ ଋଷି ଜନୋଚିତ କୋମଳତା ସ୍ନେହ, ପ୍ରୀତି, ଦୟା, ଦକ୍ଷିଣ୍ୟାଦି ବିଦ୍ୟମାନ । ଧ୍ୱଂସ କେବଳ କାଳର ଲକ୍ଷ୍ୟ ନୁହେଁ, ସେହି ଧ୍ୱଂସ ସାହାଯ୍ୟରେ ସେ ନବସୃଷ୍ଟି ଆନୟନ କରେ । କାଳ ସବୁଠାରୁ ପୁରାତନ ଏବଂ ସମସ୍ତଙ୍କର ଜନ୍ମଦାତା । ନଦୀସ୍ରୋତ ବାଧା ପ୍ରାପ୍ତ ହେଲେ ସ୍ଥଗିତ ହୁଏ, ବାୟୁସ୍ରୋତର ନିମ୍ନସ୍ତର ମଧ୍ୟ ପର୍ବତ, ବୃକ୍ଷ ଏବଂ ଗୁହାଦିଦ୍ୱାରା ବାଧା ପ୍ରାପ୍ତ ହୁଏ । ସେଥିରେ କାହାର ସମ୍ପୂର୍ଣ୍ଣ ଗତିରୋଧ ନ ହେଲେ ମଧ୍ୟ ସେ ବାଧା ପ୍ରାପ୍ତିରୁ ଅବ୍ୟାହତି ପାଏ ନାହିଁ; ମାତ୍ର କାଳସ୍ରୋତର ବାଧା ନାହିଁ । ସର୍ବପ୍ରକାର ବାଧା ତାହାକୁ ବାଟ ଛାଡ଼ିଦେଇ ଅଲଗା ହୋଇଯାଏ । କାଳ ଅନାଦି ଅନନ୍ତ, ଏହା ପୂର୍ବରୁ ଉକ୍ତ ହୋଇଅଛି । ବନ, ସପ୍ତାହ, ପକ୍ଷ ପ୍ରଭୃତି ସେହି କାଳର ବୁଦ୍‌ବୁଦ, ଆଉ ବର୍ଷ ପର୍ଯ୍ୟାୟ ସେହି ଗତିଶୀଳ କାଳର ଗୋଟାଏ ଗୋଟାଏ ପଦକ୍ଷେପ କିମ୍ୱା ଗୋଟାଏ ଗୋଟାଏ ନିଃଶ୍ୱାସଯାତ । ଏହି ଅନାଦି ଅନନ୍ତ ଅବ୍ୟାହତଗତି, ଅଜର, ଅମର, ସର୍ବସ୍ରଷ୍ଟା, ପାତା, ନିୟନ୍ତା ମହାକାଳ କିଏ ? ଏହି କାଳହିଁ ମହାପ୍ରକୃତିର ଜନକ, ଶୂନ୍ୟମୟ, ପରମବ୍ରହ୍ମ । ଥାଉ ସେ ତତ୍ତ୍ୱଚିନ୍ତା, ଅଦାବେପାରୀକି ଜାହାଜର ଖବର କି ଲୋଡ଼ା । କ୍ଷୁଦ୍ରାଦପି ଅତିକ୍ଷୁଦ୍ର ପକ୍ଷ ଦୁଇଖଣ୍ଡ ସାହାଯ୍ୟରେ ମଶାର ହିମାଳୟଚୂଡ଼ା ସ୍ପର୍ଶ ଆଶା କେବଳ ଦୂରାଶାମାତ୍ର । ହିମାଳୟର ଦୀର୍ଘ ପଥ ମଧ୍ୟରେ କେତେ କ୍ଷୁଧିତ ଜୀବ ସେ ମଶାର ଜୀବନ ଶୋଷିନେବା ପାଇଁ ଅଧୀର ଅପେକ୍ଷାରେ ଟାକି ରହିଅଛନ୍ତି । ପୁଣି ଯାହା ଭାବିଲେ କିଛି ସ୍ଥଳକୂଳ ମିଳେ ନାହିଁ, ଚାରିଆଡ଼େ ଅନ୍ଧକାର ଦେଖାଯାଏ, ସେ ଭାବନାରେ ଅନଧିକାରୀର ଫଳ ବା କଅଣ ?

 

ବର୍ଷପରେ ବର୍ଷ ଅତିବାହିତ ହେବାକୁ ଲାଗିଲା । ବନ୍ଧ୍ୟାର ସମଗ୍ର ହୃଦୟ ମନ ଅଧିକାର କରି ଶ୍ରୀମାନ ସନାତନ ଅଗାଧ ମାତୃସ୍ନେହର ସ୍ନିଗ୍‌ଧ ଶୀତଳ ଛାୟା ମଧ୍ୟରେ କ୍ରମେ କ୍ରମେ ବଢ଼ିବାକୁ ଲାଗିଲା । ସାପ ବଢ଼ିଲେ ଚକ୍ର ବଢ଼େ, ଆବୃତି ବୃଦ୍ଧି ସଙ୍ଗେ ସଙ୍ଗେ ଜ୍ଞାନ ଏବଂ ବିଦ୍ୟାର ଅଭିବୃଦ୍ଧି ମଧ୍ୟ ଘଟିଲା । ସେ ପଣକିଆ, ଶୋଧି, ଉଡ଼ାଙ୍କ, ଫେଡ଼ାଙ୍କ, ଅଙ୍କଗୁଣା, ହରିଗୁଣ, ଫେଡ଼ିମିଶା, ନଳ, ଭିଆଣ, କୁଟା, କ୍ରୟବିକ୍ରୟ, ଅସଲହବୁ ଶେଷ କଲା । ଅସଲହବୁ (ସୁଧକଷା)ଠାରୁ ସାଧାରଣତଃ ଗଣିତ ଶିକ୍ଷା ଶେଷ ହୁଏ । କେହି ଅଧିକ ପଢ଼ିବାକୁ ଇଚ୍ଛାକଲେ ଲୀଳାବତୀ ସୂତ୍ର ଏବଂ ବିବିଧ ଚାତୁରୀପୂର୍ଣ୍ଣ ଶାଠ ପ୍ରଭୃତି ଅନୁଶୀଳନ କରେ । ସନାତନ ସକାଳଓଳି ପାଠଶାଳାରେ ଖଡ଼ିପାଠ ଲେଖେ, ଉପର ଓଳି ତାଳପତ୍ରରେ ହସ୍ତାକ୍ଷର ଲେଖେ । ହସ୍ତାକ୍ଷର ଲେଖିବାର ଧାରା ଏହିପରି–

 

C:\Users\USER-10\Desktop\Untitled-1.jpg

 

ଏହା ଗୋଟିଏ ସୁନ୍ଦର କୌଶଳ । ଏଥିରେ ହସ୍ତାକ୍ଷର ଲେଖା, ଅଙ୍କ କଷା ଦୁଇ କାର୍ଯ୍ୟ ହୁଏ । ସନାତନ ହସ୍ତାକ୍ଷର ଲେଖିସାରି ପୋଥି ଗାଏ । ସେ ରାସ, ଦଶମ, ଏକାଦଶ ଶେଷ କରି ହରିବଂଶ ଧରିଲାଣି । ତହିଁପରେ ‘‘ଚଉଛା’’ ଧରି ଛାନ୍ଦ ଗୀତ ଅଭ୍ୟାସ କରେ । ମୋଟା ମୋଟି କହିଲେ ପୂର୍ବାହ୍ନରେ ପାଠାଶାଳାରେ ଗଣିତଚର୍ଚ୍ଚା ଏବଂ ଅପରାହ୍ନରେ ସାହିତ୍ୟଚର୍ଚ୍ଚା ହୁଏ । ସାହିତ୍ୟପାଠ ମଧ୍ୟରେ ବୈଦେହୀଶବିଳାସ, ଲାବଣ୍ୟବତୀ, ରସିକହାରାବଳୀ, ପ୍ରେମସୁଧାନିଧି, କୋଟିବ୍ରହ୍ମାଣ୍ଡସୁନ୍ଦରୀ, ରସକଲ୍ଲୋଳ, ବିଦଗ୍‌ଧଚିନ୍ତାମଣି ପ୍ରଧାନ । ରାମାୟଣ, ମହାଭାରତ, ଭାଗବତ ପ୍ରଭୃତି ଧର୍ମଗ୍ରନ୍ଥ ମଧ୍ୟ ଅଧୀତ ହୁଏ । ଛାତ୍ରମାନେ କେବଳ ପ୍ରାଚୀନ କବିମାନଙ୍କର ଛାନ୍ଦଗୀତ କଣ୍ଠସ୍ଥ କରନ୍ତି ନାହିଁ, ସେଥିର ପ୍ରାଞ୍ଜଳ ଅର୍ଥ ମଧ୍ୟ କଣ୍ଠସ୍ଥ କରନ୍ତି । ଅଧିକାଂଶ ଦକ୍ଷିଣୀ ଅବଧାନ ପ୍ରାଚୀନ ସାହିତ୍ୟ ଛାନ୍ଦଗୀତର ସୁନ୍ଦର ଅର୍ଥ କରିପାରନ୍ତି । ହାୟ, ସେ ସୁରୀତି ଆଉ ନାହିଁ-। ପ୍ରାଚୀନ ସାହିତ୍ୟ ଚର୍ଚ୍ଚାର ବିଲୋପ ସଙ୍ଗେ ସଙ୍ଗେ ମାତୃସାହିତ୍ୟର ଅବନତି ଘଟିଲା । ଅନେକ ସାହିତ୍ୟ ମହାରଥୀ ପ୍ରାଚୀନ ସାହିତ୍ୟ ନାମ ଶୁଣିଲେ ନାସିକା ସଙ୍କୁଚିତ କରନ୍ତି, କେହି କେହି ଖାଲି ଘୃଣା କରି କ୍ଷାନ୍ତ ହୁଅନ୍ତି ନାହିଁ, କୈବର୍ତ୍ତ ସୁନ୍ଦରୀସୁଲଭ ସାଧୁଭାଷା ପ୍ରୟୋଗପୂର୍ବକ ସେଗୁଡ଼ାକ ନିହାତି ଦୋଷପୂର୍ଣ୍ଣ ଏବଂ ସର୍ବଥା ଅପାଠ୍ୟ ବୋଲି ଗର୍ବ ସ୍ଫୀତ କଣ୍ଠରେ ଘୋଷଣା କରିବାକୁ ଟିକିଏ ହେଲେ ଲଜ୍ଜାବୋଧ କରନ୍ତି ନାହିଁ । ବର୍ତ୍ତମାନ ସାହିତ୍ୟୋନ୍ନତିର ଧାରା ନାନା ମୁନିଙ୍କ ମତରେ, ନାନା ପ୍ରକାର । ଏଣିକି ‘ପାଖେଇ ପାଖେଇ ଚାଲ’ ବୋଲି କହିଲେ ଚଳିବ ନାହିଁ, ତାହାହେଲେ ବେଦ ଅଶୁଦ୍ଧ ହେବ । ‘‘ପାଖାଇ ପାଖାଇ’’ କହିବାକୁ ହେବ, ନଚେତ୍‌ ଭୁଲ ହେବ । ଏହିପରି ଚଷୁକୁଟା ଚର୍ଚ୍ଚାରେ ସାହିତ୍ୟୋନ୍ନତିର ସାତଫାଳିଆ ଶିଢ଼ି ପ୍ରସ୍ତୁତ ହେଉଅଛି । ଖାଲି ମୁରବିଆନା ଦେଖାଇ ଶ୍ଳେଷଗର୍ଭ କଥା କହିବାଟା ଏ ଯୁଗର ଗୋଟାଏ ଧାରା ହୋଇଅଛି । ସମସ୍ତେ ମୁରବି, ସମସ୍ତେ ବଡ଼; ଶିକ୍ଷାର୍ଥୀ କେହି ନାହିଁ, କି ସାନ କେହି ନାହିଁ । ପ୍ରାଚୀନ ସାହିତ୍ୟ ସେ ଓଡ଼ିଆ ଭାଷାର ପ୍ରାଣ, ପିଣ୍ଡ ଏବଂ ଆତ୍ମା, ଏହା ସେମାନେ ବୁଝି ସୁଦ୍ଧା ବୁଝନ୍ତି ନାହିଁ ।

 

ସନାତନ ବାଳକ ହେଲେ ମଧ୍ୟ ତାହାର ଶୌଚ, ଆଚାର ଏବଂ ନିଷ୍ଠା ସୁବ୍ରାହ୍ମଣୋଚିତ । ସେ ସନ୍ଧ୍ୟା ସମୟରେ ପାଠଶାଳାରୁ ଆସି ଗୋଡ଼ହାତ ଧୋଇ ଲୁଗା ପାଲଟି ଖଣ୍ଡିଏ କୁଶାସନରେ ବସି ଗାୟତ୍ରୀମନ୍ତ୍ର ଜପ କରେ । ତହିଁପରେ ସାମାନ୍ୟ କିଛି ଖାଇ ଅଳ୍ପ ବିଶ୍ରାମ କରେ । ବିଶ୍ରାମାନ୍ତେ ପୁରାଣ ପାଠରେ ନିଯୁକ୍ତ ହୁଏ । ତାହାର ପିତା ମାତା ଏବଂ ଗ୍ରାମର ଚିତ୍ରଗୁପ୍ତ ଓ୍ୟାରଣ୍ଟ ପ୍ରାପ୍ତ କେତେ ଜଣ ବୃଦ୍ଧ ପୁରାଣ ଶୁଣନ୍ତି । ବାଳକ ମୁଖରେ ହରିନାମ ବଡ଼ ମଧୁର, ତହିଁ ଉପରେ ତାହାର ମଧୁର କଣ୍ଠ; ଅତଃ ସ୍ରୋତା କର୍ଣ୍ଣରେ ମଧୁ ଉପରେ ମଧୁ ବୃଷ୍ଟି ହୋଇଯାଏ । ସନାତନ ଏଥିମଧ୍ୟରେ ଅମରକୋଷ ଅଭିଧାନ ଖଣ୍ଡି କଣ୍ଠସ୍ଥ କରି ସାରିଅଛି । ପିତାଙ୍କର ପୁରୋହିତ ବ୍ୟବସାୟ, ସମୟର ଏକାନ୍ତ ଅଭାବ; ସୁତରାଂ ସେ ସବୁ ସମୟରେ ପୁଅର ପଢ଼ାଶୁଣା ଦେଖିବାର ସୁବିଧା ପାଆନ୍ତି ନାହିଁ-। ବାଳକ ମାତାଠାରୁ ଅଭିଧାନ ଶିକ୍ଷା କରି ଏଣିକି ବ୍ୟାକରଣ ଆରମ୍ଭ କରିଅଛି । ସମୟର ସଦ୍‍ବ୍ୟବହାର ବିଷୟରେ ସେ ବିଶେଷ ଜାଗ୍ରତ ଥାଏ । ସମୟକୁ ଏପରି ଭାବରେ ପହରା ଦେଇଥାଏ ଯେ, ତାକୁ ଟିକିଏମାତ୍ର ଏଣେ ତେଣେ ଛାଡ଼ି ନ ଦେଇ ସର୍ବଦା କାର୍ଯ୍ୟରେ ଲଗାଇଥାଏ-। ଅଧ୍ୟୟନ ଏବଂ ଠାକୁରପୂଜା ଏହି ଦୁଇଟିକୁ ସେ ପ୍ରାଣଠାରୁ ପ୍ରିୟତର ମଣେ । ଥରେ ଅଧେ କେବେ ତାହାର ଅଜ୍ଞାତରେ ବା ଅନିଚ୍ଛାରେ ଟିକିଏ ସମୟର ଅପବ୍ୟୟ ହେଲେ ସେ ଦୀର୍ଘ ନିଃଶ୍ୱାସଟାଏ ପକାଇ ହୃଦୟର ଗଭୀର ବେଦନା ନୀରବରେ ବ୍ୟକ୍ତ କରେ ।

Image

 

ଏକାଦଶ ପରିଚ୍ଛେଦ

 

ସାରଥି ନନ୍ଦ ଜଣେ ଆଦର୍ଶ ଗୃହସ୍ଥ । ତାଙ୍କର ଦୁଇଟି ସ୍ତ୍ରୀ ଦୁଇଟି ରତ୍ନସ୍ୱରୂପ । ଗୋଟିଏ ତପସ୍ୱିନୀ ଏବଂ ଅପରଟି ଦେବୀ । ନନ୍ଦେ ଉଭୟଙ୍କ ବ୍ୟବହାରରେ ମୁଗ୍‌ଧ ହୋଇ ଉଭୟଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ଗୋଟିକୁ ଯେଉଁପରି ପ୍ରେମ କରନ୍ତି, ଅପରଟିକୁ ସେହିପରି ଆଦର କରନ୍ତି । ବିଶେଷତଃ ଶେଫାଳିକାଙ୍କ ପରାମର୍ଶକୁ ବିଶେଷ ମୂଲ୍ୟବାନ୍‌ ଜ୍ଞାନ କରନ୍ତି । ସପତ୍ନୀନିବାସ ହେଲେ ସୁଦ୍ଧା ତାଙ୍କ ଗୃହରେ ଚିର ଶାନ୍ତି, ଚିର ଆନନ୍ଦ ଏବଂ ଚିର ସୁଖ ବିଦ୍ୟମାନ । ନନ୍ଦେ ସୁରଭି ଶୀତଳ ଚନ୍ଦନ ତରୁ, ଶେଫାଳିକା ଏବଂ ସୌଦାମିନୀ ସେହି ତରୁର ଆଶ୍ରିତା ସ୍ନିଗ୍‌ଧ ମଧୁର ମାଧବୀଲତା । ସେ ଜ୍ୟେଷ୍ଠା ପତ୍ନୀଙ୍କୁ ବଡ଼ ବୋହୂ ଏବଂ କନିଷ୍ଠାକୁ ସାନ ବୋହୂ ବୋଲି ଡାକନ୍ତି । ଦୁଇ ସଉତୁଣୀଙ୍କର ସଦ୍‌ଭାବ ଅଖଣ୍ଡନୀୟ । ଗୋଟିଏ କାୟା ଏବଂ ଅପରଟି ତାହାର ଛାୟା । ଗ୍ରାମର ଯେଉଁ ବୃଦ୍ଧା ସ୍ତ୍ରୀମାନେ ତିନିକାଳ କଟାଇ ଚତୁର୍ଥ କାଳର ଉପସ୍ଥିତ, ସେମାନେ ଏକ ବାକ୍ୟରେ କହନ୍ତି– ‘ଆମ୍ଭେମାନେ ତିନିକୋଡ଼ି ବର୍ଷ ହେଲା ସଂସାରର ଗତିବିଧି ଦେଖି ମୁଣ୍ଡର ବାଳ ପଚାଇଲୁଣି, ଦାନ୍ତ ପକାଇଲୁଣି, ଅନେକ ସଉତୁଣୀ ଘର ଦେଖିଛୁ; ମାତ୍ର ନନ୍ଦଙ୍କ ଦୁଇ ଭାର୍ଯ୍ୟାଙ୍କ ପରି ସଉତୁଣୀ ଦେଶ–ଦଣ୍ଡପାଟରେ ଦେଖି ନାହୁଁ । ସେ ଦୁହେଁ ସଉତୁଣୀ ନୁହନ୍ତି–ସଙ୍ଗାତୁଣୀ ।’’ ଏହିପରି ଗୋଟାଏ ପ୍ରଶଂସା ଦୁଇ ସଉତୁଣୀଙ୍କ ଅଜ୍ଞାତରେ ଗ୍ରାମ ସାରା ଖେଳି ବୁଲୁଥାଏ । ସେମାନେ ସୁଖ୍ୟାତି ନ ଖୋଜିଲେ ସୁଦ୍ଧା ସୁଖ୍ୟାତି ବଳେ ବଳେ ଆସି ସେମାନଙ୍କୁ ଆଶ୍ରୟ କରେ । ଯେ ପ୍ରଶଂସା ଖୋଜି ବୁଲେ, ସେ ପ୍ରଶଂସାର ପାତ୍ର ନୁହେଁ– ପ୍ରଶଂସା ଯାହାକୁ ଖୋଜି ବୁଲେ, ସେହି ଏକା ପ୍ରଶଂସାର ଉପଯୁକ୍ତ ପାତ୍ର ।

 

ଦିନେ ଶେଫାଳିକା ସ୍ୱାମୀଙ୍କୁ ପଚାରିଲେ– ‘‘ପୁଅର ତ ଚାଟଶାଳୀପାଠ ଶେଷ ହେଲା, ଏଣିକି ସେ ଆଉ କଅଣ କରିବ ?’’ ନନ୍ଦେ କହିଲେ– ‘‘ଅଭିଧାନ, ବ୍ୟାକରଣ ତ ଏକପ୍ରକାର ଶେଷ କରି ସାରିଛି । ଏଣିକି ଶ୍ରାଦ୍ଧ, ପୂଜା ପ୍ରଭୃତି ପୁରୋହିତ ବିଦ୍ୟା ଶିଖୁ, ଆଉ କଅଣ କରିବ ? ମୁଁ ତ ଆସି ବୁଢ଼ା ହେଲି, ବଳ ହଟିଲା, ଯିବା ଆସିବା କରିବାକୁ କି କଷ୍ଟ ହେଉଛି, ସେ ଜାତୀୟ ବିଦ୍ୟା ନ ଖିଶିଲେ ଯଜମାନ ଘର ସମ୍ଭାଳିବ କିଏ ? ଆମର ବ୍ୟବସାୟ ଚଳିଲେ ହେଲା, ଅଧିକ ପାଠ କି ଦରକାର ?’’ ଶେଫାଳିକା ସ୍ୱାମୀଙ୍କ ମୁଖରୁ ଏରୂପ କଥା ଶୁଣିବାକୁ ପ୍ରତ୍ୟାଶା କରି ନ ଥିଲେ । ପୁତ୍ର ସମ୍ୱନ୍ଧରେ ସେ ସ୍ୱୀୟ ଉଚ୍ଚ ହୃଦୟରେ ଉଚ୍ଚତର ଆଶା ପୋଷଣ କରି ଆସୁଅଛନ୍ତି । ପୁତ୍ର ବିଦ୍ୱାନ୍‌ ହେବ, ଦଶ ଜଣଙ୍କ ମଧ୍ୟରେ ଗଣନୀୟ ହେବ, ବଂଶ ଗୌରବ ଉଜ୍ଜ୍ୱଳ କରିବ, ଏହାହିଁ ତାଙ୍କର ପ୍ରାଣର ଆକାଙ୍‌କ୍ଷା । ସ୍ୱାମୀଙ୍କ ମୁଖରୁ ସେଥିର ବିପରୀତ ଶୁଣି ସେ ବିସ୍ମୟ ସ୍ତବ୍‌ଧ ଦୃଷ୍ଟିରେ ତାହାଙ୍କ ମୁଖକୁ ଅନାଇ ରହିଲେ । କିଏ ଯେପରି ନିଷ୍ଠୁର ପଦାଘାତରେ ତାଙ୍କର ଅସ୍ଥିପଞ୍ଜର ଚୂର୍ଣ୍ଣ କରିଦେଲା । ବେଦନାତୁର ହୃଦୟ ବିଦୀର୍ଣ୍ଣ କରି ଗୋଟାଏ ଦୀର୍ଘ ନିଃଶ୍ୱାସ ବାହାରି ପଡ଼ିଲା । ସେ ଉଚ୍ଛ୍ୱାସ-ବିହ୍ୱଳ କଣ୍ଠରେ କହିଲେ– ‘‘ତୁମ କଥା ଶୁଣି ମୋତେ ତାଟଙ୍କା ଲାଗୁଛି । ବାର ତେର ବର୍ଷର କ୍ଷୀରକଣ୍ଠ ବାଳକ, ସେ ପାଠ ନ ପଢ଼ି ଭଲା କି ବ୍ୟବସାୟ କରିବ ? ଲୋକେ କି ଖାଲି ପେଟ ପୋଷିବା ପାଇଁ ପାଠ ପଢ଼ନ୍ତି ? ବିଦ୍ୟା ଶିକ୍ଷାର କି ଆଉ କିଛି ମହତ ଉଦ୍ଦେଶ୍ୟ ନାହିଁ ? ଶିକ୍ଷା ପଥ ରୁଦ୍ଧ କରିଦେଇ ତାହାର ପଶ୍ଚିମ ଜୀବନକୁ ପଙ୍ଗୁ କରି ଦେବା ତୁମ୍ଭ ପରି ପିତାର କାର୍ଯ୍ୟ ନୁହେଁ । ଜ୍ଞାନ ଉପାର୍ଜ୍ଜନ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ, ଅର୍ଥୋପାର୍ଜ୍ଜନ ଗୌଣ ଉଦ୍ଦେଶ୍ୟ । ସଂସାରରେ ଜ୍ଞାନ, ଅର୍ଥ ଉଭୟ ଆବଶ୍ୟକ; ମାତ୍ର ଅର୍ଥୋପାର୍ଜ୍ଜନର ସମୟ କୁଆଡ଼େ ପଳାଇ ଯାଉନାହିଁ– ସେ ସମୟ ଯଥେଷ୍ଟ ଅଛି । ତୁମର ବୟସ ହୋଇଅଛି, ତୁମେ ଯେ ଦିନକୁ ଦିନ ଶକ୍ତିହୀନ ହୋଇ ପଡ଼ୁଅଛ, ତାହା ମୁଁ ଦେଖୁଛି । ଯଜମାନ ସମ୍ଭାଳିବାର ଅନ୍ୟ ଉପାୟ କଲେ କି ଚଳିବ ନାହିଁ; ସେଥିପାଇଁ ଶିଶୁପୁତ୍ରର ପଢ଼ା ଛଡ଼ାଇବାକୁ ହେବ ? ନା, ନା, ତାହା କେଭେଁ ହେବ ନାହିଁ । ପିଲା ଆଉ କିଛିଦିନ ପଢ଼ୁ; ଏଣିକି ତାକୁ ଇସ୍କୁଲରେ ନେଇ ଛାଡ଼ ।’’

 

ନନ୍ଦେ– ନା, ଇସ୍କୁଲ ପାଠ ଭଲ ନୁହେଁ ।

 

ଶେଫା– କି, ଇସ୍କୁଲ ପାଠ ମନ୍ଦ କଣ ? ପାଠରେ ଭଲ ମନ୍ଦ ଥାଏ ନାହିଁ, ସବୁ ପାଠ ସମାନ ।

 

ନନ୍ଦେ– ନା ବଡ଼ ବୋହୂ, ତୁମ୍ଭେ ଜାଣ ନାହିଁ । ଇସ୍କୁଲରେ ପଢ଼ିଲେ ଜାତି, ଧର୍ମ ପ୍ରତି ଆସ୍ଥା ରହେ ନାହିଁ । ଗୁରୁଜନମାନଙ୍କ ପ୍ରତି ଭୟ ଭକ୍ତି ରହେ ନାହିଁ । ଇସ୍କୁଲପାଠୁଆମାନେ ସ୍ୱେଚ୍ଛାଚାରୀ ହୁଅନ୍ତି, ଅଖାଦ୍ୟ ବା ନିଷିଦ୍ଧ ଖାଦ୍ୟ ଭୋଜନ କରନ୍ତି, ଅପେୟ ପାନ କରନ୍ତି ।

 

ଶେଫାଳିକା– ତାହା ତୁମର ବୁଝାବାର ଭୁଲ । ଜାତି, ଧର୍ମ ନ ମାନିବା ସ୍କୁଲ ଶିକ୍ଷାର ଦୋଷ ନୁହେଁ । – ତାହା ଶିକ୍ଷାର୍ଥୀର ଦୋଷ । ଇସ୍କୁଲପାଠ ନ ପଢ଼ି ସୁଦ୍ଧା ଲୋକେ ଜାତି ଧର୍ମ ନଷ୍ଟ କରନ୍ତି, ଗୁରୁଜନଙ୍କର ଅବାଧ୍ୟ ହୁଅନ୍ତି; ଅଖାଦ୍ୟ ଅପେୟ ଉଦରସ୍ଥ କରନ୍ତି, ଜଘନ୍ୟ ଚରିତ୍ରଦୋଷରେ ଦୁଷ୍ଟ ହୁଅନ୍ତି; ସେଥିର ଦୃଷ୍ଟାନ୍ତ ସଂସାରରେ ବିରଳ ନୁହେଁ । ମୋର ପିଲାଦିନର କଥା କହୁଛି– ଆମଗାଁ ଜମିଦାର ଜଣେ ଲକ୍ଷପତି ଥିଲେ । ତାଙ୍କ ମୃତ୍ୟୁପରେ ତାଙ୍କର ଗଣ୍ଡମୂର୍ଖ ପୁତ୍ର ବିପୁଳ ସମ୍ପତ୍ତିର ଅଧିକାରୀ ହେଲା । ଯୌବନ, ପ୍ରଭୂତ୍ୱ ଏବଂ ସମ୍ପଦ ଲାଭ ସଙ୍ଗେ ସଙ୍ଗେ ଯେଉଁ ଦୋଷ ସ୍ୱତଃ ଆସି ଉପସ୍ଥିତ ହୁଏ, ଜମିଦାର ପୁତ୍ର ସେହି ଦୋଷରୁ ଅବ୍ୟାହତି ପାଇଲା ନାହିଁ । ଦେଖୁ ଦେଖୁ ଅନେକ ସଙ୍ଗୀ ଆସି ମିଳିଗଲେ । ମଧୁ ମନ୍ଦିର ପୁଷ୍ପର ଚାରିପାଖରେ ଭ୍ରମରକୁଳ ବେଢ଼ି ଗୁଣୁ ଗୁଣୁ ଗୁଞ୍ଜନକଲା ପ୍ରାୟ ସ୍ତାବକବୃନ୍ଦ ତାହାକୁ ବେଷ୍ଟନ କରି ସ୍ତୃତି କରିବାକୁ ଲାଗିଲେ ଏବଂ କୌଶଳରେ ମଧୁ ଶୋଷଣ କରିବାକୁ ଲାଗିଲେ । ସେମାନେ ତାହାର ସଖା, ସହାୟ ଏବଂ ସୁହୃଦ । ଏରୂପ ସେରୂପ ବନ୍ଧୁ ନୁହେଁ, ଯେରୂପର ରୂପର ବନ୍ଧୁ ଯୌବନ, ଯୌବନର ବନ୍ଧୁ ମକରକେତନ, ମକରକେତନର ବନ୍ଧୁ ବସନ୍ତକାଳ, ବସନ୍ତକାଳର ବନ୍ଧୁ ମଳୟାନିଳ, ସେମାନେ ତାହାର ସେହିପରି ପ୍ରାଣର ବନ୍ଧୁ ହୋଇ ଉଠିଲେ । ସେମାନେ ସତ୍‍ପରାମର୍ଶରେ ଜମିଦାର ପୁତ୍ର ବିଶାଳ ଜମିଦାରୀର ଭାରକ୍ଳିଷ୍ଟ ଅବସନ୍ନ ଚିତ୍ତକୁ ସୁସ୍ଥ ସବଳ କରିବା ସକାଶେ ଟିକିଏ ଟିକିଏ ମଧୂପାନ କରିବାକୁ ଆରମ୍ଭ କଲେ । ମଧୂପାନର ଅନ୍ୟାନ୍ୟ ଉପସର୍ଗ ଆସି ଜମିଦାର ପୁଅକୁ ମହଦାଶ୍ରୟ ମଣି ଶରଣ ପଶିଲେ-। ଅର୍ଥ ଏବଂ ଚରିତ୍ର ଉଭୟର ବିପୁଳ ଶ୍ରାଦ୍ଧ ହେବାକୁ ଲାଗିଲା । ଏହି ସମସ୍ତ ଅନୁଷ୍ଠାନରେ ଜମିଦାର ପୁତ୍ରର କୁବେର ସମ୍ପତ୍ତି ଖଇକୁଲାରେ ବାଆ ପଶିଲାପରି ଅଳ୍ପକାଳ ମଧ୍ୟରେ କୁଆଡ଼େ ସବୁ ଉଡ଼ିଗଲା । ପଞ୍ଚମକାର ଯଜ୍ଞ ସକାଶେ ଉପାଦାନର ଅଭାବ ଘଟିଲା । ଜମିଦାର ପୁତ୍ର ଦରିଦ୍ର ପଞ୍ଚାକ୍ଷରୀ ମନ୍ତ୍ର ଜପ କରି ନିଜକୁ ସେହି ଯଜ୍ଞର ପୂର୍ଣ୍ଣାହୁତି ରୂପରେ ଅର୍ପଣ କଲା । ଆଉ ତାହାର ମଉଳା ପୁଅ ଭାଇ ଇଂରାଜିରେ ଚାରିଟା ପାସ କରି କଟକରେ ବଡ଼ ଓକିଲ ହୋଇଛି । ତାହାର ଶୌଚ, ଆଚାର, ଧର୍ମନିଷ୍ଠା ଠିକ୍‌ ଗୋଟିଏ ଯୋଗୀ ପରି । ଏଥିରୁ କିପରି କହି ହେବ ଯେ, ପିଲାଏ ଇସ୍କୁଲରେ ପଢ଼ିଲେ ଖରାପ ହୋଇଯିବେ । ତେବେ ଯେଉଁମାନେ ସହରରେ ସ୍ୱାଧୀନ ଭାବରେ ରହି ପଢ଼ାଶୁଣା କରନ୍ତି, ମୁରବିମାନଙ୍କ ଦୃଷ୍ଟିରେ ରହିବାର ସୁବିଧା ଯାହାଙ୍କର ନାହିଁ, ସେମାନଙ୍କ ମଧ୍ୟରୁ ବାଳଚପଳତା ବଶତଃ କେହି କେହି କୁସଙ୍ଗରେ ପଡ଼ି ବିଗିଡ଼ି ଯାଆନ୍ତି । ତାହା ଶିକ୍ଷାର ଦୋଷ ନୁହେଁ– କୁସଙ୍ଗର ଦୋଷ । ଆମ ପୁଅ ଘରୁ ଭାତ ଖାଇ ଇସ୍କୁଲକୁ ଯିବ, ସବୁବେଳେ ଆମ ଦୃଷ୍ଟିରେ ରହିବ, ତାହାର ଚରିତ୍ର ଦୂଷିତ ହେବ କାହିଁକି ? ନା, ତୁମେ ସେ ଭୟ କର ନାହିଁ । କାଲିଠାରୁ ପୁଅକୁ ଇସ୍କୁଲକୁ ପଠାଅ ।

 

ନନ୍ଦେ ଏ କଥାରେ କୌଣସି ଆପତ୍ତି କଲେ ନାହିଁ । ସ୍ମିତ ହାସ୍ୟରେ କହିଲେ– ‘ଆଚ୍ଛା, ତୁମ୍ଭର ଯାହା ଇଚ୍ଛା, ତାହା ହିଁ ହେବ ।’’ ସ୍ୱାମୀଙ୍କ ସମ୍ମତି ଶୁଣି ଶେଫାଳିକା ଯତ୍ପରୋନାସ୍ତି ଆନନ୍ଦିତା ହେଲେ ।

 

ପ୍ରତାପପୁରର ଅର୍ଦ୍ଧକ୍ରୋଶ ଦୂରରେ ବାହାବଳପୁର ଗ୍ରାମ । ଗ୍ରାମଟି ସମୃଦ୍ଧ ଏବଂ ସେ ଅଞ୍ଚଳରେ ବାଣିଜ୍ୟର କେନ୍ଦ୍ରସ୍ଥଳ । ସେଠାରେ ଗୋଟିଏ ଡାକଘର ଅଛି ଆଉ ଗୋଟିଏ ମଧ୍ୟଶ୍ରେଣୀୟ ବିଦ୍ୟାଳୟ ଅଛି । ପ୍ରଧାନ ଶିକ୍ଷକ କାବ୍ୟତୀର୍ଥୋପାଧିକ, ଭାଷାରେ ସୁଦ୍ଧା ତାଙ୍କର ବିଲକ୍ଷଣ ଜ୍ଞାନ ଅଛି । ସେ ଭାଷାରେ ନର୍ମାଲ ପାସ କରିଅଛନ୍ତି । ତାଙ୍କର ଅଧ୍ୟାପନା ପ୍ରଣାଳୀ ସୁଶିକ୍ଷକୋଚିତ । ସନାତନ ସେହି ସ୍କୁଲରେ ନାମ ଲେଖାଇ ପଢ଼ିବାକୁ ଲାଗିଲା । ଅଧ୍ୟୟନଶୀଳତା ଏବଂ ସଚ୍ଚରିତ୍ରତା ଗୁଣରେ ସେ ଅଳ୍ପ ସମୟ ମଧ୍ୟରେ ଶିକ୍ଷକମାନଙ୍କର ପ୍ରିୟପାତ୍ର ହୋଇଉଠିଲା । ସତୀର୍ଥମାନେ ସୁଦ୍ଧା ତାହା ପ୍ରତି ସର୍ବଦା ପ୍ରସନ୍ନ । ପ୍ରଗାଢ଼ ଧୀଶକ୍ତିସମ୍ପନ୍ନ, ପ୍ରିୟଦର୍ଶନ ବାଳକଟିର ପ୍ରଖର ପ୍ରତିଭା ଦେଖି ପ୍ରଧାନଶିକ୍ଷକ ମୁଗ୍‌ଧ ହୋଇ ଦିନେ ସହକର୍ମୀମାନଙ୍କୁ କହିଥିଲେ– ‘‘ଦେବଶିଶୁ ତୁଲ୍ୟ ଏ ବାଳକଟିର ଭବିଷ୍ୟତ ଖୁବ୍‌ ଉଜ୍ଜ୍ୱଳ ହେବ । ଶକ୍ତିଶାଳୀ ପୁରୁଷମାନେ ଶୈଶବରୁ ଚିହ୍ନା ଯାଆନ୍ତି । ଶକ୍ତି ମହତ୍‌କୁ ଆଶ୍ରୟ କରେ– କ୍ଷୁଦ୍ରକୁ ଆଶ୍ରୟ କରେନାହିଁ । ସନାତନ ପ୍ରତ୍ୟହ ନିଜ ଶ୍ରେଣୀର ପ୍ରଥମ ସ୍ଥାନ ଅଧିକାର କରେ । ସହପାଠୀବର୍ଗ ପ୍ରତିଯୋଗିତାରେ ତାହାକୁ ପରାସ୍ତ କରିବା ଦୂରେଥାଉ ସମକକ୍ଷ ସୁଦ୍ଧା ହୋଇପାରନ୍ତି ନାହିଁ । ସେ ନିଜର ପଢ଼ା ଶେଷରେ ନିମ୍ନ ଶ୍ରେଣୀୟ ବାଳକମାନଙ୍କର ପଢ଼ା ନିଏ ଏବଂ ନୂତନ ସନ୍ଥ ଦେଇ ଭଲ ରୂପେ ବୁଝାଇ ଦିଏ । ଚିଠିପତ୍ର ପ୍ରଭୃତି ଉତ୍ତାରି ଦେଇ ଶିକ୍ଷକମାନଙ୍କର ସହାୟତା କରେ । ସମୟ ସମୟରେ ସ୍କୁଲ ଲାଇବ୍ରେରୀରୁ ପୁସ୍ତକମାନ ଆଣି ପଢ଼େ । ଏହିପରି କରିବାଦ୍ୱାରା ତାହାର ଜ୍ଞାନ ପ୍ରସାର କ୍ଷିପ୍ରଗତିରେ ହୋଇଉଠିଲା । ଚାରିବର୍ଷ ପରେ ସେ ଭର୍ଣ୍ଣାକ୍ୟୁଲାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ।

 

ସନାତନ ଭର୍ଣ୍ଣାକ୍ୟୁଲାର ପାସ କଲା; ମାତ୍ର ସ୍କୁଲ ଛାଡ଼ି ଗଲା ନାହିଁ । ପ୍ରଧାନ ଶିକ୍ଷକଙ୍କ ପାଖରେ ସଂସ୍କୃତ ପଢ଼ିବାକୁ ଲାଗିଲା । ଏଥିପୂର୍ବରୁ ସେ ଘରେ ପଢ଼ି ଅମରକୋଷ ଏବଂ ଖଣ୍ଡେ ଦୁଇଖଣ୍ଡ ବ୍ୟାକରଣ ଶେଷ କରି ବଡ଼ମାଙ୍କ ପାଖରୁ କାବ୍ୟର କେତେଗୋଟା ଶ୍ଳୋକ ଶିଖିଥିଲା । ଶେଫାଳିକା ତାଙ୍କ ପିତା ସାର୍ବଭୌମଙ୍କଠାରୁ କେଉଁ କାବ୍ୟରୁ ଅଧସର୍ଗେ କାହିଁରୁ ବା ସର୍ଗେ ଏହି ପରି ସାମାନ୍ୟ ଭାବରେ ପଢ଼ିଥିଲେ । ଚର୍ଚ୍ଚା ଅଭାବରୁ ସେଥିରେ ମଧ୍ୟ କେତେକ ଭୁଲି ଗଲେଣି । ବିଦ୍ୟା ତ ବାଣିଜ୍ୟ ପରି କାରବାର କଲେ ବଢ଼ିବ, ନତୁବା କ୍ରମଶଃ କ୍ଷୟ ଲଭିବା ସ୍ୱାଭାବିକ । ମାତୃଦତ୍ତ ସେହି ଯତ୍‍ସାମାନ୍ୟ ଶିକ୍ଷାରେ ସନାତନର ମନଃପୂତ ହେଲା ନାହିଁ, ସେ ରୀତିମତ କାବ୍ୟ ପଢ଼ିବାକୁ ଆରମ୍ଭ କଲା । ପ୍ରଧାନ ଶିକ୍ଷକ ମଧ୍ୟ ଯତ୍ନପୂର୍ବକ ଏହି ଆଗ୍ରହୀ ଛାତ୍ରଟିକୁ ପଢ଼ାଇବାକୁ ଲାଗିଲେ । ସଜ୍ଜନମାନେ ପାତ୍ର ଦେଖି ଦାନ କରନ୍ତି । ସେ ଉପଯୁକ୍ତ ପାତ୍ର ପାଇଲେ; ସୁତରାଂ ଦାନ ନ କରିବେ କାହିଁକି ? ସେ ଜାଣନ୍ତି– କ୍ଷେତ୍ର ଉର୍ବର ଅଛି, ସେଥିରେ ବୀଜ ବପନ କଲେ ବ୍ୟର୍ଥ ହେବ ନାହିଁ । ସନାତନ ରଘୁ, କୁମାର ପ୍ରଭୃତି କାବ୍ୟ ଶେଷ କରି ନାଟକ, ଅଳଙ୍କାର ଆଡ଼କୁ ଅଗ୍ରସର ହେଲାପରେ ବିବିଧ ଶାସ୍ତ୍ର, ପୁରାଣ ପାଠରେ ମନୋନିବେଶ କଲା । ଶାସ୍ତ୍ର ପୁରାଣରେ ଅନୁଶୀଳନରେ ତାହାର ଭାରି ଆଗ୍ରହ ।

 

ସନାତନ ଖାଲି ଆତ୍ମୋନ୍ନତିରେ ନିଯୁକ୍ତ ରହି ନିଶ୍ଚିନ୍ତ ହେଲା ନାହିଁ । ସ୍କୁଲର ଉନ୍ନତି ଏବଂ ସାଧାରଣ ହିତକର କାର୍ଯ୍ୟରେ ମଧ୍ୟ ଯଥାଶକ୍ତି ସଚେଷ୍ଟ ହେଲା । ତାହାରି ଚେଷ୍ଟାରେ ସ୍କୁଲର ଉଚ୍ଚ ଶ୍ରେଣୀୟ ଛାତ୍ରମାନଙ୍କୁ ଘେନି ଗୋଟିଏ ସମିତି ଗଠିତ ହେଲା । ପ୍ରତି ରବିବାରରେ ସମିତିର ଅଧିବେଶନ ହୁଏ । ଶିକ୍ଷକମାନେ ପାଳି ଅନୁସାରେ ସଭାପତି ହୁଅନ୍ତି । ପୂର୍ବରୁ ଶିକ୍ଷକମାନେ ବିଷୟ ନିର୍ବାଚନ କରିଦେଇଥାଆନ୍ତି । ଛାତ୍ରମାନେ ତଦନୁସାରେ ପ୍ରବନ୍ଧ ଲେଖି ସଭାଦିନ ତାହା ସଭାରେ ପାଠକରନ୍ତି । ସଭାପତି ଭ୍ରମପ୍ରମାଦ ସଂଶୋଧନ କରିଦିଅନ୍ତି । ‘‘ଶାନ୍ତି କେଉଁଠାରେ,’’ ଏହି ବିଷୟରେ ଦିନେ ପ୍ରବନ୍ଧ ଲେଖିବାକୁ ଆଦେଶ ଥିଲା । କେହି ଲେଖିଲା– ‘‘ନିଶୀଥ କାଳରେ ପ୍ରକୃତି ନିସୁପ୍ତ ଏବଂ ନିସ୍ତବ୍‌ଧ ଥାଏ, ସୁପ୍ତିର ସେହି ମହାନୀରବତା ବକ୍ଷରେ ଶାନ୍ତଦେବୀଙ୍କର ସିଂହାସନ ପ୍ରତିଷ୍ଠିତ ହୁଏ ।’’ କେହି ଲେଖିଲା– ‘‘ସନ୍ତୋଷର ବାସନ୍ତିବାୟୁ ଯାହା ହୃଦୟରେ ପ୍ରବାହିତ ହୁଏ, ତାହାରି ହୃଦୟ ଶାନ୍ତିର ପ୍ରିୟ ବାସସ୍ଥଳ । ଏହିପରି କେତେଜଣ କେତେ ପ୍ରକାରରେ ଲେଖିଥିଲେ; ସନାତନ ଲେଖିଥିଲା– ‘‘ଏ ଭଙ୍ଗୁର ଜୀବନରେ ଉହାଡ଼ର ଯେଉଁ ଅନନ୍ତ ସୁଖମୟ ଜୀବନ ଅଛି, ଶାନ୍ତି ସେହିଠାରେ ।’’ ଷୋହଳ, ସତର ବର୍ଷ ବୟସ୍କ ବାଳକର ଏଭଳି ଆଧ୍ୟାତ୍ମିକ ଜ୍ଞାନର ପରିଚୟ ପାଇ ଶିକ୍ଷକମାନେ ମୁଗ୍‌ଧ ଏବଂ ସ୍ତମ୍ଭିତ ହୋଇଥିଲେ । ଆଉ ଦିନେ ପ୍ରଶ୍ନ ଥିଲା ‘‘ସବୁଠାରୁ ବଡ଼ ବୀର କିଏ ?’’ କେହି ଭୀଷ୍ମ କେହି ଅର୍ଜ୍ଜୁନ, କେହି କର୍ଣ୍ଣ ବୋଲି ନିର୍ଦ୍ଦେଶ କଲେ;’’ ମାତ୍ର ଶେଷରେ ସନାତନ କହିଲା– ‘‘ଯେ ନିଜକୁ ସମ୍ପୂର୍ଣ୍ଣରୂପେ ଜୟ କରିଛି, ତାହାଠାରୁ ବଳି ବୀର ଜଗତରେ ନାହିଁ-।’’ ସଭାରେ ଖାଲି ସାହିତ୍ୟ କିମ୍ୱା ଧର୍ମଚର୍ଚ୍ଚା ହୁଏ ନାହିଁ, ଇତିହାସ, ଭୂଗୋଳ, ଗଣିତ, ସ୍ୱାସ୍ଥ୍ୟତତ୍ତ୍ୱ ପ୍ରଭୃତି ଅନେକ ବିଷୟ ଆଲୋଚିତ ହୁଏ । ଏହିପରି ଆଲୋଚନାଦ୍ୱାରା ଛାତ୍ରମାନଙ୍କର ଚିନ୍ତାଶକ୍ତି ବିସ୍ତୃତ ଏବଂ ପ୍ରତିଭା ମାର୍ଜିତ ହୋଇଉଠିଲା । ପ୍ରତିବର୍ଷ ସ୍କୁଲର ଫଳ ଖୁବ୍‌ ଭଲ ହେଲା । ସ୍କୁଲର ସୁଖ୍ୟାତି ଅସମ୍ଭବ ବଢ଼ି ଉଠିଲା । ଛାତ୍ରମାନଙ୍କର ଯୋଗ୍ୟତା, ଶିକ୍ଷକମାନଙ୍କର ପରିଶ୍ରମ ଏବଂ ପଟୁତା ଚିହ୍ନାଇ ଦେଲା । ବାହାନରୁ ସିନା ଦେବତାରସ୍ୱରୂପ ଉପଲ୍‌ବଧିର ସୁବିଧା ହୁଏ । ଗୁରୁଗୁଣ ଶିଷ୍ୟ ଦେହରେ ଫୁଟିଉଠେ । ଏହି ସୁଖ୍ୟାତିରେ ଆକୃଷ୍ଟ ହୋଇ ବହୁଦୂରରୁ ବିଦ୍ୟାର୍ଥିବୃନ୍ଦ ଆସି ସ୍କୁଲର ଛାତ୍ରସଂଖ୍ୟା ବୃଦ୍ଧି କଲେ । ସନାତନର ପ୍ରବର୍ତ୍ତନାରେ ଛାତ୍ରମାନେ ପିତାମାତାଙ୍କଠାରୁ ପ୍ରାପ୍ତ ଯାତ୍ରାଖର୍ଚ୍ଚ ପଇସା ଠୁଳକରି ସେଥିରେ ଭଲ ଭଲ ପୁସ୍ତକ ପତ୍ରିକା କିଣି ଗୋଟାଏ ପାଠାଗାର ସ୍ଥାପନ କଲେ । ଗ୍ରାମର ଆପଦ ବିପଦ ମୋଚନ ପାଇଁ ଗୋଟାଏ ଦଳ ଗଠିତ ହେଲା । ସେ ଦଳ ବିଭିନ୍ନ ଶାଖାରେ ବିଭକ୍ତ ହୋଇ ଭିକ୍ଷାଦ୍ୱାରା ଗୋଟିଏ ପାଣ୍ଠି ସ୍ଥାପନ କଲେ । କେତେକ ଔଷଧ କିଣା ହୋଇ ଆସି ରହିଲା । ଛାତ୍ରମାନେ ଅବକାଶମତେ ନିକଟବର୍ତ୍ତୀ ଗ୍ରାମରେ ବୁଲି ଔଷଧ ବିତରଣ କଲେ, ପୁସ୍ତକ ଆଉ ସମ୍ବାଦପତ୍ର ପାଠର ଉପକାରିତା ପଲ୍ଲୀବାସୀଙ୍କୁ ବୁଝାଇଲେ । ସଭାପକ୍ଷରୁ ଅନେକ କଳସୀ କିଣା ହୋଇ ରହିଲା । ଗ୍ରୀଷ୍ମକାଳରେ ପଲ୍ଲୀଗ୍ରାମରେ ଅଧିକ ଗୃହଦାହ ହୁଏ । ଗୃହଦାହର ସମ୍ୱାଦ ପାଇବା ମାତ୍ରେ ନିରୂପିତ କର୍ମୀ ବାକଳବୃନ୍ଦ କଳସୀ ଘେନି ଘଟଣା ସ୍ଥଳରେ ଯାଇ ଉପସ୍ଥିତ ହୁଅନ୍ତି ଏବଂ ଅଦମ୍ୟ ଉତ୍ସାହ ଓ ଅକ୍ଳାନ୍ତ ପରିଶ୍ରମରେ ଅଗ୍ନି ନିର୍ବାପନ କରି ଗୃହସ୍ଥକୁ ସଙ୍କଟରୁ ରକ୍ଷା କରନ୍ତି । ଶୀତକାଳରେ ବଡ଼ଲୋକମାନଙ୍କ ଘରୁ ପୁରୁଣା ଲୁଗା ମାଗିନେଇ ଅନାଥ, ଅକ୍ଷମ ଗରିବମାନଙ୍କୁ ଦିଅନ୍ତି । ସଭାର ପାଣ୍ଠିରୁ ଗରିବ ବାଳକମାନଙ୍କୁ ସ୍କୁଲ ବେତନ ଦିଆଯାଏ । ଆବଶ୍ୟକ ହେଲେ କାହାରି କାହାରିକୁ ପାଠ୍ୟପୁସ୍ତକ କିଣି ଦିଆଯାଏ । ସନାତନ ବିଲରେ ବୁଲି ଅଶିକ୍ଷିତ କୃଷକମାନଙ୍କୁ କୃଷି ବିଷୟରେ ଉପଦେଶ ଦିଏ । ଛୋଟ ଛୋଟ କୃଷିପୁସ୍ତକ ସେମାନଙ୍କୁ ଦେଇ କୌଣସି କୌଣସି ନୂତନ ଫସଲ କରିବାକୁ ପ୍ରବର୍ତ୍ତାଏ । ସେଥିର ଲାଭ ସେମାନଙ୍କୁ ବୁଝାଇଦିଏ । ଗ୍ରାମର କୁମ୍ଭାର, କମାର, ବଢ଼େଇ ପ୍ରଭୃତି ଶିଳ୍ପକାରମାନଙ୍କୁ ଉନ୍ନତ ଧରଣର ଶିଳ୍ପକଳା ପ୍ରସ୍ତୁତ କରିବାକୁ ଅନୁରୋଧ କରେ । ସଭା ତରଫରୁ ଏହିପରି ଅନେକ ପଲ୍ଲୀହିତକର କାର୍ଯ୍ୟରେ ଉତ୍ସାହ ଦିଆଯାଏ ।

 

ସର୍ଷପ ପରିମିତ କ୍ଷୁଦ୍ର ବୀଜରୁ ମହାଦାରୁ ଉତ୍ପନ୍ନ ହେଲା ପ୍ରାୟ ସମୟ ସମୟରେ କ୍ଷୁଦ୍ର କାର୍ଯ୍ୟରୁ ମହାକାର୍ଯ୍ୟ ବାହାରିପଡ଼େ । ଉପାରୋକ୍ତ କ୍ଷୁଦ୍ର ଅନୁଷ୍ଠାନଟି ପିଲାଖେଳ ପରି ପ୍ରଥମତଃ ଆରମ୍ଭ ହୋଇଥିଲା । କିନ୍ତୁ ଅଳ୍ପକାଳ ମଧ୍ୟରେ ତାହା ବୃହତ୍‌ ସାଫଲ୍ୟର ଗୌରବ ଅର୍ଜନ କରିଅଛି । ଉପକାରିତା ଦୃଷ୍ଟିରେ ଅନେକେ ସେଥିପ୍ରତି ଆକୃଷ୍ଟ ହୋଇଅଛନ୍ତି । ଏଣିକି ‘‘ସେବାଶ୍ରମ’’ ନାମରେ ଗୋଟିଏ ଆଶ୍ରମ ସ୍ଥାପିତ ହୋଇଅଛି । କେତେଜଣ ଯୁବକ ସେହି ଆଶ୍ରମର କର୍ମୀ ହୋଇଅଛନ୍ତି । ସେମାନେ ପ୍ରତିଜ୍ଞା କରିଅଛନ୍ତି ଚିର କୌମାର ଅବଲମ୍ୱନପୂର୍ବକ ସେବାବ୍ରତରେ ଜୀବନ ଯାପନ କରିବେ । ସନାତନ ସେହି ଆଶ୍ରମର ପ୍ରଧାନତମ କର୍ମୀ । ବ୍ରତ ବଡ଼ କଠୋର; ମାତ୍ର ତାହା ଉତ୍ସାହୀ ଯୁବକବୃନ୍ଦର ଅସାଧ୍ୟା ନୁହେଁ । କର୍ମୀମାନେ ଡୋର କୌପୁନଧାରୀ କିମ୍ବା ଗୈରିକପରିହିତ ସନ୍ୟାସୀ ବେଶ ଧରନ୍ତି ନାହିଁ । ନିଜର ପ୍ରକୃତ ବେଶରେ ଗ୍ରାମେ ଗ୍ରାମେ ବୁଲି ସେବା କାର୍ଯ୍ୟ କରନ୍ତି, ନିଜର ଗୃହକାର୍ଯ୍ୟ ମଧ୍ୟ କରନ୍ତି । ସନାତନ ଘରେ କିଛି କାର୍ଯ୍ୟ କରେ ନାହିଁ, କରିବାର ଆବଶ୍ୟକତା ମଧ୍ୟ ଥିଲା ନାହିଁ । ସେ ଅଧିକ ସମୟ ଆଶ୍ରମରେ କଟାଏ । ଘରେ ଥିବାବେଳେ ପୂଜା ଏବଂ ପୁସ୍ତକପାଠରେ ନିଯୁକ୍ତ ଥାଏ । ପିଲାକାଳର ସେହି ଜଗନ୍ନାଥ ପଟ ଖଣ୍ଡି ସେ ଅଦ୍ୟାବିଧି ଶ୍ରଦ୍ଧାଭକ୍ତିପୂର୍ବକ ପୂଜା କରି ଆସୁଅଛି । ଗୀତା ପଢ଼ିବାକୁ ସେ ଖୁବ୍‌ ଭଲପାଏ । ସୁତରାଂ ଅନେକ ସମୟରେ ଗୀତାପାଠରେ ତନ୍ମୟ ଥାଏ । ପିତାମାତା ତାହାର ଏ କାର୍ଯ୍ୟରେ ଅସନ୍ତୁଷ୍ଟ ନୁହନ୍ତି । ପୁଅ ତ କିଛି ଅନ୍ୟାୟ କାର୍ଯ୍ୟ କରୁନାହିଁ ଧର୍ମ ଚର୍ଚ୍ଚାରେ ନିଯୁକ୍ତ ଅଛି, ଏହା ତ ସେମାନଙ୍କ ପକ୍ଷରେ ଗୌରବର କଥା; ସୁତରାଂ ଅସନ୍ତୁଷ୍ଟ ବା କାହିଁକି ହେବେ ? ସନ୍ତାନର ସଦ୍‌ଗୁଣ ତ ପିତାମାତାଙ୍କର ବାଞ୍ଛନୀୟ । ପୁଅ ଧାର୍ମିକ ହେଉ, ବିଦ୍ୱାନ ହେଉ; ଏହା କାହାର ଇଚ୍ଛା ନୁହେଁ । ନନ୍ଦ ଦମ୍ପତି ସନାତନର ପ୍ରତିଜ୍ଞା କଥା ଜାଣନ୍ତି ନହିଁ । କର୍ମୀମାନଙ୍କ କଥା କର୍ମୀମାନଙ୍କ ଭିନ୍ନ ଆଉ କେହି ଜାଣନ୍ତି ନାହିଁ । ତାହା ପ୍ରକାଶ କରିବା ଆଶ୍ରମର ନିୟମ ବିରୁଦ୍ଧ । ଆଶ୍ରମର ନିୟମ ଗୋପନ ରଖିବା ସକାଶେ କଠୋର ଶପଥ ନ କଲେ କେହି ଆଶ୍ରମର କର୍ମୀ ହୋଇପାରନ୍ତି ନାହିଁ । ସନାତନର ଅଙ୍ଗୁଳି ସଂକେତରେ ଆଶ୍ରମଟି ସୁପରିଚାଳିତ ହୁଏ । ଆଶ୍ରମର କାର୍ଯ୍ୟମାନ ହିତଜନକ ଦେଖି ଲୋକେ ସ୍ୱତଃପ୍ରବୃତ୍ତ ହୋଇ ଅର୍ଥ ସାହାଯ୍ୟ କରିବାକୁ ଲାଗିଲେ । ଆଶ୍ରମ ପ୍ରତି ସମସ୍ତଙ୍କର ଭକ୍ତି ବିଶ୍ୱାସ ବଦ୍ଧମୂଳ ହୋଇ ଆସିଲା । ଅନୁଷ୍ଠାନର ସାଧୁତା ବା ସତ୍ୟତା ଥିଲେ ତାହା ପାଇଁ ଅର୍ଥର ଅଭାବ ହୁଏ ନାହିଁ, ଏଥିର ଚାକ୍ଷୁଷ ପ୍ରମାଣ ସେବାଶ୍ରମ ଦେଖାଇ ଦେଲା । ନିଃସ୍ୱାର୍ଥ ଭାବ ଘେନି କାର୍ଯ୍ୟାରମ୍ଭ କଲେ ସେହି ନିଃସ୍ୱାର୍ଥତା କାର୍ଯ୍ୟର ସହାୟ ହୁଏ; ମାତ୍ର ଯେଉଁଠି ସ୍ୱାର୍ଥ, ଅନର୍ଥ ସେଇଠି । ସ୍ୱାର୍ଥ ମିଶିଲେ ସବୁ ପଣ୍ଡ ହୁଏ । ବିଷ ମିଶିଲେ ଅମୃତ ସୁଦ୍ଧା ବିଷ ହୋଇଯାଏ । ସାଧୁ ସତ୍‌ଅନୁଷ୍ଠାନ ପଣ୍ଡ ହେଲେ ବୁଝିବାକୁ ହେବ ଯେ, ନିଶ୍ଚୟ ସେଥିରେ ପ୍ରଚ୍ଛନ୍ନରେ ସ୍ୱାର୍ଥ ନିହିତ ଥିଲା ।

 

ଗାଁ ମୁଣ୍ଡରେ ପ୍ରାଣବନ୍ଧୁ ଦାସଙ୍କ ଘର । ଦାସେ କରଣ, ବିପୁଳ ସମ୍ପତ୍ତିବାନ୍‌ । ତାଙ୍କ ପିତା କଲିକତାରେ କୁଲି ସର୍ଦ୍ଦାରୀ କରି ଯଥେଷ୍ଟ ଉପାର୍ଜନ କରିଥିଲେ । ପିତୃବିୟୋଗ ପରେ ପୁତ୍ର ସେହି କାର୍ଯ୍ୟ କରୁଅଛନ୍ତି । ବର୍ତ୍ତମାନ ସେ ଜଣେ କ୍ଷୁଦ୍ର ଜମିଦାର । ଦାସେ ଅଧିକାଂଶ ସମୟ କଲିକତାରେ ଥାଆନ୍ତି । ବର୍ଷରେ ଥରେ ଦୁଇଥର ଘରକୁ ଆସି ସେ ବିଷୟର ତତ୍ତ୍ୱାବଧାନ କରିଯାଆନ୍ତି । ସେ ଏଣିକି ସହରବାସୀ, ପଲ୍ଲୀ ତାଙ୍କ ଜନ୍ମଭୂମି ହେଲେ ସୁଦ୍ଧା ପଲ୍ଲୀଗ୍ରାମର ଦୂଷିତ ଜଳବାୟୁ ତାଙ୍କ ସ୍ୱାସ୍ଥ୍ୟ ପକ୍ଷରେ ଅନୁକୂଳ ନୁହେଁ । ପଲ୍ଲୀ ଗ୍ରାମରେ ମୋଟର ବା ସାଇକେଲ ଚଳିବା ଭଳି ସୁନ୍ଦର ସୁପଥ ନାହିଁ– ବିଶେଶତଃ ଭଦ୍ରସଙ୍ଗୀର ଅଭାବ, ବାତାହାରୀ ବାବୁମଣ୍ଡଳୀର ଅଭାବ, ଆଳୁ ପଟୋଳର ତ ନାମଗନ୍ଧ ନାହିଁ, ଏହିପରି ନାନା ଅଭାବ ଅସୁବିଧା ମଧ୍ୟରେ ସାହରିକ ସୁକୁମାର ଜୀବନ କି ତିଷ୍ଠିପାରେ ? ଗାଁରେ ଦାସେ ‘‘ବନ୍ଧୁବାବୁ’’ ନାମରେ ପରିଚିତ । ‘ବନ୍ଧୁବାବୁ ଦୁଇମାସ ହେଲା ଗ୍ରାମକୁ ଆସିଅଛନ୍ତି । ଉଦ୍ଦେଶ୍ୟ ଗୋଟିଏ ସୁପାତ୍ର ଖୋଜି ତାହାର ହସ୍ତରେ ନିଜର ଆତ୍ମଜା କୁସୁମ କୁମାରୀକୁ ଅର୍ପଣ କରିବେ । କୁସୁମ ଉଆଁସୀ କନ୍ୟା; ସୁତରାଂ ବର ମିଳିବା ଦୁଷ୍କର ହୋଇଅଛି । କାହିଁକି କେଜାଣି ନନ୍ଦଙ୍କ ସଙ୍ଗରେ ବନ୍ଧୁବାବୁଙ୍କର ଅଭେଦ ପ୍ରୀତି । ଥଟା ଟାପରା ଚଳିବା ସକାଶେ ଉଭୟେ ଗୋଟାଏ ମଧୁର ସମ୍ପର୍କରେ ଆବଦ୍ଧ ହୋଇ ଅଛନ୍ତି ।

 

ଦାସଙ୍କ ବୟସ ଚାଳିଶର ଆରପାଖ । ସେ ସୁପୁରୁଷ ନ ହେଲେହେଁ ଅସୁନ୍ଦର ନୁହନ୍ତି । ଧନୀ ଲୋକଙ୍କୁ ଅସୁନ୍ଦର ବୋଲି କହିବା ଘୋର ଅନ୍ୟାୟ ଏବଂ ଆଇନ ବିରୁଦ୍ଧ । ଯାହାର ଧନ ଅଛି, ତାହାର ସବୁ ସୁନ୍ଦର । ସୌନ୍ଦର୍ଯ୍ୟର ଏହି ମୌଳିକ ତତ୍ତ୍ୱ ଯେ ନ ଜାଣେ ସେ ବଡ଼ ଅରସିକ । ଦାସେ ଉଜ୍ଜ୍ୱଳ ଗୌରବର୍ଣ୍ଣ । ତାଙ୍କର ଶରୀର ପୃଥୁଳ, ଏପରି ସେପରି ପୃଥୁଳ ନୁହେଁ, ଉଦରଟିର ପରିଧି ସାର୍ଦ୍ଧତିନି ହସ୍ତରୁ ଊଣା ନୁହେଁ । ଶରୀର ଏବଂ ଉଦର ତୁଳନାରେ ମସ୍ତକ ତାଳ ସଙ୍ଗରେ ତିଳ ପରି । ନିଶ ହଳକ ନାକକୁ ବେଶ୍‌ ମାନେ । ଦାସେ ଦେଖିବାକୁ ଠିକ୍‌ ଯେପରି ହସ୍ତପଦବିଶିଷ୍ଟ ଗୋଟାଏ ବୃହତ୍‌ ପେଣ୍ଡୁ । ନାଭିକୂପରେ ଲୋଟାଏ ପାଣି ଧରିପାରେ । ତାଙ୍କର କଥା କହିବାରେ ସୁଦ୍ଧା ବୈଚିତ୍ର ଅଛି । କି ସ୍ୱର, କି ବ୍ୟଞ୍ଜନ ସବୁ ବର୍ଣ୍ଣ ତାଙ୍କର ନାସିକାରୁ ଉଚ୍ଚାରିତ ହୁଏ । ଏ ହେତୁ ତାଙ୍କ ନିକଟରେ ଚନ୍ଦ୍ରବିନ୍ଦୁର ଭାରି ଆଦର । କଥା କହିବାବେଳେ ମଧ୍ୟେ ମଧ୍ୟେ ‘‘କଣତି’’ ଯୋଗ ନ କଲେ ସେ କହିପାରନ୍ତି ନାହିଁ । ଗୋଟାଏ ବାକ୍ୟ ମଧ୍ୟରେ ଏକାଧିକ ‘‘କଣତି ଥାଏ । ସେହି ଶବ୍ଦଟି ତାଙ୍କର ବାକ୍ୟରେ ଅମୂଲ୍ୟ ଅଳଙ୍କାରସ୍ୱରୂପ । ବଚନ ଖୁବ୍‌ ଗମ୍ଭୀର, ଯେପରି ବ୍ରହ୍ମବାଦୀର ବେଦଧ୍ୱନି । ଦାସେ ବିଦ୍ୟାର ସମ୍ପର୍କ ଏ ଜନ୍ମକୁ ରଖି ନାହାନ୍ତି– ଗତ ଜନ୍ମରୁ ତୁଟାଇ ଦେଇ ସାରିଅଛନ୍ତି ।

 

ଦିନେ ସକାଳେ ବନ୍ଧୁ ବାବୁ ଗୋଟାଏ ଚୌକିରେ ବସି ଧୂମ୍ରପାନ କରୁଥିଲେ । ଚୌକିଖଣ୍ଡି ଅଧା ଖଟ ପରି, ତଥାପି ବାବୁଙ୍କର ପୃଥୁଳ ଶରୀର ସେଥିରେ ନ ଧରି ଚାରି ପାଖକୁ କିଛି କିଛି ବାହାରି ପଡ଼ିଥିଲା । ସକାଳୁ ଉଠି ସଇସ ଘୋଡ଼ାକୁ ମର୍ଦ୍ଦନ କଲାପରି ଜଣେ ଭଣ୍ଡାରୀ ତାଙ୍କର ଗୋଡ଼, ହାତ, ପେଟ, ପିଠି, ବେକ ଯଥା ତଥା ମର୍ଦ୍ଧନ କରି ଯାଉଅଛି । ଘଷି ତାଡ଼ିଲା ପରି ଚଟ ଚାଟ ଶବ୍ଦ ଉଛୁଳି ପଡ଼ୁଛି । ଏହି ସମୟରେ ନନ୍ଦେ ଆସି ପହଞ୍ଚିଗଲେ । ସେ ଭଣ୍ଡାରୀକୁ ଲକ୍ଷ୍ୟ କରି କହିଲେ– ‘‘ମାର୍‌ ମାର୍‌, ଆହୁରି ଖୁବ୍‌ କଷିକରି ମାର ।’’ ବନ୍ଧୁବାବୁ ଟିକିଏ ହସିଦେଇ କହିଲେ– ‘‘କିଁ ଏଁ, ନଁ ନ୍ଦେ ଆଁ ପଁ ଣେଁ ନାଁ, କଁ ଅଁ ତିଁ ଦଁ ଣ୍ଡ ବଁ ତଁ, ବଁ ସଁ ବଁ ସଁ ।’’ ନନ୍ଦେ ଗୋଟାଏ ଲଘୁ ‘ଆଶୀର୍ବାଦ କରି କହିଲେ– ‘‘ଭଗବାନ ତୁମ୍ଭଙ୍କୁ ସକାଳୁ ଭଣ୍ଡାରୀ କହୁଣୀରୁ ରକ୍ଷା କରନ୍ତୁ ।’’ ବନ୍ଧୁବାବୁ ମୃଦୁ ସଲଜ୍ଜ ହାସ୍ୟରେ କହିଲେ– ‘‘ବଁ ସଁ ହେଁ, କଁ ଅଁ ତିଁ ବଁ ସଁ ।’’ ନନ୍ଦେ କୃତ୍ରିମ କ୍ରୋଧ ପ୍ରକାଶପୂର୍ବକ କହିଲେ– ‘‘କଅଣ ହେ, ସକାଳଟାରୁ ବଅଁଶ ବଅଁଶ କଅଣ କହୁଛ, ବଅଁଶ କଅଣ କଲା ? ଚୋରି କଲା ନା ହାଣ୍ଡିରେ ଖାଇଲା ? କି ପାପ କରି ତ ଭଣ୍ଡାରୀ ହାତରୁ କହୁଣି ଖାଉଛ, ତାହା ଉପରେ ପୁଣି ବ୍ରାହ୍ମଣର ବଂଶ ଉଠାଇବା କି ଭଲ କଥା ?’’ ବନ୍ଧୁବାବୁ ସେହିପରି ବ୍ୟାଜବିରକ୍ତି ପ୍ରକାଶ କରି କହିଲେ– ‘‘ବଁ ସଁ ହେଁ, ବଁ ସଁ, କଁ ଣଁ ତିଁ ବୁଁ ଢ଼ାଁ ହେଁ ଲଁଣିଁ, ତେଁ ବେଁ ବିଁ କଁ ଣଁ ତିଁ ଥଁ ଟାଁ ଟାପଁରାଁରେ ଏଁ ତେଁ ରଁ ସଁ ।’’ ଏ ‘‘ଚନ୍ଦ୍ର ବିନ୍ଦୁ’’ ଆଉ ‘‘କଣତି’’ ଜାଳାରେ ପାଠକ ଅସମ୍ଭାଳ ହୋଇ ପଡ଼ିଥିବେ; ସୁତରାଂ ସେଗୁଡ଼ିକ ଛାଡ଼ି କଥାଟା ସରଳ ଭାବରେ କହିଯିବା ଉଚିତ । ନନ୍ଦେ ପଚାରିଲେ– ‘‘କାହିଁକି ଡାକରା ହୋଇଥିଲା ?’’ ବନ୍ଧୁ ବାବୁ କହିଲେ– ‘ବସ ହେ, ଏତେ ତର ତର କାହିଁକି, କି କାମ ଅଛି କି? ଭେଣ୍ଡିଆ ପୁଅକୁ ଘରେ ବସାଇ ଧାଇଁ ଧାଇଁ ମରୁଚ କାହିଁକି ? ଯଜମାନ ଭାର ତାକୁ ଦେଉ ନାହଁ ? ଏତେଦିନ ଯାଏ ବିବାହର ନାମ ତ ସୁଦ୍ଧା ଧରିବାକୁ ନାହିଁ । ମଣିଷ ଜୀବନ କି ଚିର ? ତୁମ୍ଭର ଯେବେ ଭଲ ମନ୍ଦ ହୋଇଯାଏ, ତେବେ ତାହାର ଦଶା କଅଣ ହେବ, ଭାବିଛ କି ?’ ନନ୍ଦେ ତାଟଙ୍କା ଦୃଷ୍ଟିରେ ତାଙ୍କ ମୁହଁକୁ ଅନାଇ ରହି କି ଭେଣ୍ଡିଆ, ପୁଣି ତାହାର ବୟସ ଗଡ଼ିଗଲା ! ଏ କି ଅଦ୍ଭୁତ ହିତୈଷିତା । ଏହା ଭାବି କହିଲେ– ହଁ ତାହା ପଛେ ଭାବିବି, ଆଗେ ଡାକିଚ କାହିଁକି କହ ।’’ ବନ୍ଧୁବାବୁ କହିଲେ– ‘‘ଗୋଟାଏ ସୃଷ୍ଟିକର ଔଷଧ କରିବାକୁ ହେବ– ଯହିଁରେ ମନ ଚଞ୍ଚଳ ହେବ, ଶରୀର ହୃଷ୍ଟପୃଷ୍ଟ ହେବ ।’’ ନନ୍ଦେ ଏହା ଶୁଣି ଆଶ୍ଚର୍ଯ୍ୟ ହେଲେ ଏବଂ ମନେ ମନେ ଭାବିଲେ– ‘‘ଏବେ ତ ବାଘ ଖାଇଲେ ବର୍ଷେ ଖାଇବ, ଦେହଟା କେଉଁଠି ବାଉଁଶ ପତ୍ର ପରି ହଲୁଛି ଯେ, ଔଷଧ ଖାଇ ଆହୁରି ମୋଟା ହେବାକୁ ଇଚ୍ଛା ।’’ ମାତ୍ର ଏ ଭାବ ଗୋପନ କରି କହିଲେ– ‘‘ଆଚ୍ଛା ହେଉ, ଭଲ ଦିନ ଦେଖି ରଘୁ ଛାଟେର ବୈଦ୍ୟକୁ ଡାକି ଗୋଟାଏ ତାଲିକା କରିବା । ଏତଲାଟରେ ଯେତେ ବୈଦ୍ୟ ଅଛନ୍ତି, ସମସ୍ତେ ରଘୁ ତଳେ ।’’ ବନ୍ଧୁବାବୁ ଭଣ୍ଡାରୀକୁ ବିଦା କରିଦେଇ ଅନୁଚ୍ଚସ୍ୱରରେ କହିଲେ– ‘‘ଆଉ ଗୋଟାଏ କଥା ଅଛି; ବଡ଼ ଗୋପନୀୟ । ଆମ କୁସୁମର କୋଷ୍ଟୀଖଣ୍ଡ ବଦଳେଇବାକୁ ହେବ । ଗୋଟିଏ ଖୁବ୍‌ ଭଲ ଜାଗାରୁ ଖଣ୍ଡେ ବର କୋଷ୍ଠୀ ଆସୁଛି, ତାହା ସଙ୍ଗରେ ଯିମିତି ଠିକ୍‌ ମେଳ ଘଟିବ । ମୁଁ ବଡ଼ ହରବର ହେଲିଣି, ଏତକ ଯିମିତି ହେଉ କରିବାକୁ ହେବ । ଜଣେ ବିଶ୍ୱାସୀ ଜ୍ୟୋତିଷ ଦରକାର, ତୁମେ ଯାହା କହିବ, ମୁଁ ତାହା ତାକୁ ପୁରସ୍କାର ଦେବି ।’’ ନନ୍ଦେ ଏହା ଶୁଣି ଦଣ୍ଡେ ଯାଏଁ ଊର୍ଦ୍ଧ୍ୱ ଦୃଷ୍ଟିରେ କଅଣ ଭାବିଲେ, ତହିଁପରେ ‘‘ହେଉ, ବୁଝିବି’’ ବୋଲି କହି ସେଠାରୁ ପ୍ରସ୍ଥାନ କଲେ । ଯାଉଁ ଯାଉଁ ଭାବିଲେ– ‘‘ହାୟ, ଏ ପ୍ରତାରକମାନେ କି ଭଗବାନଙ୍କ ପବିତ୍ର ହସ୍ତର ସୃଷ୍ଟି ନୁହନ୍ତି ? ଭଗବାନ ଏମାନଙ୍କୁ ମନୁଷ୍ୟର ଅବୟବ ଦେଇ ମନୁଷ୍ୟତ୍ୱରୁ ବଞ୍ଚିତ କରନ୍ତି କାହିଁକି ? ନିଜ ସନ୍ତାନର ଯେ ଏଭଳି ଅମଙ୍ଗଳ କରିପାରେ ତାହାର ଅସାଧ୍ୟ କାର୍ଯ୍ୟ କଅଣ ଅଛି ? ଏ ପାପ କାର୍ଯ୍ୟରେ ମୁଁ ପୁଣି ସହାୟତା କରିବି, ଛି ଏମାନଙ୍କ ମୁଖାବଲୋକନ ମହାପାପ । ଝିଅର କୋଷ୍ଠୀ ଟାଣ ହେଲେ ସେହି ଭଳି ତା ତହୁଁ ବଳି ଟାଣ କୋଷ୍ଠୀର ପାତ୍ର ସଙ୍ଗେ ବିବାହ ଦେବା ଉଚିତ । ସେଥିରେ କନ୍ୟା ଜାମାତା ଉଭୟର ମଙ୍ଗଳ । ତାହା ନ କରି ଝିଅ ବଡ଼ ଘରେ ପଡ଼ିଲେ ମାନମର୍ଯ୍ୟଦା ନଷ୍ଟ ହେବ ନାହିଁ ବୋଲି ତାହାର ଭବିଷ୍ୟତ ଗ୍ରାସ କରିବା କି ଉଚିତ ? ସନ୍ତାନର ଜୀବନ ଏବଂ ସୁଖସ୍ୱାଚ୍ଛନ୍ଦ୍ୟଠାରୁ ମାନର ମୂଲ୍ୟ କି ଏ ପାଷାଣ୍ଡମାନଙ୍କ ନିକଟରେ ଏତେ ଅଧିକ ?’’ ଏହିପରି ନାନା କଥା ଭାବି ଭାବି ନନ୍ଦେ ଆସି ଗୃହରେ ଉପସ୍ଥିତ ହେଲେ ।

Image

 

ଦ୍ୱାଦଶ ପରିଚ୍ଛେଦ

 

ଅଗାଡ଼ି ବହୁଳ ଧାନ ଛିଞ୍ଚାରୁ ଶୁକପକ୍ଷୀ ଧାନଟି ବାଛି ନେଲା ପରି ପଣ୍ଡିତମାନେ ଅସାର ତ୍ୟାଗ କରି ସାରଟିକ ଗ୍ରହଣ କରନ୍ତି । ବନ୍ଧୁ ବାବୁଙ୍କ କଥା ମଧ୍ୟରୁ ସନାତନର ବିବାହ ପ୍ରସଙ୍ଗଟାକୁ ବାଛି ନେଇ ନନ୍ଦେ ତାହା ଆଲୋଚନା କରିବାକୁ ଲାଗିଲେ । ମନେ ମନେ କହିଲେ, ‘‘ସତେ ତ ପୁଅର ବିବାହ କଥା ମୁଁ ଅଦ୍ୟାବଧି ମନକୁ ଆଣି ନାହିଁ । ମନୁଷ୍ୟର ଜୀବନ ବୃକ୍ଷଚ୍ଛାୟା ପରି ଅସ୍ଥାୟୀ-। ତାହା ଦିବସରେ ଥାଏ, ସନ୍ଧ୍ୟାରେ କୁଆଡ଼େ ମିଳେଇଯାଏ । ଏଡ଼େଗୋଟା, ଦାୟିତ୍ୱ ମୋ ମୁଣ୍ଡ ଉପରେ ଅଛି, ସେଥିପ୍ରତି ମୋର ଆଦୌ ଲକ୍ଷ୍ୟ ନାହିଁ । ଏତେ ଦିନଯାଏ ମୋତେ କେହି ମଧ୍ୟ ସ୍ମରଣ କରାଇ ଦେଇ ନାହାନ୍ତି । ସାନ ବୋହୂ ତ କେଉଁ କଥାରେ ଥାଏ ନାହିଁ, ସବୁବେଳେ ନାନୀ ନାନୀ ବୋଲି ଅଥୟ, ତାହା କଥା ଛିଡ଼ିଦିଅ । ମାତ୍ର ଶେଫାଳିକା ତ ସୁଦ୍ଧା କେବେ କହି ନାହାନ୍ତି । ସେ କଅଣ ତେବେ ମୋହରି ପରି ଉଦାସୀନ ଅଛନ୍ତି, ନା ମୋ ପାଖରୁ ସେ କଥା ଆଗେ ବାହାର କରାଇବା ଇଚ୍ଛାରେ ନୀରବ ଅଛନ୍ତି ? ତାଙ୍କ ସର୍ବଦର୍ଶୀ ଚକ୍ଷୁ ଆଗରେ କିଛିହିଁ ତ ଲୁଚି ରହିବାର ନୁହେଁ । କେଜାଣି, ରହସ୍ୟମୟୀର କି ରହସ୍ୟ । ଯାହାହେଉ କଥାଟା ପକାଇ ମତାମତ ବୁଝବା ଉଚିତ । ନନ୍ଦେ ଏହିପରି ଭାବନା ମଧ୍ୟରେ ସ୍ନାନ, ପୂଜା, ଭୋଜନାଦି ଶେଷକରି ମାଧ୍ୟାହ୍ନିକ ବିଶ୍ରାମ ସକାଶେ ଶଯ୍ୟାର ଆଶ୍ରୟ ଗ୍ରହଣ କଲେ । କିନ୍ତୁ ନିଦ୍ରା ହେଲା ନାହିଁ, ଏ ପାଖ ସେ ପାଖ ଗଡ଼ି ହେଲେ । ଉତ୍କଣ୍ଠାକୁଳ ଚିତ୍ତକୁ ନିଦ୍ରାଦେବୀ ସ୍ପର୍ଶ କରନ୍ତି ନାହିଁ । ଚିନ୍ତା ସଙ୍ଗରେ ଯାହାର ଅହିନକୁଳ ସମ୍ପର୍କ, ସେ କି ଚିନ୍ତାର ପାଖ ପଶିବ ? ଶେଷରେ ନନ୍ଦେ ବିରକ୍ତ ହୋଇ ନିଦ୍ରା ପ୍ରତି ଗୋଟାଏ କଟୁ ମନ୍ତବ୍ୟ ପ୍ରକାଶପୂର୍ବକ ଉଠି ବସି ଶେଫାଳିକାଙ୍କୁ ଡାକିଲେ । ସତୀ ଆସି ପତି ପାର୍ଶ୍ୱରେ ବସିଲେ । ନନ୍ଦେ କହିଲେ– ‘‘ତୁମକୁ ଗୋଟାଏ କଥା ପଚାରିବି ବଡ଼ ବୋହୂ । ମୁଁ ଭାବିଛି, ପୁଅର ବିଭାଘର ଶୀଘ୍ର କରିଦେଲେ ଭଲ, ଏଥିରେ ତୁମ୍ଭର ମତ କଅଣ ?’’

ଶେଫାଳିକା– ଏତ ଖୁବ୍‌ ଭଲ କଥା, ଏଥିରେ ଆଉ ମତାମତ କଅଣ ? ସନ୍ତାନର ମଙ୍ଗଳ କାର୍ଯ୍ୟରେ ମାତାର କି କେବେ ଅମତ ହୁଏ ? ମାତୃପ୍ରାଣ ତ ତାହା ଖୋଜୁଥାଏ । ବୋହୂ ଘରକୁ ଆଣିବି, ନାତି ନାତୁଣୀ ଦେଖିବି, ମୋ ଇଚ୍ଛାର ତ ଏତିକି ଆଉ ବାକୀ ଅଛି ।

ନନ୍ଦେ– ତେତିକି ପୂର୍ଣ୍ଣ ହେଲେ ବୈକୁଣ୍ଠକୁ ଯିବ ।

ଶେଫାଳିକା– ନା, ବୈକୁଣ୍ଠ ମୋର ଲୋଡ଼ା ନାହିଁ । ବୈକୁଣ୍ଠରେ ସୁଖ ଆଉ ଆନନ୍ଦ ଏହି ଦୁଇଟି ଅଛି । ସେହି ଦୁଇଟି ପଦାର୍ଥ ଆଉ କେଉଁଠି ମିଳେ, ତେବେ ସେ ସ୍ଥାନ ବି ତ ବୈକୁଣ୍ଠ ? ପୁଅକୁ ଯେପରି ପାଳି ଲାଳି ମଣିଷ କଲି, ତାହାର ଫଳ ଫୁଲକୁ କାଖରେ କୋଳରେ ଲଗାଇ ସେହିପରି ହସାଇ ଖେଳାଇ ମନର ଆରିମାନ ମେଣ୍ଟାଇବି । ସେଥିରେ ଯେଉଁ ସୁଖ, ଆନନ୍ଦ, ସେପରି ସୁଖ, ସେପରି ଆନନ୍ଦ ବୈକୁଣ୍ଠରେ ଅଛି କି ? ସେହି ମୋର ତୀର୍ଥ, ସେହି ମୋର ବୈକୁଣ୍ଠ, ସେହି ମୋର ସବୁ । ବୈକୁଣ୍ଠ ବୋଲି ଗୋଟାଏ ଅଲଗା ଜାଗା ଅଛି କି ନାହିଁ ମୁଁ ଜାଣେ ନାହିଁ । ତେବେ ଏତିକି ଜାଣେ ଯେ, ପୃଥିବୀରେ ମଧ୍ୟ ବୈକୁଣ୍ଠ ଅଛି । ଦେହକେ ସେ ବୈକୁଣ୍ଠ ଭୋଗ କରାଯାଏ । ସେ ଯାହା ହେଉ ପଛକେ, ପୁଅର ମୁଁ ଯେପରି ମତିଗତି ଦେଖୁଛି, ସେଥିରୁ ମୁଁ ବୁଝୁଛି ଯେ, ଚଞ୍ଚଳ ତାକୁ ହାତଛନ୍ଦା କରି ପକାଇବା ଦରକାର ।

ନନ୍ଦେ– ମତିଗତି କିପରି ଦେଖୁଛ ? ସେ ତ ମନ୍ଦ ପିଲା ନୁହେଁ ?

ଶେଫାଳିକା, ମୁଁ କଅଣ ତା ଜାଣେ ନାହିଁ ? ମତିଗତି କଅଣ ଖାଲି ମନ୍ଦ ଆଡ଼କୁ ଯାଏ, ଭଲ ଆଡ଼କୁ ଯାଏ ନାହିଁ? ହାୟ ମୋ ପୋଡ଼ାକପାଳ, ଦେବକୁମାର ପରି ପୁଅ ମୋର, ସେ ମନ୍ଦ ହେବାକୁ କାହିଁକି ଯିବ, ତାହାର ଶତ୍ରୁ ମନ୍ଦ ହେଉ ।

ନନ୍ଦେ– ତେବେ ଆଉ କଅଣ କହୁଛ ସଫା କହୁ ନାହଁ ? ଶେଫାଳିକା– କଅଣ କହୁଛି କି, ପିଲାଦିନରୁ ତ ସେ ଉଦାସ । ସେହି ଭାବ ତାହାର ଏଣିକି ବଢ଼ିଉଠୁଛି । ସବୁବେଳେ ବସି ସେ କଅଣ ଭାବେ । ଖାଲି ପୂଜାପାଠ ଛଡ଼ା ଆଉ କାହିଁରେ ତାହାର ମନ ନାହିଁ । ସେଥିଲାଗି କହୁଛି– ବିଭା କରାଇ ପକାଇଲେ ତାହାର ସେ ଉଦାସ ଭାବ ଭାଙ୍ଗିଯିବ । ଉପରେ ଭାର ପଡ଼ିଲେ ସେ ବୁଝିବ ଯେ, ସଂସାରରେ ତାହାର ଗୁରୁତର ଦାୟିତ୍ୱ ଅଛି ।

ନନ୍ଦେ– ଯାହା କହିଲ ସତ ବଡ଼ବୋହୁ, ମୁଁ ବି ତାହାର ଗୋଟାଏ ନିର୍ଲିପ୍ତ ଭାବ ଦେଖୁଛି-। ସତେ ସେ ଏତେ କଅଣ ଭାବେ, ଆଉ ତାହାର ଅଭାବ ବା କଅଣ ? ଯେତେବେଳେ ସେ ଧ୍ୟାନ କଲା ପରି ଅପଲକ ନେତ୍ରରେ ଚାହିଁ ବସିଥାଏ, ତେତେବେଳେ ବୋଧହୁଏ– ତାହାର ମନ ଯେପରି ପୃଥିବୀରେ ନାହିଁ, କେଉଁ ଅଜ୍ଞାତ ରାଜ୍ୟରେ ଅଜ୍ଞାତ ସମ୍ୱାଦ ସଂଗ୍ରହ କରିବାରେ ବ୍ୟସ୍ତ ଅଛି । ମନ ଏପରି ଉଦାସୀନ ହେଲେ ସେ ଗୃହସ୍ଥାଶ୍ରମ କରିବ କିପରି ? ତୁମେ ଯାହା କହିଲ ହାତଛନ୍ଦା କରିଦେଲେ ମନ ବଦଳିଯିବ; ତାହା ଠିକ୍‌ । ମୁଁ ପାତ୍ରୀ ଅନୁସନ୍ଧାନ କରେଁ, ଆସନ୍ତା ମାଘ ଫଗୁଣରେ ବିଭାଘର କରିଦେବା ।

ଆନନ୍ଦରେ ଶେଫାଳିକାଙ୍କର ଗୋଡ଼ ତଳେ ପଡ଼ୁ ନାହିଁ । ତାଙ୍କ ସାନ ବୋହୂଟିଏ ଆସିବ, ସେ ବୋହୂର ଶାଶୁ ହେବେ, ନାରୀ ସୌଭାଗ୍ୟର ଚୂଡ଼ାନ୍ତ ଆଉ କଅଣ । ସୌଦାମିନୀକୁ ଏ ଶୁଭ ସମ୍ବାଦ ଦେବାକୁ ସେ ଧାଇଁଲେ । ଗୃହାନ୍ତରରେ ସପତ୍ନୀକୁ ଦେଖି ସହାସ୍ୟ ମୁଖରେ କହିଲେ– ‘‘ସଦୂ, ଗୋଟାଏ ଶୁଭ ଖବର କହିବି, ମୋତେ କଅଣ ଦବୁ କହ ।’’ ସୌଦାମିନୀ କହିଲା– ‘‘ପଦାର୍ଥ ନ ଦେଖି ଆଗରୁ କିଏ ଦର ଛିଡ଼ାଏ ନାନୀ ?’’ ‘‘ଦୂର୍‌ ପୋଡ଼ାମୁହୀଁ, ତେବେ ଶୁଣ, ମୋ ବାୟାର ବାହାଘର ହେବ ।’’ ଶେଫାଳିକା ଏହା କହି ସଉତୁଣୀଙ୍କ ମୁହଁକୁ ଅନାଇ ହସିବାକୁ ଲାଗିଲେ । ସୌଦାମିନୀ ବିମ୍ୱାଧରରେ ହାସ୍ୟର ସୌଦାମିନୀ ଖେଳାଇ ଦେଇ ଅଧୀର ଆନନ୍ଦରେ କହିଲା– ‘‘ସତ ନା ନାନୀ ? କାହାଠଉଁ ଶୁଣିଲ ?’’ ଶେଫାଳିକା କହିଲେ– ‘‘ହଁ ଲୋ ସତ, ତା ବାପ କହୁଥିଲେ, ସେ କନ୍ୟା ଖୋଜୁଛନ୍ତି– ମାଘ ଫଗୁଣରେ ବିଭାଘର ହେବ ।’’

ସୌଦାମିନୀ– ଆଚ୍ଛା ହେବ ନାନୀ, ବେଶ୍‌ ହେବ; ମୁଁ ଡାଲିଭାତ ଖାଇବି ।

ଶେଫାଳିକା– ଡାଲିଭାତ ଖାଇବୁ ? ପୁଅ ବାହାଘରରେ ମାର ଡାଲିଭାତ ଖାଇବା ଛଡ଼ା ଆଉ ପରା କିଛି ନାହିଁ ?

ସୌଦାମିନୀ– କିଏ ମା ନାନୀ ? ପୁଅ ତମର ନା ମୋର ? ଖାଲି ଜନ୍ମକଲେ କି ମା ହୁଅନ୍ତି । ମାତୃ କର୍ତ୍ତବ୍ୟ ମୁଁ କଅଣ କରେଁ ଯେ, ମୋର ଅଧିକାର ଦାବୀ କରିବି ? ମୁଁ ସେ କର୍ତ୍ତବ୍ୟ କରିପାରିବି ନାହିଁ, କି ସେ ଅଧିକାର ଚାହେଁ ନାହିଁ । ପୁଅ ତମର, ତା କଥା ତମେ ଜାଣ, ମୁଁ ଜଞ୍ଜାଳରୁ ଖଲାସ ।

ଶେଫାଳିକା– କଅଣ କହିଲୁ, ତୁ ସେ ଜଞ୍ଜାଳରୁ ଖଲାସ ? ମୋ ଉପରେ ସବୁ ଲଦି ଦେଇ ତୁ ପରା ନିଶ୍ଚିନ୍ତ ? ଆଉ ମୁଁ ମରିଗଲେ ?

ସୌଦାମିନୀ– ତମ ଗୋଡ଼ତଳେ ପଡ଼ୁଛି ନାନୀ, ସେ କଥା କୁହ ନାହିଁ ।

ସୌଦାମିନୀର ନେତ୍ର ଛଳ ଛଳ ହୋଇ ଆସିଲା, କେତେ ଟୋପା ଲୁହ ମଧ୍ୟ ଝରିପଡ଼ିଲା । ଶେଫାଳିକା ସପତ୍ନୀକୁ ପାଖକୁ ଟାଣି ଆଣି ପଣତ କାନିରେ ତାହାର ଲୁହ ପୋଛିଦେଇ ସ୍ନେହ–ସଜଳ କଣ୍ଠରେ କହିଲେ– ‘‘ତୋର ପିଲାବୁଦ୍ଧି ଆଉ କେବେ ଛାଡ଼ିବୁ ସଦୂ ? ବିଧାତା କି ତୋ ଆଖିରେ ଅଶ୍ରୁ–ସମୁଦ୍ର ରଖି ଦେଇଛି ? କଥା କଥାକେ ତୁ କାନ୍ଦିପକାଉ କାହିଁକି ? ନା ନା, ମୋ ସୁନା ଭଉଣୀଟା, ଆଉ କାନ୍ଦ ନା । ତୋ ନାନୀ ମରିବ ନାହିଁ, କୁଆପରି ଅମର ଳଡ଼ୁ ଖାଇ ସେ ଯୁଗେ ଯୁଗେ ବଞ୍ଚିଥିବ ।’’ ଏହା ଶୁଣି ସୌଦାମିନୀ ଫକ୍‌ କରି ହସିଉଠିଲା । ଅଶ୍ରୁମୁଖରେ ହାସ୍ୟ ବୃଷ୍ଟିସିକ୍ତ ରୌଦ୍ରପରି ବଡ଼ ସୁନ୍ଦର, ବଡ଼ ମଧୁର । ସପତ୍ନୀର ଏହି କଥା ମଧ୍ୟରେ କି ଅନାବିଳ ଅମୃତ ଅଛି, ତାହା ସେହି ଜାଣେ । ସେହି ଅମୃତରେ ସର୍ବଦା ଅଭିଷିକ୍ତ ହୋଇ ସେ ଆତ୍ମବିସ୍ମୃତ ଏବଂ ଆତ୍ମବିକ୍ରିତ ।

ବିବାହ ପ୍ରସଙ୍ଗ ପ୍ରଥମତଃ ଫୁଟ୍‌ଫାଟ୍‌ ଭୁଟ୍‌ଭାଟ୍‍ରେ ଚାଲିଲା; ତହିଁପରେ ଆଉ ଅପ୍ରକାଶ ରହିଲା ନାହିଁ । ମାତ୍ର ସନାତନ କିଛି ଜାଣେ ନାହିଁ । ପିତାମାତା ଯେତେବେଳେ କଥାବାର୍ତ୍ତା ହୁଅନ୍ତି, ସେ ଅଲକ୍ଷ୍ୟରେ ଥାଇଁ କିଛି କିଛି ଶୁଣେ; ମାତ୍ର କାହାର ବିବାହ ବୁଝିପାରେ ନାହିଁ । ସେ ଦିନେ ଶେଫାଳିକାଙ୍କୁ ପଚାରିଲା– ବଡ଼ମା, କାହାର ବିବାହ ? ଶେଫାଳିକା ମୃଦୁ ହସି କହିଲେ, ‘‘କାହାର ବିବାହ ? ମୋର ଆଉ ପାଞ୍ଚଟା ଅଛି ନା ଦଶଟା ଅଛି, ଧାଇଁ ଧାଇଁ ତ ଖଣ୍ଡେ– ତୋର ବିବାହ ଆଉ କାହାର ।’’ ସନାତନ ମୁହଁ ତଳକୁ ପୋତି କୁଣ୍ଠିତ ସ୍ୱରରେ କହିଲା– ‘‘ମୋର ବିବାହ ? ନା ବଡ଼ମା, ସେ ଚେଷ୍ଟା ତୁ କରନା ।’’

ଶେଫାଳିକା– କି, କାହିଁକି କରିବି ନାହିଁ ?

ସନାତନ– ମୋର ଇଚ୍ଛାନୁହେଁ ?

ଶେଫାଳିକା– କାହିଁକି ଇଚ୍ଛା ନୁହେଁ ?

ସନାତନ– ମୋ ଗୋଡ଼ରେ କାହିଁକି ଗୋଟାଏ ବେଢ଼ୀ ପକାଇବୁ ?

ଶେଫାଳିକା– ବେଢ଼ୀ କଅଣରେ ? ସଂସାରରେ କଅଣ କେହି ବିଭା ହେଉ ନାହାନ୍ତି ?

ସନାତନ– କେଉଁଠି କିଏ ଗୋଟାଏ ଅପରିଚିତ ପରଲୋକ ଆସି ମୋର ଅବାଧ ସ୍ୱାଧୀନତା ହରଣ କରିବ । ତାହାପାଇଁ ବାପ ମା ପର ହେବେ । ନା ବଡ଼ମା, ମୁଁ ତ ହା ସହିପାରିବି ନାହିଁ ।

ଶେଫାଳିକା– ନା ବାବା ପର ନୁହେଁ । ପ୍ରଥମେ ସ୍ତ୍ରୀ ପୁରୁଷ ପରପରି ଅପରିଚିତ ଥାଆନ୍ତି ସତ; ମାତ୍ର ବିବାହ ମନ୍ତ୍ର ସେମାନଙ୍କୁ ଏକ କରିଦିଏ । ବୈଦିକ ମହାମନ୍ତ୍ରର ଶକ୍ତି ସାମାନ୍ୟ ନୁହେଁ ବାବା, ସେ ଶକ୍ତି ସ୍ତ୍ରୀ ପୁରୁଷକୁ ପ୍ରାଣେ ପ୍ରାଣେ ମିଶାଇ ଏକ କରିଦିଏ । ସତୀଶିରୋଭୂଷା ସାବିତ୍ରୀ ନିଜ ପରମାୟୁର ଭାଗ ଦେଇ ମୃତ ସ୍ୱାମୀଙ୍କୁ ବଞ୍ଚାଇଥିଲେ, ମହାରାଜାଧିରାଜ ରବିକୁଳରବି ଭାରତଭରସା ମହାତ୍ମା ଆଜି ନିଜ ଆୟୁର ଅଧେ ଦେଇ ପ୍ରିୟତମା ଇନ୍ଦୁମତୀଙ୍କୁ ଯମପୁରରୁ ଫେରାଇ ଆଣିଥିଲେ, ଏହା ଶାସ୍ତ୍ର କଥା, ମିଛ ନୁହେଁ ବାବା । ପର କି ପରକୁ ପରମାୟୁ ଦେଇପାରେ ? ହରଗୌରୀ ଏକମୂର୍ତ୍ତି । ଏଥିରୁ କି ଜଣାଯାଉ ନାହିଁ ଯେ, ସ୍ତ୍ରୀ–ପୁରୁଷ ପରସ୍ପରର ଅର୍ଦ୍ଧାଙ୍ଗ ଆଉ ଦୁହେଁ ମିଶି ଏକ । ଯେଉଁ ବୈଦିକ ମନ୍ତ୍ରର ମହାଶକ୍ତି ଅସାଧ୍ୟ ସାଧନ କରିପାରେ, ଦୁଇଟି ଜୀବନ ମିଶାଇ ଏକ କରି ଦେବା ତାହା ପକ୍ଷରେ ଅସମ୍ଭବ ନୁହେଁ । ଯେଉଁ ମନ୍ତ୍ରର ଅମୋଘ ଶକ୍ତିରେ ଘନ ଜଳ ବର୍ଷା କରେ, ଶୂନ୍ୟରୁ ଅଗ୍ନି ଜାତ ହୁଏ, ମୃତପିଣ୍ଡରେ ପ୍ରାଣ ସଞ୍ଚାର ହୁଏ, ସେ ଶକ୍ତି ଅଚିନ୍ତନୀୟ । ବିବାହଦ୍ୱାରା ଜୀବନ ପୂର୍ଣ୍ଣତା ପ୍ରାପ୍ତ ହୁଏ । ସେଥିପାଇଁ ସଂସାରରେ ବିବାହ ବିଧି ପ୍ରଚଳିତ ଅଛି । ଆଉ ସ୍ତ୍ରୀ ଲାଗି ବାପ ମା କାହିଁକି ପର ହେବେ ?

ସନାତନ– ସ୍ତ୍ରୀ ଘରକୁ ଆସିଲେ ବାପ ମା ପର ହେଉଛନ୍ତି, ଏହା ପ୍ରତ୍ୟକ୍ଷରେ ଦେଖାଯାଉଥିବାଠାରେ ଆଉ ସନ୍ଦେହ କଣ ଅଛି ? ରକ୍ଷାକର, ବଡ଼ମା, ମୁଁ ଜଣକର ଅଧୀନ ହୋଇପାରିବି ନାହିଁ ।

ଶେଫାଳିକା– କାହାର ଅଧୀନ କାହିଁକି ହେବୁ ?

ସନାତନ– ଯାହାର ଭାର ବହିବି, ତାହାର ଅଧୀନ ନ ହୋଇ ଆଉ କଣ ହେବି ?

ଶେଫାଳିକା– ତେବେ ସମସ୍ତେ ବିଭା ହୁଅନ୍ତି କାହିଁକି ? ବିବାହରେ ଯଦି କିଛି ମଙ୍ଗଳ ଉଦ୍ଦେଶ୍ୟ ନ ଥାନ୍ତା, ତେବେ ତ୍ରିକାଳଜ୍ଞ ଆର୍ଯ୍ୟ ମହର୍ଷିମାନେ ବିବାହ ବିଧି ଚଳାଇ ଥାଆନ୍ତେ କାହିଁକି-?

ସନାତନ– ଆର୍ଯ୍ୟ ମହର୍ଷିଙ୍କ ବିଧାନକୁ ମୁଁ ଦୋଷ ଦେଉ ନାହିଁ । ଯେଉଁମାନଙ୍କର ଅତୁଳ ପ୍ରଭାବ ଯୁଗେ ଯୁଗେ ଆର୍ଯ୍ୟ ସମାଜର ଗୌରବ ସମୁଜ୍ଜ୍ୱଳ କରି ରଖିଅଛି, ସେହି ମହାପୁରୁଷମାନଙ୍କର ମଙ୍ଗଳବିଧାନକୁ ଦୋଷାବହ ବୋଲିବା ମହାପାପ, ଏ ଶିକ୍ଷା ମୁଁ ତୋହରିଠାରୁ ପାଇଛି ବଡ଼ମା । ତେବେ ସମସ୍ତେ କଣ ଏକ ବାଟରେ ଚାଲିବେ ? ବିବାହ ପ୍ରଥା ଯେ ଚଳାଇ ଯାଇଛନ୍ତି, ଧର୍ମ ସାଧନର ବିବିଧ ପଥ ମଧ୍ୟ ସେ ଦେଖାଇ ଦେଇଅଛନ୍ତି । ଯେ ଯେଉଁ ପଥକୁ ସହଜ ମଣିବ, ସେ ସେହି ପଥରେ ଚାଲିବ । ସମସ୍ତେ ବିବାହ କରି ସଂସାରୀ ହେବେ, କେହି ସନ୍ୟାସୀ ହେବେ ନାହିଁ, ଏରୂପ ନିଷେଧାଜ୍ଞା ସେ ପ୍ରଚାର କରି ନାହାନ୍ତି ।

ଶେଫାଳିକା ପୁତ୍ରର ଏ ଯୁକ୍ତି ଖଣ୍ଡନ କରିବାକୁ ହଠାତ୍‌ କିଛି ପାଇଲେ ନାହିଁ । ତହୁଁ କୃତ୍ରିମ ରୋଷ ପ୍ରକାଶ ପୂର୍ବକ କହିଲେ– ‘‘ହଁରେ ଯା, କଥାରେ ତୋତେ କିଏ ପାରିବ । ଅଣ୍ଡା ଖଣ୍ଡେ, କେତେ ବାଗରେ କଥା କହୁଛି । ଏ ଗୋଟାଏ ମଣିଷ, ଏହାର ପୁଣି ଗୋଟାଏ ମତ ।’’ ଅନନ୍ତର ଶେଫାଳିକା ଉଠି ଅନ୍ୟତ୍ର ଚାଲିଗଲେ । ସନାତନ ହସି ହସି ଘରୁ ବାହାରି ଗଲା ।

ମାତାପୁତ୍ରର ଉପରୋକ୍ତ କଥାବାର୍ତ୍ତା ଯଥା– ସମୟରେ ନନ୍ଦଙ୍କର କର୍ଣ୍ଣଗୋଚର ହେଲା-। ସେ ପ୍ରଥମା ପତ୍ନୀଙ୍କୁ କହିଲେ– ‘‘ଯଦି ତାହାର ବିବାହରେ ମତ ନାହିଁ, ତେବେ ତାକୁ ଆଉ ଅଧିକ କହି ବାଧ୍ୟ କରିବା ଉଚିତ ନୁହେଁ । ସେଥିରେ ଫଳ ବିଷମ ହୋଇପାରେ । ଅନେକ ଲଜ୍ଜାଳୁ ବାଳକ ପ୍ରଥମତଃ ଏହିପରି କହିଥାନ୍ତି । କିନ୍ତୁ ପରେ ସେମାନଙ୍କ ଭାବଭଙ୍ଗୀରୁ ମତ ପରିବର୍ତ୍ତନ ଆଭାସ ମିଳେ । କେଉଁ ପାଣି କୁଆଡ଼କୁ ଯାଉଛି ଦେଖାଯାଉ । ପିଲାମତି ବଦଳି ଯିବା କିଛି ବିଚିତ୍ର ନୁହେଁ । ତମେ କିଛି ଆଶଙ୍କା କର ନାହିଁ । ନ ହେଲେ ତମର ଯଦି କିଛି ଭିନ୍ନ ମତ ଥାଏ, ତେବେ କହ ।’’ ଶେଫାଳିକା କହିଲେ– ‘‘ନା ମୋର ଅନ୍ୟ ମତ ନାହିଁ । ପୁଅ ତ ଆଉ ବୁଢ଼ା ହୋଇଯାଉ ନାହିଁ । ବର୍ଷେ କି ଛଅମାସ ଯାଉ, ଏତେ ତରତର କାହିଁକି ? ତେବେ ମୁଁ କହୁଛି କଅଣ କି, ବାହାଘର ପଛେ ବନ୍ଦ ଥାଉ; ମାତ୍ର କନ୍ୟା ଖୋଜିବାରେ ତମେ ହେଳା କରନାହିଁ ।’’ ନନ୍ଦେ କହିଲେ– ‘‘ନା, ସେଥିରେ କି ହେଳା କରାଯାଏ ।’’

ସନାତନ ସେବାଶ୍ରମ ସଙ୍ଗରେ କ୍ରମେ କ୍ରମେ ନିଜକୁ ନିବିଡ଼ ଭାବରେ ଜଡ଼ିତ କରି ପକାଇଲା । କିଛିଦିନ ପରେ ସେ ମନେ ମନେ ଭାବିଲା– ‘‘ଗୋଟାଏ କାର୍ଯ୍ୟରେ ଆବଦ୍ଧ ରହିବା ମୋ ପକ୍ଷରେ ଉଚିତ ନୁହେଁ । ବୃଦ୍ଧ ପିତାଙ୍କ ଅନ୍ନ ଧ୍ୱଂସ କରି ତାଙ୍କୁ ସାହାଯ୍ୟ ନ କରିବା ଘୋର ଅନ୍ୟାୟ । ଗୃହ କର୍ମ ସୁଦ୍ଧା ଦେଖିବା ଆବଶ୍ୟକ । ଲୋକସେବା ପରି ତାହା ମଧ୍ୟ ମାନବର ଧର୍ମ । କିନ୍ତୁ ତାହା କରିବାକୁ ଗଲେ ଏଣେ ଆଶ୍ରମଟି ଅଚଳ ହୋଇଯିବ । ସେ ଭାର କାହା ଉପରେ ଦେବି, ସେ ଭଳି ଉପଯୁକ୍ତ ପାତ୍ର ତ ଦେଖୁ ନାହିଁ । କର୍ମୀର ଅଭାବ ନାହିଁ; କିନ୍ତୁ ଆନ୍ତରରିକତା କେତେ ଜଣଙ୍କର ଅଛି ।’’ ଏହିପରି ଭାବି ସେ ଦିନେ ସହକର୍ମୀମାନଙ୍କୁ କହିଲା– ‘‘ଭାଇମାନେ, ମୋର ଗୋଟାଏ ପ୍ରଶ୍ନର ଉତ୍ତର ତୁମ୍ଭମାନଙ୍କୁ ଦେବାକୁ ହେବ । ପ୍ରଶ୍ନ ଏହି ଯେ, ମାନବଜୀବନ ଭଙ୍ଗୁର କାଚଫଳକ ପରି, ସାମନ୍ୟ ଆଘାତରେ ଚୂର୍ଣ୍ଣ ହୋଇଯାଏ । ସଂସାରରେ କେହି ଚିରଜୀବୀ ନୁହେଁ । ଯଦି ମୋର କିଛି ଭଲ ମନ୍ଦ ଘଟିଯାଏ, ତେବେ ତୁମ୍ଭେମାନେ ଆଶ୍ରମ ଚଳାଇ ପାରିବତ ?’’ ସହକର୍ମୀମାନେ ବିଷାଦବୋଳା କଣ୍ଠରେ କହିଲେ– ‘‘ଭାଇ, ତାହା କହନା, ଆମ ସମସ୍ତଙ୍କ ପରମାୟୁ ଘେନି ତୁ ବଞ୍ଚିଥା । ତୋର ଏ ପ୍ରଶ୍ନର ଉତ୍ତର ଦେବାକୁ ଆମ୍ଭେମାନେ ଦୁଃଖିତ । ତଥାଚ ଯେବେ ତୋର ଶୁଣିବାକୁ ନିତାନ୍ତ ଇଚ୍ଛା ଥାଏ ଏବଂ ନ ଶୁଣିଲେ ତୁ ଛାଡ଼ିବୁ ନାହିଁ, ତେବେ ଅନିଚ୍ଛା ସତ୍ତ୍ୱେ ଏକାନ୍ତ ବାଧ୍ୟ ହୋଇ କହୁଅଛୁଁ ଯେ, ତୋର ଏ ପାଗଳାମି ଆଜି କାହିଁକି ? ଈଶ୍ୱର ତାହା ନ କରନ୍ତୁ, ଯଦି କେବେ ଦୁର୍ଭାଗ୍ୟବଶତଃ ଆଶ୍ରମ ସଙ୍ଗରେ ତୋର ବିଚ୍ଛେଦ ଘଟେ, ତେବେ ତୋର ଏ ପ୍ରିୟ ପବିତ୍ର ଆଶ୍ରମ ଅଚଳ ହେବ ନାହିଁ । ତୋହାରିଠାରୁ ଶିକ୍ଷାପ୍ରାପ୍ତ ଏ ଯୁବକଦଳ ଦେହରେ ବିନ୍ଦୁଏ ଶୋଣିତ ଥିବାଯାଏ ସେମାନେ ତୋହରି ପଥରୁ ବିଚ୍ୟୁତ ହେବେ ନହିଁ । ତୁ ଯେଉଁ ବୀଜ ବୁଣି ଯାଇଅଛୁ, ତାହା କଦାଚ ବ୍ୟର୍ଥ ହେବ ନାହିଁ । ତୋହରି ପୁଣ୍ୟସ୍ମୃତି ଶତଶତ ସନାତନ ସୃଷ୍ଟି କରିବ । ଆମ୍ଭେମାନେ ଜଣେ ସନାତନ ବଦଳରେ ଅନେକ ସନାତନ ପାଇବୁ । ତୋର କର୍ମ, ତୋର ଉପଦେଶ ତୋର ପୁଣ୍ୟାନୁଷ୍ଠାନକୁ ଅମର କରି ରଖିବ । ତୋର ଆଶ୍ରମ ସତ୍ୟସୁବର୍ଣ୍ଣର ସୁଦୃଢ଼ ଭିତ୍ତି ଉପରେ ପ୍ରତିଷ୍ଠିତ, ତାହା ନଷ୍ଟ ହେବ ନାହିଁ । ପ୍ରତ୍ୟୁତ୍ତଃ ଉଜ୍ଜ୍ୱଳ ହେବ । ତେବେ ତୋର ଏ କଥାର ଅର୍ଥ କଅଣ ? ତୁ କି ଦୀର୍ଘ ତୀର୍ଥଯାତ୍ରା ଇଚ୍ଛା କରିଅଛୁ ?’’ ସନାତନ ସମସ୍ତଙ୍କୁ ଆଲିଙ୍ଗନ କରି କହିଲା, ‘‘ହଁ ଭାଇ, ସେହିପରି ଗୋଟାଏ ଆକାଙ୍‌କ୍ଷା ଅଛି ।’’ ଏଣିକି ସନାତନ ଖାଲି ଆଶ୍ରମ କାର୍ଯ୍ୟରେ ଆବଦ୍ଧ ଥାଏ ନାହିଁ । ଗୃହ କାର୍ଯ୍ୟ ମଧ୍ୟ କରେ । ଯଜମାନ ଘରକୁ ଯାଇ ପୁରୋହିତ କର୍ମ ତୁଲାଇ ଦିଏ । ପିତାମାତା ତାହାର ଏ ଭାବ ଦେଖି ସନ୍ତୁଷ୍ଟ । ସେମାନେ ପୁତ୍ରର ମତ ପରିବର୍ତ୍ତନ ଦେଖି ଦ୍ୱିଗୁଣ ଉତ୍ସାହରେ କନ୍ୟାପାତ୍ରୀ ଅନୁସନ୍ଧାନରେ ମନୋନିବେଶ କଲେ କିନ୍ତୁ ତାହା ସନାତନର ସମ୍ପୂର୍ଣ୍ଣ ଅଜ୍ଞାତରେ ହେଲା ।

ସହକର୍ମୀମାନଙ୍କ ପ୍ରତିଜ୍ଞାରେ ସନାତନ ସମ୍ପୂର୍ଣ୍ଣ ଆସ୍ଥା ସ୍ଥାପନ କରିପାରିଲା ନାହିଁ । ସେ ସମସ୍ତଙ୍କର ହୃଦୟ ମଧ୍ୟରେ ପଶି କାହା ହୃଦୟର ବଳ କିପରି ତାହା ପୂର୍ବରୁ ଜାଣିଅଛି । ସେ ଯାହାହେଉ, ସନାତନକୁ ଆଉ ଅଧିକକାଳ ଚିନ୍ତା କରିବାକୁ ହେଲା ନାହିଁ । ମାନବ ସାଧୁଭାବରେ ପ୍ରଣୋଦିତ ହୋଇ ଯାହା ଖୋଜେ, ନିୟତି ଅନେକ ସମୟରେ ତାହା ତାକୁ ଆଣିଦିଏ । ଦିନେ ଜଣେ ସନ୍ୟାସୀ ଆସି ଆଶ୍ରମରେ ପହଞ୍ଚିଲେ । ସନ୍ୟାସୀ ମୁଣ୍ଡିତମସ୍ତକ ନୁହନ୍ତି କିମ୍ୱା ଜଟାଧାରୀ ନୁହନ୍ତି । ମସ୍ତକର ଅଯତ୍ନବିନ୍ୟସ୍ତ କେଶ ଚିରମୁକ୍ତ । ମୁଖମଣ୍ଡଳ ଘନ ଶ୍ମଶ୍ରୁରେ ଶୋଭିତ । ଶରୀରର ବର୍ଣ୍ଣ ତପ୍ତ ତାମ୍ର ପରି ଲୋହିତାଭ ଗୌର । ସ୍କନ୍ଧରେ ଯଜ୍ଞୋପବୀତ ବିଲମ୍ୱିତ । ସମ୍ବଳ ମଧ୍ୟରେ ଗୋଟିଏ ଲାଉଫଳର କମଣ୍ଡଳୁ, ଖଣ୍ଡିଏ ବଂଶଯଷ୍ଟି ଏବଂ ଦୁଇଖଣ୍ଡି ମୋଟା ବହିର୍ବାସ । ମୂର୍ତ୍ତିଟି ଖୁବ୍‌ ସୁନ୍ଦର, ଯେପରି ସେକାଳର ମୁନି ଋଷିର ମୂର୍ତ୍ତି । ଦୃଷ୍ଟି ଗଭୀର ଜ୍ଞାନର ପରିଚାୟକ । ଗୋଟିଏ ସ୍ନିଗ୍‌ଧ ଜ୍ୟୋତି ସର୍ବ ଶରୀରରୁ ନିର୍ଗତ ହେଉଅଛି । ବଚନ ଗଭୀର, ମଧୁର ଏବଂ ଅର୍ଥପ୍ରାଣ । ଆଶ୍ରମର କର୍ମୀମାନେ ପରମ ଆଗ୍ରହରେ ସନ୍ୟାସୀଙ୍କୁ ଗ୍ରହଣ କଲେ ଏବଂ ଆଶ୍ରମରେ ତାଙ୍କର ରହିବାର ବ୍ୟବସ୍ଥା କରିଦେଲେ । ସେବାଶ୍ରମର ଉଦ୍ଦେଶ୍ୟ ଶୁଣି ଏବଂ କାର୍ଯ୍ୟ ଦେଖି ସନ୍ୟାସୀ ଅତୀବ ପ୍ରୀତ ହେଲେ । କର୍ମୀମାନଙ୍କ କର୍ମର ପ୍ରଶଂସା କରି ଉପଦେଶ ବାକ୍ୟଦ୍ୱାରା ସେମାନଙ୍କୁ ଉତ୍ସାହିତ କଲେ ଏବଂ ଆଶ୍ରମର ଉନ୍ନତି ସମ୍ବନ୍ଧରେ ନାନାବିଧ ନବ ନବ ଉପାୟ ନିର୍ଦ୍ଦେଶ କରି କର୍ମର ସୁଗମ୍ୟ ପଥ ସେମାନଙ୍କୁ ଦେଖାଇଦେଲେ । ବେଦାନ୍ତ ବିଷୟରେ ସରଳ, ସୁବୋଧ୍ୟ ବକ୍ତୃତା କରି ଶ୍ରୋତାମାନଙ୍କୁ ସ୍ତବ୍‌ଧ ମୁଗ୍‌ଧ କରିଦେଲେ । ସେ ଗୋଟିଏ ଗୋଟିଏ ଶ୍ଳୋକ ବ୍ୟାଖ୍ୟା କରିବାବେଳେ ବିବିଧ ଶାସ୍ତ୍ରରୁ ବିବିଧ ଦୃଷ୍ଟାନ୍ତ ଉଦ୍ଧାର କରି ଅର୍ଥ ସହଜ କରିଦିଅନ୍ତି । ତାଙ୍କର ଅଗାଧ ପାଣ୍ଡିତ୍ୟ ଏବଂ ଗଭୀର ଗବେଷଣା ଶକ୍ତି ଅନ୍ୟାନ୍ୟ ସାଧାରଣସୁଲଭ ନୁହେଁ । ସେ ନିଜ ଗୁଣରେ ସମସ୍ତଙ୍କ ହୃଦୟରୁ ଭକ୍ତି ପ୍ରୀତି ଆକର୍ଷଣ କରିନେଲେ । କର୍ମୀମାନେ ତାଙ୍କୁ ମହାପୁରୁଷ ଜ୍ଞାନରେ ପୂଜା କରନ୍ତି । ଦିନେ ସନାତନ ସନ୍ୟାସୀଙ୍କର ଆତ୍ମପରିଚୟ ଜିଜ୍ଞାସୁ ହେବାରୁ ସନ୍ୟାସୀ କହିଲେ– ‘‘ମୁଁ ଜଣେ ପ୍ରସିଦ୍ଧ ଯୋଗୀଙ୍କର ଶିଷ୍ୟ, ମୋର ଗୁରୁଦତ୍ତ ନାମ ପ୍ରେମାନନ୍ଦ ସ୍ୱାମୀ । ହିମାଳୟ ପର୍ବତର ଗୋଟାଏ ବିଶାଳ ଗୁମ୍ଫା ମଧ୍ୟରେ ଗୁରୁଦେବ ଯୋଗ ସାଧନା କରନ୍ତି । ଆମ୍ଭେ ତିନିଜଣ ଶିଷ୍ୟ ତାଙ୍କ ସେବାରେ ନିଯୁକ୍ତ ଥାଉଁ । ଗୁରୁଦେବ ଅବକାଶ ସମୟରେ ଆମ୍ଭମାନଙ୍କୁ ବେଦାନ୍ତ ଏବଂ ଆୟୁର୍ବେଦ ଶିକ୍ଷା ଦିଅନ୍ତି । ଗିରି ଗହ୍ୱରର ସମ୍ମୁଖ ଭାଗରେ ନିବିଡ଼ ଅରଣ୍ୟ ବିସ୍ତୃତ, ତାହା ଗୁରୁଦେବଙ୍କର ପୁଣ୍ୟ ତପୋବନ । ଗୁରୁଦେବ ସେହି ତପବନସ୍ଥ ବିଶାଳ ଶିଳାଖଣ୍ଡ ଉପରେ ଉପବେଶନପୂର୍ବକ ଶିକ୍ଷାଦାନ କରନ୍ତି । ତପସ୍ୟାର କି ବିସ୍ମୟକର ପ୍ରଭାବ ! ସେ ଅରଣ୍ୟରେ ନିରୀହ ମୃଗାଦି ବ୍ୟତୀତ ଶ୍ୱାପଦର ପ୍ରବେଶ ନିଷିଦ୍ଧ । ବ୍ୟାଘ୍ର, ବରାହ ପ୍ରଭୃତି ବନସୀମାରେ ଉତ୍‌ପାତ ଉପଦ୍ରବ କରନ୍ତି; ମାତ୍ର ଭିତରକୁ କେବେ ଆସନ୍ତି ନାହିଁ । ସମୟ ସମୟରେ ହସ୍ତିଯୂଥ ଆସି ତପୋବନ ଉଜାଡ଼ କରିବାକୁ ଉଦ୍ୟତ ହେଲେ ଗୁରୁଦେବ ଗଭୀର ସ୍ୱରରେ ଓଁକାର ଉଚ୍ଚରଣ କରନ୍ତି । ଗଜଯୂଥ ଆଉ ପହଣ୍ଡେ ଅଗ୍ରସର ନ ହୋଇ ନୀରବରେ ପ୍ରତ୍ୟାବୃତ୍ତ ହୁଅନ୍ତି । ଗୁରୁଦେବ ଫଳାହାରୀ; ମାତ୍ର ଶରୀରରେ ଅମାନୁଷୀ ଶକ୍ତି ଧାରଣ କରନ୍ତି । ପ୍ରତ୍ୟହ ନିବାର ମୃଷ୍ଟି ଘେନି ପକ୍ଷୀମାନଙ୍କୁ ଆହାର ଦେବାବେଳେ ଗୋଟିଏ ସ୍ୱର୍ଗୀୟ ଦୃଶ୍ୟର ଅବତାରଣା ହୁଏ । ଛୋଟ ଛୋଟ ପକ୍ଷୀଗୁଡ଼ିକ ତାଙ୍କ ମସ୍ତକ, କାନ୍ଧ,ଏବଂ ବାହୁ ଉପରେ ବସି କୌତୁକରେ କଳରବ କରନ୍ତି । ପିତାଙ୍କ ନିକଟରେ ସନ୍ତାନମାନେ ଅଳି କଲା ପ୍ରାୟ ଗୁରୁଦେବଙ୍କ ମୁହଁକୁ ଚାହିଁ ବିହଙ୍ଗ ଜାତୀୟ ମଧୁର ଭାଷାରେ କେତେ କଅଣ କହନ୍ତି । ଗୁରୁଦେବ ସେମାନଙ୍କ ପ୍ରାଣର ଭାଷା ବୁଝି ସେମାନଙ୍କୁ ଖାଦ୍ୟ ଦେଇ କେତେ ଆଦର କରନ୍ତି । ଗୋବିନ୍ଦ, ହରି, ରାମ ପ୍ରଭୃତି ସେମାନଙ୍କର ବହୁ ନାମକରଣ କରି ଅଛନ୍ତି । ଯାହାର ନାମ ଧରି ଡାକନ୍ତି, ସେ ଆସି କାନ୍ଧରେ ବସିଯାଏ । ସେ ବନର ଶୁକପକ୍ଷୀ ପ୍ରଭୃତି ଶବ୍ଦାନୁକାରୀମାନେ ଓଁକାର ଉଚ୍ଚାରଣ ଅଭ୍ୟସ୍ତ । ଗୁରୁଦେବଙ୍କ ପ୍ରଣବ ଉଚ୍ଚାରଣ ଶୁଣି ଶୁଣି ସେମାନେ ଶିଖି ପକାଇ ଅଛନ୍ତି । ଏହିପରି ଆନନ୍ଦ ଦୃଶ୍ୟରେ ଏବଂ ଗୁରୁସେବାରେ କେତେକାଳ ଅତିବାହିତ ହେଲା । ଦିନେ ଗୁରୁଦେବ ଶିଷ୍ୟତ୍ରୟକୁ ସମ୍ବୋଧନ କରି କହିଲେ– ‘‘ବତ୍ସଗଣ, ବୟୋଧର୍ମରେ ମୋର ଶକ୍ତି ଏବଂ ଉଦ୍ୟମ ହ୍ରାସ ହୋଇଆସୁଛି, ମୁଁ ଆଉ ପୂର୍ବପରି ଧ୍ୟାନଧାରଣା କରିପାରୁ ନାହିଁ । ମୁଁ ଏ ଜୀର୍ଣ୍ଣ ଶରୀର ପରିତ୍ୟାଗ କରି ନୂତନ ଶକ୍ତିମୟ ଶରୀର ଧାରଣ କରିବାକୁ ଇଚ୍ଛା କରିଅଛି । ଆଶୀର୍ବାଦ କରୁଛି, ତୁମ୍ଭେମାନେ ସଫଳକାମୀ ହୁଅ । ଯଦି ତୁମ୍ଭମାନଙ୍କର କିଛି ପ୍ରାର୍ଥନା ଥାଏ, ତେବେ ପ୍ରକାଶ କର ।’’ ଏ ବଜ୍ରବାଣୀରେ ଆମ୍ଭମାନଙ୍କର ହୃଦୟ ଚୂର୍ଣ୍ଣ ହୋଇଗଲା; ମାତ୍ର କଅଣ କରିବୁଁ, ମହାପୁରୁୀଷଙ୍କ ବଚନ ଅବ୍ୟର୍ଥ । ସତୀର୍ଥଦ୍ୱୟ ନିଜ ନିଜ ପ୍ରାର୍ଥନା ଜଣାଇ ଗୁରୁଦେବଙ୍କଠାରୁ ସାଫଲ୍ୟର ଆଶୀର୍ବାଦ ଲାଭ କଲେ । ମୁଁ କହିଲି ‘‘ପ୍ରଭୋ, ମୋର ଅନ୍ୟକିଛି ପ୍ରାର୍ଥନା ନାହିଁ, ପ୍ରଭୁଙ୍କର ଆଦେଶ ଏକା ମୋର ପ୍ରାର୍ଥନା । ଆଦେଶ କରନ୍ତୁ ଏ ଭୃତ୍ୟ କଅଣ କରିବ-।’’ ଗୁରୁଦେବ ସସ୍ମିତ ବଦନରେ କହିଲେ– ‘‘ସେବା ।’’ ମୁଁ ଗୁରୁପଦରେ ମସ୍ତକ ଲଗାଇ ଶେଷ ପ୍ରଣାମ କଲି, ଗୁରୁଦେବ ଆଶୀର୍ବାଦ କଲେ । ଦେଖୁଁ ଦେଖୁଁ ସେ ସ୍ଥାନ କି ଏକ ମନଃପ୍ରାଣହର ଅପୂର୍ବ ସୌରଭରେ ଆମୋଦିତ ହୋଇଉଠିଲା, ମଧୁର ବାଦ୍ୟସ୍ୱର ଶୁଣାଗଲା; ମାତ୍ର କେଉଁଠାରେ ବାଜୁଛି ତାହା ବାରିହେଲା ନାହିଁ । ଏଣେ ଗୁରୁଦେବଙ୍କ ଶରୀରକୁ ଗୋଟାଏ ଦିବ୍ୟଜ୍ୟୋତି ଆସି ବେଷ୍ଟନ କଲା । ଜ୍ୟୋତି କ୍ରମଶଃ ବହଳ ହେଲା । ଗୁରୁଦେବଙ୍କ ଶରୀର ଆଉ ଦିଶିଲା ନାହିଁ, କେବଳ ସେହି ଜ୍ୟୋତିଃସ୍ତୂପ ମଧ୍ୟରୁ ମଧୁର ପବିତ୍ର ‘‘ଓଁ’’ ଶବ୍ଦ ଘନ ଘନ ଉତ୍‌ଥିତ ହେବାକୁ ଲାଗିଲା-। ଆମ୍ଭେମାନେ ଗୁରୁସ୍ତବ ପାଠ କଲୁ । କିଛି କ୍ଷଣ ପରେ ସେହି ଜ୍ୟୋତିସ୍ତୁପ ନକ୍ଷତ୍ର ରାତିରେ ଊର୍ଦ୍ଧ୍ୱକୁ ଉଠିଯାଇ ଅଦୃଶ୍ୟ ହୋଇଗଲା । ଗୁରୁଦେବଙ୍କ ଆସନ ଶୂନ୍ୟ, ଇଚ୍ଛା ମୃତ୍ୟୁ, ଗୁରୁଦେବ ସେହି ଜ୍ୟୋତିରେ ମିଳାଇ ଯାଇଅଛନ୍ତି । ଧନ୍ୟ ଯୋଗର ମହିମା ଯୋଗବଳରେ ମୃତ୍ୟୁ ସୁଦ୍ଧା ଇଚ୍ଛାଧୀନ ହୋଇପାରେ । ତାହାର ଅସାଧ୍ୟ କିଛି ନାହିଁ । ସହପାଠିଦ୍ୱୟ ନିଜ ନିଜ ଗୃହାଭିମୁଖୀ ହେଲେ ମୁଁ ଗୁରୁଦେବଙ୍କର ସେହି ଶେଷ ଆଦେଶ ‘‘ସେବା’’ ଦୁଇ ଅକ୍ଷରକୁ ସମ୍ବଳ କରି ଦେଶ ଭ୍ରମଣରେ ବହିର୍ଗତ ହେଲି । ଗୁରୁଦେବଙ୍କ ନିକଟରୁ ମୁଁ ଆର୍ୟୁବେଦ ଶିକ୍ଷା କରିଥିଲେ । ମୂଳ ମୁଳିକାର ଔଷଧ ପ୍ରସ୍ତୁତ କରି ତାହା ବିତରଣ କରେ । ଏହିପରି ଭାବରେ ମୁଁ ଚାରିଧାମ ପର୍ଯ୍ୟଟନ କରି ଆସିଅଛି ।

ସନ୍ନ୍ୟାସୀଙ୍କ ଧର୍ମଜ୍ଞାନରେ ମୁଗ୍‌ଧ ହୋଇ କର୍ମୀମାନଙ୍କ ମଧ୍ୟରୁ ଅନେକେ ତାଙ୍କର ଶିଷତ୍ୱ ଗ୍ରହଣ କଲେ । ସନ୍ନ୍ୟାସୀ ସେହିଦିନଠାରୁ ସ୍ୱାମୀ ନାମରେ ଅଭିହିତ ହେଲେ । ସ୍ୱାମୀ ସନାତନକୁ ଏକାନ୍ତ ସ୍ନେହ କରନ୍ତି । ଦିନେ ସନାତନ କହିଲା, ‘‘ସ୍ୱାମୀ, ଆପଣ ଏହି ସେବାଶ୍ରମରେ ଅଧ୍ୟକ୍ଷ ହେଉନ୍ତୁ । ଜଣେ ଚାଳକ ନ ହେଲେ କାର୍ଯ୍ୟ ଶୃଙ୍ଖଳାମତେ ଚାଲିବ ନାହଁ । ଆମ୍ଭେମାନେ ବନ୍ଧନରେ ପକାଇଲୁ, କ୍ଷମା କରିବେ । ଆପଣଙ୍କ ବ୍ୟତୀତ ଆମ୍ଭମାନଙ୍କର ଏ ଅନୁଷ୍ଠାନ ଦୀର୍ଘଜୀବୀ ହୋଇପାରିବ ନାହିଁ ।’’ ସ୍ୱାମୀ ମୃଦୁ ହସି କହିଲେ–‘‘ବନ୍ଧନ କାହାକୁ କହୁଛ ବାବୁ, କର୍ମକୁ ତ ? ନା, ନା, କର୍ମ ବନ୍ଧନ ନୁହେଁ, ତାହା ମୁକ୍ତିର ସୋପାନ । ଏ ସଂସାର କର୍ମ–ଭୂମି, ଏଠାରେ କର୍ମ ସୁଖ, କର୍ମ ଆନନ୍ଦ । ସେବା ମୋର ବ୍ରତ, ଯେଉଁଠାରେ ହେଉ ରହି ସେ ବ୍ରତ ପାଳନ କରିବି । ତୁମ୍ଭମାନଙ୍କର ସମସ୍ତଙ୍କର ଯଦି ଏହି ଅଭିପ୍ରାୟ ହୁଏ, ତେବେ ମୁଁ ଏହିଠାରେ ରହି ମୋର କର୍ତ୍ତବ୍ୟ କରିବି ।’’ ଏହା ଶୁଣି ସମସ୍ତେ ଆନନ୍ଦିତ ହୋଇ ସ୍ୱାମୀଙ୍କୁ ନେତୃପଦରେ ଅଧିଷ୍ଠିତ କଲେ । ସନାତନ ସମସ୍ତ ଭାର ସ୍ୱାମୀଙ୍କୁ ଦେଇ ସୁଦ୍ଧା ନିଶ୍ଚିନ୍ତ ହେଲାନାହିଁ । ସ୍ୱାମୀଙ୍କ ଅଧୀନରେ ତାଙ୍କ ଆଦେଶାନୁସାରେ କାର୍ଯ୍ୟ କରିବାକୁ ଲାଗିଲା ।

Image

 

ତ୍ରୟୋଦଶ ପରିଚ୍ଛେଦ

 

ପ୍ରେମାନନ୍ଦ ସ୍ୱାମୀଙ୍କର ଚେଷ୍ଟା, ଯତ୍ନ, ଅଧ୍ୟବସାୟ ଏବଂ ପରିଶ୍ରମ ଫଳରେ ସେବାଶ୍ରରେ କ୍ରମଶଃ ଉନ୍ନତି ହେବାକୁ ଲାଗିଲା । ସେ ସର୍ବତ୍ର ସୁଲଭ ମୂଳମୂଳିକା ସଂଗ୍ରହ କରି ଔଷଧ ପ୍ରସ୍ତୁତ ପୂର୍ବକ ବିତରଣ କରନ୍ତି । ପ୍ରତ୍ୟହ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଶତ ଶତ ଲୋକ ଆସି ଔଷଧ ନେଇ ଯାଆନ୍ତି । ଔଷଧର ମୂଲ୍ୟ ବା ପାରିଶ୍ରମିକ କିଛି ନିଆଯାଏ ନାହିଁ । ଆଶ୍ରମ ନାମରେ ଯଦି କେହି କିଛି ଦିଏ; ତେବେ ତାହା ଗ୍ରହଣ କରାଯାଏ । ଶିଶ୍ୟମାନେ ଦୂରବର୍ତ୍ତୀ ଗ୍ରାମସମୂହରେ ବୁଲି ଔଷଧ ବିତରଣ କରନ୍ତି । ସ୍ୱାମୀଙ୍କର ଔଷଧ ପ୍ରାୟ ବିଫଳ ହୁଏ ନାହିଁ । ଏ ହେତୁ ତାଙ୍କ ଔଷଧ ପ୍ରତି ଲୋକଙ୍କର ବିଶ୍ୱାସ ଷୋଳପଣ । ବାସ୍ତବରେ କବିରାଜି ଔଷଧ ଶାସ୍ତ୍ରୋକ୍ତ ପ୍ରଣାଳୀରେ ଏବଂ ଉପଯୁକ୍ତ ବୈଦ୍ୟ ହସ୍ତରେ ପ୍ରସ୍ତୁତ ହେଲେ ତାହା ନିଶ୍ଚୟ ଫଳପ୍ରଦ ହୁଏ । ଯୋଗାସିଦ୍ଧ ଆର୍ଯ୍ୟ ଋଷି ଉଦ୍ଭାବିତ ଆୟୂର୍ବେଦ ଚିକିତ୍ସାର ଗୌରବ ଯୁଗେ ଯୁଗେ ଘୋଷିତ ହୋଇ ଆସୁଅଛି ଏବଂ ଚିରକାଳ ଘୋଷିତ ହେଉଥିବ । ତାହାର ମହିମାସୂର୍ଯ୍ୟ ପୃଥିବୀରୁ ଅନ୍ତର୍ହିତ ହେବ ନାହିଁ । ଏଣିକି ଯେତେପ୍ରକାର ଚିକିତ୍ସା ପ୍ରବର୍ତ୍ତିତ ହୋଇଅଛି, ହେଉଅଛି ବା ହେବ, ଆୟୁର୍ବେଦ ଚିକିତ୍ସା ସେ ସମସ୍ତର ପ୍ରସୂତି । ସମସ୍ତେ ତାହା ନିକଟରେ ଋଣୀ, କିନ୍ତୁ କାହାରି ଫଳ ଆୟୁର୍ବେଦ ଚିକିତ୍ସା ଫଳ ପରି ଚିରସ୍ଥାୟୀ ନୁହେଁ । ଏ ଉକ୍ତି ଅନ୍ୟ ଦେଶ ପ୍ରତି ପ୍ରଯ୍ୟୁଜ୍ୟ ନୁହେଁ । ଏହା ଆର୍ଯ୍ୟ ଜନନୀ ଭାରତ ପ୍ରତି । ଯେଉଁ ଦେଶର ଜଳବାୟୁ ମୃତ୍ତିକାରେ ଯେଉଁ ଜାତିର ଶରୀର ଗଠିତ, ସେହି ଦେଶୋତ୍ପନ୍ନ ଔଷଧ ସେହି ଜାତି ପକ୍ଷରେ ହିତକର । ଆଶ୍ରମରେ ଗୋଟିଏ ବେଦାନ୍ତ ବିଦ୍ୟାଳୟ ସ୍ଥାପିତ ହୋଇଅଛି । କେତେଜଣ ଛାତ୍ର ବିନା ବ୍ୟୟରେ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ବେଦାନ୍ତ ସଙ୍ଗେ ସଙ୍ଗେ ଆୟୁର୍ବେଦ ମଧ୍ୟ ଶିକ୍ଷା ଦିଆଯାଏ । ସ୍ୱୟଂ ସ୍ୱାମୀ ଛାତ୍ରମାନଙ୍କୁ ଶିକ୍ଷା ଦିଅନ୍ତି-। ଅଷ୍ଟମୀ, ଚତୁର୍ଦଶୀ, ଅମାବାସ୍ୟାଦି ଅଧ୍ୟୟନ ନିଷିଦ୍ଧ ଦିବସରେ ସ୍ୱମୀ ନିକଟବର୍ତ୍ତୀ ଗ୍ରାମ, ହାଟ, ମେଳା ପ୍ରଭୃତି ବହୁଜନ ସମାଗତ ସ୍ଥାନକୁ ଯାଇ ଧର୍ମ ସମ୍ବନ୍ଧରେ ଉପଦେଶ ଦିଅନ୍ତି । ଆଶ୍ରମ ନିକଟରେ ବାଟିଏ ପତିତ ଭୂମି ଥିଲା । ସେଥିରେ କୃଷି ହେବା ଦୂରେଥାଉ ଘାସ ସୁଦ୍ଧା ଉଧାଏ ନାହିଁ-। ସ୍ୱାମୀ ସେହି ଭୂମିକୁ ନାମମାତ୍ର କରରେ ଜମିଦାରଠାରୁ ପଟା ନେଇ ଚାଷ କରିବାକୁ ଇଚ୍ଛା କଲେ-। ତାଙ୍କର ଏ ଉଦ୍ୟମ ଦେଖି ଅନେକ ନ ହସି ରହିପାରିଲେ ନାହିଁ । କେହି କେହି ପରିହାସ କରି କହିଲେ– ‘‘ସ୍ୱାମୀ ମରୂଭୁମିରେ ଚାଷ କରୁଛନ୍ତି ।’’ ମାତ୍ର ସ୍ୱାମୀ ଭଗ୍ନୋତ୍ସାହ ହେଲେ ନାହିଁ । ଗୋଟାଏ ନୂତନ ଆଦର୍ଶ ଦେଖାଇବାକୁ ହେଲେ ପ୍ରଥମତଃ ଧୈର୍ଯ୍ୟର ଏକାନ୍ତ ଆବଶ୍ୟକ । ଲୋକଙ୍କର ଥଟା, ଟିଟିକାର ପ୍ରତି ଭ୍ରୂକ୍ଷେପ ନ କରି ଯେ ଦୃଢ଼ବ୍ରତୀ ହୋଇ ଯଥେଷ୍ଟ ଧୈର୍ଯ୍ୟ ସହ କାର୍ଯ୍ୟ ସମାଧାନରେ ଅଗ୍ରସର ହୁଏ, ଜୟଲକ୍ଷ୍ମୀ ତାହାରି ମସ୍ତକରେ ସାଫଲ୍ୟର ସୁବର୍ଣ୍ଣମୁକୁଟ ପିନ୍ଧାଇ ଦିଅନ୍ତି । ସ୍ୱାମୀଙ୍କର ଭାଗ୍ୟରେ ତାହାହିଁ ଘଟିଥିଲା । ସେ ଅନାୟାସଲବ୍‌ଧ ତୃଣ, ଲତା, ଗୁଳ୍ମ ପ୍ରଭୃତି ପଚାଇ ସେଥିରୁ ଏକ ପ୍ରକାର ଉତ୍କୃଷ୍ଟ ସାର ପ୍ରସ୍ତୁତ କରି କ୍ଷେତରେ ପ୍ରୟୋଗ କଲେ । ତଦ୍ଦ୍ୱାରା ଉକ୍ତ ଉଷର କ୍ଷେତ୍ର ଅସାଧାରଣ ଉର୍ବର ହୋଇଉଠିଲା । ସେଥିରୁ ଧାନ, କପା, ପନିପରିବା, ମୁଗ, ବିରି, ହରଡ଼ ପ୍ରଭୃତି ନାନାଫସଲ ଉତ୍ପନ୍ନ ହେଲା । ଖଣ୍ଡେ ଭୂମି ଔଷଧ ସକାଶେ ନିର୍ଦ୍ଦିଷ୍ଟ ରହିଲା । ବନ ପର୍ବତରୁ ବିବିଧ ଦୁଷ୍ପ୍ରାପ୍ୟ ଔଷଧ ବୃକ୍ଷ ବା ବୀଜ ଆଣି ସେଥିରେ ରୋପଣ କରାଗଲା । ବୃକ୍ଷ୍ୟୁତ୍ପନ୍ନ ପଦାର୍ଥମାନ ବିକ୍ରୟ କରାଯାଏ ନାହିଁ । ତାହା ଆଶ୍ରମବାସୀଙ୍କ ବ୍ୟବହାରରେ, ଅତିଥି ସେବାରେ ଏବଂ ଅକ୍ଷମ ଦରିଦ୍ର ସେବାରେ ଲାଗେ । ଶିଷ୍ୟମାନେ ସମସ୍ତେ ଆଶ୍ରମରେ ବସି ସୂତା କାଟନ୍ତି । ସେଥିରେ ଲୁଗା ବୁଣାଇ ଦୀନ ଦୁଃଖୀଙ୍କୁ ଦାନ କରାଯାଏ । ଏହିସବୁ କାର୍ଯ୍ୟଦ୍ୱାରା ଆଶ୍ରମ ପ୍ରତି ଲୋକଙ୍କର ଭକ୍ତି ବହୁଗୁଣିତ ହୋଇଉଠିଲା । କାହାରି ବିବାହ ବ୍ରତାଦି ଉତ୍ସବ ହେଲେ ସେ ସର୍ବାଗ୍ରେ ଆଶ୍ରମକୁ ଯଥାଶକ୍ତି ଦାନ କରେ । ଆଶ୍ରମ ପ୍ରତି ଲୋକେ କ୍ରମଶଃ ଏରୂପ ଭକ୍ତିପ୍ରବଣ ହୋଇ ଉଠିଲେ ଯେ, ଯାହାର ଯେଉଁ ଫସଲ ହୁଏ, ସେ ଆଗେ ଆଶ୍ରମରେ କିଛି ଦେଇଯାଏ । ଏମନ୍ତ କି କାହାରି ବାଡ଼ିରେ ଶାଗ ଶୁକ୍ରବାର ହେଲେ ସେ କେରାଏ ଆଣି ଆଶ୍ରମରେ ଦେଇଯାଏ । ସ୍ୱାମୀଙ୍କର କାହିଁରେ ଆଡ଼ମ୍ବର ନାହିଁ । ସେ ଦିନରେ ଥରେ ମାତ୍ର ଆହାର କରନ୍ତି । ରାତିରେ କୁଟା ବା ଶୁଷ୍କପତ୍ର ବିଛାଇ ମୁଣ୍ଡତଳେ ଖଣ୍ଡେ ଇଟା ଦେଇ ସେ ଶୟନ କରନ୍ତି । ଦୁଇଖଣ୍ଡି ଚାରିହାତି ବେଢ଼ାଣ ହେଲେ ତାଙ୍କର ବର୍ଷେ ଚଳିଯାଏ । ଏରୂପ ଦୀନଭାବରେ ଚଳିବାର କାରଣ କାହି ପଚାରିଲେ କହନ୍ତି– ‘‘ମୁଁ ସେବକ, ମୋର ସେବକ ପରି ରହିବା ଉଚିତ । ବିଶେଷତଃ ମୁଁ ସନ୍ନ୍ୟାସୀ, ତ୍ୟାଗ ମୋର ଧର୍ମ; ସୁତରାଂ ଭୋଗ କି ଲୋଡ଼ା ? ଯେ ଭୋଗରେ ଆସକ୍ତ, ଭୋଗ ତାକୁ ଭୋଗ କରେ । ଯେ ତ୍ୟାଗର ସୁଖ, ତ୍ୟାଗର ଆନନ୍ଦ ପ୍ରାଣରେ ଉପଭୋଗ କରେ, ସେହି ଏକା ସଂସାରରେ ପ୍ରକୃତ ଭୋଗୀ । ଏହା ବ୍ୟତୀତ ଇତର ଗ୍ରାମ୍ୟସୁଖ ଭୋଗ ବାସନା ମୋର ନାହିଁ ।’’ ପ୍ରତ୍ୟହ ଆଶ୍ରମରେ ରୋଗୀ ସେବା, ଅତିଥି ସେବା, ଦରିଦ୍ରନାରାୟଣ ସେବା ହୁଏ । ଏତେ ସେବା କରି ସୁଦ୍ଧା ସ୍ୱାମୀ ସନ୍ତୁଷ୍ଟ ନୁହନ୍ତି । ଦିନେ ସେ ମନେ ମନେ ଭାବିଲେ–‘‘ସବୁ ହେଲା, କେବଳ ଦେବ ସେବାର ଅଭାବ । ତାହା ବ୍ୟତୀତ ସେବା ପୂର୍ଣ୍ଣ ନୁହେଁ ।’’ ଅନନ୍ତର ସେ ଆଶ୍ରମରେ ରାଧାକୃଷ୍ଣ ମୂର୍ତ୍ତି ପ୍ରତିଷ୍ଠା କରି ଯଥାରୀତି ସେବାପୂଜା କରିବାକୁ ଲାଗିଲେ-। ସେହି ଦିନଠାରୁ ଆଶ୍ରମର ନାମ ହେଲା– ‘‘ରାଧାକୃଷ୍ଣ ସେବାଶ୍ରମ । ଏଣିକି ଆଶ୍ରମରେ ରାଧାକୃଷ୍ଣଙ୍କର ବାର ପୁନେଇ ତେର ଯାତ୍ରାରେ ଉତ୍ସବ ହୁଏ । କ୍ରମେ ଆଶ୍ରମଟି ତୀର୍ଥତୁଲ୍ୟ ବିଖ୍ୟାତ ହୋଇଉଠିଲା ।

 

ବୀରବର ମାନଧତା ଏବଂ ଧରଣୀଧର ବୈରିଗଞ୍ଜନ ଦୁଇଜଣ ଜମିଦାର । ଦୁହିଁଙ୍କର ଇଲାକା ପରସ୍ପର ସଂଲଗ୍ନ । ଜମିଦାର ଦୁହେଁ କେହି କାହାର ଜ୍ଞାତି ବା ବନ୍ଧୁ ନୁହନ୍ତି । କେବଳ ଏକ ଜାତି ମାତ୍ର । ଦୁହେଁଯାକ ପ୍ରତିଷ୍ଠାବାନ୍‌; କେହି କାହାରିକୁ ଊଣା ନୁହେଁ । ପୁରୁଷାନୁକ୍ରମେ ଉଭୟ ବଂଶ ମଧ୍ୟରେ ମନୋମାଳିନ୍ୟ ଚଳି ଆସୁଅଛି । ବର୍ତ୍ତମାନ ଜମିଦାର ଦୁହେଁ ମଧ୍ୟ ସେହି ବଂଶୀୟ ଧାରା ଅକ୍ଷତ ରଖିଅଛନ୍ତି । ତାହା ଯେପରି ସେମାନଙ୍କର ଗୋଟାଏ ଗୌରବମୟ ସୁମହତ୍‌ କୌଳିକ କୀର୍ତ୍ତି । ତାହା ଉଚ୍ଛେଦ କରିବାକୁ କାହାରି ଇଚ୍ଛାନୁହେଁ । ସେମାନେ ବଂଶର ଉପଯୁକ୍ତ ଭୂଷଣ ମଣି, ପୂର୍ବପୁରୁଷମାନଙ୍କର କୀର୍ତ୍ତି ରକ୍ଷା ସେମାନଙ୍କର–କର୍ତ୍ତବ୍ୟ, ଅନ୍ୟଥା ପିତୃପୁରୁଷମାନଙ୍କର ଅଭିଶାପରେ ସେମାନଙ୍କୁ ନରକ କୁଣ୍ଡରେ ପଡ଼ିବାକୁ ହେବ । ଦୁହିଁଙ୍କ ମଧ୍ୟରେ ମାଲିମାମଲା ସର୍ବଦା ଲାଗି ରହିଅଛି । ସେଥିରେ ଦୁହେଁ ସର୍ବସ୍ୱାନ୍ତ ହୋଇ ନାହାନ୍ତି; ମାତ୍ର ଆକଣ୍ଠ ଋଣମଗ୍ନ । ଉଭୟେ ଅଭିମାନର ଉତ୍ତୁଙ୍ଗ ହିମାଳୟ; ସୁତରାଂ ପ୍ରତିଯୋଗିତାରେ କେହି କାହାରି ତଳେ ନୁହେଁ । ସୁନିଆଁ ଦିନ ଜଣେ ଦଳେ ଯାତ୍ରାବାଲା ଅଣାଇଲେ ଅନ୍ୟ ଜଣକ ତିନି ଦଳ ଅଣାଏ । ଜଣକର କଟକରୁ ରୋସନି ଆସିଲେ ଜଣକର କଲିକତାରୁ ଆସେ । ପ୍ରତିଯୋଗିତା କ୍ଷେତ୍ରରେ ପରସ୍ପରକୁ ପରାସ୍ତ କରିବାକୁ ସର୍ବଦା ପ୍ରଚେଷ୍ଟା । ଏ ଗୁଣଟା ମଧ୍ୟ ସେମାନଙ୍କର ଉତ୍ତରାଧିକାରିତା ସୁତ୍ରରେ ପ୍ରାୟ ପୈତୃକ ସମ୍ପତ୍ତି । ଉଭୟ ଜମିଦାରଙ୍କ ପ୍ରଭୁଭକ୍ତ କର୍ମଚାରୀମାନେ ଉଭୟର ମନୋମାଳିନ୍ୟକୁ ଖୁବ୍‌ ପୃଷ୍ଟିକର ଆହାର ଯୋଗାନ୍ତି । ଏଟା ସେମାନଙ୍କର ସ୍ୱାର୍ଥ-ଦେବତାର ପବିତ୍ର ଆଦେଶ ଏବଂ ପ୍ରଭୁହିତୈଷୀତାର ଚୂଡ଼ାନ୍ତ ନିଦର୍ଶନ । ମାନଧାତାଙ୍କ ପ୍ରଭୁ ମନତୋଷଣ କୌଶଳୀ, ଚାଟୁପଟୁ ଉଚ୍ଚ କର୍ମଚାରୀ ଗର୍ବ କରି ଜମିଦାରଙ୍କ ଆଗରେ କହନ୍ତି– ‘‘ଆମ ରାଜାଙ୍କ ସାଙ୍ଗରେ ବୈରିଗଞ୍ଜନଟା କେଉଁ ଗୁଣରେ ସରି । ଆମର ଜଣେ ପାଇକ ତାଙ୍କ ପାତ୍ରର ନିଶ ପଟେ କାଟି ଆଣିଥିଲା । ସେ ନିଶ ଅଦ୍ୟାବଧି ଆମ ଗନ୍ତାଘର ଅଛି । ଆମ ତାଲୁକା ତ ମୋଗଲ ବାଦସାହ ଅମଳ ଆଗରୁ ଆଉ ସେ ତ ରାଜା ନୁହେଁ– ମରହଟାଙ୍କ ଜାଗିରିଦାର । ଧୋବା ଭଣ୍ଡାର ପରି ଜାଗିରୀ ! ହା–ହା–ହା– ।’’ ରାଜ ପାରିଷଦବର୍ଗ ସମସ୍ତେ ଦନ୍ତ ବିସ୍ତାର କରି କହନ୍ତି– ‘ହା–ହା–ହା–’ ରାଜଦରବାର ଗୋଟାଏ ବିରାଟ ହାସ୍ୟର ହାଟରେ ପରିଣତ ହୁଏ । ଜମିଦାର ଦୁହେଁ ରାଜା ନୁହନ୍ତି, ଅଧୀନସ୍ଥ କର୍ମଚାରୀ ଓ ପ୍ରଜାମାନେ ତାଙ୍କୁ ରାଜୋପାଧି ପ୍ରଦାନ କରି ଅଛନ୍ତି । ବୈରିଗଞ୍ଜନଙ୍କ ପାରିଷଦ ବା ମୋସାହେବ ବର୍ଗ ମଧ୍ୟ କଥା କହିବାରେ ଅପଟୁ ନୁହନ୍ତି । ସେମାନେ ଉଗ୍ର ଦର୍ପରେ କହନ୍ତି– ‘‘ଓଃ, ମାନଧାତା ପରି କେତେଗଣ୍ଡା ଲୋକ ଆମ ମଣିମାଙ୍କ ଫୁଟୁକିରେ ଉଡ଼ିଯିବେ । ଆମ ଦଦେଇ ମହାରାଜା ତା ଗୋସାଇଁ ବାପାକୁ ନାକରେ ପାଣି ପେଇ ଦେଇଥିଲେ, କାହିଁ କପୂର, କାହିଁ ଭୂଟଖଡ଼ି । ଛି–ଛି–ଛି– ।’’ ଉଭୟ ଦରବାରରେ ଏହିପରି ରୁଚିକର ଚର୍ଚ୍ଚା ହୁଏ ।

 

ବର୍ତ୍ତମାନ ଗୋଟାଏ ଫଉଜଦାରୀ ମୋକଦ୍ଦମାରେ ଉଭୟ ପକ୍ଷ ବିଶେଷ କ୍ଷତିଗ୍ରସ୍ତ ହୋଇଅଛନ୍ତି । ମାନଧାତାଙ୍କର ଅଗାଧୁ ମଳିକ ନାମରେ ଜଣେ ପିଆଦା ଅଛି । ଅଗାଧୁର ଆକୃତି ଗୋଟାଏ ଶିଶୁରାକ୍ଷସ ପରି । ଆକୃତି ଅନୁରୂପ ଗୋଟାଏ ସ୍ଥୁଳ ପ୍ରକାଣ୍ଡ ବଂଶଦଣ୍ଡ ସବୁବେଳେ ତାହା ହାତରେ ଥାଏ । ଗାଁରେ ସେ ‘‘ଦଣ୍ଡାସୁର’’ ନାମରେ ପ୍ରସିଦ୍ଧ । ସେ ମଧ୍ୟ ଏ ନାମକୁ ଅମର୍ଯ୍ୟାଦାକର ମଣେ ନାହିଁ । ଯେଉଁ କାର୍ଯ୍ୟ ଯୁକ୍ତିତର୍କର ଅସାଧ୍ୟ. ନ୍ୟାୟବିଚାରର ଅସାଧ୍ୟ, ଆଇନ ଅଦାଲତର ଅସାଧ୍ୟ, ଦଣ୍ଡାସୁର ତାହାର ସେହି ଠେଙ୍ଗା ସାହାଯ୍ୟରେ ସେ କାର୍ଯ୍ୟ ସାଧନ କରିଆସେ-। ସେହି ଠେଙ୍ଗା ତାହାର ସର୍ବାର୍ଥସାଧିକା । କଥିତ ମୋକଦ୍ଦମାଟା ସେହି ମହାଠେଙ୍ଗାର କୀର୍ତ୍ତି । ଦୁଇରାଜ୍ୟ ସୀମାରେ ଗୋଟାଏ ବେଲଗଛ ଅଛି । ବୈରିଗଞ୍ଜନଙ୍କ ଲୋକେ ସେହି ଗଛରୁ ଦୁଇଟା ବେଲ ତୋଳିଥିଲେ । ପରମହିତୈଷୀମାନଙ୍କଦ୍ୱାରା ଏହି ସମ୍ବାଦ ବିଦ୍ୟୁତ୍‌ଗତିରେ ଆସି ମାନଧାତାଙ୍କ କର୍ଣ୍ଣ ସ୍ପର୍ଷ କଲା । ସେ ଅଗାଧୁକୁ ଡାକି କହିଲେ–‘‘ଅଗାଧୁ, ତୁ ଯାଇ ବାରଣ କର, ସେ ଆମ ଗଛ, ସେ କାହିଁକି ବେଲ ନେବେ ?’’ ଅଗାଧୁ ଯେଉଁଠିକି ଯାଏ , ସେଠି କିଛି କରି ଆସେ, ମାନଧାତା ଏହା ଜାଣନ୍ତି । ସୁତରାଂ ସାବଧାନ କରାଇଦେଇ କହିଲେ–‘‘ଖବରଦାର, ବେଆଇନ କାମ କରିବୁ ନାହିଁ, ତୁ ଯେ ସେହିପରି ଜନ୍ତୁଟିଏ । ତୋତେ କନ୍ୟାଟିଏ ଖୋଜିବାକୁ ପଠାଇଲେ ତୁ ବିଭା ହୋଇପଡ଼ି ଆସିବା ଲୋକ, ଦେଖ୍‍ ଆଉ କିଛି କରି ବୁସିବୁ ନାହିଁ ।’’ ଅଗାଧୁ ମୁରୁକି ମୁରୁକି ହସି ପ୍ରଭୁଙ୍କୁ ଗୋଟାଏ ଲମ୍ବା ଦଣ୍ଡବତ ପକାଇ କହିଲା–‘‘ନା ମହାପ୍ରଭୁ, ଶ୍ରୀମୁଖରୁ ଯେଉଁ ପରି ଶ୍ରୀଆଜ୍ଞା ହେଲା, ସେହିପରି କରିବି ।’’ ଅଗାଧୁ ଏହିପରି ମୁହଁରେ କହିଲା; ମାତ୍ର କାର୍ଯ୍ୟକ୍ଷେତ୍ରରେ ଶ୍ରୀଆଜ୍ଞାରେ ଶ୍ରୀଅବଜ୍ଞା କରି ବସିଲା । ଏକେତ ସେ ପିଆଦା, ଗର୍ବ ଅଭିମାନ ଏବଂ କ୍ରୋଧର ଆଗ୍ନେୟଗିରି ତହିଁ ଉପରେ ଶ୍ରୀମୁଖରୁ ଶ୍ରୀଆଦେଶ ପ୍ରାପ୍ତ, ଆଉ କି ରକ୍ଷା ଅଛି, ବାରୁଦରେ ଅଗ୍ନି ସଂଯୋଗ । ଅଗାଧୁ ଯାଉଁ ଯାଉଁ କେତେଜଣ ବାଡ଼ିଆ ସଂଗ୍ରହ କରିନେଇ ଯଥାସ୍ଥାନରେ ଉପସ୍ଥିତ ହେଲା ଏବଂ ବିପକ୍ଷ ଲୋକଙ୍କୁ ନିର୍ଧୂମ ପ୍ରହାରରେ ଅବଶ କରି ପକାଇଲା । ବୈରିଗଞ୍ଜନ ଏ ସମ୍ବାଦ ପାଇ ଦଳେ ବାଡ଼ିଆ ପଠାଇ ଦେଲେ । ଅନ୍ୟପକ୍ଷରେ ମଧ୍ୟ ଯଷ୍ଠିଧର ବୀରମାନେ ଆସିଲେ । ପିଟାପିଟି ଲାଗିଲା, କାହାର ମୁଣ୍ଡ ଫାଟିଲା, କାହାର ହାତ ଭାଙ୍ଗିଲା, କାହାର ଦାନ୍ତ ଝଡ଼ି ଗଲା । ଶେଷରେ ଅଗାଧୁ ଜୟୀ ହୋଇ ଫେରିଆସିଲା । ମାନଧାତା ବିରକ୍ତ ହୋଇ କହିଲେ–‘‘ମୁଁ ମନା କରିଥିଲି, ତେବେ ବି ତୁ ଗୋଟାଏ ପର୍ବ କରି ଆସିଲୁ ? ମାଲିମୋକଦ୍ଦମା ହେବ, ପାଣିପରି ଟଙ୍କା ଖର୍ଚ୍ଚ ହେବ, ଏ ପୁଣି ଗୋଟାଏ ବିଷମ ଜଞ୍ଚାଳ ।’’ ଅଗାଧୁ ମୃଦୁ ହସି କହିଲା–‘‘ଆଜ୍ଞା, ଜମିଦାରୀ ଥିଲେ ଜଞ୍ଜାଳ ଥିବ, ଆଉ କେଉଁ ଜମିଦାରୀଟା ବା ରୁଷିରାଜ୍ୟ ପରି ନିଜଞ୍ଜାଳ ହୋଇଅଛି ? ଟଙ୍କା ଖର୍ଚ୍ଚ ନ କରି, ମାଲି ମୋକଦ୍ଦମା ନ କରି କଅଣ ଜମିଦାରୀ ରଖି ହେବ ? ମାନ୍‌ ଆଗେ ନା ଟଙ୍କା ଆଗେ । ଶ୍ରୀଛାମୁଙ୍କର ଯେ କୋଟିଏ ଟଙ୍କାର ମାନ୍‍ ରହିଲା ।’’ ମାନଧାତା ହୋ ହୋ କରି ହସିଉଠି କହିଲେ, –‘‘ଦେଖ ହେ ଲୋକଟାର କେଡ଼େ ଟାଣ । ବାଃ ବାଃ ନ ହେଲେ କି ଅଗାଧୁ । ସତ ସତ, ତୁ ମୋର ଟେକ ରଖିଛୁ । ଆଚ୍ଛା ତୋତେ ‘‘ପାଇକରତ୍ନ’’ ଶାଢ଼ୀ ଦିଆଯିବ । ଏହି ସମୟରେ ପୋଲିସ ଉପସ୍ଥିତ ହୋଇ କେତେ ଜଣକୁ ଗିରଫଦାର କରି ନେଇଗଲା । ଅପର ପକ୍ଷରୁ ମଧ୍ୟ ଦୋଷୀ ଧରାହୋଇ ଗଲେ । ଗାଢ଼ ଭିଡ଼ ଭାବରେ ମୋକଦ୍ଦମା ଚାଲିଲା, ଅର୍ଥର ବିପୁଳ ଶ୍ରାଦ୍ଧ ହେଲା । ଶେଷରେ ଉଭୟ ପକ୍ଷରୁ କେତେ ଜଣର କାରାବାସ ଏବଂ କେତେ ଜଣର ଅର୍ଥଦଣ୍ଡ ହୋଇ ଏହି ମୋକଦ୍ଦମା ଯଜ୍ଞର ପୂର୍ଣ୍ଣାହୂତି ହେଲା-

 

ପ୍ରେମାନନ୍ଦ ସ୍ୱାମୀ ଏହି ଘଟଣା ଶୁଣି ଅତ୍ୟନ୍ତ କ୍ଷୁବ୍‌ଧ ହେଲେ । ଦୁଇଟି ସମ୍ଭ୍ରାନ୍ତ ବଂଶକୁ ସର୍ବାପଦର ମୂଳ ଏହି ଦାରୁଣ ମନୋମାଳିନ୍ୟ ହସ୍ତରୁ ରକ୍ଷା କରିବା ସକାଶେ ସେ ମନେ ମନେ ସଙ୍କଳ୍ପ କଲେ । ଜମିଦାର ଦୁହେଁ ତାଙ୍କୁ ଦେବତା ତୁଲ୍ୟ ଭକ୍ତି କରନ୍ତି । ଏଭଳି ଶାନ୍ତ ଶିଷ୍ଟ, ନିର୍ଲୋଭ, ଜନହିତୈଷୀ ମହାପୁରୁଷଙ୍କୁ ପଦତଳରେ କାହାର ମସ୍ତକ ବା ଭକ୍ତିରେ ନତ ନ ହେବ । ଧରଣୀଧର ବୈରିଗଞ୍ଜନ ତାଙ୍କ ନିକଟରୁ ଦୀକ୍ଷା ନେବାପାଇଁ ଅନେକ ଥର ପ୍ରାର୍ଥନା କରିଅଛନ୍ତି; ମାତ୍ର ସ୍ୱାମୀ ହିଁ କି ନା କିଛି କହି ନାହାନ୍ତି । ଉପରୋକ୍ତ ମୋକଦ୍ଦମା ପଳରେ ବୀରବର ମାନଧାତା ସଙ୍କଟ ପୀଡ଼ାରେ ଆକ୍ରାନ୍ତ ହେଲେ । ପୀଡ଼ା କ୍ରମଶଃ ବୃଦ୍ଧି ଆଡ଼କୁ ଚାଲିଲା, ଚିକିତ୍ସା ବ୍ୟର୍ଥ ହେବାକୁ ଲାଗିଲା । ରୋଗୀ ଶଯ୍ୟା ଗ୍ରହଣ କଲେ । ତାଙ୍କର ଅମୃତ ଔଷଧ ଏବଂ ଅଶାନ୍ତ ସେବା ଚିକିତ୍ସାରେ ରୋଗୀ କ୍ରମେ କ୍ରମେ ଆରୋଗ୍ୟ ଆଡ଼କୁ ଅଗ୍ରସର ହେଲେ । ଯେଉଁଦିନ ଆରୋଗ୍ୟ ସ୍ନାନ କଲେ, ସେହିଦିନ ସ୍ୱାମୀଙ୍କ ପଦ ଧରି କହିଲେ–‘‘ପ୍ରଭୋ, ଆପଣ କିଏ ? ଆପଣ ନର ନୁହନ୍ତି, ଦେବତା ନୁହନ୍ତି– ମୋର ଭାଗ୍ୟ ଦେବତା । ସଦୟ ହୋଇ ମୋତେ ମୃତ୍ୟୁ ମୁଖରୁ ଛଡ଼ାଇ ଆଣି ଅଛନ୍ତି । ମୁଁ ପାପୀ, ନରାଧମ, ବିପଥଗାମୀ, ଧର୍ମ କଅଣ ଜାଣେ ନାହିଁ, ପ୍ରଭୋ । ତୁମ୍ଭ ପାଦ ପଦ୍ମରେ ଶରଣ ପଶିଲି, ଦୟାକରି ଏ ଅଧମକୁ ଶିଷ୍ୟ ରୂପରେ ଗ୍ରହଣ କରି ସତ୍‌ପଥ ଦେଖାଇ କୃତାର୍ଥ କର । ‘‘ଗୁରୁବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁଦେବ ମହେଶ୍ୱରଃ, ଗୁରୁଃ ସାକ୍ଷାତ୍‌ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ।’’ ଏହା କହି ସ୍ୱାମୀଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ । ସ୍ୱାମୀ ତାଙ୍କୁ ଆଦରପୂର୍ବକ ଉଠାଇ ଆଶୀର୍ବାଦ କରି ମନ୍ତ୍ରଦାନରେ ସମ୍ମତ ହେଲେ । ମାନଧାତା ଆଶାବାଣୀ ଶୁଣି ଆଶ୍ୱସ୍ତ ହେଲେ ।

 

ଦୀକ୍ଷା ଗ୍ରହଣର ଶୁଭଦିନ ଧାର୍ଯ୍ୟ ହେଲା । ପ୍ରେମାନନ୍ଦ ସ୍ୱାମୀଙ୍କ ନିର୍ଦ୍ଦେଶମତେ ଉଭୟ ଜମିଦାର ଆସି ବିଭିନ୍ନ କକ୍ଷରେ ବସିଲେ । ମାତ୍ର କାହାରି ଆସିବା କେହି ଜାଣନ୍ତି ନାହିଁ । ସ୍ୱାମୀ ଗୋପନରେ ସେହିପରି ବ୍ୟବସ୍ଥା କରିଥିଲେ । ସେ ପ୍ରଥମେ ବୈରିଗଞ୍ଜନଙ୍କ ପାଖକୁ ଯାଇ କହିଲେ– ‘‘ଦୀକ୍ଷାଗ୍ରହଣ ବଡ଼ କଠୋର ବ୍ରତ, ତାହା ପାଳନ କରିପାରିବ ?’’

 

ବୈରିଗଞ୍ଜନ– ଯେତେ କଠୋର ହେଲେ ବି ପାଳନ କରିବ ଗୁରୁଦେବ, ଶ୍ରୀଚରଣକୁ ଚାହିଁ ଏ ପ୍ରତିଜ୍ଞା କରୁଛି ।

 

ସ୍ୱାମୀ– କିଛି ତ୍ୟାଗ କରିବାକୁ ହେବ ।

 

ବୈରିଗଞ୍ଜନ– ଧନ, ଜନ, ଆଧିପତ୍ୟ ସବୁ ଗୁରୁଙ୍କ ପାଦରେ ସମର୍ପଣ କଲି । ଆଦେଶ ହେଲେ ଜୀବନ ବି ତ୍ୟାଗ କରିପାରିବି ।

 

ସ୍ୱାମୀ– ନା, ଜୀବନ ତ୍ୟାଗ କରିବାକୁ ହେବ ନାହିଁ – ଈର୍ଷା ତ୍ୟାଗ କର ।

ବୈରିଗଞ୍ଜନ– ତ୍ୟାଗ କଲି, ଆଜିଠାରୁ ମହାଶତ୍ରୁ ପ୍ରତି ସୁଦ୍ଧା ଇର୍ଷା କରିବି ନାହିଁ ।

 

ଅନନ୍ତର ସ୍ୱାମୀ ମାନଧାତାଙ୍କ ନିକଟକୁ ଯାଇ ପଚାରିଲେ–‘‘ତୁମେ ଗୋଟିଏ କୋଠର ବ୍ରତ ଧାରଣ କରିପାରିବ?’’

 

ମାନଧାତା– ଆଜ୍ଞା କରନ୍ତୁ ।

ସ୍ୱାମୀ– ପ୍ରେମବ୍ରତ ।

ମାନଧାତା– ଜଗତର ସମସ୍ତଙ୍କୁ ପ୍ରେମ କରିବି ଏହା ମୋର ଶତବାର ସତ୍ୟ ।

 

ସ୍ୱାମୀ– କ୍ରୋଧ, ହିଂସା, ମାତ୍ସର୍ଯ୍ୟ ପ୍ରଭୃତି ତ୍ୟାଗ ନ କଲେ ପବିତ୍ର ପ୍ରେମବ୍ରତ ଧାରଣର ଉପଯୁକ୍ତ ହୋଇ ପାରିବ ନାହିଁ ।

 

ମାନଧତା– ଏହି ମୂହୂର୍ତ୍ତରେ ସବୁ ପରିତ୍ୟାଗ କଲି ।

 

‘‘ତେତେ ଆସ ବତ୍ସ,’’ ସ୍ୱାମୀ ଏହା କହି ମାନଧାତାଙ୍କୁ ସଙ୍ଗରେ ଘେନି ବୈରିଗଞ୍ଜନଙ୍କ ପାଖରେ ଯାଇ ଉପସ୍ଥିତ ହେଲେ । ଉଭୟ ଜମିଦାରଙ୍କ ହସ୍ତ ଏକତ୍ର କରି କହିଲେ– ‘‘ତୁମେମାନେ ପରସ୍ପର ବୈରତା ଭୁଲିଯାଅ, ଏହା ମୋର ଗୁରୁ ଦକ୍ଷିଣା ।’’ ଦୁଇ ଜମିଦାର ପରସ୍ପରକୁ ଆଲିଙ୍ଗନ କରି ଗୁରୁଙ୍କ ପ୍ରଣାମ କଲେ ଏବଂ କହିଲେ, ‘‘ଆଜିଠାରୁ ଆମ୍ଭେମାନେ ପରସ୍ପରର ଶତ୍ରୁ ନୋହୁ–ଅକପଟ ଅନ୍ତରଙ୍ଗ ବନ୍ଧୁ ।’’ ପୁନଶ୍ଚ ଦୁହେଁ ଦୁହିଙ୍କୁ ଆଳିଙ୍ଗନ କଲେ । ପ୍ରେମର ମିଳନ ହେଲା, ଈର୍ଷା ପିଶାଚ ଚିରକାଳପାଇଁ ପଳାୟନ କଲା । ମହାପୁରୁଷଙ୍କ ମହାପ୍ରଭାବରେ ଅସାଧ୍ୟ କଅଣ ? ଅସାଧ୍ୟ ଶବ୍ଦ ସେମାନଙ୍କ ଅଭିଧାନରେ ନାହିଁ । ସ୍ୱାମୀ ଏତିକିରେ ପ୍ରୀତ ନ ହୋଇ କହିଲେ–‘‘ଯହିଁରେ ବନ୍ଧୁତା ଦୃଢ଼ଭିତ୍ତି ଉପରେ ସ୍ଥାପିତ ହେବ, ତାହା କର । ବୀରବରଙ୍କର ପୁତ୍ର ଅଛି, ଧରଣୀଧରଙ୍କର କନ୍ୟା ଅଛି । ସେ ଉଭୟର ଶୁଭବିବାହ ମୁଁ କାମନା କରୁଛି ।’’ ଏହା ଶୁଣି ଦୁହେଁ ଏକ ସଙ୍ଗରେ କହି ଉଠିଲେ–‘‘ଆପଣଙ୍କ ପବିତ୍ର ମଙ୍ଗଳାଦେଶ ଆମ୍ଭମାନଙ୍କର ଶିରୋଧାର୍ଯ୍ୟ ପ୍ରଭୋ । କିନ୍ତୁ ଆପଣଙ୍କ ଏ ବିବାହରେ ପୌରହିତ୍ୟ କରିବାକୁ ହେବ ।’’ ଅନନ୍ତର ସେମାନଙ୍କର ଦୀକ୍ଷାଗ୍ରହଣ ସମାହିତ ହେଲା । ମାନଧାତା କହିଲେ–‘‘ଏହି ମିଳନର ସ୍ମୃତିସ୍ୱରୂପ ମୁଁ ରାଧାକୃଷ୍ଣଙ୍କର ଦେଉଳ ତୟାର କରାଇ ଦେବି, ଆଉ କର୍ମୀ ଅଭ୍ୟାଗତ ପ୍ରଭୃତିଙ୍କ ସକାଶେ ସ୍ୱତନ୍ତ୍ର ଘର କରିଦେବି । ବୈରିଗଞ୍ଜନ କହିଲେ– ‘‘ଦେବନୀତି ଚଳିବା ସକାଶେ ମୁଁ ପାଞ୍ଚବାଟୀ ଭୂମି ଖଞ୍ଜିଦେବି, ଆଉ ବେଦାନ୍ତ, ଆୟୁର୍ବେଦ ବିଦ୍ୟାଳୟ ପରିଚାଳନାର ତାବତୀୟ ଭାର ମୁଁ ବହନ କରିବି ।’’ ସେମାନେ କଥାନୁଯାୟୀ କାର୍ଯ୍ୟ ମଧ୍ୟ କରିଥିଲେ । ଅଧିକନ୍ତୁ ପ୍ରଜାମାନଙ୍କଠାରୁ ଘର ପିଛା ବାର୍ଷିକ ପୁଡ଼ିଏ ଲେଖାଏଁ ଧାନ ଆଦାୟ କରି ଆଶ୍ରମକୁ ଦେଲେ । ଏହି ଦାନଦ୍ୱାରା ଆଶ୍ରମଟି ସ୍ଥାୟୀ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇ ରହିଲା । ଉଭୟ ଜମିଦାରଙ୍କ ପୁତ୍ର କନ୍ୟାର ବିବାହ ହୋଇଗଲା । ସ୍ୱାମୀଙ୍କ ପରାମର୍ଶାନୁସାରେ କାର୍ଯ୍ୟ କରିବାକୁ ସେମାନଙ୍କର ଋଣ ମଧ୍ୟ କ୍ରମଶଃ ପରିଶୋଧ ହୋଇଆସିଲା । ଏଣିକି ଉଭୟ ମଧ୍ୟରେ ଅଭେଦ ପ୍ରୀତି । ସେମାନଙ୍କର ଏରୂପ ପରିବର୍ତ୍ତନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । କେହି କେହି କହିଲେ– ‘‘ସ୍ୱାମୀ କି ମନ୍ତ୍ର ଜାଣନ୍ତି କେଜାଣି, କେଉଁ ପୁରୁଷର ଚଳି ଆସୁଥିବା ଘୋଡ଼ାମହିଁଷିର ବିବାଦ କଥା ପଦକେ ମିଳେଇଗଲା । ଯାହା ହେଉ ଦୁଇଟା ଖାନ୍‌ଦାନ୍‌ ବୁନିଆଦି ଘର ରକ୍ଷା ହୋଇଗଲା ।’’ ସମସ୍ତେ ଏହିପରି ଆନନ୍ଦ ପ୍ରକାଶ କଲେ । ନିରାନନ୍ଦ କେବଳ ଉଭୟର ହିତୈଷୀ କର୍ମଚାରିବୃନ୍ଦ । ସେମାନେ ଏଥିଲାଗି ସ୍ୱାମୀଙ୍କୁ ଅଭିଶାପ ଦେଇଥିଲେ କି ନାହିଁ, ସେ କଥା ପଦାକୁ ଫୁଟି ନାହିଁ । ସମସ୍ତଙ୍କଠାରୁ ଆନନ୍ଦିତ ହେଲା ସନାତନ । ତାହାର ପୋଥିତ କ୍ଷୁଦ୍ର ବୀଜଟି ଗଛ ହୋଇ ଫଳ ଧରିଲା, ଏହାଠାରୁ ବଳି ଆନନ୍ଦର କଥା ଆଉ କଅଣ ଅଛି, ଉପଯୁକ୍ତ ପାତ୍ର ହସ୍ତରେ ଆଶ୍ରମଟି ସୁପରିଚାଳିତ ହେଲା । ସେ ଏବେ ଚିନ୍ତାମୁକ୍ତ ହେଲା । ତାହାର ସାଧୁ ଉଦ୍ଦେଶ୍ୟ ସିଦ୍ଧ ହେଲା । ସଦନୁଷ୍ଠାନର ବୀଜ ବିଫଳ ହୁଏ ନାହିଁ ।
 

ଏଣେ ନାନା ସ୍ଥାନରୁ ସନାତନର ବିବାହ ସମ୍ବନ୍ଧ ଆସିବାକୁ ଲାଗିଲା । ଶିକ୍ଷିତ, ସଚ୍ଚରିତ୍ର, ସଦ୍‌ବଂଶୀୟ ପାତ୍ର ହସ୍ତରେ କନ୍ୟା ସମ୍ପ୍ରଦାନ କରିବା କାହାର ଇଚ୍ଛା ନୁହେଁ ? ସେରୂପ ଜାମାତା ଲାଭ ଭାଗ୍ୟରେ ଘଟେ । କୋଷ୍ଠୀ ନ ପଡ଼ିବାରୁ କେତେସ୍ଥାନର ସମ୍ବନ୍ଧ ଭାଙ୍ଗିଗଲା । କେବଳ ତିନି ଖଣ୍ଡି କୋଷ୍ଠୀର ବିବାହ ମେଳକ ଘଟିଲା । ସେଥିମଧ୍ୟରୁ ବାଛି ସମ୍ବନ୍ଧ ସ୍ଥିର କରାଯିବ । ସନାତନ ଏହା ଶୁଣି ଉଦ୍‌ବିଗ୍ନ ହୋଇ ଉଠିଲା । ତାହାର ଦିନରାତି କାଟିଲା ନାହିଁ । ଉଦ୍‌ବେଗପୂର୍ଣ୍ଣ ଦିନରାତି ବଡ଼ ଦୀର୍ଘ ହୁଏ । ତାହାର ମୁଖମଣ୍ଡଳ ଶୁଷ୍କ ଏବଂ ବିଦୀର୍ଣ୍ଣ । ସେ ଉଦାସ ନିରାଲମ୍ବ ଭାବରେ ସର୍ବଦା କଅଣ ଚିନ୍ତାକରେ, ତାହା ସେହି ଜାଣେ । ସେ ବସି ଚିନ୍ତାମଗ୍ନ ଥିବାବେଳେ ବୋଧହୁଏ, ଯେପରି ତାହାର ଶରୀର ମର୍ତ୍ତ୍ୟରେ ପଡ଼ି ରହିଅଛି ମାତ୍ର ମନ ସ୍ୱର୍ଗରାଜ୍ୟରେ ପଶି ଅମୃତ ଖୋଜି ବୁଲୁଅଛି । ଅନିଚ୍ଛାର ତପ୍ତ ହାହାକାର ତାହାର ଅନ୍ତଃକରଣରୁ ନୀରବରେ କରୁଣ କାତର ଧ୍ୱନି ଉଠାଉଅଛି । ହତାଶ ହୁତାଶନରେ ତାହାର ହୃଦୟ ଭସ୍ମୀଭୂତ, ସେ ଆତ୍ମୋଦ୍ଧାରରେ କିଛି ଉପାୟ ପାଉ ନାହିଁ । ବନ୍ଧୁମାନେ ତାହାର ଏ ଭାବ ଦେଖି ଦୁଃଖିତ । ଦିନେ ତାହାର ଜଣେ ବନ୍ଧୁ ତାକୁ ବୁଝାଇ ବଂଶରକ୍ଷା କରିବା ମାନବର କର୍ତ୍ତବ୍ୟ । ଜରତ୍‌କାରୁ ମୁନି ବିବାହ ନ କରିବା ହେତୁ ତାଙ୍କ ସ୍ୱର୍ଗୀୟ ପିତୃପୁରୁଷମାନଙ୍କର ଦୁର୍ଗତି ଚୂଡ଼ାନ୍ତ ସୀମାରେ ଉପସ୍ଥିତ ହୋଇଥିଲା । କାଳ–ମୂଷିକ ତାଙ୍କ ବଂଶବେଣାମୁଟାର ସମସ୍ତ ଚେର କାଟିଦେଇ ଗୋଟିଏ ମାତ୍ର ଅବଶିଷ୍ଟ ରଖିଥିଲା । ତାଙ୍କ ପିତୃପୁରୁଷମାନେ ସେହି ଚେରଟା ଧରି ଓହଳିଥିଲେ । ସେ ଗୋଟିକୁ ମୂଷା କାଟି ଦେଇଥିଲେ ପିତୃପୁରୁଷମାନେ ଦୁର୍ଗତିର ଅତଳ ଗହ୍ୱର ଗର୍ଭରେ ନିକ୍ଷିପ୍ତ ହୋଇଥାନ୍ତେ । ସେମାନଙ୍କର ଆସନ୍ନ ବିପଦ ଦେଖି ମୁନି ବିବାହ ବନ୍ଧନରେ ଆବଦ୍ଧ ହେଲେ । ବର କନ୍ୟାଙ୍କର ହାତଗଣ୍ଠି ସଙ୍ଗେ ସଙ୍ଗେ ଛିନ୍ନ ବେଣାଚେରଗୁଡ଼ାକର ଗଣ୍ଠି ପଡ଼ିଗଲା । ପିତୃଗଣ ଉଦ୍ଧାର ହୋଇଗଲେ– ନା ? କିଏ କାହାକୁ ଉଦ୍ଧାର କରେ ଭାଇ, ମାନବ ନିଜ କର୍ମଗୁଣରେ ଉଦ୍ଧାର ହୁଏ । ସେହିପରି ନିଜର ପୁଣ୍ୟ ଦେଇ ଅନ୍ୟକୁ କେହି ଉଦ୍ଧାର କରିପାରେ ନାହିଁ । ଧର୍ମ–ରାଜ୍ୟରେ ଧାର ବିକ୍ରୟ ବା ଦିଆ ନିଆ ଚଳେ ନାହିଁ । ସମସ୍ତେ ନିଜର କର୍ମଫଳ ଭୋଗ କରନ୍ତି ।’’ ବନ୍ଧୁ କହିଲା–‘‘ଆଚ୍ଛା, ତାହା ଜାଣି ହେଲା, ତେବେ ବିଧାତାର ସୃଷ୍ଟିରକ୍ଷା କିପରି ହେବ ?’’ ସନାତନ ହସ ହସି କହିଲା–‘‘ମୋ ପରି ଗୋଟାଏ ସାମାନ୍ୟ ଜୀବ ବିବାହ ନ କଲେ କି ବିଧାତାର ଅନାଦି କାଳର ସୃଷ୍ଟି ଝରଟା ଏକାବେଳକେ ଶୁଖିଯିବ ।’’ ବନ୍ଧୁଟି ହଠାତ୍‌ କିଛି ଉତ୍ତର ଖୋଜି ନ ପାଇ କହିଲା– ‘‘ସମସ୍ତେ ଯେବେ ତୁମ୍ଭ ପରି ବିବାହ ନ କରିବାକୁ ପ୍ରତିଜ୍ଞା କରନ୍ତି, ତେବେ ସୃଷ୍ଟି ଲୀନ ହେବା ବିଚିତ୍ର କଅଣ ?’’ ସନାତନ କହିଲା–‘‘ନା, ସମସ୍ତେ କେଉଁ ମୋପରି ହେବେ ନାହିଁ । ଖୁବ୍‌ ଅଳ୍ପ ଲୋକେ ଏ ବାଟରେ ଚାଲନ୍ତି ଏବଂ ଚାଲିବେ; ମାତ୍ର ସେମାନଙ୍କ ସଂଖ୍ୟା ପୃଥିବୀର ଲୋକସଂଖ୍ୟା ତୁଳନାରେ କିଛି ନୁହେଁ । ଆଉ ସମସ୍ତେ କେବେ ଏକମତ ହୋଇ ପାରିନାହାନ୍ତି କିମ୍ବା ହୋଇପାରିବେ ନାହିଁ । ସେପରି ହେଉଥିଲେ ପୃଥିବୀରେ ପାପପୁଣ୍ୟରେ ରାଜନୀତି ବା ଧର୍ମନୀତିରେ ଏତେ କଟକଣା ନ ଥାନ୍ତା । ସୃଷ୍ଟିରେ ସବୁ ଅସମାନ, କାହାରି ସହିତ କାହାରି ମେଳ ନାହିଁ, ଏମନ୍ତ କି ଦୁଇଟି ମନୁଷ୍ୟ ବା ଦୁଇଟି ଗଛ ଅଥବା ଦୁଇଟି ପଶୁ ଏକାପରି କେଉଁଠାରେ କେବେ ଦେଖାଯାଏ ନାହିଁ । ସୌଶାଦୃଶ୍ୟ ମଧ୍ୟରେ କିଛି ହେଲେ ବିଭିନ୍ନତା ଥାଏ । ଏପରି ସ୍ଥଳେ ସମସ୍ତଙ୍କର ମତ କି ଏକ ହୋଇପାରେ ? ଜଣେ ଶିଳ୍ପୀ ହାତରେ ଏକ ଛାଞ୍ଚରେ ଢଳା ଦୁଇଟି ପ୍ରତିମା ଏକାପରି ହୁଏ ନାହିଁ, କେଉଁଠି ହେଲେ ଟିକିଏ ବଙ୍କା ଦେଢା ରହିଯାଏ । ତଥାପି ଯଦି କେଉଁ ସୁଦୂର ମହାସତ୍ୟ ଯୁଗରେ ସମସ୍ତଙ୍କ ମତ ଏକ ହେବାର ଉଦ୍ଭଟ ଦୁର୍ଭରସା ତୁମ୍ଭର ଥାଏ, ତେବେ ସୁଦ୍ଧା ବନ୍ଧୁ ତୁମ୍ଭର କଳ୍ପିତ ସୃଷ୍ଟିନାଶର କିଛି ଆଶଙ୍କା ନାହିଁ । ଯେହେତୁ ସୃଷ୍ଟି ରକ୍ଷାର ତାର ମନୁଷ୍ୟ ଉପରେ ନାହିଁ । ଯାହାର ସୃଷ୍ଟି ସେହି ରକ୍ଷା କରିବ । ଅନନ୍ତର କାର୍ଯ୍ୟ କି ଶାନ୍ତ ମାନବ କରିପାରେ ? ହସ୍ତୀର ବୋଝ ପିପିଲ୍ଲିକା ବହି ପାରିବ ନାହିଁ ।’’ ବନ୍ଧୁଟି ବାରମ୍ବାର ଖୁଞ୍ଚା ଖାଇ ସୁଦ୍ଧା ନିବୃତ୍ତ ହେଲା ନାହିଁ । ସେ କହିଲା–‘‘ପିତାମାତଙ୍କର ଅବାଧ୍ୟ ହେବା ପୁତ୍ର ପକ୍ଷରେ ମହାପାପ ।’’ ସନାତନ କହିଲା– ତାହା ମୁଁ ଜାଣେ, ଆଉ ଜାଣେ ବୋଲି ଅଦ୍ୟାବିଧି କେବେ ତାଙ୍କର ଅବାଧ୍ୟ ହୋଇନାହିଁ, କି ଜୀବନରେ ହେବି ନାହିଁ । ମୁଁ ଯେବେ ଅନ୍ୟାୟ ପଥରେ ଚାଲିବି, ତେବେ ବାଧା ଦେବା ସେମାନଙ୍କର କର୍ତ୍ତବ୍ୟ । ଆଉ ନ୍ୟାୟପଥରେ ଧର୍ମପଥରେ ଚାଲିଲେ ସେମାନେ ବାଧା ଦେଇପାରିବେ ନାହିଁ, କି ତାହା ଅବାଧ୍ୟତା ହେବ ନାହିଁ ।’’ ବନ୍ଧୁମାନେ ଏହିପରି ଅନେକ ଯୁକ୍ତ କରନ୍ତି; ମାତ୍ର ସନାତନ ପ୍ରତିଜ୍ଞାରେ ପର୍ବତ ପରି ଅଚଳ ଅଟଳ । ଏକଥା ଶୁଣି ପିତାମାତାଙ୍କର ସନ୍ଦେହ ଏବଂ ଆଶଙ୍କା ବଢ଼ିଉଠିଲା । ପ୍ରତିବେଶୀମାନେ ବିନା ମୂଲ୍ୟରେ ପରାମର୍ଶ ଦେଲେ– ‘‘ଏ ରୋଗ ବଡ଼ କଠିନ, ବିଦାହ ତାହାର ଏକମାତ୍ର ଔଷଧ । ଏହିପରି ଢେର୍‌ କହନ୍ତି–ବୈଷ୍ଣବ ହେବି, ବୈରାଗୀ ହେବି; ମାତ୍ର ହାତଛଡ଼ା ହେଲେ ସବୁ ଉଡ଼ଙ୍ଗ କୁଆଡ଼େ ଉଡ଼ିଯାଏ-।’’ ନନ୍ଦଦମ୍ପତି ଏ ମୂଲ୍ୟବାନ ସୁପରାମର୍ଶ ମାହାଳିଆରେ ପାଇ ଶୀଘ୍ର ପୁତ୍ରର ବିବାହ ବିଷୟରେ ତତ୍ପର ହେଲେ । ସନାତନ ଭାବିଲା–‘‘ଏବେ ସର୍ବନାଶ, କିଛିଦିନ ଆତ୍ମଗୋପନର ନ କଲେ ଆଉ ନିସ୍ତାର ନାହିଁ ।’’ ଉତ୍ତେଜନାର ପରିଣାମ ବା ଭଲ ମନ୍ଦ ଭାବିବାକୁ ତାହାର ସମୟ ନାହିଁ; ସୁତରାଂ ‘‘ଯଃ ପଳାଇତି ସ ତିଷ୍ଠତି’’ ନୀତି ସାର କଲା । ସେ ଦିନେ ମାଛି ଅନ୍ଧାରରୁ ଉଠି ଇଷ୍ଟଦେବଙ୍କୁ ସ୍ମରଣ ଏବଂ ପ୍ରଣାମ କରି ତହିଁ ପରେ ପିତାମାତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ‘‘ସଙ୍କଟେ ମଧୁସୂଦନ’’ ସ୍ମରଣପୂର୍ବକ ଘରୁ ବାହାରି ଚାଲିଗଲା ।

Image

 

Unknown

ଚତୁର୍ଦ୍ଦଶ ପରିଚ୍ଛେଦ

 

ସନାତନ ଗ୍ରାମ ପାର ହୋଇଗଲା । ସେ ପର୍ଯ୍ୟନ୍ତ କୁଆ କୋଇଲି ଉଠିନାହାନ୍ତି । କ୍ରମେ ଫର୍ଚ୍ଚା ହୋଇ ଆସିଲା । ଦିପଙ୍ଗନାକୁଳ ଶଙ୍ଖ ହୁଳାହୁଳୀ ଶବ୍ଦରେ ନବୀନ ପ୍ରଭାତକୁ ଅଭ୍ୟର୍ଥନା କଲେ । ବାଳାର୍କକିରଣ ତରୂ ମସ୍ତକରେ ଜ୍ୟୋତିର୍ମୟ ମୁକୁଟ ପିନ୍ଧାଇ ଦେଲା । ତ୍ୟାଗୀ ମସ୍ତକରେ ପ୍ରକୃତି ଏହିପରି ଗୌରବ ମୁକୁଟ ପିନ୍ଧାଇ ଦେଲା । ତରୁବର୍ଗ ଶାଖା କର ଯୋଡ଼ି ନବ ନୃପତି ସୂର୍ଯ୍ୟଙ୍କୁ ନମସ୍କାରପୂର୍ବକ ଦାନର ପ୍ରତିଦାନ ଅର୍ପଣ କଲେ । ମର୍ତ୍ତ୍ୟର ଦେବକନ୍ୟା କୁସୁମସୁନ୍ଦରୀର ଶିଶିରସିକ୍ତ ଶରୀର ରବିକର ସ୍ପର୍ଶରେ ଝଟକି ଉଠିଲା । ତାହାର ଅଶ୍ରୁପ୍ଲାବିତ ମୁଖରେ ମଧୁର ହାସ୍ୟ ଫୁଟି ଉଠିଲା । ସନାତନ ଯାଇ ଦୁଇ କ୍ରୋଶ ଦୂରବର୍ତ୍ତୀ ନିର୍ଜ୍ଜନ ନଦୀକୂଳରେ ବସିଲା । ସେ କେଉଁଠାକୁ ଯିବ ଏ ଅବଧି ତାହା ଭାବି ନ ଥିଲା,ଏବେ ତାହା ମନରେ ଗୋଟାଏ ପ୍ରଚଣ୍ଡ ଚମକ ଆସିଲା । ସେ ଭାବିଲା–‘‘ଏହି ନଦୀଟି ନୀରବ ସଙ୍କେତରେ ମୋତେ ବାଟ ଦେଖାଇ ଦେଉଛି । ଏ ନିର୍ଲକ୍ଷ୍ୟ ଭାବରେ ବହି ଆସି ବାଟ ଚାଲୁ ଚାଲୁ ଅକସ୍ମାତ୍‌ ସମୁଦ୍ରକୁ ଭେଟିଲା ଏବଂ ଆଶ୍ରୟ ପାଇଲା-। ନତୁବା ଗିରିଗର୍ଭରେ ବାହରିଲାବେଳେ ତାହାର ଆଶ୍ରୟ ସ୍ଥଳ ସମୁଦ୍ର ଏହି ଦିଗରୁ ଅଛି ବୋଲି ଜାଣି ବାହାରି ନ ଥିଲା । ଖୋଜୁ ଖୋଜୁ ତାକୁ ଯେପରି ଗୋଟାଏ ଆଶ୍ରୟ ମିଳିଗଲା, ମୋତେ ସେହିପରି ମିଳିଯିବ । ଜୀବନର କଠୋର ପରୀକ୍ଷା ତ ଗ୍ରହଣ କରିବାକୁ ହୋଇଛି ଦେଖାଯାଉ, ଏଥିରେ ଅଜ୍ଞେୟ ବିଧିରହସ୍ୟ ବା କାଳକୌତୁକ କଅଣ ଅଛି । ତେବେ ଘଡ଼ି ଘଡ଼ି ଚିତ୍ତ ଚମକି ଉଠୁଛି କାହିଁକି ? ହଁ ବୁଝିଲି ଏହା ମୋର ଦୁର୍ବଳତା, କାପୁରୁଷତା ଛଡ଼ା ଆଉ କିଛି ନୁହେଁ । ଛି, ମୁଁ ଏଡ଼େ ନୀଚମନା, ଆମେରିକା ଯାଉ ନାହିଁ କି ଆଫ୍ରିକା ଯାଉ ନାହିଁ, ମାତୃଅଙ୍କରେ ଖୋଜି ବୁଲିବାକୁ ଏତେ ଭୟ ! ଏ ଦୁର୍ବଳତା ଏ ଭୀରୁତା ମୋ ହୃଦୟକୁ କିଏ ଆଣିଲା ? କାହିଁ ମୁଁ ତ ଆତ୍ମଘାତୀ ଭାବକୁ ଗୋଡ଼ ହାତ ଧରି, କୁମାର୍ଗଗାମୀ ବଦାଚାରକୁ ଡାକି ଆଣିଲା ପରି ଜୁହାର ନେହୁରା ହୋଇ ଡାକିଆଣି ନାହିଁ; ତେବେ ସେ ବଳେ ବଳେ କାହିଁକି ମୋତେ ଗୋଡ଼ାଇଛି । ଓଃ, ଏ ଦେଶର ପ୍ରକୃତି ଏହିପରି ହୋଇଯାଇଛି । ମା ମୋର ନୈତିକ ସାହସ ଅଭାବର ଏ ଫଳ ? ଯେଉଁ ଓଡ଼ିଆ ଜାତି ଅଶାନ୍ତ ସମୁଦ୍ରର ଉତ୍ତାଳତରଙ୍ଗ ଉପରେ ନିର୍ଭୟ ଚିତ୍ତରେ ଦୋଳି ଖେଳୁଥିଲା, ମୁଁ ତାଙ୍କରି ପବିତ୍ର ବଂଶଧରଟି କି ? ହାୟ ମୋ ଭଳି ଅନୁଗ୍ରହ ପାତ୍ର ମୁହିଁ ଏକା ସିନା ।’’ ସନାତନ ଏହିପରି ଭାବୁଅଛି, ଏହି ସମୟରେ ଅଧୀରତା ଏବଂ ଉତ୍ସାହ ଆସି ତାହା ଦୁଇ ପାଖରେ ଠିଆ ହୋଇଗଲା । ଉତ୍ସାହ କହିଲା– ‘‘ନା, ତୁ ଅଧୀରତା କଥା ଶୁଣୁନା, ପେଟା ବଡ଼ି ଡରେଈ– ଟିକକ କଥାକୁ କାନ୍ଦିପକାଏ ।’’ ଅଧୀରତା ଏହା ଶୁଣି ଅଧୀର ହୋଇ କହିଲା– ‘‘ଥାଉ ହେ ବୀରଚୂଡ଼ାମଣି, ବୀରତ୍ୱ ତେଣିକି ଥାଉ । ପିଲାଟାକୁ ବାପମାର ଅବାଧ୍ୟ କରି ଘରୁ ବାହାର କରି ଆଣିବାଟା ଏକ ପ୍ରକାଣ୍ଡ କୀର୍ତ୍ତିର କଥା ।’’ ସାହସ ବିସ୍ମୟଜଡ଼ିତ କଣ୍ଠରେ କହିଲା–‘‘କଅଣ, ପିତା ମାତାଙ୍କର ଅବାଧ୍ୟ-? କିଏ ଅବାଧ୍ୟ ? ଯାହା ଯାହାର ଶକ୍ତିର ଅତୀତ, ତାହା ପୁଣି ଅବାଧ୍ୟ କରିବାକୁ କହିବ, ସେ କରି ନ ପାରିଲେ ପୁଣି ଅବାଧ୍ୟ ଉପାଧି ପାଇବ – ଏହା ତ ଖାସା ସୁନ୍ଦର ବିଚାର । ପୁଅ ଯେଉଁ ଭାର ବହିବାର କ୍ଷମତା ନାହିଁ, ସେହି ଭାର ତାହା ମୁଣ୍ଡରେ ଲଦିବାକୁ ବାପମାଙ୍କର ଭଲା ଏତେ ଜିଦି କାହିଁକି ? ଏହା କଣ ସ୍ନେହର ଶାସ୍ତି ନୁହେଁ ?’’ ସାହସ ଏବଂ ଅଧୀରତା ମଧ୍ୟରେ ଏହିପରି ଅନେକ ବାଦାନୁବାଦ ଚଳିଲା; ମାତ୍ର ଶେଷରେ ସାହସର ଜୟ ହେଲ । ସନାତନ ଦନ୍ତଧାବନ ଓ ବର୍ହିଦେଶ ଗମନ ପରେ ନଦୀରେ ସ୍ନାନ କରି ଲୁଗା ପାଲଟି ଓଦାଲୁଗା ଖଣ୍ଡ ଶୁଖାଇ ଦେଲା । ପୂଜା ଏବଂ ଜପ ଶେଷ ହେବା ବେଳକୁ ଲୁଗା ଖଣ୍ଡି ଶୁଖି ଯାଇଥିଲା । ସେ ଖଣ୍ଡ ତୋଳି ନେଇ ପୁଣି ଅଲକ୍ଷ୍ୟ ଭାବରେ ଚାଲିଲା । ଦିନ ପାଞ୍ଚଘଡ଼ି ବେଳେ ଯାଇ ଜଗନ୍ନାଥ ସଡ଼କ ପାଖରେ ଗୋଟିଏ ପୁଷ୍କରିଣୀ ତୀରରେ ଉପସ୍ଥିତ ହେଲେ । ପୋଖରୀଟି ଚତୁଷ୍କୋଣ, ପଥରରେ ଘାଟର ପାଉଛ ବନ୍ଧା ହୋଇଛି । ଜଳ କାକଚକ୍ଷୁ ପରି ସ୍ୱଚ୍ଛ, ଇତସ୍ତତଃ କେତୋଟି ପଦ୍ମ ଫୁଟିଅଛି । ଭ୍ରମର କେତେବେଳେ ସେ ଫୁଲ ଉପରେ ବସି ପଡ଼ୁଅଛି, କେତେବେଳେ ଉତ୍ତାନଭାବରେ ଶୋଇପଡ଼ି ପଦପକ୍ଷ ସଞ୍ଚାଳନ କରୁଅଛି, କେବେ ବା କଚାଡ଼ି ହୋଇ ପଡ଼ୁଅଛି, ଫୁଲ–ଶଯ୍ୟାରେ ସେ ଏହିପରି ବିବିଧ କେଳି କରୁଅଛି । ପୁଷ୍କରିଣୀର ନାମ ‘‘କତା’’ ପୋଖରୀ । ପ୍ରବାଦ ଅଛି– ଜଣେ ଗରିବ ବ୍ରାହ୍ମଣ ହାଟରେ ନଡ଼ିଆ ବିକି ଜୀବିକା ନିର୍ବାହ କରେ । କତାଗୁଡ଼ିକ ଫିଙ୍ଗି ନ ଦେଇ ସଂଗ୍ରହ କରି ରଖିଥାଏ । ଅବସରବେଳେ ସେଥିରେ ଦଉଡ଼ା ବଳେ । ସେହି କତା ଦଉଡ଼ି ବିକା ପଇସାରେ ପୋଖରୀଟି ଖୋଳା ହୋଇଥିବାରୁ ତାହାର ଏରୂପ ନାମ ହୋଇଛି । ଏହିପରି ସୂତାକଟା ପୋଖରୀ, ତୂଳାଭିଣା ପୋଖରୀ ପ୍ରଭୃତି ବିବିଧ ନାମରେ ଜଳକୀର୍ତ୍ତି ପଲ୍ଲୀ ଅଞ୍ଚଳରେ ଅନେକ ଦେଖାଯାଏ । ସେଗୁଡ଼ିକ ଦାରିଦ୍ର୍ୟ–ଧନ–କୁବେରମାନଙ୍କର ସଞ୍ଚୟପଟୁତା, ଦାନ ଏବଂ ଧର୍ମପ୍ରାଣତାର ମୁକସାକ୍ଷୀ । ସେ କାଳର ଦରିଦ୍ର ଏବଂ ଏ କାଳର ବିଳାସୀ ଧନୀମାନଙ୍କୁ ତୁଳାଦଣ୍ଡରେ ତଉଲିରେ ଧନୀ ପାଖର ପାଲା ଉପରକୁ ଟେକି ହେବ । ପେଟ ଶୁଖାଇ କଷ୍ଟାର୍ଜିତ ଅର୍ଥର ପବିତ୍ର ବ୍ୟବହାର ଏକା ଦରିଦ୍ରମାନେ କରିପାରନ୍ତି । ଜଗତରେ ଯେ ଯେଡ଼େ ବଡ଼ ସେ ତେଡ଼େ ଦରିଦ୍ର । ମହାଦେବଙ୍କଠାରୁ ବଡ଼ଲୋକ କିଏ, ତଥା ଦରିଦ୍ର ବା କିଏ ? ପୋଖରୀ ଉପରେ ୪।୫ଟା ବୃହତ୍‌ ବରଗଛ ଅଛି । ସେଥି ମଧ୍ୟରେ କେହି ସେ କାଳରେ ମୁନି ଋଷି ପରି ପ୍ରରୋହଜଟାଶ୍ମୁଶ୍ରୁମଣ୍ଡିତ, ଆଉ କେହି ବା ନିଷ୍ଠାପର ହିନ୍ଦୁ ଗୃହସ୍ଥ ପରି ମଣ୍ଡିତଶ୍ମଶ୍ରୁ । ପୁରୀ ଯାତ୍ରୀମାନେ ଏବଂ ଶଗଡ଼ିଆମାନେ ସେହି ଗଛମୂଳରେ ରାନ୍ଧି ବାଢ଼ି ଖାଆନ୍ତି; ସୁତରାଂ ସବୁବେଳେ ସେଠାରେ ଲୋକ ଗହଳ ଲାଗିଥାଏ । କିନ୍ତୁ ଆଜି ଅଧିକ ଲୋକ ନାହାନ୍ତି; ୭। ୮ ଜଣ ମାତ୍ର ଅଛନ୍ତି । କେହି ଜଳରେ ପଶି ସ୍ନାନ କରୁଛି– କେହି ରୋଷାଇର ବ୍ୟବସ୍ଥା କରୁଛି– କେହି ବା ପିତ୍ତଳନକିରେ ଚୂଡ଼ା ତିନ୍ତାଇ ଲୁଣ ଲଙ୍କାମରିଚ ସାହାଯ୍ୟରେ ଚୂଡ଼ାପାଣି କରୁଛି । ଏହିପରି ସମସ୍ତେ ଗୋଟାଏ ଗୋଟାଏ କାର୍ଯ୍ୟରେ ବ୍ୟସ୍ତ । ଗୋଟାଏ ଗଛ ମୂଳରେ ଜଣେ ବ୍ୟକ୍ତି କୁଶାସନରେ ବସି ଗ୍ରନ୍ଥପାଠ କରୁଅଛନ୍ତି । ଲୋକଟି ପୌଢ଼ ହେଲେହେଁ ଶରୀରର ଲାବଣ୍ୟଶ୍ରୀ ମଳିନ ହୋଇ ନାହିଁ, ବର୍ଣ୍ଣ ପାକଲା ଆମ୍ବପରି ଗୌର, ମସ୍ତକ ବୃହତ୍‌ । ସତ୍ୟଦେବତା ସ୍କନ୍ଧରେ ନ୍ୟାୟସୂତ୍ର ପ୍ରାୟ ଶ୍ୱେତଯଜ୍ଞସୂତ୍ର ସ୍କନ୍ଧଦେଶରେ ଲମ୍ବମାନ । ମସ୍ତକରେ ଶିଖା ଅଛି । ଦୃଷ୍ଟିରେ ଉଜ୍ୱଳ ଶୀତଳ ଜ୍ୟୋତିରୁ ଔଦାର୍ଯ୍ୟ ଏବଂ ସାରଲ୍ୟ ଝଡ଼ି ପଡ଼ୁଛି । ବକ୍ଷ ମହାଭାବର କନକ ମୁକୁର, ସେଥିରେ ପୁଣ୍ୟର ପୂର୍ଣ୍ଣଛବି ପ୍ରତିଫଳିତ । ସନାତନ ଅନ୍ୟ ଲୋକକୁ ପଚାରି ବୁଝିଲ– ସେ ପୁରୀ ବଡ଼ମଠର ମହନ୍ତ, ତୀର୍ଥାଟନରେ ବାହାରି ବୃନ୍ଦାବନ ଯାଉଅଛନ୍ତି । ସନାତନ ଧୀରେ ଧୀରେ ଯାଇ ମହନ୍ତଙ୍କ ବାମପାର୍ଶ୍ୱରେ ଖଣ୍ଡେ ଦୂରରେ ଠିଆହେଲା । ମହନ୍ତ ଏକାଗ୍ର ଚିତ୍ତରେ ଭାଗବତ ପାଠ କରୁଅଛନ୍ତି, ଯେପରି ଗ୍ରନ୍ଥସଙ୍ଗରେ ମିଶି ଯାଇ ତନ୍ମୟ ହୋଇଯାଇ ଅଛନ୍ତି । ତାଙ୍କ ଚକ୍ଷୁର ପଲକ ସ୍ଥିର ଏବଂ ନିଷ୍ପନ୍ଦ । ସନାତନ ବୁଝିଲା, ମହନ୍ତ ମହାରାଜ ଜଣେ ପ୍ରକୃତ ସାଧକ ଏବଂ ଯୋଗୀ । ଯୋଗସାଧନାର ଅନେକ ଲକ୍ଷଣ ତାଙ୍କ ଦେହରେ ଦେଖାଯାଉଅଛି । ସନାତନ ଗ୍ରନ୍ଥପାଠନିରତ ସାଧୁପୁରୁଷଙ୍କ ସମ୍ମୁଖୀନ ହେବାକୁ ସାହସ କଲାନାହିଁ, ସେହିପରି ଠିଆହୋଇ ସ୍ତବ୍‌ଧ ବିସ୍ମୟରେ ଭାଗବତପାଠ ଶୁଣିବାକୁ ଲାଗିଲା । କିଛିକ୍ଷଣ ପରେ ମହନ୍ତଙ୍କର ଗ୍ରନ୍ଥପାଠ ଶେଷ ହେଲା । ସେ ପୁସ୍ତକରୁ ଦୃଷ୍ଟି ଉଠାଇ ନେଇ ପାର୍ଶ୍ୱ ଭାଗକୁ ଚାହିଁ ଦେଲାକ୍ଷଣି ସନାତନ ଭୂମିରେ ମସ୍ତକ ଲଗାଇ ପ୍ରଣାମ କଲା । ମହନ୍ତ ଆଶୀର୍ବାଦ କରି ସମ୍ମୁଖସ୍ଥ ମୃଗଛାଲ ଦେଖାଇ ବସିବାକୁ କହିଲେ; ମାତ୍ର ସନାତନ ସେ ଆସନରେ ନ ବସି ଭୂମିରେ ବସିଲା; ମାତ୍ର ତାକୁ କିଛିକ୍ଷଣ ଚାହିଁ ରହି ମୃଦୁହାସ୍ୟରେ ପଚାରିଲେ–‘‘କିଛି କହିବାକୁ ଅଛି ?’’

 

ସନାତନ–ନା ଆଜ୍ଞା, କିଛି କହିବାକୁ ନାହିଁ । ଆପଣଙ୍କର ଭାଗବତ ପାଠ ଶୁଣୁଥିଲି । ଆପଣ ଛନ୍ଦ, ଯତି ମିଳାଇ ଯେପରି ବିଶୁଦ୍ଧ ଭାବରେ ସଂସ୍କୃତରେ ଶ୍ଳୋକ ଉଚ୍ଚାରଣ କରୁଛନ୍ତି, ସେପରି ସ୍ପଷ୍ଟ ଉଚ୍ଚାରଣ ମୁଁ ଆଉ କାହାରି ମୁହଁରୁ ଶୁଣି ନାହିଁ ।

 

ମହନ୍ତ– ଭାଗବତ ବୋଲି କିପରି ଜାଣିଲ ?

ସନାତନ– ପୃଥିରାଜାଙ୍କର ପୃଥିବୀଦୋହନ ଆଖ୍ୟାନ ପଡ଼ିଥିଲା ପରା ?

ମହନ୍ତ– ସେ ଆଖ୍ୟାନ କେଉଁ ଖଣ୍ଡରେ ପଡ଼େ ?

ସନାତନ– ଚତୁର୍ଥସ୍କନ୍ଧରେ ।

 

ମହନ୍ତ– ତେବେ ତ ଦେଖୁଛି ତୁମ୍ଭେ ଭଲରୂପେ ପଢ଼ାଶୁଣା କରିଛ ।

 

ସନାତନ– ଆଜ୍ଞା ହଁ, ସମାନ୍ୟ କିଛି ପଢ଼ିଛି, କାବ୍ୟ ନାଟକ ପ୍ରଭୃତିର ସୁଦ୍ଧା କିଛି କିଛି ଜାଣେ ।

 

ମହନ୍ତ– ତୁମ୍ଭ କାଖରେ ସେ ଖଣ୍ଡି କି ପୁସ୍ତକ ?

ସନାତନ– ଭଗବତ୍‌ଗୀତା ।

ମହନ୍ତ– ଗୀତା ପଢ଼ିଛ ? ଆଚ୍ଛା, ଏ ଶ୍ଳୋକର ଅର୍ଥ କଲ–

‘‘ଅୟନେଷୁ ଚ ସର୍ବେଷୁ ଯଥାଭାଗବସ୍ଥିତାଃ,

ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ବ ଏବ ହି ।’’

 

ସନାତନ– ଦୂର୍ଯୋଧନ ଦ୍ରୋଣ ଗୁରୁଙ୍କୁ କହୁଛନ୍ତି– ଆପଣମାନେ ସମସ୍ତେ ନିଜ ନିଜ ବ୍ୟୁହ ଦ୍ୱାରରେ ରହି ଭୀଷ୍ମଦେବଙ୍କୁ ସର୍ବଦା ଉତ୍ତମରୂପେ ରକ୍ଷା କରନ୍ତୁ ।

 

ମହନ୍ତ– କି ଭୀଷ୍ମ କଅଣ ଏଡ଼େ ଦୁର୍ବଳ ଯେ, ତାଙ୍କୁ ରକ୍ଷା କରିବାକୁ ରକ୍ଷକ ଦରକାର ?

 

ସନାତନ– ନା ଆଜ୍ଞା, ତାହା ନୁହେଁ । ଭୀଷ୍ମଦେବ କୌରବ ପକ୍ଷରେ ପ୍ରଧାନ ସେନାପତି ହେତୁ ବିପକ୍ଷ ପକ୍ଷର ଅନେକ ବୀର ତାଙ୍କୁ ଲକ୍ଷ୍ୟ କରିବେ । ସେ ସମ୍ମୁଖ ଯୁଦ୍ଧରେ ନିଯୁକ୍ତ ଥିବାବେଳେ କାଳେ କେହି କ୍ଷତ୍ରିୟ ଧର୍ମ ଲଙ୍ଘି ତାଙ୍କୁ ଅନ୍ୟଆଡ଼ୁ ପ୍ରଚ୍ଛନ୍ନ ଆକ୍ରମଣ ପୂର୍ବକ ବିନାଶ କରେ, ଏହି ଆଶଙ୍କାରେ ଦୁର୍ଯ୍ୟୋଧନ ଦ୍ରୋଣଙ୍କୁ ସେପରି କହିଥିଲେ ।

 

ମହନ୍ତ– ହଁ ଠିକ୍‌ କହିଛ, ଆଚ୍ଛା, ଆଉ କଅଣ ପଢ଼ିଛ ?

ସନାତନ– ନ୍ୟାୟ ଆଉ ବେଦାନ୍ତରୁ କିଛି କିଛି ପଢ଼ିଛି ।

 

ମହନ୍ତ– ନ୍ୟାୟ ବେଦାନ୍ତ ବି ପଢ଼ିଛ ? ଓଃ ଏଇ ବୟସରେ ଏତେ ଶିଖିଲଣି, ବାଃ ବାଃ ! ହଁ ତାହା ତ ବ୍ରାହ୍ମଣର କାର୍ଯ୍ୟ । ତୁମ୍ଭର ନାମ କଅଣ ବାବା ?

 

ସନାତନ– ମୋର ନାମ ସନାତନ ନନ୍ଦ ।

ମହନ୍ତ– ତେବେ ବିଦ୍ୟାଶିକ୍ଷା ଶେଷ କରି ତୀର୍ଥ ଭ୍ରମଣରେ ବାହାରିଛ ?

ସନାତନ– ହଁ, ଆଜ୍ଞା, ଏକ ପ୍ରକାର ସେହିପରି ।

ମହନ୍ତ– ଆଚ୍ଛା ବାବା, ଭାଗବତରୁ ଖଣ୍ଡେ ପଢ଼ନି ମୁଁ ଶୁଣିବି ।

 

ଏହା କହି ମହନ୍ତ ସନାତନ ହାତକୁ ପୁସ୍ତକ ବଢ଼ାଇଦେଲେ । ସନାତନ ଗୋଟିଏ ଅଂଶ ଯଥା ରୀତିରେ ପଢ଼ିବାକୁ ଲାଗିଲା । ତାହାର ଲଳିତ କୋମଳ ସ୍ୱର ଏବଂ ମଧୁର ଝଙ୍କାର ମହନ୍ତ ସ୍ତବ୍‌ଧ ମୁଗ୍‌ଧ ହୋଇ ଶୁଣିବାକୁ ଲାଗିଲେ । ମନେ ମନେ ଭାବିଲେ– ‘‘ଏ ବାଳକଟି କିଏ ? ବୟସ ତ ବିଂଶ ବର୍ଷ ଅତିକ୍ରମ କରିଥିବା ପରି ବୋଧ ହେଉନାହିଁ, ଏହି ବୟସରେ ଏ ପ୍ରତିଭା । ଆହା, କି ସଂଯମ– କି ବିନୟ– କି ଅର୍ଥପୂର୍ଣ୍ଣ ଭାବପ୍ରାଣ ଭାଷା । କିନ୍ତୁ ଏ ନିଷ୍କଳଙ୍କ ଚନ୍ଦ୍ରରେ ଗୋଟାଏ କି ଛାୟାପାତ ହେଲାପ୍ରାୟ ବୋଧ ହେଉଅଛି, ଯେମନ୍ତ କି ଏକ ଦାରୁଣ ବ୍ୟଥା ଏହି ସୁକୁମାର ବାଳକ ହୃଦୟରେ ଲୁଚକାଳି ଖେଳୁଅଛି । ହାୟ, ଏଭଳି କୁସୁମରେ ବି କୀଟ ପ୍ରବେଶ କରେ ।’’ ମହନ୍ତ ସନାତନକୁ ଏକ ଧ୍ୟାନରେ ଚାହିଁ ରହିଅଛନ୍ତି, ଯେପରି ସେ ସନାତନର ଅନ୍ତର ଭିତରେ ପଶି ବ୍ୟଥା କେଉଁଠାରେ, ତାହା ଖୋଜି ବୁଲୁଅଛନ୍ତି । ତାହା ହୃଦୟରେ କି ଗୁପ୍ତକଥା ଲିଖିତ ଅଛି, ତାହା ନୀରବ ମନୋଯୋଗ ପୂର୍ବକ ପଢ଼ୁଅଛନ୍ତି । ସନାତନ କେତୋଟି ଶ୍ଳୋକ ଆବୃତ୍ତ କରି ପୁସ୍ତକ ରଖିଦେଲା । ମହନ୍ତ ତାକୁ ପାଖକୁ ଟାଣିଆଣି ସ୍ନେହରେ ଆଦରରେ ତାହା ମସ୍ତକରେ ହାତ ବୁଲାଇ ଦେଇ କହିଲେ–‘‘ବାବା, ତୁମ୍ଭର ସୌଜନ୍ୟ ଆଉ ନିର୍ମଳ ସାଧୁ ବ୍ୟବହାରରେ ମୁଁ ବିଶେଷ ସନ୍ତୋଷ ଲାଭ କରିଛି । କିନ୍ତୁ ବାବା, ତୁମ୍ଭ ମନରେ କି ଗୋଟାଏ ସଂଶୟ ଥିଲା ପରି ଜଣାପଡ଼ୁଛି । ମୁଁ ବୃଦ୍ଧ, ତୁମ୍ଭର ପିତୃବୟସୀ ଆଉ ସନ୍ନ୍ୟାସୀ, ମୋ ପାଖରେ ତାହା ପ୍ରକାଶ କଲେ କିଛି କ୍ଷତି ବା ଆଶଙ୍କା ନାହିଁ ।’’ ସନାତନ ତାଙ୍କ ମୁହଁଙ୍କୁ ଚାହିଁ ରହି ମନେ ମନେ ଭାବିଲେ– ‘‘ଏ କଅଣ ଅନ୍ତର୍ଯ୍ୟାମୀ, ମୋର ମନର ସଂଶୟ ଏ ଜାଣିଲେ କିପରି ? ସାଧୁ ସତ୍‌ପୁରୁଷମାନେ ଆକୃତିରୁ ପ୍ରକୃତି ଅନୁମାନ କରି ନିଅନ୍ତି; ଏହା ସତ କଥା ।’’ ଅନନ୍ତର ମୃଦୁହସି କହିଲା, ହଁ ଆଜ୍ଞା, ଯାହା ଅନୁମାନ କରିଛନ୍ତି, ତାହା ଠିକ୍‌ । ସେ ସବୁ ପଛେ ଶୁଣିବେ ଆଗେ ଦୟା କରି ମୋର ଗୋଟାଏ ପ୍ରଶ୍ନର ଉତ୍ତର ପ୍ରଦାନ କରନ୍ତୁ । ଶାସ୍ତ୍ରରେ ଅଛି, ସସ୍ତ୍ରୀକୋ ଧର୍ମମାଚରେତ୍‌ । ଯାହାର ସ୍ତ୍ରୀ ନାହିଁ, ସେ କଅଣ ଧର୍ମସାଧନର ଅଧିକାରୀ ନୁହେଁ ।’’ ମହନ୍ତ କହିଲେ– ‘‘ନା ବତ୍ସ, ତାହା ନୁହେଁ । ଉପରୋକ୍ତ ଶାସ୍ତ୍ରବଚନରେ ଅର୍ଥ ଏହି ଯେ, ନିଜେ ଯେଉଁ ଧର୍ମ ଗ୍ରହଣ କରିବ, ସ୍ତ୍ରୀକୁ ସେହି ଧର୍ମରେ ଦୀକ୍ଷିତ କରିବ । ଧର୍ମାଚରଣରେ ସ୍ତ୍ରୀ ପୁରୁଷର ସହାୟ; ମାତ୍ର ସ୍ତ୍ରୀ ଅଭାବରେ ଧର୍ମ ରାଜ୍ୟରୁ ପୁରୁଷ ବିତାଡ଼ିତ ହୁଏ ନାହିଁ କିମ୍ବା ଧର୍ମ ବିଦ୍ୟାଳୟରୁ ତାହାର ନାମ କଟିଯାଏ ନାହିଁ । ଆମ୍ଭେମାନେ ସନ୍ନ୍ୟାସୀ, ଚିରକୁମାର, ଏହିପରି ସାଧୁ ସନ୍ନ୍ୟାସୀ ପୃଥିବୀରେ କୋଟି କୋଟି ଅଛନ୍ତି । ଧର୍ମାଚରଣ ସମସ୍ତଙ୍କର ଉଦ୍ଦଶ୍ୟ । ଯଦି ସ୍ତ୍ରୀ ବିନା ଧର୍ମାନୁଷ୍ଠାନ କରି ନ ହୁଅନ୍ତା, ତେବେ ସେମାନେ ଅବଶ୍ୟ ସ୍ତ୍ରୀ ଗ୍ରହଣ କରିଥାଆନ୍ତେ । ପକ୍ଷାନ୍ତର ଯାହାର ସ୍ତ୍ରୀ ମରିଯାଏ, ସେ କି ଧର୍ମ ରାଜ୍ୟରେ ଏକଘରିଆ ହୋଇ ରହେ, ନା ଧର୍ମ କର୍ମ କରିବାକୁ ତାକୁ ମନା ହୋଇଯାଏ ? ଯାହାର ସ୍ତ୍ରୀ ନାହିଁ ଧର୍ମକାର୍ଯ୍ୟରେ ତାହାର ସ୍ତ୍ରୀର ସାହାଯ୍ୟ ଲୋଡ଼ା ହୁଏ ନାହିଁ । ଏବେ ତୁମ୍ଭର ମନୋବିକାରର କାରଣ ମୁଁ ବୁଝିଲି । ତୁମ୍ଭର ପିତାମାତା ବିବାହ କରାଇବାକୁ ଇଚ୍ଛୁକ, କିନ୍ତୁ ତୁମ୍ଭେ ସେଥିରେ ଅସ୍ୱୀକୃତ । ବୋଧହୁଏ ସେଥିଲାଗି ତୁମ୍ଭେ ତୀର୍ଥ ଭ୍ରମଣର ଛଳନା କରି ଘରୁ ବାହାରି ଆସିଅଛି । ତୁମ୍ଭର ଉଦ୍ଦେଶ୍ୟ ତ ଖୁବ୍‌ ମହତ୍‌, ସେଥିରେ ପିତାମାତାଙ୍କର ବାଧ୍ୟତା କାହିଁକି ? ବିଦ୍ୟାଧ୍ୟୟନ ଏବଂ ତୀର୍ଥଭ୍ରମଣ ପରେ ବିବାହ କରିବା ଗୃହୀର କର୍ତ୍ତବ୍ୟ । ଗୃହସ୍ଥାଶ୍ରମରେ ପ୍ରବେଶ କରିବା ବଡ଼ ସହଜ କଥା ନୁହେଁ । ବିଦ୍ୟା ଏବଂ ତୀର୍ଥ ସେବାଦ୍ୱାରା ସଂଜମ ଏବଂ ଆତ୍ମଶୁଦ୍ଧି ଉପାର୍ଜନ ନ କରି କେହି ଗାର୍ହସ୍ଥ୍ୟଶ୍ରମର ଉପଯୁକ୍ତ ହୋଇପାରେ ନାହିଁ । ଅପକ୍ୱାବସ୍ଥାରେ ଉକ୍ତ ଆଶ୍ରମରେ ପ୍ରବେଶ କଲେ ପଶୁ ଭାବରେ ଜୀବନ ଯାପନ କରାହୁଏ । ଗୃହସ୍ଥାଶ୍ରମ ବଡ଼ କଠୋର, ଚତୁରାଶ୍ରମ ମଧ୍ୟରେ ତାହା ଶ୍ରେଷ୍ଠ, ସେ ଆଶ୍ରମରେ ଉପଯୁକ୍ତ ହେବା ସାଧନା ସାପେକ୍ଷ । ତାହା କଠିନ ବୋଲି ସନ୍ନ୍ୟାସୀମାନେ ଚିରକୁମାର ରହି ସହଜ ପଥ ଅବଲମ୍ବନ କରନ୍ତି । ସନ୍ନ୍ୟାସୀ ନିଜର ପେଟ ପୋଷେ; କିନ୍ତୁ ଗୃହସ୍ଥ ଲକ୍ଷ ପ୍ରାଣୀ ପୋଷେ । ସୁତରାଂ ଗୃହସ୍ଥର ଦାୟିତ୍ୱ ବଡ଼ ବିଷମ । ତୁମ୍ଭର ଯେବେ ତୀର୍ଥଭ୍ରମଣର ଇଚ୍ଛା ଥାଏ, ତେବେ ସ୍ୱଚ୍ଛନ୍ଦରେ ମୋ ସଙ୍ଗରେ ଚାଲ । ତେଣୁ ଫେରି ଇଚ୍ଛା ହେଲେ ବିବାହ କରି ଗୃହସ୍ଥାଶ୍ରମରେ ପ୍ରବେଶ କରିବ ।’’ ସନାତନ ଏ ପ୍ରସ୍ତାବରେ ସମ୍ମତ ହୋଇ ମହନ୍ତଙ୍କ ପାଦମୂଳରେ ପ୍ରଣାମ କରି କହିଲେ– ‘‘ଆପଣଙ୍କର ଏ ଦୟାର ୠଣ ମୋ ପକ୍ଷରେ ଏକାନ୍ତ ଅପରିଶୋଧ୍ୟ, ଆପଣ ମୋର ପୂର୍ବ ଜନ୍ମରେ ନିତାନ୍ତ ପରମାତ୍ମୀୟ ଥିଲେ ।’’ ସନାତନ ମହନ୍ତଙ୍କ ସଙ୍ଗରେ ରହିଲା । ସେହିଦିନ ଉପର ଓଳି ମହନ୍ତ ସଦଳରେ ବୃନ୍ଦାବନ ଅଭିମୁଖରେ ଯାତ୍ରା କଲେ । ସାଧୁତା ଏବଂ ସଦ୍‌ଗୁଣରେ ସମାଦର କେବଳ ସାଧୁ ଏବଂ ସଦ୍‌ଗୁଣବନ୍ତର ସ୍ୱଭାବସୁଲଭ ।

 

ବେଳ ଦୁଇପ୍ରହର ଗଡ଼ିଗଲାଣି, ଏ ଅବିଧି ସନାତନ ଘରକୁ ଆସିନାହିଁ । ସେ କୁଆଡ଼େ ଗଲା, କାହିଁକି ଆସିଲା ନାହିଁ, ଏହି ଚିନ୍ତାରେ ଶେଫାଳିକା ଅସ୍ଥିର । ସେ ଏଥିମଧ୍ୟରେ ଦାଣ୍ଡଦ୍ୱାରୁ ବାଡ଼ିଦ୍ୱାର ଯାଏଁ ବାଡ଼ିଦ୍ୱାରରୁ ଦାଣ୍ଡଦ୍ୱାର ଯାଏଁ ଦଶଥର ନର୍‌ ପର୍‌ ହେଲେଣି । ଧରି ଆଣିଲା ଚଡ଼େଇପରି ତାଙ୍କର ଦେହ ଗୃହପଞ୍ଜରୀରେ ଆବଦ୍ଧ; ମାତ୍ର ମନ କେଉଁ ମହାଶୂନ୍ୟରେ ଉଡ଼ି ବୁଲୁଅଛି । ପ୍ରତିବାଦରେ ପ୍ରତି କାର୍ଯ୍ୟରେ ବିଶୃଙ୍ଖଳା ଘଟୁଅଛି । ସେ କଅଣ କରିବାକୁ ଯାଇ କଅଣ କରିପକାଉ ଅଛନ୍ତି । ଭାତ ପଖାଳିବାକୁ ଯାଇ ଚୁଲିରେ ପାଣି ଢାଳିଦେଲେ– ଖରାରେ ଶୁଖିଥିବା ଧାନ ଘାଣ୍ଟିବାକୁ ଯାଇ ଧାନକୁ ଠୁଳାଇ ଦେଇ ଆସିଲେ । ଏହିପରି ସବୁ କାମରେ ତାଙ୍କର ଅସ୍ୱାଭାବିକ ଭୁଲ ଘଟୁଥାଏ । ସମସ୍ତଙ୍କୁ ପଚାରିଲେ; ମାତ୍ର କେହି କିଛି କହି ପାରିଲେ ନାହିଁ । ଶେଷରେ ପିତେଇକୁ ପଚାରିବାରୁ ସେ କହିଲା–‘‘ଆଶ୍ରମକୁ ଯାଇଥିବେ, ଆଜିଠାରୁ ତିନିଦିନ ଯାଏଁ ପରା ଚବିଶ ପ୍ରହରୀ କୀର୍ତ୍ତନ ହେବ, ତମପୁଅ ସେହିଠି ଥିବେ । ଦିନେ ଦିନେ ତ ସେହିଠି ରହିଯାଆନ୍ତି, ସେଇଠି ଥିବେ ଆଉ କୁଆଡ଼େ ଯିବେ ।’’ ଶେଫାଳିକା ପଚାରିଲେ–‘‘କୀର୍ତ୍ତନ ହେବ ବୋଲି ତୁ କିମିତି ଜାଣିଲୁ ?’’ ପିତେଇ କହିଲା– ‘‘କି ତମେ କଅଣ ଶୁଣି ନାହଁ ମା ଠାକୁରାଣୀ । ଗାଁରୁ ପିମ୍ପୁଡ଼ିମାଳ ପରି ମଣିଷ ଧାଡ଼ି ଦେଇଛନ୍ତି, ତିନିଦିନ ଯାଏ କୀର୍ତ୍ତନ ହେବ– ମଉଛବ ହେବ । ମଉଛବ ଖାଇବେ ବୋଲି ତ ଲୋକେ ଶେଯପିଲାକୁ କାଖେଇ ଧାଇଁଛନ୍ତି ।’’ ଶେଫାଳିକା ଏ କଥା ବିଶ୍ୱାସ କଲେ ଏବଂ କଥଞ୍ଚିତ୍‌ ଆଶ୍ୱସ୍ତ ମଧ୍ୟ ହେଲେ । ସେ କହିଲେ ‘‘ଗଲା ତ ଗଲା, ମୋତେ କହି ଯାଇଥିଲେ ମୁଁ ଏତେ ସନ୍ତାପି ହୁଅନ୍ତି କାହିଁକି ? ଏହି ସମୟରେ ନନ୍ଦେ ଆସି ପହଞ୍ଚିଗଲେ । ପିଣ୍ଡାରେ ବସିଯାଇ ଝାଳ ପୋଛି ହେଉଁ ହେଉଁ କହିଲେ,–‘‘ବଡ଼ବୋହୁ, ସବୁ ଠିକ୍‌ ହେଇଗଲା, ଖାଲି ବିବାହର ଲଗ୍ନଧରା ବାକୀ ରହିଲା ।’’ ଶେଫାଳିକା ଶୁଣି ଟିକିଏ ହସିଦେଇ କହିଲେ–‘‘ଆଚ୍ଛା ହେଉ, ସେକଥା ପଛରେ କହିବ, ଆଗେ ଗୋଡ଼ହାତ ଧୋଇ ପକାଅ, ଭାତ ଦିଟା ଶୁଖିଗଲାଣି । ମୁଁ ଏତେବେଳଯାଏ ଚାହିଁ ଚାହିଁ ତମଲାଗି ମୁଠେ ବାଢ଼ି ରଖି ଭାତ ପଖାଳି ଦେଲି ।’’ ଶେଫାଳିକା ଏହା କହି ତ୍ୱରିତ ଗତିରେ ପାକଶାଳା ଆଡ଼କୁ ଚାଲିଗଲେ ।

 

ଦିନ ଯାଇ ସନ୍ଧ୍ୟା ହେଲା, ସନ୍ଧ୍ୟା ଯାଇ ରାତ୍ରି ହେଲା, ତଥାପି ସନାତନ ଆସିଲା ନାହିଁ । ନନ୍ଦେ କହିଲେ– ‘‘ସଂକୀର୍ତ୍ତନ ହେଉଛି, ସ୍ୱାମୀ ଛାଡ଼ିଦେଇ ନ ଥିବେ, ରାତିରେ ଆଉ ଆସିବ ନାହିଁ; ମାତ୍ର କାହିଁକି କେଜାଣି ଶେଫାଳିକାଙ୍କର ମନସ୍ଥିର ହେଲାନାହିଁ, ରାତିରେ ସେ କିଛି ଖାଇଲେ ନାହିଁ । ରାତିଯାକ ନିଦ ବି ହେଲା ନାହିଁ । ନାନା ଦୁଶ୍ଚିନ୍ତାରେ ସେ ଛଟପଟ ହେଲେ । ପ୍ରଭାତ ନ ହେଉଣୁ ପତେଇକୁ ପଠାଇ ଦେଇ କହିଲେ–‘‘ପିତେଇ ମୋ ମନଟା କାହିଁକି ଘାଣ୍ଟି ଗୋଳାଇ ହେଉଛି, ଆଜି ମୁଁ ବାସିକାମ କରୁଛି, ତୁ ଯା ଆଶ୍ରମରୁ ବାୟାକୁ ଡାକି ଆଣିବୁ ।’’ ପିତେଇ ଦ୍ୱିରୁକ୍ତି ନ କରି ତାଙ୍କର ଆଦେଶ ପାଳନ କଲା ।

 

ଆଶ୍ରମରେ ସଂକୀର୍ତ୍ତନ ଲାଗିଅଛି । ମୃଦଙ୍ଗ କରତାଳର ପୃଥୁଳ ଶବ୍ଦରେ ଗଗନ ପ୍ରତିଧ୍ୱନିତ ହେଉଅଛି । କୀର୍ତ୍ତିନିଆମାନେ ଆକଟିମସ୍ତକ ଚନ୍ଦନ ଚର୍ଚ୍ଚିତ । ‘‘ହରେକୃଷ୍ଣ ହରେ ରାମ, ନିତାଇ ଗୌର ରାଧେ ଶ୍ୟାମ’’ ମହାମନ୍ତ୍ରର ଆବୃତ୍ତ ତୁଣ୍ଡରେ ଲାଗି ରହିଅଛି । ସମସ୍ତେ ପ୍ରେମରେ ବିହ୍ୱଳ, ପ୍ରେମର ଅମୃତଧାରା ବହି ଯାଉଅଛି । ସ୍ୱାମୀ ସଂକୀର୍ତ୍ତନରରୁ ଆସି ନିତ୍ୟକର୍ମ କରିବାକୁ ଯାଉଅଛନ୍ତି । ମୁଖ ବିରସ; କାରଣ ତାଙ୍କର ଦକ୍ଷିଣହସ୍ତ ସନାତନ ଏ ଆନନ୍ଦୋତ୍ସବରେ ଯୋଗ ଦେଇ ନାହିଁ । ଯେ ସର୍ବ ବିଷୟରେ ଅଗ୍ରଣୀ, ସେ କି ବିଶେଷ କାରଣ ବ୍ୟତୀତ ସ୍ୱେଚ୍ଛାରେ ଅନୁପସ୍ଥିତ ହୋଇପାରେ । ତେବେ ତାର କଅଣ ହେଲା, କୌଣସି ରୋଗପୀଡ଼ା ବା ବିପଦ ଆପଦ ନୁହେଁ ତ ? ଏହିପରି ଭାବୁଅଛନ୍ତି, ଏହା ସମୟରେ ପିତେଇ ଆସି ତଳେ ମୁଣ୍ଡ ଲଗାଇ ଜୁହାର ହୋଇ ପଚାରିଲା– ‘‘ସନାତନ କାହାନ୍ତି ବାବା ?’’ ସ୍ୱାମୀ କିଛିକ୍ଷଣ ସ୍ତବ୍‌ଧ ଦୃଷ୍ଟିରେ ଚାହିଁ କହିଲେ ‘‘ସନାତନ ? କାହିଁ, ସେ ତ କାଲିଠଉଁ ଆସି ନାହିଁ । ମୁଁ ସେହି କଥା ଭାବୁଥିଲି । ଏହିକ୍ଷଣ ଲୋକ ପଠାଇ ଥାନ୍ତି, ସେ କଅଣ ଘରେ ନାହିଁ ।’’ ପିତେଇ କମ୍ପିତ ସ୍ୱରରେ କହିଲା–‘‘ନା ବାବା, କାଲି ସକାଳୁ ଘରେ ନାହାନ୍ତି, ଆମେ ସିନା ଜାଣୁ ଏଠି ଥିବେ ବୋଲି, କାଲି ରାତିରେ ଘରକୁ ଯାଇ ନାହାନ୍ତି, ସେଥିଲାଗି ମା ଠାକୁରାଣୀ ମୋତେ ପାହାନ୍ତାରୁ ପଠାଇ ଦେଲେ ।’’ ସ୍ୱାମୀ ଶୁଷ୍କମୁଖରେ କ୍ଷୀଣ ବିସ୍ମୟ ସ୍ୱରରେ କହିଲେ–‘‘ତେବେ ଆଉ କୁଆଡ଼େ ଗଲା ?’’ ପିତେଇ ସେ କଥା ନ ଶୁଣି ସାଶ୍ରୁନେତ୍ରରେ ଫେରି ଧାଇଁଲା । ଶେଫାଳିକା ପିତେଇର ଆସିବା ବାଟକୁ ଚାହିଁ ରହିଅଛନ୍ତି । କାନ୍ଦି କାନ୍ଦି ଅନ୍ତ ଦୁହିଁ ହୋଇଗଲାଣି । ମନେ ମନେ କେତେ ଦେବତାଙ୍କୁ ମାନସିକ କରି ସାରିଲେଣି । ପିତେଇ ଆସି କାନ୍ଦୁଣୁ ମାନ୍ଦୁଣୁ ହୋଇ କହିଲା–‘‘ନା ମା ଠାକୁରାଣୀ, କାଲି ସକାଳୁ ସେଠିକି ଯାଇ ନାହାନ୍ତି । ସ୍ୱାମୀ କହିଲେ– ମୁ ତ ଉଛୁଣିକା ତମ ଘରକୁ ମଣିଷ ପଠାଇ ଥାଆନ୍ତି ।’’ ଶେଫାଳିକା ଏ କଥା ଅଧେ ଶୁଣିଲେ– ଅଧେ ଶୁଣି ନାହାନ୍ତି, ବାତ୍ୟା ବିଧ୍ୱସ୍ତ ପୁଷ୍ପଲତା ପ୍ରାୟ ଭୂଲୂଣ୍ଠିତା ହୋଇ ମୂର୍ଚ୍ଛିତା ହେଲେ । ପିତେଇ ବଡ଼ ପାଟିରେ କାନ୍ଦି ଉଠିଲା । ତାହା ଶୁଣି ନନ୍ଦେ ଏବଂ ସୌଦାମିନୀ ଘର ଭିତରୁ ଧାଇଁ ଆସିଲେ । ସୌଦାମିନୀ ସଉତୁଣୀର ଗୋଡ଼ ଉପରେ କଚାଡ଼ି ହୋଇ କାନ୍ଦିବାକୁ ଲାଗିଲା । ପ୍ରତିବେଶୀମାନେ ସେ କ୍ରନ୍ଦନରେ ଆହୂତ ହୋଇ ଧାଇଁ ଆସିଲେ । କେତେଜଣ ଶେଫାଳିକ ଏବଂ ସୌଦାମିନୀକୁ ଧରାଧରି କରି ଘର ଭିତରକୁ ନେଇଗଲେ । ଘଡ଼ିକ ମଧ୍ୟରେ ଗ୍ରାମ ସାରା ରାଷ୍ଟ୍ର ହୋଇଗଲା–‘‘ସନାତନ ବିଭା ନ ହେବ ବୋଲି ଘରୁ କୁଆଡ଼େ ପଳାଇ ଯାଇଅଛି-।’’ କେତେକ୍ଷଣ ପରେ ଶେଫାଳିକା ସାଷ୍ଟାମ ହେଲେ; ମାତ୍ର ବନ୍ଧ୍ୟା ହୃଦୟରେ ଯନ୍ତ୍ରଣାର କି ଭୀଷଣ ଅଗ୍ନିଜ୍ୱାଳା ଅସାଧ୍ୟ । ସେ ଚେତନା ପାଇ କହିଲେ– ‘‘ହାୟ, ସହସ୍ର ଅପୂର୍ଣ୍ଣ ଆକାଙ୍‌କ୍ଷା ମୋ ହୃଦୟରେ ପୂର୍ଣ୍ଣ ହୋଇ ରହିଛି, ତାକୁ ମୁଁ କଅଣ କରିବି ?’’ ଏତିକି ମାତ୍ର କହି ପୁଣି ମୂର୍ଚ୍ଛିତା ହେଲେ-। ଏହିପରି ଘଡ଼ି ଘଡ଼ି ମୂର୍ଚ୍ଛିତ ଘଡ଼ି ଘଡ଼ି ସଚେତ ହୋଇ ବାୟାଣୀ ପରି ନାନାବିଧ ପ୍ରଳାପ କରିବାକୁ ଲାଗିଲେ ।

 

ନନ୍ଦଙ୍କ ତୁଣ୍ଡରେ ଭାଷା ନାହିଁ । ସେ ଗୁମ୍‌ହୋଇ ବସିରହି ଥାଆନ୍ତି । କେବେ କେବେ ଭାବନ୍ତି– ‘‘ଭଗବାନ ଏ ବିପଦରେ ଆଣି ପକାଇଲେ ।’’ କେବେ ବା ଶେଫାଳିକାଙ୍କ ଉପରେ ଭୟାନକ ରାଗି ଉଠି ମନେ ମନେ କହନ୍ତି–‘‘ସେହି ମୋତେ ଏତେ ଫାନ୍ଦରେ ପକାଇଲା ।’’ ପୁଣି ଦଣ୍ଡକେ ସେ ଭାବ ବଦଳି ଯାଏ । ତେତେବେଳେ କହନ୍ତି, ‘‘ନା, ତାର ବା ଦୋଷ କଅଣ ? ସେ ତ ପିତୃପୁରୁଷଙ୍କ ଜଳପ୍ରାପ୍ତି ଆଉ ବଂଶରକ୍ଷା ଲାଗି ଏ ସବୁ କରିଥିଲା । ଦୋଷ ସେହି ଟୋକାର ଏକା-। ବୃଦ୍ଧ, ପିତାମାତାଙ୍କୁ ଏପରି ଭାବରେ ପରିତ୍ୟାଗ କରି ତାଙ୍କ ଛାତିରେ ପଥର ଲଦିବା କଅଣ ପୁତ୍ରର ଧର୍ମ ? ସନ୍ତାନ ଲାଗି ପିତାର ହୃଦୟ କିପରି ହୁଏ, ପିତା ନ ହେଲେ ତାହା କେହି ବୁଝିପାରେନାହିଁ । ନା ନା, ତାହାର ବା କି ଦୋଷ ? ତାହାର ଅମତରେ ମୁଁ ତାକୁ ବିବାହରେ ବାଧ୍ୟ କଲି କାହିଁକି ? ପୁଅ ଉପରେ ମୋର ସିନା ଅଧିକାର; ମାତ୍ର ପୁଅର ମନ ଉପରେ ମୋର କି ଅଧିକାର ଅଛି । ନିଜର ଭଲ ମନ୍ଦ ବୁଝିବାର ଶକ୍ତି ଈଶ୍ୱର ସମସ୍ତଙ୍କୁ ଦେଇଅଛନ୍ତି । ସେ ଯାହାକୁ ମନ୍ଦ ବୋଲି ବୁଝେ, ସେହିଥିରେ ତାକୁ ପ୍ରବର୍ତ୍ତାଇବା ମୋର ଗୋଟାଏ ବିଷମ ଉତ୍କଟ ଭୁଲ, ତେବେ ଦୋଷ ମୋର । ନନ୍ଦେ ଏହିପରି ଭାବି ପୁଣି କହନ୍ତି– ‘‘ କି, ମୁଁ କଣ ସର୍ବଜାଣ ଯେ, ସେ ପଳାଇବ ବୋଲି ଜାଣିଥିଲି । ବାପ ମା କଅଣ ପୁଅର ବିବାହରେ ଚେଷ୍ଟା କରନ୍ତି ନାହିଁ ? ସଂସାରରେ ତ ଏହିପରି ଚଳୁଛି, ତେବେ ମୋର ଅନ୍ୟାୟ କଅଣ ? ନା, ଦୋଷ କାହାର ନୁହେଁ, ସବୁ ଫିସାଦ ସେହି ଦୁଷ୍ଟ ଶନିସପ୍ତାର । ଶନିସପ୍ତା ଦଶାରେ ଯେତେବେଳେ ପୁଅ ଜନ୍ମ ହେଲା, ତେତେବେଳୁ ମୁଁ ଜାଣିଛି ଯେ, ସେ ମୋର ନୁହେଁ । ତ୍ରିନାଥଦେବ ନିଜର ମହିମା ପ୍ରଚାର ପାଇଁ ବୃଦ୍ଧ ଦରିଦ୍ର ବ୍ରାହ୍ମଣର ଗାଈଟି ହଜାଇ ଦେଇ ତାକୁ ବିପଦରେ ପକାଇଥିଲେ । ସେହିପରି ଶନିସପ୍ତା ନିଜ ମହିମା ପ୍ରଚାର ପାଇଁ ମୋତେ ବିପନ୍ନ କରିଅଛି । ହାୟ ଶନିସପ୍ତା ତୋର ଅସାଧ୍ୟ କଅଣ ଅଛି ? ତୋତେ ଦୂରରୁ କୋଟିଏ ଜୁହାର, – କି ଦୁର୍ଦ୍ଦାନ୍ତ ତୁ !!! ଶେଷରେ ସୁବଦୋଷ ଯାଇ ଶନିସପ୍ତା, ମୁଣ୍ଡରେ ପଡ଼ିଲା । ସେହି ହେତୁ ରାଗ କରିବା ମଧ୍ୟ ଆଇନ ବିରୁଦ୍ଧ ନୁହେଁ । କିନ୍ତୁ ଶନିସପ୍ତା ବୋଲି କୌଣସି ଶରୀରୀ ଜୀବ ଅଛି କି ନାହିଁ– ଥିଲେ କେଉଁଠାରେ ଥାଏ, ଏହା ନନ୍ଦଙ୍କର ପଠିତ କୌଣସି ଶାସ୍ତ୍ରରେ ଲେଖା ନ ଥିବାରୁ ତାଙ୍କର ଏ ଅଶାସ୍ତ୍ରୀୟ ରାଗଟା ଆପେ ଆପେ ଥମିଗଲା ।

Image

 

ପଞ୍ଚଦଶ ପରିଚ୍ଛେଦ

 

ନନ୍ଦଙ୍କ ଘରେ କେତେଦିନ ଅରାନ୍ଧ ଅବାଢ଼ ହେଲା । ପ୍ରତିବେଶୀମାନେ ଆସି ସାନ୍ତ୍ୱନା ଦେଲେ । କେହି କହିଲା– ‘‘ତମେ ଧୈର୍ଯ୍ୟ ଧର, ତମ ପୁଅ କୁଆଡ଼େ ହଜିବ ନାହିଁ– ବୁଲି ବୁଲି ଶେଷରେ ଘରକୁ ଆସିବ ।’’ କେହି ବା ନନ୍ଦ ପରିବାର ପ୍ରତି ମଜ୍ଜାଗତ ସହାନୁଭୂତି ଦେଖାଇ କହିଲା– ‘‘ସମସ୍ତେ ଯେ ଭଲ ଭଲ କହନ୍ତି–କି ଭଲ, ଏହି ଭଲ ନା ? ବୁଡ଼ନ୍ତ କାଳରେ ବାପମାଙ୍କୁ ମଝି ଦରିଆରେ ଭସାଇ ଦେଇଗଲା । ତା ହୃଦୟରେ ଟିକିଏ ମାୟା ମମତା ବି ହେଲା ନାହିଁ । ଯେତିକ ଦେଖିବ ମହନମୁହାଁ, ଗୁରୁଗୁରିଆ, ତାଙ୍କର ସ୍ୱଭାବ ଏହିପରି । ଜନ୍ମକଲା ବାପମାଙ୍କୁ ଯେ ନ ଚାହିଁଲା ସେ ପୁଣି ଗୋଟାଏ ପୁଅ ?’’ କେହି ବା ଏକଥାର ପ୍ରତିବାଦ କରି କହିଲା– ‘‘ନା ନା, ତା କାହିଁକି କହୁଛ, ସନାତନ ତ ମନ୍ଦ ପିଲା ନୁହେଁ । ତାହାପରି ପିଲା ଏକା ଏ ଗାଁରେ କାହିଁକି, ଆଖପାଖ ଦଶଖଣ୍ଡ ଗାଁରେ ଖୋଜିଲେ କେତେଟା ମିଳିବେ ? ପିଲା ମନ ତ, ସେ ଅଳ୍ପକେ ବାଙ୍କିଯାଏ, ପୁଣି ଅଳ୍ପକେ ସିଧା ହୋଇଯାଏ । ବିବାହର ନାମ ଶୁଣି ଜଣେ ଛାନିଆ ହୋଇଯାଆନ୍ତି; କିନ୍ତୁ ସେ ଭାବ ତାଙ୍କର ଆଜୀବନ ରହେ ନାହିଁ । ପଛକୁ ସେମାନେ ନିଜର ଭୁଲ ବୁଝିପାରନ୍ତି । ସନାତନ କିଛି ମୁର୍ଖ ମୂଷୁଣ୍ଡା ନୁହେଁ– ଏ ଗାଁରେ ପ୍ରୌଢ଼ ବ୍ୟକ୍ତିଙ୍କ ମଧ୍ୟରେ ତାହାପରି ବିଦ୍ୱାନ୍ କେତେଜଣ ଅଛନ୍ତି । ଗୋଟାଏ ଉତ୍ତେଜନାରେ ଚାଲିଯାଇଛି, ସେ ଉତ୍ତେଜନାଟା ଓହ୍ଲାଇଗଲେ ବଳେ ଫେରିଆସିବ ।’’ ଏହିପରି କେତେ ଲୋକ ବୁଝାଇଲେ । ଶେଷରେ ସ୍ୱାମୀ ଆସି ଦେଖିଲେ, ନନ୍ଦେ ଅନେକ ପରିମାଣରେ ଆଶ୍ୱସ୍ତ; ମାତ୍ର ଶେଫାଳିକା ଏବଂ ସୌଦାମିନୀ ଧୈର୍ଯ୍ୟ ସମ୍ଭାଳି ପାରିନାହାନ୍ତି । ସେ ଶେଫାଳିକାଙ୍କୁ କହିଲେ– ‘‘ମା, ତୁମ୍ଭେ ଆଦ୍ୟାଶକ୍ତି, ଜଗତଯାକ ତୁମ୍ଭର ସନ୍ତାନ, ତୁମ୍ଭେ କି ସେଥି ମଧ୍ୟରୁ ଗୋଟିକୁ ସ୍ନେହ କରିବ ? ତୁମ୍ଭର ଅନେକ ସନ୍ତାନ ଅଛନ୍ତି, ସେମାନଙ୍କୁ କି ଗଡ଼ାଇ ମାରିବ? ତୁମ୍ଭର ମାତୃହୃଦୟ କି ଏଡ଼େ ନିଷ୍ଠୁର ହୋଇପାରେ ମା ? ସନାତନ ତୁମ୍ଭ ଦୃଷ୍ଟିରେ ପିଲା, ସନ୍ତାନ ବୃଦ୍ଧ ହେଲେ ସୁଦ୍ଧା ପିତାମାତାଙ୍କ ନିକଟରେ ଚିର ଶିଶୁ; ମାତ୍ର ସାଧାରଣ ଦୃଷ୍ଟିରେ ତୁମ୍ଭର ପୁଅ ଶିଶୁ ନୁହେଁ ମା । ସେ ବୟସରେ ବାଳକ; ମାତ୍ର ଜ୍ଞାନରେ ବୃଦ୍ଧ । ସନାତନ ମୋର ଦକ୍ଷିଣ ହସ୍ତ, ମୁଁ ତାହାର ହୃଦୟ ଭଲ ଜାଣେ । ସେ ବିଦ୍ୱାନ୍ ଅସାଧାରଣ ପଣ୍ଡିତ, ସେ ଶାସ୍ତ୍ରବିତ୍, ତାହାର ପୁଣ୍ୟପୂତ ହୃଦୟରେ ନିଷ୍ଠୁରତାର ସ୍ଥାନ କାହିଁ ମା ? ମୋର ଦୃଢ଼ ବିଶ୍ୱାସ, ସେ ନିଶ୍ଚୟ କୌଣସି ସତ୍କାର୍ଯ୍ୟ ସାଧନ ଉଦ୍ଦେଶ୍ୟରେ ଯାଇଅଛି– ବିବାହ ଭୟରେ ନୁହେଁ । ଜାଣତ ମା ତାହାର ଦୁର୍ବାର ଅଧ୍ୟୟନ–ପିପାସାର କଥା, ସେ ଯେ ମରୁଭୂମିର ପିପାସା । ଯେତେ ରସ ପାଏ ସବୁ ନିଃଶେଷ କରି ଶୋଷିନିଏ । ବୋଧହୁଏ ସେ ଅଧିକା ପଢ଼ିବା ଆଶାରେ କେଉଁଆଡ଼େ ଚାଲିଯାଇଅଛି । ତୁମ୍ଭେ ସୁପୁତ୍ରବତୀ, ସୌଭାଗ୍ୟବତୀ ମା, ଧୈର୍ଯ୍ୟ ଧର; ତୁମ୍ଭ ପୁଅ ଆସିବ । ତାହାର ଅନେକ ସେବକ ଭାଇ ଅଛନ୍ତି, ଯେଉଁଠାରେ ଥାଉ, ସେମାନେ ଖୋଜି ଆଣି ଦେବେ । ପୁର୍ଣ୍ଣଗର୍ଭା କାଦମ୍ବିନୀ ସହି ସହି ଯେତେବେଳେ ଅସମ୍ଭାଳ ହୁଏ, ତେତେବେଳେ ମୂଷଳ ଧାରା ଢାଳିଦିଏ । ଶେଫାଳିକା ସ୍ୱାମୀଙ୍କ କଥା ଅନନ୍ୟମନରେ ଶୁଣୁଥିଲେ । ଏହି ଅବସରରେ ତାଙ୍କର ହୃଦୟବ୍ୟଥା ଟିକିଏ ଶୋଇପଡ଼ିଥିଲା; କିନ୍ତୁ ସେହି ସୁପ୍ତସିଂହ ପୁଣି ଜାଗିଉଠିଲା । ସେ ପ୍ରେମାନନ୍ଦ ସ୍ୱାମୀଙ୍କ ପଦତଳରେ ପଡ଼ି ଅନର୍ଗଳ କ୍ରନ୍ଦନ ମଧ୍ୟରେ କାତର କମ୍ପିତ କଣ୍ଠରେ କହିଲେ– ‘‘ସତ କହୁଛ ବାବା– ମୋ ପୁଅକୁ ଆଣି ଦେବ ?’’ ସ୍ୱାମୀ ଦୃଢ଼ ସ୍ୱରରେ କହିଲେ– ‘‘ନିଶ୍ଚୟ, ତୁମ୍ଭେ ନିଶ୍ଚିନ୍ତ ହୁଅ ।’’ ଅନନ୍ତର ସ୍ୱାମୀ ବେଦମନ୍ତ୍ରରେ କମଣ୍ଡଳସ୍ଥ ଜଳ ଅଭିମନ୍ତ୍ରିତ କରି ସେହି ଶାନ୍ତିବାରି ଶେଫାଳିକାଙ୍କ ମସ୍ତକରେ ଛିଞ୍ଚିଦେଲେ । ମହାପୁରୁଷଙ୍କ ଅସାଧାରଣ ତପଃ ପ୍ରଭାବରୁ ହେଉ ବା ବେଦମନ୍ତ୍ର ପ୍ରଭାବରୁ ହେଉ ବାହାରୁ ଗୋଟାଏ ଶକ୍ତି ଆସି ଶେଫାଳିକାଙ୍କୁ ଶରୀରରେ ପ୍ରବେଶ କଲା । ସେହି ଶକ୍ତି ତାଙ୍କୁ ଜୀବିତ ରଖିଲା ।

 

ଦୁଃଖର ଦିନ ଦୀର୍ଘ ହେଲେ ମଧ୍ୟ ଚାଲିଯାଏ । ଦିନପରେ ଦିନ ଗତ ହେବାକୁ ରାଗିଲା । ସ୍ୱାମୀଙ୍କ ଆଦେଶରେ ଆଶ୍ରମର ସେବକମାନେ ନାନା ସ୍ଥାନରେ ବୁଲି ବହୁଦିନ ଯାଏ ଅନ୍ୱେଷଣ କଲେ । ଏକ ସ୍ଥାନରେ ବାରମ୍ଭାର ଖୋଜିଲେ; ମାତ୍ର ସନାତନର ସାକ୍ଷାତ୍‍ ଦୂରେଥାଉ ସମ୍ବାଦ ସୁଦ୍ଧା ମିଳିଲା ନାହିଁ । ଏଣେ ନନ୍ଦେ ନିଜେ ଏବଂ ଲୋକ ପଠାଇ ଏଣେ ତେଣେ ଖୋଜି ଖୋଜି ଥକିଲେ; ମାତ୍ର ବିଫଳକାମ ହେଲେ । ଶେଫାଳିକା ଦୀର୍ଘ ନିଃଶ୍ୱାସ ପକାଇ କହିଲେ– ହାୟ, ତେବେ ମୋର ଆଶା କି ଖାଲି ଆଶାସ୍ୱପ୍ନରେ ପରିଣତ ହେବ । ଏ କାଳ ବିବାହର ପ୍ରସ୍ତାବ ମୁଁ କାହିଁକି ବା କଲି, ମୋତେ କି ବୁବୁଦ୍ଧି ଘୋଟିଲା । ବିବାହ ନ କଲେ ବି କଅଣ ହୁଅନ୍ତା । ସେ ଦିନ ସ୍ୱାମୀଙ୍କୁ ପଚାରିଲି– ‘‘ବାବା ମୋର ବଂଶ ତ ଧ୍ୱଂସ ହେବାକୁ ବସିଲା, ସେ ବିବାହ ନ କଲେ ବଂଶରକ୍ଷା ହେବ କିପରି ?’’ ସାଧୁ ହସି ହସି କହିଲେ– ‘‘ଭୁଲ, ଭୁଲ, ଭୁଲ, ସେ ତୁମ୍ଭର ଭୁଲ ଧାରଣା । ଜଗତରେ, କିଛି ଧ୍ୱଂସ ହୁଏ ନାହିଁ । ସୃଷ୍ଟିରେ ନବ ପ୍ରଭାବ ଧ୍ୱଂସ ପିଠିରେ ବଢ଼ିଆସେ । ତୁମ୍ଭର ବଂଶ ଧ୍ୱଂସ ହେବ ନାହିଁ, ସେ ସୃଷ୍ଟିର ନବ ଶୁଭ ପ୍ରଭାତ ଆଣିବ ।’’ ତେବେ ବିବାହ ନ କଲେ କ୍ଷତି କଅଣ ଥିଲା ? ପୁଅ ଦେଶାନ୍ତର ହେବାର ମୂଳ କାରଣ ମୁଁ ସିନା । ଶେଫାଳିକା ଏହିପରି ଅନେକ ଅନୁତାପ କଲେ ।

 

ଦିନେ ସନ୍ଧ୍ୟା ସମୟରେ ସନ୍ଧ୍ୟାପରି ମଳିନବଦନା ଶେଫାଳିକା ବିଷଣ୍ଣ ମନରେ ପିଣ୍ଡାରେ ବସିଥିଲେ । ସୌଦାମିନୀ ସଞ୍ଜ ଜାଳିସାରି ସେହିଠାରେ ଆସି ବସିଲା । କିଛିକ୍ଷଣ ପରେ ନନ୍ଦେ ଆସି ଉପସ୍ଥିତ ହେଲେ । ପିତେଇର ଆଉ କିଛି କାମ ନାହିଁ, ସେ ମଧ୍ୟ ଆସି କାନ୍ଥକୁ ଆଉଜି ବିଶ୍ରାମ କଲା । ସନାତନ କେଉଁଠାକୁ ଯାଇଥିବା ସମ୍ଭବ, ଏହି କଥାର ଆଲୋଚନା ଲାଗିଲା । ଶେଫାଳିକା କହିଲେ– ‘‘ମୋ ମନ ଡ଼ାକୁଛି, ସେ ଆଉ କୁଆଡ଼େ ଯାଇ ନାହିଁ– କାଶୀ ଯାଇଛି । କାଶୀ କଥା, ମୋତେ ଢେରଥର କହେ । ଦିନେ କହିଲା– କାଶୀ ମଞ୍ଚରେ କୈଳାସ, ସଂସ୍କୃତ ବିଦ୍ୟାର ସେ ଆଦିପୀଠ, କେତେ ପଣ୍ଡିତ ମହାପଣ୍ଡିତ ସେଠି ଅଛନ୍ତି । ଯେ କାଶୀରେ ଶାସ୍ତ୍ର ପଢ଼ିନାହିଁ, ତାହାର ଶାସ୍ତ୍ରଜ୍ଞାନ ପରିପକ୍ୱ ନୁହେଁ । ଆଉଦିନେ କହିଥିଲା– ବଡ଼ ମା, ମୁଁ ବଢ଼ିଗଲେ ମୋତେ କାଶୀ ପଠାଇବୁ ନା ? ମୋର ଭାରି ଇଚ୍ଛା ଅଛି– ମୁଁ ସେଠି କିଛିଦିନ ରହି ଶାସ୍ତ୍ରଶିକ୍ଷା କରିବି ।’’ ସୌଦାମିନୀ କହିଲା, ‘‘ହଁ ଗୋ ନାନୀ, ମୋତେ କେତେଥର କହିଛି– ସାନ ମା, ତୋତେ କାଶୀ ନେଇ ଯାଇ ବାବା ବିଶ୍ୱନାଥଙ୍କ ଦର୍ଶନ କରାଇ ଆଣିବି ।’’ ନନ୍ଦେ କହିଲେ– କାଶୀରେ ପଢ଼ିବାକୁ ତାହାର ଭାରି ଇଚ୍ଛା ବୋଲି ମୁଁ ବି କାହାରି କାହାରିଠାରୁ ଶୁଣିଥିଲି । ତେବେ କାହାରିକୁ ନ କହି ଲୁଚି କରି ପଳାଇଯିବ ବୋଲି କିଏ ଜାଣିଥିଲା । ବିଦ୍ୟା ବ୍ରାହ୍ମଣର ଭୂଷଣ, ପଢ଼ିବାକୁ କିଏ ମନା କରୁଥିଲା । କହିକରି ଯାଇଥିଲେ ତ ଭଲ ହୋଇଥାଆନ୍ତା । ନା ବଡ଼ବୋହୁ, କାଳେ ଆମେ ନ ଛାଡ଼ିବା, ଏହି ଭୟରେ ଲୁଚି ଚାଲି ଯାଇଛି ।’’ ପିତେଇ ଏତେବେଳଯାଏଁ ନୀରବରେ ସବୁ ଶୁଣିଥିଲା-। ନନ୍ଦଙ୍କ କଥା ଶେଷରେ ମୁଣ୍ଡରେ ହାତ ଦେଇ, ବିବିଧ ଭଙ୍ଗୀରେ ହଲି ଝୁଲି କହିଲା– ‘‘ହାୟ, ହାୟ, ହାୟ, ମୁଁ ଚଣ୍ଡାଳୁଣୀ କଅଣ କଲି । ସମସ୍ତେ କହନ୍ତି– ପିତେଇର ସାତଟା ମର୍ଦ୍ଦର ବୁଦ୍ଧି; ଛି ଛି, ନିଆଁ ବୁଦ୍ଧି ନା ଚୁଲୀ ବୁଦ୍ଧି, ନା ଦଶା ବୁଦ୍ଧି !! ପୋଡ଼ିଯାଉ ମୋ ବୁଦ୍ଧି । ମୁଁ ସିନା କହିଲି– କଉଁଠିକି ଯାତ୍ରା–ଫାତ୍ରା ଦେଖିବାକୁ ଯିବେ, ‘‘ନାଶୀ’’ ଯିବେ ବୋଲି କିମିତି ଜାଣିବି ? ପିତେଇର ପଣଗୋସାଇଁ ଶାଶୁର ଅଜାଶଶୁର ନାମ କାଶୀ; ତେଣୁ ସେ କାଶୀ ନ କହି ‘‘ନାଶୀ ବୋଲି କହେ । ପିତେଇର ଏ ମସ୍ତକହୀନ ପ୍ରଳାପ ଶୁଣି ସମସ୍ତେ ତାଟଙ୍କା ହୋଇ ତାହା ମୁହଁକୁ ଅନାଇ ରହିଲେ । ସେ ଦ୍ୱିଗୁଣ ଉତ୍ସାହରେ ଆତ୍ମଧିକ୍‌କାର କରି କହିଲା– ‘‘ଛି ଛି ଗୋ, ମା ଠାକୁରାଣୀ ଗୋ, କଅଣ କହିବି ଗୋ, ଲାଜ ମାଡ଼ୁଛି ଗୋ ।’’ ତାହାର ଏ ଭେଗିଲି ଦେଖି ଶ୍ରୋତା ତିନିଜଣଙ୍କର ବିଷାଦ–ପାଣ୍ଡୁର ମୁଖରେ ଟିକିଏ ଶୁଷ୍କ କ୍ଷୀଣ ହାସ୍ୟ ରେଖା ଫୁଟିଉଠିଲା । ନନ୍ଦେ ଉଦବିଗ୍ନ କଣ୍ଠରେ ପଚାରିଲେ– ‘‘ପିତେଇ, କଥା କଅଣ କହ, ତୁଚ୍ଛା ମାହାଳିଆ ହଇପି–ସାଇପି ହେଉଛୁ କାହିଁକି ?’’ ପିତେଇ ଫଁ କରି ଗୋଟାଏ ନିଃଶ୍ୱାସ ପକାଇ କହିଲା– ‘‘କଥା କଅଣ କି ବାବା ଠାକୁରେ, ପଅରଦିନ ହେବ କି ତାହା ଆରଦିନ ହେବ କି ତାହା ଆଗଦିନ ହେବ ଠିକ୍ ହେତୁ ହେଉ ନାହିଁ, ସନାତନ ଭାଇନା ମୋତେ ଡାକି କହିଲେ– ‘‘ପିତେଇ ନାନୀ, ମୁଁ ଜାଗାଏ ଯିବି ।’’ ମୁଁ କହିଲି– କଉଁଠିକି ଯିବ ? ସେଇଠୁ ‘‘କା’’ ବୋଲି କହି ଆଣିଥିଲେ– ଦପ୍‌କରି ରହିଯାଇ କହିଲେ ‘‘ନା, କହିବି ନାହିଁ, ତୁ ସମସ୍ତଙ୍କ ପାଖରେ କହିଦେବୁ । ମୁଁ ପୋଡ଼ାମୁହିଁଟା ଯେବେ ସେତିକିବେଳେ ଆସି ମା ଠାକୁରାଣୀଙ୍କୁ କହିଦେଇ ଥାଆନ୍ତି, ତେବେ ଏତେକଥା କାହିଁକି ହୋଇଥାଆନ୍ତା । ହାୟରେ ନିଆଁ ବୁଦ୍ଧି, ତୋ ଜାଳାରେ ମୁଁ ମୁଣ୍ଡ ଟେକିପାରିଲି ନାହିଁ ।’’ ଅନନ୍ତର ଧାର୍ଯ୍ୟ ହେଲା ସନାତନ ନିଶ୍ଚୟ କାଶୀ ଯାଇଅଛି, ଏଥିରେ ସନ୍ଦେହ ନାହିଁ । ନନ୍ଦେ କହିଲେ– ‘‘ଯଦି କାଶୀ ଯାଇଥିବ, ତେବେ ଅବଶ୍ୟ ଭାଷା ଲେଖିବ । ଚାରି ଛମାସ ଅପେକ୍ଷା କରିବା, ଯଦି ଭାଷା ନ ଦିଏ କି ନ ଆସେ, ତେବେ ଆମେ ସମସ୍ତେ କାଶୀ ଯିବା । ଯଦି ବାବା ବିଶ୍ୱନାଥଙ୍କ କୃପାରୁ ପୁଅକୁ ଖୋଜି ପାଇବା, ତେବେ ଫେରି ଆସିବା ନ ହେଲେ ବାବାଙ୍କ ପାଦପଦ୍ମ ଆଶ୍ରା କରି ସେଇଠି ପଡ଼ି ରହିବା । ଆଉ ଘର କାହା ଲାଗି ନା ଦ୍ୱାର କାହା ଲାଗି ? ତୀର୍ଥରେ ମଲେ କାରଣ ଅଛି ।’’ ନନ୍ଦଙ୍କର ଏପ୍ରସ୍ତାବ ତାଙ୍କ ଦୁଇ ସ୍ତ୍ରୀଙ୍କର ଖୁବ୍ ମନୋମତ ହେଲା । ପିତେଇ କହିଲା– ‘‘ବାବା ଠାକୁରେ, ତେବେ ମୁଁ ବି ସାଙ୍ଗରେ ଯିବି ମା ଠାକୁରାଣୀଙ୍କର ସେବା କରିବି, କେତେ ଦିଅ ଦେବତା ଦେଖିବି, ତୁମମାନଙ୍କ ସାଙ୍ଗରେ ତୀର୍ଥରେ ରହିବି । କାଶୀରେ ସମୁଦ୍ର ନାହିଁତ ବାବା ଠାକୁରେ ? ସମୁଦ୍ରକୁ ଦେଖିଲେ ମୋତେ ବଡ଼ ଡର ମାଡ଼େ । ପୋଡ଼ାମୁହାଁଟା ଖାଲି ଗର୍ଜି ଗର୍ଜି ମରେ କାହିଁକି ? ଟକ୍ଷ୍ମୀ (ଲକ୍ଷ୍ମୀ) ପୁରାଣରେ ଅଛି ପରା ବଡ଼ ଠାକୁରେ ଲକ୍ଷ୍ମୀ ଠାକୁରାଣୀଙ୍କି ଖୁଣ୍ଟା ଦେଇ କହିଥିଲେ– ‘‘ବାପ ଚେଡ଼ିପ ଲୁଣିଆ ଭାଣ୍ଡ ଗର୍ଜି ଗର୍ଜି ମରେ, ଝିଅ କାଣୀର ଚାତର କହିଲେ ନ ସରେ ।’’

 

ସନାତନ ମହନ୍ତଙ୍କ ସଙ୍ଗରେ ବୃନ୍ଦାବନ ଯାଇଥିଲା । ସଜ୍ଜନୋଚିତ ଶୁଭ ବ୍ୟବହାରରେ ସେ ମହନ୍ତଙ୍କ ହୃଦୟ କିଣି ନେଇଅଛି । ମହନ୍ତ ମଧ୍ୟ ତାହାର ଗୁଣରେ ମୁଗ୍‌ଧ ହୋଇ ତାହା ପ୍ରତି ବାତ୍ସଲ୍ୟ ପ୍ରଦର୍ଶନ କରନ୍ତି । ବୃନ୍ଦାବନରେ ସେ ବୈଷ୍ଣବ ଧର୍ମର ଜୀବନ୍ତ ପ୍ରଭାବ ଏବଂ ମଧୁର ଲୀଳା ଖେଳା ଦେଖି ବୈଷ୍ଣବ ଶାସ୍ତ୍ର ପ୍ରତି ଆକୃଷ୍ଟ ହେଲା । ମହନ୍ତ ତାହାର ଆଗ୍ରହ ଜାଣିପାରି ନିଜେ ତାକୁ ବୈଷ୍ଣବଧର୍ମଗ୍ରନ୍ଥ ଶିକ୍ଷା ଦେବାକୁ ଲାଗିଲେ । ଧର୍ମ ସମ୍ବନ୍ଧରେ ତାହାର ଉଦାରମତ ଦେଖି ବୈଷ୍ଣବମାନେ ତାକୁ ଯଥେଷ୍ଟ ସ୍ନେହ କରନ୍ତି । ସନାତନ ପ୍ରସିଦ୍ଧ ମହନ୍ତ ଏବଂ ବୈଷ୍ଣବମାନଙ୍କ ନିକଟକୁ ଯାଇ ଧର୍ମଗ୍ରନ୍ଥର ଦୂରୁହ ସ୍ଥଳମାନ ବୁଝିବାକୁ ଲାଗିଲା । ଅସାଧାରଣ ମେଧାଶକ୍ତି ବଳରେ ସେ ଅଳ୍ପ ସମୟ ମଧ୍ୟରେ ବୈଷ୍ଣବ ଧର୍ମର ସହଜ ସୂକ୍ଷ୍ମ ତତ୍ତ୍ୱମାନ ହୃଦୟଙ୍ଗମ କରି ନେଲା । ସେ ଧର୍ମଶାସ୍ତ୍ର ପଢ଼ି ବ୍ୟାଖ୍ୟା କରି ମହନ୍ତଙ୍କୁ ଶୁଣାଏ । ଯେଉଁଠାରେ ବୁଝ ନ ପାରେ ମହନ୍ତଙ୍କୁ ପଚାରି ବୁଝି ନିଏ । ପୁଣି ସ୍ଥଳ ବିଶେଷରେ ତାହାର ବ୍ୟାଖା ବିଶ୍ଲେଷଣ, ଯୁକ୍ତି ଏବଂ ତର୍କରେ ମହନ୍ତ ହାରିଯାଇ ନିଜକୁ ଗୌରବାନ୍ୱିତ ମଣନ୍ତି । ବିଦ୍ୱାନଠାରୁ ଯେଉଁ ପରାଜୟ, ତାହା ପରାଜୟ ନୁହେଁ– ଶିକ୍ଷାଲାଭ । ସୁତରାଂ ସେ ପରାଜୟରେ ଯେଉଁ ଗୌରବ ଅଛି, ମୂର୍ଖଠାରୁ ସହସ୍ରବାର ଜୟରେ ସେ ଗୌରବ ନାହିଁ । ଅନେକ ପଣ୍ଡିତ ଆଖ୍ୟାଧାରୀ ପରାଜୟର ସୂଚନା ଦେଖିଲେ କ୍ରୋଧରେ ଜଳିଉଠନ୍ତି । ବାସ୍ତବରେ ସେମାନେ ପଣ୍ଡିତ ନୁହନ୍ତି– ଦୂର୍ବାସାଙ୍କର ପ୍ରେତମୂର୍ତ୍ତି । ମୋ ପରି ସର୍ବଜାଣ ଦୁନିଆରେ କେହି ନାହିଁ, ଯେ ଏହିପରି ବୃଥା ଅହଙ୍କାର ଏବଂ ତୁଚ୍ଛା ଅଭିମାନ ମଦରେ ପ୍ରମତ୍ତ, ତାହାର ପଣ୍ଡିତ ଉପାଧି ନିଜଦତ୍ତ । ଜ୍ଞାନ–ବାରିଧି ଅନନ୍ତ ବିସ୍ତୃତ, ସୀମାବନ୍ତ ନର ସେଥିରୁ କେତେ ଟିକିଏ ବା ଆଣି ପାରିବ, ସେଥିରେ ପୁଣି ଗର୍ବ– ଏହା କି ମୂର୍ଖତା ନୁହେଁ ? ମନୁଷ୍ୟର ଜ୍ଞାନ ପୂର୍ଣ୍ଣ ନୁହେଁ ଅନେକ ମୂର୍ଖ ଯାହା ଜାଣନ୍ତି ଅନେକ ପଣ୍ଡିତ ତାହା ଜାଣନ୍ତି ନାହିଁ । ଏରୂପ ଅବସ୍ଥାରେ କିଏ ସର୍ବଜ୍ଞ ବୋଲି ଗର୍ବ କରିବ ? ଯେ କରେ, ତାହାଠାରୁ ବଳି ମୂର୍ଖ ପଣ୍ଡିତ କିଏ ? ଏହିପରି ସର୍ବଜ୍ଞଂମନ୍ୟ ପଣ୍ଡିତଂମନ୍ୟମାନଙ୍କ ସଙ୍ଗରେ ଯେ ଯୁକ୍ତି କରନ୍ତି, ସେ ମଧ୍ୟ ସେହି ଶ୍ରେଣୀୟ ପଣ୍ଡିତ । ମୂଲ୍ୟବାନ୍ ପଣ୍ଡିତ ଶବ୍ଦର ଅପବ୍ୟବହାର ସେମାନେ କରନ୍ତି ।

 

ମହନ୍ତ ସନାତନ ସମ୍ବନ୍ଧରେ ସମୟ ସମୟରେ ଭାବନ୍ତି– ‘‘ଏ ଅଦ୍ଭୁତ ପ୍ରତିଭାଶାଳୀ ଯୁବକଟି କିଏ ? ଏହାର ବାକ୍ୟ, କାର୍ଯ୍ୟ, ବ୍ୟବହାର ବିଶୁଦ୍ଧ; ଜ୍ଞାନ ସୁଲଭ । ଏହାର ବାଛିବାକୁ କିଛି ନାହିଁ, ବାସ୍ତବରେ ଏ ଜଣେ ଆଦର୍ଶ ମାନବ ।’’ ପୁରୀ ବଡ଼ ମଠର ମହନ୍ତ ଜଣେ ଯୋଗୀ, ଏହା ପୂର୍ବରୁ ବୋଲାଯାଇଅଛି । ସେ ଅଧିକାଂଶ ସମୟ ଖଣ୍ଡଗିରିର ବିଜନଗୁମ୍ଫାରେ ଯୋଗସାଧନ କରନ୍ତି । ମଠର ବାର୍ଷିକ ଆୟ ତିନିଲକ୍ଷ ଟଙ୍କା । ମହନ୍ତ ଅଦ୍ୟାବଧି ଚେଲା କରିନାହାନ୍ତି । ତାଙ୍କର ମନୋମତ ବ୍ୟକ୍ତି ସେ ପାଇନାହାନ୍ତି । ଯାହା ତାହା ହସ୍ତରେ ଦେବସମ୍ପତ୍ତି ଅର୍ପଣପୂର୍ବକ ଦେବସମ୍ପତ୍ତିର ଅପବ୍ୟବହାରକୁ ସେ ମହାପାପ ଜ୍ଞାନ କରନ୍ତି । ସେ ଭାରତର ସମଗ୍ର ତୀର୍ଥ ପର୍ଯ୍ୟଟନ କରି ଅନେକ ଦେବାଳୟର ଅବସ୍ଥା ବୁଝି ଅଛନ୍ତି ଏବଂ ବହୁତ ମହନ୍ତ ଦେଖି ଅଛନ୍ତି । ସେଥି ମଧ୍ୟରେ ଅନେକେ ମହନ୍ତ ନୁହନ୍ତି–ମୋହମତ୍ତ, ତ୍ୟାଗୀ ନୁହନ୍ତି–ଭୋଗୀ, ବୈରାଗୀ ନୁହଛି– ବଦ୍‌ରାଗୀ, ସନ୍ନ୍ୟାସୀ ନୁହନ୍ତି– ସତ୍ୟାନାଶୀ ଏବଂ ସିଦ୍ଧ ଯୋଗୀ ନୁହନ୍ତି– ମେହରୋଗୀ । ବଡ଼ ମଠର ମହନ୍ତ ଏପରି ବିଳାସୀ, ବିଧର୍ମାଚାରୀ, ନୀଚମନା, ଇନ୍ଦ୍ରୟପରାୟଣ ଉତ୍ତରାଧିକାରୀ ଖୋଜୁ ନାହାନ୍ତି । ତାଙ୍କର ଇଚ୍ଛା ସଦ୍‌ବଂଶୀୟ, ସଚ୍ଚରିତ୍ର, ଧର୍ମପରାୟଣ, ଜିତେନ୍ଦ୍ରିୟ, ବିଦ୍ୟାନୁରାଗୀ ଲୋକ ପାଇଲେ ସେ ଚେଲା କରିବେ । ସେ ଭଳି ଲୋକ ନ ପାଇ ସେ ଏକ ପ୍ରକାର ହତାଶ ହୋଇଥିଲେ; ମାତ୍ର ସନାତନ ତାଙ୍କ ହୃଦୟରେ ନୂତନ ଆଶାରେ ସ୍ରୋତ ବହାଇ ଅଛି । ମହନ୍ତ ମନେ ମନେ ଭାବିଲେ– ସନାତନ ମୋର କଳ୍ପିତ ଉତ୍ତରାଧିକାରୀର ସମସ୍ତ ଗୁଣରେ ଅଳଙ୍କୃତ; କିନ୍ତୁ ତାହାର ବାପ ମା କି ସମ୍ମତ ହେବେ ? ନ ହେବେ ବା କାହିଁକି ? ଗରିବର ପୁଅ ରାଜସମ୍ମାନରେ ରହିବ, ଏହା କି ସେମାନଙ୍କର ଇଚ୍ଛା ନୁହେଁ ? ସନାତନର ମତ ଆଗେ ବୁଝିବା ଦରକାର ।’’ ଏହିପରି ଭାବି ଦିନେ ସନାତନକୁ କହିଲେ– ‘‘ଉପଯୁକ୍ତ ଲୋକ ନ ପାଇ ମୁଁ ଆଜି ପର୍ଯ୍ୟନ୍ତ ଚେଲା କରିନାହିଁ । ତୁମ୍ଭେ ରୂପ, ଗୁଣ, ଚରିତ୍ର, ବିଦ୍ୟା, ସଦାଚାର, କୁଳ ଏବଂ ଶୀଳରେ ଦେବ ସେବକର ସମ୍ପୂର୍ଣ୍ଣ ଉପଯୁକ୍ତ । ଏଣୁ ମୁଁ ତୁମ୍ଭଙ୍କୁ ଭାବୀ ଉତ୍ତରାଧିକାରୀ ନିଶ୍ଚୟ କରିଅଛି । ଏ ବୃଦ୍ଧ ସନ୍ନ୍ୟାସୀର ଅନୁରୋଧ ରକ୍ଷାରେ ତୁମ୍ଭର କିଛି ଆପତ୍ତି ଅଛି କି ?’’ ସନାତନ ଏହା ଶୁଣି ମନେ ମନେ ଭାବିଲା– ‘‘ଏ ଅତି ଉତ୍ତମ ପ୍ରସ୍ତାବ, ସବୁ କାର୍ଯ୍ୟ ଅର୍ଥ ସାପେକ୍ଷ । ଅର୍ଥଦ୍ୱାରା ଅନେକ ମହତ୍ କାର୍ଯ୍ୟ କରିହେବ । ସେବା ମୋର ଜୀବନର ଲକ୍ଷ୍ୟ, ଯଦି ଦେବସେବାର ସୁଯୋଗ ଘଟେ, ତାହା ତ ଭାଗ୍ୟର କଥା ।’’ ସନାତନ ଏହା ଭାବି ମହନ୍ତଙ୍କୁ ଧୀର ନମ୍ର ସ୍ୱରରେ କହିଲା– ଏ ଅକିଞ୍ଚନ ପ୍ରତି ଆପଣଙ୍କର ଏରୂପ କରୁଣା ପ୍ରକାଶ ଅବଶ୍ୟ ମହାଜନୋଚିତ ଉଦାରତା । ମୁଁ ଯଦି ଆପଣଙ୍କର ସେବକ ପଦର ଉପଯୁକ୍ତ ବିବେଚିତ ହୋଇଥାଏଁ, ତେବେ ମୋର ଆପତ୍ତି ନାହିଁ । ମୁଁ ସେଥିଲାଗି ଗୌରବ ମଣିବି ।’’ ଏହା କହି ମହନ୍ତଙ୍କ ପଦଧୂଳି ମସ୍ତକରେ ଗ୍ରହଣ କଲା । ମହନ୍ତ ତାହାକୁ ସାଦର ଆଲିଙ୍ଗନ ପୂର୍ବକ ତାହା ମସ୍ତକରେ ହସ୍ତ ରଖି ଆଶୀର୍ବାଦ କଲେ ।

 

ବର୍ଷକ ପରେ ମହନ୍ତ ବୃନ୍ଦାବନରୁ ପ୍ରତ୍ୟାବୃତ୍ତ ହୋଇ ସନାତନକୁ ଉତ୍ତରାଧିକାରିତ୍ୱରେ ଅଭିଷିକ୍ତ କଲେ । ତଦୁପଲକ୍ଷେ ଯଥାରୀତି ହୋମାଦି ଅନୁଷ୍ଠିତ ହେଲା । ସନାତନ ଏବେ ଭାବୀ ମହନ୍ତ, ତାହାର ନାମ ହେଲା–ସନାତନ ଦାସ । ସେ ମହନ୍ତଙ୍କୁ ଗୁରୁଦେବ ବୋଲି ସମ୍ବୋଧନ କରେ-। କିଛିଦିନ ପରେ ମହନ୍ତ ନୂତନ ଚେଲାକୁ ସଙ୍ଗରେ ଘେନି ଯୋଗସାଧନାର୍ଥେ ଖଣ୍ଡଗିରି ପର୍ବତକୁ ଗମନ କଲେ । ସନାତନ ସେଠାରେ ଯୋଗ ଶିକ୍ଷା କଲା ।

Image

 

ଷୋଡ଼ଶ ପରିଚ୍ଛେଦ

 

ଚାରିମାସ ଗଲା, ଛମାସ ଗଲା, ବର୍ଷେ ଗଲା, ତେବେ ସୁଦ୍ଧା ସନାତନ ଫେରିଲା ନାହିଁ କି ଖଣ୍ଡେ ଚିଠି ସୁଦ୍ଧା ଦେଲା ନାହିଁ । ପିତାମାତାଙ୍କର ଉତ୍କଣ୍ଠା ସୀମା ଲଙ୍ଘନ କରିଉଠିଲା । ବହୁଦିନର ସୁପ୍ତ ବ୍ୟଥା ଶତ ପ୍ରାଣ ଧରି ଶତ ମୂର୍ତ୍ତିରେ ଜାଗିଉଠିଲା । ସଂସାରରେ ଆଉ କାହାରି ମନ ନାହିଁ, ସମସ୍ତେ ଉଦାସୀନ ପ୍ରାୟ ନିର୍ଲିପ୍ତ ନିରାଲମ୍ବ । ଗୃହ, ପ୍ରାଙ୍ଗଣର ଶ୍ରୀ ତୁଟିଗଲାଣି । ସେଥିରେ ଗୃହସ୍ଥ ଗୃହର ନାରୀହସ୍ତର ଯତ୍ନ କିଛିମାତ୍ର ପରିଲକ୍ଷିତ ହୁଏ ନାହିଁ । ଯେଉଁ ଗୃହ ପ୍ରାଙ୍ଗଣ ପରିଷ୍କାର ପରିଚ୍ଛନ୍ନତାରେ ଦେବାଳୟ ତୁଲ୍ୟ ହସି ଉଠୁଥିଲା, ଶେଫାଳିକାଙ୍କ ନିପୁଣହସ୍ତ ଯାହାକୁ ପବିତ୍ର ସୁଷମା ସମ୍ପଦରେ ମଣ୍ଡିତ କରିଥିଲା, ସେହି ଲୋକସତ୍ତ୍ୱେ ସେହି ଗୃହ ପ୍ରାଙ୍ଗଣର ଦୁର୍ଦ୍ଦଶା ଦେଖି ଦର୍ଶକର ଚକ୍ଷୁ ଅଶ୍ରୁ ଛଳ ଛଳ ହୋଇ ଆସେ । ହାୟ, ଅଦୃଷ୍ଟ କଅଣ ନ କରେ ? ଅଦୃଷ୍ଟ, ପରି ନିଷ୍ଠୁର ପରିହାସୀ ସଂସାରରେ କେହି ନାହିଁ । ଅଦୃଷ୍ଟ ତୁମ୍ଭେ ପରା ଦେବତା ? କିନ୍ତୁ ନିର୍ମମ ପରିହାସ ଯେ ପିଶାଚର କାର୍ଯ୍ୟ । ତୁମ୍ଭେ କ୍ଷଣକେ ବଢ଼ାଅ, ପୁଣି କ୍ଷଣକେ ଛିଡ଼ାଅ । ଯେଉଁ ହାତରେ ବଢ଼ାଅ, ସେହି ହାତରେ ଛିଡ଼ାଇବା କି ପାପ ନୁହେଁ ? ନା, ସେ ପାପ ଦେବତାଙ୍କୁ ସ୍ପର୍ଶ କରିପାରେନାହିଁ ? ତେବେ ଦତ୍ତାପହରଣ ପାପ କି ଖାଲି ମନୁଷ୍ୟ ପାଇଁ ? ଏହା ତ ଅତି ସୁନ୍ଦର ନ୍ୟାୟ ! କେହି ଯଦି ମାଙ୍କଡ଼ ମାରେ, ତେବେ ସେ କଠୋର ପ୍ରାୟଶ୍ଚିତ୍ତ କରିବ, ଆଉ ବ୍ୟବସ୍ଥାଦାତା ବିଷୁ ଗୋସାଇଁଙ୍କ ପୁଅ ପଣେ ମାଙ୍କଡ଼ ମାରିଲେ ବି କିଛି ଦୋଷ ନାହିଁ । ସ୍ୱର୍ଗକୁ ନିଶୁଣୀ ନାହିଁ, ବଡ଼ଲୋକଙ୍କୁ ଉତ୍ତର ନାହିଁ । ହେ ଅଦୃଷ୍ଟ ଦେବ, ତୁମ୍ଭ ଦେବକୁଟ ମାୟାକୁ ଜୁହାର । ଖାଲି ଘରଦ୍ୱାର ନୁହେଁ, ନନ୍ଦଙ୍କ ଗୃହସ୍ଥଳୀର ବୃକ୍ଷଲତା ସୁଦ୍ଧା ଜୀର୍ଣ୍ଣ, ଶୀର୍ଣ୍ଣ ଏବଂ ଶୋକପାଣ୍ଡୁର । ଗଗନ ଶୋକବୋଳା, ପବନ ଶୋକବୋଳା, ଯେପରି ଶୋକ ସର୍ବତ୍ର ମୂର୍ତ୍ତି ଧରି ରହିଅଛି । ଆଶାକୁ ଗ୍ରାସ କରି ଶୋକ ସୀମା ଲଙ୍ଘନ କରିଗଲେ ଅଭିମାନରେ ପରିଣତ ହୁଏ ଏବଂ ଦୁର୍ଜ୍ଜୟ ଅଭିମାନ ଶୋକୀକୁ ସାନ୍ତ୍ୱନା ଆଣିଦିଏ । ଶେଫାଳିକା ବିରକ୍ତ ହୋଇ ସ୍ୱାମୀଙ୍କୁ କହିଲେ– ‘‘ଯେଉଁ ଖଣ୍ଟ ଆମର ସର୍ବସ୍ୱ ହରଣ କଲା, ବୃଦ୍ଧ ପିତାଙ୍କ ଦୁଃଖକଷ୍ଟ ଭୁଲି ଯେ ଶେଷକାଳରେ ଶୋକ ଦେଇଗଲା, ତାହାଲାଗି ଭାବିବା ଉଚିତ ନୁହେଁ କି ସେ ଆମର ପୁଅ ନୁହେଁ । ପୂର୍ବ ଜନ୍ମରେ ଆମେ ତାହାର ଧାରୁଆ ଥିଲେ, ଏ ଜନ୍ମରେ ସେ ତାହା ଶୁଝାଇ ନେଲା । କିଏ ପୁଅ କାହାର, ସବୁ ମାୟାର ଖେଳ । ଆଉ ସଂସାରରେ ଆମର ଆଶା–ଭରସା କିଛି ନାହିଁ । ଚାଲ ଏବେ ବାବା ବିଶ୍ୱନାଥଙ୍କ ଆଶ୍ରୟ ନେବା । ସେହି ଆମର ପୁଅ, ସେହି ଆମର ଅକାୟା ପିଣ୍ଡ କାୟା କରିବେ । ତାଙ୍କ ଛଡ଼ା ଆମର ଅନ୍ୟଗତି ନାହିଁ । ବାବାଙ୍କୁ ଧ୍ୟାନ କରି, ତାଙ୍କରି ଗୁଣ ଗାନକରି, ତାଙ୍କରି ଚରଣାମୃତ ପାନକରି ଯେବେ ଦେହତ୍ୟାଗ କରିପାରିବା; ତେବେ ତାହାଠାରୁ ସୌଭାଗ୍ୟ ଆଉ କଅଣ ଅଛି ? ତାହାହିଁ ଆମର ମୁକ୍ତି ।

ନନ୍ଦଙ୍କର ସପରିବାର କାଶୀଯାତ୍ରା ଗ୍ରାମରେ ଘୋଷିତ ହେଲା । ଗ୍ରାମସାରା ନନ୍ଦଙ୍କର ଶତ୍ରୁ କେହି ନାହିଁ– ସମସ୍ତେ ତାଙ୍କ ଗୁଣରେ ମୁଗ୍‌ଧ । ସେ ଗ୍ରାମ ଛାଡ଼ି ଯାଉଥିବାର ଶୁଣି ଅନେକେ ଦୁଃଖିତ ହେଲେ । କେହି କହିଲା– ‘‘ଗ୍ରାମର ଗୌରବ ଏହିଠାରୁ ଶେଷ ହେଲା ।’’ କେହି କହିଲା, ‘‘ଶାସନରୁ ବିଦ୍ୟା ଉଠିଲା । ଏଣିକି ବ୍ରାହ୍ମଣ ସାହି ଅବିଦ୍ୟାରେ ଆକର ହେବ ।’’ ବୃଦ୍ଧମାନେ ସାନ୍ତ୍ୱନା ଦେଇ କହିଲେ– ‘‘ତୁମ୍ଭପରି ନିରୀହ ଧର୍ମଭୀରୁ ଲୋକଙ୍କୁ ଈଶ୍ୱର କେବେ କଷ୍ଟ ଦେବେ ନାହିଁ । ତୁମ୍ଭେ କେବେ କାହାର ମନ୍ଦ କରିନାହଁ, ବିଧାତା ତୁମ୍ଭଙ୍କୁ କାହିଁକି ଦଣ୍ଡ ଦେବେ ? ନିଜ ଧର୍ମବଳରେ ତୁମ୍ଭେ ହୃତ୍‍ପୁତ୍ର ପ୍ରାପ୍ତ ହେବ । ପ୍ରତିଜ୍ଞା କର ଯେ, ପୁଅକୁ ପାଇଲେ ଫେରି ଆସିବ । ତୁମ୍ଭଙ୍କୁ ସଫଳକାମ କରି ପୁଣି ଆମ୍ଭମାନଙ୍କୁ ଆଣିଦେବା ସକାଶେ ଆମ୍ଭେମାନେ ମଧ୍ୟ ଭଗବାନଙ୍କ ନିକଟରେ ପ୍ରାଣର ସହିତ ପ୍ରାର୍ଥନା କରୁଛୁ ।’’ ନନ୍ଦେ କହିଲେ– ‘‘ମୋର ବି ସେହି ଇଚ୍ଛା, ପୁଅକୁ ପାଇଲେ ଫେରି ଆସିବି । ସେଥିଲାଗି ଘରବିକ୍ରି କରୁ ନାହିଁ । ଦ୍ରବ୍ୟ ସାମଗ୍ରୀ ବିକି କିଛି ସମ୍ବଳ ସଂଗ୍ରହ କରି ନେଇଯିବି । ’’ ଗ୍ରାମବାସୀମାନେ ଫଳମୂଳ ପ୍ରଭୃତି ଉପହାର ଆଣି ଦେଲେ । ନନ୍ଦେ ଶିଷ୍ଟତା ଏବଂ ସୌହର୍ଦ୍ୟର ଅନୁରୋଧରେ ସେଥିରୁ ଯତ୍‌କିଞ୍ଚିତ୍ ଗ୍ରହଣ କଲେ । କେହି କେହି କିଛି କିଛି ପାଥେୟ ଦେବାକୁ ଇଚ୍ଛା କଲେ; ମାତ୍ର ନନ୍ଦେ ବିନୟର ସହିତ ତାହା ପ୍ରତ୍ୟାଖ୍ୟାନ କରି କହିଲେ– ‘‘ମୁଁ ତୀର୍ଥ ଭ୍ରମଣ କରିବାକୁ ଯାଉଛି, ତାହା ଧର୍ମକାର୍ଯ୍ୟ, ସେଥିପାଇଁ ଅନ୍ୟର ଦାନ ବା ସାହାଯ୍ୟ ଗ୍ରହଣ କରିବା ଅନୁଚିତ । ଭାଗରେ ପୁଣ୍ୟ କରିବା ମୋର ଇଚ୍ଛା ନୁହେଁ । ବିଶେଷତଃ ମୋର ଅଭାବ ମଧ୍ୟ ନାହିଁ । ତୁମ୍ଭମାନଙ୍କର ଏ ଦୁର୍ଲ୍ଲଭ ସହାନୁଭୂତିକୁ ମୁଁ ଅର୍ଥ ସାହାଯ୍ୟଠାରୁ ମୂଲ୍ୟବାନ୍ ମଣୁଛି । ଅର୍ଥ ତୁଚ୍ଛ ପାର୍ଥିବ; କିନ୍ତୁ ସହାନୁଭୂତି ସ୍ୱର୍ଗୀୟ, ଏବଂ ଦେବନିର୍ମାଲ୍ୟ ପରି ପବିତ୍ର-। ମୋ ପକ୍ଷରେ ତାହା ମହାର୍ହ ରତ୍ନସ୍ୱରୂପ । ତୁମ୍ଭମାନଙ୍କର ଅନୁରୋଧ ରଖି ନ ପାରି ମୁଁ ଦୁଃଖିତ; ଦୟାକରି ମୋତେ କ୍ଷମା କରିବ । ଆଉ ଗୋଟିଏ କଥା ମୁଁ ସମସ୍ତଙ୍କୁ କହି ଯାଉଛି, ଯେବେ ଆମ୍ଭେମାନେ ନ ଆସୁ, ତେବେ ମୋର ଘର ଏବଂ ଭୂସମ୍ପତ୍ତି ଆଶ୍ରମର କାର୍ଯ୍ୟରେ ଲାଗିବ-। ମୋର ପୁଅ ଯେଉଁ ଅନୁଷ୍ଠାନରେ ଜନ୍ମଦାତା, ମୋର ସମ୍ପତ୍ତି ସେହି ଅନୁଷ୍ଠାନାନରେ ଲାଗିଲେ ମୁଁ ଅପାର ଆନନ୍ଦ ଏବଂ ଶାନ୍ତି ଉପଭୋଗ କରିବି ।’’ ଏହା ଶୁଣି କେହି କେହି ମନେ ମନେ କହିଲେ– ‘‘ଧନ୍ୟ ନନ୍ଦେ, ତୁମ୍ଭେ ଏକା ପ୍ରକୃତ ଦାନମର୍ମଜ୍ଞ ଆଦର୍ଶ ବ୍ରାହ୍ମଣ ।’’

ଅନନ୍ତର ନନ୍ଦେ ଗୃହସାମଗ୍ରୀ ବିକ୍ରୟ କରି ଯାହା ପାଇଲେ ଏବଂ ଯାହା ସଞ୍ଚିତ ଥିଲା, ତାହାସବୁ ଘେନି ଉଭୟ ପତ୍ନୀ ସହ କାଶୀ ଯାତ୍ରା କଲେ । ପିତେଇ ସୁଦ୍ଧା ସେମାନଙ୍କର ସହଯାତ୍ରୀ ହେଲା । ସମସ୍ତେ ବାବା ବିଶ୍ୱେଶ୍ୱରଙ୍କୁ ଧ୍ୟାନ କରି ଚାଲିଲେ । ଯେଉଁଦିନ ଯେଉଁ ଚଟୀ ବା ବଜାରରେ ବସା କରି ରହନ୍ତି ଶେଫାଳିକା ସେଠାରେ ଥିବା ସମସ୍ତ ବସାରେ ବୁଲି ପୁତ୍ରର ଅନୁସନ୍ଧାନ କରନ୍ତି । କାଳେ ପୁଅ ଫେରି ଆସୁଥିବ, ବଜାରରେ ବସା କରିଥିବ, ସେ ଏହି ଆଶାରେ ଚାଳିତ । ବାଟ ଚାଲୁ ଚାଲୁ ଯଦି କେହି ସନାତନ ପରି ଦେଖାଯାଏ, ଆକୃତିରେ ସୌସାଦୃଶ୍ୟ ଥାଉ ବା ନ ଥାଉ ଯଦି କେହି ସନାତନ ପରି ଚାଲିଥାଏ କିମ୍ବା ସନାତନ ପରି ଲୁଗା ପିନ୍ଧିଥାଏ, ତେବେ ତାହାର ଆପାଦମସ୍ତକ ନିରୀକ୍ଷଣ କରନ୍ତି । ସନାତନର ରୂପ ଆକୃତି ବର୍ଣ୍ଣନା କରି କାହାରି କାହାରିକୁ ପଚାରନ୍ତି । ଏହିପରି ଭାବରେ ପଥ ଅତିକ୍ରମ କରି ସମସ୍ତେ ଯଥା– ସମୟରେ କାଶୀରେ ଉପସ୍ଥିତ ହେଲେ । ସ୍ୱର୍ଣ୍ଣଦୀ ତୀରରେ ଅମରାବତୀ ପ୍ରାୟ ମହାପୁଣ୍ୟ ପୀଠରୂପେ ବିରାଜିତ । କାଶୀ ବିରୋଧମତର ସମ୍ମିଳନ କ୍ଷେତ୍ର । ଯେଉଁଠାରେ ବିରୋଧମତର ସମ୍ମିଳନ, ଭଗବାନଙ୍କର ମଙ୍ଗଳ ଅଧିଷ୍ଠାନ ସେହିଠାରେ । କାଶୀ ମର୍ତ୍ତ୍ୟର କୈଳାସପୁରୀ, ଯେଉଁଠାରେ ମହାଯୋଗୀବର ଶଙ୍କରଙ୍କର ଅଧିଷ୍ଠାନ, ସେଠାରେ ସମସ୍ତ ଦେବଦେବୀଙ୍କର ଅଧିଷ୍ଠାନ । ଘନଚୁମ୍ବିଚୂଡ଼ ଉତ୍ତୁଙ୍ଗ ଦେଉଳମାଳା ଚାରିଆଡ଼େ ଦୃଷ୍ଟିରୋଧ କରେ, ଯେମନ୍ତ କି ସେମାନେ ମର୍ତ୍ତ୍ୟର ଗୌରବ ପ୍ରଚାରାର୍ଥେ ସ୍ୱର୍ଗକୁ ଉଠିବାକୁ ଉନ୍ମୁଖ । କୁବେରପୁରୀ ତୁଲ୍ୟ ବଡ଼ ଅଟ୍ଟାଳିକାର ସଂଖ୍ୟା କରିବା ଦୁରୂହ । ପଥ ଘାଟ ସର୍ବଦା ଲୋକାରଣ୍ୟ । କେତେ ଦଣ୍ଡୀ କେତେ ସନ୍ନ୍ୟାସୀ, କେତେ ପରମ ହଂସ, କେତେ ନାଗା, କେତେ ଭିକ୍ଷୁ ଇତସ୍ତତଃ ଯାତାୟାତ କରୁଅଛନ୍ତି । ବମ୍ ମହାଦେଓ ଜୟ ଶିବଶଙ୍କର, ଜୟ ବାବା ବିଶ୍ୱନାଥ ଶବ୍ଦରେ ଆକାଶ ପ୍ରତିଧ୍ୱନିତ ହେଉଅଛି । କେଉଁଠାରେ ଶଙ୍ଖ, କେଉଁଠାରେ ଶିଙ୍ଗା, କେଉଁଠାରେ ଘଣ୍ଟା, ମୃଦଙ୍ଗ, କର୍ତ୍ତାଳ ପ୍ରଭୃତି ବିବିଧ ବାଦ୍ୟଧ୍ୱନିର ତୁମୂଳ ଉତ୍ସବ ଲାଗିଅଛି । କେହି ଦେବାଳୟରେ ବସି ଯଜ୍ଞ କରୁଅଛି, କେହି ପଥପାର୍ଶ୍ୱରେ ଅଗ୍ନି ସମ୍ମୁଖରେ ବସି ନୀରବ ଧ୍ୟାନ ଯୋଗରେ ମଗ୍ନ, କେହି ଚଣ୍ଡୀ ଗୁଣୁଅଛି, କେହି ମହିମ୍ଣ ମହାସ୍ତବ ପାଠ କରୁଅଛି, କେହି ଗୀତା ଆବୃତ୍ତି କରୁଅଛି, କେହି ବା ରୁଦ୍ରାଭିଷେକରେ ବ୍ୟସ୍ତ । କେଉଁଠାରେ ପଣ୍ଡିତମାନେ ବସି ଶାସ୍ତ୍ରାଲୋଚନା କରୁଅଛନ୍ତି, କେଉଁଠାରେ ଚତୁଷ୍ପାଠୀରୁ ବାଳତୁଣ୍ଡ ଉଚ୍ଚାରିତ ମଧୁର ବେଦଧ୍ୱନି ଉଠୁଅଛି । ସର୍ବତ୍ର ଧର୍ମର ଏହିପରି ଜୀବନ୍ତ ମହିମା ଘୁରିଫେରି ବୁଲୁଅଛି ।

ନନ୍ଦେ ଦଶାଶ୍ୱମେଧ ଘାଟ ନିକଟରେ ଗୋଟିଏ ସାମାନ୍ୟ ଘର ଭଡ଼ା ନେଇ ବସା କରି ରହିଲେ । ଘରଟି ଦୁଇ ବଖରା । ଦାଣ୍ଡ ବଖରାରେ ନନ୍ଦେ ଶୁଆବସା କରନ୍ତି ଅନ୍ୟ ବଖରାରେ ସ୍ତ୍ରୀଲୋକମାନେ ଥାଆନ୍ତି । ପିଣ୍ଡାତଳକୁ ଖଣ୍ଡେ ସାନ ଚାଳିଆରେ ରନ୍ଧାବଢ଼ା ହୁଏ । ସମସ୍ତ ସାଧୁ ସନ୍ନ୍ୟାସୀ, ଯାତ୍ରୀ, ଗୃହସ୍ତ, ଦଶାଶ୍ୱମେଧ ଘାଟକୁ ସ୍ନାନ କରିବାକୁ ଆସନ୍ତି । ସେଠାରେ ସନାତନକୁ ଖୋଜିବାର ସୁବିଧା ହେବ ଏବଂ ଗଙ୍ଗା ସ୍ନାନରେ ମଧ୍ୟ ସୁବିଧା ଏହିସବୁ କଥା ଭାବି ନନ୍ଦେ ବସା ନିର୍ବାଚନ କରିଅଛନ୍ତି । ପିତେଇ ବଜାର ସଉଦା କରି ଆଣେ ସୌଦାମିନୀ ରାନ୍ଧେ । ଦିନରେ ସମସ୍ତେ ଥରେ ଭବିଷ୍ୟାନ୍ନ ଭୋଜନ କରନ୍ତି, ରାତିରେ କିଛି ଖାଆନ୍ତି ନାହିଁ । ସେମାନେ ଦିବସର ଅଧିକାଂଶ ସମୟ ଦେବ ଦର୍ଶନ ଏବଂ ତୀର୍ଥ ସ୍ନାନ କରି ବୁଲନ୍ତି । କାହାରି ମନ ଆଉ ପୂର୍ବପରି ଅସ୍ଥିର ନୁହେ, ସ୍ଥାନ ପ୍ରଭାବରେ ସେ ଭାବ ତିରୋହିତ ହୋଇଅଛି । ଏହାହିଁ ତୀର୍ଥ ସ୍ଥାନର ବିଶେଷତ୍ୱ । ତୀର୍ଥ ସ୍ଥାନର ଆଉ ଏକ ବିଶେଷତ୍ୱ ଏହି ଯେ, ସେଠାରେ ଦୁନିଆଯାକର ଠକ, ଜୁଆଚୋର, ଖଣ୍ଟ, ବଦମାସ ରୁଣ୍ଡ ହୁଅନ୍ତି । ସେଗୁଡ଼ାକ ଗଙ୍ଗାରେ ସର୍ପ କୁମ୍ଭୀର । ପ୍ରତି ପହଣ୍ଡରେ ସାବଧାନ ନ ହେଲେ ସେମାନଙ୍କ କବଳରୁ ନିସ୍ତାର ନାହିଁ । ଅନେକେ ଧର୍ମଭେକ ଧରି ସରଳ ଲୋକଙ୍କୁ ଭୁଲାଇ ନେଇ ବିପନ୍ନ କରନ୍ତି । ସେମାନଙ୍କ ମାୟାଜାଲରେ ନ ପଡ଼ିବା ସକାଶେ ନନ୍ଦେ ସମସ୍ତଙ୍କୁ ବାରମ୍ବାର ସାବଧାନ କରାଇ ନିଜେ ମଧ୍ୟ ସାବଧାନ ଥାଆନ୍ତି । ନନ୍ଦଙ୍କ ବସାକୁ ଦଶାଶ୍ୱମେଧ ଘାଟର ସମସ୍ତ ଅଂଶ ସ୍ପଷ୍ଟ ଦେଖାଯାଏ । ଶେଫାଳିକା ଅନେକ ସମୟରେ ସେହିଆଡ଼କୁ ଚାହିଁ ରହିଥାନ୍ତି । କାହାରିଠାରେ ସନାତନର ଆଭାସ ମାତ୍ର ଦେଖିଲେ ଧାଇଁ ଯାଇଁ ତାହାର ଆପାଦ ମସ୍ତକ ଅବଲୋକନ କରନ୍ତି । ପ୍ରାୟ ପ୍ରତ୍ୟୟ ଆଶା ତାଙ୍କୁ ଏହିପରି ପ୍ରତାରିତ କରେ । ସେ ପ୍ରତାରିତ ହୋଇ ଦୀର୍ଘ ନିଃଶ୍ୱାସ ପକାଇ ଫେରି ଆସନ୍ତି । ପୁଅକୁ ପାଇବା ସକାଶେ ଯେ ଯାହା କହେ, ସେ ଆତୁରରେ ତାହା କରନ୍ତି । କାହାରି କଥାକୁ ଅବିଶ୍ୱାସ କରନ୍ତି ନାହିଁ । ଏହିପରି କାର୍ଯ୍ୟରେ ସେ ଅନେକ ଥର ଠକି ସୁଦ୍ଧା ସେଥିରୁ ବିରତ ହୁଅନ୍ତି ନାହିଁ । ଦିନେ ଜଣେ ଧର୍ମଭେଦୀ ଭଣ୍ଡ ଆସି କୌଶଳରେ ତାଙ୍କଠାରୁ କଥା ବାହାର କରିନେଇ କହିଲା– ‘‘ଏଇପାଇଁ ତୁମ୍ଭେ ଏତେ ଦୁଃଖିତ ମା । କିଛି ଚିନ୍ତା ନାହିଁ, ତୁମ୍ଭେ ମହାବୀରଙ୍କୁ ପୂଜା ଦିଅ, ପୁଅ ତିନିଦିନ ମଧ୍ୟରେ ଆପେ ଆପେ ଆସି ପହଞ୍ଚିବ । ମୁଁ ମହାବୀର ସାଧନା ଜାଣେ, ସେହି ସାଧନା ବଳରେ ଜାଣିପାରୁଛି ଯେ, ତୁମ୍ଭ ପୁଅ ଏହି କାଶୀକ୍ଷେତ୍ରରେ ଅଛି । ଏହିପରି ନାନା କଥାରେ ଭୁଲାଇ ଦେଇ ପୂଜା ସକାଶେ ଶେଫାଳିଙ୍କଠାରୁ ପାଞ୍ଚଟଙ୍କା ନେଇ ଚମ୍ପଟ ହେଲା । କାଲି ଆସିବ ବୋଲି କହି ଆଉ ଦେଖା ଦେଇନାହିଁ । ଆଉ ଦିନେ ଜଣେ ନିଶାଖୋର ଆସି ଭାରି ଆଡ଼ମ୍ବର ପ୍ରକାଶ କରି କହିଲା– ‘‘ମା, କାଶୀର ସବୁ ଅନ୍ଦି–ସନ୍ଧି ମୋତେ ଜଣା । ଏଠି ଏପରି ଗୁପ୍ତସ୍ଥାନ ଅନେକ ଅଛି, ସେଠି ଲୁଚି ରହିଲେ, ଦେବତା କି ଖୋଜି ବାହାର କରିପାରିବେ ନାହିଁ । ମୁଁ ଢେର ଲୋକର ହଜିଲା ପୁଅ, ଭାଇ ଖୋଜି ଆଣି ଦେଇ ବକ୍‌ଶିସ ପାଇଛି । ଅନେକ ବଡ଼ ବଡ଼ ଲୋକେ ମୋତେ ଜାଣନ୍ତି । ମୋତେ ଦିନକୁ ଟଙ୍କାଏ ଲେଖାଏଁ ଦେଲେ ମୁଁ ପ୍ରତିଜ୍ଞା କରି କହୁଛି– ପାଞ୍ଚିଦନ ଭିତରେ ନିଶ୍ଚେ ତୁମ୍ଭ ପୁଅକୁ ଆଣିଦେବି । ମୁଁ ଅନ୍ୟ ଲୋକଙ୍କ ପରି ଠକ ନୁହେ ମା । ତୁମ୍ଭେ ମୋ ପରି, ମୁଁ ଏହି ଗଙ୍ଗାକୂଳରେ ଠିଆହୋଇ ତୁମ୍ଭ ପା ଛୁଇଁ ନିୟମ କରି କହୁଛି, ଯେବେ ତୁମ୍ଭଙ୍କୁ ଠକଉଥିବି, ତେବେ ମୋର ମୂର୍ଦ୍ଧନା ଫାଟିଯିବ । ମାଗି କରି ଜିଗର କରି ପଛେ ପଇସେ ଦି ପଇସା ନେବି; ମାତ୍ର ଠକ ବିଦ୍ୟା ଆମର କେଉଁ ପୁରୁଷରେ ନାହିଁ । ଲୋ ବାପ, ଠକେଇବା ପାପର କି ପାର ଅଛି ? ଆଉ ମୁଁ ଆଗରୁ କହି ରଖୁଛି ମା, ତମ ପୁଅକୁ ଆଣିଦେଲେ ଦଶଟଙ୍କା ଏକା ବକ୍‌ଶିସ୍ ନେବି । ପେଟେ ଭୋକ ମୁହେଁ ଲାଜ, ସେ କଥା ମୁଁ ଜାଣେ ନାହିଁ ମା । ମୁଁ ସଫା ସଫା କହିଦିଏ ।’’ ମିଥ୍ୟାବାଦୀ ପ୍ରତାରକର ସ୍ୱଭାବ, ସେ ପାଣିରେ ସର ପକାଇଦିଏ । ତାହାର ପ୍ରତାରଣା ଭେଦ କରିବା ଦେବଶକ୍ତିର ଅତୀତ-। ଶେଫାଳିକା ତ ଜଣେ ସରଳହୃଦୟା ସାମାନ୍ୟ ନାରୀ । ସେ ଧୂର୍ତ୍ତର ପ୍ରବଞ୍ଚନାପୂର୍ଣ୍ଣ ସ୍ତୋକ ବାକ୍ୟରେ ସହଜରେ ଭୁଲିଯାଇ ତାକୁ ପ୍ରତ୍ୟହ ଟଙ୍କାଏ ଲେଖାଏଁ ଦେବାକୁ ଲାଗିଲେ । ଧୂର୍ତ୍ତି ଦିନ ସାରା ମଦତଖଟିରେ ମଉଜକରି ସନ୍ଧ୍ୟାବେଳେ ଆସି କହିଯାଏ– ‘‘ଆଜି ଢେର ଜାଗା ଖୋଜି ଖୋଜି ସନ୍ଧାନ ପାଇଛି– କାଲି ସେଠାକୁ ଯିବି ।’’ କେଉଁଦିନ କହେ– ‘‘ଆଜି ତୁମ୍ଭ ପୁଅକୁ ଦେଖିଛି; ମାତ୍ର କଥାବାର୍ତ୍ତା କରି ନାହିଁ, କାଲି ନିଶ୍ଚେ ଆଣି ପହଞ୍ଚାଇବି ।’’ ଏହିପରି ପ୍ରତ୍ୟହ ସେ ଗୋଟାଏ ଗୋଟାଏ କଥା କହି ବହଲାଇ ଦେଇଯାଏ । ପାଞ୍ଚ ଦିନରେ ପାଞ୍ଚଟଙ୍କା ନେଇସାରି ଷଷ୍ଠ ଦିନଠାରୁ ଆଉ ଆସିଲା ନାହିଁ । ନନ୍ଦେ ଶୁଣିଲେ ବିରକ୍ତ ହେବେ ବୋଲି ତାଙ୍କ ଅଜ୍ଞାତରେ ଶେଫାଳିକା ଏହିପରି ଅର୍ଥର ଆଦ୍ୟ ଶ୍ରାଦ୍ଧ କରନ୍ତି ।

ଦିନେ ପିତେଇ ବଜାର ସଉଦା ରଖିଦେଇ ଶେଫାଳିକାଙ୍କ ପାଖରେ ଆସି ଅନୁଚ୍ଚସ୍ୱରରେ କହିଲା– ‘‘ମା, ଗୋଟିଏ କଥା କହନ୍ତି ।’’ ଶେଫାଳିକା ବିସ୍ମୟ ଦୃଷ୍ଟିରେ ତାହା ମୁହଁକୁ ଚାହିଁ ରହି କହିଲେ– ‘‘କି କଥା କହିବୁ କହ ।’’ ପିତେଇ ସତର୍କ ଦୃଷ୍ଟିରେ ଚାରିଆଡ଼କୁ ଚାହିଁ ଦେଇ କହିଲା– ‘‘ମୁଁ ଆଜକୁ ଚାରିଦିନ ହେଲା ବଜାରରୁ ଫେରିଆସିବାବେଳେ ଦେଖୁଛି– ‘‘ଗୋଟିଏ ବ୍ରାହ୍ମଣ ପିଲା ବାଟପାଖ ବରଗଛ ମୂଳରେ ବସି ପୋଥି ପଢ଼ୁଛି । ବୟସ ଏଇ ଊଣେଇଶ କି କୋଡ଼ିଏ ହେବ । ଦେହ ଗୋରା ତକ୍‌ ତକ୍‌ ଦିଶୁଛି, ଯେମିତି ଗୋଟେ ରାଜପୁତ୍ର । ମା, ସେ ଠିକ୍‌ ଆମ ସନାତନ ପରି ଦିଶୁଛି । ମୁଁ ଦୂରରୁ ଦେଖିଛି, କାଲି ପାଖକୁ ଯାଇ ଭଲ କରି ଦେଖି ଆସିବି । ଶେଫାଳିକା ଦୀର୍ଘ ନିଃଶ୍ୱାସ ପକାଇ ଉଦାସ ସ୍ୱରରେ କହିଲେ– ‘‘କେତେ ତ ତାହାପରି ଦିଶନ୍ତି ଲୋ ଝିଅ, ଆଚ୍ଛା କାଲି ଭଲକରି ଦେଖି ଆସିବୁ ।’’ ପିତେଇ ତହିଁ ପରଦିନ ଆସି ଅପେକ୍ଷାକୃତ ଦୃଢ଼ ଏବଂ ଉଲ୍ଲାସ ପୂର୍ଣ୍ଣ ସ୍ୱରରେ କହିଲା– ‘‘ହଁ ଗୋ ମା, ସେହି ମୁହଁ, ସେହି କାନ, ସେହି ନାକ, ସେହି ଆଖି, ସବୁ ଯେମିତି ଛଡ଼େଇ ଆଣିଛି । ମୁଁ କିଛି କହିନାହିଁ, ସେ ମୋତେ ନ ଦେଖୁଣୁ ମୁଁ ପଳାଇ ଆସିଛି ।’’ ଶେଫାଳିକା ପଚାରିଲେ– ‘‘ତୁ ଭଲକରି ଦେଖିଛୁ ନା ତା ଡାହାଣ ବାହୁମୂଳରେ ଆଗ ପାଖକୁ ଖଣ୍ଡେ କଳା ଜାଇମନ୍ଦା ଅଛି ।’’ ପିତେଇ କହିଲା– ‘ସେ କଥାକୁ ତ ମୋର ନିଘା ନାହିଁ ମା! ତେବେ କାଲି ଦେଖି ଆସି କହିବି ।’ ତହିଁଆର ଦିନ ପିତେଇର ଆଗମନକୁ ଶେଫାଳିକା ଚାହିଁ ବସିଅଛନ୍ତି । ସେ ଉପସ୍ଥିତ ହେଲାକ୍ଷଣି ପଚାରିଲେ– ‘‘କିଲୋ ପିତେଇ, କଅଣ ଦେଖିଲୁ ?’’ ପିତେଇ ଧପ୍‌କରି ଠିଆ ହୋଇଯାଇ ମୁହଁ ଶୁଖାଇ ପକାଇ କହିଲା– ‘‘ପୋଡ଼ି ଯାଉ ମୋ ପୋଡ଼ା ମନ, ଏତକ ଯା ମୋର ହେତୁ ହେଲା ନାହିଁ । ଏଇ କାନିରେ ଗଣ୍ଠି ପକାଇଲି– କାଲି ନିଶ୍ଚେ ନିଶ୍ଚେ ଦେଖି ଆସିବି ।’’ ତହିଁଆର ଦିନ ଆସି କହିଲା– ସେ କାନ୍ଧରେ ଖଣ୍ଡେ ଓଢ଼ଣୀ ପକାଇଛି, କାନ୍ଧ ଢାଙ୍କି ଯାଇଛି, କିଛି ଦେଖି ହେଲା ନାହିଁ ।’’ ଅକସ୍ମାତ୍ ନନ୍ଦେ ଆସି ସେଠାରେ ପହଞ୍ଚିଗଲେ । ପୂର୍ବରୁ ସବୁ ଶୁଣିଥିଲେ; ପିତେଇକୁ କହିଲେ– ଏହିକ୍ଷଣି ଚାଲ, ମୋତେ ଦେଖାଇ ଦେବୁ ।’ ପିତେଇ ତାଙ୍କୁ ସଙ୍ଗରେ ନେଇ ଯଥାସ୍ଥାନରେ ବ୍ରାହ୍ମଣ ଯୁବକକୁ ଦେଖାଇ ଦେଲା । ନନ୍ଦେ ଦେଖିଲେ– ଯୁବକ ନିବିଷ୍ଟ ଚିତ୍ତରେ ପାଠମଗ୍ନ । ତାହାର ଦୃଷ୍ଟି ପୁସ୍ତକରେ ନିବଦ୍ଧ । ସେ ଧୀର ପଦକ୍ଷେପରେ ତାହା ପାଖକୁ ଯାଇଁ ଠିଆ ହେଲେ; ମାତ୍ର ଦେଖିଲେ ସେ ତାଙ୍କ ପୁଅ ନୁହେଁ । ତେବେ ମୁଖ ଚକ୍ଷୁର ଗଠନ ଅନେକ ପରିମାଣରେ ସନାତନର ମୁଖ ଚକ୍ଷୁ ପରି । ବୃଦ୍ଧଙ୍କୁ ଦେଖି ଯୁବକ ନମସ୍କାର କଲା । ବୃଦ୍ଧ ପ୍ରତିନମସ୍କାର କରି ତାହାର ପରିଚୟ ପଚାରିଲେ । ଯୁବକ କହିଲା– ‘‘ମୋର ନାମ ରାମଚନ୍ଦ୍ର ଆଚାର୍ଯ୍ୟ, ଘର ପୁରୀଜିଲ୍ଲାରେ । ମୁଁ ଏଠାରେ ଗୋଟିଏ ଚତୁଷ୍ପାଠୀରେ ଅଧ୍ୟୟନ କରେଁ । ନିର୍ଜନ ସ୍ଥାନ ବୋଲି ପ୍ରତ୍ୟହ ଆସି ପାଠାଭ୍ୟାସ କରେ ।’’ ଯୁବକ ନ ପଚାରୁଣୁ ନନ୍ଦେ ଆତ୍ମ ପରିଚୟ ଦେଇ ନିଜର ବିପଦ କାହାଣୀ କହି ବସିଲେ। ଯୁବକ ତାହା ଶୁଣି ଦୁଃଖିତ ହେଲା ଏବଂ ସହାନୁଭୂତି ପ୍ରଦର୍ଶନ କରି କହିଲା– ‘‘ମୁଁ ମଧ୍ୟ ଚେଷ୍ଟିତ ରହିଲି, ଯଦି ଆପଣଙ୍କ ପୁତ୍ରର ସନ୍ଧାନ ପାଏଁ, ତେବେ ଆପଣଙ୍କୁ ସମ୍ବାଦ ଦେବି ।’’ ଅନନ୍ତର ଚତୁଷ୍ପାଠୀର ସମୟ ହୋଇଯିବାରୁ ବୃଦ୍ଧଙ୍କଠାରୁ ବିଦାୟ ନେଇ ଯୁବକ ପ୍ରସ୍ଥାନ କଲା । ନନ୍ଦେ ଆସି ଶେଫାଳିକାଙ୍କୁ ସବୁକଥା କହିଲେ । ଶେଫାଳିକା ଯୁବକର ପ୍ରତିଶ୍ରୁତି ଶୁଣିଲେ; ମାତ୍ର ଆଶାନ୍ୱିତ ହୋଇପାରିଲେ ନାହିଁ । ମନେ ମନେ ଭାବିଲେ– ‘‘ପ୍ରତାରଣାର ଏ ଗୋଟାଏ ଅଭିନୟ ନୁହେଁ ତ ?’’

ନନ୍ଦଦମ୍ପତି ଛମାସ କାଳ କାଶୀରେ ରହି ପ୍ରତି ମଠ, ଦେବାଳୟ ଛାତ୍ର ଚତୁଷ୍ପାଠୀ ଏବଂ କାଶୀର ସର୍ବତ୍ର ଅନୁସନ୍ଧାନ କଲେ; ମାତ୍ର ପୁତ୍ରର ସାକ୍ଷାତ୍‍ ବା ସନ୍ଦେଶ କିଛି ପାଇଲେ ନାହିଁ । ଶେଷରେ ହତାଶ ହୋଇ ଅବଶିଷ୍ଟ ଜୀବନ କାଶୀରେ ଅତିବାହିନ କରିବାର ସ୍ଥିର କଲେ । ମାତ୍ର ମାନବ ଯାହା ଭାବେ, ତାହା ଘଟେ ନାହିଁ– ନିୟତି ମାନବେଚ୍ଛାର ପ୍ରତିକୂଳରେ ଯାଏ । ଦିନେ ଉପରୋକ୍ତ ରାମଚନ୍ଦ୍ର ଆଚାର୍ଯ୍ୟ ଆସି ନନ୍ଦଙ୍କ ବସାରେ ଉପସ୍ଥିତ ହୋଇ କହିଲା – ‘‘ଆପଣଙ୍କ ପୁଅର ରୂପ, ଆକାର ଆପଣ ଯେପରି ବର୍ଣ୍ଣନା କରିଥିଲେ ଶୁଣିଲି ଠିକ୍‌ ସେହିପରି ଜଣେ ଲୋକ ପୁରୀର କେଉଁ ମହନ୍ତଙ୍କ ସଙ୍ଗରେ ଆସିଥିଲା । ଅନେକ ଅନୁସନ୍ଧାନ କଲି କାହାରି ନାଁ ଗାଁ ମିଳିଲା ନାହିଁ । ସେମାନେ ବୃନ୍ଦାବନରୁ ଫେରି ଏଠା ଆଚାରୀ ମଠରେ ଥିଲେ । ଏଠାରୁ ପୁରୀ ଫେରିଗଲେ-। ଏହା ପ୍ରାୟ ଚାରି ଛ ମାସ ପୂର୍ବର କଥା । ଆପଣ ପୁରୀ ଯାଇ ଅନୁସନ୍ଧାନ କରନ୍ତୁ ସେଠାରେ ପୁଅକୁ ପାଇ ପାରିବେ । ଏହା ଶୁଣି ନନ୍ଦେ ଏବଂ ଶେଫାଳିକା ଯୁବକକୁ ଆଶୀର୍ବାଦ ପୂର୍ବକ ତାହାଠାରେ କୃତଜ୍ଞତା ପ୍ରକାଶ କଲେ । ଯୁବକ ବିଦାୟ ହୋଇ ଗଲା ପରେ ନନ୍ଦେ ଶେଫାଳିକାକୁ କହିଲେ– ‘‘ତେବେ ପୁରୀ ଯିବା ଚାଲ । ସେଠାରେ ଯଦି ନ ପାଇବା ତେବେ ଜଗନ୍ନାଥଙ୍କୁ ଭରସା କରି ପଡ଼ି ରହିବା । ପୁରୀ ଆମ୍ଭମାନଙ୍କର ଜନ୍ମଭୂମିର ମହାତୀର୍ଥ । ସେଠାରେ ଦେହ ତ୍ୟାଗକଲେ ଜନ୍ମଭୂମିର ଅଂଶ ଜନ୍ମଭୂମିରେ ମିଶିବ । ଜରା ମୋତେ ଦିନକୁ ଦିନ ଅନ୍ତଃସାରଶୂନ୍ୟ କରି ପକାଉଅଛି । କେତେବେଳେ କଅଣ ଘଟିବ, ତାହା କିଏ କହିପାରେ ? ଯାହାହେଉ ସାମର୍ଥ୍ୟ ଥାଉଁ ଥାଉଁ ସେଠାରେ ଯାଇ ଆଶ୍ରୟ ନେବା ଉଚିତ । ମନ ବଡ଼ ଉଚ୍ଛନ୍ନ ହେଲାଣି । ଗତରାତ୍ରରେ ମୁଁ ସ୍ୱପ୍ନ ଦେଖିଲି– ଜଣେ ବୃଦ୍ଧ ୠଷି ମୋତେ କହିଲେ– ‘‘ତୁ ପୁରୀ ଯା, ସେଠାରେ ତୋର ପୁଅକୁ ପାଇବୁ ।’’ ସେ ୠଷି ଜଗନ୍ନାଥଙ୍କ ଛଡ଼ା ଆଉ କେହି ନୁହେଁ । ଆଜି ତ ରାମଚନ୍ଦ୍ର ଆଚାର୍ଯ୍ୟଠାରୁ ଶୁଣିଲି, କଥା ଠିକ୍‌ ଠିକ୍‌ ମିଳୁଛି । ନିଶ୍ଚୟ ଆମ୍ଭ ଦୁଃଖରେ ମହାପ୍ରଭୁଙ୍କ ମହାସିଂହାସନ ଟଳିଛି । ଆଉ ବିଳମ୍ବ ଉଚିତ ନୁହେଁ, ଶୀଘ୍ର ଯିବା ଦରକାର ।’’ ଶେଫାଳିକା ସ୍ୱାମୀଙ୍କ ମତ ବିରୁଦ୍ଧରେ କେବେ ଯାଇ ନାହାନ୍ତି; ସୁତରାଂ ସେ ସ୍ୱାମୀଙ୍କ କଥାରେ ସମ୍ମତ ହେଲେ । ତହୁଁ ସେହିଦିନ ସମସ୍ତେ ପୁରୀ ଅଭିମୁଖରେ ଯାତ୍ରା କଲେ ।

Image

 

ସପ୍ତଦେଶ ପରିଚ୍ଛେଦ

 

ବଡ଼ ମଠର ମହନ୍ତ ଦୋଳଯାତ୍ରା ଉପଲକ୍ଷେ ଖଣ୍ଡଗିରିରୁ ପୁରୀ ଆସିଅଛନ୍ତି । ଶିଷ୍ୟ ସନାତନ ତାଙ୍କ ସଙ୍ଗରେ ଆସିଅଛି । ସେ ଗୁରୁଙ୍କ ନିକଟରୁ ଯୋଗଶିକ୍ଷା କରୁଅଛି । ଶିକ୍ଷା ଅନେକ ଦୂର ଅଗ୍ରସର ହୋଇଅଛି । ତହିଁ ସଙ୍ଗେ ସଙ୍ଗେ ତାହାର ଶରୀର ମଧ୍ୟ ଯଥେଷ୍ଟ ସୌଷ୍ଠବ ପ୍ରାପ୍ତ ହୋଇଅଛି । ଉଜ୍ଜ୍ୱଳ ଗୌରବର୍ଣ୍ଣ, ପ୍ରଶସ୍ତ ଲଲାଟ, ସୁନ୍ଦର ବଦନ, ଆୟତନେତ୍ର, ନମ୍ର କମନୀୟ ମୂର୍ତ୍ତି, ସମସ୍ତ ସୁଗଠିତ– ଯେମନ୍ତ କି ତରୁଣ ତାପସ ତପଃ ପ୍ରଭାବରେ ମଣ୍ଡିତ । ମୂର୍ତ୍ତିରୁ ବ୍ରାହ୍ମଣୋଚିତ ପ୍ରତିଭା ନିଗିଡ଼ି ପଡ଼ୁଅଛି । ସେ ମୂର୍ତ୍ତି ଦେଖିଲେ ଦର୍ଶକର ମନରେ ସ୍ୱତଃ ଶ୍ରଦ୍ଧା ଭକ୍ତିର ଉଦ୍ରେକ ହୁଏ । ସନାତନ କେତେଖଣ୍ଡ ଦୂରୁହ ବୈଷ୍ଣବଶାସ୍ତ୍ରର ଟୀକା କରିଅଛି । ମହନ୍ତ ତାହା ପାଠକରି ବିଶେଷ ମୁଗ୍‌ଧ ହୋଇଅଛନ୍ତି । ଦିନେ ମହନ୍ତ ତାଙ୍କୁ କହିଲେ, ‘‘ବତ୍ସ ସନାତନ, ଏ ସଂସାର ମୋତେ ଆଉ ଭଲ ଲାଗୁ ନାହିଁ, ଯନ୍ତ୍ରଣାର ଅଗ୍ନିକୁଣ୍ଡ ପରି ବୋଧ ହେଉଅଛି । ମନ ସବୁବେଳେ କେଉଁ ଅଜ୍ଞାତ ପ୍ରଦେଶରେ ଉଡ଼ି ବୁଲୁଛି । ମୋର ଶରୀର ସୁଦ୍ଧା ମୋତେ ଭାରି ଲାଗୁଛି-। ବୋଧହୁଏ ମୋର ଶେଷ ଦିନ ଖୁବ୍‌ ନିକଟବର୍ତ୍ତୀ । ହାଟ ଭାଙ୍ଗି ଆସିଲାଣି, ଏଣିକି ଦୋକାନ ଗୋଟାଇ ବସିବା ଦରକାର । ମୁଁ ଭାବିଛି, ତୋତେ ଗାଦିରେ ବସାଇ ନିଶ୍ଚିନ୍ତ ହୋଇ ଖଣ୍ଡଗିରିରେ ସମାଧି ଯୋଗସାଧନରେ ନିଯୁକ୍ତ ରହିବି । ଏଥିରେ ତୋର ଅଭିମତ କଅଣ ?’’ ସନାତନ ଗୁରୁଙ୍କର ଏ ପ୍ରଶ୍ନର ଉତ୍ତର କଅଣ ଦେବ, ତାହା ହଠାତ୍‌ ସ୍ଥିର କରି ନ ପାରି କିଛିକ୍ଷଣ ମୌନ ହୋଇ ରହିଲା । ଅନନ୍ତର ଧୀର ନମ୍ର ସ୍ୱରରେ କହିଲା– ‘‘ଗୁରୁଦେବ, ମୁଁ ଆପଣଙ୍କ ଶ୍ରୀଚରଣରେ ବିକ୍ରିତ; ସୁତରାଂ ମୋର ଆଉ ସ୍ୱତନ୍ତ୍ର ମତ କଅଣ ହେବ? ଆପଣଙ୍କ ଆଦେଶ ପାଳନ ମୋର କର୍ତ୍ତବ୍ୟ, ଏହା ବ୍ୟତୀତ ମୁଁ ଆଉକିଛି ଜାଣେ ନାହିଁ । ଯେଉଁ ଭାର ଆପଣ ଏତେ କାଳର ବହି ଆସିଅଛନ୍ତି, ସେହି ଭାର ବହନର ଯୋଗ୍ୟତା ଆଉ ଶକ୍ତି କି ମୋର ଅଛି ?’’ ମହନ୍ତ ମୃଦୁ ହସି କହିଲେ– ‘‘ବତ୍ସ, କର୍ତ୍ତବ୍ୟର ବାହାରରେ ଯୋଗ୍ୟତା କିମ୍ବା ଶକ୍ତିର ପରୀକ୍ଷା ହୁଏ ନାହିଁ, କର୍ତ୍ତବ୍ୟରେ ପଶିଲେ ଯୋଗ୍ୟତା ବଢ଼େ ଏବଂ ଶକ୍ତି ବିକଶିତ ହୁଏ । ପ୍ରଥମତଃ ସବୁ କାର୍ଯ୍ୟ କଠିନ ବୋଧହୁଏ; ମାତ୍ର ଅଭ୍ୟାସଦ୍ୱାରା କ୍ରମଶଃ ସହଜ ହୋଇଆସେ । ଅଭ୍ୟାସ ମନୁଷ୍ୟର ଦ୍ୱିତୀୟ ଶକ୍ତି-। ଯାହାଙ୍କର କାର୍ଯ୍ୟ, ଶକ୍ତି ସେହି ଦେବତା ଦେବେ, ସେଥିପାଇଁ ତୋର ଭାବିବା ଅନୁଚିତ ।’’

 

ସନାତନ– ତାହା ହେଲେ ଗୁରୁଆଜ୍ଞା ମୋର ଶିରୋଧାର୍ଯ୍ୟ । ଆପଣଙ୍କ ପଦ ତଳରେ ବସି ଆପଣଙ୍କ ଉପଦେଶ ଗ୍ରହଣ କରି କାର୍ଯ୍ୟ କରିବ; ସୁତରାଂ ମୋର ଭୟ ବା ଭାବନା କଅଣ ?

 

ମହନ୍ତ– ତୋତେ ଆଉ ଗୋଟିଏ ଭାର ନେବାକୁ ହେବ ।

ସନାତନ– କୃପାପୂର୍ବକ ଆଦେଶ କରନ୍ତୁ ।

 

ମହନ୍ତ– ମୋର ଗୋଟିଏ ସଙ୍କଳ୍ପ ଅଛି, ବତ୍ସ ! ବୈଷ୍ଣବ ଶାସ୍ତ୍ର ଅତି ଦୂରୁହ, ଅଶିକ୍ଷିତ ବା ଅଳ୍ପଶିକ୍ଷିତ ଲୋକେ ସେଥିର ପ୍ରକୃତ ମର୍ମ ବୁଝିବାକୁ ଅକ୍ଷମ; ଏଣୁ ପ୍ରକୃତ ଶସ୍ତ୍ରାଦେଶର କଦର୍ଥ କରି ସେମାନେ ବିପଥଗାମୀ ହେଉଅଛନ୍ତି ଏବଂ ବୈଷ୍ଣବଧର୍ମକୁ କଳଙ୍କିତ କରୁଅଛନ୍ତି । ମୋର ଇଚ୍ଛା, ସମସ୍ତଙ୍କ ବୁଝିବା ଭଳି ଖୁବ୍‌ ସରଳ ଭାଷାରେ ବୈଷ୍ଣବଶାସ୍ତ୍ରଗୁଡ଼ିକ ଲିଖିତ ହେଲେ ସନାତନ ପବିତ୍ର ବୈଷ୍ଣବଧର୍ମର ଏ ବ୍ୟର୍ଥ କଳଙ୍କ ବିଦୂରିତ ହୋଇ ଧର୍ମର ମହାତ୍ମ୍ୟ ଉଜ୍ଜ୍ୱଳତର ହୁଅନ୍ତା । କାଶୀ, ବୃନ୍ଦାବନ ପ୍ରଭୃତି ଧାମର ପ୍ରଧାନ ପ୍ରଧାନ ବୈଷ୍ଣବମଣ୍ଡଳୀକୁ ନିମନ୍ତ୍ରଣ କରି ଆଣି ସର୍ବବାଦୀସମ୍ମତରୂପେ ଏହିପରି ଖଣ୍ଡିଏ ପୁସ୍ତକ ଲେଖାଇବାକୁ ବହୁଦିନରୁ ମୁଁ ଅଭିଳାଷ କରିଅଛି । ସେଥିପାଇଁ ମୁଁ ତିନି ଲକ୍ଷ ଟଙ୍କା ଉତ୍ସର୍ଗ କରି ରଖିଅଛି । ମୁଁ କେବଳ କଳ୍ପନା କରିଅଛି; ମାତ୍ର କଳ୍ପନାକୁ ବାସ୍ତବରେ ପରିଣତ କରିବାର ବରାତ୍‌ ମୋ ଅଦୃଷ୍ଟରେ ନାହିଁ । ମୁଁ ସେହି ଭାର ତୋ ଉପରେ ନ୍ୟସ୍ତ କରିଯାଉଅଛି । ଯୋଗ୍ୟ ପାତ୍ର ହସ୍ତରେ ଯୋଗ୍ୟ କାର୍ଯ୍ୟର ଭାର ଦେବା ସାଫଲ୍ୟ ଲାଭର ନିଃସନ୍ଦେହ ଉପାୟ । ତୋଦ୍ୱରା କାର୍ଯ୍ୟ ସିଦ୍ଧ ହେବ, ଏ ଭରସା ମୋର ଅଛି ।

 

ସନାତନ– ଗୁରୁଦେବ, ବୃଥା ଏ ଭାବନା ଆପଣଙ୍କର । ଆପଣଙ୍କର ଏ ମହତ୍‌ ସଙ୍କଳ୍ପକୁ ଆପଣହିଁ କାର୍ଯ୍ୟରେ ପରିଣତ କରିଯିବେ; ତଥାପି ଯଦି ନିୟତି ପ୍ରତିକୂଳ ହୁଏ, ତେବେ ଆପଣଙ୍କର ଏ ସେବକ ଆପଣଙ୍କ ଆଦେଶ ପାଳନରେ କଦାଚ ବିଳମ୍ବ କରିବ ନାହିଁ ।

 

ଗୁରୁ ଶିଷ୍ୟ ମସ୍ତକରେ ହସ୍ତ ସ୍ଥାପନପୂର୍ବକ ଆଶୀର୍ବାଦ କରି କହିଲେ– ‘‘ଦୀର୍ଘଜୀବନ ଲାଭ କରି ଧର୍ମ ଜଗତର ନକ୍ଷତ୍ର ପରି ହୋଇଥାଅ ।’’ ଶିଷ୍ୟ ଗୁରୁଙ୍କର ପଦଧୂଳି ନେଇ ମସ୍ତକରେ ଲଗାଇଲା ।

 

ଯଥା ସମୟରେ ସନାତନ ମହନ୍ତ ଗାଦିରେ ଅଭିଷିକ୍ତ ହେଲା । ବୃଦ୍ଧ ମହନ୍ତ ନିଶ୍ଚନ୍ତ ହେଲେ; ମାତ୍ର ତାଙ୍କୁ ଆଉ ଅଧିକ ଦିନ ସଂସାରରେ ରହିବାକୁ ପଡ଼ିଲା ନାହିଁ । ଯେମନ୍ତ କି ମହାପୁରୁଷ ଏହି ଉତ୍ତରାଧିକାରୀ ନିଯୁକ୍ତ ପାଇଁ ଏତେଦିନଯାଏଁ ମୃତ୍ୟୁକୁ ଠେଲି ଦେଇଥିଲେ । ଏବେ କର୍ତ୍ତବ୍ୟ ଶେଷ; ତହିଁ ସଙ୍ଗେ ସଙ୍ଗେ ସବୁ ଶେଷ । ଯେତେବେଳେ ସେ ଯୋଗ ଧ୍ୟାନରେ ବସନ୍ତି, ତେତେବେଳେ ତାଙ୍କର ଏକାଗ୍ର ଚିତ୍ତ ଧ୍ୟାନରେ ତନ୍ମୟ ହୋଇଥାଏ, ବାହ୍ୟ ଜଗତ ସଙ୍ଗରେ କୌଣସି ସମ୍ପର୍କ ଥାଏ ନାହିଁ । ଦିନେ ସେ ଏହିପରି ଧ୍ୟାନ ନିମଗ୍ନାବସ୍ଥାରେ ହଠାତ୍‌ ଇହଲୋକରୁ ବିଦାୟ ଘେନି କେଉଁ ଅଜ୍ଞାତ ଲୋକାନ୍ତର ଉଦ୍ଦେଶ୍ୟରେ ମହାପ୍ରସ୍ଥାନ କଲେ । ତାଙ୍କର ଏ ଆକସ୍ମିକ ମୃତ୍ୟୁରେ ସମସ୍ତେ ବିସ୍ମିତ ହେଲେ ଏବଂ ହାହାକାର କଲେ । କେହି କହିଲା– ‘‘ଆହା, ମହନ୍ତ ପ୍ରତ୍ୟକ୍ଷ ଦେବତା ଥିଲେ, ମୃତ୍ୟୁ ତାଙ୍କୁ ତାଙ୍କୁ ଛୁଇଁନାହିଁ । ସେ ସ୍ୱଇଚ୍ଛାରେ ଦେହ ଛାଡ଼ି ଚାଲିଯାଇଛନ୍ତି-।’’ କେହି ଏ କଥାକୁ ସମର୍ଥନ କରି କହିଲା, ‘‘ସେ ଯୋଗ–ସିଦ୍ଧ ପବିତ୍ର ଦେବ ଦେହକୁ ଛୁଇଁବା ମୃତ୍ୟୁର ସାଧ୍ୟ ନୁହେଁ । ସୁଦୂର ପଥର ପାଥେୟ ସଂଗ୍ରହ କରିବା ପାଇଁ ସେ ଏତେଦିନ ସଂସାରରେ ଥିଲେ । ସଂଗ୍ରହ ସରିଲା, ଧର୍ମପ୍ରାଣ ମହାପୁରୁଷ ଧର୍ମ ରଥରେ ବସି ସତ୍ୟ ନିତ୍ୟ ମହାଧାମକୁ ଚାଲିଗଲେ । ଏରୂପ ମୃତ୍ୟୁ କେତେ ଜଣଙ୍କ ଭାଗ୍ୟରେ ଘଟେ ।’’ ଏହିପରି ଅନେକେ ଅନେକ କଥା କହିଲେ । ମୃତ୍ୟୁ ପରେ ଦୋଷ ଗୁଣର ସମାଲୋଚନା ସଂସାରର ସନାତନ ଧାରା ।

 

ଯଥାରୀତି ଯଥାସମାରୋହରେ ମହାପୁରୁଷଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସୁସମାହିତ ହେଲା । ନୂତନ ମହନ୍ତ ସନାତନ ଗୁରୁଙ୍କ ପାରଲୌକିତ ମଙ୍ଗଳ ଉଦ୍ଦେଶ୍ୟରେ ବିପୁଳ ଦାନ, ଭୋଜନାଦିର ବ୍ୟବସ୍ଥା କରି ସାଧାରଣର ଭକ୍ତି ପ୍ରୀତି ଆକର୍ଷଣ କଲେ । ମଠର ସେବକ, ପୂଜକ, ପରିଚାରକ ପ୍ରଭୃତି ନୂତନ ମହନ୍ତଙ୍କ ଗୁଣରେ ଏବଂ ବ୍ୟବହାରରେ ମୁଗ୍‌ଧ ହୋଇ ଆପେ ଆପେ ତାଙ୍କର ବଶୀଭୂତ ହୋଇପଡ଼ିଲେ । ଦେବସେବା, ସାଧୁସେବା, ଅନାଥନାରାୟଣ ସେବା ପୂର୍ବପରି ଚଳିଲା । ସନାତନ ଗୁରୁଙ୍କ ନିର୍ଦ୍ଦେଶ ମତେ ସମସ୍ତ କାର୍ଯ୍ୟ ଶୃଙ୍ଖଳାରେ ଚଳାଇଲେ । ସେ ଏବେ ପୁରୀ ବଡ଼ ମଠର ମହନ୍ତ । ଧର୍ମଗୁରୁର ଉଚ୍ଚ ଆସନରେ ଉପବିଷ୍ଟ, ଅନ୍ୟାନ୍ୟ ମହନ୍ତମାନେ ତାଙ୍କଠାରୁ ଟୀକା ନେଇ ମହନ୍ତ ହେବେ, ପଦ–ଗୌରବ ଅପରିଚିତ; ମାତ୍ର ‘‘ନମ୍ରନ୍ତି ଫଳିନୋ ବୃକ୍ଷାଃ’’ ଏହି ମହାବାଣୀ ତାଙ୍କଠାରେ ସଫଳ ହୋଇଥିଲା । ସମ୍ପଦ, ଯୌବନ, ଆଧିପତ୍ୟ ଏବଂ ଗୌରବକୁ ସେ ବଚସ୍କର ଭୃତ୍ୟ ତୁଲ୍ୟ ଅଧୀନ କରି ରଖିଥିଲେ । ସେ ଯଥାକାଳରେ ଗୁରୁଆଜ୍ଞା ପାଳନ କରି ଅତୁଳ ଯଶର ଅଧିକାରୀ ହେଲେ ।

 

ନନ୍ଦ, ତାଙ୍କର ଦୁଇ ସ୍ତ୍ରୀ ଏବଂ ପିତେଇ ପୁରୀରେ ପହଞ୍ଚି ଜନୈକ ବୃଦ୍ଧର ଘର ଭଡ଼ା ନେଇ ରହିଲେ । ବୃଦ୍ଧ ଜଣେ ପରମାର୍ଥୀ, ତାହାର ଆଉ କେହି ନାହାନ୍ତି । କେତୋଟି ଘର ଅଛି, ସେଥିରୁ ଯାହା ଭଡ଼ା ମିଳେ, ତାହାହିଁ ବୃଦ୍ଧର ଜୀବନଯାତ୍ରାର ସମ୍ବଳ । ସେଥିରୁ ବଞ୍ଚାଇ ସେ ଦୁଇ ପଇସା ଦାନ ପୁଣ୍ୟରେ ମଧ୍ୟ ବ୍ୟୟ କରେ । କାର୍ଯ୍ୟ କିଛି ଅଧିକ ନାହିଁ, ସୁତରାଂ ଅଧିକାଂଶ ସମୟରେ ମାଳ ଧରି ହରିନାମ ଜପରେ ନିଯୁକ୍ତ ଥାଏ । ବୃଦ୍ଧ ଏ ନବାଗନ୍ତୁକମାନଙ୍କୁ ସାଦରେ ଗ୍ରହଣ କଲା । ମନୁଷ୍ୟର ସ୍ୱଭାବ, ସେ ସମ୍ପର୍କହୀନ ହୋଇ ରହିପାରେନାହିଁ । ଅପରିଚିତ ପ୍ରବାସରେ ସୁଦ୍ଧା ସେ ଗୋଟାଏ ସମ୍ପର୍କ ଖୋଜି ବାନ୍ଧିନିଏ । ମନୁଷ୍ୟ ପରକୁ ଆତ୍ମୀୟ କରିନେଇ ତାହା ସଙ୍ଗରେ ସ୍ନେହ–ମାୟାର ଆଦାନ ପ୍ରଦାନ ଚଳାଏ । ସେ ବିଦ୍ୟାରେ ମାନବ ଖୁବ୍‌ ଧୁରନ୍ଧର । ଶେଫାଳିକା ବୃଦ୍ଧ ସଙ୍ଗରେ ଗୋଟାଏ ସମ୍ପର୍କ ସ୍ଥାପନ କରି ନେଲେ । ସେ ଏବଂ ସୌଦାମିନୀ ବୃଦ୍ଧକୁ ମଉସା ବୋଲି ଡାକନ୍ତି । ବୃଦ୍ଧ ସେମାନଙ୍କୁ କେବେ ଝିଅ, କେବେ ବା ମା ବୋଲି ସମ୍ବୋଧନ କରେ-। ନନ୍ଦେ ଏବଂ ବୃଦ୍ଧ ପରସ୍ପର ବାବାଜି ବୋଲି ଡାକଡକି ହୁଅନ୍ତି । ବୟୋଧର୍ମରେ ନନ୍ଦେ ବଡ଼ ଅବସନ୍ନ । ସେ ଆଉ ବେଶୀ ଚାଲିବୁଲି ପାରନ୍ତି ନାହିଁ, ଅଧିକାଂଶ ସମୟରେ ବସାରେ ଥାଆନ୍ତି । ନୂତନ ସ୍ଥାନକୁ ଗଲେ ବୁଲି ଦେଖିବାର ଇଚ୍ଛା ଲୋକଙ୍କର ସ୍ୱଭାବତଃ ହୁଏ; ମାତ୍ର ତାଙ୍କର ସେ ଇଚ୍ଛା ଥିଲା ନାହିଁ । ଯେହେତୁ ପୁରୀ ତାଙ୍କ ପକ୍ଷରେ ନୂତନ ସ୍ଥାନ ନୁହେଁ । ଯୌବନ ସମୟରେ ସେ ଅନେକ ଥର ପୁରୀ ଆସି ଅଛନ୍ତି । ସୁତରାଂ ପୁରୀର କୌଣସି ସ୍ଥାନ ତାଙ୍କର ଅଦେଖା ନୁହେଁ । ସେ ପ୍ରତ୍ୟହ ସ୍ନାନାନ୍ତେ ଥରେ ଜଗନ୍ନାଥ ଦର୍ଶନ କରି ଆସନ୍ତି । ଶେଫାଳିକା ଏବଂ ସୌଦାମିନୀ ପ୍ରତିଦିନ ପ୍ରାତଃକାଳରେ ସମୁଦ୍ର ସ୍ନାନ କରିବାକୁ ଯାଆନ୍ତି । ପିତେଇ ସେମାନଙ୍କ ସଙ୍ଗରେ ଅନ୍ୟତ୍ର ଯାଏ; ମାତ୍ର ସମୁଦ୍ର ଆଡ଼କୁ ଯାଏ ନାହିଁ । ସମୁଦ୍ର ଦେଖିଲେ ତାକୁ ଭାରି ଡର ମାଡ଼େ । ଦିନେ ମହୋଦଧିରେ ସ୍ନାନ ଯୋଗ ପଡ଼ିଥିଲା । ସମସ୍ତେ ସ୍ନାନ କରିବାକୁ ଗଲେ । ଶେଫାଳିକା ଏବଂ ସୌଦାମିନୀ ପିତେଇର ଏକାନ୍ତ ଅସମ୍ମତିସତ୍ତ୍ୱେ ତାକୁ ଧରିନେଇ ଯାଇଥିଲେ । ସମୁଦ୍ର ତୀର ଲୋକାରଣ୍ୟ, ଭୀଷଣବପୁ କ୍ରୁଦ୍ଧ ଦାନବ ପରି ତରଙ୍ଗମାଳା ଗର୍ଜି ଗର୍ଜି ବେଳା ଆଡ଼କୁ ଧାଇଁ ଆସୁଅଛି । କେତେ ଲୋକ ସମୁଦ୍ରରେ ପଶି ଲହରୀ ଭାଙ୍ଗୁ ଅଛନ୍ତି– କେତେ ଭୟାଳୁ ଲୋକେ ବେଳାରେ ବସି ସମୁଦ୍ର ପାଣି ମୁଣ୍ଡରେ ଲଗାଇ ସଂକ୍ଷେପରେ ସ୍ନାନର ବିଧିରକ୍ଷା କରୁଅଛନ୍ତି । ଜୟ ଜଗନ୍ନାଥ ଶବ୍ଦ, ସିନ୍ଧୁ ଗର୍ଜନ, ଶଙ୍ଖ ହୁଳାହୁଳୀ ଏକତ୍ର ମିଶି ଗଗନ ପବନ ପ୍ରକମ୍ପିତ କରୁଅଛି । ପିତେଇ ବେଳାରେ ଠିଆ ହୋଇଥିଲା, ଗୋଟାଏ ଲହରୀ ମାଡ଼ି ଆସିବାର ଦେଖି– ‘‘ମାଲୋ, ମଲି ଲୋ, ଖାଇଲା ଲୋ ବୋଲି କହି ପ୍ରାଣପଣରେ ଧାଇଁବାକୁ ଲାଗିଲା, ଯେମନ୍ତ କି ସତେ ସବୁଦ୍ର ତାକୁ ଗିଳିଦେବା ପାଇଁ ଗୋଡ଼ାଇ ଅଛି । ବେଳା ବାଲୁକାରେ ଗୋଡ଼ ଧସିଯିବାରୁ ସେ ମୁହଁମାଡ଼ି କଚାଡ଼ି ପଡ଼ି ମୂର୍ଚ୍ଛିତ ହେଲା । ଏ ଘଟଣା ଦେଖି ବହୁ ଲୋକେ ସେଠାରେ ଆସି ରୁଣ୍ଡ ହେଲେ । କେତେକ୍ଷଣ ପରେ ପିତେଇର ମୂର୍ଚ୍ଛା ଭଙ୍ଗ ହେଲା । ଉପସ୍ଥିତ ଲୋକମାନେ ତାହାର ଏ ବୀରତ୍ୱ ଦେଖି ନାନା ପ୍ରକାର ଉପହାସ କରିବାକୁ ଲାଗିଲେ । ପିତେଇ ଭୟ ଏବଂ ଲଜ୍ଜାରେ ଆହତା ଫଣିନୀ ପରି ରୂଦ୍ଧ ରୋଷରେ ଫୁଲି ଫୁଲି ବସାକୁ ଫେରି ଆସିଲା । ସେହି ଦିନଠାରୁ ସେ ସମୁଦ୍ରକୁ ଛାଡ଼ପତ୍ର ଦେଇ ଆସିଲା; ଅବଶିଷ୍ଟ ଜୀବନରେ ଆଉ ସେ ସମୁଦ୍ରର ମୁହଁ ଚାହିଁ ନାହିଁ । ଯେତେବେଳେ ସମୁଦ୍ର କଥା ମନରେ ପଡ଼େ, ତେତେବେଳେ ସେ କୈବର୍ତ୍ତସୁନ୍ଦରୀ ସୁଲଭ ସୁନ୍ଦର ସୁମଧୁର ସାଧୁ ଭାଷାରେ ସମୁଦ୍ରକୁ ଅଭିନନ୍ଦିତ କରି ଅକାଳ ମୃତ୍ୟୁର ଆଶୀର୍ବାଦ କରେ ଏବଂ ସମୟ ସମୟରେ ତାହାର ଚତୁର୍ଦ୍ଦଶ ପୁରୁଷ ଉଦ୍ଦେଶ୍ୟରେ ନାନା ବିଧ ଅଖାଦ୍ୟଅପେୟ ପିଣ୍ଡ ଉତ୍ସର୍ଗ କରେ ।

 

ନନ୍ଦଙ୍କର ପୁତ୍ର ନିରୁଦ୍ଦେଶ ବାର୍ତ୍ତା ଶୁଣି ବୃଦ୍ଧ ଦୁଃଖିତ ହେଲା ଏବଂ ନାନାବିଧ ସହାନୁଭୂତି ସୂଚକ ବାକ୍ୟରେ ତାଙ୍କୁ ସାନ୍ତ୍ୱନା ପ୍ରଦାନ କଲା । ଶେଫାଳିକା ବୃଦ୍ଧକୁ ପଚାରିଲେ– ‘‘ମଉସା, ବର୍ଷକ ଆଗରୁ ପୁରୀର କେଉଁ ମଠର ମହନ୍ତ ବୃନ୍ଦାବନ ଯାଇଥିଲେ, ତୁମେ ଜାଣ ନା ? ତାଙ୍କରି ସାଙ୍ଗରେ ପୁଅ ଥିଲା ବୋଲି କାଶୀରେ ଆମେ ଶୁଣିଥିଲୁଁ । ବୃଦ୍ଧ ସ୍ନେହରେ ହସି ହସି କହିଲା, ‘‘ଝିଅ ମୋର ବାୟାଣୀ ପରି କଥା କହୁଛି, ସବୁ ମହନ୍ତଙ୍କର ତ ବୃନ୍ଦାବନ ଯିବା ଆସିବା ଲାଗିଛି ମା, କିଏ ବର୍ଷରେ ପାଞ୍ଚଥର ଯାଉଛି, କିଏ ସାତଥର ଯାଉଛି, ତାହାର କଅଣ କଳନା ଅଛି । ତୋ ପୁଅ ଯେବେ ପୁରୀ ଆସିଥିବ, ତେବେ ନିଶ୍ଚେ ମିଳିବ– ତୁ ଆତୁର ହନା ମା । କେତେ ଲୋକଙ୍କର ପୁଅ ଝିଅ, ଭାଇ ପୁତୁରା ହଜି ମିଳୁ ଅଛନ୍ତି, ତୋ ପୁଅ କି ମିଳିବ ନାହିଁ ? ତୁ କାଳିଆ ସାଆନ୍ତଙ୍କୁ ଧ୍ୟାନ କରିଥା, ସେ ଏତେ ଲୋକଙ୍କ କଷଣ ଫେଡ଼ୁଛନ୍ତି, ତୋ କଷଣ କି ଫେଡ଼ିବେ ନାହିଁ ମା ? ତିନି ବର୍ଷ ତଳେ ମହାଲକ୍ଷ୍ମୀ ବୋଲି ଗୋଟିଏ ବୈଶ୍ୟ ଘରର ସ୍ତ୍ରୀ ଗଞ୍ଜାମରୁ ଆସି ମୋ ଘରେ ବସାକରି ଥିଲା । ତାହାର ପୁଅ ହଜିଥିଲା, ମାସକ ପରେ ମିଳିଲା । ତହିଁ ପରେ ମାପୁଅ ଦୁହେଁ, ଦୁଇବର୍ଷ ରହି ଗଲା କାର୍ତ୍ତିକ ମାସରେ ଘରକୁ ଫେରିଗଲେ । ମହାଲକ୍ଷ୍ମୀଟି ଚିର ଦୁଃଖିନୀ, ତାହାର ଦୁଃଖ ଶୁଣିଲେ ପାଷାଣ ତରଳି ଯିବ ମା ।’’ ଶେଫାଳିକା ଏହା ଶୁଣି ବ୍ୟଗ୍ର କଣ୍ଠରେ କହିଲେ– ‘‘ମହାଲକ୍ଷ୍ମୀ ମୋହରି ହୀନକପାଳୀ କି ମଉସା ? ତାହାର ଦୁଃଖ କଥା କଅଣ କୁହନି, ସମଦୁଃଖିନୀର କଥା ଶୁଣିଲେ ମୋର ମନର ଭାର ଟିକିଏ ହାଲୁକା ହେବ ।’’ ବୃଦ୍ଧ କହିଲା– ‘‘ମହାଲକ୍ଷ୍ମୀର ସ୍ୱାମୀ ନାମ ଗୁଣନିଧି । ତାହାର ବିଷୟ ସମ୍ପତ୍ତି ବହୁତ ଥିଲା । ସେ ତାହା ରକ୍ଷଣାବେକ୍ଷଣ କରି ସୁଖ ସ୍ୱାଚ୍ଛନ୍ଦ୍ୟରେ ସଂସାର ଯାତ୍ରା ନିର୍ବାହ କରୁଥିଲା; ମାତ୍ର ଦୁର୍ଭାଗ୍ୟ ଯେତେବେଳେ ଆସେ, ତେତେବେଳେ ସୁବୁଦ୍ଧି ବ୍ୟକ୍ତିର ସୁଦ୍ଧା ନଷ୍ଟ ବୁଦ୍ଧି ଜନ୍ମେ । ଗୁଣନିଧି କୁସଙ୍ଗରେ ପଡ଼ି ଜୁଆ ଖେଳରେ ମତ୍ତ ହେଲା । ଆଉ କିଛିଦିନ ପରେ ଜଣେ ପ୍ରଧାନ ନାମଜାଦା ଜୁଆରୀ ହୋଇ ପଡ଼ିଲା । ମହାଲକ୍ଷ୍ମୀ ସ୍ୱାମୀର ଏ ଅଧଃପତନ ଦେଖି ତାକୁ ସତ୍‌ମାର୍ଗକୁ ଆଣିବାପାଇଁ ପ୍ରାଣପଣରେ ଚେଷ୍ଟା କଲା । ମାତ୍ର ବୃଥା ଚେଷ୍ଟା । ମୁମୂର୍ଷୁ ରୋଗୀ ଔଷଧକୁ ଘୃଣା କଲାପରି ଗୁଣନିଧି ପତ୍ନୀର ସଦୁପଦେଶକୁ ଗୋଡ଼ରେ ଠେଲିଦେଲା । ଅଧିକନ୍ତୁ ଲାଞ୍ଛନା, ଗଞ୍ଜନା, ଭର୍ତ୍ସନା ଏବଂ ପ୍ରହାରରେ ପତ୍ନୀକୁ ଜର୍ଜରିତ କରିବାକୁ ଲାଗିଲା । କିନ୍ତୁ ସତୀ ପତ୍ନୀର ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ସେ ଶତ ଅତ୍ୟାଚାର, ସହସ୍ର ଲାଞ୍ଛନା, ଅଶେଷ ଅବଜ୍ଞା ସହି ସୁଦ୍ଧା ସ୍ୱୀୟ କର୍ତ୍ତବ୍ୟ ତ୍ୟାଗ କଲା ନାହିଁ । ସେ ସ୍ୱାମୀ ଗୋଡ଼ଧରି ବିନୟ ପ୍ରକାଶ କରି ଏହି ଲକ୍ଷ୍ମୀଛଡ଼ା ଖେଳରୁ ନିବୃତ୍ତି ହେବାକୁ ପ୍ରାର୍ଥନା କଲା; ମାତ୍ର ସେଥିର ପ୍ରତିଦାନସ୍ୱରୂପ ଦୁଃସହ ପ୍ରହାର ଲାଭ କଲା । ସେ ଆଉ ପବିତ୍ର ଦାମ୍ପତ୍ୟ ପ୍ରେମର ଅଧିକାରିଣୀ ନୁହେଁ, ଅନବରତ ଗାଳିମାଡ଼ ବ୍ୟତୀତ ସ୍ୱାମୀଠାରୁ ତାହାର ଅନ୍ୟ ପ୍ରାପ୍ୟ ନାହିଁ । ଦେଖୁ ଦେଖୁ କେତେଟା ବର୍ଷ ମଧ୍ୟରେ ଗୁଣନିଧି ୠଣ ଜାଲରେ ନିବିଡ଼ ଭାବରେ ଆବଦ୍ଧ ହୋଇପଡ଼ିଲା । ଅଭାବ ବୃଦ୍ଧି ସଙ୍ଗେ ସଙ୍ଗେ କ୍ରୋଧ ବଢ଼ିବାକୁ ଲାଗିଲା । ସେହି କ୍ରୋଧର ଫଳ ନିରୀହା ମହାଲକ୍ଷ୍ମୀକୁ ଭୋଗ କରିବାକୁ ହେଲା । ଶେଷରେ ଉତ୍ତମର୍ଣ୍ଣଗଣର ତୀବ୍ର ତାଡ଼ନାରେ ଅତିଷ୍ଠ ହୋଇ ଗୁଣନିଧି ଆତ୍ମଗୋପନ ମାନସରେ ମହାଲକ୍ଷ୍ମୀ ଏବଂ ସପ୍ତମ ବର୍ଷୀୟ ପୁତ୍ର ନୀଳକଣ୍ଠକୁ ଅନାଥ କରି ଦିନେ ସକାଳୁ ଉଠି କାହାକୁ କିଛି ନ କହି ରେଙ୍ଗୁନ ଚାଲିଗଲା ।

 

ଗୁଣନିଧିର ଗୃହତ୍ୟାଗ ପରେ ୠଣଦାତାମାନେ ତାହାର ବିଷୟ ବିକ୍ରୟ କରି ସୁଧ, ସୁଧର ସୁଧ, ତାର ସୁଧ ଏହିପରି ସୁଧର ସାତ ପୁରୁଷ ଧରି ନିଜର ପ୍ରାପ୍ୟ ଆଦାୟ କରିନେଲେ । ସେମାନଙ୍କ ଆକଣ୍ଠ ଗ୍ରାସ ପରେ ଯାହା ବଳିଲା, ମହାଲକ୍ଷ୍ମୀ ତାହାରିଦ୍ୱାରା କଷ୍ଟରେ ଦିନ କାଟିବାକୁ ଲାଗିଲା । ବର୍ଷେ ଗଲା, ଦୁଇ ବର୍ଷ ଗଲା, ତିନିବର୍ଷ ଗଲା, ତଥାପି ଗୁଣନିଧିର ଦେଖା ନାହିଁ କି କୌଣସି ସମ୍ବାଦ ନାହିଁ । ସମୟ ଯେତିକି ଅତୀତ ହେଲା, ମହାଲକ୍ଷ୍ମୀ ମନରେ ନୈରାଶ୍ୟ ତେତିକି ବଢ଼ିବାକୁ ଲାଗିଲା । ସେ କେବଳ ଶିଶୁପୁତ୍ରଟି ସକାଶେ ସଂସାରରେ ପଡ଼ିରହିଲା । ପିଲାଟି କ୍ରମେ ବଢ଼ିବାକୁ ଲାଗିଲା । ବ୍ୟବସାୟୀ ଘରର ପିଲା, ସେ କି ତୁଛା ବସିପାରେ । ନୀଳକଣ୍ଠ କ୍ଷୁଦ୍ର କ୍ଷୁଦ୍ର ବ୍ୟବସାୟ କରି ଯାହା ଦୁଇପଇସା ଉପାର୍ଜନ କରେ, ସେହିଥିରେ ମା ପୁଅ ଦୁଃଖେ ସୁଖେ ଚଳନ୍ତି । ଏହିପରି ଭାବରେ ଆଠବର୍ଷକାଳ ଅତୀତ ହେଲା । ଗ୍ରାମର ଲୋକମାନେ ଗୁଣନିଧିକୁ ପାଶୋରି ପକାଇଲେ; ମାତ୍ର ସେମାନେ ପାଶୋରିଲେ କଅଣ ହେବ, ଗୁଣନିଧି ସେମାନଙ୍କୁ ପାଶୋରି ନାହିଁ । ଦିନେ ସେ ଅକସ୍ମାତ୍‌ ସଶରୀରରେ ଆସି ଗୃହରେ ଉପସ୍ଥିତ ହେଲା । ସେ ଆଉ ପୂର୍ବ ଗୁଣନିଧି ନୁହେଁ, ତାହାର ଗୋଟାଏ ସମ୍ଭ୍ରାନ୍ତ ସଭ୍ୟ ସଂସ୍କରଣ । ବହୁମୂଲ୍ୟ ପରିଚ୍ଛଦ, ଘଡ଼ି, ଚଷମା ପ୍ରଭୃତି ଅତୁଳ ବିଭବର ପରିଚୟ ପ୍ରଦାନ କରୁଅଛି । ସଙ୍ଗରେ ଅନେକ ପଦାର୍ଥ ଆଣିଅଛି । ଗୋଟିଏ ନାରୀରତ୍ନ ସଙ୍ଗିନୀ ମଧ୍ୟ ଆଣିଅଛି । ରେଙ୍ଗୁନରେ ତାହାର ଜଣେ ସ୍ୱଜାତି ବହୁ ଅର୍ଥ ଉପାର୍ଜନ କରି ଜିମଦାରୀ କରିଅଛି । ତାହାର କନ୍ୟା ସକାଶେ ବିଦେଶରେ ସ୍ୱଜାତୀୟ ବର ମିଳୁ ନ ଥିଲେ । ଗୁଣଧର ଗୁଣନିଧି ତାକୁ କନ୍ୟାଦାୟରୁ ମୁକ୍ତକରି ଏହି ସଙ୍ଗିନୀଟି ଲାଭ କରିଅଛି । କେବଳ ଏତିକି ନୁହେଁ– କନ୍ୟାର ଭରଣ ପୋଷଣ ସକାଶେ କନ୍ୟାପତା ବିସ୍ତର ଅର୍ଥ ମଧ୍ୟ ଦେଇଅଛି । ଗୁଣନିଧି ଗ୍ରାମରେ ଏହିପରି ପ୍ରଚାର କରିଥିଲା; ମାତ୍ର ଅନେକେ ତାହାର ଏକଥା ବିନା ପ୍ରମାଣରେ ସତ୍ୟ ବୋଲି ଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରିଥିଲେ । ସେ ଯାହାହେଉ, ନବବଧୂର ରୂପଟା ତେତେ ନେତ୍ରାକର୍ଷକ ନୁହେଁ । ଜମିଦାର ଘରେ ସୁନ୍ଦରୀକନ୍ୟା ଜନ୍ମିବେ ବୋଲି ତ ବିଧାତା ଆଇନ ଜାରି କରିନାହାନ୍ତି । ନବ ବଧୂଟି ଗୋଟାଏ ଅନ୍ଧକାରର ସ୍ତୂପ । ଅନ୍ଧାରରେ ବିଜୁଳିପୋକ ପରି ତାହା ଦେହରେ ଅଳଙ୍କାରଗୁଡ଼ାକ ଜକ୍‌ ଜକ୍‌ ଦିଶୁଥାଏ । କୃଷ୍ଣକାଦମ୍ବିନୀ ବକ୍ଷରେ ଚପଳା ବିକାଶ ପରି ତାହା ମୁଖରେ ହାସ୍ୟରେଖା ବଡ଼ ସୁନ୍ଦର ଦିଶେ । ହସିବାବେଳେ ଦାନ୍ତମୂଳର ରିଢ଼ା ଦେଖାଦେଇ ସେ ହାସ୍ୟକୁ ଅଳଙ୍କାର ଦାନକରେ; କିନ୍ତୁ ନିନ୍ଦୁକୀ ଗ୍ରାମ ରମଣୀକୁଳ ତାହାର ଏ ଅନନ୍ତ ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇପାରିଲେ ନାହିଁ । ସେମାନଙ୍କ ମଧ୍ୟରୁ କେହି କେହି କୁହାକୁହି ହେଲେ ‘‘ଏ କି କାଳୀପେଡ଼ୀ ଲୋ ମା, ଠିକ୍‌ ଯିମିତି ଅଡ଼ିଚିଣା କାଠ ।’’ କେହି ବା ପରିହାସରେ ଆହୁରି ପାଉଛେ ଉପରକୁ ଉଠିଯାଇ କହିଲା– ‘‘ନା ଗୋ ନା, ବଙ୍ଗଳାରେ କହନ୍ତି, ‘‘କାଲୋ ରୂପେ ଘର ଆଲୋ, ଏ ଅଙ୍ଗାରଗଞ୍ଜିନୀ ଯୋଗେ ଗୁଣନିଧିର ଘର ଆଲୋକିତ ହେବ ।’’ ଏହିପରି ନାନାଲୋକେ ନାନା କଥା କହିଲେ । କିନ୍ତୁ ମହାଲକ୍ଷ୍ମୀର ମନରେ କୌଣସି ବିକାର ନାହିଁ । ସେ କହେ– ‘‘ସ୍ୱାମୀ ଦେବତା, ଏକ ଦେବତାର ଯେତେ ଦାସୀ ହେବେ, ସେମାନେ ପରସ୍ପର ଭଉଣୀ; ସୁତରାଂ ସେ ସ୍ୱାମୀ ଆଉ ସପତ୍ନୀକୁ ସମାଦରପୂର୍ବକ ଗ୍ରହଣ କଲା ।

 

ଗୁଣନିଧି ଏବେ ବଡ଼ଲୋକ । ନବବଧୂ ଜିମଦାର କନ୍ୟା, ସେମାନେ କି ଆଉ ବସୁମତୀରେ ହାତ ଦେବେ । ସେ ଯେ ବଡ଼ ଲଜ୍ଜା ବଡ଼ ହତମାନର କଥା । ସୁତରାଂ ପାକଶାଳା ଏବଂ ଗୃହକର୍ମର ଭାର ମହାଲକ୍ଷ୍ମୀ ଉପରେ ଆଉ ଘନ ଘନ କାଫି ତିଆରିର ଭାର ପଞ୍ଚଦଶ ବର୍ଷୀୟ ପୁତ୍ର ନୀଳକଣ୍ଠ ଉପରେ ନ୍ୟସ୍ତହେଲା । ଦେଖୁଁ ଦେଖୁଁ ପୂର୍ବସଙ୍ଗୀମାନେ ଆସି ଗୁଣନିଧିର ଗୁଣଗାନ କରିବାକୁ ଲାଗିଲେ । ଘର ଭିତରେ ଦିନରାତି ଜୁଆ ଖେଳର ଧୂମ୍‌ ଲାଗିଲା । ଅର୍ଥ ଆସିଲାବେଳେ କ୍ରମାନ୍ୱୟାରେ ଆସେ ଏବଂ ଯିବାବେଳେ କ୍ରମାନ୍ୱୟରେ ଯାଏ, ଏହା ଜୁଆଖେଳର ଲକ୍ଷଣ । ଗୁଣନିଧି ପ୍ରବୀଣ ଲାଗିଲା । ସୌଭାଗ୍ୟବେଳ ଗତ ଦୁର୍ଭାଗ୍ୟର କଥା କେହି ମନରେ ଭାବେ ନାହିଁ; ଗୁଣନିଧି ବା କାହିଁକି ଭାବିବ । ପ୍ରଚୁର ଅର୍ଥାଗମ ସଙ୍ଗେ ସଙ୍ଗେ ଯେଉଁ ଦୋଷର ଆମଦାନି ହୁଏ, ଗୁଣନିଧି ଏବଂ ନବବଧୁ ସେହି ଦୋଷରେ ଅଳଙ୍କୃତ ହେଲେ । ଆସିକା ତୀର୍ଥବାରିରେ ତାଙ୍କର ଉଦର ପବିତ୍ର ହେଲା । ତୀର୍ଥବାରି ଆଣିବାର ଭାର ନୀଳକଣ୍ଠ ଉପରେ ପଡ଼ିଲା । କର୍ତ୍ତବ୍ୟରେ ତ୍ରୁଟି କଲେ ସେ ସାବତ ମାତାଙ୍କଠାରୁ ତୀବ୍ର ତିରସ୍କାର ଏବଂ ପିତାଙ୍କଠାରୁ ପ୍ରହାର ପୁରସ୍କାର ଲାଭ କରେ ।

 

ମହାଲକ୍ଷ୍ମୀ ସପତ୍ନୀକୁ ଯେତିକି ଆଦର ଓ ସ୍ନେହ କରେ, ସପତ୍ନୀ ଅଡ଼ଚିଣା କାଠ ତାକୁ ତେତିକି ଘୃଣା କରେ । ମହାଲକ୍ଷ୍ମୀ ଏବଂ ନୀଳକଣ୍ଠ ତାହାର ଚକ୍ଷୁଶୂଳ । ଏହି ଦୁଇ ଆପଦକୁ ବିଦାୟ ନ କଲେ ତାହାର ଶାନ୍ତି ନାହିଁ । ସେମାନଙ୍କ ନାମରେ ଲଗାଇ ଯୋଟାଇ ସେ ସ୍ୱାମୀ ପାଖରେ ନାନା କଥା କହେ । ସେ ସ୍ୱାମୀର ମନ୍ତ୍ରଗୁରୁ ତାହାର ମନ୍ତ୍ରଣା କା ଅଭିଯୋଗ ସ୍ୱାମୀ ପାଖରେ ବ୍ୟର୍ଥ ହୁଏନାହିଁ । ନୀଳକଣ୍ଠଟା ଚୋର, ସେ ପଇସା ଚୋରି କରେ, ମଦରେ ପାଣି ମିଶାଇଦେଇ ଆଣେ, ତା ମା ତାକୁ ଲୁଚାଇ ବେଶୀ ମାଛତୁଣ ଖାଇବାକୁ ଦିଏ, ଘରୁ ଚାଉଳ ପରିବା ଲୁଚାଇ ବିକିଦିଏ, ଏହିପରି ମୌଖିକ ଅର୍ଜି ସେ ପ୍ରତିଦିନ ସ୍ୱାମୀ ପାଖରେ ପେଷ୍‌ କରେ । ସ୍ୱାମୀର ସମ୍ମୁଖରେ ସେ ମହାଲକ୍ଷ୍ମୀକୁ ଗାଳି ଦିଏ, ଗୁଣନିଧି ସେଥିରେ ପାଟି ଫିଟାଏ ନାହିଁ; ସୁତରାଂ ତାହାର ଆସ୍ପର୍ଦ୍ଧା ଆହୁରି ବଢ଼ିଯାଏ । ବେଳେ ବେଳେ ସେ ସ୍ୱାମୀ ହାତରେ ମହାଲକ୍ଷ୍ମୀକୁ ମାଡ଼ ଖୁଆଏ; ମାତ୍ର ମହାଲକ୍ଷ୍ମୀ ନୀରବରେ ତାହା ସହ୍ୟ କରେ । ତାହା ନ କରି ସେ ଆଉ କଅଣ ଅବା କରିବ, କାହା ଉପରେ ବା ରାଗ କରିବ ? ସ୍ୱାମୀ ତାହାର ଆରାଧ୍ୟ ଦେବତା, ସେ କି ତାହା ଉପରେ ରାଗ କରିପାରେ ? ତାହା ତ ସତ୍ୟ ସହଧର୍ମିଣୀର ଧର୍ମ ନୁହେଁ । ଯେତେବେଳେ ଅତ୍ୟାଚାର ତାହାର ନିତାନ୍ତ ଅସହ୍ୟ ହୁଏ, ଧୈର୍ଯ୍ୟଗ୍ରନ୍ଥି ଛିଡ଼ିଯାଏ, ତେତେବେଳେ ସେ ସଜଳ ନେତ୍ରରେ ବ୍ୟାକୁଳ କଣ୍ଠରେ ଭଗବାନଙ୍କୁ ପ୍ରାର୍ଥନା କରେ– ‘‘ଦୟାମୟ, ମୋର ସ୍ୱାମୀକୁ ସୁମତି ଦେଇ ସୁମାର୍ଗକୁ ଫେରାଇ ଆଣ । ଦୁଃଖିନୀକୁ ଆଉ ଦୁଃଖ ଦିଅ ନାହିଁ ପ୍ରଭୋ !’’ ଏହିପରି ଭାବରେ ତିନିବର୍ଷ ଅତୀତ ହେଲା ।

 

ଦିନେ ଅଡ଼ିଚିଣାକାଠ ସ୍ୱାମୀ ନିକଟରେ ନୀଳକଣ୍ଠ ନାମରେ ଗୁରୁତର ଅଭିଯୋଗ ଉପସ୍ଥିତ କଲା । ସେ ଅଭିଯୋଗ ଶୁଣିବା ମହାପାପ । ଗୁଣନିଧି କ୍ରୋଧରେ ଜଳିଉଠି ପୁତ୍ରର ପ୍ରାଣ ସଂହାର କରିବାକୁ ପ୍ରତିଜ୍ଞା କଲା । ନୀଳକଣ୍ଠ ଏହା ଶୁଣି, ଲଜ୍ଜା ଏବଂ ଭୟରେ ଗୃହ ତ୍ୟାଗକରି ନିରୁଦ୍ଦେଶ ହୋଇଗଲା । ଏ ଘଟଣାରେ ମହାଲକ୍ଷ୍ମୀ ଚତୁର୍ଦ୍ଦିଗ ଅନ୍ଧକାର ଦେଖିଲା । ତାହାର ମାତୃହୃଦୟ କାନ୍ଦି ଉଠିଲା । ସେ ଆହାର ନିଦ୍ରା ତ୍ୟାଗ କରି ମଣିହୁତା ଫଣିନୀ ପରି ଝୁରିବାକୁ ଲାଗିଲା । କିଛିଦିନ ପରେ ସେ ମଧ୍ୟ ଗୃହତ୍ୟାଗ କରି ପୁତ୍ରକୁ ଖୋଜିବା ଉଦ୍ଦେଶ୍ୟରେ ଆସି ପୁରୀରେ ଉପସ୍ଥିତ ହେଲା । ମାସକ ପରେ ନୀଳକଣ୍ଠ ବୁଲି ବୁଲି ଆସି ପୁରୀରେ ପହଞ୍ଚିଲା । ମାତାପୁତ୍ରର ଭେଟ ହେଲା, ଉଭୟେ ମୋ ଘରେ ବସା କରି ରହିଲେ । ନୀଳକଣ୍ଠ ଖଣ୍ଡିଏ ଦୋକାନ କଲା । ତାହାରି ଆୟରେ ମାତା ପୁତ୍ର ଦୁଃଖେ ସୁଖେ ଜୀବନଯାତ୍ରା ଚଳାଇବାକୁ ଲାଗିଲେ ।

 

ଅନନ୍ତର ବୃଦ୍ଧ କହିଲା– ‘‘ପାପର ଫଳ ଅବଶ୍ୟମ୍ଭାବୀ । ଗୁଣନିଧିକୁ ଅଳ୍ପ ଦିନରେ ଏ ପାପର ଫଳ ଭୋଗ କରିବାକୁ ପଡ଼ିଲା । ମଦ ଏବଂ ଜୁଆ ଖେଳରେ ସେ ସର୍ବସ୍ୱାନ୍ତ ହେଲା, କଷ୍ଟର ଆଉ ସୀମା ରହିଲା ନାହିଁ । ଦିନେ ଖାଇଲେ ଦିନେ ଉପବାସ, ଦୂରବସ୍ଥା ଦେଖି ସଙ୍ଗୀମାନେ ଅନ୍ତର ହୋଇଗଲେ । ସୁଖରେ ଭାଗ ବସାଇବାକୁ ସମସ୍ତେ ବଳେ ବଳେ ଆସନ୍ତି; ମାତ୍ର ଦୁଃଖର ଭାଗ ନେବାକୁ କେହି ଆସେ ନାହିଁ, ଏହା ସଂସାର ରୀତି । ସଂସାର ଗୁଣନିଧିକୁ ଭ୍ରୁକୁଟି ପ୍ରଦର୍ଶନ କରିବାକୁ ଲାଗିଲା । ପାପର ଅସଂଖ୍ୟ ପ୍ରତିମୂର୍ତ୍ତି ତାହା ଆଖି ଆଗରେ ଭୈରବ ତାଣ୍ଡବ ନୃତ୍ୟ ଆରମ୍ଭ କଲେ । ଚିତ୍ରଗୁପ୍ତର ଓ୍ୟାରିଣ୍ଟ ପିଆଦା ବସନ୍ତ ରୋଗ ରୂପ ଧରି ଆସି ଉପସ୍ଥିତ ହେଲା । ଉଭୟେ ସେହି ରୋଗରେ ଆକ୍ରାନ୍ତ ହେଲେ । ତିନିଦିନ ରୋଗ ଭୋଗ ପରେ ନବବଧୂ ଇହଲୋକରୁ ବିଦାୟ ଗ୍ରହଣ କଲା । ଗୁଣନିଧିର ଅବସ୍ଥା ସଂକଟମୟ । ମୁହଁରେ ପାଣି ଦେବାକୁ କେହି ନାହିଁ । ଗଞ୍ଜାମରୁ ଆଗତ ପୁରୀ ଯାତ୍ରୀମାନଙ୍କଠାରୁ ଏ ଦୁଃସମ୍ବାଦ ଶୁଣି ମହାଲକ୍ଷ୍ମୀ ବ୍ୟାକୁଳ ହୋଇପଡ଼ିଲା । ପତିର ଦୁର୍ଦ୍ଦଶା ଶୁଣି ସତୀ ଆଉ ସ୍ଥିର ହୋଇପାରିଲା ନାହିଁ । ସେ ପୁତ୍ରକୁ ଘେନି ଗଞ୍ଜାମ ଚାଲିଗଲା । ମାତାପୁତ୍ରଙ୍କର ଅଶ୍ରାନ୍ତ ସେବା ଶୁଶ୍ରୂଷାରେ ଗୁଣନିଧି କ୍ରମଶଃ ସୁସ୍ଥ ହୋଇଉଠିଲା । ସେ ରୋଗରୁ ଉଠି ମହାଲକ୍ଷ୍ମୀର ହାତ ଧରି କହିଲା– ‘‘ମହାଲକ୍ଷ୍ମୀ, ତୁମ୍ଭେ ଦେବୀ ଆଉ ମୁଁ ପିଶାଚ । ତୁମ୍ଭେ ସତୀ ଲକ୍ଷ୍ମୀ, ସତୀର ପ୍ରାର୍ଥନା ବ୍ୟର୍ଥ ହୁଏ ନାହିଁ । ତୁମ୍ଭରି ଧର୍ମ ମୋତେ ମୃତ୍ୟୁ ମୁଖରୁ ଫେରାଇ ଆଣିଅଛି । କ୍ଷମା ମାଗିବାକୁ ମୋର ମୁହଁ ନାହିଁ, ତୁମ୍ଭେ ନିଜ ଗୁଣରେ ତୁମ୍ଭର ଏ ଅଧମ ପାପିଷ୍ଠ ସ୍ୱାମୀକୁ କ୍ଷମା କରିବ କି ?’’ ମହାଲକ୍ଷ୍ମୀ ସଜଳ ନେତ୍ରରେ କହିଲା– ‘‘ନାଥ, ତୁମ୍ଭେ ଦେବତା, ମୁଁ ତୁମ୍ଭର ଦାସୀ । ଦାସୀ କି ପ୍ରଭୁଙ୍କର ଦୋଷ ଧରିପାରେ ?’’ ଏହି କଥା ପଦକରେ ଗୁଣନିଧିର ସମସ୍ତ କଳୁଷ ଉଡ଼ିଗଲା, ତାହାର ପାଶବ ଭାବ ଅନ୍ତର୍ହିତ ହେଲା– ପବିତ୍ର ଅଖଣ୍ଡ ଦାମ୍ପତ୍ୟ ପ୍ରେମରେ ତାର ହୃଦୟ ପୂର୍ଣ୍ଣ ହୋଇଉଠିଲା । ସତୀତ୍ୱର ପ୍ରଭାବ ସାମାନ୍ୟ ନୁହେଁ, ସେହି ପ୍ରଭାବରେ ଗୁଣନିଧିର କୁଅଭ୍ୟାସ ପାନଦୋଷ ସବୁ ଭସ୍ମ ହୋଇଗଲା । ପ୍ରେମ ପଶୁ ଭାବକୁ ଜୟ କଲା । ପିବତ୍ର ପ୍ରେମର ସର୍ବତ୍ର ଜୟ ।

Image

 

ଅଷ୍ଟାଦଶ ପରିଚ୍ଛେଦ

 

ସନାତନ ମହନ୍ତ ହେଲା ପରେ ବୃଦ୍ଧ ପିତାମାତାଙ୍କର ଅବସ୍ଥା ଭାବି ବ୍ୟାକୁଳ ହୋଇପଡ଼ିଲା । ଏ ସଂସାରରେ ସବୁ ସମ୍ଭବ । ସଂସାରୀ ମନରେ ବି ବୈରାଗ୍ୟ ଜାତ ହୁଏ, ଆଉ ବୈରାଗୀର ମଧ୍ୟ ଗତ ଜୀବନର ସଂସାର କଥା ମନରେ ପଡ଼େ । ଯାହାର ଅତୀତ ସଙ୍ଗରେ ବର୍ତ୍ତମାନର କିଛି ସମ୍ପର୍କ ନାହିଁ, ଯାହାର ଅତୀତ କେବଳ ସ୍ମୃତିର ଆଭା ଟିକିଏ ରଖି ଅତୀତରେ ମିଶି ଯାଇଅଛି, ବୈରାଗ୍ୟଶତକ, ମୋହ ମୁଦ୍‌ଗରର ପ୍ରତ୍ୟେକ ଶ୍ଲୋକ ଯାହାର ଜିହ୍ୱାଗ୍ରରେ ସର୍ବଦା ନୃତ୍ୟ କରେ, ଯେ ଅତୀତ ଜୀବନ ବିସ୍ମୃତ ହୋଇ ନୂତନ ଜୀବନର ରସାସ୍ୱାଦନର ବିଭୋର ହୋଇଅଛି, ସେହି ତ୍ୟାଗୀ, ଯୋଗୀ, ସନ୍ନ୍ୟାସୀ ମନରେ ଏ ଭାବାନ୍ତର କିଏ ଆଣିଲା ? ଦୁଷ୍ଟା ମାୟା ବ୍ୟତୀତ ଆଉ କାହାର ଏ ଲୀଳା ? ମାୟା କାହାରିକୁ ଛାଡ଼େ ନାହିଁ, ମାଟିର ମାୟା ମାଟିର ଶରୀରକୁ ପରିତ୍ୟାଗ କରିପାରେ ନାହିଁ । ଶରୀର ମାଟିରେ ମିଶିଲେ ତାହା ସଙ୍ଗେ ସଙ୍ଗେ ସେ ମାଟିରେ ମିଶେ । ଯୋଗୀ ହେଉ ବା ତପସ୍ୱୀ ହେଉ ଅଥବା ତ୍ୟାଗୀ ହେଉ, ମାୟା କାହାକୁ ଛାଡ଼େ ନାହିଁ । ତେବେ ସେମାନେ ମାୟାର ଅଧୀନ ନ ହୋଇ ମାୟାକୁ ଅଧୀନ କରି ରଖନ୍ତି; ମାତ୍ର ସେମାନଙ୍କ ମନରେ ମାୟା ଜନ୍ମିବା ସ୍ୱାଭାବିକ । ମାୟା ପରମାର୍ଥ ପଥର ବିରୋଧୀ ହୋଇପାରେ; ମାତ୍ର ମାୟା ନ ଥିଲେ ସଂସାର ମରୁଭୂମି ପରି ଉତ୍ତପ୍ତ ଏବଂ ନୀରସ ହୋଇଥାଆନ୍ତା । ସନାତନ ଯେଡ଼େ ଜ୍ଞାନୀ ବା ଯେଡ଼େ ତ୍ୟାଗୀ ହେଉ ପଛେ, ପିତାମାତାଙ୍କ ପ୍ରତି ସେ କି ନିର୍ମାୟ ନିର୍ମମ ହୋଇପାରେ ? ଯାହାଙ୍କର ଅଂଶରେ ଶରୀର ଗଠିତ ହୋଇଅଛି– ଯାହାଙ୍କର ଶୋଣିତ ଶରୀରରେ ପ୍ରବାହିତ ହେଉଅଛି, ସେହି ପିତାମାତାଙ୍କୁ କିଏ ଭୁଲି ରହିପାରିବ ? ଭୁଲିବାକୁ ଚେଷ୍ଟା କଲେ ସୁଦ୍ଧା ରକ୍ତର ଆକର୍ଷଣ ଭୁଲାଇ ଦେବ ନାହିଁ । ସନାତନ କହିଲା– ‘‘ବୃଦ୍ଧ ପିତାମାତାଙ୍କ ଆଦେଶ ଲଙ୍ଘନ କରି ତାଙ୍କ ହୃଦୟରେ ଦାରୁଣ ଆଘାତ ଦେଇ ବାସ୍ତବରେ ମୁଁ ଅତି ଅନ୍ୟାୟ କରିଅଛି । ତହିଁ ଉପରେ ତାଙ୍କୁ ଅଗାଧ ଚିନ୍ତାସାଗରରେ ବୁଡ଼ାଇ ମହାପାପ ମଧ୍ୟ ଅର୍ଜି ଅଛି । ମୋର ଏ ପାପର ପ୍ରାୟଶ୍ଚିତ କଅଣ ? ଯାହାଙ୍କର ଅନନ୍ତ ଦୟା ମୋତେ ଆଜନ୍ମ ଘେରି ରହି ନିରାପଦରେ ବଢ଼ାଇଅଛି, ଯେ ନିଜର ଜୀବନ କ୍ଷୟ କରି ମୋର ଜୀବନ ଗଠନ କରିଅଛନ୍ତି, ଯାହାଙ୍କର ଅତୁଳ ସ୍ନେହ ମୋର ପ୍ରତି ନିଃଶ୍ୱାସରେ ମିଶି ରହିଅଛି, ଉତ୍ତପ୍ତ ସଂସାରର ଶୀତଳ ନିର୍ଝର ସେହି ପିତାମାତାଙ୍କୁ ମୁଁ ଏତେଦିନ ଯାଏ ଭୁଲି ରହିଅଛି ? ଧିକ୍‌ ମୁଁ ଅକୃତଜ୍ଞ । ଏବେ ତାଙ୍କୁ ଆଣି ଏଠାରେ ସୁଖ ସ୍ୱାଚ୍ଛନ୍ଦ୍ୟରେ ରଖି ତାଙ୍କ ମନରୁ କଷ୍ଟ ଦୂର କରିବା ଉଚିତ । ଏହାହିଁ ମୋ ପାପର ପ୍ରାୟଶ୍ଚିତ୍ତ । ମୋର ଦେବ ପିତା, ଦେବୀ ମାତା ସ୍ନେହଗୁଣରେ ନିଶ୍ଚୟ ମୋତେ କ୍ଷମା କରିବେ । ସେମାନେ ଧର୍ମପ୍ରାଣ, ମୋର ଏ କାର୍ଯ୍ୟରେ ଅସନ୍ତୁଷ୍ଟ ନ ହୋଇ ବରଂ ଆନନ୍ଦ ପ୍ରକାଶ କରିବେ । ଆଉ ଶେଷ ଜୀବନରେ ତୀର୍ଥବାସ କରିବାକୁ ଅନିଚ୍ଛୁକ ହେବେ ନାହିଁ । ଅନନ୍ତର ସନାତନ ପିତାମାତାଙ୍କୁ ପୁରୀ ଆଣିବା ସକାଶେ ଲୋକ ପଠାଇଥିଲା । ଯଥାସମୟରେ ସେ ଲୋକ ଫେରିଆସି ନନ୍ଦଙ୍କର ସପରିବାର କାଶୀ ଯାତ୍ରାର ସମ୍ବାଦ ଜ୍ଞାପନ କଲା । ସନାତନ ତାହା ଶୁଣି ଅତ୍ୟନ୍ତ ମର୍ମାହତ ହେଲା ଏବଂ ଅନୁଶୋଚନାରେ ତାହାର ହୃଦୟ ପୂର୍ଣ୍ଣ ହୋଇ ଉଠିଲା । ଶେଷରେ ନିଜେ କାଶୀ ଯାଇ ପିତାମାତାଙ୍କୁ ପୁରୀ ଘେନି ଆସିବାର ସ୍ଥିର କରି କଥଞ୍ଚିତ୍‌ ଆଶ୍ୱସ୍ତ ହେଲା ।

 

ନନ୍ଦ ଯେଉଁ ବୃଦ୍ଧ ଘରେ ବସା କରିଅଛନ୍ତି, ତାହା ସଙ୍ଗରେ ପିତେଇର ଗୋଟାଏ ସମ୍ପର୍କ ସ୍ଥାପିତ ହୋଇଅଛି। ଶେଫାଳିକା ବୃଦ୍ଧକୁ ମଉସା ବୋଲି ଡାକନ୍ତି, ପିତେଇ ଶେଫାଳିକାକୁ ମା ବୋଲି ଡାକେ । ଏହି ସମ୍ପର୍କ ଧରି ପିତେଇ ବୃଦ୍ଧକୁ ଅଜା ଲେଖା କରେ । ଦୁହିଁଙ୍କ ମଧ୍ୟରେ ଥଟା ଟାପରା ସବୁବେଳେ । ଦିନେ ପିତେଇ କହିଲା– ‘‘ଅଜା, ମୁଁ ତୁମକୁ କଅଣ ବୋଲି ଡାକିବି ? ଅଜା ନାଁଟା ନିହାତି ପୁରୁଣା, ସେଟା ପାଟିକି ବଡ଼ ପିତା ଲାଗେ, ଆଉ ଗୋଟାଏ ସୁଆଦିଆ ନାଁ ହୁଅନ୍ତା କି-।’’ ବୃଦ୍ଧ ମଧ୍ୟ ରହସ୍ୟ ବିଦ୍ୟାରେ ନିତାନ୍ତ ମୂର୍ଖ ନୁହେଁ । ସେ ହସି ହସି କହିଲା– ‘‘ହଁ ଲୋ ଭଉଣୀ, ପିତା ଲାଗୁଥିବ ତ । ତୋ ନାମ ପିତେଇ, ମିଠା ସୁଦ୍ଧା ତୋତେ ପିତା ଲାଗିବ । ଆଛା, ଗୋଟାଏ କଥା କଲେ ହୁଅନ୍ତା ନାହିଁ ? ମୋ ନାଁ ପୀତାମ୍ବର ସାହୁ, ମୋ ପରି ଜଣେ ସାମାନ୍ୟ ଲୋକକୁ ଏଡ଼େ ଉଠିଆ ନାଁରେ ବା କିଏ କାହିଁକି ଡାକିବ– ସମସ୍ତେ ପତେଇ ସାହୁ ବୋଲି ଡାକନ୍ତି । ତୋ ନାଁ ପିତେଇ, ମୋ ନାଁ ପିତେଇ ସାହୁ, ଦୁହିଁଙ୍କ ନାଁ ଏକା, ତେବେ ଦୁହେଁ ମୈତ୍ର ବସିବା ଚାଲ ।’’ ପିତେଇ କହିଲା– ‘‘ଛି, ଲୋକେ ହସିବେ । ପୁରୁଷ ସାଙ୍ଗରେ ପୁରୁଷ ସିନା ସଙ୍ଗାତ ମୈତ୍ର ବସେ, ଆଉ ପୁରୁଷ ନାରୀ ମଧ୍ୟରେ କିଏ କେବେ ମୈତ୍ର ବସିବା ଦେଖାଶୁଣା ନାହିଁ ।’’ ବୃଦ୍ଧ କହିଲା– ‘‘ନୂଆକରି ସେ ରୀତି ଚଳାଇଲେ କ୍ଷତି କଅଣ ? କେହି ଚଳାଇ ନାହାନ୍ତି ବୋଲି ଚଳି ନାହିଁ, ଜଣେ କେହି ଚଳାଇଲେ ତେଣିକି ସମସ୍ତେ ଚଳାଇବେ । ସେ ନୂଆ ରୀତିଟା ସମସ୍ତେ ତୋହରି ପାଖରୁ ଶିଖନ୍ତୁ ।’’ ପିତେଇ ମୁଣ୍ଡ ହଲାଇ କହିଲା– ‘‘ନା ନା, ମୋର ଦରକାର ନାହିଁ– ସେହି ଅଜା ଲେଖା ମୋର ଭଲ-।’’ ବୃଦ୍ଧ ପିତେଇ ଏହିପରି କଥାବାର୍ତ୍ତା ହେଉ ଥିବା ସମୟରେ ଶେଫାଳିକା ଭିତରୁ ଥାଇ ଡାକିଲେ, ‘‘ପିତେଇ, ବେଳ ହେଲାଣି, ମହାପ୍ରସାଦ ଆଣିବୁ ଯା ।’’ ପିତେଇ ଉଠିଯାଇ ତାଙ୍କଠାରୁ ପଇସା ନେଇ ମହାପ୍ରସାଦ କିଣିବାକୁ ଗଲା । ନନ୍ଦଙ୍କ ବସାରେ ରୋଷାଇ ହୁଏ ନାହିଁ, ଦୁଇ ଓଳି ମହାପ୍ରସାଦ କିଣା ହୋଇ ଆସେ– ସମସ୍ତେ ତାହା ଖାଆନ୍ତି । ପ୍ରଥମରେ ଦିନେ ଦୁଇଦିନ ନନ୍ଦେ ମହାପ୍ରସାଦ କିଣି ଆଣିଥିଲେ, ଏଣିକି ସେ ଭାର ପିତେଇକୁ ଦିଆଯାଇଅଛି । ସେ ଦୁଇଓଳି ଯାଇଁ ଦେଉଳରୁ ମହାପ୍ରସାଦ କିଣି ଆଣେ । ପତେଇ ଗଉଡ଼ୁଣୀ; କିନ୍ତୁ ମହାପ୍ରସାଦରେ ଜାତିଭେଦ ନାହିଁ । ପୁରୀ ମହାତୀର୍ଥ, ମର୍ତ୍ତ୍ୟ ବୈକୁଣ୍ଠ, ଜାତି ଧର୍ମର ସମନ୍ୱୟ କ୍ଷେତ୍ର । ଭଗବାନଙ୍କର ଅଧିଷ୍ଠାନ ଯେଉଁଠାରେ, ବିରୁଦ୍ଧମତର ସମ୍ମିଳନ ସେଇଠାରେ । ସମସ୍ତେ ଜଗତ୍‍ ପିତା ଜଗନ୍ନାଥଙ୍କର ସନ୍ତାନ; ସୁତରାଂ ସମସ୍ତଙ୍କର ଏକ ଜାତି, ଏକ ଧର୍ମ, ଏକ ଗୋତ୍ର, ସମସ୍ତେ ଏକ ପରିବାରଭୁକ୍ତ । ଏରୂପ ଉଦାର ଧର୍ମନୀତି, ଏରୂପ ବିଶ୍ୱପ୍ରେମର ଅମର ଦୃଷ୍ଟାନ୍ତ ଅନ୍ୟତ୍ର ବିରଳ । ଏକ ପିତାର ସନ୍ତାନବୃନ୍ଦ ବିଭିନ୍ନ ବ୍ୟବସାୟୀ ହୋଇପାରନ୍ତି; ମାତ୍ର ବିଭିନ୍ନ ଜାତୀୟ ହୋଇପାରନ୍ତି ନାହିଁ । ପୁରୀରେ ବ୍ରାହ୍ମଣ ଶୂଦ୍ରର ଭେଦ ନାହିଁ, ଏହାହିଁ ଧର୍ମକ୍ଷେତ୍ରର ମହିମିତ ବୈଶିଷ୍ଟ୍ୟ ।

 

ନନ୍ଦେ, ତାଙ୍କର ଦୁଇ ସ୍ତ୍ରୀ ଏବଂ ଗୃହସ୍ୱାମୀ ବୃଦ୍ଧ ଚାରିହେଁ ବସି କଥାବାର୍ତ୍ତା ହେଉଅଛନ୍ତି । ଏହି ସମୟରେ ପିତେଇ ଉଗ୍ରଚଣ୍ଡୀ ମୂର୍ତ୍ତିଧରି ଗର୍ଜି ଗର୍ଜି ଆସି ଉପସ୍ଥିତ ହେଲା । ତାହାର ପରିଧେୟ ଛିନ୍ନ ବିଚ୍ଛିନ୍ନ, ହସ୍ତଧୃତ ମହାପ୍ରସାଦ କୁଡ଼ିଆଟି ମଧ୍ୟ ଅକ୍ଷତ ନାହିଁ । ସମସ୍ତଙ୍କର ନୀରବ ଦୃଷ୍ଟି ତାହାରି ଉପରେ ନିବଦ୍ଧ ରହିଲା । ପତେଇ ଭଙ୍ଗା କୁଡ଼ିଆଟି ଥୋଇ ଦେଇ କହିଲା– ‘‘କୁଢ଼ୀ, ଖଣ୍ଟ, ଡକେଇତ, ସାତ ଜନ୍ମ ମାଙ୍କଡ଼ ହୋଇଥାରେ ଡାକୁଣିଖିଆ । ତୋ ହାତଗୋଡ଼ ପୋଡ଼ିଯାଇଛି କିରେ ରଇଜଳା, ଗତର ଖଟେଇ ଖାଇ ମରୁନାହୁଁ କାହିଁକି ? ଗଛର ମଲାଙ୍ଗ ପରି ପର କାନ୍ଧରେ ଚଢ଼ି ଖାଇବୁ ।’’ ପିତେଇ ଏହିପରି ବକି ହେବାକୁ ଲାଗିଲା; ମାତ୍ର କାହା ଉଦ୍ଦେଶ୍ୟରେ ଏ ଆଶୀର୍ବାଦ, କେହି କିଛି ବୁଝି ପାରିଲେ ନାହିଁ । ପୁରୀର ଯାତ୍ରୀ ଏବଂ ଅଧିବାସୀମାନଙ୍କଠାରୁ ବାନରମାନେ ଗୋଟାଏ ଦୈନିକ କର ଆଦାୟ କରନ୍ତି । ଏକା ପୁରୀ କାହିଁକି ପ୍ରାୟଶଃ ପ୍ରତ୍ୟେକ ତୀର୍ଥସ୍ଥାନ ଏହି ବାନର ଉପଦ୍ରବରୁ ମୁକ୍ତ ନୁହେଁ । ସେମାନଙ୍କୁ କିଛି ଯାଚି ଦେଲେ ତ ଭଲ, ନଚେତ୍‌ ସେମାନେ ମରହଟ୍ଟାଶାସନକର୍ତ୍ତାମାନଙ୍କ ପରି ଦଳ ବାନ୍ଧି ଆକ୍ରମଣ କରି ଲୁଣ୍ଠନ କରିବେ । ଆଜି ପିତେଇଠାରୁ ସେମାନେ ବଳପୂର୍ବକ କର ଆଦାୟ କରିଅଛନ୍ତି । ବୃଦ୍ଧ ଗୃହସ୍ୱାମୀ ପଚାରିଲା– ‘‘କିଲୋ ପିତେଇ, କାହାକୁ କଲ୍ୟାଣ କରୁଛୁ ?’’

 

ପିତେଇ– କଅଣ କହିବି ଅଜା, ଦେଉଳରୁ ‘‘ମାହାର୍ଦ୍ଦ’’ କିଣି ଆସୁ ଆସୁ ଗୋଟାଏ ବୁଢ଼ା ହନୁ ଧାଇଁ ଆସି ମୋ ହାତ ଧରିପକାଇଲା । ସାଙ୍ଗେ ସାଙ୍ଗେ ପଲେ ମାଙ୍କଡ଼ ଧାଇଁ ଆସି ମୋ ଲୁଗା ଚିରିଦେଇ ଗୋଟାଏ କୁଡ଼ିଆ ହାତରୁ ଛଡ଼ାଇ ନେଇଗଲେ ।

 

ବୃଦ୍ଧ– ପୂର୍ବ ଜନ୍ମରେ ସେ ବୁଢ଼ା ହନୁ ସାଙ୍ଗରେ ତୋର କିଛି ଲେଖାଯୋଖା ଥିବ । ସେମାନେ ସର୍ବଜାଣ ପରା, ଦେଖିଲେ ଚିହ୍ନିପାରନ୍ତି ଆଉ ପୂର୍ବ ସମ୍ପର୍କ ଧରି ଥଟ୍ଟା ଟାପିରାଦି କରନ୍ତି-। ହାତ ଧରି ଡାକୁଥିଲା ଯଦି ତୁ ନ ଗଲୁ କାହିଁକି ? କିଛି ଦେଇଥାନ୍ତା ପରା ।

 

ପିତେଇ– ମାଙ୍କଡଟା ମୋତେ କଅଣ ଦେବ, ତୁମେ ତା ସାଙ୍ଗରେ ସଙ୍ଗାତ ବସିଲେ ବେଶ୍ ମାନନ୍ତା । ତୁମ ଦାନ୍ତ, ତା ଦାନ୍ତ ଠିକ୍ ଏକାପରି ତ ଅଜା । ଓଃ, କି ଜଞ୍ଜାଳ ଲୋ ମା, ମାଙ୍କଡ଼ଗୁଡ଼ାକ ସିମିତି ଉଗୁରି ହେଉଛନ୍ତି, ପଣ୍ଡାଗୁଡ଼ାକ ବି ସିମିତି ବାଟ ଚଲେଇ ଦେଉ ନାହାନ୍ତିଲୋ ମା ରାଣୀ । ବିନା ପଇସାରେ ତ କଲ୍ୟାଣ ଲଦି ପକାଉ ଅଛନ୍ତି ଆଉ ପଇସା ପାଇଲେ କଅଣ ନ ହୁଅନ୍ତା !

 

ବୃଦ୍ଧ– କି କଲ୍ୟାଣ କଲେ, ରାଜରାଣୀ ହେବୁ ବୋଲି କହିଲେ ନା ? ପଣ୍ଡାଙ୍କୁ ନିନ୍ଦା କରନା ପିତେଇ; ତାଙ୍କ କଲ୍ୟାଣ ସାଙ୍ଗେ ସାଙ୍ଗେ ଫଳିଲା । ରାଜରାଣୀ ନ ହୋଇ ବାନରାଣୀ ହେଲୁ, ସେ ଏକା କଥା । ମର୍କଟରାଜାଙ୍କ ପାଟରାଣୀ, ଓଃ, କି ସୌଭାଗ୍ୟ ତୋର ।

 

ବୃଦ୍ଧ ଏବଂ ପିତେଇର ଏହି କଥାବାର୍ତ୍ତା ମଧ୍ୟରେ ଶେଫାଳିକା କେତେବେଳେ ଉଠିଯାଇ ଘରୁ ପଇସା ଆଣି ବୃଦ୍ଧକୁ ଦେଇଦେଇ କହିଲେ– ‘‘ମଉସା, ଗୋଟାଏ କୁଡ଼ିଆ ଅଣ୍ଟିବ ନାହିଁ, ତମେ ଯାଇ ଆଉ ଗୋଟାଏ କିଣି ଆଣ ।’’ ବୃଦ୍ଧ ‘‘ଯାଉଛି ମା’’, କହି ମହାପ୍ରସାଦ କିଣିବାକୁ ଉଠିଗଲା ।

 

ଶେଫାଳିକା ପ୍ରତ୍ୟହ ପ୍ରତ୍ୟୁଷରୁ ସାଗରସ୍ନାନ କରିବାକୁ ଯାଆନ୍ତି । ବିଶ୍ୱତ୍ରାସ ମସୁଦ୍ରର ମନ୍ଥନ ଲୀଳା ଦେଖି କହନ୍ତି– ‘‘ତୋ ହୃଦୟ ତ ମୋହରି ହୃଦୟ ପରି ମନ୍ଥି ହେଉଛି, ତୁ କି ମୋର ସମଦୁଃଖୀ ? ତୁ କି ମୋହରି ପରି ରତ୍ନ ହରାଇଛୁ ରତ୍ନାକର ? ତୋର ଅସଂଖ୍ୟ ରତ୍ନ ଅଛି; କିନ୍ତୁ ମୋର ସେହି ଗୋଟିକ । ମୋ ହୃଦୟ ତୋହରି ହୃଦୟ ପରି ହାହାକାରପୂର୍ଣ୍ଣ । ତୋ ହୃଦୟରୁ ଯେପରି ବ୍ୟଥିତ କ୍ରନ୍ଦନର କରୁଣଧ୍ୱନି ଉଠୁଛି, ମୋ ହୃଦୟରୁ ସୁଦ୍ଧା ସେହିପରି ଉଠୁଛି । ତୋର କ୍ରନ୍ଦନ ଜଗତ ଶୁଣୁଛି; ମାତ୍ର ମୋର କ୍ରନ୍ଦନ ମୋର ଆତ୍ମାପୂରୁଷ ଛଡ଼ା ଆଉ କେହି ଶୁଣିପାରନ୍ତି ନାହିଁ-। ଇନ୍ଦୁ ପିତା, ତୁ ଅମାବାସ୍ୟାରେ ଦିନେ ମାତ୍ର ପୁତ୍ରହରା ହେଉ, ଏତିକିରେ ତୁ ଅଧୈର୍ଯ୍ୟ; ମାତ୍ର ମୁଁ ବର୍ଷାଧିକ କାଳ ହେଲା ସେହି କଷ୍ଟ ସହି ଆସୁଅଛି, ମୋର ବ୍ୟଥା ତୋର କେତେଗୁଣ ତାହା କିଏ ବୁଝିବ ? ବେଳା ତୋର ହୃଦୟର ଉଚ୍ଛ୍ୱାସକୁ ସମ୍ଭାଳି ରଖେ; ମୋ ହୃଦୟ ସମ୍ଭାଳିବାକୁ କେହି ନାହିଁ-। ଉଚ୍ଛ୍ୱାସରେ ସେ ଶତ ଖଣ୍ଡ ହୋଇ ଫାଟିଯାଏ । ତୀର୍ଥନାଥ, ସକଳ ତୀର୍ଥର ତୁ ଆଶ୍ରୟ । ତୁ ଜଗତର ମଳିନତା ପରିଧୌତ କରୁ; ମୋ ହୃଦୟର ଚିନ୍ତାମଳିନତା ଧୌତ କର, ତୋର ତୀର୍ଥପୂତ ଜଳରେ ମୋର ପାପଶରୀର ପବିତ୍ର ହେଉ, ଏତିକି ମୋର ଭିକ୍ଷା ।

 

ଜଗନ୍ନାଥ ମହାପ୍ରଭୁଙ୍କର ସାନ୍ଧ୍ୟ ଆଳତି ଦର୍ଶନ ଶେଫାଳିକାଙ୍କର ଗୋଟିଏ ନିତ୍ୟକର୍ମ । ଯେତେବେଳେ ଶଙ୍ଖ, ଘଣ୍ଟା, ମୃଦଙ୍ଗ, ମନ୍ଦିରା ପ୍ରଭୃତି ମଧୁର ପୃଥୁଳ ଶବ୍ଦରେ ବାଜିଉଠେ, ଉକ୍ତ କଣ୍ଠର ସ୍ତୁତିବାଣୀରେ ଶ୍ରୀ ମନ୍ଦିରର ଗର୍ଭ ମୁଖରିତ ହୁଏ, ଧୂପ ପୁଷ୍ପାଦିର ସ୍ନିଗ୍‌ଧ ସୌରଭରେ ମନଃପ୍ରାଣ ପୁଲକପୂର୍ଣ୍ଣ ହୋଇଉଠେ, ତେତେବେଳେ ଶେଫାଳିକା ଗରୁଡ଼ସ୍ତମ୍ଭର ପାଦ ମୂଳରେ ଠିଆହୋଇ ମହାପ୍ରଭୁଙ୍କ ଶ୍ରୀମୁଖକୁ ନିର୍ନିମେଷ ନେତ୍ରରେ ଚାହିଁ ରହି ନୀରବ ମନୋବାଣୀରେ ଭକ୍ତି ତନ୍ମୟ ଚିତ୍ତରେ– ‘‘ପ୍ରଳୟ ପୟୋଧିଜଳେ–’’ ଇତ୍ୟାଦି ଜୟଦେବ ଗୋସ୍ୱାମୀ ରଚିତ ଦଶଅବତାର ସ୍ତୋତ୍ର ଆବୃତ୍ତି କରନ୍ତି । ଆହା, ଅରୂପସୁନ୍ଦରଙ୍କର କି ଅନନ୍ତସୁନ୍ଦର ରୂପ । ଶ୍ରୀମୁଖ ଜ୍ୟୋତିରେ ଆରାତ୍ରିକ ଆଲୋକ ଜ୍ୟୋତି ମିଶି ଏକ ଅପୂର୍ବ ଜ୍ୟୋତିର ଉତ୍ସବ ଲାଗିଯାଏ । ସେ ମହାଜ୍ୟୋତିରେ ଭକ୍ତ ହୃଦୟର ଅନ୍ତଃସ୍ଥଳ ପର୍ଯ୍ୟନ୍ତ ଆଲୋକିତ ହୋଇଥାଏ । ପାର୍ଥିବ ଅନ୍ଧାର କେଉଁଆଡ଼େ ଛାଡ଼ି ପଳାଏ । ସେହି ପବିତ୍ର ମହାବ୍ରହ୍ମଜ୍ୟୋତିରେ ସ୍ୱର୍ଗ ଆଲୋକିତ ହୁଏ, ମର୍ତ୍ତ୍ୟ ଆଲୋକିତ ହୁଏ ଏବଂ ପାତାଳ ଆଲୋକିତ ହୁଏ । ତେତେବେଳେ ବୈକୁଣ୍ଠର ବିଭବ ମର୍ତ୍ତ୍ୟକୁ ଓହ୍ଲାଇ ଆସେ– ଭକ୍ତ ଆନନ୍ଦରେ ଆତ୍ମବିସ୍ମୃତ ହୁଏ । ତେବେବେଳେ ଭକ୍ତ ସାଧକ ସ୍ୱର୍ଗ ତୁଚ୍ଛ ମଣେ, ବୈକୁଣ୍ଠ ତୁଚ୍ଛ ମଣେ ଏବଂ ମୁକ୍ତି ତୁଚ୍ଛ ମଣେ । କେବଳ ସେହି ମହାଦୃଶ୍ୟ ତାହାର ଚିର ବାଞ୍ଛନୀୟ ହୁଏ, ସେ ସେହିଥିରେ ବିଭୋର ଥାଏ । ତାହାର ଅଙ୍ଗ ପ୍ରତ୍ୟଙ୍ଗର ସମଗ୍ର ଶକ୍ତି ଯାଇ ଚକ୍ଷୁରେ ଅବସ୍ଥାନ କରେ, ଅଥବା ଅଙ୍ଗପ୍ରତ୍ୟଙ୍ଗ ସବୁ ଚକ୍ଷୁ ହୋଇଯାଏ । ସେ ନିଷ୍ପନ୍ଦ ପାଷାଣ ପ୍ରତିମା ପରି ନିଶ୍ଚଳ ଦୃଷ୍ଟିରେ ଏକ ଭାବରେ ଦେବନାଥ ଜଗନ୍ନାଥଙ୍କର ମହିମାମଣ୍ଡିତ ଜ୍ୟୋତିର୍ମୟ ଶ୍ରୀମୁଖକୁ ଚାହିଁ ରହେ । ତେତେବେଳେ ସେ ଭାବାବେଶରେ ତନ୍ମୟ, ତାହାର ବାହ୍ୟଜ୍ଞାନ ଥାଏ ନାହିଁ । ତାହାର ଆତ୍ମା କେଉଁ ସ୍ୱର୍ଣ୍ଣମୟ ସ୍ୱପ୍ନ ସ୍ୱର୍ଗରେ କି ଏକ ଅନାବିଳ, ଅନାସ୍ୱାଦନୀୟ ସୁଖାନନ୍ଦ ରୂପ ମହାମୃତ ସେବନରେ ପ୍ରମତ୍ତ ଥାଏ । ଭକ୍ତର ଏହି ଅବସ୍ଥାହିଁ ଜୀବନ୍ମୁକ୍ତି, ଅନ୍ୟଥା ମୃତ୍ୟୁ ପରେ ମୁକ୍ତି ତାହାର ସ୍ପୃହଣୀୟ ନୁହେଁ ।

 

ଆଳତି ଶେଷରେ ଶେଫାଳିକା ପ୍ରାଣର ଆକୁଳ ଭାଷାରେ ଦେବତାଙ୍କ ଛାମୁରେ ଏହିପରି ଜଣାଣ କରନ୍ତି– ‘‘ହେ ଜଗବନ୍ଧୁ, ହେ ନୀଳାଦ୍ରି କେଶରୀ, ଜ୍ଞାନୀମାନେ କହନ୍ତି–ଯାହାର କେହି ଭରସା, ଏ ମହାସତ୍ୟବାଣୀ ମୋ ପକ୍ଷରେ କାହିଁକି ସଫଳ ହେଉ ନାହିଁ ପ୍ରଭୋ ? କୋଟି ଯୋଜନ ଦୂରରେ ଥାଇ ଡାକିଲେ ତୁମ୍ଭେ ଆତୁରର ଗୁହାରି ଶୁଣ, ମୁଁ ପାଖରେ ଥାଇ ଡ଼ାକୁଛି, ତାହା କି ତୁମ୍ଭଙ୍କୁ ଶୁଭୁନାହିଁ ହରି ! କିପରି ଭାବରେ ଡାକିଲେ ତୁମ୍ଭ କୃପାସିଂହାସନ ଟଳେ, ହୃଦୟ ତରଳେ, ମୁଁ ଅଜ୍ଞାନା ଅବଳା ସେ ଧାରା କାହୁଁ ବା ଜାଣିବି । ପିତାଙ୍କ ନିକଟରେ ସନ୍ତାନର ଗୁହାରି କରିବାର ବା ଅଳି ଅଜଟ କରିବାର କି ବିଶେଷ ଧାରା ବନ୍ଧା ଅଛି ନାରାୟଣ ! ମୁଁ ତ ପ୍ରାଣର ସହିତ ଏକାଗ୍ରଚିତ୍ତରେ ଡାକୁଛି; ମାତ୍ର ତୁମ୍ଭ କୃପାରୁ ବଞ୍ଚିତ ହେଉଛି କାହିଁକି ? ଦୁଃଖୀ କଅଣ ଖାଲି ଦୁଃଖ ଭୋଗ କରିବା ପାଇଁ ଜନ୍ମଲାଭ କରିଛି ? ତୁମ୍ଭେ ପିତୃହୃଦୟ ଧରି ସନ୍ତାନର ଦୁଃଖ କିପରି ଦେଖ ପ୍ରଭୁ ? ସେ ଦୃଶ୍ୟ ଦେଖି ତୁମ୍ଭ ପିତୃହୃଦୟରେ କି ଆଘାତ ଲାଗେ ନାହିଁ ? ସନ୍ତାନକୁ ହିନସ୍ତା ହନ୍ତସନ୍ତ କରିବାଦ୍ୱାରା ତୁମ୍ଭର କି ମଙ୍ଗଳ ଉଦ୍ଦେଶ୍ୟ ସାଧିତ ହୁଏ, ତାହା ତୁମ୍ଭେ ଏକା ଜାଣ ମଙ୍ଗଳମୟ । ଏ ସଂସାର ତୁମ୍ଭର ଖେଳଘର, ସଂସାରର ପ୍ରତ୍ୟେକ ଘଟଣା ତୁମ୍ଭର ଖେଳ କୌତୁକ-। ସେ କୌତୁକରେ ତୁମ୍ଭର ଆନନ୍ଦ ହୋଇପାରେ; ମାତ୍ର ତୁମ୍ଭ ସୃଷ୍ଟ ଜୀବ କି ଯନ୍ତ୍ରଣା ଭୋଗକରେ ତାହା କି ତୁମ୍ଭେ ଜାଣନାହିଁ ଅନ୍ତର୍ଯ୍ୟାମି, ମୁଁ ବୁଦ୍ଧିହୀନା ଛାର ନାରୀ ତୁମ୍ଭର ଲୀଳା ରହସ୍ୟ ବୁଝିବାକୁ ଅକ୍ଷମ । ତୁମ୍ଭରି ଦତ୍ତ ବିବେକ ମୋତେ ଯାହା କହୁଛି, ମୁଁ ତାହାରି ପ୍ରତିଧ୍ୱନି କରୁଛି ମାତ୍ର । ନା ନା ପ୍ରଭୁ, ମୋର ଏ ବୃଥା ଆକ୍ଷେପ, ନାରୀସୁଲଭ ଦୁର୍ବଳତା, ଅଜ୍ଞତା । ତୁମ୍ଭେ ଗୁଣର ଯେପରି ପୁରସ୍କାର ଦିଅ, ଦୋଷର ସେହିପରି ଦଣ୍ଡ ଦିଅ । ମୁଁ ନିଶ୍ଚେ କୌଣସି ଗୁରୁତର ଦୋଷ କରିଥିବାରୁ ସେଥିର ଶାସ୍ତି ଭୋଗ କରୁଛି । କୃତଦୋଷ ସକାଶେ କ୍ଷମା ପ୍ରାର୍ଥନା ନ କରି ତୁମ୍ଭ ଉପରେ ଅଭିମାନ କରୁଛି । ପିତାଙ୍କ ଉପରେ ଏ ଭଳି ଅଭିମାନ କରିବାର ଅଧିକାର ଅବୋଧ ସନ୍ତାନର ଅଛି । ଯେ ଅବୋଧ ଅକ୍ଷମ, ଅଭିମାନ ଆଉ କ୍ରନ୍ଦନ ତାହାର ସମ୍ବଳ । ତାହା ତା ପକ୍ଷରେ ଅସୁନ୍ଦର ହୋଇପାରେ; ମାତ୍ର ଅବୋଧ ଅଭିମାନୀ ସନ୍ତାନର ଅଭିମାନ ରକ୍ଷା କରିବା ସନ୍ତାନବତ୍ସଳ ପିତାଙ୍କ ପକ୍ଷରେ ଅସୁନ୍ଦର ନୁହେ । ଦିଅ କେତେଦିନ ଦଣ୍ଡ ଦେବ, ତାହା ମୁଁ ପଥର ପରି ସହିବି । ମାତ୍ର ଦୁଃଖୀ ସନ୍ତାନର ନେତ୍ରରେ ଅହରହ ବେଦନାରେ ଅଶ୍ରୁ ଦେଖି ଦୟାମୟ ପିତାଙ୍କ ସ୍ନେହପ୍ରବଣ ହୃଦୟ ଦିନେ ଦ୍ରବୀଭୂତ ହେବ, ସେ ସନ୍ତାନର ଅଶ୍ରୁ ପୋଛି ଦେଇ ତାହାର ପ୍ରାର୍ଥିତ ପଦାର୍ଥ ତାକୁ ପ୍ରଦାନ କରିବେ, ଏ ଅଭ୍ରାନ୍ତ ବିଶ୍ୱାସ ମୋର ଅଛି । ପବିତ୍ର ପିତୃହୃଦୟ କେବେ ସ୍ନେହଶୂନ୍ୟ ହୋଇପାରେନାହିଁ । ଅଗାଧ ସମୁଦ୍ର କି କେବେ ଜଳଶୂନ୍ୟ ହୋଇପାରେ ? ଜଗତରେ ମଧୁଶୂନ୍ୟ ପୁଷ୍ପ ନାହିଁ, ପ୍ରତ୍ୟେକ ପୁଷ୍ପରେ ଅଳ୍ପାଧିକ ମଧୁ ଥାଏ । ପିତୃହୃଦୟ ଶାସନରେ କଠୋର; ମାତ୍ର ସ୍ନେହରେ ସଜଳ ।’’ ଶେଫାଳିକା ଏହିପରି ଅନେକ କଥା କହନ୍ତି– କେତେ ଅପ୍ରାସଙ୍ଗିକ କଥା ମଧ୍ୟ କହିଯାଆନ୍ତି । ଦୁଃଖର ଆବେଗରେ ହୃଦୟ ଖୋଲିଗଲେ ନାନା କଥା ବାହାରି ପଡ଼େ ତେତେବେଳେ ପ୍ରସଙ୍ଗ ଅପ୍ରସଙ୍ଗରେ ଜ୍ଞାନ ଥାଏ ନାହିଁ ।

 

ପିତେଇ ଶେଫାଳିକାଙ୍କ ସଙ୍ଗରେ ଆଳତି ଦେଖିବାକୁ ଯାଏ । ଶେଫାଳିକା ହାତ ଯୋଡ଼ିଲେ ସେ ହାତ ଯୋଡ଼େ, ଜୁହାର ହେଲେ ଜୁହାର ହୁଏ, ପ୍ରାର୍ଥନା କଲେ ପ୍ରାର୍ଥନା କରେ । ମାତ୍ର ସେ ନିଜପାଇଁ କିଛି ପ୍ରାର୍ଥନା କରେ ନାହିଁ । ସେ କହେ– ‘‘ହେ ଜଗନ୍ନାଥ ମହାପ୍ରଭୁ, ହେ କାଳିଆ ସାଆନ୍ତ, ହେ ଚକାଡୋଳା ମା ଠାକୁରାଣୀଙ୍କ ମନୋବାଞ୍ଛା ପୂର୍ଣ୍ଣକର– ମୋ ନନା ଗୋସାଇଁଙ୍କି ଭେଟେଇ ଦିଅ । ଲକ୍ଷ୍ମୀଠାକୁରାଣୀଙ୍କ ପରି ମା ମୋର ଝୁରିଝୁରି କଣ୍ଟା ହେଲେଣି– ଆଉ ତାଙ୍କୁ ଦୁଃଖ ଦିଅ ନାହିଁ । ଆହା ସରଳ ପ୍ରାଣର କି ସରଳ, ନିଃଶ୍ୱାର୍ଥ ପ୍ରାର୍ଥନା ! କି ପବିତ୍ର ସମବେଦନା ! ଅଶିକ୍ଷିତ ହୃଦୟର କି ଅଦ୍ଭୁତ ଉଦାରତା । ଏ ରୂପ ସାତ୍ତ୍ୱିକଭାବ ଅନେକ ଜ୍ଞାନାଭିମାନୀ ଶିକ୍ଷିତଙ୍କ ପ୍ରାଣରେ ଦୁର୍ଲଭ । ଇତରଶ୍ରେଣୀୟା ପଲ୍ଲୀରମଣୀର କି ମହତ୍ତ୍ୱ, କି ମହାପ୍ରାଣତା ଏବଂ ପରମାତ୍ମୀୟତା ! ପର ଦୁଃଖରେ ଯାହାର ପ୍ରାଣ ବ୍ୟାକୁଳ ହୁଏ, ସେ ସାମାନ୍ୟ ମନୁଷ୍ୟ ନୁହେଁ– ତାହାର ଆସନ ମନୁଷ୍ୟର ଊର୍ଦ୍ଧ୍ୱରେ । ଯେ ପର ପାଇଁ କାନ୍ଦେ, ତାହାର ଜୀବନ ସାର୍ଥକ ଏବଂ କାନ୍ଦିଜାଣେ ସେହି । ପବିତ୍ର ଅଶ୍ରୁର ମହତ୍ତ୍ୱ ଏବଂ ଗୌରବ ତାହାରିଠାରେ ପୂଜିତ ହୁଏ । ପିତେଇର କୁରୂପ ମଧ୍ୟରେ ଏହି ଗୁଣଟି ଅଙ୍ଗାରଖଣିସ୍ଥ ଉଜ୍ଜ୍ୱଳ ହୀରକ ଖଣ୍ଡସ୍ୱରୂପ । ସେ ଯେତେ କୁରୁପା ହେଲେହେଁ ଦେବୀ । ଦେବତ୍ୱ ରୂପରେ ଥାଏ ନାହିଁ, ଗୁଣରେ ଥାଏ । ଜଗତରେ ଯାହାକୁ ଅସୁନ୍ଦର କହନ୍ତି, ବାସ୍ତବରେ ତାହା ଅସୁନ୍ଦର ନୁହେଁ– ସେହି ଅସୁନ୍ଦର ମଧ୍ୟରେ ସୁନ୍ଦର ଲୁକ୍‌କାୟିତ ଥାଏ । ଏହାହିଁ ଅଦ୍ଭୁତ କୌଶଳୀ ବିଧାତାର ସୃଷ୍ଟିର ବୈଚିତ୍ର୍ୟ । ଶେଫାଳିକାଙ୍କ ହୃଦୟ ଭକ୍ତିରେ ପୂର୍ଣ୍ଣ; କିନ୍ତୁ ସେ ଭକ୍ତି ମଧ୍ୟରେ ଗୋଟାଏ କାମନା ଅଛି । ଆଉ ପିତେଇର ନିଷ୍କାମ ଭକ୍ତି, ସେଥିରେ ପ୍ରାର୍ଥନା ଅଛି; ମାତ୍ର ତାହା ନିଜପାଇଁ ନୁହେଁ । ସକାମ ଭକ୍ତି ଜ୍ଞାନର ମୂଳ ସୋପାନ; ମାତ୍ର ନିଷ୍କାମ ଭକ୍ତିର ମୂଲ୍ୟ ତାହାଠାରୁ ଅନେକ ଅଧିକ । ପିତେଇର ପ୍ରାର୍ଥନାରେ ସ୍ୱାର୍ଥର ସମ୍ବନ୍ଧ ନାହିଁ; ସୁତରାଂ ଠାକୁର ତାହାକୁ ଆଗେ ଶୁଣିବେ, ତାହାର ପ୍ରାର୍ଥନା ବିଫଳ ହେବ ନାହିଁ । ଖାଲି ଭକ୍ତି ନୁହେଁ– ପିତେଇର ବିଶ୍ୱାସ ସୁଦ୍ଧା ଅଟଳ, ଅକମ୍ପ । ଖୁବ୍ ଜ୍ଞାନୀ ଆଉ ଖୁବ୍ ଅଜ୍ଞାନ ଏ ଉଭୟର ବିଶ୍ୱାସ ଦୃଢ଼ । କେବଳ ମଧ୍ୟ ଶ୍ରେଣୀର ବିଶ୍ୱାସ ହଲଚଲ । ପିତେଇର କଥାରୁ ତାହାର ଦୃଢ଼ ବିଶ୍ୱାସର ପରିଚୟ ମିଳେ । ସେ ଦିନେ ଶେଫାଳିକାଙ୍କୁ ପଚାରିଲା– ‘‘ମା, ଜଗନ୍ନାଥ କଣ ଦାରୁମୂର୍ତ୍ତିନା ?’’ ଶେଫାଳିକା କହିଲେ– ‘‘ହଁ ଲୋ ଝିଅ, ଦାରୁବ୍ରହ୍ମ ବୋଲି ପୁରାଣରେ ଲେଖାଅଛି । ପିତେଇ ଦୃଢ଼ସ୍ୱରରେ କହିଲେ– ‘‘ନା ମା, ଦାରୁମୂର୍ତ୍ତିର ଏତେ କରାମତି କାହୁଁ ହେବ ? ମୁଁ ତ ଦେଖେ ଠିକ୍ ଯିମିତି ଜୀଅନ୍ତା ମୂର୍ତ୍ତି । ମୁଁ ଯେତେବେଳେ ଦେଉଳକୁ ଯାଏ, ମୋର ଗୋଡ଼ ଥରେ, ଦେହ ଫୁଲିଉଠେ, କାଳେ କଅଣ ଛୁଇଁ ପକାଇବି, କାଳେ କଅଣ ମାରୁ ହୋଇଯିବ, ସବୁବେଳେ ମନରେ ଏହି ଭୟ ହୁଏ । ସତେ ଯିମିତି କିଏ ମୋତେ ଟାଣି ଧରୁଥାଏ ମୁଁ କ୍ଷଣ କ୍ଷଣକେ ଚମକି ଉଠେ । ଆଉ ମହାପ୍ରସାଦର କି ସୁଆଦ, କି ସୁବାସ । ଡାଲି, ତରକାରି ସତେ ଯେମିତି ଅମୃତରେ ବୋଳା ହୋଇଛି । ତମେ ତ ଦେଖିଛ ମା, ଘରେ ଥିଲାବେଳେ ବଡ଼ ଗହୀରୀ ପଥୁରୀରେ ପଥୁରୀଏ ଭାତ ମୁଁ ଠୁଙ୍କି ଦେଉଥିଲି, ଆଉ ଏଠି ତାଟିଆଏ ମହାପ୍ରସାଦ ଖାଇଲେ ପେଟ ପୂରିଯାଏ– ମୁହଁ ବାନ୍ଧି ଆସେ । ଯାହାର ଏଡ଼େ ମହିମା ସେ ପ୍ରତ୍ୟକ୍ଷ ଦେବତା ମା ଠାକୁରାଣୀ, ଦାରୁମୂର୍ତ୍ତି ନୁହେଁ ।’’ ଶେଫାଳିକା ଅଲାଗି ପିତେଇର କଥା ଶୁଣି ବିସ୍ମୟାବିଷ୍ଟ ହୋଇ କଅଣ କହିବେ କିଛି କଥା ଖୋଜି ପାଇଲେ ନାହିଁ । ଏକ ଧ୍ୟାନରେ ପିତେଇର ମୁହଁକୁ ଅନାଇଁ ରହିଲେ । କିଛିକ୍ଷଣ ପରେ କହିଲେ– ‘‘ଦାରୁମୂର୍ତ୍ତି ହେଲେ କଅଣ ହେଲା ଲୋ ଝିଅ; ଦାରୁ, ପଥର, ମାଟି ସବୁଥିରେ ଭଗବାନ୍ ଅଛନ୍ତି । ଆଉ ସେହି ଦାରୁମୂର୍ତ୍ତି ଭିତରେ ବ୍ରହ୍ମଶିଳା ଅଛି ।’’ ପିତେଇ ହସିଉଠି ପରମ ଉତ୍ସାହରେ କହିଲା– ‘‘ହଁ ମା, ମୁଁ ତ ସେହି କଥା କହୁଛି । ଆମ ଦେହରେ ଯିମିତି ଜୀବନ ଅଛି, ଦାରୁମୂର୍ତ୍ତି ଭିତରେ ସିମିତି ବ୍ରହ୍ମଶିଳା ଅଛି, ସେହି ବ୍ରହ୍ମଶିଳା ଦାରୁମୂର୍ତ୍ତିର ଜୀବନ । ଜଗନ୍ନାଥ ଜୀଅନ୍ତା ଦେବତା ମା, ସେ ଦୁନିଆର ଗୁହାରି ଶୁଣୁଛନ୍ତି । ନନା ଗୋସାଇଁଙ୍କି ନିଶ୍ଚେ ଭେଟେଇ ଦେବେ–ତମେ ଆଉ ଚିନ୍ତା କରନାହିଁ ।’’ ପିତେଇ ଅନେକ ସମୟରେ ଏହିପରି ପ୍ରବୋଧ ଦିଏ । ପିତେଇ ମୂର୍ଖ ଜାତୀୟ ସ୍ତ୍ରୀ; ମାତ୍ର ତାହାର ବିଶ୍ୱାସ ଅନେକ ଜ୍ଞାନୀ ପଣ୍ଡିତଙ୍କଠାରୁ ଅଧିକ । ଭକ୍ତି ବିଶ୍ୱାସର ରତ୍ନସିଂହାସନ ଉପରେ ଭଗବାନଙ୍କର ଅଧିଷ୍ଠାନ ।

 

ନନ୍ଦଙ୍କ ପୁରୀ ଆସିବାର ଦୁଇମାସ ହୋଇଗଲା । ଶେଫାଳିକା ଏଥିମଧ୍ୟରେ ପୁରୀର ସମସ୍ତ ସ୍ଥାନ ଖୋଜି ସାରିଲେଣି; ମାତ୍ର ଅଦ୍ୟାବଧି ପୁତ୍ରର ସନ୍ଧାନ ପାଇ ନାହାନ୍ତି । ପ୍ରତ୍ୟେକ ମଠ, ଦେବାଳୟ ପ୍ରଭୃତିରେ ତତ୍ତ୍ୱ ନେଲେ, ଅନେକ ଲୋକଙ୍କୁ ପଚାରିଲେ; ତଥାପି ହତାଶ ନ ହୋଇ ଖୋଜିବାକୁ ଲାଗିଲେ । ଦେବଦର୍ଶନ, ପୁତ୍ରାନ୍ୱେଷଣ ଏକ ସଙ୍ଗରେ ହୁଏ । ତୀର୍ଥ ପ୍ରଭାବରେ ତାଙ୍କର ଅଧୀରତା ବହୁ ପରିମାଣରେ ଊଣା ହୋଇ ଆସିଅଛି । ଶେଷ ଜୀବନରେ ମହାତୀର୍ଥରେ ବାସ କରି ନନ୍ଦେ ସୁଦ୍ଧା କିଞ୍ଚିତ୍ ଆଶ୍ୱସ୍ତ । ସମସ୍ତେ ଜଗନ୍ନାଥଙ୍କୁ ଧ୍ୟାନ କରି ପଡ଼ି ରହିଅଛନ୍ତି । ଦିନ ଏକ ପ୍ରକାର କଟି ଯାଉଅଛି । ପିତେଇର ସେବା ଯତ୍ନରେ ସମସ୍ତେ ତୁଷ୍ଟ, ସେ ଚିର ଆନନ୍ଦମୟୀ, ତାହାର ଦିନ ପୂର୍ବପରି ଆନନ୍ଦରେ କଟି ଯାଉଅଛି ।

 

ନୂତନ ମହନ୍ତ ସନାତନ ସମୁଦ୍ର ସ୍ନାନରେ ଅଭ୍ୟସ୍ତ ହୋଇ ପଡ଼ିଅଛନ୍ତି । ସେ ପ୍ରତ୍ୟହ ପ୍ରାତଃକାଳରେ ସମୁଦ୍ର ସ୍ନାନ କରିବାକୁ ଏକୁଟିଆ ଯାଆନ୍ତି । ଶୀତକାଳର ପ୍ରଭାତ, ଅଳ୍ପ କୁହୁଡ଼ି ଘୋଟିଅଛି । ଶ୍ରୀମନ୍ଦିର କୁହୁଡ଼ିରେ ବୁଡ଼ି ଆତ୍ମଗୋପନ କରିବାକୁ ଚେଷ୍ଟା କରୁଅଛି; ମାତ୍ର ପାରୁନାହିଁ, ଶୁକ୍ଳ ଘନ ଉହାଡ଼ରୁ ଚନ୍ଦ୍ରର ଜ୍ୟୋତି ଫୁଟି ଦିଶିଲା ପ୍ରାୟ ସୁନ୍ଦର ଦିଶୁଅଛି । ଶୀତ ହେତୁ ରାସ୍ତାରେ ଲୋକ ଚଳାଚଳ ନାହିଁ । ଏହି ସମୟରେ ମହନ୍ତ ସ୍ନାନ କରିବାକୁ ଯାଉଁ ଯାଉଁ ବାଟରେ ଦେଖିଲେ– ଜଣେ ବର୍ଷୀୟସୀ ମହିଳା ପରିଚାରିକା ସଙ୍ଗରେ ଜଗନ୍ନାଥଙ୍କ ପ୍ରଭାତ ଆଳତି ଦେଖିସାରି ଫେରି ଆସୁଅଛନ୍ତି । ବୃଦ୍ଧା ସଧବା, ତାଙ୍କର ପରିଧେୟ ଖଣ୍ଡିଏ କ୍ଷୀରୋଦ୍ରି ପାଟ । ତାଙ୍କୁ ଦେଖିଲାକ୍ଷଣି ମହନ୍ତଙ୍କ ଦେହ ଶୀତେଇ ଉଠିଲା । ସେ ଆଉ ଅଗ୍ରସର ନ ହୋଇ ସେହିଠାରେ ଠିଆହୋଇ ରହିଲେ । କିଛିକ୍ଷଣ କଅଣ ମନରେ ଭାବି ସପରିଚାରିକା ବୃଦ୍ଧାଙ୍କର ଅନୁଗମନ କଲେ ଏବଂ ସେମାନଙ୍କର କଥାବାର୍ତ୍ତା ଶୁଣିବାକୁ ଲାଗିଲେ । ଖଣ୍ଡେଦୂର ଯାଇ କମ୍ପିତ କଣ୍ଠରେ ଡାକିଲେ, ‘‘ବଡ଼ମା ।’’ ଏ କି ସ୍ୱର୍ଗୀୟ ସମ୍ବୋଧନ ! କେତେକାଳ ପରେ ଏ ଅମୃତବୋଳା ଡାକ ବୃଦ୍ଧାଙ୍କ ଆତୁର କର୍ଣ୍ଣରେ ପ୍ରବେଶ କଲା । ସେ ଚମକି ପଡ଼ି ପଛକୁ ଚାହିଁଦେଲେ । ମହନ୍ତ ତାଙ୍କର ପଦଧୂଳି ମସ୍ତକରେ ମାରି ଜଡ଼ିତ କଣ୍ଠରେ କହିଲେ– ‘‘ବଡ଼ମା, ମୋତେ ଚିହ୍ନିପାରିଲ ? ମୁଁ ତୁମ୍ଭର ଅବାଧ୍ୟ ହତଭାଗ୍ୟ ସେବକ ସନାତନ ।’’ ବୃଦ୍ଧା ପୁଅକୁ କୁଣ୍ଢାଇ ପକାଇ ବାଷ୍ପଗଦ୍‍ଗଦ୍‍ କଣ୍ଠରେ– ‘‘କିଏ, ମୋ ବାବା, ମୋ ରଙ୍କନିଧି, ମୋର ଅନ୍ଧର ଚକ୍ଷୁ, ମୁଁ ଅନ୍ଧ ହୋଇଥିଲି, ମୋତେ ଚକ୍ଷୁଦାନ କଲୁ ବାବା । ଆଜି ମୁଁ କାହା ମୁହଁଚାହିଁ ବାହାରିଥିଲି, ମୋର ହୃତ୍‍ ଧନ ପାଇଲି ।’’ ବୃଦ୍ଧାଙ୍କର ନେତ୍ରଦ୍ୱୟ ଅଶ୍ରୁର ପ୍ରସ୍ରବଣ ହୋଇଉଠିଲା । ପିତେଇର ଚକ୍ଷୁ ମଧ୍ୟ ଅଶ୍ରୁ ସଜଳ । ‘‘ମୋ ନନା ଗୋସାଇଁ ହୋ, ମୋ ନନା ଗୋସାଇଁ ହୋ’’ କହି ସେ ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗିଲା । ସନାତନ ମାତୃବକ୍ଷରେ ମସ୍ତକ ଗୁଞ୍ଜି କହିଲେ– ‘‘ବଡ଼ମା !’’ ଏହି ଗୋଟିଏ ଡାକରେ ଶେଫାଳିକାଙ୍କର ବହୁଦିନର ବ୍ୟଥା– ବହୁଦିନର ଶୋକ ସବୁ କୁଆଡ଼େ ମୁହୂର୍ତ୍ତକ ମଧ୍ୟରେ ଭାସିଗଲା । ତାଙ୍କର ଆନନ୍ଦାଶ୍ରୁ ଧାରାରେ ସନାତନଙ୍କ ମସ୍ତକ ଅଭିଷିକ୍ତ ହେଲା । ସେ ବ୍ୟାକୁଳ କଣ୍ଠରେ କହିଲେ– ‘‘ବଡ଼ମା, ମୁଁ ଅକୃତଜ୍ଞ; ତୁମ୍ଭର ସ୍ନେହ–ସ୍ୱର୍ଗ–ଶୀତଳ ଅଙ୍କ ମୁଁ ନିଜେ ଛାଡ଼ି ଯାଇଥିଲି । ସେ ପବିତ୍ର ଅଙ୍କରେ ଆଉ ମୋ ସ୍ଥାନ ନାହିଁ । ଶେଫାଳିକା ପୁତ୍ରର ଅଶ୍ରୁ ପୋଛିଦେଇ କହିଲେ, ‘‘ଛି ବାବା ତାହା କହନ୍ତି ନାହିଁ, ମାତୃକୋଳରେ ଚିରକାଳ ସନ୍ତାନର ଅଧିକାର, ସେ ଅଧିକାରରୁ ତାକୁ କେହି ବଞ୍ଚିତ କରିପାରେନାହିଁ ।’’ ଅନନ୍ତର ଶେଫାଳିକା ପୁତ୍ରକୁ ଘେନି ବସା ଅଭିମୁଖରେ ପ୍ରସ୍ଥାନ କଲେ ।

 

ପିତେଇ ସେମାନଙ୍କ ସଙ୍ଗରେ ରହିପାରିଲା ନାହିଁ । ଉତ୍କଣ୍ଠାରେ ତାହାର ମନ ଡେଇଁ ବୁଲିଲା । ଏହି ଶୁଭ ସମ୍ବାଦ ସେ ଆଗେ ଯାଇ ନନ୍ଦ ଏବଂ ସୌଦାମିନୀକୁ ଦେବାପାଇଁ ଚଞ୍ଚଳ ହୋଇଉଠିଲା । ତହୁଁ ସେ ମାତାପୁତ୍ର ଦୁହିଁଙ୍କୁ ପଛରେ ରଖି ଧାଇଁବାକୁ ଲାଗିଲା । କୋଶକେ ଗୋଟାଏ ଗୋଡ଼ ତ ପାଆକେ ଗୋଟାଏ ଗୋଡ଼, ସେ ଧାଉଁଛି କି ଉଡ଼ିଯାଉଛି, ତାହାର ଗୋଡ଼ ମଞ୍ଚରେ ପଡ଼ୁଛି କି ପାତଳରେ ପଡ଼ୁଛି, ତାହା ସେ କିଛି ଜାଣିପାରୁନାହିଁ; କେବଳ ଧଇଁସଇଁ ହୋଇ ଧାଉଁଛି । ବସା ଖଣ୍ଡେଦୂର ଅଛି, ସେହିଠାରୁ ବଡ଼ ପାଟିରେ ଡାକିଲା– ‘‘ବାବା ଠାକୁରେ ହୋ, ସାନ ମା ଗୋ, ଧାଇଁଆସ, ନନା ଗୋସାଇଁ ମିଳିଲେଣି; ମୋତେ କଅଣ ଦବ କୁହ ।’’ ଥରେ ନୁହେଁ, ଦୁଇଥର ନୁହେଁ, ଏହି କଥାକୁ ବାରମ୍ବାର ଆବୃତ୍ତି କରି ବୀରପୁରୁଷ ପରି ପଦକ୍ଷେପରେ ଗତିପଥକୁ କମ୍ପାଇ ସେ ଆସି ବସାରେ ପହଞ୍ଚିଲା । ସେ ଏଡ଼େ ଚଞ୍ଚଳ କଥା କହୁଥାଏ ଯେ, ତାହା ସମ୍ପୂର୍ଣ୍ଣ ବୁଝିହେଉ ନ ଥାଏ । ନନ୍ଦେ ଏବଂ ସୌଦାମିନୀ ତାଟଙ୍କା ହୋଇ ତାହା ମୁହଁକୁ ଅନାଇ ରହିଲେ । କାହାରି ତୁଣ୍ଡରୁ ଭାଷା ବାହାରିଲା ନାହିଁ । ପିତେଇ କେବଳ ‘‘ଧାଇଁ ଆସ, ଧାଇଁ ଆସ’’ କହି ଖଣ୍ଡେ ଆଗକୁ ଚାଲିଯାଏ ପୁଣି ଖଣ୍ଡେ ପଛକୁ ଚାଲି ଆସେ । ତାହାର ଏହିପରି ଅଭିନୟ ସମୟରେ ଶେଫାଳିକା ପୁତ୍ରକୁ ଘେନି ଆସି ଉପସ୍ଥିତ ହେଲେ । ସନାତନ ଯାଇ ପିତାମାତା ଉଭୟଙ୍କର ପଦତଳେ ପଡ଼ି ପ୍ରଣାମ କଲେ । ନନ୍ଦେ ପୁଅକୁ କୁଣ୍ଢାଇ ପକାଇଲେ, ସୌଦାମିନୀ ପୁଅ ଦେହରେ ହାତ ବୁଲାଇ ନେତ୍ରରୁ ଶ୍ରାବଣର ଧାରା ଗଡ଼ାଇ ଦେଲା । ସମସ୍ତଙ୍କର ବହୁଦିନ ସଞ୍ଚିତ ସୁପ୍ତ ବେଦନା ପୁଣି ଜାଗିଉଠିଲା । ଅଶ୍ରୁ, ପ୍ରବାହର ରୁଦ୍ଧ ମୁଖ ମୁକ୍ତ ହୋଇଗଲା । ସ୍ନେହାଶ୍ରୁ, ପ୍ରେମାଶ୍ରୁ, ଭକ୍ତ୍ୟଶ୍ରୁ ଏବଂ ଆନନ୍ଦାଶ୍ରୁର ସମ୍ମିଳନ ହେଲା । ସେ ସଙ୍ଗମତୀର୍ଥରେ ସ୍ନାନକରି ସମସ୍ତେ ନିଜକୁ ପବିତ୍ର ଏବଂ ଭାଗ୍ୟଧର ମଣିଲେ । ସେହି ମହାଧାରାରେ ଶୋକ, ଦୁଃଖ, ଚିନ୍ତା, ଅନୁତାପ ସବୁ ଭାସିଗଲା । ମିଳନର ଆନନ୍ଦରେ ସମସ୍ତଙ୍କର ହୃଦୟ ଉଛୁଳି ଉଠିଲା । ବିଚ୍ଛେଦ ପରେ ମିଳନର ଯେଉଁ ଆନନ୍ଦ, ତାହା ଅତି ମଧୁର ଏବଂ ମୂଲ୍ୟବାନ । ସନାତନ ପିତାଙ୍କୁ ଚାହିଁ ସାଶ୍ରୁନେତ୍ରରେ କହିଲେ– ‘‘ପିତଃ, କୃତକର୍ମ ସକାଶେ ମୁଁ ଅନୁତପ୍ତ । ମୁଁ ଆପଣଙ୍କର ଆଜ୍ଞା ଲଙ୍ଘନ କରିଅଛି, ହୃଦୟରେ ଦାରୁଣ ଆଘାତ ଦେଇଅଛି, ନାନା ପ୍ରକାର କଷ୍ଟ ମଧ୍ୟ ଦେଇଅଛି । ମୁଁ ଆପଣଙ୍କର କୁପୁତ୍ର, ଆପଣଙ୍କର କ୍ଷମା ପାଇବାର ଅଯୋଗ୍ୟ ।’’ ନନ୍ଦେ ପୁଅକୁ ବକ୍ଷକୁ ଟାଣି ନେଇ ସ୍ନେହାର୍ଦ୍ର କଣ୍ଠରେ କହିଲେ, ‘ନା ବାବା, ପିତାର କ୍ଷମା ଏବଂ ଆଶୀର୍ବାଦ ଭଣ୍ଡାର ସନ୍ତାନ ପାଇଁ ଚିରମୁକ୍ତ । ତୁ ଦୁଃଖ କରନା, ନିୟତିର ପ୍ରଭାବରୁ ସବୁ ଘଟେ, ମନୁଷ୍ୟର କିଛି ଚାରା ନାହିଁ ।’’ ଏହି ସମୟରେ ଗୃହସ୍ୱାମୀ ବୃଦ୍ଧ ଉପସ୍ଥିତ ହୋଇ ମହନ୍ତଙ୍କୁ ସେଠାରେ ଦେଖି ତାଙ୍କ ଗୋଡ଼ତଳେ ପଡ଼ିଯାଇ କହିଲା– ‘‘ମୋର କି ସୌଭାଗ୍ୟ, ମହନ୍ତ ମହାରାଜଙ୍କର ପଦଧୂଳି ଏ ପାପୀ ଘରେ ପଡ଼ିଲା– ମୋର ଘର ଆଜି ପବିତ୍ର ହେଲା ।’’ ତାହାର ଏ କଥା ଶୁଣି ନନ୍ଦେ ଏବଂ ତାଙ୍କର ଦୁଇ ସ୍ତ୍ରୀ ପୁଅ ମୁହଁଙ୍କୁ ଚାହିଁ ରହିଲେ । ସନାତନ ସେମାନଙ୍କ ଦୃଷ୍ଟିରେ ବିସ୍ମୟ ଏବଂ ସନ୍ଦେହର ଛାୟାପାତ ଦେଖି ମୃଦୁହାସ୍ୟରେ କହିଲେ, ‘‘ମୁଁ ଏବେ ବଡ଼ମଠର ମହନ୍ତ ହୋଇଅଛି । ଗାଦିରେ ବସିଲା ପରେ ତୁମ୍ଭମାନଙ୍କୁ ଆଣିବା ସକାଶେ ଲୋକ ପଠାଇଥିଲି । ସେ ଫେରି ଆସି ତୁମ୍ଭେମାନେ ମୋତେ ଖୋଜିବା ପାଇଁ କାଶୀ ଯାଇଛ ବୋଲି କହିଲା । ଆଉ ଆଠ ଦଶ ଦିନ ପରେ ତୁମ୍ଭମାନଙ୍କୁ ଆଣିବା ପାଇଁ ମୁଁ କାଶୀ ଯାଇଥାନ୍ତି ।’’ ଶେଫାଳିକା ପୁଅକୁ ଆଉ କିଛି କହିବାର ଅବସର ନ ଦେଇ ବୃଦ୍ଧକୁ କହିଲେ– ‘‘ମଉସା, ଏହି ମୋର ପୁଅ ।’’ ଏକଥା ଅନୁମାନଦ୍ୱାରା ପୂର୍ବରୁ ବୃଦ୍ଧ ବୁଝିପାରିଥିଲା । ସେ ଆନନ୍ଦ ପ୍ରକାଶପୂର୍ବକ କହିଲା– ‘‘ତୁମ୍ଭେ ଭାଗ୍ୟବତୀ ମା, ତୁମ୍ଭର ପୁଅ ବଡ଼ମଠର ମହନ୍ତ ହୋଇ ଧର୍ମଗୁରୁ ଆସନରେ ବସିଛନ୍ତି । ଏହା କି ଅଳ୍ପ ତପସ୍ୟାର ଫଳ । ତୁମ୍ଭର ସପ୍ତପୁରୁଷ ଉଦ୍ଧାର ହୋଇଗଲେ ମା ।’’ ବୃଦ୍ଧ ଏହିପରି କେତେକ କଥା କହିଲା ପରେ ମହନ୍ତ ପିତାମାତାଙ୍କୁ ସଙ୍ଗରେ ଘେନି ମଠକୁ ଗଲେ ।

 

ସନାତନ ପିତାମାତାଙ୍କର ସୁଖ ସୁବିଧାରେ ରହିବାର ସୁବ୍ୟବସ୍ଥା କରିଦେଲେ । ପିତେଇ ସେମାନଙ୍କ ସେବାରେ ନିଯୁକ୍ତ ରହିଲା । ତାହାପାଇଁ ମଠରୁ ପ୍ରସାଦ ଖଞ୍ଜି ଦିଆଗଲା । ନନ୍ଦ ପରିବାର ଶେଷ ଜୀବନରେ ତୀର୍ଥକ୍ଷେତ୍ରରେ ରହି ପରମାନନ୍ଦ ଉପଭୋଗ କଲେ । ସେମାନଙ୍କ ଶୁଷ୍କ ହୃଦୟରେ ନୂତନ ଜୀବନର ସ୍ରୋତ ପ୍ରବାହିତ ହେଲା । ସନାତନ ଶାସ୍ତ୍ରଗ୍ରନ୍ଥର ଟୀକା, ଭାଷ୍ୟ ପ୍ରଭୃତି ଲେଖିଥିବାର ଶୁଣି ଶେଫାଳିକା ଅତ୍ୟନ୍ତ ଆନନ୍ଦିତ ହୋଇ ପୁତ୍ରକୁ କହିଲେ– ‘‘ବାବା, ଜଗନ୍ନାଥ ମୋର ମନୋବାଞ୍ଛା ପୂର୍ଣ୍ଣ କଲେ । ଆଉ ମୋ ବଂଶ ରକ୍ଷାର ଭାବନା ନାହିଁ । ତୋହରି କୃତ ଗ୍ରନ୍ଥମାଳା ମୋ ଉପଯୁକ୍ତ ବଂଶଧର, ସେଗୁଡ଼ିକ ମୋର ପବିତ୍ର ଶଶୁର ବଂଶର ଗୌରବ ବୃଦ୍ଧି କରିବେ ।’’ ନନ୍ଦେ ମନେ ମନେ କହିଲେ– ‘‘ଶନିସପ୍ତା, ଶନିବାର, ଶନିବେଳା ଏହି ତ୍ରିଦୂର୍ଯୋଗରେ ଯାହାର ଜନ୍ମ; ତାହାର ଏଭଳି ଅଦ୍ଭୁତ ଉନ୍ନତି କିପରି ହେଲା ! ଅଗାଧ ବିଦ୍ୟାର ଆକାର, ଲକ୍ଷପତି, ଧର୍ମଗୁରୁ ଏହା କି ସାମାନ୍ୟ ସୌଭାଗ୍ୟ । ପଦଗୌରବ, ଖ୍ୟାତି, ପ୍ରତିପତ୍ତି, ଆଧ୍ୟାତ୍ମିକ ଉନ୍ନତିର ଏତେ ଉପରକୁ ଉଠିବା ସାଧାରଣ ମନୁଷ୍ୟ ପକ୍ଷରେ ଅସମ୍ଭବ । ଶାସ୍ତ୍ର ତ ଭୁଲ ନୁହେଁ, ତେବେ ଫଳ ବିପରୀତ ହେଲା କାହିଁକି ? ନା ନା, ଶାସ୍ତ୍ର କେବେ ଭୁଲ ହୋଇ ନ ପାରେ; ମୋର ଧାରଣା ହିଁ ଭୁଲ-। ମୁଁ ଏବେ ବୁଝିପାରିଲି ଯେ, ବିଷ ମଧ୍ୟରେ ଅମୃତ ଥିଲା ପରି ଶନିସପ୍ତା ମଧ୍ୟରେ ବି ମଙ୍ଗଳ ଥାଏ ଆଉ ଅତି ଅମଙ୍ଗଳରେ ମଙ୍ଗଳ ହୁଏ ।

Image